ଚିତ୍ରକର
ଚିତ୍ରକର
ଚାକିରିର ନିଯୁକ୍ତି ପତ୍ର ପାଇ ବାପାଙ୍କୁ ଫୋନ୍ କରି ପଚାରିଲି ତାଙ୍କର କ'ଣ ଦରକାର ଅଛି? ତାଙ୍କ ପାଇଁ କିଛି ନେବାକୁ ଚାହୁଁ ଥିଲି। ତାଙ୍କୁ ଜଣାଇବା ପାଇଁ ଚାହୁଁଥିଲି ଏବେ ଠୁଁ ତାଙ୍କ ବେମାରିର ଖର୍ଚ୍ଚ, ଶେଲିର ବାହାଘର,ଘରର ମରାମତି ଏସବୁ ଚିନ୍ତା ମୋର।
ବାପା ମୋ ପାଇଁ କ'ଣ, ମୁଁ ଏସବୁ କାହାକୁ କହିନି, କହିବି କାହାକୁ ? କାହିଁକି ବା କହିବି? କେମିତି ଲେଖିବି ତାଙ୍କ ଚିତ୍ର ଓ ଚରିତ୍ରକୁ। କେମିତି ଲେଖିବି ସେ କିପରି ହାଡକୁ ହିଡ କରି ବୋହି ଆସୁଥିବା ଦୁଃଖକୁ ଅଟକାଇ ଦେଉଥିଲେ । ମାଘକୁ ମେଘ ମନେ କରି ମୋ ପାଇଁ ଶ୍ୟାମଳ ସ୍ଵପ୍ନ ରୋପଣ କରୁଥିଲେ। ଘର ଚଟିଆ ପରି କେତେ କଷ୍ଟରେ କୁଟା କାଠିକୁ ସାଉଁଟି କରି ଆମ ପାଇଁ ସବୁଜ ନଅରଟିଏ ଗଢ଼ିବାକୁ ଲାଗୁଥିଲେ। ପେଟକୁ ପିଠି କରି ଏରୁଣ୍ଡି ବନ୍ଧ ପରି ରୋକି ଦେଉଥିଲେ କେତେ ଗୁଡିଏ ମଇଳା ଆଉ ଆବର୍ଜନାକୁ। ସେ ଥିଲେ ମୋ ବୋଉର ମଥାର ସିନ୍ଦୂର, ତା କପାଳର ନାଲି ବିନ୍ଦୁ, ତା ହାତର ଚୁଡ଼ି,ତା ପାଦର ପାଉଁଜି। ସେ ଥିଲେ ମୋ ସ୍ଵପ୍ନ ଗୁଡିକ କଡ ଲେଉଟାଏ ନିଶ୍ଚିନ୍ତରେ, ସେ ଥିଲେ ରାତି ଗୁଡିକ ମୋର,ସେ ରାତିର କାହାଣୀ ଗୁଡ଼ିକ ମୋର ହୋଇ ଯାଉଥିଲା।
ସେଦିନର କଥା ମୋର ମନେ ଅଛି, ଜେଜେ ମା’ ଙ୍କର' ଜିଦ୍ ମୋତେ ଚଉଦ ବର୍ଷ ପୁରିଲାଣି ତ ଶୀଘ୍ର ବାହାଘର କରି ଦିଆଯାଉ। ଦୁଇଟା ଝିଅ,ଯେତେ ଶୀଘ୍ର ବାହାଘର କରି ମୁକ୍ତି ହୋଇ ଯିବ ସେତେ ଭଲ। ପୁଅଟେ ତ ନାହିଁ ବୋଲି ଆଖିର ଲୁହ ପୋଛୁ ପୋଛୁ ବୋଉକୁ ପୁଅ ଆଣ୍ଠୁକୁଡି ବୋଲି ତାନା ମାରିବାକୁ ଭୁଲି ନ ଥିଲା ଜେଜେ ମା’। ହେଲେ ତୁମେ କିଛି ଶୁଣି ନ ଥିଲ। ଦୁଇ ମାଣ ଜମି ବିକି ,ମୂଲ ଲାଗି ମୋତେ ପାଠ ପଢ଼ାଇ ଥିଲ। ଗଢି
ଦେଲ ମୋତେ ତୁମ କାନଭାସରେ।
ବାପା କୁହନା ତୁମ ପାଇଁ କ'ଣ ନେଇ କି ଯିବି। ଦୁନିଆର ସବୁ ସଂପଦ ତୁମ ପାଦ ତଳେ ରଖି ଦେଲେ ବି ତୁମ ୠଣ ସୁଝି ହୋଇ ପାରିବ ନାହିଁ । ମୋ ଅନୁରୋଧକୁ ଏଡାଇ ନ ପାରି ତୁମ ଇଚ୍ଛା ବିଷୟରେ ଚିଠି ଲେଖିଥିଲ। ସେ ଚିଠିଟି ଏବେ ମୋ ହାତରେ। ଚିଠି ପଢ଼ି ମୁଁ ସ୍ତମ୍ଭୀଭୂତ ହୋଇଗଲି। ତୁମ ଇଚ୍ଛା ନିଶ୍ଚିତ ପୁରା କରିବି। ତୁମ ଆଦେଶ ଭାବରେ ହେଉ କି ଗୁରୁ ଦକ୍ଷିଣା ଭାବରେ ହେଉ।
ତୁମେ ଲେଖି ଥିଲ ଗାଁ ମନ୍ଦିରର ସାମ୍ନାରେ ସିମେଣ୍ଟର ଚାନ୍ଦିନୀଟେ ତିଆରି କରିବାକୁ ଏବଂ ସେଥିରେ ବୋଉ ନାଁରେ ଫଳକଟେ ଲଗାଇବାକୁ। ସେହି ସିମେଣ୍ଟ ଚାନ୍ଦିନୀରେ ବସି ଗାଁର ଲୋକମାନେ କୀର୍ତ୍ତନ କରିବେ ଆଉ ବୋଉ କୁ ମନେ ପକାଇବେ। ପୁଅ ନାହିଁ ବୋଲି କେତେ କଥା ଶୁଣାଇଛନ୍ତି, ଏବେ ଦେଖିବେ ମୋ ଝିଅ ବି କେଉଁ ପୁଅ ଠାରୁ କମ୍ ନୁହେଁ। ବାପା କେଉଁ ଧାତୁରେ ଗଢା ତୁମେ। କେବେ ବି ନିଜର କଥା ଭାବିନ।
ଏତେ ସଂଘର୍ଷ ପୂର୍ଣ୍ଣ ଜୀବନ ବିତାଇବା ପରେ , ନିଜକୁ ବ୍ୟାପ୍ତ ବିସ୍ତୃତ କରିବା ବଦଳରେ (ବାପା ଆମକୁ ନେଇ କେବେ ବି ଗର୍ବ କରି ନାହାନ୍ତି କି କାହାକୁ କହିବି ନାହାନ୍ତି ତୁମ ପୁଅ ଠାରୁ ମୋ ଝିଅ ବେଶି ଯୋଗ୍ୟା)ନିଜ ସଫଳତା କୁ ଦେଖେଇ ହେବା ବଦଳାଇ ରେ, କାହିଁକି ନିଜକୁ ଲୁଚାଇ ରଖିଛ ବାପା। ଦୁଇ ମହଲା ଘର କି ଦାମି ପୋଷାକ, ଭଲ ଖାଇବା କିଛି ଚାହିଁଲନି। ବିରାଟରୁ ବାମନରେ ବଦଳି ଗଲଣି।
ବାପା ବାମନ ଅବତାର ରୂପେ ବଦଳି ଗଲଣି ଯଦି ରଖି ଦିଅ ତୁମ ତୃତୀୟ ପାଦକୁ ମୋ ମଥାରେ, ବନାଇ ଦିଅ ମୋତେ ଶ୍ରଦ୍ଧା ଓ ଭକ୍ତିର ପରିମାପକ, କାହିଁକି କି ନା ତୁମେ ହିଁ ତ ମୋ ଚିତ୍ରକାର।
ପାରମିତା ଷଡ଼ଙ୍ଗୀ