ପ୍ରଥମ ପ୍ରେମ
ପ୍ରଥମ ପ୍ରେମ
{୧}
ପହିଲି ଅନୁଭବ ସବୁବେଳେ , କୌତୂହଳପ୍ରଦ , ଭୟମିଶ୍ର ଓ ଅସହଜ ! ଥରେ ଦେହସୁଆ ହୋଇଗଲେ , ସ୍ପୃହାହୀନ ଗତାନୁଗତିକ!
ଲେଉଟାଣି ହୋଇ କୁନି ଫେରିଥିଲା ଗାଁ କୁ । ଆଖିଏ ସ୍ୱପ୍ନ ନେଇ ଶାଶୁଘର ଯାଇଥିବା ଝିଅଟିର , ପହିଲି ବାପଘର ବାହୁଡାର ଦୃଶ୍ୟ ଭାରି ମନୋରମ ।
ପାଦକଚାଡି , ଆଖି ନଚାଇ କେଡେ ବାଗରେ ବଖାଣେ ,
ହଁ! ସବୁ ସୁଖ ତା' ଝୁଲଣାରେ ।
ଶାଶୁଘର ବଡକଥା ଗପିଗପି ତଣ୍ଟି ଶୁଖିଯାଏ , ଗପ ସରେନା ।
ଦିନ କେଇଟାରେ ଭଲତକ ସାଉଁଟିବାକୁ ତର ନାହିଁ , ମନ୍ଦ ଦେଖିବ ବା
କେଉଁଠୁ ?
- ହଁଅଁ ଲୋ! ଭୁଲିଯିବୁନି ତ ଆଉ କଅଣ ?
- ବଉଳ? ମରିଯାନ୍ତି କି ମୁଁ । ଏଇପା' ଯାଉଥିଲି ତୋ' ପାଖକୁ । ଯାହେଉ ତୁ ଆସିଗଲୁ । ବସେଏ ।
ଲିମାକୁ ଟାଣିନେଇ , କୋଳରେ
ବସାଇଦେଲା କୁନି । ଏବେ ଚାଲିବ କବାଟକିଳା ଗପ । ସମସ୍ତିଙ୍କୁ ତାଗିଦ୍ କରିଦେଇ ଛାତ ଉପରକୁ
ମାଡିଗଲେ ଦୁଇ ବାନ୍ଧବୀ ।
{୨}
- ଉଁ!
- କ'ଣ?
- କହ
- କ'ଣ?
- କେମିତି?
- ଚୁପ୍! ଲାଜ ।
- ମୋତେ?
- ହୁଁ! ନ' ଠେକିଲେ ଶିଖିବୁ ନାହିଁ ।
- ହଉ ତା'ହେଲେ, ମୁଁ ଯାଉଛି ।
- ରାଗେନା ଲୋ । କହୁଛି କହୁଛି ।
- କହଅ
- ଆମେ ଯା' ଭାବନ୍ତି, ଠିକ୍ ସେୟା
ହୁଏନି । ପୁଅ ଗୁଡା ସତରେ ଭାରି ଓପାସିଆ ।
- ହିଁ ହିଁ. । ଠିକ୍ ଅଛୁ ତ଼ ତୁ ?
- ଆଉ! ତୋ' ବଉଳ କ'ଣ କିଛି କମ୍ କି ?
- ପୁଣି? ଅଡୁଆ କ'ଣ ଯେ ?
- ଅଡୁଆ ସେଇଠି ନାହିଁ । ସେମାନଙ୍କ କଥାରେ । ହଜାରେ ସନ୍ଦେହ ମନରେ । ନୂଆ ଗାଡିକୁ ପରଖିଲା
ପରି ପରୀକ୍ଷା! ପାନରୁ ଚୂନ ଖସିଗଲେ , କଥା ସଇଲା ।
- ଖୋଲିକି କହ । ବୁଲାବଙ୍କା କରେନା କହିଦେଉଛି ।
- ଆଲୋ, ପଶୁପଶୁ ପଚାରିଲେ, ' ମୁଁ ତୁମର ପ୍ରଥମ ତ଼?"
- ଆଁଆଁ! କ’ଣ କହିଲୁ ତୁ ?
- ସମସ୍ତେ ଯା କହନ୍ତି । ମୁହଁ କୁ ଶୁଖେଇ, ଆଖିରେ ଆଖି ମିଶେଇ, ଥରେ ହଁ କରିଦେଲେ କଥାସଇଲା । ସେତକରେ ଖୁସି ।
- ହିଁ ହିଁ ହିଁ ହିଁ .
- ହିଁ ହିଁ ହିଁ ହିଁ ..
{୩}
ରେଳଧାରଣା ପରି ନାରୀ । ନିଜ ଠୁଁ ହଜାରେ ଗୁଣ ଓଜନିଆ ବୋଝ ପିଠିରେ ବୋହିବାହି ଖାଲି
ବାଣ୍ଟୁଥିବ ସ୍ନେହ ପ୍ରେମ । ବଦଳରେ ବାରମ୍ବାର ସାମ୍ନା କରୁଥିବ , ବେଳ ଅବେଳରେ ଆକସ୍ମିକ ଦୁର୍ଘଟଣା ସବୁ !
ଏଇ ମଥା ପାତି ସହିଯିବା ଗୁଣଟିକୁ , ଘୋଷାଇ ଘୋଷାଇ
ପିଆଇ ଦେଇଥିଲା ମା' ଲିମାକୁ ।
ସେଥିନେଇ ଲିମାର କିଛି ଅଡୁଆ ନଥିଲା ।
କିନ୍ତୁ , ସ୍ୱାମୀ ବୋଲି ଯେଉଁ ଅଚିହ୍ନା ମଣିଷଟେ ପାଖରେ
, ପ୍ରଥମ ରାତିରେ ଯାଇ ନିଜକୁ ସମର୍ପଣ
କରିଦେବାକୁ ହେବ , ଏଇକଥାକୁ ନେଇ
ଦେହ ଶିହରେଇ ଉଠୁଥିଲା ଲିମାର । ସବୁ ପ୍ରକାର କଥା ଅକଥା , ବଉଳଠୁଁ ବୁଝି ନେଇଛି । କିନ୍ତୁ ଯୁଦ୍ଧ ପଡିଆରେ ତ ସେ ଏକା !
କ’ଣ ସବୁ ସାମ୍ନା କରିବାକୁ ହେବ ପ୍ରଶ୍ନ ବାଣ ? କେମିତି ସହଜ
ସନ୍ତୁଷ୍ଟ ଉତ୍ତର ଦେଇ ମୁକୁଳି ହେବ ସନ୍ଦେହରୁ ?
ଗୋଟେ ନାରୀ ଜୀବନରେ କାହିଁକି ଜରୁରୀ ହୋଇପଡେ , ପ୍ରଥମ ପୁରୁଷ
ହିଁ ତା' ସ୍ୱାମୀ ହେବା ?
କାହିଁକି ଦେବାକୁ ପଡେ ଏଥିପାଇଁ ତାକୁ ଏତେ କୈଫିୟତ ?
ତା' ଅତୀତକୁ ଉଖାରିବାର ଆବଶ୍ୟକତା କାହିଁକି
ପଡିଯାଏ ?
ତା' ସ୍ୱୀକାରୋକ୍ତିକୁ ବି କାହିଁକି ଅବିଶ୍ଵାସ
କରାଯାଏ ??? ଝିଅଟିଏ କାହିଁକି ସବୁବେଳେ ଦିଏ ଅଗ୍ନି
ପରୀକ୍ଷା ?
{୪}
ବହୁ ଅପେକ୍ଷିତ ଚତୁର୍ଥୀ ରାତିରେ , ବଡବଡ
ସାହାସିନୀଙ୍କର ବି ପାଣି ଫାଟିଯାଏ । ସେଥିରୁ ଲିମା ବର୍ତ୍ତିବ କେମିତି ? ପ୍ରୀୟାଂଶୁ ଆସି ଦରଜା ବନ୍ଦ କରିଦେବା ପରେ , ଲିମା ସୁମରଣା
କଲା ଏ' ଦୁନିଆ ଯାକର ଦୁଆର ତା'ପାଇଁ ମୁକୁଳି ଯା'ନ୍ତାନି ? ଧାଇଁ ପଳାନ୍ତା ଯୋଜନ ଦୂରକୁ । ଯେଉଁଠି ସାମ୍ନା କରିବାକୁ ନଥିବ ଏବର ଅଗ୍ନି ପରୀକ୍ଷା ।
କିନ୍ତୁ ! ଭିନ୍ନ ଥିଲା କିଛି ପରିବେଶ । ପ୍ରେମିକପଣରେ ଉବୁଟୁବୁ ହୋଇ ରହିଥିଲେ , ପ୍ରୀୟାଂଶୁ । ନିଃସଙ୍କୋଚରେ ଲିମାକୁ ଛାତି ଉପରକୁ ଭିଡିନେଇ ପଚାରିଲେ -
- ନର୍ଭସ୍?
ହଁ କି ନାଁ ଲିମା ଜାଣିପାରୁ ନଥିଲା । ସେ ତ ଘୋଷିଦେଇ ଆସିଥିଲା ମାତ୍ର ଗୋଟାଏ ଉତ୍ତର - ହଁ
! ତୁମେ ହିଁ ମୋ' ଜୀବନର ପ୍ରଥମ ପୁରୁଷ ।
ଏଠି ପ୍ରୀୟାଂଶୁ ପ୍ରଶ୍ନ ହିଁ ନକରି , ଶେଷବତୀ
ଲିଭାଇବାରେ ବ୍ୟସ୍ତ !
{୫}
ଏଥର !
ବାହାରେ ବୋଧେ ସକାଳ , ସକାଳ ହେବାକୁ
ଅପେକ୍ଷା କରିଥିଲା । ପହିଲି ରାତିରେ , ନିଦ ହୁଏ ଯେ
ହେବ ? ଅନ୍ଧାରରେ ଦୁହେଁ ଦୁହିଁଙ୍କୁ ସ୍ପଷ୍ଟ ନ'ଦେଖି ପାରିଲେ ବି ସ୍ପଷ୍ଟ ବୁଝି ନେବାରେ ଆଉ କିଛି ଅଡୁଆ ନଥିଲା । ଏଇ ରାତିରୁ ହିଁ ଗୋଟେ
ପ୍ରେମ ବିଶ୍ୱାସର ବଂଧଟିଏ ଦୁହିଁଙ୍କ ଭିତରେ ବାନ୍ଧି ହୋଇଯାଇଥିଲା । ନା କିଛି ପ୍ରଶ୍ନ ଥିଲା , ନା କିଛି ଉତ୍ତର ଦେବାକୁ ବାକି ରହିଥିଲା ।
ତଥାପି ବଉଳଠୁଁ ଏତେ ପ୍ରସ୍ତୁତି ନେଇ ଆସିଥିବା ପ୍ରଶ୍ନୋତ୍ତର କିଛି କାମ ନଦେବାରୁ , ନିଜଆଡୁ ଟିକେ ସାହାସିଆ ହୋଇ ଲିମା ପଚାରିଦେଲା ପ୍ରୀୟାଂଶୁଙ୍କୁ -
- କଥାଟିଏ ପଚାରିବି?
- ହୁଁ , ନିଶ୍ଚୟ
- ତୁମ ଜୀବନରେ ମୁଁ କ’ଣ ପ୍ରଥମ ପ୍ରେମ???
ବିହ୍ୱୋଳିତ ହୋଇ , ଚୁମାଟିଏ
ଆଙ୍କିବା ଭିତରେ , ପ୍ରୀୟାଂଶୁର
ସଂକ୍ଷିପ୍ତ ଉତ୍ତର ଏୟା ଥିଲା -
- ନାଃ! ତୁମେ ମୋ' ଶେଷପ୍ରେମ !!!!