ଅନ୍ୟ ଏକ ରାଗ
ଅନ୍ୟ ଏକ ରାଗ
“ଟୁନି …..ଟୁନି….ଆଖି ଖୋଲ ।ମାନୁକୁ ଖୋଜୁଥିଲୁ ପରା । ଦେଖ ମାନୁ ଆସିଲାଣି।“ ମୁଁ ଘରେ ପଶୁ ପଶୁ ବାପାଙ୍କ ସ୍ବର ଶୁଣାଗଲା।
ସୁଟକେଶଟାକୁ ସେଇଠି ସେମିତି ଥୋଇଦେଇ ଟୁନିନାନୀ ବଖରା ଭିତରକୁ ପଶିଗଲି । ତାକୁ ଦେଖି ମନଟା ଗୋଳେଇ ଘାଣ୍ଟି ହେଇ ଗଲା । ଖୁବ୍ ଦୁର୍ବଳ ଦେଖା ଯାଉଥିଲା ସେ । ହାତରେ ଈଶାରା କଲା ରାଜାକୁ,”ଏଠୁ ଯା” ,ତା ପରେ ମୋତେ ପାଖକୁ ଡାକିଲା। କିଛି କହିବ ବୋଧେ ମୋ କାନରେ ।
ଶ୍ରାବଣ ମାସର ରାତି। ଆକାଶଟା କଳା ବାଦଲରେ ଢାଙ୍କି ହୋଇଛି। ଅନ୍ଧାରଟା ଗୋଟେ ଏକଛତ୍ର ରାଜା ପରି ତା’ର କାୟା ବିସ୍ତାର କରି ଚାଲିଛି। ବେଳେ ବେଳେ ବିଜୁଳିର ହାଲକା ଆଲୁଅ ଆହୁରି ବି ଡରାଉଛି। ମଝିରେ ମଝିରେ ବେଙ୍ଗ ମାନଙ୍କର ଟର୍ର ଟର୍ର ଶବ୍ଦଟା ପାଖରେ କେହି ଅଛିର ପ୍ରମାଣ ଦେଉଛି, ନହେଲେ ନା ପିଲାଙ୍କ କାନ୍ଦଣା ଅଛି ନା ଭାଗବତ ଟୁଙ୍ଗିରେ ଖଞ୍ଜଣି ମାଡ଼ ଶୁଣାଯାଉଛି । ତଳେ ଓଦା ମାଟି , ଉପରେ କଳା ଆକାଶ, ମଝିରେ ବିସ୍ତାର କରି ଥିବା ମୃତ୍ୟୁ ପରି ନିରବତା ଭିତରେ ନାରଣପୁର ଗାଁରେ ଥିବା ମୋ ଘରର ମଣିଷ ଗୁଡ଼ିକ ଆଙ୍ଗୁଠିରେ ସମୟ ଗଣୁଥିଲେ କେତେ ବେଳେ ରାତି ପାହିବା।
ଟୁନିନାନୀ ଶୋଇଥିଲା ତା ବଖରା ଭିତରେ।ବନ୍ଦ ଝରକା ଫାଙ୍କ ଦେଇ 'ସୁଉ' କରି ଧସେଇ କରି ପଶି ଆସୁଥିବା ପବନଟା ତା ମଥା ପାଖରେ ଜଳୁଥିବା ଦୀପର ଶିଖାଟାକୁ ଦୋହଲାଇ ଦେଉଥିଲା। କେମିତି ଗୋଟେ ନିରସିଆ ଅନ୍ଧାରଟା ଜାବୁଡ଼ି ଧରି ଥିଲା ସମସ୍ତଙ୍କୁ।ଟୁନିନାନୀ ର ଶେଷ ସମୟ ଯେ ଆସି ଯାଇଥିଲା, ସେଥିରେ ସନ୍ଦେହ ନ ଥିଲା।
ସେ କିଛି କହିବାକୁ ଚାହୁଁଥିଲା । ହେଲେ ମୋତେ କାହିଁକି ? ବାପାଙ୍କୁ କହିପାରି ଥାନ୍ତା ,ତା ପୁଅ ରାଜାକୁ କହି ପାରିଥାଆନ୍ତା । ଠିକ୍ ଅଛି ବୋଉ ସହ ତା’ର ସମ୍ପର୍କ ଏତେ ଭଲ ନ ଥିଲା, କିନ୍ତୁ ମୋ ଉପରେ ଏତେ ଭରସା କେଉଁଠୁ ଆଣିଲା ସେ ତା ପ୍ରାଣ ଅଟକି ଥିଲା ମୋ ଆସିବା ବାଟକୁ ଚାହିଁ। ମୋତେ ଦେଖିଲା ଅଧା ଖୋଲା ଅଧା ବୁଜା ଆଖିରେ । କହିଦେଲା ତା’ର ଯାହା କହିବାର ଥିଲା । ଏଥର ତା କାମ ସରିଗଲା ବୋଧେ, ଶୋଇ ଗଲା ନିଶ୍ଚିନ୍ତ ରେ। ଆଉ କ’ଣ ଉଠିବ ସେ? କେହି କ’ଣ ଉଠନ୍ତି ଏ ନିଦରୁ?
ପିଇସାଙ୍କୁ ଖବର ଦିଆ ସରିଛି। କାଲି ସକାଳେ ବୋଧେ ଆସିଯିବେ। ତାଙ୍କ ଆସିବା ବାଟକୁ ଏବେ ବି ଅପେକ୍ଷା କରିବାକୁ ପଡ଼ିଛି ଟୁନିନାନୀକୁ।ଜୀବନଯାକ ତ ଅପେକ୍ଷା କରି ଥିଲା ସେ। କେବେ କହିନି, କିନ୍ତୁ ତା ଆଖିକୁ କ୍ଷଣିକ ଚାହିଁଲେ ପଢ଼ି ହୁଏ ତା ବେଦନାକୁ। ଅପେକ୍ଷା କରିଛି ଶେଷ ଦେଖା ପାଇଁ। ଏବେ ତ ଆଉ କିଛି କହିବନି କି ହିସାବ ମାଗିବନି। ବାହାରିଯିବ ଏ ଘରୁ ସବୁ ଅପମାନ, ଅଭିମାନ, ଅନ୍ୟାୟ ଓ ସଂଘର୍ଷକୁ ପଛରେ ପକାଇ।
ଟୁନିନାନୀ ମୋତେ କ’ଣ କହିଲା? କ’ଣ କହିଲା ପରେ ତା ଆତ୍ମାକୁ ଶାନ୍ତି ମିଳିଗଲା ଯେ , ସେ ଆଖି ବୁଜି ଦେଲା ! କେଉଁ ତିଜୋରୀର ଠିକଣା ଦେଲା କି କିଛି ପୋତା ଧନର ନକ୍ସା ବିଷୟରେ କହିଲା ! ଛୋଟକାଟିଆ ହେଉ ପଛେ ଗାଁର ସଫଳ ବ୍ୟବସାୟୀ ମହିଳା ଥିଲା ସେ। କିଛି ତ ଲୁଚାଇ ରଖିଥିବ ନିଶ୍ଚେ। ଯେତେ ମୁହଁ,ସେତେ ଅନୁମାନ, ସେତିକି ଟୁପୁରୁଟାପର।
ମୁଁ ଚୁପ୍ ଥିଲି। ମଝିରେ ମଝିରେ ବୋଉର ଆଖିରେ ଆଖି ମିଶିଗଲେ କେତେଟା ପ୍ରଶ୍ନ ଓ ମୁଠାଏ ଅବିଶ୍ବାସ ଉଡିଆସି ମୋ ମନରେ ଲେସି ହୋଇ ଯାଉଥିଲା। ସେ ଚାହୁଁ ଥିଲା , ମୁଁ ଚାଲି ଯାଆନ୍ତି ତା ପାଖକୁ,କହି ଦିଅନ୍ତି ସବୁ କଥା ଯାହା ଟୁନିନାନୀ ମରିବା ପୂର୍ବରୁ କହି ଥିଲା। ମୁଁ କିନ୍ତୁ ସମିତି କିଛି କରିବାକୁ ଚାହୁଁ ନ ଥିଲି।ଚୁପ୍ ଥିଲି। ଉପରେ ଉପରେ ସ୍ଥିର ଥିଲି, ଯଦିଓ ମୋ ମନ ଭିତରେ ଗୋଟେ ଅଶାନ୍ତ ସୁନାମୀ ତା’ର ସ୍ଥିତିକୁ ବିସ୍ତାର କରି ଚାଲି ଥିଲା।
ସକାଳୁ ସକାଳୁ ପିଇସା ଆସି ପହଁଚିଲେ। ତାଙ୍କୁ ପ୍ରଣାମ କରିବାକୁ ଗଲାବେଳେ ସେ ମନା କଲେ।ଏ ସମୟରେ ପ୍ରଣାମ କରନ୍ତିନି ବୋଲି। ମୋତେ ସୁଯୋଗ ମିଳିଗଲା ତାଙ୍କ ଆଖିକୁ ଦେଖି ବାକୁ, ସତରେ ସେ କାନ୍ଦିଛନ୍ତି କି? ସାରା ରାତି ନା ଅଳ୍ପ ସମୟ ! ଲୁଚେଇ ଲୁଚେଇ କାନ୍ଦିଥିବେ , ନହେଲେ ତାଙ୍କ ସ୍ତ୍ରୀ ଖରାପ ଭାବିବେନି କି ! ପିଇସାଙ୍କ ଆଖିରୁ କିଛି ଜାଣି ପାରିଲି ନାହିଁ।ଏଠାକୁ ଆସିବାକୁ ପଡ଼ିଲା ବୋଲି ବିରକ୍ତ ହଉନାହାନ୍ତି ତ ! ତାଙ୍କୁ ଚାହିଁଲି ହେଲେ କିଛି ବି ଠଉରାଇ ପାରିଲି ନାହିଁ। ତାଙ୍କ ବୁଢ଼ା ପାଣିଚିଆ ଆଖିଟା ବହୁତ କିଛି ପଚାରିବାକୁ ଆଉ କହିବାକୁ ଚାହୁଁଥିଲା ବୋଧେ।ଘଡ଼ିଏ ଚାହିଁଲେ ଟୁନିନାନୀକୁ ,ତା ମଥାରେ ହାତ ରଖିଲେ । କହିଲେ,”ଅଧା ରାସ୍ତାରେ ଛାଡ଼ି ଦେଲି ବୋଲି ଝଗଡ଼ା କରି ଚାଲି ଆସିଥିଲୁ । ଆଜି ଚାଲେ ଯିବି ତୋ ସହ ତୋ ଲକ୍ଷ୍ୟସ୍ଥଳ ଯାଏଁ ।“ ତାଙ୍କ ଆଖିରୁ ଦୁଇ ବୁନ୍ଦା ଲୁହ ଖସି ପଡ଼ିଲା। ବୋଧେ ପିଇସା ଏପର୍ଯ୍ୟନ୍ତ ଟୁନିନାନୀ ଉପରେ ଥିବା ଟିକିଏ ଅଧିକାରକୁ ବଞ୍ଚେଇ ରଖିଛନ୍ତି।
କୋକେଇରେ ଉଠିଲା ଟୁନିନାନୀ। ଆଗରେ ପିଇସା ଓ ତା ପୁଅ ରାଜା, ପଛରେ ବାପା ଆଉ ଭାଇ ତାକୁ କାନ୍ଧରେ ଧରିଥିଲେ। ବୋଉର ବାହୁନାଟା ଜୋରରେ ଶୁଣାଗଲା। ମୋତେ ବହୁତ ବିରକ୍ତ ଲାଗିଲା ବୋଉର ଏପରି କୁମ୍ଭୀର କାନ୍ଦଣାରେ। ଯାଉଛି ତ ଯାଉ ଟୁନିନାନୀ ,ବୋହୁ ବେଶରେ ତା ନୂଆ ଘରକୁ।
ଟୁନିନାନୀ ଚାଲି ଗଲା କଉଡ଼ି ପକେଇ ପକେଇ। ବର୍ଷାଟା ବି ଥମି ଯାଇଥିଲା। ରାତି ଅନିଦ୍ରାରେ ମୁଁ ବି ଥକି ଯାଇଥିଲି। ପିଣ୍ଡାରେ ବସି ଗଲି ଗୋଡ଼ ଲମ୍ବେଇ। ଘରେ ଆଉ କେହି କାନ୍ଦୁ ନ ଥିଲେ ।ଥକି ଯାଇଥିଲେ କି ବାହୁନା ପକାଇ ବହୁତ ଦୁଃଖିତ ବୋଲି ଦେଖେଇ ହେବାକୁ ଘରେ କେହି ପୁରୁଷ ନ ଥିଲେ ,କିଏ ଜାଣେ ।ସେ ବଞ୍ଚିଥିଲା ବେଳେ ତ ଉଲୁଗୁଣା ଦେବାକୁ ପଛାଇ ନଥିଲେ, ଏବେକୁମ୍ଭୀର କାନ୍ଦଣାରେ କି ଲାଭ।
ମୋର ଏବେ ବି ମନେ ଅଛି ଅଠର ବର୍ଷ ତଳର ସେ ଦିନ। ଗୋଟେ ଝଡ ପରି ଟୁନିନାନୀ ଘର ଭିତରକୁ ପଶି ଆସିଥିଲା, କୋଳରେ ତା’ର ଦଶଦିନର ପୁଅକୁ ଧରି। ତା’ର ଛୋଟ ଅଥଚ ଦମ୍ଭିଲା ଘୋଷଣା,'ମୁଁ ଆଜି ଠାରୁ ଏଠି ରହିବି'। ବଜ୍ର ପକାଇ ଦେଲା ଆମ ଘରେ। ବୋଉ ମୁହଁ ଫୁଲେଇ ଦେଲା। ଲୁଚେଇ ଲୁଚେଇ ଗରଗର ହେଲା। ସେ ଯେ ଟୁନିନାନୀର ଉପସ୍ଥିତିକୁ ଆଦୌ ସହି ପାରୁ ନ ଥିଲା, ସେ ଧାରଣା ଆସିବାରେ ବିଳମ୍ବ ହୋଇ ନ ଥିଲା ମୋର।
ଦିନେ ଟୁନିନାନୀ ବାପାଙ୍କୁ ଦଶ ହଜାର ଟଙ୍କା ମାଗି ଥିଲା। ବାପା ବୋଉ କିଛି ନ କହି ଲୁଚେଇକି ଦେବାକୁ ଚାହୁଁ ଥିଲେ । ହେଲେ ସେ ରାଜି ହେଲାନି। ବାଧ୍ୟ ହୋଇ ବାପା ବୋଉ ସାମନାରେ ଟଙ୍କା ଦେଲେ। ବାସ୍ ତାପର ଦିନରୁ ବୋଉର ଲୁଚେଇ ଲୁଚେଇ ଆସୁଥିବା ଗରଗରଟା ଉଚ୍ଚ ତାପମାନ ରେ ସିଧାସଳଖ ଟୁନିନାନୀଙ୍କୁ ଆଘାତ କରିବାକୁ ଲାଗିଲା। ଖାଲି ସେତିକି ନୁହେଁ ବୋଉ ଗାଁର କିଛି ସ୍ତ୍ରୀ ଲୋକଙ୍କ ସହ ମିଶି କେତେବେଳେ ନଈ ତୁଠରେ ତ କେତେବେଳେ ଗାଁ ମନ୍ଦିରରେ ଦୀପ ଦେଉଥିଲା ବେଳେ ନାନୀକୁ ଦୁଇ ପଦ ଦେଖେଇ ଦେଖେଇ ଶୁଣାଇବାରେ ପଛଉ ନ ଥିଲା। ମୁଁ ଦେଖୁଥିଲି ନାନୀ ଗୋଟେ ଚଳନ୍ତା ପଥରରେ ପାଲଟି ଯାଇଥିଲା,ଆଉ ସେଟା ପରାଗୁଡିକ ତା ଦେହରେ ମାଡ଼ ହୋଇ ଖସି ପଡୁଥିଲା।
ଟୁନିନାନୀ ସେଇ ପଇସାରେ ବାଡି ପଛପଟେ ଥିବା ଗୁହାଳଟାକୁ ମରାମତ କରି ଗାଈଟିଏ କିଣି ଆଣିଲା। ପାହାନ୍ତିଆରୁ ଉଠି ଗୁହାଳ ସଫାକରେ। ଗାଈ ସାମନା ରେକୁଟା ତୋରାଣି ରଖେ।ତା ପରେ ଘର କାମ କରେ। କିଛି ଦିନ ପରେ ଗାଇଟି
ଛୁଆ ଜନ୍ମ କଲା। ଏଣିକି ନାନୀର କାମଟା ଟିକେ ବଢ଼ିଗଲା। ସେ ଗାଈ ଦୁହେଁ। ବାଲ୍ଟି ରେ ଖିର ନେଇ ଘରେ ଘରେ ଦେଇ ଆସେ। କାହାକୁ ଠକେନି। ସେଥିପାଇଁ ତା’ର ଗ୍ରାହକ ବି ଦିନକୁ ଦିନ ବଢୁଥିଲେ। ଫେରି ଆସି ଘରେ ରୋଷେଇ କରେ।ଭାଇ ଓ ରାଜାକୁ ହାତରେ ଖୁଆଇ ଦିଏ।
ଟୁନିନାନୀକୁ ଦେଖିଲା ପରେ ମୋ ପିଲାଦିନଟା କେଉଁ ଏକ ଅଜଣା ଖାଇ ଭିତରେ ଖସି ଖସି ଯାଉଥିଲା। ମୁଁ ଖାଲି ତାକୁ ଦେଖୁଥିଲି, ତା କାମକୁ ନିରେଖୁ ଥିଲି।ସତ କହିଲେ ମଝିରେ ମଝିରେ ବୋଉ ସହିତ ତୁଳନା କରୁଥିଲି। ସେ ତୁଳନାରେ ବୋଉର ଛବିଟି ଝାପସା ଦେଖାଯାଉଥିଲା ଆଉ ନାନୀର ରଙ୍ଗିନ।
ଟୁନିନାନୀ ଘର ଓଳାଏ ,ଘର ପୋଛେ , ଠାକୁର ପୂଜା କରେ,ଗାଈ କାମ କରେ ଆଉ ରୋଷେଇ ବି ।ରକ୍ତ ମାଂସ ର ମଣିଷ ଯେ ଏମିତି ଖଟିପାରେ, ମୁଁ ଭାବୁଥିଲି, କେଉଁଠୁ ଆଣିଲା ସେ ଏତେ ଧୈର୍ଯ୍ୟ ! ଯଦି ତା ପାଖରେ ଥିଲା ଆଗରୁ ତେବେ ନିଜ ଘର ଛାଡ଼ି ଏଠିକୁ କାହିଁକି ଚାଲି ଆସିଥିଲା ? ଏଇ କେତେ ଗୁଡିଏ ପ୍ରଶ୍ନରେ ମନଟା ଗୋଳେଇ ଘାଣ୍ଟି ହୁଏ। କାହାକୁ ପଚାରି ପାରେନି। କେତେ ଗୁଡିଏ ଡର ସବୁ ଉତ୍କଣ୍ଠାକୁ ମାଡି ବସେ । କାଳେ ବୋଉ ରାଗିବ,ମାରିବ ଆଉ କହିବ ,”ବୟସ ହେଇନି ତୋର ଏସବୁ ଜାଣି ବାର। କ’ଣ ଦରକାର ଏତେ କଥା ରେ ମୁଣ୍ଡ ପୁରାଇବା।ପାଠ ପଢାରେ ମନ ଦେ।“ ପୁଣି ଗାରୁଗାରୁ ହେବ,” ମୋ ଘରକୁ ଆସି ମୋ ଝିଅକୁ ଖରାପ କରିଦେବ ଏ ଅଲକ୍ଷଣୀ।“
ସତରେ କ’ଣ ଟୁନିନାନୀ ଅଲକ୍ଷଣୀ ? ଖାଲି ବୋଉ କହିଦେଲା ବୋଲି ନା କ’ଣ? ସେ ଆସିଲା ଦିନୁ ତ ଘରର କାୟା ବଦଳି ଗଲାଣି। ସେ ଆଉ ଚାରୋଟି ଗାଈ କିଣି ସାରିଲାଣି। ଗୁହାଳ ଘରଟା ବାଡି ପଛପଟକୁ ଆଉ ଟିକେ ଲମ୍ବି ଗଲାଣି। ଏବେ ଖିର ନେବାକୁ ସହରରୁ ଗାଡ଼ିଟେ ଆସୁଛି କୋଉ ଗୋଟେ କମ୍ପାନୀର। ଖାଲି ସେତିକିରେ ସନ୍ତୁଷ୍ଟ ହେଇନି ସେ, ଗାଁର ସ୍ତ୍ରୀ ଲୋକଙ୍କୁ ଲଗାଇ ଆଚାର,ପାମ୍ପଡ କରି ବିଭିନ୍ନ କମ୍ପାନୀକୁ ଯୋଗାଇଲାଣି। ସବୁ ବେଳେକୁହେ,”କାହା ଉପରେ ନିର୍ଭର କରନା। ନିଜେ ନିଜ ପାଇଁ ରୋଜଗାରର ଜରିଆ ରଖିଥାଅ।କିଏ ଜାଣେ ଆଗକୁ ବିଧାତା କି ବିଧାନ ରଖିଛି ?” ଟଙ୍କା ପଇସା ହିସାବରେ ରେ ଭାରି ବୁଦ୍ଧି ତାର।କାମ କରୁଥିବା ସ୍ତ୍ରୀ ଲୋକ ମାନଙ୍କୁ ତାଙ୍କର ପ୍ରାପ୍ୟ ଦିଏ, ବାପାଙ୍କ ହାତରେ କିଛି ଗୁଞ୍ଜି ଦିଏ,ଘର ଖର୍ଚ୍ଚ ବି କରେ। ହେଲେ ନେଇ ଥିବା ଦଶ ହଜାର ଟଙ୍କା ଫେରାଇଲାନି। କହିଲା,”ଭାଇ ପଇସାରେ, ଭଉଣୀର ଅଧି
କାର ନାହିଁ ନା କ’ଣ ?”
ଆମର କଲେଜରେ ଦାଖଲ, ଟ୍ୟୁସନ ଖର୍ଚ୍ଚ, ନୂଆ ଲୁଗାପଟା କିଣିବା, ସବୁଥିରେ ସେ ଠିଆ ହୋଇଯାଏ।ଘରେ ଟି.ଭି. ଆସିବ , ସୋଫା ଟେ ଦରକାର ଟୁନିନାନୀ ଅଛି ତ ଆଉ ଚିନ୍ତା କ’ଣ ?
ଏବେ ବୋଉ ପ୍ରାୟ ଗୋଟେ କଟାଗଛ ର ଗଣ୍ଡି ଟେ ପରି ଖଟଟା ଉପରେ ପଡ଼ିଥାଏ। ଯେବେଠୁ ସୋଫା ଟେ ଆସିଲାଣି,ତାର ଗଣ୍ଡିଟା ସବୁବେଳେ ସୋଫା ଉପରେ।ଉଠେ ଗଣ୍ଡେ ଖାଇଦେଇ ପୁଣି ପଡିରହେ ସୋଫା ଉପରେ ଟି.ଭି ସାମନାରେ । ଏଣିକି ଆଉ ଗରଗର ହେଉନି। ସେ ବୁଝି ସାରିଥିଲା ଯେ ବାପାଙ୍କର ଏଇ ପ୍ରାଇମେରୀ ସ୍କୁଲର ଦରମାରେ ଏସବୁ ସୁଖ ସୁବିଧା ସମ୍ଭବ କେଉଁଠୁ ମିଳିଥାନ୍ତା?
ଏଣିକି ଗାଁର ସ୍ତ୍ରୀ ଲୋକମାନେ ବି କିଛି କୁହନ୍ତିନି, ନା ପୋଖରୀ ତୁଠରେ ,ନା ମନ୍ଦିର ବେଢ଼ାରେ। ଏମିତି ରେ ବି ଟୁନିନାନୀ କାହା କଥା ଧରେନି।କୁହେ,” ଯାହା କଥା ଧରି ବାର ଥିଲା, ତାକୁ ତ ଯିବାକୁ ଦେଲି ତା ବାଟରେ।ଆଉ ଏମାନଙ୍କ କଥା କ’ଣ ଧରିବି ?”
ସବୁକିଛି ଠିକଠାକ ହେବାକୁ ଲାଗିଥିଲା ।ଟୁନିନାନୀ ବାପାଙ୍କ ସହ ଯାଇ କଲେଜରେ ମୋ ନାଁ ଲେଖାଇ ଦେଲା।ଫେରିଲା ବେଳେ ମୋ ପାଇଁ ଦୁଇଟି ସାଲଓ୍ବାର କମିଜି ଆଉ ହଳେ ନୂଆ ଚପଲ ଆଣିଥିଲା। ମୁଁ ଖୁବ୍ ଖୁସି ଥିଲି।ମୋ ଖୁସି ଦେଖି ସେ କେତେ ଖୁସି ହେଇ ଯାଇଥିଲା। ହେଲେ ନାନୀର ଜୀବନର ଦିନ ଗୁଡ଼ିକ ବିନା ହଲଚଲରେ କୋଉଠି ବିତିପାରିଛି ? ଦିନେ ହଠାତ୍ ପିଇସା ଝଡ଼ ପରି ଘରେ ପହଞ୍ଚିଲେ ରାଜାକୁ ନେବାକୁ। କହିଲେ,” ଏଣିକି ରାଜା ମୋ ପାଖେ ରହିବ।ସେ ବଡ଼ ହୋଇଗଲାଣି,ଆଉ ମାର ଏତେ ଆବଶ୍ୟକତା ନାହିଁ।ତା’ ଦାଇତ୍ୱ ଏବେ ମୋର।“
ମୋତେ ଲାଗିଲା , ହିରୋସୀମା ଓ ନାଗାସାକୀ ପରେ ଅନ୍ୟ ଏକ ନ୍ୟୁକ୍ଲିୟର ବମ୍ ଆଜି ମୋ ଘର ଉପରେ ପଡି ଗଲା ଯେମିତି।
“ତମର ରାଜା ଉପରେ କି ହକ୍ ଅଛି ହୋ। ଦ୍ବିତୀୟ ବିବାହ କରି ଛୁଆ ହେଲାନି ବୋଲି ରାଜା ମନେ ପଡ଼ିଲା ବୋଧେ।ରାଜା କେବଳ ମୋ ପୁଅ ,ଯାଅ ବାହାରି ଯାଅ ଏଠୁ।“ ଦାଣ୍ଡ କବାଟକୁ ଆଙ୍ଗୁଠି ଦେଖେଇ ସେ ଚିଲ୍ଲେଉ ଥିଲା।ତାର ଏଇ ରୂପ ମୁଁ ପ୍ରଥମ ଥର ପାଇଁ ଦେଖିଲି।ସମୟ ଆସିଲେ ଯେ ସେ ନିଜ ପାଇଁ ଲଢିପାରେ,ଏ ଧାରଣା ମୋତେ ଟିକେ ଶାନ୍ତି ଦେଉଥିଲା। ତଥାପି କାଳେ ରାଜାକୁ ପିଇସା ଆମଠାରୁ ଛଡାଇ ନେବେ ଏଇ ଡରଟା ମୋତେ ଘାରୁ ଥିଲା। ଟୁନିନାନୀ ପୂର୍ବ ପରି ଶାନ୍ତ ହୋଇ ଯାଇଥିଲା, ଯେମିତି ତା ପାଖେ ଗୁପ୍ତ ମନ୍ତ୍ରଟେ ଅଛି।
ପିଇସା କୋର୍ଟରେ କେସ୍ କଲେ , ରାଜାକୁ ନିଜ ପାଖକୁ ନେବା ପାଇଁ। ନାନୀ ବି ଅଣ୍ଟାରେ ଲୁଗା ଖୋସି ତୟାର୍ ହୋଇଗଲା ଲଢ଼ିବାକୁ।କେସ୍ ଚାଲିଥିବା ବେଳେ ମୁଁ ନାନୀର ସେଇ ଲୁକ୍କାୟିତ ଦିନର କାହାଣୀକୁ ଜାଣି ପାରି ଥିଲି।
ଦୀର୍ଘ ପାଞ୍ଚ ବର୍ଷର ବିବାହ ପରେ ବି ସନ୍ତାନ ନ ହେବାରୁ ତାକୁ ତା ଶାଶୂ କେଉଁ ଏକ ଆଶ୍ରମକୁ ନେଇ ଯାଇଥିଲେ। ଶାଶୂଙ୍କ ବିଶ୍ବାସରେ ଆସ୍ଥା ରଖି ସେ ଆଶ୍ରମ ଯିବାକୁ ରାଜି ହୋଇ ଯାଇଥିଲା।
ପ୍ରଥମେ ପିଇସା ପ୍ରତି ମାସରେ ଥରେ ଆଶ୍ରମକୁ ଯାଉଥିଲେ। ଧୀରେ ଧୀରେ ତାଙ୍କର ଯିବାର ବ୍ୟବଧାନ ବଢ଼ିବାକୁ ଲାଗିଲା। ଚାକିରିରେ ବ୍ୟସ୍ତତା ହେତୁ ଶେଷ ଆଠ ନଅ ମାସ ଯାଇପାରି ନ ଥିଲେ। ପ୍ରାୟ ବର୍ଷେ ପରେ ପିଇସାଙ୍କୁ ଅଚାନକ ଚକିତ କରିଦେବା ଉଦ୍ଦେଶ୍ୟରେ ଟୁନିନାନୀ ଦଶଦିନର କଅଁଳ ଛୁଆକୁ ଧରି କିଛି ସୂଚନା ନ ଦେଇ ଶାଶୁ ସହ ତା ଘରେ ପହଞ୍ଚି ଯାଇ ଥିଲା। ପିଇସାଙ୍କୁ ଅନ୍ୟ ଏକ ସ୍ତ୍ରୀ ସହ ଦେଖି ସେଇ ମୁହୂର୍ତ୍ତରେ ସେ ଘର ଛାଡ଼ି ଚାଲି ଆସିଥିଲା ଆମ ଘରକୁ।
ନାନୀର କାହାଣୀ ଶୁଣିଲା ପରେ ଗୋଟେ ଝଡ ମନ ଭିତରେ କାୟା ବିସ୍ତାର କରି ଚାଲି ଥିଲା।ଭୁଲ କାହାର? କ’ଣ ଏଇ ନାରୀ ଜୀବନର?
କୋର୍ଟରେ କେସ୍ ଚାଲୁଥାଏ।ପିଇସାଙ୍କ ଓକିଲ ଚେଷ୍ଟା କରିଥିଲେ ରାଜାର କଷ୍ଟୋଡି ତାଙ୍କ ସପକ୍ଷରେ ହେଉ ଆଉ ନାନୀର ଓକିଲ ନାନୀ ପାଇଁ।ରାଜା ବିକଳ ହେଇ ଟୁନିନାନୀକୁ ଜାବୁଡି ଧରି ଶୁଏ। ତା’ର କୋମଳ ମନରେ ଅହେତୁକ ଡର ପଶି ତାକୁ ବ୍ୟସ୍ତ କରେ, ମୁଁ ବୁଝି ପାରୁ ଥିଲି।ଟୁନିନାନୀ କିନ୍ତୁ ଶାନ୍ତ ଥିଲା, ଯେମିତି ତା ପାଖରେ କୁହୁକ ଛଡିଟେ ଅଛି, ଯେତେବେଳେ ସେ ଚାହିଁବ ବୁଲେଇ ଦେଇ ସବୁ ଠିକ କରିଦେବ।
ସତସତିକା ଠିକ ସମୟରେ ସେ କୋର୍ଟରେ ତାର ବ୍ରହ୍ମାସ୍ତ୍ର ପ୍ରୟୋଗ କରିଥିଲା।
“ରାଜା ତୁମ ପୁଅ ନୁହଁ”
ସ୍ତବ୍ଧ ହେଇଗଲା ସେଦିନ କୋର୍ଟରେ ବହୁ ଥିବା ପବନ। କୋର୍ଟର ନିର୍ଦ୍ଦେଶରେ ରାଜା ସହ ପିଇସାଙ୍କର ବି ପରୀକ୍ଷା ନିରୀକ୍ଷା ଆରମ୍ଭ ହୋଇଥିଲା। ପରିଣାମ ସ୍ବରୂପ ସିଦ୍ଧ ହେଲା ଯେ ରାଜା ପିଇସାଙ୍କର ପୁଅ ନୁହଁ ଏବଂ ପିଇସା ମଧ୍ୟ ସନ୍ତାନ ଜନ୍ମ ଦେବାରେ ସକ୍ଷମ ନୁହଁନ୍ତି । ବାସ୍ କୋର୍ଟର ଫଇସଲା ପିଇସାଙ୍କ ବିରୋଧରେ ଥିଲା। ରାଜା ଟୁନିନାନୀ ସହ ରହିଲା। ମୋର ଧାରଣା ହେଲା ଟୁନିନାନୀ ସବୁ କିଛି କରିପାରିବ। ଭାବିଲି , ଏଣିକି ସବୁ ଠିକ୍ ଠାକ୍ ଚାଲିବ ପୂର୍ବ ପରି । ହେଲେ ଆଉ ଗୋଟେ ନୂଆ ଶବ୍ଦର ଲାଞ୍ଛନା ମୁଣ୍ଡ ଟେକିଲା ଗାଁର ସ୍ତ୍ରୀ ଲୋକଙ୍କର ଟୁପୁରଟାପର ଭିତରେ, “ଚରିତ୍ର ହୀନା” ।
ମୋତେ ସବୁଠୁ ବେଶୀ ଖରାପ ଲାଗୁଥିଲା, ବୋଉର ଗାଁ ସ୍ତ୍ରୀ ଲୋକ ମାନଙ୍କ ସହ ପଞ୍ଚାୟତି କରିବାଟା। ଗୋଟେ ସ୍ତ୍ରୀ ହେଇ ବି ସେ ବୁଝି ପାରୁ ନ ଥିଲା ନାନୀର ଦୁଃଖ ଓ ଅସହାୟତାକୁ। ମୋତେ ଟୁନିନାନୀର ନିରବ ରହିବାଟା ବି ଭଲ ଲାଗୁ ନ ଥିଲା।
ଦିନେ କଲେଜରୁ ଫେରିବା ପରେ ଦେଖିଲି ବୋଉ ଦାଣ୍ଡଘରେ ରିଙ୍କୁ ଖୁଡି ଓ ଅନି ଦେଠେଇଙ୍କ ସହ ଫୁସୁରୁ ଫାସର ହେଉଛି। ସେମାନେ ଦାନ୍ତ ଚିପି ଚିପି ହସୁଛନ୍ତି। ହଠାତ୍ ମୋ କାନରେ ପଡ଼ିଲା ସେ ଶବ୍ଦଟା 'ଦୋଚାରୁଣୀ'। ମୁଁ ଦୁମଦୁମ କରି ଚାଲି ,ପହଁଚିଲି ଟୁନିନାନୀ ବଖରାରେ।ସେ କିଛି ହିସାବ ଲେଖୁଥିଲା। ମୁଁ ରାଗରେ କହିଲି, “ ତୁ ଏସବୁ କେମିତି ସହୁଛୁ, କିଛି କହୁନୁ କାହିଁକି?” ସେ ମୋ ମୁହଁକୁ ଚାହିଁ ମୁରୁକି ହସିଲା।ତା ଆଖିର ଶୂନ୍ୟ ଇଲାକା ରେ କେତେ ଗୁଡିଏ ସ୍ବପ୍ନ ସକାଳର କଅଁଳିଆ ଖରା ପରି ବିଛାଡି ହୋଇ ପଡ଼ିଥିଲା। ସେ ମୋ ହାତକୁ ଟାଣି ତା ପାଖରେ ବସାଇ ଦେଲା। କହିଲା,ତୁ ଟିକେ ତୁନି ହେଇ ରହିବାଟା ଶିଖ। କାହିଁକି ଜାଣିଛୁ , ଗୋଟିଏ ତୁନି ଶହେଟା କୁହାଳିଆଙ୍କୁ ହରାଇ ଦିଏ ପରା। ତୁ ବ୍ୟସ୍ତ ହୁଅନା, ଯେତେବେଳେ ସମୟ ଆସିବ ମୁଁ କହିବି ଆଉ ସମସ୍ତେ କେବଳ ଶୁଣିବେ। ବହୁତ କାମ ଅଛି କରି ବାକୁ, ଏସବୁରେ ମୁଣ୍ଡ ପୁରେଇ ସମୟ କାହିଁକି ନଷ୍ଟ କରିବି କହ ତ !” ମୁଁ ଚୁପ୍ ହେଇଗଲି।ସେ ସମୟକୁ ଅପେକ୍ଷା କରି କରି ମୋ ପଢା ବି ସରି ଯାଇଥିଲା ଆଉ ବାହାଘର ବି।
ଟୁନିନାନୀ ନିଶ୍ଚୟ କରି ଥିଲା ଏଇ ସମୟକୁ। ସେଥିପାଇଁ ଅପେକ୍ଷା କରି ଥିଲା ମୋ ଆସିବା ବାଟକୁ।ସେ କହିଦେଲା ତା’ର ଯାହା କହିବାର ଥିଲା।
ଟୁନିନାନୀର କ୍ରିୟା ,ବାପା ଭାଇ ଓ ରାଜା ନିୟମାନୁସାରେ କରୁଥିଲେ। ପିଇସା ଆମ ଘରେ ରହୁଥିଲେ ସେ ସମୟରେ। ମୁଁ ପୁରା ଚୁପ୍ ଥିଲି। ବୋଉ ସହ ଦେଠେଇ ,ଖୁଡୀ,ଭାଉଜ ଉଖୁରେଇ ପଚାରୁଥିଲେ ନାନୀ ସହ ସେଇ ଗୁପ୍ତ ଶେଷ ମୁହୂର୍ତ୍ତର ସତ୍ୟତାକୁ।ସେ ନିଶ୍ଚେ କୋଉଠି କିଛି ମୋଟା ପଇସା ଲୁଚେଇ କି ରଖିଥିଲା ବୋଧେ, ନାଇଁ ମ କୋଉ ପାପ କର୍ମକୁ ମାନିବାକୁ ଥିଲା ମ ! ସେଥିପାଇଁ ପ୍ରାଣଟା ଅଟକି ଥିଲା।" ଯେତିକି ମୁହଁ ସେତିକି କଥା। ସେ ଯେତେବେଳେ ବଞ୍ଚି ଥିଲା ଗୋଟେ ପ୍ରଶ୍ନ ବାଚକ ଚିହ୍ନ ହୋଇ ,
ମଲାପରେ ବି ସେମିତି ଗୋଟେ ପ୍ରହେଳିକା ।
ତେର ଦିନ ବିତି ଗଲା। ଚଉଦ ଦିନ ରାଜା ବାହାରିଲା ତା’ ଇଂଜିନିୟରିଂ କଲେଜକୁ। ତା’ର ହଷ୍ଟେଲ ପାଇଁ ମୁଁ ମୁଢ଼ି, ଚୁଡ଼ା ଆଉ କିଛି ବାରମଜାର ପ୍ୟାକେଟ ସଜାଡି ଦେଲି। “ନାନୀ ବୋଉ ମୋ ପାଇଁ କିଛି କହିଥିଲା କି?” ତା ପ୍ରଶ୍ନରେ ଟୁନିନାନୀ ଦେଇଥିବା କାଗଜଟେ ତାକୁ ବଢାଇ ଦେଇଥିଲି। ସେଇଟା ଟୁନିନାନୀ ର ଇଛାନୁସାରେ ତାର ସବୁ ସମ୍ପତିକୁ ମୋ ନାଁ, ଭାଇ ନାଁ ଓ ରାଜାର ନାଁରେ ଭାଗ ହେବାର କାଗଜ ଥିଲା। ରାଜା ସେ କାଗଜକୁ ପଢି ବାପାଙ୍କ ହାତରେ ଧରାଇ ଦେଇ ବାହାରି ଗଲା।
ମୁଁ ରାଜା ର ଯିବା ବାଟକୁ ଅପେକ୍ଷା କରି ଥିଲି। ରାଜା ଏସବୁ ନ ଜାଣୁ ଟୁନିନାନୀର ଏଇ ଅଭିପ୍ରାୟ ଥିଲା ବୋଲି ମୁଁ ବୁଝି ପାରିଥିଲି। ନହେଲେ ମୋତେ ଏସବୁ କହିଲା ବେଳେ ସେ ରାଜାକୁ ସେଠୁ ଯିବାକୁ କାହିଁକି ନିର୍ଦ୍ଦେଶ ଦେଇଥାନ୍ତା। ଏବେ ସେ ଦେଇ ଥିବା ଦାଇତ୍ୱକୁ ପୂରା କରିବାକୁ ପଡ଼ିବ। ମୁଁ ବାପା, ବୋଉ,ପିଇସା ଓ ଗାଁର କିଛି ଲୋକଙ୍କୁ ଡାକିଲି। “ଟୁନିନାନୀ ଯିବା ପୂର୍ବରୁ କହିଥିଲା, ତୋ ପିଉସାଙ୍କୁ ଏତିକି କହିଦେବୁ, ରାଜା ତାଙ୍କ ପୁଅ ନୁହେଁ ଏକଥା ସତ ହେଲେ ଆଉ ଏକ ସତ ଏଇଟା ଯେ, ରାଜାକୁ ମୁଁ ମୋ ଗର୍ଭରୁ ଜନ୍ମ ଦେଇନି।ତା ମାନେ ନୁହେଁ ଯେ ସେ ମୋ ପୁଅ ନୁହଁ। ସେ ତ ମୋ କାହ୍ନା।
ଆଶ୍ରମ ବାହାରେ କିଏ ନବଜାତ ଶିଶୁକୁ ଛାଡି ଦେଇ ଥିଲା।ବାବା ତାକୁ ମୋ କୋଳରେ ରଖି କହିଲେ, ତୋ ତପସ୍ୟା ସଫଳ ହେଲା ….ଯା ନେଇ ଯା ତୋ ପୁଅକୁ।“ ବାସ୍ ଟୁନିନାନୀ ଆଖି ବୁଜି ଦେଲା।
ପୁଣି ଥରେ ବଜ୍ର ପଡ଼ିଲା ମୋ ଘରର ଛାତ ଉପରେ। ସମସ୍ତଙ୍କ ମୁହଁ ଶେତା ପଡି ଯାଇ ଥିଲା। ଆହା ! ଟୁନିନାନୀ ବଞ୍ଚି ଯାଆନ୍ତା କି ଦେଖି ଥାଆନ୍ତା ସମସ୍ତଙ୍କ ଏଇ ଭାବଟାକୁ।
ଟୁନିନାନୀ ବୋଉ ଠାରୁ ଖୁବ୍ ଆଘାତ ପାଇଥିଲା। ହେଲେ ପିଇସାଙ୍କୁ ଛାଡି ବାକୁ ସେ ଗୋଟେ ମୁହୂର୍ତ୍ତ ବି ଭାବି ନ ଥିଲା। ସେ ମୋତେ ଶିଖେଇ ଦେଇଥିଲା ଗୋଟେ ସ୍ତ୍ରୀର ମାନ ଅପମାନର ମାପଦଣ୍ଡ କେତେ ହେବା ଉଚିତ।
ଦାନ୍ତରେ ଲୁଗା କାମୁଡି ଗାଁ ସ୍ତ୍ରୀ ଲୋକ ମାନେ ନିଜ ନିଜ ଘରକୁ ଫେରି ଗଲେ। ବୋଉର ବାହୁନାଟା ଜୋରରେ ଶୁଣାଗଲା। ପିଇସା ଉଠିପଡ଼ି ଟୁନିନାନୀର ଫୋଟୋ ଛାତି ରେକୁ ଜାବୁଡି ଧରି ଭୋ ଭୋ କରି କାନ୍ଦିବାକୁ ଲାଗିଲେ।