କାଳ ପୁରୁଷ ର ହିସାବ
କାଳ ପୁରୁଷ ର ହିସାବ
ରାତ୍ରିର ତୃତୀୟ ପ୍ରହର। ବାହାରେ କାଳବୈଶାଖୀର ଭୟଙ୍କର ତାଣ୍ଡବ ସହ ମେଘର ଗୁରୁଗମ୍ଭୀର ଗର୍ଜନ। ସହରର ସବୁଠାରୁ ପ୍ରଭାବଶାଳୀ ତଥା କୋଟିପତି ଜମିଦାର ଦୀନବନ୍ଧୁ ଚୌଧୁରୀଙ୍କ ବିଶାଳ ପ୍ରାସାଦର ସୁସଜ୍ଜିତ କକ୍ଷରେ କିନ୍ତୁ ଏକ ଅସ୍ୱାଭାବିକ ନୀରବତା ରାଜତ୍ୱ କରୁଥିଲା। ଛାତିରେ ଉଠୁଥିବା ପ୍ରବଳ ଯନ୍ତ୍ରଣା ତାଙ୍କ ଶରୀରକୁ ଅବଶ କରି ଦେଉଥାଏ, ତଥାପି ତାଙ୍କ ଆଖିରେ ଥିଲା ବଞ୍ଚି ରହିବାର ଅଦମ୍ୟ ଇଚ୍ଛା । ସେ ହାରିଯିବା ମଣିଷ ନୁହଁନ୍ତି। ହଠାତ୍... କାନ୍ଥ ଘଣ୍ଟାର ‘ଟିକ୍ ଟିକ୍’ ଶବ୍ଦ ଅଟକି ଗଲା। କକ୍ଷର କ୍ଷୀଣ ଆଲୋକରେ ଫୁଟି ଉଠିଲା ଏକ ବିଶାଳ, କୃଷ୍ଣକାୟ ଅଥଚ ତେଜୋମୟ ଛାୟା। ମହାକାଳର ସାରଥି— "କାଳପୁରୁଷ" ତାଙ୍କ ଆଖିରେ ନଥିଲା କ୍ରୋଧ, ନଥିଲା ଦୟା; ଥିଲା ସମୁଦ୍ର ଭଳି ଏକ ଅତଳ, ନିର୍ବିକାର ଶୂନ୍ୟତା। ତାଙ୍କୁ ଦେଖି ଦୀନବନ୍ଧୁ ଭୟଭୀତ ହେଲେ ନାହିଁ, ବରଂ ତାଙ୍କ ଭିତରର ଦାମ୍ଭିକ ଜମିଦାର ଗର୍ଜି ଉଠିଲା। ଦୀନବନ୍ଧୁ: (ବିରକ୍ତି ଓ ଅହଙ୍କାରସହ) "କିଏ ତୁମେ? ଏ ବନ୍ଦ କୋଠରୀ ଭିତରକୁ ଆସିବାର ସାହସ କିଏ ଦେଲା? ତୁମେ ବୋଧହୁଏ ଜାଣିନାହଁ ମୁଁ ଦୀନବନ୍ଧୁ ଚୌଧୁରୀ.... ଏ ସହର ର ଭାଗ୍ୟ ବିଧାତା । ଯାହା ଦରକାର ମୋ ମୁନିମକୁ ମାଗ, କିନ୍ତୁ ମୋ ଆଗରୁ ଚାଲିଯାଅ!.... ତୁମ ଏହି ରୂପ ମୋତେ ଅସହ୍ୟ ଲାଗୁଚି " କାଳପୁରୁଷ: (ଓଠରେ ଏକ ତାଚ୍ଛଲ୍ୟଭରା ଦାର୍ଶନିକ ହସ ଖେଳାଇ) "ମୁନିମ? ମହାକାଳର ଦରବାରରେ ମୁନିମ ନୁହେଁ, କେବଳ ଆତ୍ମାର ହିସାବ ନିଆଯାଏ। ମୁଁ ସମୟର ଶେଷ ସୀମା। ମୁଁ ସେହି ଶାଶ୍ୱତ ବିନ୍ଦୁ, ଯେଉଁଠି ସିକନ୍ଦରଙ୍କ ତରବାରୀ ଆଉ କୁବେରଙ୍କ ଭଣ୍ଡାର— ଉଭୟ ମାଟିରେ ମିଶିଯାଏ। ଦୀନବନ୍ଧୁ, ତୋର ଏଇ ସାମ୍ରାଜ୍ୟ ଆଜିଠାରୁ ଅତୀତ। ତୋର ପୃଥିବୀର ଅଭିନୟ ସରିଆସିଲାଣି। ବାହାରିବାର ବେଳ ଆସିଗଲା।" ଦୀନବନ୍ଧୁ: (ଦାନ୍ତ କାମୁଡ଼ି, ବିଛଣାରୁ ଉଠିବାକୁ ଚେଷ୍ଟା କରି) "ଅସମ୍ଭବ! ତୁମେ ମୋତେ ନେଇପାରିବ ନାହିଁ। ତୁମେ ଜାଣିଛ, ମୋ ବିନା ଏ ସହରଟା ଅଚଳ ହୋଇଯିବ? ହଜାର ହଜାର ଶ୍ରମିକ ମୋ କଳକାରଖାନାରେ କାମ କରୁଛନ୍ତି। ମୁଁ ସେମାନଙ୍କର ଅନ୍ନଦାତା! ମୁଁ ସେମାନଙ୍କ ପାଇଁ ଭଗବାନଙ୍କ ଠାରୁ କମ୍ ନୁହେଁ। ମୋର ବଞ୍ଚିବା ନିହାତି ଦରକାର। ନିଅ, ମୋ ସିନ୍ଦୁକରୁ ଦଶ କୋଟି ଟଙ୍କା ନେଇଯାଅ,ଯଦି ଦରକାର ଆହୁରି ନିଅ....କିନ୍ତୁ ମୋତେ ଆଉ ପନ୍ଦର ଦିନର ଆୟୁଷ ଦିଅ।" କାଳପୁରୁଷ: "ଦଶ କୋଟି? ହା.. ହା.... ହା... ଭୟଙ୍କର ସେ ହସ... ସେ ହସ ରେ ଦୀନବନ୍ଧୁ ର ଦାମ୍ଭିକ ହୃଦୟ ବି ଥରିଗଲା..... କାଳ ପୁରୁଷ କହି ଚାଲିଲେ,"ହେ ମୂର୍ଖ ମଣିଷ! ମୋର ଏ ମହାଶୂନ୍ୟର ବଜାରରେ ତୋର ସେଇ କାଗଜ ଟୁକୁଡ଼ା ଓ ହଳଦିଆ ଧାତୁର ମୂଲ୍ୟ ମୁଠାଏ ପାଉଁଶ ସହ ସମାନ। ଆଉ ତୁ କହୁଛୁ ତୁ ଅନ୍ନଦାତା? କି ବିଚିତ୍ର ତୋର ଏ ଅହଙ୍କାର! ତୁ ଅନ୍ନଦାତା ନୁହେଁ ଦୀନବନ୍ଧୁ, ତୁ ଏକ ନିର୍ଦ୍ଦୟ ଶୋଷକ। ସେଇ ଶ୍ରମିକମାନଙ୍କ ଝାଳ ଆଉ ରକ୍ତକୁ ଶୋଷି ତୋର ଏ ପ୍ରାସାଦ ଠିଆ ହୋଇଛି। କିନ୍ତୁ କହ... ମୃତ୍ୟୁକୁ ସାମ୍ନାରେ ଦେଖି ମଧ୍ୟ ତୋର ଆଉ ପନ୍ଦର ଦିନ ବଞ୍ଚିବାର ଏତେ ବ୍ୟାକୁଳତା କାହିଁକି?" ଦୀନବନ୍ଧୁ: ( ଭୟ ଆଉ ରାଗରେ ଥରି ଥରି) "କାରଣ... ରମାକାନ୍ତ ମୋଠାରୁ ପଚାଶ ଲକ୍ଷ ଟଙ୍କା କରଜ ନେଇଛି! ଶ୍ୟାମସୁନ୍ଦରର କୋଡ଼ିଏ ଲକ୍ଷ ସୁଧ ବାକି ଅଛି... ମଧୁ ସାହୁକାର... ମଦନ... ଓ ଆହୁରି ଅନେକ... ନା... ମୋତେ ବଞ୍ଚିବାକୁ ହବ ! ମୁଁ ନିଜ ବୁଦ୍ଧି ବଳରେ କୋଟି କୋଟି ଟଙ୍କା କମାଇଛି। ମୁଁ ଯଦି ଆଜି ମରିଯାଏ, ସେ ଠକଗୁଡ଼ାକ ମୋର ଝାଳବୁହା ଧନକୁ ମାଗଣାରେ ବସି ଖାଇବେ! ନା, ମୁଁ ଏହା କଦାପି ହେବାକୁ ଦେବିନି। ମୁଁ ସେମାନଙ୍କ ରକ୍ତ ପିଇଯିବି, ସବୁ ହିସାବ ନିକାଶ କରିବି, ତା’ ପରେ ଯାଇ ମରିବି!" କାଳପୁରୁଷଙ୍କ କଣ୍ଠସ୍ୱର ଏକ ପ୍ରଚଣ୍ଡ ଝଡ଼ ପରି ଭୟଙ୍କର ହୋଇଉଠିଲା। ସେହି ସ୍ୱରରେ ଥିଲା ଅନନ୍ତ ଜ୍ଞାନ ଆଉ ଚରମ ନିଷ୍ଠୁରତା। କାଳପୁରୁଷ:"ତୋର ବୁଦ୍ଧି? ତୋର ଧନ? ହା.. ହା... ହା... ସେ ଭୟଙ୍କର ହସ ଯେଭଳି ଦୀନବନ୍ଧୁ ର କାନ ଭିତରେ ପଶି ତା ପିଞ୍ଜରା ହାଡ଼ କୁ ଥରାଇଦେଉଥିଲା.... କାଳ ପୁରୁଷ :"ନିଜ ହାତକୁ ଥରେ ଚାହିଁ ଦେଖ ଦାମ୍ଭିକ! ଏଇ ଦୁର୍ବଳ ଶିରାପ୍ରଶିରାରେ ଆଉ ବନ୍ଦ ହୋଇଆସୁଥିବା ନିଶ୍ୱାସ ଉପରେ ତୋର ନିଜର ନିୟନ୍ତ୍ରଣ ନାହିଁ, ଆଉ ତୁ ଅନ୍ୟର ରକ୍ତ ପିଇବାର ସ୍ୱପ୍ନ ଦେଖୁଛୁ? ଦେଖ... ମହାକାଳର ଦର୍ପଣକୁ ଦେଖ। ତୋ ଠାରୁ କୋଟି ଗୁଣ କ୍ଷମତାଶାଳୀ ସମ୍ରାଟମାନେ ଖାଲି ହାତରେ ମାଟିରେ ମିଶିଯାଇଛନ୍ତି। ତୋର ଏ ସୁନା, ଏ ବ୍ୟାଙ୍କ ବାଲାନ୍ସ— ଗୋଟିଏ ବି ମୁଦ୍ରା ତୋତେ ଗୋଟିଏ ଅତିରିକ୍ତ ନିଶ୍ୱାସ ଦେଇପାରିବ କି?" ଦୀନବନ୍ଧୁଙ୍କର ସବୁ ଯୁକ୍ତି ହଠାତ୍ ଅଟକିଗଲା। ସେ ଅନୁଭବ କଲେ ତାଙ୍କର ଶ୍ୱାସରୁଦ୍ଧ ହୋଇଆସୁଛି। କାଳପୁରୁଷ: "ତୁ ସମସ୍ତଙ୍କୁ ଋଣ ଦେଇଛୁ ବୋଲି ଗର୍ବ କରୁଛୁ? କିନ୍ତୁ ଏ ମହାକାଳର ଖାତାରେ ସବୁଠାରୁ ବଡ଼ ଋଣୀ ହେଉଛୁ ତୁ ନିଜେ! ତୁ ପୃଥିବୀରୁ କେବଳ ନେଇଛୁ, ପ୍ରତିବଦଳରେ କେବଳ ଲୁହ ଓ ହାହାକାର ଦେଇଛୁ। ତୁ ମହାଶୂନ୍ୟରୁ ଯେଉଁ ନିଶ୍ୱାସର ‘ଋଣ’ ଆଣିଥିଲୁ, ଆଜି ତା’ର ମିଆଦ ପୂରିଯାଇଛି। ସୁଧମୂଳ ସହ ତାକୁ ଫେରାଇ ଦେବାର ବେଳ ଆସିଛି। ପ୍ରକୃତ ଦରିଦ୍ର ସିଏ, ଯିଏ ମଲା ବେଳକୁ କେବଳ ଟଙ୍କା ଛାଡ଼ି ଯାଏ, କିନ୍ତୁ କାହାରି ଟିକିଏ ଭଲପାଇବା କି ଆଶୀର୍ବାଦ ନୁହେଁ। ତୋର ଏହି ପାର୍ଥିବ ହିସାବ ଖାତାର ମୂଲ୍ୟ ଶୂନ୍ୟ। ତୋର ଆତ୍ମା କାଙ୍ଗାଳ ଦୀନବନ୍ଧୁ... ସମ୍ପୂର୍ଣ୍ଣ କାଙ୍ଗାଳ!" ଏହି ଶବ୍ଦଗୁଡ଼ିକ ଦୀନବନ୍ଧୁଙ୍କ ମସ୍ତିଷ୍କରେ ବଜ୍ରାଘାତ ପରି ବାଜିଲା। ତାଙ୍କ ଦାମ୍ଭିକତାର ଦୁର୍ଗ ଧୂଳିସାତ୍ ହୋଇଗଲା। ସେ ବୁଝିଗଲେ ଯେ ସାରା ଜୀବନ ସେ ଯେଉଁ ଧନ ପଛରେ ଗୋଡ଼ାଇଥିଲେ, ତାହା କେବଳ ଏକ ମରୀଚିକା। ଏକ ଅସହାୟତା ତାଙ୍କୁ ଗ୍ରାସ କଲା। ସେ କାଳ ପୁରୁଷ ଆଗରେ ଆଣ୍ଠେଇ ପଡିଲେ... କାକୁତି କଲେ... ମୋତେ ଶେଷ ସୁଯୋଗ ଦିଅ ହେ ଦୀର୍ଘଦେହୀ.... ମୁଁ ଦୀନବନ୍ଧୁ ଜୀବନରେ କେବେ ବି କାହା ଆଗରେ ହାତ ପତାଇ ନାହିଁ... ମୁଣ୍ଡ ନୁଆଁଇ ନାହିଁ... ତୁମକୁ ଭିକ୍ଷା ମାଗୁଛି... କିଛି ଦିନ ବଞ୍ଚିବାକୁ ଦିଅ... ହା.. ହା... ହା.... ସେହି ଭୟଙ୍କର ହସ... ଦୀନବନ୍ଧୁ ଦେଖିଲେ ଗୋଟିଏ କଳା ଫାସ ତାଙ୍କ ଉପରକୁ ମାଡି ଆସୁଛି.....ସେ ଶେଷ ଥର ପାଇଁ ଚିତ୍କାର କରି ଉଠିବାକୁ ଚେଷ୍ଟା କଲେ— "ନାଆଁଆଁଆଁ..." ହଠାତ୍... ତାଙ୍କର ଆଖି ଖୋଲିଗଲା। ଦୂର ଶିବ ମନ୍ଦିରରୁ ପ୍ରାତଃ ଆଳତିର ଘଣ୍ଟଧ୍ୱନି ଶୁଭୁଥିଲା। ସକାଳର କଅଁଳ ଖରା ଝରକା ଦେଇ ତାଙ୍କ ମୁହଁରେ ପଡ଼ୁଥିଲା। ଦେହ ସାରା ଝାଳରେ ଭିଜି ଯାଇଥିଲା। ରାତିର ସେହି ଦୀର୍ଘ ଯୁକ୍ତି ଓ ଭୟଙ୍କର ସତ୍ୟର ସାମ୍ନା କରି ସେ ନିଶ୍ଚଳ ହୋଇ ବିଛଣାରେ ବସିରହିଲେ।ସେ ଦୀର୍ଘ ସମୟ ଧରି ନିଜର ଥରୁଥିବା ହାତକୁ ଚାହିଁଲେ, ନିଜର ଶ୍ୱାସକ୍ରିୟାକୁ ଅନୁଭବ କଲେ। କାଳପୁରୁଷର ସେହି କଥାଗୁଡ଼ିକ ତାଙ୍କ କାନରେ ଗୁଞ୍ଜରିତ ହେଉଥିଲା— "ତୋର ଆତ୍ମା କାଙ୍ଗାଳ ଦୀନବନ୍ଧୁ... ସମ୍ପୂର୍ଣ୍ଣ କାଙ୍ଗାଳ!" ସେ ବୁଝିଗଲେ ଯେ ସେ ପ୍ରକୃତରେ ଏ ସବୁର ମାଲିକ ନୁହଁନ୍ତି, କେବଳ ଏକ ସାମୟିକ ରକ୍ଷକ ମାତ୍ର। ଏ ସବୁ ଏକ ନିର୍ଦ୍ଦିଷ୍ଟ ସମୟର ଖେଳ। ଅହଙ୍କାରର ବୋଝଟା ହଠାତ୍ ତାଙ୍କ ଛାତିରୁ ଖସିଗଲା ପରି ଲାଗିଲା। ଏକ ପରିପକ୍ୱ, ବାସ୍ତବିକ ବୁଝାମଣା ତାଙ୍କ ଭିତରେ ଜନ୍ମ ନେଲା। ସେ ଧୀର ପଦକ୍ଷେପରେ ଉଠିଲେ। ଆଲମାରି ଖୋଲି ସେହି ‘ହିସାବ ଖାତା’ଟିକୁ ହାତରେ ଧରିଲେ। ଆଗରୁ ଏହାକୁ ଧରିଲେ ତାଙ୍କ ଭିତରେ ଲୋଭ ଓ କ୍ଷମତାର ଗର୍ବ ଖେଳିଯାଉଥିଲା, କିନ୍ତୁ ଆଜି ଏହା ତାଙ୍କୁ ଗୋଟିଏ ଓଜନିଆ ଲୁହା ଶିକୁଳି ପରି ଲାଗିଲା, ଯାହା ତାଙ୍କ ଆତ୍ମାକୁ ବାନ୍ଧି ରଖିଥିଲା। ସେ ଶାନ୍ତ କଣ୍ଠରେ ମୁନିମକୁ ଡାକିଲେ। "ମୁନିମ ବାବୁ... ରମାକାନ୍ତ ଆଉ ଶ୍ୟାମସୁନ୍ଦରଙ୍କର ଜମି ପଟ୍ଟା ସେମାନଙ୍କୁ ଫେରାଇ ଦିଅ। ସେମାନଙ୍କର ଋଣ କ୍ଷମା କରାଗଲା। ସେମାନଙ୍କୁ ଆଉ ଗୋଟିଏ ପଇସା ଦେବାକୁ ପଡ଼ିବନି।"ସଭିଙ୍କ ଜମି ଫେରାଇଦିଅ ମୁନିମ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ, "ଆଜ୍ଞା? କିନ୍ତୁ ଆମର ଲକ୍ଷ ଲକ୍ଷ ଟଙ୍କାର କ୍ଷତି ହୋଇଯିବ ଯେ!" "କ୍ଷତି ନୁହେଁ ମୁନିମ ବାବୁ, ଲାଭ," ଦୀନବନ୍ଧୁଙ୍କ ମୁହଁରେ ଏକ ସ୍ଥିର ହସ ଫୁଟି ଉଠିଲା। ସେହି ହସରେ ଆଉ କୌଣସି ଦମ୍ଭ ନଥିଲା, ଥିଲା ଏକ ନିର୍ମଳ ଶାନ୍ତି ଓ ବୈରାଗ୍ୟ। "ସାରା ଜୀବନ ମୁଁ କେବଳ କାଗଜ ଟୁକୁଡ଼ା ସାଉଁଟିଲି, କିନ୍ତୁ ଆଶୀର୍ବାଦର ଖାତାଟା ଖାଲି ରହିଗଲା। ଏବେ ଏ ସଂସାରରୁ ବିଦାୟ ନେବା ପୂର୍ବରୁ ସେହି ଖାତାକୁ ଟିକେ ଭରିବାକୁ ପଡ଼ିବ। ମୋର ସମ୍ପତ୍ତିରୁ ଗୋଟିଏ ବଡ଼ ଭାଗ ନେଇ ଏକ ଟ୍ରଷ୍ଟ ଗଠନ କର, ଯାହା ଏ ସହରର ଗରିବ ରୋଗୀମାନଙ୍କର ମାଗଣା ଚିକିତ୍ସା କରିବ। କାରଣ ମହାକାଳର ଦରବାରରେ ଏଇ ସୁନା ରୂପା ନୁହେଁ, କେବଳ ଆମର କର୍ମ ହିଁ ଯୋଗ୍ୟତା ପ୍ରମାଣ କରେ।" ଦୀନବନ୍ଧୁ ବାବୁଙ୍କର ଏହି ପରିବର୍ତ୍ତନ କୌଣସି ଆବେଗିକ ଦୁର୍ବଳତା ନଥିଲା; ତାହା ଥିଲା ଅହଙ୍କାର ଏବଂ ସତ୍ୟ ମଧ୍ୟରେ ହୋଇଥିବା ଏକ ତୀବ୍ର ଦ୍ୱନ୍ଦ୍ୱରୁ ଉପୁଜିଥିବା ଆତ୍ମଦର୍ଶନ। ସେହି ଦିନଠାରୁ ଦୀନବନ୍ଧୁ ଆଉ କେବଳ ନାମରେ ନୁହେଁ, ପ୍ରକୃତ ଅର୍ଥରେ 'ଦୀନ-ବନ୍ଧୁ' ପାଲଟି ଯାଇଥିଲେ।
