ପରୀର କଥା
ପରୀର କଥା
ଉଆଁସୀ ବୋଲି ଝିଅଟି ମାଆର ଗର୍ଭରୁ ହିଁ ହୁଏତ ବହୁତ କଷ୍ଟ ପାଇଛି ।ପୁଅ ଅଛି କି ଝିଅ କେହି ଜାଣିନାହାଁନ୍ତି ତଥାପି ଉଆଁସୀର ମାଆକୁ ସମସ୍ତେ କେତେ କଣ କଥା କହୁଥିଲେ ।ତାର(ଉଆଁସୀ ର ମାଆ ) ପରିବାର କହିଲେ ଶାଶୁ,ଶ୍ବଶୁର,ତିନୋଟି ନଣନ୍ଦ ,ଚାରୋଟି ଦେଢଶୁର,ଜାଆ ଏବଂ ପୁତୁରା ଝିଆରୀ ପାଞ୍ଚଜଣ ।ଭଣଜା ଭାଣିଜୀ ମାନେ ରହନ୍ତି ଘରେ( ଦୁଇଟି ନଣନ୍ଦର ପିଲାମାନେ) ।
ତାଙ୍କ ଦୁଇଟି ନଣନ୍ଦ ବାହା ହୋଇସାରିଥିଲେ । କିନ୍ତୁ ନଣନ୍ଦେଇ ମାନେ ଭାରୀ ଲୋଭୀ ।ଏଣୁ କହନ୍ତି ସମସ୍ତେ ସେଠାରେ ଖିଆପିଆ କର ଆଉ ରହୁଥାଅ ।ଏମିତିରେ ବି ଝିଅମାନେ ମାଆ ଘରେ ରହି ଭାଉଜମାନଙ୍କ ନାଁରେ ଖେଞ୍ଚ କହୁ କହୁ ସମୟ ବିତିଯାଏ ।ସେମାନେ ତାଙ୍କ ଶାଶୁ ଶ୍ବଶୁର କଥା କି ସ୍ବାମୀମାନଙ୍କ କଥା କେବେ ବୁଝନ୍ତିନି । ଦୁଇ ନଣନ୍ଦ ସାଙ୍ଗ ହୋଇ ଭାଉଜମାନଙ୍କ ମଧ୍ଯରେ ଝଗଡା ଲଗାଈବାରେ କୁଆଡେ ଅମୣତ ପାନ କଲା ଭଳି ଲାଗେ ।ଭୋକ କି ଶୋଷ ଜାଣନ୍ତିନି । ନିଜ ପିଲାଙ୍କ କଥା ବୁଝିବାକୁ ବି ସମୟ ନ ଥାଏ ।
ଉଆଁସୀର ମାଆ ସମସ୍ତଙ୍କ ଠାରୁ ସାନ ଏଣୁ ତାଙ୍କୁ ସମସ୍ତେ ଶାସନ କରିଦିଅନ୍ତି ।ପୁଣି ଗରୀବ ଘର ଝିଅ ।ଗାଉଁଲୀ ଝିଅ କହନ୍ତି ।କିଛି କାମ କରାଇବାର ଥିଲେ ମଧୁର ବଚନ କହନ୍ତି ଆଉ ଉଆଁସୀର ମାଆ ଦ୍ବାରା କରାଇଦିଅନ୍ତି ।ଉଆଁସୀର ମାଆ ଘର ଲୋକ ଯୌତୁକରେ ଖାଲି ପେଢି ସାମାନ ଦେଇଥିଲେ ଆଉ କିଛି ଲୁଗାପଟା ଦେଇ ଶାଶୁଘରକୁ ବିଦା କରିଥିଲେ ।ଏଣୁ ସେ ବି ସମସ୍ତଙ୍କୁ ଭୟ କରୁଥାନ୍ତି ଆଉ ଖାତିର କରନ୍ତି ।କାହାକୁ ବି କିଛି କହନ୍ତିନି ।ଏମିତି ସହୁ ସହୁ ପ୍ରାୟ ଛଅମାସ ବିତିଗଲା ।ସାତ ମାସ ଚାଲିଲାଣି ।ମାଆର ଗର୍ଭରେ ଛୁଆଟି ଥାଇ ଘରର ସମସ୍ତ କାର୍ଯ୍ୟ ତୁଲାଇବାରେ ଯେଉଁ କଷ୍ଟ ଥାଏ ତାହା କେବଳ କାମିକିଆ ମାଆ ହିଁ ବୁଝିପାରିବ ।
ସକାଳର ସିନ୍ଦୁରା ଫାଟିବା ଆଗରୁ ଚେଇଁଥାଏ ।ରାତିରେ ସବୁ ଶୋଇଲେ ସେ ନିଶ୍ବାସ ମାରିବାକୁ ସମୟ ପାଏ ।ଦିନସାରା ପାଇଥିବା ଅକ୍ଳାନ୍ତ ପରିଶ୍ରମକୁ ଲାଘବ କରିବାକୁ ସ୍ବାମୀ (ଉଆଁସୀ ର ବାପା)ଯଦି ଟିକେ କଅଁଳିଆ ମଧୁର ପ୍ରେମଭରା କଥା କହନ୍ତେ ତା ହେଲେ ହୁଏତ ସେ ଚୁଟକିରେ କଷ୍ଟ ଲାଘବ କରିପାରନ୍ତା । ହେଲେ ନା, ସ୍ବାମୀ ଯଦି ଆପଣାର ନ କରିବ ତା କଥା ବୁଝିବାକୁ କିଏ ଅଛି ?ଭଗବାନ କିନ୍ତୁ ତାଙ୍କ ଭାଗ୍ୟରେ ସେତିକି ବି ଲେଖିନାହାଁନ୍ତି ।ଆଖିରେ ଲୁହ ଜକେଇଯାଏ ।ତଥାପି ପେଟରେ ଥିବା ଛୁଆ କଥା ଭାବି ଖୁସି ହୋଇଯାଏ ଆଉ ନିଦରେ ଶୋଇବାକୁ ଚେଷ୍ଟା କରେ ।ଠିକ ସେତିକି ଭିତରେ ଗାଈମାନଙ୍କର ବୋବାଳି ଆରମ୍ଭ ହୋଇଗଲା । ଆଉ ଶୋଇବ କଣ ଉଠିଯାଇ ଦେଖେ ତ ଏକ ବିକଟାଳ ରୂପରେ ଆସି ଠିଆ ହୋଇଛି ବୁଢୀଟିଏ । ପ୍ରଥମେ ତାକୁ ଦେଖି ଟିକେ ଭୟଭୀତ ହୋଇଥିଲା ହେଲେ ବି ଧୈର୍ଯ୍ୟହରା ନ ହୋଇ ତାର ସାମନା କରିବାକୁ ଗଲା ।ସେ ଆଉ କିଏ ନୂହଁ ସେ ହେଉଛି ତା ଜନ୍ମ କଲା ମାଆ । ଭାଈ ଭାଉଜ ବହୁତ ପିଟିଦେଇଛନ୍ତି । ଆଊ ମୋତେ ଭଲ ପାଉନାହାଁନ୍ତି ।ମୋତେ ଦି ଓଳି ଦିମୁଠା ଖାଈବାକୁ ବି ଦିଅନ୍ତିନି ।ଏତେ ରାତିରେ ମୁଁ ଏକା ଏକା ଗାଁ ରୁ ଆସିଲି ।କାନ୍ଦି କାନ୍ଦି କହିଉଠିଲା ଉଆଁସୀର ଆଇ ମାଆ ।ରାସ୍ତାର ଦୂରତା ହେଉଛି ଝିଅଘର ଠାରୂ ତିନି କିଲୋମିଟର ।ମାଆର ବୟସ କହାଲେ ହେଲାଣି ଏକ ଉଣା ସତୁରୀ ।
ମାଆକୁ ଭିତରକୁ ନେଲା ଉଆଁସୀର ମାଆ।କହିଲା କାନ୍ଦେନି ମାଆ ତୁ କାନ୍ଦିଲେ ନା ମୋତେ ବି କାନ୍ଦ ଆସୁଛି ।ଜାଣିଛୁ ନା ବୋଉ (ଉଆଁସୀ ର ମାଆ ତାର ବୋଉକୁ ସମ୍ଭୋଧନ କରି କହିଲେ )ମୁଁ ଆଜି ତୋରି କଥା ବହୁତ ମନେ ପକାଉଥିଲି ।ମୋତେ ତୋ କୋଳରେ ଶୋଇବାକୁ ଭାରୀ ଇଛ୍ଥା ହେଉଥିଲା ।ତୁ ଆସିଲୁ ବୋଉ ତୋତେ ଟିକେ ଔଷଧ ଲଗାଇଦେବି । ଭାଈ ଭାଉଜ ଏତେ ନିଷ୍ଠୁର କେମିତି ହୋଇଗଲେ କେଜାଣି ?
ବୋଉ କହିଲା ନାଇଁ ଲୋ ମାଆ ଭାଇର କି ଦୋଷ ? ସବୁ ସେ ପୋଡାମୁହିଁ ଶିଖାବତା କରି ମୋତେ ମୋ ପୁଅ ପାଖରେ ଅପମାନ ଦେଇ ଚକ୍ରାନ୍ତ କରୁଛି ।ସବୁ ଝଗଡା ଅଶାନ୍ତିର ମୂଳମଞ୍ଜି ହେଉଛି ତୋ ଭାଉଜ ।ପରୀ (ଉଆଁସୀର ବୋଉ ) କହିଲା ଆଲୋ ବୋଉ ତୋ ବୋହୁପିଲାର ମାନେ ମ
ୋ ଭାଉଜର ଶହେ ଗୁଣ ଖରାପ ବୋଲି କହିଲୁଣି ।କେତେ ଜଣଙ୍କୁ କହିଛୁ ?କେବେ ଠାରୁ ଏ କଥା କହି ବୁଲୁଛୁ?ତୁ ତୋ ଆତ୍ମୀୟତାର ସହ କଣ ତାକୁ କେବେ ଭଲ ପାଇଛୁ ?ବୋହୁ ଟି ବି କାହାର ତ ଝିଅ ନା ?ତୁ ସବୁବେଳେ ତାକୁ ତେଢାମେଢା କଥା କହି ବିରକ୍ତି କରୁଥିବୁ ।ଏଇଟା ହେଲାନି ସେଈଟା ହେଲାନି !ତୁ ବି ବୋଉ ନିଷ୍ଠୁର ହେଇଗଲୁଣି ।ମୋତେ ଯେମିତି ଭଲ ପାଉଛୁ ତାଙ୍କୁ ସେମିତି ଭଲ ପାଇବା ଅଭ୍ୟାସ କରେ ।ସେ ଏବେ ଘରର ସବୁ କଥା ବୁଝିବା କଥା ।ତୁ କାହିଁକି ମୁଣ୍ତ ପୁରାଉଛୁ ଯେ ?ରେସନ ସାମାନ ଠାରୁ ବନ୍ଧୁବାନ୍ଧବ ଦିଆନିଆ ସବୁ ସାଙ୍ଗ ହୋଇ କରିଦିଅ ଦେଖିବ ଦୁହେଁ ସମାନ ଲାଗିବ ଦୁହିଁଙ୍କୂ । ଆଲୋ ମାଆ ତୁ ମଲାବେଳକୁ ଆହୁରି ମୁଁ ନ ଥିବି ହେଲେ ତୋ ବୋହୁ ତୋ ପାଖରେ ରହିବ ।
ଓହୋ ହାତରୁ ରକ୍ତ ଝରୁଛି। ଗୋଡଟା ବି ମାଡ ହୋଇଛି ।କି କଷ୍ଟ !ତୋତେ ଗାଁ ଲୋକ କେହି ଛଡାଇଲେନି । ଆମ ଘରକଥାରେ ମୁଣ୍ଡ ପୁରାଅନି କହିଥିଲି । ତମେମାନେ ଆମ ଘର କଥାରେ କିଛି ପଚାରିବନି କହିଥିଲି ।ଆଉ କାହା ଭରସାରେ ସେମାନେ ଛଡାଇବାକୁ ଆସିବେ ।ଏଣୁ କିଏ ଆସିଲେନି ।
ହଉ ହଉ ତୁ ବସେ ମୁଁ ତୋ ପାଇଁ ଖାଈବାର ବ୍ୟବସ୍ଥା କରିଆଣୁଛି ।ବହୁତ ରାତି ପାଖାପାଖି ସାଢେ ଗୋଟେ ।ସେ ସମୟରେ ବାଢିବା ପାଇଁ ଭାତ ପଖାଳ ଆଉ କଞ୍ଚା ପିଆଜ ଲଙ୍କା ଲୁଣ ବ୍ୟତୀତ କିଛି ନ ଥିଲା ।ସେତିକି ହିଁ ଆଣି ଥୋଇଲା ମାଆକୁ ଖାଇବାକୁ ବସେ କହିଲା ପରୀ ।
ଖାଇ ବସି ବସି...ପରୀ ର ବୋଉ କହିଲା ଆହା ପେଟ ମୋର ଡହଳବିକଳ ହେଉଥିଲା ।ଭଲ ହେଲା ପଖାଳ ରଖିଥିଲୂ ।ଶାନ୍ତି ଲାଗିଲା ।ଏ ପେଟ କାହିଁ କେବେ ଠାରୁ ମୁଠାଏ ବି ଖାଇନଥୀଲା ।ମୂଷା ଦୌଡୁଥିଲା ପେଟରେ ।
ପରୀ ପୁଣି ପ୍ରଶ୍ନ କଲା ବୋଉ ସତ କହ ଭାଉଜ ତୋ ଉପରେ ଏତେ ରାଗୁଛନ୍ତି କଣ ପାଇଁ ?ମୁଁ ଜାଣିବାରେ ଭାଉଜ ତ ଏମିତି ଏତେ ବି ଖରାପ ନୁହଁନ୍ତି ।ତୁ ବି ତ ଦୁଷ୍ଟ ପ୍ରକୣତିର ନୁହଁ ।ଘର ଭିତରକୁ କିଏକିଏ ଆସନ୍ତି କି ସାହା ପଡିଶା ଲୋକ ତୋ ସହ କଥା ହେବାକୁ ।
ବୋଉ କହିଲା ହଁ ଲୋ ମାଆ ।ଟୁନା ବୋଉ,ଝୁନୁରୀ ଭାଉଜ ,ଚମ୍ପା ନାନୀ ଏମାନେ ଆସନ୍ତି ।ସାଙ୍ଗ ହୋଇ ଘଣ୍ଟା ଘଣ୍ଟା ଗପ କରୁଛୁ ।କଣ କରିବି କହୁନୁ ଟି.....ଭି( ସ୍ବର ଲମ୍ବାଈକରି) ବୋଲି ଗୋଟିଏ ଭାଇନା ତୋର ଆଣିଛି ଯେ ଭାଉଜ ତୋର ଖାଲି ଛତରା ଲଙ୍ଗୁଳୀ ଗୀତ ନାଚ ଦେଖି ବସୁଛି ।ମୋ କଥା କିଏ ବୁଝୂଛି ଯେ ?
ବୋଉ ତୁ ଟିକେ ଉଚ୍ଚ ସ୍ବରରେ କହନା ।ଏବେ ସମସ୍ତେ ଶୋଇଛନ୍ତି ।ସକାଳେ ଉଠିଲେ କଥା ହେବା ଚାଲେ ଆମେ ବି ଶୋଇପଡିବା ।ମାଆର କୋଳରେ ମୁଣ୍ତ ରଖି ପରୀ ଶୋଇଗଲା ।ବାଃ କି ଶାନ୍ତି ନିଦ ।ସାତମାସ ପଶନ୍ତି ଯେଉଁ କଷ୍ଟ ଲାଗିଲାଣି ଭାବୁଥିଲା ଟିକେ ଆଶ୍ବସ୍ତି ଲାଗୁଛି ।ଭାରୀ ସୁନ୍ଦର ନିଦଟିଏ ହୋଇଛି ।ପରୀ ର ମାଆ ମୁଣ୍ତ ଆଉଁସି ଆଉଁସି ଦି ଧାର ଲୁହ ଗଡାଇଦେଲେଣି ତଥାପି ପରୀ ର ନିଦ ଆଜି ଭାଙ୍ଗିନି ।
ଏତିକି ଭିତରେ ପରୀର ମାଆ ଭାବିଛନ୍ତି ନିଜ ବୋହୁ ପିଲା ର କଥା ।ହଁ ତାକୁ ବି ଏମାତି ଭଲ ପାଇବା ଦରକାର ।ପୁଅ ତ ଛାଡୁନି ମାଆ ଘରକୁ ।ଖାଲି ଘର କାମ କରି ମୋ ପାଖରେ ରହିବାକୁ କହୁଥିଲା ।ସେ ବି କେତେ ଏକୁଟିଆ ହେଉଥିବ ?ମୁଁ ବି ବୋକିଟା କହି ନିଜେ ନିଜକୁ ଗାଳିଦିଏ ।ନିସ୍ତବ୍ଧ ରାତିର ନିର୍ଜ୍ଜନତାର ବେଳାରେ କିଏ ବି ଚେଇଁ ନ ଉଠୁ ।ଏମିତିରେ ବି ମୋ ମନ ଆଗଭଳି ଲାଗୁନି ଆଉ କାମରେ ।ହଉ ଦେଖିବା ଏବେ ଟିକେ ମୁଁ ବି ଶୋଇପଡେ ଭାବି ପରୀ ମାଆ ବି ଶୋଇଗଲେ ନିଘୋଡ ନିଦରେ ॥