STORYMIRROR

Sachidananda Kar

Romance

3  

Sachidananda Kar

Romance

ପ୍ରେମ : ଏକ ଲୋଭନୀୟ ନିଆଁ

ପ୍ରେମ : ଏକ ଲୋଭନୀୟ ନିଆଁ

2 mins
266


          ସେ ପୁଣି ସଜେଇ ହେଲା।


          ସଜେଇ ହେବା ଗୋଟେ ଝିଅ ପାଇଁ କୋଉ ବଡ କଥା ଯେ !


          ଆମ୍ବ ବଉଳର ଭୁରୁ ଭୁରୁ ବାସ୍ନା,କୋଇଲିର କୁହୁ କହୁ ଗୀତ,ମନ୍ଦ ମନ୍ଦ ମଳୟ , ଭ୍ରମରର ଗୁଞ୍ଜରଣ - ଏସବୁ ଯେମିତି ତାକୁ ପରୋକ୍ଷରେ ସଜେଇ ହେବା ପାଇଁ ପ୍ରରୋଚନା ଦେଉଥିଲେ।


           ତା'ର କ'ଣ ହୁଏ କେଜାଣି ! ସବୁଥର ଫଗୁଣ ଆସିଲେ ତା'ର ବଞ୍ଚିବାକୁ ଇଚ୍ଛା ହୁଏ।ସେ ସଜେଇ ହେବାକୁ ଚାହେଁ।ସଜେଇ ହୋଇ ଜହ୍ନ ଆଲୁଅରେ ଧୂଆ ପୋଖରୀ କୂଳରେ ଏକାନ୍ତରେ ବସିବାକୁ ମନ କରେ।


           ସେ ଯେତେବେଳେ ସଜେଇ ହୁଏ, ତା'ର ମନଟା ଆକାଶକୁ ଉଡିଯାଏ।ପୁରୁଷ ଦେହର ସ୍ପର୍ଶ ପାଇବାକୁ ବ୍ୟାକୁଳ ହୁଏ ସେ।ସେ ଜାଣେ ସଜେଇ ହୋଇଥିବା ଗୋଟେ ଝିଅ ପାଇଁ ପୁରୁଷର ସ୍ପର୍ଶରେ ଗାଢତା ଟିକେ ଅଧିକ ଥାଏ।


            କେତେଦିନର କଥା ହେଲାଣି।ଦିନେ ସେ ସଜେଇ ହୋଇ ଜହ୍ନ ଆଲୁଅରେ ପୋଖରୀ କୂଳରେ ଏକାନ୍ତରେ ବୁଲୁଥିବାବେଳେ ଜୀବନରେ ପ୍ରଥମ ପୁରୁଷ ସହିତ ତା'ର ଭେଟ ହୋଇଥିଲା।ସେଦିନ ଦେହରେ ଦେହରେ ରଙ୍ଗୀନ ପ୍ରଜାପତିର ନିବିଡ଼ ଆଶ୍ଳେଷ ପାଇଥିଲା ସେ।ଆପଣା ପୁରୁଷର ନିଃଶ୍ବାସ ପ୍ରଶ୍ବାସରେ କୋମଳ ଗାନ୍ଧାରର ଜୀବନ୍ତ ମନଲୋଭା ରାଗ ବିମୋହିତ କରିଥିଲା ତା'ର ମନକୁ।


            ସଜେଇ ହେବା ପରେ ତା'ର ପୁଣି ସେମିତି ଇଚ୍ଛା ହେଲା। - " ପ୍ରିୟ ! ତମେ ଥରେ ଆସନ୍ତନି ପୁଣି।ବାନ୍ଧି ରଖନ୍ତନି ମତେ ତମ ପ୍ରେମର ଅନୁଶାସନରେ !ଛୁଇଁ ଦିଅନ୍ତନି ମୋ ଗୋଲାପୀ ଓଠକୁ ତମ ଓଠରେ !ଦିଅନ୍ତନି ଟିକେ ତମ ଦେହର ଉଷ୍ମ ସ୍ପର୍ଶ ! " ସେ ମନକୁମନ କହିଲା।


            ପ୍ରିୟ ପୁରୁଷର କଣ୍ଠସ୍ବର,ସୁମଧୁର ଡାକ ରହି ରହି ତାକୁ ଅଥୟ କରିବାକୁ ଲାଗିଲେ।କାରଣ ସେଦିନ ଯାଇ ରହିଥିଲା କୋଉ ଅତୀତର ଇତିହାସ ପୃଷ୍ଠାରେ।ହାତଛଡା ହୋଇଥିଲା ତା'ର ଇଚ୍ଛା।ଅଳୀକ ପ୍ରମାଣିତ ହୋଇଥିଲା ତା'ର ସ୍ବପ୍ନ।ଦିନେ ତା'ର ପ୍ରଥମ ପୁରୁଷଟି ତାକୁ ପର କରିଦେଇ କୁଆଡେ ଚାଲି ଯାଇଥିଲା।


            ହେଲେ ସବୁଥର ଫଗୁଣ ଆସିଲେ ସଜେଇ ହେଉଥିଲା ସେ।ନିଜର ଅଧାଲେଖା ପ୍ରେମ କାହାଣୀକୁ ପୂରା କରିବାକୁ ଇଚ୍ଛା କରୁଥିଲା ।ଖୋଜୁଥିଲା ନୂଆ ଜଣେ ପୁରୁଷ ।


            ସଜେଇ ହେଇ ବସିଥିଲା ସେ।


            ସେ ସଜେଇ ହେଇଥିବାର ଦେଖି ତା'ର ମା' ଏଥର ତା' ପାଖକୁ ଚାଲି ଆସିଲେ।ତାକୁ କହିଲେ - " ବୁଝିଲୁ !ଏଠି ଗୋଟେ ଝିଅର ପାଦତଳେ ମାଟି ନ ଥାଏ।ସାରା ପୃଥିବୀରେ ଅହରହ ନିଆଁର ଖେଳ ଚାଲିଛି।ବେଶ୍ୟା,ଚରିତ୍ରହୀନା ପରି ଶଦ୍ଦ ଏବେ ଭାରି ଶସ୍ତା।ସାନ ସାନ ପିଲାମାନେ ବି ବୁଝିଗଲେଣି ଯୋନି,ଜଙ୍ଘ, ଧର୍ଷଣ, ନିର୍ଯ୍ୟାତନା ପରି ଶଦ୍ଦର ଅର୍ଥ।ଦିନ ଦି' ପହରରେ ବି ଏଠି ଗୋଟେ ଝିଅର ନିଃସଙ୍ଗତାକୁ ଲୁଟି ନିଆଯାଉଛି।କ୍ଷୁଧାକୁ ସାଙ୍ଗରେ ଧରି ରକ୍ତମୁଖା ରାକ୍ଷସମାନେ ଏବେ ବୁଲୁଛନ୍ତି ରାସ୍ତାରେ ସବୁଠି। "


            ମା'ର କଥାଶେଷରେ ସେ ଟିକେ ସ୍ତବ୍ଧ ହୋଇଗଲା।ତଥାପି ଅଳ୍ପ ହସିଦେଇ କହିଲା -" ବାସ୍ତବରେ ତୁମେ କ'ଣ କହିବାକୁ ଚାହୁଁଛ,ମା' ? "


            କଜଳ କଳା ଲମ୍ବା ବେଣୀ, ଫୁଲର ଗଜରା,ମଥାର ଚକମକିଆ ବିନ୍ଦି,ଓଠର ଗୋଲାପୀ ରଙ୍ଗ ଆଉ ତା' କଇଁଫୁଲିଆ ହସ - ଏ ସବୁରେ ସେଦିନ ଖୁବ ସୁନ୍ଦର ଦିଶୁଥିଲା ତନୁପାତଳୀ ସେ।ମା' ତାକୁ କହିଲେ - " ଝିଅ ! ଏସବୁ ତୋତେ ଉଜାଡି ଦେଇପାରେ।ତୁ ମରିମରି ମରି ପାରୁ ନଥିବା ମଣିଷଟିଏ ପରି ହୋଇ ଯାଇପାରୁ।ତେଣୁ ମୋ ପାଖରେ ଥିବା ଯାଏଁ ଇଚ୍ଛାକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରିବୁ।ତାହା ହିଁ ତୋ ପାଇଁ ଭଲ ହେବ।ଏତିକି ତୋତେ ମୋର କହିବାର କଥା। "


             ଏଥର ମା'ର କଥାଶେଷରେ ଆନମନା ହେଲା ଝିଅଟି।ସବୁ ବୁଝି ପାରିଥିଲେ ବି ପ୍ରେମରେ ମଗ୍ନ ହେବାର ନିଶା ତାକୁ ପୁଣି ଆବୋରି ବସିଲା।


             ପ୍ରେମ ତ ଏକ ଲୋଭନୀୟ ନିଆଁ ସବୁବେଳେ।ତା'ର ପତଙ୍ଗ ମନଟି ତାକୁ ପୁଣି ସେଆଡକୁ ଟାଣିନେଲା।


Rate this content
Log in

Similar oriya story from Romance