ପ୍ରେମ vs ପ୍ରେମ
ପ୍ରେମ vs ପ୍ରେମ
କୌଣସି ଏକ ନାମୀ କଫି ହାଉସ୍। ସଞ୍ଜର ଧୂସର ଆଲୁଅ କାଚ କବାଟ ଦେଇ ଭିତରକୁ ଆସୁଛି, ଠିକ୍ ଆଜିର ମଣିଷର ଅସ୍ପଷ୍ଟ ମନସ୍ତତ୍ତ୍ୱ ପରି। ଏସି କ୍ୟାବିନ୍ର ଗୋଟିଏ କୋଣରେ ଥିବା ଟେବୁଲ୍ ପାଖରେ ବସିଛନ୍ତି ତିନିଜଣ। ଗୋଟିଏ ପଟେ ନୂଆ ଯୁଗର ପ୍ରତିନିଧି ରିୟା ଓ ତାର ବୟଫ୍ରେଣ୍ଡ୍ ବିକ୍ରମ ଏବଂ ଅନ୍ୟ ପଟେ ରିୟାର ଅଜା, ପ୍ରଫେସର ସୋମନାଥ— ଇତିହାସ ଓ ସଂସ୍କୃତିର ଏକ ଚଳନ୍ତି ଏନସାଇକ୍ଲୋପିଡିଆ। ପ୍ରଫେସର ନିଜ ଚଷମା ଖସାଇ "ନୀଳଶୈଳ" ବହି ପଢ଼ିବାରେ ବ୍ୟସ୍ତ l ତାଙ୍କର ଧ୍ୟାନ ବହିରେ ଥିଲା ପରି ଲାଗୁଥିଲେ ବି, କାନ ଥିଲା ନାତି-ନାତୁଣୀଙ୍କ କଥାବାର୍ତ୍ତା ଉପରେ। ବିକ୍ରମ ନିଜ ସ୍ମାର୍ଟଫୋନ୍ରେ କିଛି ଦେଖୁ ଦେଖୁ ହଠାତ୍ କହିଉଠିଲା, "ଦେଖିଲୁ ରିୟା! ରୋହନ ଆଉ ସ୍ନେହାଙ୍କର ବ୍ରେକ୍-ଅପ୍ ହେଇଗଲା! ଦୁଇ ବର୍ଷର ରିଲେସନସିପ୍ ଖତମ୍। ଦୁଇ ଦିନ ତଳେ ଇନଷ୍ଟା ରେ ପୋଷ୍ଟ କରିଥିଲେ #happy_moments_with_my_bestie ଆଉ କାଲି ରାତିରେ ସ୍ନେହା ଇନଷ୍ଟାଗ୍ରାମରୁ ସବୁ ଫଟୋ ଡିଲିଟ୍ କରିଦେଲାଣି। ହା.. ହା.... ଏଇ ଦେଖ.. ଆଜି ସକାଳେ ରୋହନ ପୁଣି ଟିଣ୍ଡର (Tinder) ରେ ଆକ୍ଟିଭ୍ ହୋଇଗଲାଣି।" ରିୟା ନିଜ କଫି କପ୍ରୁ ଟିକିଏ ପିଇ ଏକଦମ୍ ସ୍ୱାଭାବିକ ଭାବରେ ଉତ୍ତର ଦେଲା, "ପରଫେକ୍ଟ! ଏଇଟା ହିଁ ତ ସବୁଠୁ ବଢ଼ିଆ କଥା। ନୋ ଡ୍ରାମା, ନୋ ଇମୋସନାଲ୍ ଅତ୍ୟାଚାର। ଆମ ଜେନେରେସନ୍ କେତେ sorted ଆଉ ପ୍ରାକ୍ଟିକାଲ୍। ଯଦି ଦୁଇଜଣଙ୍କର Vibe ମ୍ୟାଚ୍ କରୁନି, ମେଣ୍ଟାଲିଟି ଅଲଗା ହେଉଛି, ତେବେ ଅଯଥା ଗୋଟେ ଟକ୍ସିକ୍ ରିଲେସନସିପ୍ରେ କାନ୍ଦି କାନ୍ଦି ପଡ଼ି ରହିବାର ମାନେ କ'ଣ? ଆମର ଗୋଟିଏ ଲାଇଫ୍। ସିମ୍ପଲ୍ କ୍ଲିକ୍ ଆଉ ମୁଭ୍ ଅନ୍!" ବିକ୍ରମ ହସିଲା, "ଏକ୍ସାକ୍ଟଲି! ଆମେ ଏବେ ଗୋଟିଏ କ୍ଲିକ୍ରେ ପାର୍ଟନର ଖୋଜୁଛୁ, ଡେଟ୍ରେ ଯାଉଛୁ, ଆଉ ଜମିଲେନି ତ 'ମୁଭ୍ ଅନ୍' କରୁଛୁ। ପ୍ରେମ ଆଜିକାଲି ଫାଷ୍ଟ୍ ଫୁଡ୍ ଭଳି ହେବା ଦରକାର। କମ୍ପ୍ଲିକେସନ୍ସ ନଥିବ, ତୁରନ୍ତ ଖୁସି ମିଳିବ। ସେଇ ପୁରୁଣା କାଳିଆ 'ଲୈଲା-ମଜନୁ' ବା 'ଦେବଦାସ' ମାର୍କା ପ୍ରେମ ଆଉ ଆଜିର ଦୁନିଆରେ ଚଳିବନି।" ଏତିକି ବେଳେ ପ୍ରଫେସର ସୋମନାଥ ନିଜ ବହିଟିକୁ ବନ୍ଦ କରି ଧୀରେ ଟେବୁଲ୍ ଉପରେ ରଖିଲେ। ନାତି-ନାତୁଣୀଙ୍କ ଏହି ଆଧୁନିକ ତତ୍ତ୍ୱ ଶୁଣି ତାଙ୍କ ଓଠରେ ଏକ କ୍ଷୀଣ, ଦାର୍ଶନିକ ହସ ଖେଳିଗଲା। ତାଙ୍କ ଆଖିରେ ଥିଲା ଅନେକ ଶତାବ୍ଦୀର ଅଭିଜ୍ଞତା। "ଆଚ୍ଛା! ତେବେ ତୁମେ ଦୁଇଜଣ ଏଇ 'ଫାଷ୍ଟ୍ ଫୁଡ୍' ଆଉ 'ମୁଭ୍ ଅନ୍' କୁ ହିଁ ପ୍ରେମ ବୋଲି ଭାବି ନେଇଛ?" ଅଜାଙ୍କ ଗମ୍ଭୀର କିନ୍ତୁ ସ୍ନେହଭରା ସ୍ୱରରେ ଉଭୟେ ଟିକିଏ ଚମକି ପଡ଼ିଲେ। ରିୟା ଅପ୍ରସ୍ତୁତ ହୋଇ କହିଲା, "ଆରେ ଅଜା! ତୁମେ ଆମ କଥା ଶୁଣୁଥିଲ? ନାଇଁ ମାନେ, ଆମେ ତ ଖାଲି... ଆଜିକାଲିର ପ୍ରାକ୍ଟିକାଲ୍ କଥା କହୁଥିଲୁ। ତୁମ ସମୟର କଥା ଅଲଗା ଥିଲା ଅଜା। ଏବେ ସବୁ ବଦଳି ଗଲାଣି। ମହିଳାମାନେ ଆଜି ସ୍ୱାଧୀନ, ଆର୍ଥିକ ଭାବରେ ସବଳ। ଆଗ ପରି ସମାଜର ଭୟରେ କେହି ସବୁ ଅତ୍ୟାଚାର ସହି 'ସୀତା' ସାଜିବାକୁ ପ୍ରସ୍ତୁତ ନୁହଁନ୍ତି। ଯେଉଁଠି ସମାନତା ନାହିଁ, ସେଠୁ ବାହାରି ଆସିବାଟା ହିଁ ବୁଦ୍ଧିମାନର କାମ।" ବିକ୍ରମ ମଧ୍ୟ ସାହସ ବାନ୍ଧି କହିଲା, "ହଁ ଦାଦୁ। ଆଗରୁ ଯେଉଁଟାକୁ ଲୋକେ 'ତ୍ୟାଗ' କହୁଥିଲେ, ସେଥିରେ କେବଳ ଡିପ୍ରେସନ୍ ଆଉ ଫ୍ରଷ୍ଟ୍ରେସନ୍ ହିଁ ମିଳେ। ମେଣ୍ଟାଲ୍ ହେଲ୍ଥ୍କୁ ପ୍ରାଧାନ୍ୟ ଦେବାଟା କ'ଣ ଖରାପ?" ସୋମନାଥ ସେମାନଙ୍କ କଥା ଶୁଣି ହାଲୁକା ହସିଲେ। ତାଙ୍କ କଣ୍ଠସ୍ୱରରେ ଗମ୍ଭୀରତା ଓ ଏକ ଅଜ୍ଞାତ ଆବେଗର ମିଶ୍ରଣ ଥିଲା। ସେ କହିବା ଆରମ୍ଭ କଲେ, "ରିୟା ମା, ତୁମେ ନାରୀ ସ୍ୱାଧୀନତା ଆଉ ସମାନତାର ଯେଉଁ କଥା କହିଲ, ସେଥିରେ ଶହେ ଭାଗ ସତ୍ୟତା ଅଛି। ଯେଉଁ ସମ୍ପର୍କରେ ଆତ୍ମସମ୍ମାନ ହଜିଯାଏ, ତାହା ପ୍ରେମ ନୁହେଁ, ତାହା ଦାସତ୍ୱ। କିନ୍ତୁ ପ୍ରଶ୍ନ ଉଠୁଛି, ତୁମେମାନେ ନିଜ ଅସହିଷ୍ଣୁତାକୁ 'ପ୍ରାକ୍ଟିକାଲ୍' ଶବ୍ଦର ଘୋଡ଼ଣୀ ପିନ୍ଧାଇ ଦେଉନାହଁ ତ?" ସେ ଟିକେ ରହି ପୁଣି କହିଲେ, "ବୁଝିଲ ପିଲେ, ତୁମେ ଯାହାକୁ 'ଫାଷ୍ଟ' ଆଉ 'ପ୍ରାକ୍ଟିକାଲ୍' କହୁଛ, ତାହା ପ୍ରେମ ନୁହେଁ। ତାହା କେବଳ ଏକ ସାମୟିକ ମନସ୍ତାତ୍ତ୍ୱିକ ଓ ଶାରୀରିକ କ୍ଷୁଧାର ଆତୁରତା। ଏକବିଂଶ ଶତାବ୍ଦୀର ଏହି ଯାନ୍ତ୍ରିକ ସଭ୍ୟତା ଭିତରେ ତୁମମାନଙ୍କ ପାଇଁ ପ୍ରେମ ଗୋଟିଏ 'ବିଜନେସ୍ କଣ୍ଟ୍ରାକ୍ଟ' ବା 'କମୋଡିଟି' ପାଲଟିଯାଇଛି। ତୁମର ସର୍ତ୍ତ ହେଲା— ମୋ ଇଚ୍ଛା ପୂରଣ ହେଲେ ମୁଁ ରହିବି, ନଚେତ୍ ଛାଡ଼ିଦେବି। ଟିକିଏ ସଂଘର୍ଷ ବା ବୁଝାମଣାର ଅଭାବ ଦେଖାଦେଲେ, ସମାଧାନ କରିବା ବଦଳରେ ତୁମେମାନେ ତାକୁ 'ଟକ୍ସିକ୍' ନାଁ ଦେଇ ଖସିଯିବାକୁ ଚାହୁଁଛ। ଏହି 'କ୍ଲିକ୍' ଆଉ 'ମୁଭ୍ ଅନ୍' ଭିତରେ ପ୍ରେମର ସେଇ ସୂକ୍ଷ୍ମ, ଅତୀନ୍ଦ୍ରିୟ ଅନୁଭୂତି କୁଆଡ଼େ ହଜିଯାଇଛି।" ରିୟା ଚିନ୍ତାରେ ପଡ଼ି ପଚାରିଲା, "କିନ୍ତୁ ଅଜା, ସେଇ ଯେଉଁ 'ଶାଶ୍ୱତ ପ୍ରେମ' କଥା ବହିରେ ଲେଖାଥାଏ, ତାହା କ’ଣ ସତରେ ବାସ୍ତବ ଜୀବନରେ ଥାଏ?" ସୋମନାଥଙ୍କ ଆଖିରେ ଏକ ଚମକ ଖେଳିଗଲା, "ଶାଶ୍ୱତ ପ୍ରେମ... ତାହା ଏକ ସାଧନା, ଏକ ତପସ୍ୟା.... ତାହା...କୋଣାର୍କର କଳାମୁଗୁନି ପଥରରେ ଖୋଦିତ ହୋଇଥିବା ଅଳସକନ୍ୟାର ନୀରବ ଚାହାଣି ପରି ତାହା ସ୍ଥିର ଓ ଅମ୍ଳାନ। ସେ ପ୍ରେମରେ ଦେହ ଅପେକ୍ଷା ଆତ୍ମାର କ୍ଷୁଧା ଅଧିକ ଥାଏ। ତାହା ମିଳନର ଆବେଗ ନୁହେଁ, ବରଂ ବିରହର ଜ୍ୱାଳାରେ ନିଜକୁ ନିଷ୍କାମ କରିବାର ଏକ ପ୍ରକ୍ରିୟା। ସେଠି ପାଇବାର ମୋହ ନଥାଏ, କେବଳ ଦେବାର ସର୍ବସ୍ୱାନ୍ତ ସମର୍ପଣ ଥାଏ।" ସେ ଟେବୁଲ୍ ଉପରେ ଥିବା କଫି କପ୍କୁ ହାତରେ ଧରିଲେ, ଯେମିତି କୌଣସି ପବିତ୍ର ବସ୍ତୁ ଧରିଛନ୍ତି। "ତୁମେମାନେ ନୀଳଶୈଳର ଜଗନ୍ନାଥଙ୍କୁ ଦେଖିଛ? ତାଙ୍କ ପ୍ରତି ଦାସିଆ ବାଉରୀର ଯେଉଁ ଅହେତୁକ ପ୍ରେମ, ତାହାହିଁ ଶାଶ୍ୱତ। ସେଠି କୌଣସି Return gift ର ଆଶା ନାହିଁ। ବର୍ତ୍ତମାନର ପ୍ରେମ ତ ଇଲେକ୍ଟ୍ରୋନିକ୍ ବଜାରର ଏକ ସେଲ୍ସ କାଉଣ୍ଟର ପରି, ଯେଉଁଠି ପ୍ରତି ଆବେଗର ଦାମ ହିସାବ କରାଯାଏ। ଆଜି ଅଛି, କାଲି ଅନ୍ୟ ଏକ Better option ମିଳିଲେ, ଏଇଟା ଅଲୋଡ଼ା ଆବର୍ଜନା ପରି ଫିଙ୍ଗି ଦିଆଯାଏ। ୟାକୁ ପ୍ରେମ କୁହନ୍ତି ନାହିଁ ରେ ପିଲେ,ଇୟେ କେବଳ ବ୍ୟକ୍ତିଗତ ଅହଂକାର ଓ ଅସୁରକ୍ଷାର ଏକ ଖେଳ।" ବିକ୍ରମ ଚୁପ୍ ରହିଗଲା। ତାର ଆଧୁନିକତାର ଗର୍ବ ପ୍ରଫେସରଙ୍କ ଯୁକ୍ତିର ଗଭୀରତା ଆଗରେ ଯେମିତି ମ୍ଳାନ ପଡ଼ିଯାଉଥିଲା। ସୋମନାଥ ଶେଷରେ କହିଲେ, "ଶାଶ୍ୱତ ପ୍ରେମ କାଳକୁ ଜୟ କରେ, ମୃତ୍ୟୁକୁ ଉପହାସ କରେ। ତାହା ଉପଭୋଗର ବସ୍ତୁ ନୁହେଁ, ତାହା ଅନୁଭବର ଏକ ବିଶାଳ ମହାସାଗର। ତୁମେମାନେ ସେହି ମହାସାଗରର କୂଳରେ ଛିଡ଼ା ହୋଇ କେବଳ ଫେଣକୁ ହିଁ ପ୍ରେମ ବୋଲି ଭ୍ରମ କରୁଛ। ଯେଉଁଦିନ ତୁମର ଏଇ 'ଆଜିକାଲିର ପ୍ରେମ' ଭିତରେ ସହିଷ୍ଣୁତା, ତ୍ୟାଗ ଓ ପ୍ରତୀକ୍ଷାର ସାମାନ୍ୟତମ ଅଂଶ ପ୍ରବେଶ କରିବ, ସେଦିନ ତୁମେ ବୁଝିବ ଶାଶ୍ୱତ ପ୍ରେମର ମହତ୍ତ୍ୱ। ସେପର୍ଯ୍ୟନ୍ତ, ତୁମର ଏଇ ଫାଷ୍ଟ୍ ଫୁଡ୍ ପ୍ରେମ କେବଳ ଇତିହାସର ଏକ କ୍ଷୁଦ୍ର, ଅର୍ଥହୀନ ପାଦଟୀକା ହୋଇ ହିଁ ରହିଯିବ।" କଫି ହାଉସ୍ର ଏସିର ଥଣ୍ଡା ପବନ ଭିତରେ, ଅଜାଙ୍କ ଶବ୍ଦଗୁଡ଼ିକ ଯେମିତି ଏକ ଅଜ୍ଞାତ ଉଷ୍ମତା ଭରିଦେଲା। ରିୟା ଓ ବିକ୍ରମ ଆଉ ନିଜ ନିଜ ମୋବାଇଲ୍ ସ୍କ୍ରିନ୍କୁ ନୁହେଁ, ବରଂ ପରସ୍ପରର ଆଖିକୁ ଏବଂ ତା'ପରେ କୋଣାର୍କର କୌଣସି ଅଦୃଶ୍ୟ ପଥରମୂର୍ତ୍ତି ଆଡ଼କୁ ଚାହିଁବା ପରି ନିଶ୍ଚଳ ହୋଇ ରହିଲେ। ଦୁହିଁଙ୍କ ମନରେ ପ୍ରଥମ ଥର ପାଇଁ 'କ୍ଲିକ୍' ଆଉ 'ମୁଭ୍ ଅନ୍' ବାହାରେ ସମ୍ପର୍କର ଏକ ଗଭୀର ଅର୍ଥ ଉଙ୍କି ମାରୁଥିଲା।

