ପ୍ରସକ୍ରିପସନ
ପ୍ରସକ୍ରିପସନ
ସକାଳର କୁହୁଡ଼ି ଠିକ୍ରେ ତୁଟି ନଥାଏ। ରମେଶ ବାବୁଙ୍କର ଦିନ ଆରମ୍ଭ ହୁଏ ବାରଣ୍ଡାରେ ପଡ଼ିଥିବା ଖବରକାଗଜ ଓ ହାତରୁ ଧୂଆଁ ବାହାରୁଥିବା ଏକ କପ୍ ଚା’ରୁ। "ମାଳତୀ, ଗାଧୁଆ ଘରେ ଗରମ ପାଣି ରଖିଲଣି? ମୋର ସେଇ ଧଳା ସାର୍ଟଟା ଟିକେ ଇସ୍ତ୍ରୀ କରିଦେବ, ଆଜି ଅଫିସ୍ରେ ବଡ଼ ମିଟିଂ ଅଛି," ଖବରକାଗଜରୁ ମୁହଁ ନ ଉଠାଇ ରମେଶ ବାବୁ କହିଲେ। ରୋଷେଇ ଘର ଭିତରୁ କୁକରର ସିଟି ଶବ୍ଦ ସହ ମାଳତୀର ଅସ୍ପଷ୍ଟ ସ୍ୱର ଶୁଭିଲା— "ହଁ, ସବୁ ଥୁଆ ହୋଇଛି।" ଏହା ଥିଲା ରମେଶ ବାବୁଙ୍କ ଘରର ଦୈନନ୍ଦିନ ଦୃଶ୍ୟ। ସବୁକିଛି ଘଣ୍ଟାର କଣ୍ଟା ପରି ନିର୍ଭୁଲ୍ ଭାବରେ ଚାଲେ। ଅଫିସ୍ ଯିବା ବେଳେ ଟିଫିନ୍ ବାକ୍ସ, ରୁମାଲ୍, ମନିପର୍ସଠାରୁ ଆରମ୍ଭ କରି ବାଇକ୍ ଚାବି ପର୍ଯ୍ୟନ୍ତ ସବୁକିଛି ତାଙ୍କ ହାତ ପାହାନ୍ତାରେ ମିଳିଯାଏ। ରମେଶ ବାବୁ ବେଶ୍ ଆତ୍ମସନ୍ତୋଷ ଲାଭ କରନ୍ତି ଯେ, ସେ ଜଣେ ଶୃଙ୍ଖଳିତ ମଣିଷ ଏବଂ ତାଙ୍କରି ରୋଜଗାରରେ ସଂସାରଟି ବେଶ୍ ସୁରୁଖୁରୁରେ ଗଡ଼ି ଚାଲିଛି। ଏଥିରେ ଭାବିବା ବା ପ୍ରଶ୍ନ କରିବାର କିଛି ନଥିଲା। ଏଇଟା ହିଁ ତ ସଂସାରର ନିୟମ। କିନ୍ତୁ ସେଦିନ ଅଫିସ୍ରୁ ଫେରିବା ବେଳକୁ ଦୃଶ୍ୟଟା ଟିକିଏ ଅଲଗା ଥିଲା। ଘରଟା ଅନ୍ଧାର। ଦାଣ୍ଡ କବାଟ ଖୋଲା ଅଛି, ଅଥଚ ଟିଭି ଚାଲିନି କି ରୋଷେଇ ଘରୁ ବାସ୍ନା ଆସୁନି। ବେଡରୁମ୍ରେ ପହଞ୍ଚି ରମେଶ ଦେଖିଲେ, ମାଳତୀ କମ୍ବଳ ଘୋଡ଼େଇ ହୋଇ ଶୋଇଛି। ଭୀଷଣ ଜ୍ୱରରେ ଦେହଟା ତାତିଲା ତାୱା ପରି ପୋଡ଼ି ଯାଉଛି। ରମେଶ ଟିକେ ବ୍ୟସ୍ତ ହୋଇପଡ଼ିଲେ। "ବ୍ୟସ୍ତ ହୁଅନି, ତୁମେ ବିଶ୍ରାମ ନିଅ। କାଲି ମୁଁ ଛୁଟି ନେଇଯିବି, ସବୁ ସମ୍ଭାଳି ନେବି।" ସେଦିନ ରାତିଟା କୌଣସି ମତେ ବାହାରୁ ଖାଦ୍ୟ ଆଣି କଟିଗଲା। କିନ୍ତୁ ତା’ ପରଦିନ ସକାଳୁ ଯେମିତି ସଂସାରର ଚକଟା ହଠାତ୍ ଜାମ୍ ହୋଇଗଲା। ରମେଶ ବାବୁ ରୋଷେଇ ଘରେ ପଶିଲେ ଚା’ କରିବାକୁ। ଚିନି ଡବା କେଉଁଠି ମିଳିଲା ନାହିଁ। କ୍ଷୀର ଉତୁରି ଗ୍ୟାସ୍ ଚୁଲା ଖରାପ ହେଲା। ପିଲାଙ୍କୁ ଉଠାଇ, ଗାଧୋଇ, ତାଙ୍କ ସ୍କୁଲ୍ ୟୁନିଫର୍ମ ଖୋଜିବା ବେଳକୁ ରମେଶ ଝାଳରେ ଗାଧୋଇ ସାରିଥିଲେ। ବାଥରୁମ୍ରେ ସାବୁନ୍ ନଥିଲା, ୱାସିଂ ମେସିନ୍ରେ ଦୁଇ ଦିନର ଲୁଗା ଜମା ହୋଇ ରହିଥିଲା। ମାତ୍ର ବାର ଘଣ୍ଟା ଭିତରେ ଘରଟା ଯେମିତି ଏକ ଅସ୍ତବ୍ୟସ୍ତ ଗୋଦାମ ଘର ପାଲଟିଗଲା। ପ୍ରତିଟି ଛୋଟ ଛୋଟ କାମ, ଯାହା କାଲି ପର୍ଯ୍ୟନ୍ତ 'ଆପେ ଆପେ ହୋଇଯାଉଥିଲା' ବୋଲି ରମେଶ ଭାବୁଥିଲେ, ତାହା ପଛରେ ଥିବା ଏକ ଅଦୃଶ୍ୟ ମଣିଷର ହାଡ଼ଭଙ୍ଗା ପରିଶ୍ରମର ଚିତ୍ର ତାଙ୍କ ଆଖି ଆଗରେ ନାଚି ଉଠିଲା। ଖରାବେଳେ ମାଳତୀ ପାଇଁ ଔଷଧ ଖୋଜିବାକୁ ଯାଇ ରମେଶ ତା’ର ପୁରୁଣା ଆଟାଚିଟି ଖୋଲିଲେ। ଭିତରେ କିଛି ପୁରୁଣା ଶାଢ଼ୀ ତଳେ ଗୋଟିଏ ଛୋଟ ଡାକ୍ତରୀ ଫାଇଲ୍ ଥିଲା। ଫାଇଲ୍ଟି ଦେଖି ରମେଶ ଆଶ୍ଚର୍ଯ୍ୟ ହେଲେ। ସେଥିରେ ଆଜକୁ ଛଅ ମାସ ତଳର ଏକ ପ୍ରେସକ୍ରିପସନ୍ ଥିଲା— ମାଳତୀର ନାମରେ। ଅଣ୍ଟା ବିନ୍ଧା ଓ କ୍ୟାଲସିୟମ୍ ଅଭାବ ପାଇଁ ଡାକ୍ତର କିଛି ଦାମୀ ଔଷଧ ଓ ଏମ୍.ଆର୍.ଆଇ (MRI) କରିବାକୁ ଲେଖିଥିଲେ। ରମେଶଙ୍କର ମନେ ପଡ଼ିଲା, ଛଅ ମାସ ତଳେ ସେ ଦିନେ ଅଫିସ୍ ଯିବା ବେଳେ ମାଳତୀ ଡାକ୍ତରଖାନା ଯିବା କଥା କହିଥିଲା। କିନ୍ତୁ ସେହି ସମୟରେ ରମେଶଙ୍କର ନୂଆ ବାଇକ୍ କିଣିବାର ଥିଲା। ବାଇକ୍ ପାଇଁ ଟଙ୍କା କମ୍ ପଡ଼ୁଥିବାରୁ ସେ ମନ ଦୁଃଖ କରିଥିଲେ। ତା’ ପରଦିନ ମାଳତୀ ଆଉ ଡାକ୍ତରଖାନା କଥା ଉଠାଇ ନଥିଲା। ସେ ନିଜର ଦେହଖରାପ କଥା ଲୁଚାଇ ଦେଇଥିଲା, ଯେପରି ରମେଶଙ୍କ ସଉକରେ କୌଣସି ବାଧା ନ ଆସେ। ସେହି ପ୍ରେସକ୍ରିପସନ୍ ସହ ଗୋଟିଏ ଖାଲି ଖାମ୍ ଭିତରେ କିଛି ଖୁଚୁରା ଟଙ୍କା ଓ ଶହେ ଟଙ୍କିଆ ନୋଟ୍ ମିଶି ପାଞ୍ଚ ଶହ ଟଙ୍କା ଥିଲା, ଯାହା ବୋଧହୁଏ ସେ ଘର ଖର୍ଚ୍ଚରୁ ବଞ୍ଚାଇ ରଖିଥିଲା ନିଜ ଚିକିତ୍ସା ପାଇଁ। ସେହି ମଳିନ କାଗଜ ଫର୍ଦ୍ଦଟି ରମେଶଙ୍କ ହାତରେ ଯେମିତି ନିଆଁ ପରି ଲାଗିଲା। ଏକ ମଧ୍ୟବିତ୍ତ ପୁରୁଷର ମିଥ୍ୟା ଅହଂକାର ଆଜି ସେହି ଦୁର୍ବଳ କାଗଜ ଫର୍ଦ୍ଦ ଆଗରେ ଧୂଳିସାତ୍ ହୋଇଯାଇଥିଲା। ସେ ଅନୁଭବ କଲେ, ଯେଉଁ ସଂସାରକୁ ସେ କେବଳ ନିଜ ଟଙ୍କାରେ ଚାଲୁଛି ବୋଲି ଗର୍ବ କରୁଥିଲେ, ସେହି ସଂସାର ପ୍ରକୃତରେ ମାଳତୀର ରକ୍ତ, ଝାଳ ଏବଂ ନିଜ ଆବଶ୍ୟକତାକୁ ତିଳ ତିଳ କରି ମାରିବାର ଶ୍ମଶାନ ଉପରେ ଠିଆ ହୋଇଛି। ସେ ଧୀରେ ଧୀରେ ଯାଇ ଜ୍ୱରରେ ଶୋଇଥିବା ମାଳତୀର ଶିରହାନରେ ବସିଲେ ଏବଂ ତା'ର ଶୁଖିଲା ହାତଟିକୁ ନିଜ ହାତ ମୁଠାରେ ଧରି ନୀରବରେ ଭିତରେ ଭିତରେ ଭାଙ୍ଗି ପଡ଼ିଲେ। ରମେଶ (ରୁଦ୍ଧ କଣ୍ଠରେ ପ୍ରେସକ୍ରିପସନ୍ ଦେଖାଇ): "ମାଳତୀ... ଏ କାଗଜଟା କ’ଣ?" ମାଳତୀ (କ୍ଷୀଣ ସ୍ୱରରେ, ଜ୍ୱରରେ ଆଖି ଖୋଲି): "କେଉଁଟା? ଓଃ, ସେଇଟା... ପୁରୁଣା କାଗଜ। ସେମିତି ଥୁଆ ହୋଇଥିଲା।" ରମେଶ: "ସେମିତି ଥୁଆ ହୋଇନଥିଲା। ଏଥିରେ ଏମ୍.ଆର୍.ଆଇ. କରିବାକୁ ଲେଖା ଅଛି। ଛଅ ମାସ ହେଲାଣି, ତୁମେ ମୋତେ କହିଲନି କାହିଁକି?" ମାଳତୀ (ଆଖି ବୁଲାଇ ନେଇ): "ତୁମେ ତ ସେତେବେଳେ ନୂଆ ବାଇକ୍ କିଣିବାକୁ ଚାହୁଁଥିଲ। ଟଙ୍କା କମ୍ ପଡ଼ୁଥିବାରୁ ମନ ଦୁଃଖ କରୁଥିଲ। ମୁଁ କହିଥିଲେ ତୁମେ କ’ଣ ବାଇକ୍ କିଣିଥାନ୍ତ? ମୋର ତ ଟିକିଏ ଅଣ୍ଟା ବିନ୍ଧା, ହୋଇଯିବ ଠିକ୍। କିନ୍ତୁ ବାଇକ୍ ନ ଥିଲେ ତୁମକୁ ଅଫିସ୍ ଯିବାରେ କେତେ କଷ୍ଟ ହେଉଥିଲା।" ରମେଶ (ଗଭୀର ଅନୁତାପରେ): "ତୁମ ଦେହଖରାପ ଲୁଚାଇ ମୋ ସଉକ ପାଇଁ ଟଙ୍କା ବଞ୍ଚାଇଲ? ଆଉ ମୁଁ ମୂର୍ଖ... ସବୁବେଳେ ନିଜ କଥା ହିଁ ଭାବୁଥିଲି। ଛଅ ମାସ ଧରି କଷ୍ଟ ପାଉଥିଲ, କିନ୍ତୁ ଟିକିଏ ବି ଜଣାଇଲନି?" ମାଳତୀ (ରମେଶଙ୍କ ହାତକୁ ଆସ୍ତେ ଚାପିଧରି): "ଏବେ ସେ କଥା ଛାଡ଼। ତୁମେ ବାଇକ୍ରେ ଖୁସିରେ ଅଫିସ୍ ଗଲେ ମୋର ସବୁ କଷ୍ଟ ଦୂର ହୋଇଯାଏ।" ରମେଶ (ଦୃଢ଼ ସ୍ୱରରେ, ଆଖିରୁ ଲୁହ ପୋଛି): "ନା, ମାଳତୀ। ଆଉ ନୁହେଁ। ତୁମେ ସବୁବେଳେ ନିଜକୁ ପଛରେ ରଖି ମୋତେ ଆଗକୁ କରିଛ। ଏବେ ମୋର ପାଳି। କାଲି ହିଁ ଆମେ ଡାକ୍ତରଙ୍କ ପାଖକୁ ଯିବା, ସବୁ ଟେଷ୍ଟ କରାଇବା। ଟଙ୍କା କଥା ଚିନ୍ତା କରନି, ତୁମଠାରୁ ବଡ଼ କିଛି ନୁହେଁ।" ××××××××××××××××××××××××××ସାଧାରଣ ମଧ୍ୟବିତ୍ତ ସଂସାରରେ ସ୍ତ୍ରୀଟିଏ କେବେହେଲେ ବିପ୍ଳବ କରେ ନାହିଁ କିମ୍ବା ନିଜ ଅସ୍ତିତ୍ୱର ଡିଣ୍ଡିମ ପିଟେ ନାହିଁ। ସେ ସେହି ଦୀପର ସଳିତା ପରି, ଯିଏ ନିଜେ ଜଳି ଜଳି ପାଉଁଶ ହୋଇଯାଏ, ଅଥଚ ଦୀପଦାନି ହିଁ ଭାବେ ଯେ ଆଲୁଅ ତା'ରି ଦାନ। ପରିବାରର ସୁଖ ପାଇଁ ଜଣେ ନାରୀର ଏହି ନୀରବ ଆତ୍ମାହୁତି ଏତେ ସ୍ୱାଭାବିକ ମନେହୁଏ ଯେ, ତା'ର ଅନୁପସ୍ଥିତି ବିନା ପୁରୁଷ କେବେହେଲେ ତା'ର ପ୍ରକୃତ ମୂଲ୍ୟ କଳନା କରିପାରେ ନାହିଁ। ପରିବାରର ଇମାରତ ପୁରୁଷର ଅର୍ଥରେ ନୁହେଁ, ବରଂ ନାରୀର ଅଦୃଶ୍ୟ ବଳିଦାନର ଇଟା-ସିମେଣ୍ଟରେ ଗଢ଼ା ହୋଇଥାଏ।
