ଯୌତୁକ ଜୁଇରେ ରାଧା
ଯୌତୁକ ଜୁଇରେ ରାଧା
ମଧ୍ୟବିତ୍ତ ପରିବାରର ଝିଅ ରାଧା,ମାଆ ଛେଉଣ୍ଡ।ବୟସ ପ୍ରାୟ ଷୋହଳ କି ସତର।ଦେଖିବାକୁ ସୁନ୍ଦର।ଦେହରେ ଯୌବନର ଛିଟା ଲାଗିବା ଆଗରୁ ଲାଗିଥିଲା ହଳଦୀର ରଙ୍ଗ।ବୟସଟାକୁ ମନଭରି ଉପଭୋଗ କରିବା ଆଗରୁ ବିବାହ ବନ୍ଧନରେ ବାନ୍ଧିହୋଇଯାଇଥିଲା ରାଧା।ମନ ଖୋଲି ଦିଖିବା ଆଗରୁ ସ୍ବପ୍ନ ସବୁକୁ ସଂସାର ନାମକ ବେଡିରେ ବାନ୍ଧିଦିଆଯାଇଥିଲା।ଚଗଲା ବୟସରେ ଖେଳକୁଦ କରିବା ଆଗରୁ ସମୟ ତାସହ ଖେଳିଦେଇଥିଲା ସଂସାରର ଖେଳ।ହସି ଖେଳି ଯେଉଁ ସମୟଟାକୁ ବିତେଇଥାନ୍ତା ସେଇ ସମୟରେ ସମ୍ଭାଳିବାକୁ ପଡିଲା ତାକୁ ସଂସାର।
ମାତ୍ର ଷୋହଳ ବର୍ଷ ବୟସରେ ହିଁ ବିବାହ ହୋଇଯାଇଥିଲା ରାଧାର।ବାପା ତାର ଖୁବ ଧନୀ ନହେଲେ ବି ଚୌକିଦାର କରି ଯେଉଁ କିଛିବି ଟଙ୍କା ରଖିଥିଲେ ସବୁ ଗଲା ରାଧାର ବାହାଘରରେ।ରାଧା ଟିକେ ସୁନ୍ଦରୀ ବୋଲି ତାକୁ ବଡ଼ ଘର ମିଳିଗଲା।ବିବାହ ଖୁବ ଧୁମଧାମରେ ହେଲା।ବନ୍ଧୁବାନ୍ଧବ ,ଖାନାପିନା ସବୁ ଭଲରେ ହେଲା।ବରଯାତ୍ରୀ ଖୁବ ମନ ଖୁସିରେ ଗଲେ।
ବିବାହ ପରି ଚତୁର୍ଥୀ ମଧ୍ୟ ଭଲରେ ହେଲା।ଘରର ନୂଆ ବୋହୂ ରାଧା ଖୁବ କମିକା ଝିଅ।ସବୁ କାମ ଭଲରେ କରେ।
ଚନ୍ଦ୍ରରେ କଳଙ୍କ ଥିବାପରି ବିବାହ କାର୍ଯ୍ୟରେ ସବୁ ଭଲ ଥିବାବେଳେ ସୃଷ୍ଟି ହେଲା ନୂଆ ଝଡ଼।ରାଧାର ଶାଶୁ ସ୍ୱପ୍ନାବତୀ ଦେବି ସହଜେ ବୁଝିବା ଲୋକ ନୁହଁ।ଯୌତୁକ କାହିଁକି ଆସିଲାନାହଁ ତାକୁ ନେଇ ଗୋଟେ ବିଭ୍ରାଟ ସୃଷ୍ଟି କଲେ।
ସେତେବେଳକୁ ରାଧାର ଶ୍ୱଶୁର ଅର୍ଥାତ ରାଧାନାଥ ବାବୁ ସହରକୁ ଚାଲିଗଲେଣି ଏ କଥାର ସମାଧାନ କରିବ କିଏ?ଏଥର ରାଧାର ବେଳ ଖରାପ।ନାନା କଷ୍ଟ,ଦୁଃଖ ଆଦିକୁ ମୁଣ୍ଡରେ ମୁଣ୍ଡେଇବାକୁ ପଡିଲା ରାଧାକୁ।ଯେତେ ଭଲ ରୋଷେଇ ହେଲେବି ଲୁଣିଆ,ପୋଡା, ଅଲଣା ଆଦି ତୁଚ୍ଛା ଅପମାନକୁ ସହିବାକୁ ପଡିଲା ରାଧାକୁ।ଏବିଷୟରେ ରାଧା ସମରେଶଙ୍କୁ ଅର୍ଥାତ ରାଧାର ସ୍ଵାମୀକୁ କହିଲା ସେ ମଣିବାକୁ ନାରାଜ କାରଣ ତା ମାଆ ଏପରି ନିଛ କାମ କରିନଥିବେ ବୋଲି ତା ଧାରଣା।
ଏମିତି ଦିନପରେ ଦିନ ବିତିଚାଲିଥାଏ ଯୌତୁକ ଯାତନା ମଧ୍ୟ ବଢିବଢି ଚାଲିଥାଏ।ସେଦିନ ସବୁ ସୀମାକୁ ଲଙ୍ଘିଦେଲେ ସ୍ଵପ୍ନାବତୀ ଦେବୀ।ଘରକୁ ଆସିଥିବା ମାଛକୁ ବିଲେଇ ଭୁଲରେ ଖାଇଲା କିନ୍ତୁ ଦୋଷ ଗଲା ରାଧା ଉପରକୁ, ବିଲେଇ କାହିଁକି କାମୁଡ଼ିଲା ପ୍ରଶ୍ନ କରି ସ୍ୱପ୍ନାବତୀ ଦେବୀ ରାଧା ଗୋଡ଼ରେ ଦେଲେ ନିଆଁଖୁଣ୍ଟାର ଚେଙ୍କ।ଏ ବିଚାରୀ ବା କରିବ କଣ?ଦୁଃଖତ ତା ଭାଗ୍ୟରେ ଲେଖା।ଏମିତିରେ ବି ସମରେଶ ଘରେ ନାହିଁ କିଛି କାମରେ ଦୁବାଇ ମାସେ ପାଇଁ ଯାଇଛି।ଘରେ ଖାଲି ସ୍ୱପ୍ନାବତୀ ଦେବୀ ଆଉ ରାଧା।ଏ ଦୁଃଖ ରାଧା କହିବ କାହାକୁ।ସବୁ ଦୁଃଖକୁ ଚାପିରଖିଲା ହୃଦୟରେ।
>
କିଛି ଦିନପରେ ରାଧାର ବାପା ଅପୂର୍ବ ବାବୁ ଝିଅ ଘରକୁ ବୁଲିବାକୁ।ତା ପୂର୍ବରୁ ସ୍ୱପ୍ନାବତୀ ଦେବୀଙ୍କର କଡା ତାଗିତ ଯଦି ରାଧା ମୁହଁ ଖୋଲେ ତେବେ ତା ବେଳ ଖରାପ।ବାପା ଆସିଲେ ସମୁଦୁଣୀଙ୍କ ସହ କଥା ହେଲେ ଝିଅ ସହ କଥା ହେଲେ ।ଝିଅକୁ ଦେଖି ଅପୂର୍ବ ବାବୁ କହିଲେ,"କିରେ ମାଆ ଖାଆ ପିଇ କରୁନୁ କି?କଳା କାଠ ପଡ଼ିଗଲୁଣି"।ହେଲେ ରାଧା କଥା ଭୁଲେଇ ଦେଲା ।ଏପଟେ ସ୍ୱପ୍ନାବତୀ ଦେବୀ ଯୌତୁକ କଥା କହିପାରୁ ନାହାନ୍ତି କି ରହି ପାରୁନାହାନ୍ତି।
ଏମିତି ଦିନେ ରାଧା ଆଉ ଅପୂର୍ବ ବାବୁ କଥା ହଉହଉ ରାଧା ଅପୂର୍ବ ବାବୁଙ୍କୁ କହିଲା ବାପା ମୋ ଶାଶୂଘର ଲୋକ ଯୌତୁକ ଇଚ୍ଛା କରିଛନ୍ତି ,ତୁମେ କିଛି ବନ୍ଦୋବସ୍ତ କର।
ଏତକ ଶୁଣି ଅପୂର୍ବ ବାବୁଙ୍କ ମୁଣ୍ଡରେ ପଡିଲା ଚଡକ।ସେ ରାଧାକୁ କହିଲେ ,"ଦେଖ ମାଆ ତୁତ ମୋ ପରିସ୍ଥିତି ଜାଣିଛୁ, ଯେତେ ସଂଚିକି ରଖିଥିଲି ସବୁତ ତ ବାହାଘରରେ ଗଲା।ଏବେ ମୁଁ ଆଣିବି କେଉଁଠୁ?
ବିଚାରି ରାଧା ମୁଣ୍ଡରେ ପଡିଲା ବିଶାଳ ଚିନ୍ତା।ସେ ଏକୂଳର ହେଲାଣି କି ଏକୂଳର ହେଲାଣି।ବିଚାରି କରିବତ କରିବ କଣ?ଏଣେ ଅତ୍ୟାଚାର ସହିସହି ଅଧର୍ଯ୍ୟ ହେଇଗଲାଣି।ବିଚାରିର ହାଲତ ପୁରା ଖରାପ, ଏଣେ ଦିନକୁ ଦିନ ଅତ୍ୟାଚାର ବଢ଼ିବାରେ ଲାଗିଛି।
ସେଦିନ ଗୁରୁବାର ଦିନକ ପରେ ରାଧନାଥ ବାବୁ ଆଉ ସମରେଶ ଘରକୁ ଫେରିବେ।ରାଧା ତାଙ୍କ ପାଇଁ ଭଲ ରୋଷେଇ କରିବାକୁ ଚିଠା ଚାକରକୁ ଦେବାବେଳେ ନଜର ପଡିଲା ସ୍ୱପ୍ନାବତୀ ଦେବୀଙ୍କର।ଖୁବ କଟୁକଥା କହିଲେ ସ୍ୱପ୍ନାବତୀ ଦେବୀ।ଆଉ ନିସ୍ତୁକ ମାଡ଼ ମାରି ଦରମରା କରିଦେଲେ ରାଧାକୁ।ଦିନ ସାରା ବିଚାରି କାନ୍ଦି କାନ୍ଦି ବିତେଇଲା।
ତାପର ଦିନ ସମରେଶ ଓ ରାଧନାଥ ବାବୁଙ୍କ ଗାଡ଼ି ଲାଗିଲା ବଙ୍ଗଳାରେ ।ଗାଡିରୁ ପାଦ କାଢ଼ନ୍ତି ତ ଘର ଆଗରେ ଲୋକଙ୍କ ଭିଡ଼।ପଚାରି ବୁଝନ୍ତି ତ ଉତ୍ତର ମିଳିଲା ରାଧା ଆଉ ନାହିଁ।ନିଜକୁ ଫାଶୀ ଦେଇ ହତ୍ୟା କରିଦେଇଛି ରାଧା।ଦୁହେଁ ଯାଇ ଶବ ପାଖରେ ଦେଖନ୍ତିତ ବାତ୍ୟାରେ ପିଟିଦେଇଥିବା ଭୂମି ଶୂନ୍ୟ ଥୁଣ୍ଟା ଗଛଟେ ପରି ପଡିଛି ରାଧା।ରାଧନାଥବାବୁ ନିଜ ଆଖିକୁ ବିଶ୍ୱାସ କରିପାରୁନଥାନ୍ତି,ଏପଟେ ସମରେଶ ନିଶବ୍ଦ।
ମୃତ୍ୟୁର କାରଣ ସ୍ୱପ୍ନାବତୀ ଦେବୀଙ୍କୁ ପଚାରନ୍ତି ତ ଉତ୍ତର ଆସେ ,"ଅଲକ୍ଷ୍ମୀ ଟା ଖରାପ କାମ କରୁଥିଲା ଧରାପଡିଯିବ ବୋଲି ଆତ୍ମହତ୍ୟା କରିଦେଲା"।
ହାୟରେ ଦଇବ ମୃତ୍ୟୁପରେବି ନିନ୍ଦା,ଅପବାଦ,ଦୁଃଖ,କଷ୍ଟ ରାଧାର ପଛ ଛାଡ଼ୁନି।ହେଲେ ଲୋକ କାଂହୁ ଜାଣିବେ ଯୌତୁକଯାତନା ରାଧା ଆତ୍ମହତ୍ୟାର ମୂଳ କାରଣ!.......