STORYMIRROR

Sachidananda Kar

Romance

4  

Sachidananda Kar

Romance

ପ୍ରେମର ସମୟ

ପ୍ରେମର ସମୟ

2 mins
334

 ଝିଅଟା ଝୁଣ୍ଟିପଡିଲା। କଷି ବୟସ।ଯେତେ ସଜାଗ ରହିଲେ ବି ବାଟରେ ଚାଲୁ ଚାଲୁ ଝୁଣ୍ଟିପଡିବା ସ୍ବାଭାବିକ।ତେଣୁ ଝୁଣ୍ଟିପଡିଲା। ହେଲେ ସମୟ ନ ନେଇ ସେ ଉଠିଲା।ଦେହରୁ ଧୂଳି ଝାଡିଲା।ସେଇ କଥାକୁ ମନରୁ ଭୁଲିଲା।ପୁଣି ଆଗକୁ ଆଗକୁ ପାଦ ପକାଇଲା।  ତା' ଆଖି ସାମ୍ନାରେ ତାକୁ ଦିଶୁଥିଲା ନୂଆ ନୂଆ ବାଟ।ଛାତିରେ ଛାତିଏ ଉତ୍ସାହ।ପ୍ରତି ପାଦରେ ପ୍ରେମ ଓ ଭଲପାଇବାର ସ୍ପର୍ଶ।ତେଣୁ ଗୋଟେ ପ୍ରବହମାନ ନଦୀ ପରି ଆଗକୁ ଆଗକୁ ମାଡି ଚାଲିଲା ସେ। 

          ଆଃ! ହଠାତ୍ ଅଟକିଗଲା ଝିଅଟା।ଲଥ୍ କରି ଭୂଇଁରେ ବସିପଡିଲା।ଆରେ ଇଏ କ'ଣ!ଝିଅଟା ଚାଲୁ ଚାଲୁ ଭୂଇଁରେ ବସିପଡିଲା ଯେ!ତା' ପାଦରେ ମୁନିଆଁ କଣ୍ଟାଟେ ଗଳିଗଲା ନା କ'ଣ! ହଁ,ତାହା ହିଁ ହୋଇଥିଲା।ତା' ପାଦରେ ଗୋଟେ ମୁନିଆଁ କଣ୍ଟା ଗଳି ଯାଇଥିଲା।ରକ୍ତ ଧାର ବହୁଥିଲା ପାଦରୁ।ଆହା!ଅବଶ୍ୟ ଖାଲି ପାଦରେ ବାଟ ଚାଲିଲେ ଏପରି ଘଟଣା ଘଟିବା ଆଦୌ ଅସ୍ବାଭାବିକ ନୁହେଁ।ଝିଅଟା କାହିଁକି ଖାଲି ପାଦରେ ବାଟ ଚାଲୁଥିଲା କେଜାଣି! ହେଲେ ଇଏ କ'ଣ!ଝିଅଟି ତା' ପାଦରୁ କଣ୍ଟା ନ ଖୋଲି ସାମ୍ନାରେ ପଡିଥିବା ଗୋଟେ ଫଟୋକୁ ଆଣି ହାତରେ ଧରିନେଲା ଯେ ସିଏ ଗୋଟେ ରାଜକୁମାରର ଫଟୋ।ଦେଖି ଲୋଭ ହେଲା କି ଝିଅଟିର!ହେଲେ ଏତେବେଳେ ତା'ର ସେପରି କରିବା କ'ଣ ଠିକ୍ ହେଲା।

           ପାଦରେ କଣ୍ଟା।ରକ୍ତର ନଦୀ ବହୁଥିଲା।ଭିଜୁଥିଲା ମାଟି ମାଆର ପଣତ।ହେଲେ ସେଥିପ୍ରତି ନଜର ନ ଦେଇ ଫଟୋଟିକୁ ଆଖି ପୂରେଇ ଦେଖୁଥିଲା ଝିଅଟି। କିଛି କହିବକି ସେ ସେଇ ରାଜକୁମାରକୁ!ଏତେ ସମୟ ଧରି ସେଥିରୁ କ'ଣ ଦେଖୁଛି ସେ!କିଛି କହିବାକୁ ଚାହୁଁଛି ନିଶ୍ଚେ।ତାହା କ'ଣ ଝିଅଟିର ପସନ୍ଦର?ହଁ,ହୋଇଥିବ। ରାଜକୁମାର।ପସନ୍ଦ ନ ହେବ କେମିତି!ବାସ୍ତବରେ ତାହା ହିଁ ତା'ର ପସନ୍ଦର ଥିଲା। 

ଏବେ ତାକୁ କ'ଣ କହିବ କ'ଣ ନ କହିବ,ସେଥିପାଇଁ ଶଦ୍ଦ ଖୋଜିଲା ଝିଅଟି।ଭାବରେ, ପ୍ରେମରେ ସେ ଏତେ ଉତ୍ତେଜିତ ହୋଇପଡିଲା ଯେ ତା'ର ଶଦ୍ଦ ସବୁ କୁଆଡ଼େ ଉଭାନ ହୋଇଗଲେ।ଶଦ୍ଦ ସାଉଁଟିବାକୁ ଉଦ୍ୟମ ଆରମ୍ଭ କରିଦେଲା ସେ।ଶଦ୍ଦ ବି ଉଧାର ନେବାକୁ ଚାହିଁଲା। 

           ଆକାଶରେ ରଙ୍ଗ ସଜେଇଥିଲା ଇନ୍ଦ୍ରଧନୁ।ଗଛଲତାର ଗହଳରୁ ଭାସି ଆସୁଥିଲା ଚଢେଇମାନଙ୍କର କିଚିରି ମିଚିରି ଶଦ୍ଦ।ଦୂରରୁ ଶୁଭୁଥିଲା ବର୍ଷାର ଝିପି ଝିପି ଝଙ୍କାର।ଖରା ଛାଇର ଖେଳ ବି ଚାଲିଥିଲା। ଆନମନା ହେଲା ଝିଅଟି।ଆବେଗରେ ସେମାନଙ୍କ ଆଡକୁ ଚାହିଁଲା।ସେମାନଙ୍କ ଠାରୁ ଶଦ୍ଦ ସାଉଁଟିନେବାକୁ ଇଚ୍ଛା କଲା।ତା' ଭିତରେ ଜୁଆର ଭାଙ୍ଗୁଥିବା ପ୍ରେମର ସମୁଦ୍ରକୁ ସେ କିପରି ଧରି ରଖିବ ସେକଥା ବି ଭାବିଲା।କହିବାକୁ ହେବ ମନର କଥା।ବିନା ଶଦ୍ଦରେ କହିହେବ କି?ପୁଣି ଏପରି ଭାବିଲା ଝିଅଟି। ପ୍ରେମର କଥା ଇ ତ ବିନା ଶଦ୍ଦରେ କହିହୁଏ।ସେ ଆଖି ଫେରାଇ ଆଣିଲା।ଫଟୋଟି ଆଡକୁ ଚାହିଁ କ'ଣ ସବୁ ଚୁପିଚୁପି କହିଲା।କ'ଣ କହିଲା?ଆଇ ଲଭ୍ ୟୁ?କେଜାଣି ହୋଇଥିବ! ମୁର୍କି ମୁର୍କି ହସୁଥିଲା ସେ।ଏବେ ଯେମିତି ଶଦ୍ଦର ସୁନେଲି କିଆରୀରେ ପହଁରୁଥିଲା।ନିଜ ହାତରେ ଲେଖିଦେବାକୁ ଚାହୁଁଥିଲା ନିଜର ଭାଗ୍ୟ।ଲେଖିଦେଲା ବି। 

             ହଠାତ୍ ମହକି ଉଠିଲା ମାଟି।ଚାରିଆଡ଼େ ବୁଣି ହୋଇଗଲା ପ୍ରେମର ମହକ।ଝିଅଟି ସତସତିକା ପ୍ରେମରେ ପଡିଲା ନା କ'ଣ?ହଁ,ତା' ବୟସରେ ଇଏ ତା' ପାଇଁ ବଡ କଥା କ'ଣ ଯେ!ପଡିଥିବ। ପ୍ରେମ କରିବ ତ କାହାକୁ ଡରିବ କାହିଁକି?ଯନ୍ତ୍ରଣାକୁ ସହିନେବାକୁ ଏବେ ତ ସେ ଝିଅ ତିଆରୁଥିଲା ତା'ର ଗୋଟେ ଶକ୍ତ ଛାତି। ବହୁ!କେତେ ରକ୍ତ ବହିବ!ଖୁବ୍ ବେପରୁଆ ହୋଇ ପଡିଥିଲା ସେ।ପାଦରେ ରକ୍ତ ଆପେ ଶୁଖିଲା।ଆପେ ବହିବା ବନ୍ଦ ହେଲା। ପ୍ରେମରେ ପଡିଥିବା ଝିଅ।କଣ୍ଟାର ଆଘାତ କାହିଁକି ତା' ପାଇଁ ଯନ୍ତ୍ରଣା ହୋଇଥାନ୍ତା!ବରଂ ତାହା ଥିଲା ତା' ପାଇଁ ଫୁଲର ସ୍ପର୍ଶ ପରି। ଇଏ ତ ତା'ର ଗହଗହ ପ୍ରେମର ସମୟ।ଏ ସମୟରେ ଛାତି ଯଦି ଏତିକି ନ ସହିଲା ଆଉ କେବେ ସହିବ ଯେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance