ABhimanyu Panda

Drama

3  

ABhimanyu Panda

Drama

ପ୍ରେମୀ(କ/କା)

ପ୍ରେମୀ(କ/କା)

8 mins
429



ହେଲୋ ,,, ହାଏ ,, ଗୂଡ଼ ମର୍ନିଂ , ଗୂଡ଼ ଇଭିନିଂ , ଗୂଡ଼ ନାଇଟ ,, ଏମିତି ସବୁଦିନ ପ୍ରାୟ ତିନିମାସ ଚାଲିଲା । କଷି ପିଲାଟେ,,ଭାରି ଗୁଳୁଗୁଲିଆ ଛୁଆଟେ ,,। ମୁଁ ବି ପ୍ରାୟେ ସବୁଦିନ ତାକୁ ପ୍ରତ୍ୟୁତ୍ତର ଦିଏ , କେବେକେବେ ଭୁଲିଯାଏ ,,। ଭୁଲିଯାଏ ନୁହେଁ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଜବାବ ଦେଇପାରେନି । 


ହଠାତ ଦିନେ ସନ୍ଦେଶ ଆସିଲା ,,, ଆମେ କଥା ହେଇପାରିବା ?

ବୟସର ତାରତମ୍ୟ ଆଉ ଗତ ତିନି ମାସର ଆମର ପରିଚୟରେ ମୁଁ କଥା ହେବାକୁ ମନା କରିପାରିଲିନି । ରାଜି ହେଇଗଲି । ଉଭୟେ ଉଭୟଙ୍କର ଭଲମନ୍ଦ ବୁଝିଲୁ ,,, ନିଜ ନିଜର ସମ୍ୟକ ପରିଚୟ ଅଦଳବଦଳ ମଧ୍ୟ କଲୁ ,,। ମୋ ଠାରୁ ଅନେକ ସାନ ହେଇଥିଲେ ମଧ୍ୟ ପିଲାଟି ମୋତେ କୌଣସି ସମ୍ପର୍କରେ ବାନ୍ଧିବାକୁ ଚାହୁଁନଥିଲା ,,। ବାରମ୍ବାର କହୁଥାଏ ଆମେ ବନ୍ଧୁ ହେଇ ରହିବା ସବୁଦିନ ,,। 


କଥାବାର୍ତାର ପୁରା ସମୟ ମୋ ପ୍ରଶଂସାରେ ଶତମୁଖ । ଯାହା ହଉ କଥା ସରିଲା ,, କୌଣସି କାମରେ ବ୍ୟସ୍ତ ଥିବାରୁ ମୁଁ ବେଶି ସମୟ ଦେଇପାରିଲିନି ,, ପରେ କଥାହେବାକୁ କହି କନେକ୍ସନ କାଟିଦେଇ ନିଜ କାମରେ ମାତିଗଲି । କଥା ହେବା ପରଠାରୁ ପିଲାଟିର ସନ୍ଦେଶ ପଠେଇବାର ମାତ୍ର ସାଂକ୍ଷିକ ଭାବେ ବଢ଼ିଯାଇଥିଲା । ମୋ ରୂପର ପ୍ରଶଂସାରେ ପିଲାଟି କାଳିଦାସଙ୍କୁ ଟପି ଯାଇଥିଲା ,,, ମୋ କଣ୍ଠସ୍ୱର କୋଇଲି ଠୁ ବି ମଧୁର ସେ କହୁଥିଲା,,। 


ଅସହଜ ଲାଗୁଥିଲେବି ପିଲାଭାବି ନୀରବ ରୁହେ ,,। ମୋ ପିଲାମାନେବି ନିଜର କୌଣସି ଜିଦି ରଖିବାପାଇଁ କେତେ ତେଲମରା କଥା କୁହନ୍ତି ,,। କିନ୍ତୁ ସେ ପିଲାଟିପାଇଁ ଟିକେ ଦ୍ଵନ୍ଦଥିଲା ମନରେ ,, କାରଣ ସେ ଆମ ସମ୍ପର୍କକୁ କୌଣସି ନାମ ଦେବାକୁ ଚାହୁଁନଥିଲା । ଦିନେ ଘରକାମ ସାରି ଶୋଇବାକୁ ଆସିଲି ,,, ସବୁ ଗୃହିଣୀଙ୍କ ପରି ଶୋଇବା ପୂର୍ବରୁ ଟିକେ ମୁଖପୁସ୍ତିକା ଖେଳେଇ ବନ୍ଧୁମାନଙ୍କର ଉପସ୍ଥିତି ବିଷୟରେ ଜାଣିବାକୁ ଚାହିଁଲି । ନେଟ ଅନ କରିବା ମାତ୍ରେ ଟିଂ ଟାଂ କମ୍ପିଗଲା ,,,। ଇଏ ବିରକ୍ତି ହେଲେ ସାମାନ୍ୟ ,,,


 କଣ କରୁଛ କି !! ସାଇଲେଣ୍ଟ କରିପାରୁନ ଫୋନ କୁ ,,। 

ଫୋନକୁ ସାଇଲେଣ୍ଟ କରି ,, ଦେଖିବାକୁ ଲାଗିଲି ,, ମୁଖପୁସ୍ତିକାରେ ବନ୍ଧୁମାନଙ୍କର ,, ଦିନସାରାର ଚଳଚଂଚଳତା ,,। ଏଭିତରେ ସନ୍ଦେଶ ଆସିବା ବନ୍ଦ ହେଉ ନଥାଏ । କିନ୍ତୁ ମୁଁ ମେସେଞ୍ଜର କୁ ଯାଉ ନଥାଏ । ଉପରୁ ନଜର ପକେଇ ଦେଉଥିଲି । ଏଭିତରେ ଗୋଟେ ମେସେଜ ଆସିଲା ,,। 


କଣ ବୁଝାପଡ଼ୁନି କି ? ଉତ୍ତର ଦେବାକୁ କଣ ବୁଦ୍ଧି ଦିଶୁନି । 

ଚମକି ପଡ଼ିଲି କିଏ ଏ ଗେରସ୍ତ ମୋର ,, ଯିଏ ଏମିତି ଅଧିକାର ସାବ୍ୟସ୍ତ କରୁଛି ମୋ ଉପରେ । ଦେଖିଲାରୁ ସେଇ କଅଁଳିଆ ପିଲାଟି ,,। ମନରେ ଆସିଥିବା କ୍ଷୋଭକୁ ପ୍ରକାଶ ନକରି ,,। କେମିତି ଅଛୁ ? ଖାଇଲଣୁ କି ନାହିଁ ? ପଚାରିଦେଲି । ସେପଟୁ ପ୍ରଶ୍ନ ଆସିଲା ,,,,


ଏତେ ରାତିରେ ଅନଲାଇନ ରହି କାହା ସାଙ୍ଗରେ ଖେଳ ଚାଲିଛି !!?


 ମୋ ପାରା ଚଢ଼ିଗଲା ,,!! ତୁମର କଣ ଯାଏ ଆସେ ସେଥିରେ ,,!!?


ସେପଟୁ ଯାହା ଉତ୍ତର ଆସିଲା ମୋ କଳ୍ପନାତୀତ । ଜାଣିପାରୁନ କି ତୁମେ ମୋ ପ୍ରେମିକା ? ଯଦି ଅନଲାଇନ ଆସିବ ତ ମୋ ସାଙ୍ଗରେ ଗପିବ , ଚାଟିଂ କରିବ । ଚଡ଼କ ପଡ଼ିଲା ମୁଣ୍ଡରେ । କାଲିକା ପିଲାଟେ ,, ମୋ ପିଲାମାନଙ୍କ ଠାରୁ ବି ବୟସରେ ସାନ ,,, କି ଚିନ୍ତାଧାରା ଏ ତାର !!? ତଥାପି ଶାନ୍ତ ରହି ତା ମନୋଦଶାର ଶେଷ ସୀମା ପର୍ଯ୍ୟନ୍ତ ପହଞ୍ଚିବାକୁ ଚେଷ୍ଟାକଲି ।  


ତୁମ ସ୍ୱାମୀ କଣ ଘରେ ନାହାଁନ୍ତି କି !!? ତୁମେ ରାତି ଅନିଦ୍ରା ହେଲେ କିଛି କହିନାହାଁନ୍ତି କେମିତି ସେ !!? ବାସ କିଛି ପ୍ରଶ୍ନ କରିବାକୁ ମୋର ଇଚ୍ଛା ହେଲା ? 


କେବେଠାରୁ ମୁଁ ତୁମର ପ୍ରେମିକା ହେଲିଣି ? 


କିଛି ନଜାଣିଲା ପରି କଣ ବ୍ୟବହାର କରୁଛ ? କଲ କରିବିକି ? 


ତା ମନୋବୃତ୍ତି ଦେଖି କଲ କରିବାକୁ ମନାକଲି ,, ଏତେ ରାତି ହେଲାଣି କାଲି କଥାହେବି କଣ କହିବାରେ ଅଛି ମେସେଜ କର । ଆରମ୍ଭ କଲେ ମୋର କୁନି ପ୍ରେମିକ । ଯେବେଠାରୁ ତୁମର ଫଟ ଦେଖିଲିଣି ,, ତୁମରି ପ୍ରେମରେ ପଡ଼ିଯାଇଛି । 


ଆଶ୍ଚର୍ଯ୍ୟ ମୁଁ । ଆରେ ମୁଁ ନାତିନାତୁଣୀ ଦେଖିଲିଣି !! 


ତୁମେ ଜାଣିନକି ପ୍ରେମ କୌଣସି ବାଧା ମାନେନି । 


ମୁଁ ନିଶ୍ଚିତ ହେଇଗଲି ଏ ଟୋକା ଆଜିକାଳିର ସିନେମାକୁ ଆଦର୍ଶ ଭାବେ ବାଛିନେଇଛି । ଆଛା ଏତେ ଜ୍ଞାନ ତୋର ପ୍ରେମ ଉପରେ !!?

ତୁମେ ଜାଣିପାରିବନି ତୁମର ହସୁଆ ଫଟ ଦେଖି ମୋ ମନ ମରୁରେ କେମିତି ସବୁଜିମା ଭର୍ତ୍ତି ହେଇଯାଏ । 


ଆରେ ତୁ ମୋନାଲିସା , କଣ୍ଢେଇ ଏଇଭଳି ଗୀତସବୁକୁ ପସନ୍ଦ କରୁକି !!? ତୁମେ କେମିତି ଜାଣିଲ !!? 


ନାଇଁମ ତୋ କଥାବାର୍ତାରୁ ଜଣାପଡ଼ିଲା । 


ତୁମେ ଥରେ ମୋତେ ପ୍ରେମିକ ଭାବେ ସ୍ୱୀକୃତି ତ ଦିଅ । ଥରେ ଦେଖାକରିବାର ସୁଯୋଗତ ଦିଅ । ଜାଣିପାରିବ ମୁଁ କେମିତିକା ପ୍ରେମିକା ,,। କଣଟା ଏମିତି ଟାଣି ପକେଇବୁ ଯେ ଦେଖାହେଲେ !!? ତାପରେ ମୁଁ ଜଣେ ଗୃହିଣୀ ମୋର ପାରିବାରିକ ଆଉ ସାମାଜିକ ବନ୍ଧନ ଅଛି ,,। ଏମିତିରେ ଦେଖାକରିବା କଣ ସମ୍ଭବ କି ? 


ତୁମେ ଚାକିରୀ କରିଛ ମୁଁ କଣ ଜାଣିନି ,,, ଅଫିସ ଯିବା ବାହାନାରେ ଥରେ ଆସ ଦେଖା କରିବାକୁ ? ପୁରୀ ବେଳାଭୂମି ଆଡ଼େ ଥରେ ବୁଲିଆସିବା ,,, ହୋଟେଲ ବୁକିଙ୍ଗ କରି ଥରେ ଉଭୟ ଉଭୟଙ୍କ ଭିତରେ ହଜିଯିବା । 

ଏଥର ଅସହ୍ୟ ଆଉ ଅସହାୟ ଲାଗିଲା ମୋତେ । ଆରେ ହେ ତୁ କଣ ମୋତେ ଏତେ ଶସ୍ତା ପ୍ରେମିକା ଭାବିଲୁ କିରେ !!? ଆଉ ତୁମେ କୁହ କେମିତି ଦେଖାକରିବାକୁ ଚାହୁଁଛ ?


ମୁଁ ଭାବିଥିଲି ତୁ ମୋତେ ଇଉରୋପ ଟ୍ରିପ ରେ ନେବୁ ,,, ଏ ପୁରୀବେଳାଭୂମି କଣ ମୁଁ ଦେଖିନି ଯେ ତୋ ସାଙ୍ଗରେ ଯିବି । ତାପରେ ତୁ କେଉଁ ସୂର୍ଯ୍ୟବଂଶୀ ଯେ ମୁଁ ତୋ ରୂପ ଗୁଣ ଦେଖି ଢଳିଯିବି !!?


ଦେଖ ମୋପରି ପ୍ରେମିକ ପାଇବନି ତୁମେ ,,, ମୁଁ ତୁମପାଇଁ ଜୀବନ ବି ଦେଇଦେବି ,,,। 


ଆରେ ରେ ତୁଟା ସତରେ ତମ୍ପବୀଜାଟେ ,,। କଣ ବୁଝିଲା କେଜାଣି ସେପଟରୁ ହସର ଇମୋଜି ଆସିଲା !!? ତମ୍ପର ଫଣା ଭାବି ମନେମନେ ଖୁସି ହେଉଥିଲା ବୋଧେ ,,।

ପଚାରିଦେଲା ତମ୍ପବୀଜାର ଅର୍ଥ ? ଆରେ ଅସଂଯତ ନାଗ ଆଉ ଅଲାଜୁକୀ ଢମଣାଙ୍କ ଅନୈତିକ ପ୍ରେମରୁ ତମ୍ପର ସୃଷ୍ଟି । 

ପ୍ରଥମେ ଦୁଇ/ଚାରିଟା ଅଶ୍ଳୀଳ ଫଟ ଧାଉଁ ଧାଉଁ ପଠେଇଦେଲା ,,, ଗୁଳି ମାରିବା ପରି । ତାପରେ ଆରମ୍ଭ ହେଇଗଲା ଗାଳି ,,। ଏଇ ଟିକିଏ ପୂର୍ବରୁ ମୋ ଲାଗି ଜୀବନ ଦେବାକୁ କହୁଥିବା ପ୍ରେମିକଟି ଗୋଟେ ନାରୀର ମାନସମ୍ମାନକୁ ହତ୍ୟା କରୁଥିଲା ,, ବିକଟାଳ ଅଟ୍ଟାହାସ୍ୟ କରି । ମୁଁ କିନ୍ତୁ ଅସହାୟ ନଥିଲି ଦ୍ରୌପଦୀଙ୍କ ପରି । ପୂର୍ଣ୍ଣ ସାମର୍ଥ୍ୟ ମୋର ତାର ଦୌରାତ୍ମ୍ୟକୁ ହତ କରିବାକୁ । 

ଶଳା ବୁଢ଼ୀ ଟିକେ ଟେକି କହିଦେଲି ବୋଲି ନିଜକୁ ହିରୋଇନ ଭାବିଦେଲୁ ନା କଣ ? ତୋପରି କେତେ ଦେଖିଛି ମୁଁ ? ବେକାର କରିଦେଲି ଚାରିମାସ ତୋ ପାଖରେ । 


ଖାଲି ମୋତେ ନୁହେଁ ସମ୍ପୂର୍ଣ୍ଣ ନାରୀ ଜାତିଟାକୁ ପ୍ରଶ୍ନବାଚୀର ବଳୟ ଭିତରେ ଠିଆ କରେଇଦେଲା । ଆସ୍ତେ ଆସ୍ତେ ଦୁଇତିନିଥର ଫୋନକୁ ଛୁଇଁ ,,, ମୁଖପୁସ୍ତିକା ମୋତେ ଦେଇଥିବା ଅଧିକାରକୁ କାମରେ ଲଗେଇଦେଲି । ମେସେଜ କରିବାର ତା ଅଧିକାରକୁ ଛାଡେଇନେଇ ଶକ୍ତ ଜୋତାଏ ମାରିଲି ତାକୁ । ତାର ବ୍ୟବହାରରେ ମନେମନେ ହସୁଥାଏ ଯେତିକି କ୍ଷୁବ୍ଧ ହେଉଥାଏ ସେତିକି । ନିଜକୁ ଧିକାରୁଥାଏ ମଧ୍ୟ । ଏମିତି ପିଲା ସାଙ୍ଗରେ ମୁଁ ଚାରିମାସ ହେବ କଥା ହେଉଥିଲି ଛି । ଏଇ କଣ ଆଜିକାଳିର ପିଲାଙ୍କ ମାନସିକତା !!? କିନ୍ତୁ ସେ ଛାଡ଼ିଯାଇଥିବା ପ୍ରଶ୍ନଟି ମୋତେ ବେଶି ବ୍ୟଥିତ କରୁଥିଲା । ମୋପରି ଅନେକ ଦେଖିଛି ସେ !! କଣ ହୋଇପାରେ ଏ ଉକ୍ତିର ଅର୍ଥ !!? କେହିକଣ ତାର ଏ ଦୁର୍ବ୍ୟବହାର କୁ ଗ୍ରହଣ କରିଛନ୍ତି !!? ଜଣେ ନାରୀଦ୍ୱାରା ଏପରି ବ୍ୟବହାର କଣ ଗ୍ରହଣୀୟ ହେଇପାରେ !!? ମନ ସାମାନ୍ୟ ଅଶାନ୍ତ ହେଇଗଲା । ତଥାପି ନିଜକୁ ସେସବୁରୁ ଦୁରେଇ ଦେଇଥିବାରୁ ଖୁସିବି ଲାଗୁଥିଲା ।


ଏ ଖାଲି କମ ବୟସ ପିଲାମାନେ କରୁଛନ୍ତି ସେକଥା ନୁହେଁ ,,, ବୟସରେ ସାୟାହ୍ନରେ ଥିବା ଲୋକମାନେ ବି ପଛରେ ନାହାଁନ୍ତି । ଯେଉଁ ବୟସରେ ସନ୍ୟାସ ଆଚରଣ କରାଯାଇଥାଏ ସେ ବୟସର ତ ବେଶି ମରୁଛନ୍ତି । ଦୀପ ଲିଭିବା ପୂର୍ବରୁ ଟିକେ ଜୋରରେ ଜଳି ଲିଭିଯାଏ ,,, ହେଲେ ଏମାନଙ୍କ ଦୀପରେ ଆଉ ଅଗ୍ନିସଂଯୋଗ ହେବାର ପ୍ରଶ୍ନ ଉଠୁନି । ଦୀପ ଲିଭି ସାରିଲାଣି ,, ଲିଭିଲା ପରେ ଯେଉଁ ଧୂଆଁ ବାହାରେ ଏ ମାନଙ୍କର ଅବସ୍ଥା ଠିକ ସେଇ ଧୂଆଁ ପରି ,,, ନା ଜଳିପାରିବେ ନା ଅନ୍ଧାର ଦୂର କରିପାରିବେ । କିନ୍ତୁ ମନରୁ ଜାଳିବାର ନିଶାଟା ଉତୁରିନି ଏମାନଙ୍କର । ଯେମିତି ଗୋଟେ କଥା ଅଛି ,,


 କୋଡ଼ିଏ ରେ ଦିନରାତି , ଅଠେଇଶି ରେ ଖାଲି ରାତି , ଅଡ଼ତିରିଶ ରେ ବୁଧ ରାତି , ଅଡ଼ଚାଳିଶ ରେ ପୁନେଇଁ ରାତି , ଅଠାବନରେ ଜଜବାତି ,,।


ଏସବୁ ବୟସରେ ଯୌବନର ପରାକ୍ରମ । କହିବା କଥା ହେଲା ଅଠାବନରେ ଆଉ ନଥାଏ ସେସବୁକୁ ଭୋଗିବାକୁ କିନ୍ତୁ ମନେ ପକେଇ ଆମ୍ପୁଡ଼ି କାମୁଡ଼ି ହେବାଟା ଏମାନେ ଛାଡ଼ିପାରନ୍ତିନି । ଯଦି ଏମାନଙ୍କୁ ତାଙ୍କ ବୟସାଧିକ୍ୟ ବିଷୟରେ କୁହାଯାଏ ,,, ଆହୁରି ଗୋଟେ ଅଜବ ଯୁକ୍ତି ବାଢ଼ିବେ ଏମାନେ । (ଯେତେ ବୁଢ଼ା ସେତେ ଲୋଡ଼ା) । 

ଗୋଟେ ପାଦ ଯମାଳୟରେ ଥାଇବି ବିଷୟା ଭୋଗକୁ କେମିତି ଆତୁର ଏମାନେ । ରାମନାମ ନେବା ବୟସରେ ଏମାନେ ରତି ଯପ ରେ ବ୍ୟସ୍ତ । ଏମାନଙ୍କର ପ୍ରଶଂସା କରିବାର ଶୈଳୀ ବି ନିଆରା ,,, । ପାଦ ନଖରୁ ଆରମ୍ଭ କରି ମଥା କେଶ ପର୍ଯ୍ୟନ୍ତ ,,, ଗୋଟି ଗୋଟି ଅଙ୍ଗ ବିଷୟରେ ମହାନ କବିମାନଙ୍କୁ ପଛରେ ପକେଇଦେବେ ପ୍ରଶଂସା ରେ । ଶାଢ଼ୀ ରୁ ଆରମ୍ଭ କରି ଅନ୍ତବସ୍ତ୍ର ପର୍ଯ୍ୟନ୍ତ କହିପକେଇବେ ବିନା ଲଜ୍ଜାରେ । 


ଲଜ୍ଜା ଆସିବ ବି କେମିତି ,,, ସେ ବୟସ ତ ଗଡ଼ି ଯାଇଥାଏ । କିନ୍ତୁ ସେବୟସରେ ଯେଉଁ ବୟୋବୃଦ୍ଧ ର ସମ୍ମାନ ପାଇବାକୁ ସେମାନେ ଯୋଗ୍ୟ ,, ସେଇସେତକ ବି ବିଷୟା ରୂପକ ଚୁଲି ମୁହଁରେ କୁଟାଲୁଣ୍ଡା ରୂପେ ଜଳିବାକୁ ଥୋଇଦିଅନ୍ତି । ଯାହା କ୍ଷଣକେ ଧଳା ପାଉଁଶ ,, ଅଙ୍ଗାର ବି ନୁହେଁ ,,, ଅଙ୍ଗାର ହେଇପାରିଲେ କେବେବି ସେଥିରେ ପୁନଃ ଅଗ୍ନି ସଂଯୋଗର ସମ୍ଭାବନା ରହିବ । ଇହଧାମ ଛାଡ଼ିବା ପୂର୍ବରୁ ସେମାନେ ନିଜର ଇଷ୍ଟ ଭାବିଥିବା ବିଷୟା ମହାପ୍ରଭୁଙ୍କୁ ଶେଷ ଦର୍ଶନ କରି ପୁଣି ଚୌରାଅଶି ଭ୍ରମଣକୁ ମୋହର ଲଗେଇ ଦିଅନ୍ତି । 


ବାସ ଶେଷରେ ସେଇ ଗୋଟିଏ ରାସ୍ତା ,, ଗୁଆ ଚାଳନା ବନ୍ଦ । ଦୁଆରୁ ବାରିକ ଫେରେଇଲା ପରି ସେମାନଙ୍କ ବିଷୟରେ ବେଶି କିଛି ନଭାବି ସିଧାସଳଖ ବ୍ଲକ । 

ତାପରେ ଏ ଅଧାଙ୍କ କଥା ,,, ପଚାଶ ପଞ୍ଚାବନିଆଁଙ୍କ କଥା ,,, ମୋ ସମବୟସ୍କ । ଘରେ ଘରଣୀର ଆଣ୍ଠୁଗଣ୍ଠି ବଥା ଆରମ୍ଭ ହେଇସାରିଥିବ । ଘରଣୀଙ୍କ ଶାରୀରିକ ପରିବର୍ତ୍ତନ ଦୈହିକ ପ୍ରେମପ୍ରତି ସାମାନ୍ୟ ବିତସ୍ପୃହା ହେଇଥିବ ,,। ହେଲେ ବାବୁଙ୍କର ପ୍ରେମ ଲହଡ଼ି ଭାଙ୍ଗୁଥିବ ,,। ପିଲାମାନେ ବଢ଼ିଯାଇଥିବେ । ନିଜନିଜର କର୍ମରେ ସ୍ଥାପିତ ହେଇଯାଇଥିବେ । ରସିକପଣ ମାଟିଫଟେଇ ମଞ୍ଜିରୁ ଗଜାହେଲା ପରି , ସେମାନଙ୍କ ମୁହଁରୁ ଜଣାପଡ଼ିଯାଏ । 

ଆଖିଟା ତାଙ୍କର ସବୁବେଳେ ଖୋଜିଲା ଖୋଜିଲା । ଏଇ ପ୍ରଜାତିଙ୍କର ମେସେଞ୍ଜରରେ ବେଶି ଭିଡ଼ । ଲିଭିବା ପୂର୍ବର ଅବସ୍ଥା ସେମାନଙ୍କର । କେଉଁଠି ଯଦି ସାମାନ୍ୟ ନିଆଁଝୁଲ ଟିଏ ଦେଖିବେ ,, ମରଣ ନହେଉପଛେ ଡେ଼ଇଁପଡିବେ ସେ ଅଗ୍ନିକୁ ,,, ଏମାନଙ୍କ ପାଖରୁ ନିସ୍ତରିବା ଟିକେ କଷ୍ଟ । ନିଜର ଆଭିଜାତ୍ୟ ବି ଏଇମାନେ ଦେଖେଇ ହୁଅନ୍ତି । ଭାବନାତ୍ମକ ଅତ୍ୟାଚାର ବି କରନ୍ତି । ନିଜର ଅନ୍ଧାରଘର ଗୁମର ଖୋଲନ୍ତି ଆଉ ଅନ୍ୟର ପଚାରି ବୁଝିବାକୁ ବ୍ୟଗ୍ର ଥାନ୍ତି ପ୍ରାୟ । ଯାହାଯେମିତି ହେଉ ଏମାନଙ୍କ ଆଖିରୁ ଦୁରେଇବାକୁ ପଡ଼େ ସମୟ ଦେଖି ,,। 


ବାକି ରହିଲେ ଏ ମୁଖପୁସ୍ତିକାର କବି ଆଉ ଲେଖକ ମାନେ । ନିଆରା ଢଙ୍ଗରେ ପଟେଇବେ ,, ସତରେ ଯେମିତି ଏମାନେ ପ୍ରେମର ପୂଜାରୀ ,,, ଏଇମାନଙ୍କ ଲାଗି ସଂସାରରେ ଯେମିତି ପ୍ରେମ ତିଷ୍ଠି ରହିଛି ,,। ଲେଖା ମୁଖ୍ୟତଃ ପ୍ରେମିକା ଛାଡ଼ିଗଲା ପରର । ଆଜ୍ଞା ଆପଣ ବ୍ୟତୀତ ଏମାନଙ୍କ କଥାବାର୍ତ୍ତା ଆରମ୍ଭ ହୁଏନି । ସମ୍ମାନ ଦେବା ଅପେକ୍ଷା ଅଧିକ ଖୋଜନ୍ତି ,,। ଏମାନେ ସବୁରେ ଅତି ଆପଣାର ହେବାକୁ ଚେଷ୍ଟା କରନ୍ତି । ଦ୍ବିତୀୟଥର କଥାବାର୍ତାରେ ସିଧା ବେଡ଼ ରୁମରେ ନିଜର ଉପସ୍ଥିତିକୁ ଆଶାୟୀ ଥାଆନ୍ତି । 


ଶୁଣିଥିଲି ଲେଖକ ମାନଙ୍କର ଗୋଟେ ଅଲଗା ଦୁନିଆଁ ଥାଏ । ଆରେ ତୁମେମାନେ ନିଜର କାଳ୍ପନିକ ଦୁନିଆଁର ସୃଜନଶୀଳତାରୁ ବାହାରି ପାରୁଛ କେମିତି !!? ଶବ୍ଦ ତୁମର ପ୍ରେମିକା ହେଲେ ଭାବ ତୁମର ଅର୍ଦ୍ଧାଙ୍ଗିନୀ । ଦୁଇ ଦୁଇଟା ସମ୍ପର୍କ ପାଇଲାପରେବି ଏତେ ଧାଉଁଛ !!? ସେଇଠି ରହିଯାଅ , ସ୍ଥିର ହେଇଯାଅ , ହେ ପୁରୁଷମାନେ କଣ ଭାବୁଛକି ଏ ନାରୀମାନଙ୍କୁ !! କେଉଁ ଗୁଣରେ ଆଗୁଆ ତୁମେ !!? ମନେରଖ ମୁଁ ଭାରତୀୟ ନାରୀ ,, ଏ ଭୂଖଣ୍ଡରେ ଯଦି ପ୍ରେମ ପରିଚୟ ପାଇଛି କେବଳ ମୋରି ପାଇଁ । ଭାରତର ଗଳିକନ୍ଦିରେ ପ୍ରେମ ଅମର ହେଇଛି କେବଳ ମୋରିପାଇଁ । ସଂସାରର ମଧୁର ଅନୁଭବର ରସାସ୍ୱାଦନ କରିବା ପରିବର୍ତ୍ତେ ଲୁଣି ସମୁଦ୍ରର ଜଳସ୍ତର ବଢ଼େଇବାକୁ କାହିଁକି ଏମିତି ବ୍ୟଗ୍ରତା ପ୍ରକାଶ କରୁଛ !!? ସେଥିରେ ଉଦ୍ଧାର ସମ୍ଭବ କି !!? କୁଆଡ଼େ ଗଲା ଏ ମାଟିର ପୁରୁଷ ସଂଯମତା !!? 

ଓହୋ ନିଆଁରେ ପଶିବାକୁ ପଡିନି ତୁମକୁ ,,!!! ସେଇଥିପାଇଁ ଏତେ ଗର୍ବ କି !? ଜାଣିରଖ ସେ ସାମର୍ଥ୍ୟ ତୁମର କେବେ ନଥିଲା କି ଏବେ ମଧ୍ୟ ନାହିଁ । 

କି ସୁନ୍ଦରତା ଦେଖୁଛ ମୋ ଦେହରେ !! କଣ ଏଇ ଚର୍ମକୁ !!? ନା ମୋ ଲଙ୍ଗଳା ଦେହକୁ !!? ମୋ ସୁସଜ୍ଜିତ ଶୃଙ୍ଗାର ଛବି ତୁମକୁ ଯଦି ସୁନ୍ଦର ଲାଗୁଛି ,,, ତେବେ ମୋତେ ଉଲଗ୍ନ କରିବାର କଦର୍ଯ୍ୟ ମାନସିକତା କେମିତି ଆସୁଛି ମନରେ !!? 

ଏକଥା ନୁହେଁ ସମସ୍ତେ ଏଠି ଖରାପ ,,। କହିବାକୁ ଗଲେ ସମସ୍ତ ଭଲମାନଙ୍କ ମଧ୍ୟରେ ଗୋଟିଏ ଗୋଟିଏ ତମ୍ପବିଜା ରହିଛନ୍ତି ,,, । 

କେଉଁ ଅଚିହ୍ନା ପିଲାର ମାଆ ଡାକ ମନକୁ ସ୍ନେହ ପ୍ଳାବିତ କରୁଛି ତ କେଉଁ ବୟୋବୃଦ୍ଧଙ୍କର ଝିଅ ଶବ୍ଦ ଅଭୟ ଯାଚି ଦେଉଛି । କେଉଁ ସମବୟସ୍କ ମାନଙ୍କ ନିଛକ ବନ୍ଧୁତା ଆଉ ଭଉଣୀ ଡାକ ମନରେ ସାହସ ଭରି ଦେଉଛି । କେହି କବି ନିଜର ମାର୍ଗଦର୍ଶକ ନିଯୁକ୍ତ କରୁଛନ୍ତି ତ କେହିକେହି ନାରୀଭାବେ ନାରୀମାନଙ୍କ ପ୍ରତିନିଧିତ୍ୱ ସଦୃଶ ମୋର ରୁଚି ପଚାରି ବୁଝି ନିଜ ଲେଖନୀରେ ଗୁରୁତ୍ୱ ମଧ୍ୟ ଦେଉଛନ୍ତି ,,। କହିବାକୁ ଗଲେ ସମୟ ସରିଯାଏ , ଚାଲିଯାଏ ,,, । ହେଲେ ଅନ୍ୟପଟେ ସମୟସ୍ଥିର ,, ଆମେ ଶେଷ ହେଇଯାଉ । ସମସ୍ତଙ୍କୁ ଜାତି ମନେରଖିବନି କି ସମସ୍ତେ ମହାପୁରୁଷ ହେଇପାରିବେନି ,,, ହେଲେ ଯେତେଲୋକଙ୍କ ସଂସ୍ପର୍ଶରେ ଆସୁଛେ ସେମାନେ ତ ଭାବିବେ କେବେ । ଏତିକି ବିଚାର ରହୁ ମନରେ । ସମୟ ମିଳିଲେ କେବେ ଏ ପ୍ରେମୀ (କା) ମାନଙ୍କ ବିଷୟ ଆଡ଼କୁ ଟିକେ ଧ୍ୟାନ ଦେବା । ସେମାନେ ବି କୌଣସି ଗୁଣରେ କମ ନୁହଁନ୍ତି ।


                


రచనకు రేటింగ్ ఇవ్వండి
లాగిన్

Similar oriya story from Drama