ପ୍ରଥମ ପ୍ରେମର ଶେଷ ଚିଠି
ପ୍ରଥମ ପ୍ରେମର ଶେଷ ଚିଠି


ଦୁଇ ବନ୍ଧୁ ବିଜୟ ଓ ସୌମ୍ୟ ।ଖୁବ ନିବିଡ଼ ବନ୍ଧୁତ୍ୱ।ଦୁହେଁ ଦୁଇ ଭାଇ କହିଲେ ଚଳେ।ସେଦିନ ସୌମ୍ୟ ଘରେ କେହି ନାହାନ୍ତି ଏକା ସୌମ୍ୟ। ବିଜୟ ଆସିଲା ସୌମ୍ୟ ପାଖକୁ ରହିବାକୁ । ଜୀବନର ସବୁ ରହସ୍ୟ ସୌମ୍ୟ କହିଥିଲା ବିଜୟକୁ । ମାତ୍ର କହିନଥିଲା ନିଜର ପ୍ରେମ କାହାଣୀକୁ।
ସେଦିନ ଏମିତି କିଛି କାଗଜପତ୍ର ଖେଳାଉ ଖେଳାଉ ବିଜୟର ନଜର ପଡିଲା ଏକ ଲଫାପା ଉପରେ। ଯାଇ ସାଙ୍ଗକୁ ପଚାରିଲା ସୌମ୍ୟ ଏଇଟା କଣ ଆଉ ଆଇ ଚିଠିଟା କିଏ କାହା ପାଇଁ ଲେଖିଥିଲା । ସୌମ୍ୟ ତାକୁ କହିଲା,"ଆଜକୁ ପ୍ରାୟ ୨୫ବର୍ଷ ହେବ ମୁଁ ସାଇତି ରଖିଛି ଏଇ ସାଧାରଣ ଲଫାପା ଖଣ୍ଡକୁ। ନା' ନା.. ଏଇଟା ସାଧାରଣ ନୁହଁ ମୋ ପାଇଁ ଖୁବ ମୂଲ୍ୟବାନ।ସେଇଟା ପରା ମୋ ପ୍ରେମର ଶେଷ ଚିଠି । ଆଜକୁ ପ୍ରାୟ ୨୫ ବର୍ଷ ତଳେ ମୋ ପ୍ରେମିକା ମୋ ପାଖକୁ ଲେଖିଥିଲା । ଆଉ ସେ ଚିଠିରେ ଲେଖାଯାଇଥିଲା-
"ଏ ପ୍ରିୟ ନିଜର ଯତ୍ନ ନେବ । ମୋତେ ଭୁଲ ବୁଝିବିନି । ବୋଧହୁଏ ଆମ ମିଳନ ମୋ ଭାଗ୍ୟରେ ନାହିଁ। ମୁଁ ଚାଲି ଯାଉଛ ଅନେକ ଦୂରକୁ । ପାରିବ ଯଦି ମୋତେ ଭୁଲିଯିବ । ମୋ ବିଚ୍ଛେଦରେ କିଛି ଭୁଲ କରିବସିବିନି । ଠିକ ସମୟରେ ଖାଇବା ପିଇବା କରିବ। ତୁମ ବାପା/ବୋଉଙ୍କ ସ୍ବପ୍ନ ପୁରା କରିବ। ମୋ ଚିନ୍ତା କରିବନି। ତୁମକୁ ମୋ ରାଣ ମୋତେ ଭୁଲି ଆଉ ଜଣଙ୍କ ସହ ସୁଖରେ ସଂସାର କରିବ । ଭଲ ଚାକିରୀଟିଏ କରିବ ଓ ଗୋଟେ ଭଲ ଘର କରିବ। ବାପା/ବୋଉଙ୍କର ଦୁଃଖ ଦୂର କରିବ।ତାଙ୍କ ମନରେ କେବେ ଦୁଃଖ ଦେବନି।
ପ୍ରକୃତରେ ମୁଁ ତୁମକୁ ଗୋଟେ କଥା ଲୁଚେଇଥିଲି । ମୁଁ କ୍ୟାନ୍ସର ସହ ସଂଘର୍ଷ କରୁଥିଲି । ତୁମକୁ କହିଥିଲେ କାଳେ ତୁମେ ଧର୍ଯ୍ୟହରା ହେବ ତେଣୁ ଲୁଚାଉଥିଲି। ପାରିବ ଯଦି ମୋତେ କ୍ଷମା କରିଦେବ । ଦେହର ଯତ୍ନ ନେବ,ମୋତେ ଝୁରିବନି।ଆଉ କିଛି ସମୟ ପରେ ମୁଁ ଚାଲିଯିବି ।ଯଦି ପାରିବ ମୋର ସବୁ ସ୍ମୃତି ତୁମ ମାନସପଟରୁ ଲିଭେଇଦବ। ବୋଧହୁଏ ତୁମକୁ ଏମିତି ଅଧାରାସ୍ତରେ ଛାଡି ଯିବାଟା ଈଶ୍ୱରଙ୍କ ଇଚ୍ଛା ଥିଲା।
ତୁମ ଭବିଷ୍ୟତ ତୁମକୁ ଲାଗିଲା।ମୋ କଥା ଚିନ୍ତା କରିବନି,ମନେ ପକାଇବନି।
।ଇତି।
ତୁମ ଅଭାଗିନୀ ପ୍ରିୟା
ମୋ ପ୍ରିୟାର ଶେଷ ଚିଠିକୁ ମୁଁ ପଢ଼ିଥିଲି ଦୀର୍ଘ ୨୫ ବର୍ଷ ତଳେ। ତାପରେ ପଢିବାକୁ ବୋଧହୁଏ ମୋର ସାହସ ନାହିଁ ବା ଧର୍ଯ୍ୟ ନାହିଁ। ସେଦିନ ଏହି ଚିଠି ମୋ ଆଖିର ସବୁ ଲୁହକୁ ସୁଖାଇଦେଇଥିଲା । ତାର ପ୍ରତିଟି କଥାକୁ ମୁଁ ଅକ୍ଷରେ ଅକ୍ଷରେ ପାଳନ କଲି। କେବଳ ତାକୁ ଛାଡି ଜୀବନରେ ସବୁ କିଛି ପାଇଗଲି -ଭଲ ଚାକିରୀ,ଭଲ ଘର,ଭଲ ସ୍ତ୍ରୀ,ଭଲ ପୁଅ ।
ତା କଥା ଅନୁସାରେ ତାର ସବୁ ସ୍ମୃତିକୁ ମୁଁ ଲିଭେଇ ଦେଇଛି ମୋ ମାନସପଟରୁ ,ନଷ୍ଟ କରିଦେଇଛି ସବୁ ସନ୍ତକକୁ । ମାତ୍ର ହଜେଇ ପାରିଲିଣି ତାର ଶେଷ ଚିଠିକୁ,ଜାଳି ପାରିଲିନି ତାର ଏକମାତ୍ର ଫଟୋକୁ ଯାହା ଏବେବି ମୋ ଡାଏରୀର ମଲାଟ ତଳେ ସାଇତି ହୋଇରହିଛି। ମାତ୍ର ତାକୁ ମୁଁ ମୋ ସାଇତା ସ୍ମୃତି କରିଦେଇଛି ଯାହାକୁ ଦେଖିବା ମୋ ପକ୍ଷେ ସମ୍ଭବପର ନୁହଁ।
ଆଜିବି ସେ ମୋ ହୃଦୟର ସେତିକି ସ୍ଥାନରେ ଅଛି ଆଗରୁ ଯେତିକି ସ୍ଥାନର ଅଧିକାରୀ ଥିଲା।ଆଜିବି ତା ବିଚ୍ଛେଦ ମୋତେ ପ୍ରତି ମୁହୂର୍ତ୍ତରେ କଷ୍ଟ ଦିଏ।