ମୋ ଭାଇ
ମୋ ଭାଇ
ଆମେ ଚାରି ଭଉଣୀ ଆଉ ଗୋଟେ ଭାଇ। ଭାଇ ସବୁଠୁ ଛୋଟ।ମୁଁ ଯେତେବେଳେ ବାର ବର୍ଷ ର ହେଇଥିଲି ସେ ଜନ୍ମ ହେଇଥିଲା। ସବୁଠୁ ଛୋଟ ବୋଲି ସେ ଆମ ମାନଙ୍କର ଭାରି ଗେଲ୍ଲା। ଆମେ ଚାରି ଭଉଣୀ ମିଶିକି ତାକୁ ପାଳିଛୁ। ବୋଉ ଆମର ଚାକିରି କରେ ବୋଲି ଦିହିପରେ ଆମେ ଭଉଣୀ ମାନେ ମିଶିକି ରଖୁ। ଯେତେବେଳେ ମୋ ଭାଇ ଜନ୍ମ ହେଇଥିଲା ସେତେବେଳେ ଛୁଆ କଥା ବୁଝିବାକୁ କେହି ନ ଥିଲେ। ମୋ ମାମା ଜେଜେ ମା କେତେବେଳେ ରୁହେ ତ କେତେବେଳେ ରୁହେନି। ଆମେ ମାନେ ବି ଟିକେ ବଡ ହୋଇଯାଇଥିଲୁ। ମୁଁ ଅଷ୍ଟମ କୁ ଉଠିଥିଲି, ମୋ ବଡ ଭଉଣୀ ନବମ କୁ, ମୋ ତଳ ଭଉଣୀ ଷଷ୍ଠ ଶ୍ରେଣୀ କୁ ଉଠିଥିଲା , ଆଉ ସାନ ଭଉଣୀ ପାଞ୍ଚ ଛଅ ବର୍ଷର ହୋଇଥିଲା। ଆମେ ଭଉଣୀମାନେ ନିଜ କଥା ନିଜେ ବୁଝୁଥିଲୁ। ପୁଅ ଚାରି ମାସର ହେଲାରୁ ବୋଉ ର ଛୁଟି ସରିଗଲା। ସେ ପୁଣି ଅଫିସ୍ ଜଏନ୍ କଲା। ମାମା ଜେଜେ ମା କିଛିଦିନ ରହିକି ଗାଁ କୁ ପଳେଇଲା। ଆମେ ଭଉଣୀ ମାନେ ଆମ ସ୍କୁଲ୍ ସମୟରୁ ସମୟ ବାହାର କରିକି ତାକୁ ରଖୁ। ମୋ ତଳ ଭଉଣୀ ମୋନା, ତାର ମର୍ଣ୍ଣିଙ୍ଗ ସ୍କୁଲ୍ ଥିଲା ଆମ ଘର ପାଖରେ। ସେ ସ୍କୁଲ୍ ରୁ 11ଟା ବେଳେ ଆସେ । ବାବା ବୋଉ, ପୁଅ କୁ ଆମ ପାଖ ପଡିଶା ଘରେ ଅଫିସ୍ ଗଲା ବେଳେ 10.30ରେ ଦେଇକି ଯାନ୍ତି , ଆଉ ମୋନା ସ୍କୁଲ୍ ରୁ 11ଟାରେ ଆସିକି ତାଙ୍କ ଘରୁ ପୁଅ କୁ ଆଣେ। ସେଇ ମାଉସୀ ମୋନାକୁ କହି ଦିଅନ୍ତି ପୁଅ କେତେବେଳେ କଣ ଖାଇବ, ସେ ତା ପରେ ସେଇ ହିସାବରେ ଦିଏ ତାକୁ ଖାଇବାକୁ । ମୋନାର ଟ୍ୟୁସନ୍ 3ଟା ରେ ଥାଏ, ସେ ଟ୍ୟୁସନ୍ ଯିବା ଆଗରୁ ପୁଣି ପଡିଶା ଘର ମାଉସୀ ଙ୍କ ଘରେ ପୁଅକୁ ଦେଇକି ଯାଏ। ମୁ ଆଉ ମୋ ବଡ଼ ଭଉଣୀ ସ୍କୁଲ୍ ରୁ ଆସିଲା ପରେ 4ଟାରେ ତାକୁ ମାଉସୀଙ୍କ ଘରୁ ଆଣୁ ଆଉ ଖୁଆଉ। ତା ପରେ ବୋଉ 5.30ରେ ଅଫିସ୍ ରୁ ଆସିଲା ପରେ ପୁଅ କୁ ରଖେ। ମୋନା ତାକୁ ଦିହିପରେ ବହୁତ୍ କଷ୍ଠରେ ରଖିଛି। ତା ନିଜ ପଢା ସହ ଛୁଆର ଦାୟିତ୍ୱ। ଗୋଟେ ଦିନ ସେ ପୁଅ କୁ ଖୁଆଇବାକୁ ଭୁଲିଯାଇଥିଲା ଟ୍ୟୁସନ୍ ଯିବା ଆଗରୁ, ସେଥିପାଇଁ ଗାଳିବି ଶୁଣିଥିଲା। ଗୋଟେ ଥର ତାକୁ ଗରମ କ୍ଷୀର ବି ପିଆଇ ଦେଇଥିଲୁ ଆମେ ଜାଣିପାରି ନଥିଲୁ। ତା ପାଟି ଫୋଟକା ହେଇଯାଇଥିଲା। ସେତେବେଳେ ଆମେ ମାନେ ବି ଏତେ ବଡ ହେଇଯାଇନଥିଲୁ । ମୁ ବି ତାକୁ କ୍ଷୀର ବିସ୍କୁଟ ଖୁଆଇଦିଏ।ବେଳେ ବେଳେ ସେ ଖାଇବନି ଯେ ହଇରାଣ କରିବ, ମୁଁ ଚିଡିକି ଥରେ ତା ମୁଣ୍ଡରେ ପାଣି ଢାଳିଦେଇଥିଲି, ଆଉ ପରେ ବୋଉ ଠୁ ଗାଳି ବି ଶୁଣିଥିଲି। ସାନ ଭଉଣୀ ଟା ବି ଛୋଟ ଥିଲା। ସାନ ଭଉଣୀ ଆଉ ଭାଇ ଭାରି ଜୋଡି। ଭାଇ ଧିରେ ଧିରେ ବଡ ହେଲା, ସ୍କୁଲ୍ ରେ କେ. ଜି.ରେ ଯେତେବେଳେ ଆଡ଼ମିସନ୍ ହେଲା ସେତେବେଳେ ମୁଁ ତାକୁ ସାଇକଲ୍ ପଛରେ ବସେଇକି ନେଇକି ସ୍କୁଲ୍ ରେ ଛାଡିକି ଆସେ। ମୋ ବାହାଘର ବେଳକୁ ତାକୁ ହେଇଥିଲା ମାତ୍ର ନଅବର୍ଷ। ଏବେ ମୋ ପୁଅ ଯୋଉ ବୟସର, ସେ ସେତେବେଳେ ସେଇ ବୟସର ହେଇଥିଲା। ମୁଁ ଏବେ ବି ଆଶୁ ଆଉ ମୋ ଭାଇ ଶିବୁନି ଭିତରେ କନଫ୍ୟୁଜ୍ ହୁଏ। କେତେବେଳେ ଆଶୁନି କୁ ଶିବୁନି କହିଦିଏ ଆଉ ଶିବୁନିକୁ ବେଳେବେଳେ ଆଶୁନି। ମୋ ଭାଇ ତ ମୋ ପୁଅ ଭଳିଆ।ତାର ସବୁ ଜନ୍ମଦିନ ଆମେ ଭଉଣୀ ମାନେ, ଆଉ ଆମମାନଙ୍କ ସ୍ୱାମୀ ମାନେ ସବୁ ମିଶିକି ମନଉ। ମୁଁ ଆଗରୁ ଥିଲି ଭୂବନେଶ୍ୱରରେ ମିଶିକି ମନଉଥିଲୁ, ଏବେ ମୁଁ ପାଖରେ ନାହିଁ କିନ୍ତୁ ମୋର ଆଶୀର୍ବାଦ ସବୁବେଳେ ତା ଉପରେ ଅଛି ଭଗବାନଙ୍କ ନିକଟରେ ତାର ଉଜ୍ୱଳ ଭବିଷ୍ୟତର କାମନା କରୁଛି । ତାର ମଙ୍ଗଳ ହଉ, ସେ ଦୀର୍ଘାୟୁ ହଉ ଆଉ ଗୋଟେ ଭଲ ମଣିଷ ଟେ ହଉ।
