ପୃଥିବୀର ବାହାଘର
ପୃଥିବୀର ବାହାଘର
ଅନେକ ବର୍ଷ ତଳର କଥା। ଏକଦା ପୃଥିବୀରେ ବସନ୍ତ ଋତୁର ଅାଗମନରେ ପୃଥିବୀ ନାନା ରଙ୍ଗ ବେରଙ୍ଗର ପୋଷାକ ପିନ୍ଧି ସୁନ୍ଦରତାର ଚରମସୀମାକୁ ସ୍ପର୍ଶ କରିଥାଏ। ଯେ କେହିବି ପୃଥିବୀର ଏହି ସୁନ୍ଦରତାକୁ ସ୍ୱଚକ୍ଷୁରେ ଦେଖିବ ସେ ନିଶ୍ଚିତ ପୃଥିବୀ ଆଡକୁ ଆକର୍ଷିତ ହେବ, ଏଥିରେ ତିଳେମାତ୍ର ସନ୍ଦେହର ଅବକାଶ ନାହିଁ। ଏମିତି ଏକ ସମୟରେ ପୃଥିବୀ ଉପରେ ପଡିଲା ଆକାଶର ନଜର। ଶତ ଚେଷ୍ଟା କରି ମଧ୍ଯ ପୃଥିବୀ ଉପରୁ ନିଜର ନଜର ହଟାଇ ପାରିଲାନି ଆକାଶ। ପୃଥିବୀର ସୁନ୍ଦରତାରେ ବିମୋହିତ ହୋଇ ଆକାଶ ପଡିଗଲା ପୃଥିବୀର ପ୍ରେମରେ। କାଳ ବିଳମ୍ବ ନକରି ଆକାଶ ନିଜ ମନ କଥାକୁ ପୃଥିବୀ ନିକଟରେ ପ୍ରକାଶ କରିବା ସହିତ ତାକୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଲ। ପୃଥିବୀ ମଧ୍ଯ ବିନା ଦ୍ୱିଧାରେ ଆକାଶର ଏ ପ୍ରସ୍ତାବକୁ ଗ୍ରହଣ କରିନେଲା। କାରଣ ବହୁ ଆଗରୁ ପୃଥିବୀ ପଡିଯାଇଥିଲା ନୀଳ ଆକାଶର ପ୍ରେମରେ। ଆଉ ଅପେକ୍ଷା କରିଥିଲା ତା' ଜୀବନରେ ଆକାଶର ଆଗମନକୁ।
ଆକାଶ ଓ ପୃଥିବୀ ସାଥିହୋଇ ପଣ୍ଡିତ ପାଖରେ ପହଞ୍ଚିଲେ ନିଜ ବିବାହ ପାଇଁ ତିଥି, ବାର ଓ ଶୁଭ ସମୟ ବାହାର କରିବା ପାଇଁ। ପଣ୍ଡିତ ନିଜର ପାଞ୍ଜି ଦେଖି ତିଥି, ବାର ଓ ସମୟ ନିର୍ଦ୍ଧାରଣ କଲେ ସେମାନଙ୍କର ବିବାହ ପାଇଁ। ଆଉ କହିଲେ ତାଙ୍କ ବିବାହ ପାଇଁ ଶୁଭ ସମୟ ମଧ୍ଯରାତ୍ରରେ ଅଛି, ଯଦି ସେମାନେ ବିଳମ୍ବ କରନ୍ତି ଓ ଏହି ସମୟ ଗଡିଯାଏ ତେବେ ଏ ବିବାହ ଆଉ କେବେ ହେବା ଅସମ୍ଭବ।
ଉତ୍ସବ ମୁଖର ହୋଇ ଉଠିଲେ ଉଭୟ ଆକାଶ ଓ ପୃଥିବୀ। ବିବାହର ପ୍ରସ୍ତୁତି ଆରମ୍ଭ ହୋଇଗଲା। ବାଜା, ଢୋଲ, ତୁରୀ, ସାହାନାଇ ଧରି ବାଦକମାନେ ପ୍ରସ୍ତୁତ ହୋଇଗଲେ। ପୃଥିବୀ ରଙ୍ଗ ବେରଙ୍ଗର ଏକ ବଡ ଫୁଲମାଳ ପ୍ରସ୍ତୁତ କଲା ନିଜ ମନର ରାଜକୁମାର ଆକାଶ ପାଇଁ। ଲୋକମାନେ ବି ପୃଥିବୀର ବିବାହରେ ବହୁତ ଖୁସି ଥିଲେ। ମାତ୍ର ସେମାନଙ୍କ ମନରେ ଏକ ଅଜଣା ଭୟ ମଧ୍ଯ ବସା ବାନ୍ଧିଥିଲା। କାରଣ ପୃଥିବୀର ଆକାଶ ସହ ବିବାହ ହୋଇଗଲେ, ପୃଥିବୀ ଆକାଶ ସହ ତା'ଘରକୁ ଚାଲିଯିବ। ଆଉ ଯଦି ପୃଥିବୀ ଆକାଶ ଘରକୁ ଚାଲିଯାଏ, ତେବେ ଲୋକମାନେ ଓ ଜୀବଜଗତ ଆଉ ରହିବେ କେଉଁଠି? ବଞ୍ଚିବେ କେମିତି? ତେଣୁ ସମସ୍ତେ ଏକସ୍ୱରରେ ଭଗବାନଙ୍କୁ ପ୍ରାର୍ଥନା କଲେ ଏ ବିପଦରୁ ସେମାନଙ୍କୁ ରକ୍ଷା କରିବା ପାଇଁ। ନିଜ ଲୋକ ମାନଙ୍କର ସମବେତ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ଭଗବାନ ସେମାନଙ୍କୁ ଏ ବିପଦରୁ ରକ୍ଷା କରିବା ପାଇଁ ଏକ ଉପାୟ ଚିନ୍ତା କଲେ।
ବିବାହ ଦିନ ଆସି ଉପସ୍ଥିତ ହେଲା। କନ୍ଯା ବେଶରେ ପୃଥିବୀ ହାତରେ ସେଇ ବିରାଟ ଫୁଲମାଳକୁ ଧରି ଅଧିରତାର ସହ ଅପେକ୍ଷା କରିଥାଏ ତାର ପ୍ରିୟତମ ଆକାଶର ଆଗମନକୁ। ଆଉ ଚାହୁଁଥିଲା ତା' ବେକରେ ସିଏ ପ୍ରସ୍ତୁତ କରିଥିବା ସେ ଫୁଲମାଳକୁ ଲମ୍ବେଇ ଦେବ ବୋଲି। ହେଲେ ଆକାଶଯେ ଏଯାଏଁ ଆସୁନି। ପୃଥିବୀର ଧର୍ଯ୍ଯର ବନ୍ଧ ଭାଙ୍ଗିବାକୁ ବସିଲାଣି। ଠିକ୍ ଏହି ସମୟରେ ଢୋଲ, ତୂରୀ ଓ ଶାହାନାଇର ଶବ୍ଦରେ ପ୍ରକମ୍ପିତ ହେଲା ପୁରା ପରିବେଶ। ଏହା ଥିଲା ଆକାଶର ଆଗମନ ପାଇଁ। ଆକାଶ ବର ବେଶରେ ଏକ ନୀଳ ପୋଷାକ ପିନ୍ଧିଥିଲା, ଯେଉଁଥିରେ ଅଗଣିତ ଚମକପ୍ରଦ ତାରା ଖଚିତ ହୋଇଥିଲେ।
ପଣ୍ଡିତଗଣ ମନ୍ତ୍ର ଉଚ୍ଚାରଣ ଆରମ୍ଭ କଲେ। ଆଉ କିଛି ସମୟ ପରେ ତାଙ୍କ ବିବାହର ସେହି ଶୁଭ ମୂହୁର୍ତ୍ତ ଉପନିତ ହେଲା। ପଣ୍ଡିତ ପୃଥିବୀକୁ ଆକାଶର ଗଳାରେ ଫୁଲମାଳ ଲମ୍ବାଇବାକୁ କହିଲେ। ପୃଥିବୀ ଯେତେବେଳେ ଆକାଶର ବେକରେ ଫୁଲମାଳ ପକାଇବାକୁ ଯାଉଥିଲା, ଠିକ୍ ସେହି ସମୟରେ ଏକ କାଉର କା କା ରାବରେ ପୁରା ପରିବେଶ ପ୍ରକମ୍ପିତ ହେଲା। ଏହା ଶୁଣିବା ପରେ ପଣ୍ଡିତ ମନ୍ତ୍ର ଉଚ୍ଚାରଣ ବନ୍ଦ କରିଦେଲେ। କହିଲେ ଶୁଭ ମୂହୁର୍ତ୍ତ ଅତିବାହିତ ହୋଇଗଲାଣି, ଏ ବିବାହ ଆଉ ହୋଇପାରିବନି। ବାଦ୍ଯକାରମାନେ ବାଦ୍ଯ ବଜାଇବା ବନ୍ଦ କରିଦେଲେ। ଅତିଥିମାନେ ନିଜ ନିଜ ଘରକୁ ଫେରିଗଲେ। ମାତ୍ର ଏବେବି ରାତି ଥିଲା, ସକାଳ ହେବାକୁ ଅନେକ ସମୟ ବାକିଥିଲା। ଦୂର ଦୂର ପର୍ଯ୍ଯନ୍ତ ଗୋଟିଏ ବି କାଉ ନଥିଲେ। କିନ୍ତୁ ଏ ବିବାହକୁ ରୋକିବାକୁ ଏହାଥିଲା ଭଗବାନଙ୍କର ଗୋଟିଏ ଲିଳା। ଆକାଶକୁ ଭଗବାନ୍ ନିଜ ସାଥିରେ ତା' ଘରକୁ ନେଇଗଲେ। ଏକା ରହିଗଲା ପୃଥିବୀ ଆଉ ହାତରେ ଥାଏ ତାର ସେଇ ବିରାଟ ରଙ୍ଗ ବେରଙ୍ଗର ଫୁଲମାଳ। ଆଖିରୁ ବହି ଯାଉଥାଏ ଗଙ୍ଗା ଯମୁନା ପରି ଲୋତକର ଧାର। ଆଉ ଚିତ୍କାର କରି କହୁଥାଏ ହେ ମୋର ପ୍ରିୟତମ ଆକାଶ ତୁମେ ଫେରିଆସ, ଫେରିଆସ ମୋ ପାଖକୁ।ହେଲେ ଶୁଭ ମୂହୁର୍ତ୍ତ ଅତିକ୍ରାନ୍ତ ହୋଇଥିବା କାରଣରୁ ପୃଥିବୀ ପାଖକୁ ଆକାଶର ଫେରିବାର ସବୁ ରାସ୍ତା ବନ୍ଦ ହୋଇଯାଇଥିଲା। ହେଲେ ପୃଥିବୀର କାନ୍ଦ ଓ ଚିତ୍କାର ଶୁଣି ଆକାଶ ମଧ୍ଯ ନିଜ କୋହ ଓ ଲୁହକୁ ଅଟକାଇ ପାରୁ ନଥାଏ। ଶେଷରେ ପୃଥିବୀ ନିଜ ହାତରେ ଆକାଶ ପାଇଁ ପ୍ରସ୍ତୁତ କରିଥିବା ସେ ବିରାଟ ରଙ୍ଗ ବେରଙ୍ଗର ଫୁଲମାଳକୁ ତା' ଉପରକୁ ଫୋପାଡି ଦେଲା। ମାଳଟି ଯାଇ ଆକାଶର ଗଳାରେ ପଡିଗଲା। ଉଭୟଙ୍କର ସ୍ୱର୍ଗିୟ ପ୍ରେମ ଦେଖି ଭଗବାନ ଉଭୟଙ୍କୁ ବରଦାନ ଦେଇ କହିଲେ ଯେତେବେଳେ ଏ ସୃଷ୍ଟିର ବିନାଶ ହେବ, ସେତେବେଳେ ପୃଥିବୀ ଓ ଆକାଶର ମିଳନ ସମ୍ଭବ ହେବ। ଆଉ ପୃଥିବୀ ଆକାଶ ଦେହରେ ସବୁଦିନ ପାଇଁ ବିଲିନ ହୋଇଯିବ।
ସେହିଦିନ ଠାରୁ ଆଜିଯାଏଁ ପୃଥିବୀ ଆକାଶର ଆସିବା ବାଟକୁ ଚାହିଁ ରହିଛି। ଆଉ ଆକାଶ ଆଜିବି ନିଜ ପ୍ରେମିକା ପୃଥିବୀର ବୀରହ ଯନ୍ତ୍ରଣାରେ ଜର୍ଜରିତ। ଆଉ ସେଥିପାଇଁତ ଯେତେବେଳେ ବି ଆକାଶର ପୃଥିବୀ କଥା ମନେପଡେ, ତା' ଆଖିରୁ ଝରିପଡେ ମୋତି ପରି ଟୋପା ଟୋପା ଲୁହ। ଯେଉଁଥିରେ ଭିଜିଯାଏ ପୃଥିବୀର ସମ୍ପୂର୍ଣ୍ଣ ଶରୀର। ଏହାପରେ ପୃଥିବୀ ମଧ୍ଯ ଧର୍ଯ୍ଯ ହରା ହୋଇଯାଏ ବେଳେବେଳେ, ସେଥିପାଇଁତ ପୃଥିବୀର ନଦୀ ନାଳରେ ବର୍ଷାପରେ ଆସେ କରାଳ ବନ୍ଯା। ତେବେ ଆକାଶ ଯେବେ ପୃଥିବୀ ଦେଇଥିବା ଫୁଲମାଳକୁ ନିଜ ଗଳାରେ ଲମ୍ବାଇ ଦିଏ, ସେ ତାର ସମସ୍ତ ଦୁଃଖକୁ ଭୁଲି ସ୍ମୃତିର ଦୁନିଆରେ ନିଜକୁ ହଜାଇ ସାଉଁଟିବାକୁ ପ୍ରୟାସ କରେ ପ୍ରେମର ସେହି ଅଭୁଲା ମୂହୁର୍ତ୍ତ ଗୁଡିକୁ। ଆଜିବି ସେ ଫୁଲମାଳକୁ ନିଜ ପାଖରେ ସାଇତି ରଖିଛି, ଯାହାକୁ ଆମେ ଇନ୍ଦ୍ରଧନୁ ବୋଲି କହୁଛନ୍ତି।
