Paramita Sarangi

Romance

3  

Paramita Sarangi

Romance

ପ୍ରେମର ଅନ୍ୟ ଏକ ପରିଭାଷା

ପ୍ରେମର ଅନ୍ୟ ଏକ ପରିଭାଷା

3 mins
621



କାନ୍ଧରେ ପଡ଼ିଥିବା ଗାମୁଛାଟାକୁ ତଳେ ରଖିଦେଇ ବାଲି ଉପରେ ବସି ଗଲା ରତ୍ନାକର। ଗାମୁଛା ଭିତରେ ଗୁଡେ଼ଇ କରି ରଖିଥିଲା ବଂଶୀଟିକୁ । ଝାଡିଝୁଡି, ବଂଶୀଟିକୁ ଓଠରେ ଲଗାଇଲା ଓ ବଳିଗଲା ପ୍ରେମିକ ଟିରେ। ବଂଶୀର ସେ ସ୍ବରରେ ଉନ୍ମାଦିନୀ ହୋଇ ଗଲା ତା’ ପ୍ରେମିକା। ମାଡ଼ି ଆସିଲା ତା’ ପାଖକୁ , ଛୁଇଁ ଗଲା ତା’ ଶରୀରର କିଛି ଅଂଶକୁ । 


କାହିଁକି କେଜାଣି ସମୁଦ୍ରଟା ପାଗଳ କରେ ରତ୍ନାକରକୁ । ପ୍ରେମିକା ବନିଯାଏ , ଦୁଇ ବାହୁ ବଢାଇ ଡାକେ..... ସ୍ପଷ୍ଟ ଶୁଣି ପାରେ ସେ ତା’ ନାଁକୁ । ଓହୋଃ ! କି ସୁନ୍ଦର ଏ ସମୁଦ୍ର ଟା, କି ମଧୁର ତା’ ସ୍ଵର । ଦୂର ଦିଗ୍ ବଳୟ ଯାଏଁ ଲମ୍ବିଥିବା କେଶରାଶି ତାର । ରାତିରେ ବେଶି ଅଧୀର ହୁଏ ସେ । ରତ୍ନାକର ଜାଣେ , ଝୁରେ ଏ ସମୁଦ୍ରଟା ତା’କୁ ....ତା ବଂଶୀର ଧ୍ଵନିକୁ । ସେ ବି ପାଗଳ ହୋଇ ଚାଲି ଆସେ ଏଠିକୁ .... ବସିଯାଏ ବାଲି ଉପରେ...ବଜାଏ ବଂଶୀ । ଲହଡିଗୁଡ଼ାକ ମାନନ୍ତିନି କୂଳର ଅନୁଶାସନକୁ, ମାଡ଼ି ଆସନ୍ତି ରତ୍ନାକର ପାଖକୁ , ଛୁଇଁ ଯାଆନ୍ତି ତା’କୁ । 


ଏମିତି କଟି ଯାଉଥିଲା ରତ୍ନାକରର ରାତି .... ଦିନ....ଆଉ ଭଲ ପାଇବାର ପାଗଳ ପଣ । 


ଆସିଥିଲା ଥରେ ଗୋଟେ ଝଡ଼ ତୋଫାନର ରାତି । ପବନଟା ସାଇଁ ସାଇଁ କରି ଗର୍ଜୁ ଥିଲା । ବିଜୁଳିର ଭୟାନକ ଚମକ୍ । ଘଡଘଡିର ବିକଟାଳ ହସ । ସାଧାରଣ ବ୍ୟକ୍ତି ଡରି ଯାଇ ପଶି ଯାଇଥିଲେ ନିଜ ନିଜର ନୀଡ ଭିତରେ। 


ହେଲେ ରତ୍ନାକର ଅନୁଭବ କଲା ,ଏଇ ରାତିରେ ଅଧୀର ତା’ ପ୍ରେମିକା । ତାର ଅଶାନ୍ତ ବକ୍ଷ ତଳ ଉପର ହେଉଥିଲା। ଏମିତି ରାଗିଗଲେ ଖୁବ୍ ସୁନ୍ଦର ଦିଶେ ତା’ ପ୍ରେମିକା। ପ୍ରବଳ ଭାବରେ ଆକର୍ଷିତ କରେ ତା’କୁ । ଆଉ ଧୈର୍ଯ୍ୟ ନ ଥିଲା ରତ୍ନାକରର । ଯାହା ବି ହେଉ ଯିବାକୁ ପଡିବ । ବଂଶୀଟାକୁ ଗାମୁଛାରେ ଗୁଡ଼ାଇ ବାହାରି ଗଲା ସେ। 


ରତ୍ନାକରର ହିତାହିତ ଜ୍ଞାନ ନ ଥିଲା କି ଜ୍ଞାନ ଉଦୟ ହୋଇଥିଲା, କିଏ ଜାଣେ ! ସେ ଆକାଶକୁ ଦୃଷ୍ଟି ପକାଇଲା। ତାର ସମୁଦାୟ ଅସ୍ତିତ୍ୱ ସମୁଦ୍ରର ବାହୁ ଭିତରେ ଛନ୍ଦି ହେବାପାଇଁ ବିକଳ ଥିଲା। ସେ କୁନି ଡଙ୍ଗାଟି ସହ କାତଟି ଉଠାଇଲା। ସମସ୍ତ ଶକ୍ତିକୁ ଏକାଠି କରି ସମୁଦ୍ରର ଅଶାନ୍ତ ବାଲି ଉପରୁ କିଛି ଦୂର ଯାଏଁ ଠେଲି ଦେଇ ତା’ ଉପରେ ବସିଗଲା। ଓଦା ବସ୍ତ୍ର ଭିତରୁ ଥଣ୍ଡାଟା ତା’କୁ ଆଖି ମିଟ୍ ମିଟ୍ କରି ଚାହିଁ ଥିଲା। ସେ ଶିହରିତ ହେଲା । ଡଙ୍ଗା ଉପରେ ଶୋଇ ପଡି ଆକାଶକୁ ଚାହିଁଲା । ସେ ଜାଣି ପାରିଲା ଉପରେ ଆକାଶଟା ଅଧୀର ତ ତଳେ ତା’ ପ୍ରିୟତମା ବ୍ୟାକୁଳ। 


ସେ ବଂଶୀ ବଜାଇବା ଆରମ୍ଭ କରିଦେଲା । 


ସେ ଓ ସମୁଦ୍ର ଦୁହେଁ ଦୁହିଁଙ୍କୁ ଚାହିଁଥିଲେ । ତା’ ଦେହକୁ ଉତ୍ତାଳ ମଦମସ୍ତ ଢେଉ ଗୁଡିକ ମଝିରେ ମଝିରେ ବିନ୍ଦୁ ବିନ୍ଦୁ କରି କରି ଛୁଇଁ ଯାଉଥିଲେ । ଆକାଶ ରୁ ଖସି ପଡୁଥିବା ବର୍ଷାର ତୀବ୍ର ଗତି କିଛି କ୍ଷଣ ପରେ ହାଲକା ଥମିଯାଇ ତା’ ଶରୀରର କୋଠରୀ ଭିତରେ କିଛି ସମାପ୍ତିର ଗୋଟେ ଗୋଟେ ଲାଳସା ଲେସି ଦେଇ ଥିଲା । ସେ ପଡ଼ି ଥିଲା ସେଇ ଡଙ୍ଗାରେ ସେମିତି । 


କିଛି କ୍ଷଣ ବିତିଗଲା.... ଧିରେ ଧିରେ ସମୁଦ୍ରଟା ବି ଆକାଶ ସହ ଶାନ୍ତ ହୋଇଗଲା । ହାଲକା ବାଦଲ ଗୁଡିକ କଅଁଳିଆ ଖରା ସହ ଲୁଚକାଳି ଖେଳ ଆରମ୍ଭ କରିଦେଇଥିଲେ। ଭୟଙ୍କର ବାତ୍ୟାର ଆଉ ଚିହ୍ନ ନ ଥିଲା । ସମୁଦ୍ରଟା ବି ପ୍ରେମିକା ପଣର ଚାଦରଟା ଘୋଡ଼ାଇ ଦୁଷ୍ଟ ଲହରୀମାନଙ୍କୁ ନେଇ ତା’କୁ ଚିଡାଇଵାକୁ ଲାଗିଥିଲା । ରତ୍ନାକର ଜାଣି ଥିଲା ସେ ଗୋଟେ ଦୁର୍ବଳ ଡଙ୍ଗାରେ ଥିଲା । ତା’ ସାମନାରେ ଥିଲା ସୀମାହୀନ ସମୁଦ୍ର । ତଥାପି ସେ ଆମୋଦିତ ହେଲା । ତା’ ପ୍ରେୟସୀକୁ ଆଞ୍ଜୁଳିରେ ଭରି ମୁହଁରେ ଲେସି ଦେଲା । ଆଃ, ! କି ତୃପ୍ତି । 


ସେ ଦୁଷ୍ଟ ଢେ଼ଉଗୁଡିକ ତା’ ନୌକାକୁ କେମିତି ଗୋଟେ ନୃତ୍ୟ ସମ ଭଙ୍ଗୀରେ କୂଳକୁ ଧକ୍କା ମାରୁଥିଲେ । କିଛି ସମୟପରେ ଝୁଲି ଝୁଲି ତା’ ନୌକାଟା କୂଳରେ ପହଞ୍ଚି ସାରିଥିଲା । 


ରତ୍ନାକର ଡଙ୍ଗାରୁ ଓହ୍ଲାଇ ଗଲା । ସେ ଓ ତା’ ପ୍ରେମିକା ଦୁହେଁ ପାଖାପାଖି ଥିଲେ । ସେ ତା’ ହାତରେ ସମୁଦ୍ରକୁ ଆଉଁସି ଦେଲା , କହିଲା, "ତୁ ଯେତେ ବି ଗଭୀର ହୋଇ ତା’ ପଛେ ମୋ ଭଲ ପାଇବା ତୋ ଠାରୁ ବେଶୀ ଗଭୀର । "


ମୁଁ ଜାଣିଥିଲି " ସେ ଦିନୁ ସେ ଗୋଟେ ମତ୍ସ୍ୟକୁମାରରେ ବଦଳି ଯାଇଥିଲା । 



Rate this content
Log in

Similar oriya story from Romance