Paramita Sarangi

Romance

2.5  

Paramita Sarangi

Romance

ପ୍ରେମ ଓ କବିତା

ପ୍ରେମ ଓ କବିତା

3 mins
720


ଗୋଟିଏ ଥିଲା ପ୍ରେମ , ଆଉ ଗୋଟିଏ ଥିଲା କବିତା । ସେଦିନ ଆସିଥିଲା ଅସରାଏ ବର୍ଷା । ଦୁହେଁ ଭିଜି ଥିଲେ ଖୁବ୍ । କବିତାର ଅଙ୍ଗେ ଅଙ୍ଗେ ପ୍ରେମର ମାଦକତା , ଅନ୍ତରରେ ପ୍ରେମ, ଆତ୍ମାରେ ପ୍ରେମ । ପ୍ରେମର ଦୁନିଆରେ କବିତା, ବିଶ୍ଵରେ କବିତା,ଅନ୍ତରୀକ୍ଷ ରେ କବିତା ।


କିନ୍ତୁ ଏବେ.....


ପ୍ରେମର ରାତିଟେ ଦରକାର ।

କବିତାର ସ୍ବପ୍ନଟେ ଦରକାର ।


ପ୍ରେମ ନିଶ୍ଚିନ୍ତର ରାତି ଟିଏ କିଣି ବାକୁ ଖଟୁ ଥିଲା ଦିନ ସାରା । କବିତା ସ୍ବପ୍ନଟେ ଗଢ଼ି ବାକୁ ନିଦ ଟିକୁ ଖୋଜୁଥିଲା ଦିନ ସାରା । ହେଲେ ପ୍ରେମ ତ ନ ଥିଲା ତା ପାଖରେ । ଏପରି ସ୍ବପ୍ନଟିର ଭବିଷ୍ୟତ କ'ଣ ? ବୁଝିପାରୁ ନ ଥିଲା ସେ ।


ପ୍ରେମ ର ରାତି ଟିଏ ,ଗହୀରା ରାତି । ଯେଉଁ ରାତିରେ ଫୁଟି ପଡୁଥିବ ହଜାର ହଜାର କଅଁଳିଆ ରଜନୀଗନ୍ଧା । ଖସି ପଡୁଥିବେ କେତେ ଗୁଡିଏ ତାରାପୁଜ୍ଞ ବ୍ରହ୍ମାଣ୍ଡ ରୁ ବାହାରି ଆସି ତା ଶେଜ ଉପରେ । ହେଲେ ପ୍ରେମ ଜାଣି ପାରୁ ନ ଥିଲା ଏମିତି ରାତି କେଉଁ ଦୋକାନ ରେ ମିଳେ? କେତେ ଦାମ୍ ରେ ମିଳେ?


କବିତାର ସ୍ବପ୍ନଟେ ଦରକାର । କିନ୍ତୁ ସ୍ବପ୍ନଟେ ପାଇଁ ଦୁଇଟି ଉପାଦାନର ଆବଶ୍ୟକତା ରହିଛି । ଉପାଦାନ, ଉପାଦାନ ମାନେ ମାଧ୍ୟମ । ମାଧ୍ୟମ ମାନେ ଦୁଇଟି ମନ , ମାନେ ପ୍ରେମ ଓ କବିତା । ଆରେ.... ଏତିକି ବୁଝି ପାରୁନ !


ଝିଅ ମାନଙ୍କ ପାଖରେ ଯନ୍ତ୍ରଣାଟିଏ ସବୁ ବେଳେ ରେଡି ହୋଇ ଥାଏ । ବାସ୍ ଟିକେ ଇସାରା ମିଳିଲାନି କି ବାହାରି ଆସେ । ପ୍ରସବର ଅକୁହା ଯନ୍ତ୍ରଣା ପରି କେତେକ ଯନ୍ତ୍ରଣା କୁ ନିଜ ପର୍ସରେ ଭରି ଚାଲିଛି କବିତା । ମନେ ପକାଇ ପାରେନା କେଉଁ ଦିନ ଖଣ୍ଡେ ଢଙ୍ଗର ସ୍ବପ୍ନ ଦେଖିଥିଲା ।


ସେମିତି ଗୋଟେ ରାତି.....


ଝୁରୁଛି ପ୍ରେମ ।

ଝୁରୁଛି କବିତା ।

କେଉଁଠି ମିଳିବ?

ଉଧାରରେ ହେଉ ପଛେ ....


ଉଦାସୀ ସନ୍ଧ୍ୟାଟିର ଗୋଡ଼ ଖସୁଛି ବାରମ୍ବାର ଭିଜା ଭିଜା ରାସ୍ତା ଟାରେ । ରାତି ଠାରୁ ରାତି ଟିଏ ମାଗି ଚାଲିଛି ପ୍ରେମ । ଅସହାୟ ଉଭୟ ରାତିଟିଏ ପାଇଁ, ଏକୁଟିଆ ମୁହୂର୍ତ୍ତ ଟିଏ ପାଇଁ , କିଛି ଶବ୍ଦ ପାଇଁ, କିଛି ଉତ୍ତର ପାଇଁ ।


କିଛି କହିବାକୁ ଚାହିଁଥୁଲା କବିତା ।

କିଛି ଶୁଣିବାକୁ ଚାହୁଁଥିଲା ପ୍ରେମ ।


ମୁଣାରେ ଭର୍ତ୍ତି ହୋଇ ପଡ଼ିଛି କେତେ ଗୁଡିଏ ଭଲ ପାଇବା, ଠିକ୍ କେଉଁ ଏକ ଯୁଗର ସେହି ଖୁଦ ପରି ।


ଜାଦୁ ଜାଣିଛି ଏ ସହରଟା । ଝଟ କରି ତା ଛଡି ଟାକୁ ବୁଲାଇ ଦିଏ । ବଦଳି ଯାଆନ୍ତି ସମସ୍ତେ ମେସିନ ରେ ।ମିଳାଇ ଯାଏ ଇଛା ଗୁଡିକ ଲୁଣ ପରି ।


ଚର୍ଚ୍ଚଗେଟ ଷ୍ଟେସନ । ଲୋକାଲ ଟ୍ରେନଟା ଛାଡ଼ିବ ଛାଡ଼ିବ ହେଉଛି । ଚଢୁଥିବା ଭିଡ଼ ଭିତରେ ଧସି ହୋଇ ପଶି ଆସିଲା ସେ ଲୋକଟି । ବୟସ ପଚାଶ ପାଖାପାଖି , କାନ୍ଧରେ ଲଦି କରି ଧରିଛି ସ୍ତ୍ରୀ କୁ ତାର । ସାମ୍ନା ସିଟ୍ ରେ ତାକୁ ବସାଇ ଦେଇ ଦୁମ କରି ନିଜେ ବସି ପଡିଲା ।


ଚିଡି ଗଲା ପ୍ରେମ

ଚିଡି ଗଲା ସେ ଭିଡ଼ଟାବି ।


"ଆହେ , ଏ ଅବସ୍ଥା ରେ ତାଙ୍କୁ ଘରେ ଛାଡ଼ିଲି ଆସୁନ କାହିଁକି? ବୋହିକି ଆଣିଛ ! ଜାଣିନ କି ଏ ଟ୍ରେନ ରେ କେତେ ଭିଡ଼ ହୁଏ?" କାହାରି ବିରକ୍ତି ଭରା ସ୍ବର ଶୁଣାଗଲା ।


"କେଉଁଠି ଛାଡିକି ଆସିବି ? ତା ଛଡା ମୋର କି , ମୋ ଛଡା ତାର ଆଉ କିଏ ଅଛି ଯେ ?ପାରାଲିସସ୍ ପରେ ତାକୁ ସବୁଦିନ ମୋ ସହ ନେଇ କି ଆସେ ।ଏ ଷ୍ଟେସନ ରେ ମୋ ଚା' ଦୋକାନ ଟେ ।ମୋ ସାମନାରେ ତାକୁ ବସାଏ , ଖୁଆଏ, ତାର ସବୁ କାମ କରେ । କିଏ ଜାଣେ ଆଉ କେତେ ଦିନ ବାକି ଅଛି ଆଉ ଏ ଜୀବନରେ । ଏସବୁ ମୋ ପାଇଁ ଏତେ ସହଜ ନୁହେଁ , କିନ୍ତୁ ଯେତିକି ଦିନ ଅଛି ତା'ର ସହ ସମୟ ବିତାଇବାକୁ ଚେଷ୍ଟା କରୁଛି । " ଟ୍ରେନର ସିଟ୍ ଉପରେ ତା ସ୍ତ୍ରୀ କୁ ବସାଇ ଦେଇ ତା ଶାଢ଼ୀକୁ ଠିକ୍ କରୁ କରୁ ସେ ଲୋକଟା କହିଲା ।


ଚମକି ପଡ଼ିଲା ପ୍ରେମ । ଗୋଟେ ଲୋକାଲ ଟ୍ରେନ ଭିତରେ ଜୀବନ ର ଏତେ ବଡ଼ ଶିକ୍ଷା ମିଳି ପାରେ..... ।


ଟ୍ରେନ ଟା ଷ୍ଟେସନ ଛାଡ଼ିବା ଆରମ୍ଭ କରୁଥିଲା, କିନ୍ତୁ ପ୍ରେମ ର ମନ ଦୌଡ଼ି ବାକୁ ଲାଗିଲା କବିତା ପାଖକୁ ।


ଲୋକାଲ ଟ୍ରେନ ଟି ଚାଲିଥିଲା ....ଛୁକ୍... ଛୁକ୍ ...ଛୁକ୍

ଦୌଡୁଥିଲେ କେତେ ଦୋକାନ , ରାସ୍ତା , ଷ୍ଟେସନ , ଷ୍ଟ୍ରିଟ୍ ଲାଇଟ୍, ଆଉ......


ଆଉ.....ଆଉ ଏ ଆରବ ମହାସାଗରଟା ବି.......


ସମୁଦ୍ରଟା ବି ସେମିତି ।ତା ଉପର ଦେଇ ବୋହି ଆସୁଥିବା ପାଣିଚିଆ ପବନଟା ଓଦା କରିଦିଏ ସମସ୍ତଙ୍କୁ ଆଦରରେ ଛୁଇଁ ଯାଏ ମାନ , ଅଭିମାନ , ଅଭିନୟ, ଅସହାୟ ସବୁକୁ ଭେଦକରି ହୃଦୟକୁ ।


ଆଜି କାଲି କବିତା ଆଇନା ଆଗରେ ଠିଆ ହେଉଛି ।

ପୁରା ରାତିଟା ନ ହେଲେ ବି ପ୍ରେମ କେତେଟା ମୁହୂର୍ତ୍ତ ତା ବଟୁଆ ରେ ଲୁଚାଇ ରଖି ଦେଇଛି ।


କାହିଁକି _ କାହିଁକି ନା ...


ପ୍ରେମ ବଦଳାଇ ଦେଇଥିଲା କବିତାକୁ ପ୍ରେମିକାଟିରେ ।

କବିତା ବଦଳାଇ ଦେଇଥିଲା ପ୍ରେମକୁ ପୁରୁଷଟିରେ ।


ଉଭୟ ହୋଇ ଯାଇଥିଲେ ସେହି ଗୋଟିଏ ମାଧ୍ୟମରେ, ଆଉ ଭିଜୁ ଥିଲେ ସେ ଦିନ ବର୍ଷା ରାତି ରେ ।ଭିଜୁ ଥିଲା ସହରଟା ମଧ୍ୟ ।




Rate this content
Log in

Similar oriya story from Romance