ପ୍ରେମ ହେଲା..... ବୋଧହୁଏ
ପ୍ରେମ ହେଲା..... ବୋଧହୁଏ
ମୀରା ଆସି ଛକରେ ଠିଆ ହୋଇଗଲେ ତାକୁ ନେବାପାଇଁ ଅଟୋବାଲାଙ୍କ ଭିତରେ ପ୍ରତିଯୋଗିତା ଆରମ୍ଭ ହୋଇଯାଏ।
ଖୁବ୍ ସଜେଇ ହୋଇଥାଏ ସେ।ବେଣୀରେ ଫୁଲ ବାନ୍ଧିଥାଏ।ଯାଏ ନୟାଚୌକରୁ ନିମଚୌଡି।
ଦିନେ ସେ ଛକରେ ଆସି ପହଞ୍ଚି ଦେଖିଲା ଗୋଟିଏ ହେଲେ ଅଟୋ ନାହିଁ।ଆଶ୍ଚର୍ଯ୍ୟ ହେଲା।ଏଣେ ତେଣେ ଚାହିଁଲା।
- ' କୁଆଡ଼େ ଯିବ ? ' ମଣ୍ଟୁ ଅଟୋବାଲା ଅଟକି ପଚାରିଲା ଏତିକିବେଳେ।
- ' ନିମଚୌଡି। '
- ' ଆସ,ନେଇଯିବି । '
ମୀରା ଉଠି ଆସିଲା।ନିଶ୍ଚିନ୍ତରେ ବସିଲା।
ମଣ୍ଟୁ ତା'ର ଅଟୋ ଆଗକୁ ଗଡେଇଲା।
- ' ଫେରିଆସିବ ନା ରହିବ ସେଠାରେ ? 'ବାଟରେ ପଚାରିଲା ସେ।
- ' ରହିବି।ଫେରୁଫେରୁ ବହୁତ ରାତି ହୋଇଯିବ। ' ମୀରା କହିଲା।
ନିମଚୌଡି ଆସିଗଲା।ମୀରା ଓହ୍ଲେଇ ଗଲା।ତା' ଠାରୁ ଭଡା ନେଇ ଫେରି ଆସିଲା ସେ।
ପରଦିନ ଅନ୍ୟ ଅଟୋବାଲାମାନେ ତାକୁ ଘେରିଗଲେ।ପଚାରିଲେ - ' କାଲି ତୁ ମୀରାକୁ ତୋ ଅଟୋରେ ବସେଇ ନେଇଥିଲୁ ? '
- ' ହଁ,ନେଇଥିଲି ତ।କ'ଣ ହେଲା କି ? ' ସେ କହିଲା।
- ' ହବ କ'ଣ।ତା' ବାବଦରେ ଜାଣି ଆମେ ସବୁ ଦୂରେଇ ଗଲୁ୍। '
- ' କ'ଣ ଜାଣିଲ ? '
- ' ସେ ଗୋଟେ ନାମଜାଦା ବେଶ୍ୟା। '
ହଠାତ୍ ସେ ଅନୁଭବ କଲା ଯେମିତି କେହି ତାକୁ ଆକାଶରୁ ଠେଲି ତଳକୁ ଖସେଇ ଦେଲା।
ଏବେ ତା'ର ଆଗ୍ରହ ବଢିଲା।ପରଦିନ ବି ସେ ମୀରାକୁ ନେଇ ନିମଚୌଡିରେ ଛାଡିଲା।
ଏମିତି କିଛି ଦିନ କଲା ସେ।ତା' ସହିତ ସଂପର୍କ ଟିକେ ବଢିଗଲା ପରେ ଦିନେ ସେ ସୁଯୋଗ ପାଇ ତାକୁ ପଚାରିଲା - ' ସବୁଦିନ ଏଠାକୁ ଆସ।କ'ଣ କର ଏଠି ତୁମେ ? '
- ' ବାପା ଦୋବେଇ ବର ସାଙ୍ଗରେ ମୋର ବାହାଘର କରିବାକୁ ବସିଥିଲେ।ରାଗିମାଗି ଘରୁ ଚାଲି ଆସିଲି।ପିଲାଦିନେ ନୃତ୍ୟ ଶିଖିଥିଲି।ତାହାକୁ ପେଶା କରିନେଲି।ଏଇଠି ଗୋଟେ ନୃତ୍ୟଶାଳା ଏବେ ନୂଆ ନୂଆ ଗଢି ଉଠିଛି।ସେଠାରେ ମୁଁ ନୃତ୍ୟ ପରିବେଷଣ କରେ। ' ମୀରା କହିଲା।
ମୀରାର କଥା ସରିବା ବେଳକୁ ତା'ର ଅଟୋ ପହଞ୍ଚି ସାରିଥିଲା।
- ' ଦେଖନ୍ତୁ ସୁନ୍ଦରୀ ମୀରାଙ୍କର ଅଙ୍ଗଭଙ୍ଗୀର ଯାଦୁ।ଆଜି ରାତିରେ.......। '
ମାଇକ୍ ପ୍ରଚାର କରୁଥିଲା।ଶୁଣି ପାରିଲା ସେ।ତା' ମନ ଭିତରେ ଗୋଟିଏ ଆଲୋଡନ ସୃଷ୍ଟି ହେଲା।
ଭଡ଼ା ଦେଇ ମୀରା ଚାଲି ଗଲାଣି।ଫେରି ଆସିବାକୁ ତା' ମନ କହୁ ନ ଥିଲା।ସେ ତା'ର ଅଟୋ ଠିଆ କରି ରହିଥିଲା ସେମିତି।
କଳାରେ କଳଙ୍କ ଥାଏ।କଳଙ୍କ ହିଁ ଜଣେ କଳାକାରର ଭାଗ୍ୟଲେଖା।ବଦନାମ ହିଁ ତା'ର ପ୍ରଶଂସା। - ନିଜକୁ ନିଜେ କହିଲା ସେ।
ସେଦିନ ସେ ମୀରାକୁ ଅପେକ୍ଷା କରି ରହିଲା।
ରାତି ଠିକ୍ ବାରଟା।ମୀରା ବାହାରକୁ ଆସିଲା।ଖୁବ୍ କ୍ଳାନ୍ତ ଜଣା ପଡୁଥାଏ।ସେ ତା' ପାଖକୁ ଚାଲି ଆସି କହିଲା - ' ଆସ ଯିବା।ମୁଁ ତୁମରି ଅପେକ୍ଷାରେ ଅଛି। '
- ' ହେଲେ କାହିଁକି ? କାହିଁକି ତୁମେ ମତେ ଅପେକ୍ଷା କରିଛ ? ' ମୀରା ଆଶ୍ଚର୍ଯ୍ୟରେ ପଚାରିଲା।
- ' ଏଣିକି ତୁମକୁ ସବୁଦିନେ ମୁଁ ନେବା ଆଣିବା କରିବି। ' ହସିଦେଇ କହିଲା ସେ।
ମୀରାକୁ ଭଲ ଲାଗିଲା ତା'ର ଏଇ ଶ୍ରଦ୍ଧା।ଗୋଟିଏ ଭଲ ପାଇବା ଯେ ଜନ୍ମ ନେଇଛି ବୁଝି ପାରିଲା ସେ।ପ୍ରେମିକାର ମନ ନେଇ ମୁର୍କି ହସିଲା।
ମନ ଥିଲେ ସବୁକିଛି ସୁଆଦିଆ ଏଠି।ମନ ନ ଥିଲେ ଅଲଣା।
ଧୀରେଧୀରେ ମିଶିଗଲା ଦୁଇଟି ମନ।
ପ୍ରେମ ହେଲା....... ବୋଧହୁଏ।