STORYMIRROR

Smruti Ranjan

Drama Romance Fantasy

4  

Smruti Ranjan

Drama Romance Fantasy

ପ୍ରଥମ ପ୍ରେମ 【ଭାଗ-୩】

ପ୍ରଥମ ପ୍ରେମ 【ଭାଗ-୩】

5 mins
168

  ( କାହାଣୀଟି ବୁଝିବାକୁ ପୂର୍ବ ଦୁଇଟି ଭାଗ ପଢିବାକୁ ଅନୁରୋଧ। )


   ପ୍ରେମ....., ପ୍ରେମ ଏମିତି ଏକ ସ୍ବର୍ଗୀୟ ଅନୁଭବ ଯାହାର ସଂସ୍ପର୍ଶରେ ଆସିଲେ ବ୍ୟକ୍ତି ଜଣକ ନିଜ ସ୍ଥୁଳ ଶରୀର ଛାଡ଼ି ସୂକ୍ଷ୍ମ ଶରୀରରେ ବିଚରଣ କରିବାକୁ ଲାଗେ। ଦିବା ରାତ୍ର ଅହର୍ନିଶି ମାନସିକ ସ୍ତରରେ ଭାସି ବୁଲେ ନିଜ ପ୍ରେମିକାର ଆଖ ପାଖରେ। ରାତିର ଘନ ଅନ୍ଧକାରର ଚାଦର ତଳେ ସାରା ଦୁନିଆ ନିଦ୍ରା ଦେବୀଙ୍କ କୋଳରେ ବିଶ୍ରାମ ନେଲାବେଳେ ଗୋଟେ ପ୍ରେମିକ କେବେ ବିଶ୍ରାମ ନେଇ ପାରେନା। କାରଣ ତାକୁ ଲୋଡ଼ା କିଛି ନିରୋଳା ମୁହୂର୍ତ୍ତ ଓ କିଛି ଶାନ୍ତ ପରିବେଶ।ଯେଉଁଠି ସେ ତା'ର କଳ୍ପନାର କଳ୍ପନାକୁ ପ୍ରେମରେ ଭିଜେଇଥାଏ ଏବଂ ତା ସହ ଭବିଷ୍ୟତର ସ୍ବପ୍ନଗୁଡିକୁ ସଜାଇଥାଏ।ଏକାନ୍ତ ନିରୋଳାରେ ସେ ଭାବନାରେ ବୁଡିଯିବାକୁ ପସନ୍ଦ କରେ।ଖାସ୍ ସେଥିପାଇଁ ଦୁନିଆ ଆଖିରେ ପ୍ରେମିକ ସବୁବେଳେ ନିଶାଚର ଓ ପାଗଳର ଆଖ୍ୟା ପାଇ ଆସିଛି। କିନ୍ତୁ ସବୁ ପ୍ରେମୀ ପ୍ରେମର ଏପରି ନିଆରା ଅନୁଭୂତିକୁ ଅନୁଭବ କରି ପାରିବେନି। କାରଣ ଯିଏ ଶାଶ୍ୱତ ଓ ପବିତ୍ର ଚିନ୍ତାଧାରା ରଖି ଶରୀରକୁ ଛାଡ଼ି ଆତ୍ମା କୁ ପ୍ରେମ କରିଥାଏ ସେ ହିଁ ଏ ଅଲୌକିକ ଅନୁଭୂତି କୁ ସାଉଁଟି ନେବାରେ ସଫଳ ହୁଏ। ଆଉ ଦୁନିଆ ଆଖିରେ ପାଗଳ ପ୍ରେମୀ ସାଜେ। ବୋଧେ ସମ୍ରାଟ ସେହି ଉପାଧି କୁ ଖୁବ ଶୀଘ୍ର ଅର୍ଜିବାକୁ ଯାଉଥିଲା ପ୍ରିୟ ବନ୍ଧୁ ରାଜା ନିକଟରୁ।

           "ସମ୍ରାଟ ରାଉତରାୟ" ପେଶାରେ ବିଜନେସ୍ ମ୍ୟାନ୍। ନିଶାରେ ସାହିତ୍ୟିକ ଏବଂ ଲୋକପ୍ରିୟ ଗାଳ୍ପିକ। ଯିଏ ତା' ସାରା ଜୀବନ ସତ୍ୟ ଧର୍ମ,ନ୍ୟାୟ କୁ ପାଥେୟ କରି ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରୁଥିଲା । ଯିଏ ଆଜୀବନ ଅବିବାହିତ ରହିବାକୁ ନିଷ୍ପତି ନେଇଥିଲା । ସେ ଆଜି ଗୋଟେ ଝିଅର ପ୍ରେମରେ ଏତେ ପାଗଳ ଯେ କଣ୍ଟା ଝଟା ନ ମାନି କାହାର ନାହିଁ କାହା ବଗିଚାରେ ପଶି ଫୁଲ ତୋଳୁଛି....! ପୁଣି ସମୟର ଜ୍ଞାନ ରଖୁଥିବା ଓ ସମୟ ପ୍ରତି ସଜାଗ ରହୁଥିବା ପିଲା ଆଜି ସମୟ ଜ୍ଞାନ ଭୁଲି ଯାଇଛି..! ରାଜା ଏ କଥା ଭାବି ସମ୍ରାଟକୁ ପଚାରିଲା - କିଏ ସେ ଝିଅ ? ଯାହା ପାଇଁ ଆଜି ତୁ ପ୍ରେମରେ ପାଗଳ ହେବାକୁ ବସିଲୁଣି...!

        ଚମକି ପଡ଼ିଲା ସମ୍ରାଟ। ସାମ୍ନାରେ ଛିଡ଼ା ହୋଇଛି ରାଜା। ହାତ ଘଣ୍ଟାରୁ ସମୟର ଜ୍ଞାନ ନେବାରୁ ଜଣା ପଡ଼ିଲା ଘରୁ ବାହାରିବାର ଗୋଟେ ଘଣ୍ଟା ଅତିକ୍ରମ ହେଇ ସାରିଲାଣି। ଏ କ'ଣ ହେଇଗଲା ? ଗୋଟେ ଘଣ୍ଟା ଷାଠିଏ ମିନିଟ ପୁଣି ତିନି ହଜାର ଛଅ ଶହ ସେକେଣ୍ଡ। ଗୋଟିଏ ଗୋଟିଏ ସେକେଣ୍ଡ ମୂଲ୍ୟବାନ ଥିବା ସମୟରେ କେମିତି ଗୋଟିଏ ଘଣ୍ଟା ନଷ୍ଟ କରିଦେଲି ? ପୁଣି ମୋ ବାଇକ କୁଆଡେ ଗଲା ଆଉ ମୁଁ ଏ ବଗିଚାରେ କେମିତି ? ପ୍ରକୃତିସ୍ଥ ହେଇ ଓଲଟା ପ୍ରଶ୍ନ ପଚାରିଲା ସମ୍ରାଟ।

          ମନଖୋଲା ହସ ହସିଲା ରାଜା। ହସି ହସି କହିଲା -"ବାଃ...ବାଃ...ରେ ପ୍ରେମିକ ପ୍ରବର, ଫୋନ କରି କହିଲୁ ପ୍ରସ୍ତୁତ ହେଇ ରହିବାକୁ। ମାଉସୀ'ଙ୍କ ନିକଟରୁ ଆଶୀର୍ବାଦ ନେଇ ଘରୁ ଗୋଡ଼ କାଢ଼ି ଆସିଲୁ। କିନ୍ତୁ ମଝି ରାସ୍ତାରେ ପ୍ରେମିକା ଭାବନାରେ ଏମିତି ହଜିଗଲୁ ଯେ ରାସ୍ତା କଡ଼ରେ ବାଇକ ଫୋପାଡ଼ି ଫୁଲ ତୋଳିବାକୁ ଏକ ଅଜଣା ଅଚିହ୍ନା ବଗିଚାରେ ପ୍ରବେଶ କଲୁ...! ସେଥିରେ ପୁଣି ମତେ ପ୍ରଶ୍ନ ପଚାରୁଛୁ...!"

          ଲଜ୍ଜିତ ଅନୁଭବ କଲା ସମ୍ରାଟ। ମନେ ମନେ ଚିନ୍ତା କଲା ସତରେ ତ, ଭାବନା ର ପ୍ରଖର ସ୍ରୋତରେ ମୁଁ ତ ନିରବଚ୍ଛିନ୍ନ ହେଇ ଭାସି ଚାଲିଥିଲି। ଯଦି ସଠିକ୍ ସମୟରେ ଏ ରାଜା କୁଟା ଖିଅ ସାଜି ମତେ ଉଦ୍ଧାର କରି ନ ଥାନ୍ତା ତା' ହେଲେ ମୁଁ କୂଳରେ ଲାଗିବା ପରିବର୍ତ୍ତେ ସେମିତି ଭାସି ଚାଲିଥାନ୍ତି। ଆଉ ନିର୍ଦ୍ଦିଷ୍ଟ ସମୟରେ ଫୁଲେଇ ପ୍ରିୟାକୁ ଦେଖା କରିପାରି ନଥାନ୍ତି ।

          ପୁନଃ ଭାବନାରେ ହଜିବା ଦେଖି ରାଜା ଟିକେ ବିରକ୍ତ ହେଇ କହିଲା-:" ତୁ କେମିତିକା ପ୍ରେମିକ ? ଏମିତିରେ ଗୋଟେ ଘଣ୍ଟା ବିଳମ୍ବ କରି ସାରିଲୁଣି। ତା' ଉପରେ ତୋ ଭାବନା ରାଇଜର ପୂର୍ଣ୍ଣ ଛେଦ ନ ପକେଇ ତୁ ପୁଣି ସେହି ଭାବନାରେ ହଜିବା ଆରମ୍ଭ କଲୁ। ଏମିତି ନ ହେଉ ଆମର ପହଞ୍ଚିବା ବିଳମ୍ବ ହେଉ ଆଉ ତୋ ଫୁଲେଇ ପ୍ରିୟା ଅଭିମାନର ଗହଣା ପିନ୍ଧି ଦେଖା ନ କରି ଫେରିଯାଉ।"

        ବାସ୍ ଏଇ ଶେଷ ପଦ ଯଥେଷ୍ଟ ଥିଲା ସମ୍ରାଟ ର ଭାବନାରେ ପୂର୍ଣଛେଦ ଟାଣିବାକୁ। ତରବର ହେଇ ବଗିଚାରୁ ଗୋଲାପ, ମଲ୍ଲୀ ଓ ସୂର୍ଯ୍ୟମୁଖୀ ଫୁଲକୁ ତୋଳି ଆଣିଲା। ଅନତି ଦୂରରେ ବୃକ୍ଷ ଡାଳରେ ବସିଥିବା ହଳଦୀ ବସନ୍ତକୁ ଦେଖି ମୁରୁକି ହସିଦେଲା।ତା' ପରେ ଫୁଲ ଗୁଡ଼ିକୁ ରାଜା ହାତରେ ସମର୍ପି ନିଜକୁ ପ୍ରଥମେ ଟିକେ ଝାଡ଼ି ପକାଇଲା। ରାସ୍ତା କଡ଼ରୁ ବାଇକ ଉଠେଇ ଷ୍ଟାର୍ଟ କରି ରାଜା କୁ ଆଦେଶ କଲା ବସିବାକୁ।

          କିନ୍ତୁ ଏ କ'ଣ ? ବସିବା ପରିବର୍ତ୍ତେ ଏମିତି ବଲ ବଲ କରି ଚାହିଁ ରହିଲା ରାଜା ସମ୍ରାଟ ମୁହଁକୁ।

   -" ଆରେ ବସୁନୁ କ'ଣ ପାଇଁ ? ତୋର ପୁଣି କ'ଣ ହେଲା ? ତୋର ପୁଣି କୋଉ ଭାବନାରେ ଜୁଆର ଉଠିଲା ?" ସମ୍ରାଟ ପ୍ରଶ୍ନ କଲା ରାଜାକୁ।

  -"ନାଇଁ କଥା କ'ଣ କି, ଆଜି ଯେମିତି ତୁ ବଡ଼ ଶ୍ରଦ୍ଧାରେ କହିଲୁ ବସିବାକୁ କାଲି କୁ ଆଉ କହିବୁନି ନା। କାହିଁକି ନା କାଲି ଏ ଜାଗାରେ ଆଉ ଜଣକର ଅଧିକାର ଥିବ।" ବଡ଼ ବଡ଼ ହଳଦିଆ ବତିଶ ଦାନ୍ତ ନିକୁଟି କହିଲା ରାଜା ।

      ସମ୍ରାଟ ରାଜା ର କଥା ଶୁଣି ହସିବ କି ରାଗିବ କିଛି ବିଚାର କରି ପାରିଲାନି। ବହୁ କଷ୍ଟରେ ନିଜର ଭାବକୁ ଅକ୍ତିଆର କରି ସମ୍ରାଟ କହିଲା-"ଥାଉ,ଆଉ ଏତେ ଆଗାମୀ ଭବିଷ୍ୟ ନ ଦେଖି ଚୁପ୍ ଚାପ୍ ବସ। ଏମିତି ରେ ତତେ ଦେଖିଲେ ଲାଗୁନି ଯେ ଝିଅ ଦେଖିବାକୁ ମୁଁ ଯାଉଛି। ଆମ ଦୁଇ ଜଣକୁ ଯିଏ ଦେଖିବ ସେ କହିବ ଝିଅ ଦେଖିବାକୁ ତୁ ଯାଉଛୁ ଆଉ ମୁଁ ତୋ ସାଙ୍ଗରେ ଯାଉଛି ।ହାଃ...ହାଃ...ହାଃ (ଦୁଇଜଣ ହସି ଉଠିଲେ)

      

       ତା' ପରେ ଦୁଇ ବନ୍ଧୁ ଥଟ୍ଟା ତାମସା ଭିତରେ ବାହାରି ପଡ଼ିଲେ ଲକ୍ଷ୍ୟ ସ୍ଥଳକୁ। ପ୍ରାୟ ତିନି ଘଣ୍ଟାର ଯାତ୍ରା ଓ ଶହେ କୋଡିଏ କିଲୋମିଟର ଅତିକ୍ରମ ପରେ ଦୁଇ ବନ୍ଧୁ ଆସି ପହଞ୍ଚିଗଲେ ଲକ୍ଷ୍ୟ ସ୍ଥଳରେ। ସୂଚନା ଅନୁଯାୟୀ ଜଗନ୍ନାଥ ପୁର ମାର୍କେଟ ଠାରୁ ପୂର୍ବକୁ ପ୍ରାୟ ପାଞ୍ଚଶହ ମିଟର ଦୂରତା ଅତିକ୍ରମ କଲେ ଆସିବ ତୁଳସୀ ନଦୀ। ସେହି ନଦୀ କୂଳରେ ଅବସ୍ଥିତ ଶ୍ରୀଜଗନ୍ନାଥଙ୍କର ବିଶାଳ ଭବ୍ୟ ମନ୍ଦିର ଓ ମନ୍ଦିରର ଦକ୍ଷିଣ ପାର୍ଶ୍ଵରେ ଏକ ସୁନ୍ଦର ପୁଷ୍ପ ବଗିଚା ।ସେଇ ପୁଷ୍ପ ବାଟିକା ହିଁ ଲକ୍ଷ୍ୟ ସ୍ଥଳ ସମ୍ରାଟ ସୂଚନା ଦେଲା ରାଜାକୁ।

           ତା' ପରେ ଦୁଇ ବନ୍ଧୁ ଆଲୋଚନା ପୂର୍ବକ ମାର୍କେଟ ଠାରୁ ପାଞ୍ଚଶହ ମିଟର ଦୂରତା ଅତିକ୍ରମ କରିବା ପରେ ଆସି ପହଞ୍ଚିଗଲେ ଠିକଣା ସ୍ଥାନରେ। ଶୁଣିଥିବା ବର୍ଣ୍ଣନା ଠାରୁ ନିଜ ଆଖିରେ ଦେଖିଲା ପରେ ସମ୍ରାଟ ସମ୍ପୂର୍ଣ୍ଣ ବିମୋହିତ ହୋଇଗଲା ସେଠାକାର ପ୍ରାକୃତିକ ଦୃଶ୍ୟ ଦେଖି। ନଦୀର ସ୍ଵଚ୍ଛ ନିର୍ମଳ ଜଳ ଓ ତାର କଳ କଳ ରାବ । ନଦୀ କୂଳକୁ ଲାଗି ଜଗନ୍ନାଥ ମନ୍ଦିର। ବାଇଶି ପାହାଚ ପରି ଲମ୍ବି ଆସିଛି ଗୋଟେ ପରେ ଗୋଟେ ପାହାଚ। ସତେ କି ଏପରି ପ୍ରତୀତ ହେଉଛି ଯେମିତି ଦେବୀ ତୁଳସୀ ସମସ୍ତ ଭକ୍ତ ବୃନ୍ଦଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ଯେ ଏଠିକି ଆସୁଥିବା ସମସ୍ତ ଭକ୍ତ ଗଣ ପ୍ରଥମେ ମୋର ନିର୍ମଳ ଓ ପବିତ୍ର ଜଳରେ ନିଜ ମନ ଓ ଶରୀରର ମଇଳାକୁ ସମ୍ପୂର୍ଣ୍ଣ ସଫା କରି ମୋ ସ୍ୱାମୀଙ୍କ ନିକଟକୁ ଦର୍ଶନ କରିବାକୁ ଯାଆନ୍ତୁ।

        ପବିତ୍ର ତୁଳସୀ ନଦୀ ଓ ପ୍ରଭୁ ଜଗନ୍ନାଥଙ୍କୁ ଦେଖି ସମ୍ରାଟ ମନରେ ଭକ୍ତି ଭାବ ଜାଗି ଉଠିଲା। ଜୀବନରେ ଏକ ବହୁତ ବଡ଼ ମୂଲ୍ୟବାନ ମୁହୁର୍ତ୍ତ କୁ ସାମ୍ନା କରିବାକୁ ଯିବା ପୂର୍ବରୁ ପ୍ରଥମେ ପ୍ରଭୁଙ୍କ ଆଶୀର୍ବାଦ ନେବାକୁ ହେବ। ମନେ ମନେ ଚିନ୍ତା କଲା ସମ୍ରାଟ। ଆଉ ଶୁଭ କାର୍ଯ୍ୟରେ ବିଳମ୍ବ କରିବା ସମ୍ପୂର୍ଣ୍ଣ ଅନୁଚିତ୍। ତେଣୁ କ୍ଷଣେ ମାତ୍ର ବିଳମ୍ବ ନ କରି ସମ୍ରାଟ ସାଥିରେ ରାଜାକୁ ନେଇ ଚାଲିଲା ଜଗନ୍ନାଥଙ୍କ ଦର୍ଶନ କରିବାକୁ।

          ଚାଲି ଚାଲି ଯାଇ ପହଞ୍ଚିଲେ ଦୁହେଁ ନଦୀ କୂଳରେ। ପ୍ରଥମେ ନଦୀକୁ ଏକ ଭକ୍ତିପୂତ ପ୍ରଣାମ ଜଣେଇ ପ୍ରବେଶ କଲେ ପଦ ଧୌତ କରିବାକୁ। ହାତ, ପାଦ ମୁହଁ ଧୋଇହୋଇ ଭକ୍ତିରେ କିଛି ଜଳ ମସ୍ତକରେ ଛିଞ୍ଚି ପକାଇଲା ସମ୍ରାଟ। ତା' ପରେ ଦୁଇ ହାତ ଯୋଡ଼ି ପାହାଚ ଉପରେ ପାହାଚ ଅତିକ୍ରମ କରି ଯାଇ ଶେଷରେ ପହଞ୍ଚିଲା ସେହି କଳା ଶ୍ରୀମୁଖ ଭାବଗ୍ରାହୀ କାଳିଆ ଠାକୁର ପାଖରେ। ସେଠାରୁ ପୂଜା ପାଠ ସାରି ଦୁଇ ବନ୍ଧୁ ପ୍ରସ୍ଥାନ କଲେ ବଗିଚା ଆଡ଼କୁ।

          ମନ୍ଦିରର ଦକ୍ଷିଣ ପାର୍ଶ୍ଵରେ ବିଶାଳ ଏକ ପୁଷ୍ପ ବଗିଚା। ନାଁ ଟି ତା'ର କୁଞ୍ଜ ବାଟିକା। ପ୍ରଥମ ପ୍ରବେଶ ପଥରେ ଦୁଇଟି ବିଶାଳ ତୁଳସୀ ବୃକ୍ଷ ଶୋଭା ପାଉଛି। ସତେ କି ବାଟିକା ରେ ପ୍ରବେଶ କରୁଥିବା ଭକ୍ତବୃନ୍ଦ ଙ୍କୁ ସ୍ୱାଗତ କରୁଛି। ସେହି ତୁଳସୀର ମହକରେ ସାରା ବାଟିକା ମହକି ଉଠୁଛି ।କୁଞ୍ଜଲତା ଗେହ୍ଲେଇକି ଲଟେଇ ଯାଇଛି ବାଟିକାର ଚତୁଃପାର୍ଶ୍ବରେ..! କେତେ ଜାତି ପ୍ରଜାତି ପୁଷ୍ପମାନ ବଗିଚାର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଛି। ସେ ବଗିଚାରେ ଭରି ରହିଛି ଅନେକ ସୁନ୍ଦର ଫୁଲ ଗଛ। ଆଉ ବାଟିକାର ଠିକ୍ ମଝିରେ ରହିଛି କୃଷ୍ଣଚୁଡା ବୃକ୍ଷ।କୃଷ୍ଣଚୂଡା ଫୁଲ ଭର୍ତ୍ତି ଗଛଟି ଆକର୍ଷଣୀୟ ଲାଗୁଛି। ଯାହାକୁ ଦେଖୁ ଦେଖୁ ସମ୍ରାଟର ଛାତିର ସ୍ପନ୍ଦନ ବଢ଼ିବା ସହ ସାରା ଶରୀରରେ ଯେପରି ବିଜୁଳିର ତରଙ୍ଗ ଖେଳିବାକୁ ଲାଗିଲା। କାରଣ, କୃଷ୍ଣଚୂଡ଼ା ବୃକ୍ଷ କୁ ଦେଖିବା ସହ ସମ୍ରାଟର ନଜର ପଡ଼ିଲା କୃଷ୍ଣଚୂଡ଼ା ବୃକ୍ଷ ମୂଳରେ ଛିଡା ହୋଇଥିବା ଏକ ଦେବୀ ଉପରେ। ଯାହାର ଦର୍ଶନ ମାତ୍ରେ ସମ୍ରାଟର ଚେତନା ଆଉ ସମ୍ରାଟ ଅଧୀନରେ ରହିଲାନି। ତେବେ କିଏ ସେ ମନ ମୋହିନୀ ଦେବୀ ସୁଲଭା ନାରୀ ? ଏ କଣ ସେହି ଅନିନ୍ଦ୍ୟ ସୁନ୍ଦରୀ ମୋ ମନ ମୟୁରୀ ? ଯାହା ପାଖରେ ମୁଁ ଦେହ ମନ ଆତ୍ମା ସବୁ ହାରିଦେଇଛି................ ?


କାହାଣୀ ଆଗକୁ ବାକି ଅଛି...........



Rate this content
Log in

Similar oriya story from Drama