Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

puspanjali das

Classics

2  

puspanjali das

Classics

ପ୍ରଥମାଷ୍ଟମି

ପ୍ରଥମାଷ୍ଟମି

5 mins
324


   ସେଦିନ ଆଶା ,ଶାଶୁ ଙ୍କ ସାଙ୍ଗରେ ମିଶି ସବୁକାମ ସାରି ଶୀଘ୍ର ଶୀଘ୍ର ତା'ବେଡରୁ୍ମ୍ କୁ ଚାଲିଆସିଥିଲା। ଯଦିଓ ସେ ବେଶିକିଛି କରିନଥିଲା, ତା'ଶାଶୁ ତାକୁ କିଛି କରାଇବାକୁ ଦେଇନଥିଲେ କହିଲେ ଅତ୍ୱୀକ୍ତି ହେବ ନାହିଁ,କିନ୍ତୁ ଆଶା ର ଅବଶ ମୁହଁଟିକୁ ଦେଖିଲେ ,ଲାଗୁଥିଲା ସତେ ଯେମିତି ପୁରା ଦିନ ଟି ଖଟି ଖଟି ହାଲିଆ ହୋଇଯାଇଛି! ଖଟ ଉପରେ ବସୁ ବସୁ ସାନ ନଣନ୍ଦ ର ଜନ୍ମଦିନ ର କାର୍ଡ ଟି ଉପରେ ତା'ର ଆଖି ପଡିଯାଇଥିଲା, ଯୋଉଟା ତା'ନଣନ୍ଦ ଭୁଲ ରେ ତା'ରୁମ ରେ ଛାଡ଼ି ଯାଇଥିଲେ, ଅବଶ ମୁହଁଟି ତା'ର ଆଉ ଟିକେ ମଳିନ ପଡିଯାଇଥିଲା,ହେଲେ ନିଜକୁ ସହଜ କରିନେଇ ଶୋଇବାକୁ ଚେଷ୍ଟା କରିଥିଲା। ବାହାଘରର ବର୍ଷଟିଏ ବି ନ ପୁରୁଣୁ ,ସମସ୍ତଙ୍କର ମନ କିଣି ନେଇସାରିଥିଲା,ସମସ୍ତେ ତାକୁ ସବୁବେଳେ ହସ ହସ ମୁହଁରେ ଦେଖିଛନ୍ତି, ସେଥିପାଇଁ, ସେଦିନ ତା ଶୁଖିଲା ମୁହଁ ର ଆଭାସ କାହାକୁ ହବାକୁ ନ ଦେବାକୁ ଚେଷ୍ଟା କରି ମଧ୍ୟ ଯେମିତି ଆଶା ଥକି ପଡୁଥିଲା। ସଙ୍କେତଙ୍କର  ଟୁର ରୁ ଫେରିବାର ଥାଇ ମଧ୍ୟ୍ୟ ଫେରି ପାରିନଥିଲେ। ତାଙ୍କର 'ସରି' ମେସେଜ ଟା ପାଇ ଥିଲେ ମଧ୍ୟ ସବୁଯାକ ଅଭିମାନ କେମିତି କେଜାଣି ତାଙ୍କରି ଉପରେ ଅଜାଡି ହୋଇ ପଡୁଥିଲା! ଘର ର ବଡ ପୁଅ ହୋଇ ସବୁବର୍ଷ ପ୍ରଥାମାଷ୍ଟମି ଦିନ ତାଙ୍କ ଉପସ୍ଥିତି କୁ ଶାଶୁ ଙ୍କ ଖୁସି କୁ ବଢ଼ାଇଥାଏ ବୋଲି ଶୁଣିଥିଲା, ହେଲେ ଏବର୍ଷ ଯେ ରହିପାରିବେନି,ଭାବି ପାରିନଥିଲା! ଅତିକମ ରେ ତାଙ୍କ ଉପସ୍ଥିତି ତ ତାକୁ ଟିକିଏ ଖୁସି ଦେଇପାରିଥାନ୍ତା! ଏମିତି ଭାବୁ ଭାବୁ କେତେ ବେଳେ ଆଖି ଲାଗିଯାଇଥିଲା ,ଜାଣିପାରିନଥିଲା।

              ହଠାତ୍ ବାହାରେ କବାଟରେ ଠକ୍ ଠକ୍ ଶବ୍ଦ ଶୁଣି ସାମାନ୍ୟ ଡ଼ରିଯାଇଥିଲା ଆଶା। ଏକୁଟିଆ ରାତିରେ ଶୋଇବା ଟା ତା'ପାଇଁ ଏକପ୍ରକାର ଦଣ୍ଡ ଥିଲା,ସେଥିରେ ପୁଣି ରାତି ଅଧ ରେ କିଏ ଡାକିବ, ଭାବିପାରୁନଥିଲା। ସନ୍ତର୍ପଣ ରେ ସାମାନ୍ୟ ଉଚ୍ଚ ସ୍ୱରରେ ପଚାରିଦେଇଥିଲା–କିଏ? ଉତ୍ତର ରେ ସାନ ନଣନ୍ଦ ର ପାଟି ଶୁଣି ସାମାନ୍ୟ ଆଶ୍ୱସ୍ତ ହୋଇଥିଲା ଓ କବାଟ ଟି ଖୋଲିଦେଇଥିଲା।

      ଏ କ'ଣ? ଘର ର ସମସ୍ତେ, ଶାଶୁ ,ଶ୍ୱଶୁର, ଓ ସଂକେତ ଙ୍କ ସାଙ୍ଗରେ ସାନ ନଣନ୍ଦ ,ହାତରେ ଗୋଟିଏ କେକ ଧରି ଠିଆ ହୋଇ ଛନ୍ତି! ସମସ୍ତଙ୍କ ମୁହଁ ରୁ ଏକା ସାଙ୍ଗରେ ବାହାରି ଆସିଥିଲା–ହାପି ବାର୍ଥ ଡେ ଟୁ ୟୁ କାନ୍ଥ ଘଣ୍ଟା ରେ ସେତେବେଳେ ରାତି ବାରଟା ସୁଚାଉ ଥିଲା। ନିଜ ଆଖି ଓ କାନ କୁ ବିଶ୍ୱାସ କରିପାରୁନଥିଲା ଆଶା ଘର ଭିତରକୁ ସମସ୍ତେ ପସିଆସିଥିଲେ, ଓ ଜନ୍ମଦିନ ର କେକ ସାଙ୍ଗରେ ଆନୁସଙ୍ଗିକ ସବୁ ଆସିଯାଇ ଥିଲା,ଖୁସି ରେ ଖୁସିରେ କେକ ବି କଟା ହୋଇଗଲା,ହେଲେ ଆଶା ଯେମିତି ସେ ସରପ୍ରାଇଜ ଭିତରୁ ନିଜକୁ ମୁକୁଳେଇ ପାରୁନଥିଲା। ଯଦିଓ ଖୁସି ହେଉଥିଲା, କିନ୍ତୁ ଆଶଙ୍କା ର ବାଦଲ ଟା ଯେମିତି ତା'ମୁହଁରେ ଢାଙ୍କି ହୋଇ ଯାଉଥିଲା। ଜୀବନ ର ଚବିଶ ଟି ବସନ୍ତ କଟାଇ ସାରିଥିଲେ ବି କେବେ ଜନ୍ମଦିନ ଟିକୁ ପାଳନ କରିପାରିନଥିଲା,ସେଥିପାଇଁ ସେ ନିଜକୁ ଛୁଆଟି ବେଳୁ ପ୍ରସ୍ତୁତ କରି ନେଇଥିଲା ଯେମିତି!!

    ରାତିରେ ସମସ୍ତ ଙ୍କର ମୁଡ୍ ଖରାପ ନ କରିବା ପାଇଁ ଆଶା କିଛି କହିପାରିନଥିଲା,ହେଲେ,ଆତୁରତାରେ ସକାଳ ର ସୂର୍ଯ୍ୟ କୁ ଅପେକ୍ଷା କରି ରାତିଟି କଟାଇଦେଇଥିଲା। କେମିତି କ'ଣ କହିବ କିଛି ଚିନ୍ତା କରିପାରୁନଥିଲା। ସକାଳ ର ସୂର୍ଯ୍ୟ ଉଇଁବା ସାଙ୍ଗରେ ସବୁକିଛି ପୂର୍ଵ ଭଳି ଚାଲିଥିଲା,ହେଲେ ଆଶଙ୍କା ର ଘେର ଭିତରେ ଆଶା ଯେମିତି ଛନ୍ଦି ହୋଇପଡୁଥିଲା। ଦିନ ଆଠ ଟା ବେଳେ ବୋଉ ର ଫୋନ ପ୍ରାୟ ସବୁଦିନ ଭଳି ଆସିଯାଇଥିଲା, ହେଲେ ଆଶା ର ସ୍ୱର ର କମ୍ପନ ରେ ବୋଉ ମଧ୍ୟ ସାମାନ୍ୟ ବିଚଳିତ ହୋଇଯାଇଥିଲା,ଯଦିଓ ଆଶା କେବଳ ବଡ଼ ଭାଇ ଙ୍କୁ ଶୁଭ କାମନା ଜଣାଇଦେବାକୁ କହି,ଠିକ ଅଛନ୍ତି ବୋଲି ଜାଣି ଫୋନ ରଖିଦେଇଥିଲା। ପୁରା ଦିନଟି ପ୍ରଥମାଷ୍ଟମି ର ପିଠାପଣା ,ଖିଆ ପିଆ ଓ ପଡିଶା ଘରକୁ ଦବାନବା ରେ କେତେବେଳେ ଯେ ସଞ୍ଜ ହୋଇଯାଇଥିଲା,ଜାଣିପାରିନଥିଲା। ମନରେ ଯାହା ଥିଲେ ବି ଶାଶୁ ଙ୍କ ଅନୁରୋଧ ରେ ନୂଆ ଲୁଗାଟିଏ ପିନ୍ଧିବା କୁ ବାଧ୍ୟ ହୋଇଥିଲା,ଯୋଉଟା ତା'ଶାଶୁ ଘର ଚଳଣି ଅନୁସାରେ,ବଡ ପୁଅ ସାଙ୍ଗରେ ବୋହୁ ମଧ୍ୟ ପୋଢ଼ୁଆଁ ହୁଏ। ବାହାଘର ପରେ ପ୍ରଥମ କରି ତା'ଜନ୍ମ ଦିନ ଟିକୁ ପାଳନ କରିବାକୁ ତା' ଶାଶୁଘର ଲୋକ ଯେମିତି ଖୁବ୍ ତତ୍ପର ଥିଲେ,ତାକୁ କିଛି ନ କରାଇଦେଇ ,ସବୁ କରିଚାଲିଥିଲେ। ତଥାପି କାହିଁକି କେଜାଣି ଆଶା ର ଅନୁରୂପ ଖୁସି ଅନୁଭବ କରି ନ ପାରି ଶାଶୁ ତା ର ବ୍ୟସ୍ତ ହୋଇ ପଡୁଥିଲେ।

           ସନ୍ଧ୍ୟା ଦେଇସାରି ଠାକୁର ଘରୁ ବାହାରି ଆସୁ ଆସୁ ଆଶା ଦେଖିପକାଇଥିଲା ଯେ ,ତାର ପୁରା ପରିବାର,କେବଳ ବଡ ଭାଇକୁ ଛାଡି,ବାପା,ବୋଉ, ଓ ଭାଉଜ ଙ୍କୁ ତାଙ୍କ ଡାଇନିଂ ସ୍ପେସ ରେ ବସି ଗପ କରିବାର। ଅଚାନକ ସେମାନଙ୍କୁ ଦେଖି ସାମାନ୍ୟ ଅପ୍ରସ୍ତୁତ ହୋଇଯାଇଥିଲେ ମଧ୍ୟ ,ପାଖକୁ ଚାଲିଯାଇଥିଲା,ହେଲେ ଯେତେ ଚେଷ୍ଟା କଲେ ମଧ୍ୟ ସହଜ ହୋଇ ପାରୁନଥିଲା। ବୋଉ ଆଶା କୁ ଦେଖିପକାଇ,ସାଙ୍ଗେ ସାଙ୍ଗ ତା'ପାଖକୁ ଉଠିଯାଇଥିଲା, ଓ ଧୀରେ କରି କହିପକାଇଥିଲା–ତୁ କ'ଣ କହିନୁ ତୋ ଶାଶୁଘରେ ତୋର ଜନ୍ମଦିନ,ପ୍ରଥମାଷ୍ଟମି ଦିନ ବୋଲି କେବେ ପାଳି ହୁଏନି ? ଏତକ କଥାରେ ଆଶା ର ମନ ଭିତରେ ଥିବା ଡର ଟା ଯେମିତି ଭିଡିମୋଡ଼ି ହୋଇ ବାହାରକୁ ଚାଲି ଆସିଥିଲା,ସାଙ୍ଗେ ସାଙ୍ଗ ପଚାରିଦେଇଥିଲା-ଭାଇ କାହାନ୍ତି? ଆସିନାହାନ୍ତି ତ? ବୋଉ ର ମୁହଁ ଟା ଆଉ ଟିକେ ମଳିନ ପଡିଯାଇଥିଲା, ଧୀରେକରି କହିଥିଲା–ନାଁ,ତାର କ'ଣ କାମ ରେ ଯାଇଛି,ଆମେ ଯିବା ପୂର୍ବରୁ ଆସିଯିବ ବୋଲି କହିଛି। ବହୁତ ଡର ଲାଗୁଛି ଆଶା,ତୁ ତ ଜାଣିଛୁ ଆମ ଘର କଥା,ନୂଆ କାହିଁକି ପିନ୍ଧିଲୁ?

          ଏଥରକ ଆଶା ର ଶାଶୁ ଉଠିଆସିଥିଲେ ପାଖକୁ,ହୁଏତ କିଛିଟା ଶୁଣିପାରିଥିଲେ। ପାଖରେ ଛିଡା ହୋଇ କହିଦେଇଥିଲେ,ଚାଲନ୍ତୁ ,ମୋ ରୁମ୍ କୁ ଯିବା,ଆପଣଙ୍କ ସାଙ୍ଗରେ ଟିକେ କଥା ଥିଲା। ଆଶା କୁ ସାଙ୍ଗରେ ଧରି ବୋଉ କୁ ଡାକିନେଇ,ଶାଶୁ ଚାଲିଆସିଥିଲେ ତାଙ୍କ ରୁମକୁ, ଯୋଉଠି ବସି ସବୁ ବୋଉ ଠାରୁ ଶୁଣିଥିଲେ ଯେ ,କେମିତି ଅଶାର ଜନ୍ମ ପ୍ରଥମାଷ୍ଟମି ଦିନ ହୋଇଥିବାରୁ ଓ ତାଙ୍କ ଘର ର ନୀତି ନିୟମ ଅନୁସାରେ ,ବଡ ଛଡା ,ଅନ୍ୟ କେହି ସେଦିନ ନୂଆ ପିନ୍ଧିପାରିବେନି,ବଡ ର ଅମଙ୍ଗଳ ନ ହେବା ପାଇଁ। ତା'ଛଡା ଆଶା ର ଜନ୍ମ ତାରିଖ ଟା ବି ତା'ଜେଜେ ଙ୍କର ଶ୍ରାଦ୍ଧ ଦିନ ଯୋଗୁଁ, ତାର କୌଣସି ଉପାୟରେ ଜନ୍ମଦିନ ପାଳି ହୋଇପାରେ ନାହିଁ। ଯଦିଓ ,ଏତେ ପାଠ ପଢି ଚାକିରୀ କରିଛନ୍ତି ନିଜେ ,କିନ୍ତୁ କେମିତି କେଜାଣି ସେ ଅନ୍ଧବିଶ୍ୱାସ ରେ ବାନ୍ଧି ହୋଇଯାଇଥିଲେ,ଯେତେବେଳେ ପ୍ରଥମ ବର୍ଷ ଆଶା ର ଜନ୍ମ ଦିନ ସମସ୍ତ ଙ୍କ ର ଇଚ୍ଛା ବିରୁଦ୍ଧରେ କରିକି ,ପୁଅକୁ ଦିନସାରା ହାଇ ଫିଭର ରେ ଦେଖିଥିଲେ। ସେଇଦିନଠାରୁ ଆଶା ର ଜନ୍ମଦିନ ଆଉ କେବେ କରିବାକୁ ସାହସ କରିନଥିଲେ।

               ଆଶା କୁ ମୁଣ୍ଡ ନୁଆଇଁ ସବୁକିଛି ଚୁପଚାପ ହୋଇ ଦୋଷୀଟିଏ ଭଳି ଶୁଣିଯିବା ଅବସ୍ଥା ଦେଖି ତା'ଶାଶୁ ସଙ୍ଗେ ସଙ୍ଗେ କହିପକାଇଥିଲେ–ସଂକେତ ମତେ କିଛିଟା କହିଥିଲା, ଆପଣଙ୍କ ଘରେ ଆଶା ର ଜନ୍ମଦିନ ପାଳନ ହୁଏନି ବୋଲି,ହେଲେ ଏତେବର୍ଷ ହେଲାଣି, ଆପଣ ସେଇ ଡର ଟା ଯେ coincidence ହୋଇଥାଇପା ରେ ଭାବି ପାରିଲେନି ଥରେ ହେଲେ? ତା'ଛଡା ,ଆମ ଘରେ ତ ବଡ ପୁଅ ସାଙ୍ଗରେ ବୋହୁ ବି ପୋଢ଼ୁଆଁ ହୁଏ,ନୂଆ ଲୁଗା ପିନ୍ଧା ଯାଏ। ଆପଣ ଏତେ ଡରୁଛନ୍ତି କାହିଁକି? କିଛି ହବନି,ଏସବୁ କେବଳ ମନର ଭ୍ରମ,'ଅନ୍ଧ ବିଶ୍ୱାସ'! ଯଦିଓ ଆଶା କି ତା'ବୋଉ କିଛି ଉତ୍ତର ଦେଇ ପାରିନଥିଲେ,ତଥାପି, କେମିତି କେଜାଣି କୋଉ ଆଶଙ୍କା ରେ ବ୍ୟସ୍ତ ହୋଇ ପଡ଼ିଥିଲେ।

        ରାତ୍ରୀର ଭୋଜନ ଅପେକ୍ଷା ରେ ଥିବା ବେଳେ ,ଆଶା ର ବଡଭାଇ ଆସି ପହଞ୍ଚି ଯାଇଥିଲେ ନିର୍ଦ୍ଧାରିତ ସମୟ ରେ ଓ ହସଖୁସିରେ ପ୍ରଥମାଷ୍ଟମି ର ଏଣ୍ଡୁରିପିଠା ସାଙ୍ଗରେ ଆଶା ର ଜନ୍ମଦିନ ର ସ୍ପେସିଆଲ ଆଇଟମ ସବୁ ର ପରସା ହୋଇଯାଇଥିଲା, ସବୁକିଛି ଖୁବ୍ ସହଜ ଭାବରେ ଚାଲିଥିବା ସତ୍ତ୍ୱେ ଆଶା ର ଆଶଙ୍କା ବି ଯେମିତି ସାମାନ୍ୟ କମିଯାଇଥିଲେ ବି ସମ୍ପୂର୍ଣ୍ଣ ରୂପେ ମୁହଁରୁ ଲିଭି ପାରିନଥିଲା।

    ଗାଡ଼ିରେ ବସି,ଆଶା ର ପରିବାର ବିଦାୟ ନେଲାବେଳେ,ଆଶା ଚୁପକରି ବୋଉକୁ କହିପକାଇଥିଲା–ଘରେ ପହଞ୍ଚି, ଫୋନ ରେ ଟିକେ ଜଣାଇବୁ। ଏତକ ହୁଏତ ସଙ୍କେତ ଶୁଣିପାରିଥିଲେ,ନିଜ ରୁମ୍ ଭିରରକୁ ପସୁ ପସୁ କହିପକାଇଥିଲେ–ପୁରା ଦିନଟି ଭଲରେ କଟିଲା,ତଥାପି ତମ ଡର ଯାଉନି? ଭାଇ ତ ଦିନସାରା ଠିକ ଅଛନ୍ତି, ଏବେ ଅଳ୍ପ ସମୟ ରେ ଘରେ ପହଞ୍ଚି ଯିବେ! ଆଶା ର କିନ୍ତୁ ଆଖି ଟା ବାରମ୍ବାର ଫୋନ ଟି ଆଡକୁ ଚାଲିଯାଉଥିଲା ,ଯେମିତି ନିଶ୍ଚିତତା କୁ ଅନେକ ଉତ୍କଣ୍ଠା ନେଇ ଅପେକ୍ଷା କରିଛି! ସମୟ ଯେତିକି ଯେତିକି ଆଗଉଥିଲା,ଆଶା ର ଉଦବେଗ ସେତିକି ସେତିକି ବଢିଚାଲିଥିଲା। ଦୀର୍ଘ ଚବିଶ ବର୍ଷ ର ଡର ଟା ଯେମିତି ମାଡିବସୁଥିଲା! ସବୁ ପାଠପଢା,ଯୁକ୍ତି ଯେମିତି ଫିକା ହୋଇଯାଉଥିଲା। ବୋଉ ର ଫୋନ ଆସିବା ର ସମୟ ଗଡି ଚାଲିବା ସାଙ୍ଗରେ ଅଶାର ଉଦବେଗ ବଢିଚାଲିଥିଲା ଫୋନ ପାଖରୁ ନିରାଶ ହେବାକୁ ବସିଲା ବେଳେ,ଶାଶୁ ତା'ର ତାଙ୍କ ଫୋନ ରେ କଥା ହୋଇ ହୋଇ ପସିଆସିଥିଲେ ଓ ତା'ହାତ କୁ ଫୋନ ଟି ବଢ଼ାଇ ଦେଇ କହିଥିଲେ–ନେ,ତୋ ବୋଉ ଙ୍କ ଫୋନ,ତୋ ଫୋନ ନ ଲାଗିବାରୁ ମତେ ଫୋନ କରି ଜଣାଇଲେ ଯେ ସେମାନେ ଭଲରେ ପହଞ୍ଚି ଗଲେ,କଥା ହେଇ ଯା। ଏତିକି କଥାରେ ଆଶା ଯେମିତି ସବୁ ଆଶଙ୍କା ରୁ ମୁକୁଳି ଯାଇଥିଲା, ବୋଉ ର ପଛପଟୁ ତା'ବଡ଼ ଭାଇ ଙ୍କର କଥା ମଧ୍ୟ ସ୍ପଷ୍ଟ ଶୁଣିପାରୁଥିଲା–ଏଥର ସବୁ ବର୍ଷ ତୋ ଜନ୍ମଦିନ ଖୁସି ଖୁସି ପାଳିବୁ। ମୁଁ ପୁରା ଠିକ ଅଛି। ସତରେ ଏତେ ପାଠ ପଢି ମଧ୍ୟ ଏତେବର୍ଷ ହେବ କେମିତି ସିଏ ସେଇ ଅନ୍ଧବିଶ୍ୱାସ ରେ ବାନ୍ଧି ହୋଇଯାଇଥିଲା ଭାବିପରୁନଥିଲା! ହୁଏତ ସେଇଟା ତା'ଭାଇ ପ୍ରତି ନିବିଡ ସ୍ନେହ ର ପରାକାଷ୍ଠା ଥିଲା! ମନ ଭିତରେ ସଙ୍କେତ ଙ୍କ କଥା କେଇପଦ ବାରମ୍ବାର ଶୁଭିଯାଉଥିଲା–ସବୁ ଅନ୍ଧବିଶ୍ୱାସ! ଆଶା ର ଆଖି ସଂକେତ ଙ୍କ ଉପରକୁ ଉଠିଯାଇଥିଲା, ସେତେବେଳେ ତାଙ୍କ ସ୍ମିତହାସ୍ୟ ଯେମିତି ତା'ର ଅନ୍ତର ର ସ୍ବୀକାରୋକ୍ତି କୁ ଅନୁମୋଦନ ଦେଉଥିଲା।  



Rate this content
Log in

More oriya story from puspanjali das

Similar oriya story from Classics