କୃଷ୍ଣ ପ୍ରିୟା ମହାପାତ୍ର

Action Classics Fantasy

3  

କୃଷ୍ଣ ପ୍ରିୟା ମହାପାତ୍ର

Action Classics Fantasy

ପ୍ରଚଣ୍ଡ ରାଗୀ

ପ୍ରଚଣ୍ଡ ରାଗୀ

4 mins
248


   ସ ସପେନରେ ଟକ୍ ମକ୍ ହୋଇ ଚା ଫୁଟୁ ଥିଲା, ତା ସହିତ ବାପାଙ୍କ କଟୁ କଥାର ଜ୍ବଳନ୍ତ ନିଆଁରେ ଫୁଟୁ ଥିଲା ଅର୍ପିତାର ମନ ଆଉ ହୃଦୟ। ବାପା ରାଗରେ ବୋଉକୁ ଗାଳି ଦେଉଥିଲେ ସବୁଦିନ ଭଳି ଅକଥ୍ୟ ଭାଷାରେ।ବୋଉ ଚୁପ୍ ଚାପ ବସିଥିଲାମୁହଁ ଶୁଖେଇ। ବୋଉର ମୁହଁକୁ ଚାହିଁଲେ ଲାଗୁଥିଲା ଶିବଙ୍କ ଭଳି ଗରଳ ପିଇ ପିଇ ନୀଳକଣ୍ଠ ହୋଇ ଯାଇଛି ବୋଧେ।

ବାପାଙ୍କ ଡାକରେ ଅର୍ପିତାର ସଂମ୍ବିତ ଫେରିଲା।ବାପା ଚା ମାଗୁ ଥିଲେ କଅଁଳେଇ ଅର୍ପିତାର ନାଁ ଧରି । ସେ ଡାକ କିନ୍ତୁ ତା କାନରେ ନିଆଁ ଢାଳିଲା ଭଳି ଲାଗିଲା।

ତର ତରରେ ଚା ଛାଣିଲା ବେଳେ ସେ ଗରମ ଚା ତା ଗୋଡ଼ରେ ଢାଳିଗଲା ହେଲେ ଗୋଡ଼ ତାର ପୋଡିଲାନି,କାରଣ ବାପାଙ୍କ କଥାରେ ତା ଦେହରେ ଯେଉଁ ନିଆଁ ଲାଗିଥିଲା ସେ ନିଆଁ ର ତାତି ଚା ଠାରୁ ଅଧିକ ଗରମ ଥିଲା।

   ବାପା ଥିଲେ ପ୍ରଚଣ୍ଡରାଗି,ସେଥିପାଇଁ ବୋଉ କେବେ ବାପାଙ୍କର କୌଣସି କଥାର ବିରୋଧ କରେନି । ଛୋଟ ପିଲା ବେଳେ ଅର୍ପିତା ଏତେ କଥା ବୁଝେନି କିନ୍ତୁ ବାପା ରାଗିଲେ ଘର କୋଣରେ ଲୁଚି ଯାଏ ସେ।

 ପ୍ରତ୍ୟେକ ଦିନ କୌଣସି ଏକ କଥାକୁ ନେଇ ବାପା ରାଗି ବୋଉକୁ ଗାଳି ଦେବା ସହ ତା ବାପ ଘରର ଲୋକଙ୍କ ବିଷୟରେ ଅନେକ କଥା କହନ୍ତି।

 ଏବେ ତାର ବୁଝିବା ବୟସ ହେଲାଣି, ଭୁଲ ଠିକ୍ ର ବିଚାର କରି ପାରିଲାଣି । ହେଲେ ବାପାଙ୍କୁ ଜବାବ ଦେବା ଉଚିତ ହେବନି ଭାବି ଚୁପ୍ ରହେ କିନ୍ତୁ ସେ ଗାଳିକୁ ହଜମ କରିପାରେନି ।ବୋଉକୁ ପଚାରେ ତୁ କେମିତି ସହୁଛୁ ଏତେ । ବୋଉ ନୀରବ ରହେ। ଅତି ଜୋର କରି ଥରେ ପଚାରି ବସିଲା ବାପାଙ୍କ ରାଗିବାର କାରଣ।ଅର୍ପିତା ର ଜିଦ୍ ଯୋଗୁ ବୋଉ କହିଲେ ନିଜ ମନରେ ଚାପି ରଖିଥିବା ଦୁଃଖକୁ।


‌ ବାପା ପିଲା ବେଳୁ ମା ଛେଉଁଣ୍ଡ।ତାଙ୍କ ଜେଜେ ମା ତାଙ୍କୁ ପାଳିଥିଲେ।ମୋ ଶ୍ୱଶୁର ,ମାନେ ତୋ ଜେଜେ ମଧ୍ୟ ଆଉ ବିବାହ କଲେ ନାହିଁ କାରଣ ଏଇ କ୍ରୋଧି ପ୍ରକୃତି ଯୋଗୁଁ ମୋ ଶାଶୁ ଆତ୍ମ ହତ୍ୟା କରିଥିଲେ। ବାହା ହୋଇ ଆସିବା କାଳରୁ ବାପାଙ୍କର ଏଇ ପ୍ରକୃତି ଯୋଗୁଁ ସେ ଦୁଃଖି ହୁଏ। ଶାଶୁ ଘରକୁ ଆସିବା ବର୍ଷେ ପରେ ଝିଅଟିଏ ହେଲା,‌ଝିଅ ହେବା କଥା ଜାଣି ତୋ ଜେଜେ ବାପାଙ୍କୁ ଶିଖାଇଲେ ତୁ ସେ ସ୍ତ୍ରୀ କୁ ଛାଡ଼ିଦେ ମୁଁ ତୋତେ ଅନ୍ୟ କେଉଁଠି ବାହା କରିଦେବି। ବାପା କେତେଦିନ ଆଉ ମୋ ସହିତ ସମ୍ପର୍କ ରଖିଲେନି।

ମୁଁ ମୋ ବାପ ଘରେ ରହୁଥାଏ । ଆମ ପଡିଶା ଘରେ ତୋ ଵାପାଙ୍କର ଜଣେ ସାଙ୍ଗ ରହୁଥାନ୍ତି ସେ ଏ କଥା ଜାଣିବା ପରେ ତୋ ବାପାଙ୍କୁ ବୁଝା ସୁଝା କରି ମୋତେ ଘରକୁ ନେବା ପାଇଁ କହିଲେ।

  ବାପାଙ୍କ ମନ ପରିବର୍ତ୍ତନ ହେଲା ସେ ଆସି ଝିଅକୁ ଓ ମୋତେ ତାଙ୍କ ଚାକିରି ଜାଗାକୁ ନେଇଗଲେ।

 ଏମିତି ନୁହେଁ କି ସେ ତୋ ଅପାକୁ ଭଲ ପାଉ ନଥିଲେ କିନ୍ତୁ ତାଙ୍କ ମନରେ ଝିଅମାନଙ୍କ ପ୍ରତି ଆଗ୍ରହ ନ ଥାଏ । ଯୋଗ ଦେଖ ପୁଣି ତୁ ଜନ୍ମ ହେଲୁ ସବୁ କଲେ ମଧ୍ୟ ତାଙ୍କ ମନରେ ପୁଅ ପ୍ରତି ବ୍ୟାକୁଳତା ଥାଏ।

ମୁଁ ଚାହୁଁ ନ ଥିଲି ଦୁଇ ଝିଅ ପରେ ଆଉ ଆମର ସନ୍ତାନ ହଉ ଅନେକ ଥର କହିଛି କିନ୍ତୁ ବାପା ଶୁଣନ୍ତି ନାହିଁ।

   ତୃତୀୟ ଥର ମୋର ପୁଅ ହେବ ବୋଲି ଭାବି ପୁଣି ମୋତେ ମା ହେବା ପାଇଁ ବାଧ୍ୟ କଲେ।

କିଛି ଦିନ ପରେ ଜଣା ପଡିଥିଲା ପୁଅ ନୁହେଁ ଝିଅ ହେବାକୁ ଯାଉଛି ତେଣୁ ମୋତେ ଆବର୍ସନ କରିବାକୁ ଡାକ୍ତରଙ୍କ ପାଖକୁ ନେଇ ଗଲେ ଡାକ୍ତର କହିଲେ ଏବେ ଆଉ କିଛି କରିହେବ ନାହିଁ ଅଧିକ ମାସ ହେଲାଣି ରିସ୍କ ଅଛି। ବାପା ଶୁଣିଲେନି ଅନ୍ୟ ଜଣେ ଡାକ୍ତରଙ୍କୁ ଅଧିକ ଟଙ୍କା ଦେଇ ଆବର୍ସନ କରେଇ ଦେଲେ।

  ତାଙ୍କ କ୍ରୋଧି ଗୁଣ ଯୋଗୁଁ ମୁଁ କିଛି କହି ପାରିଲି ନାହିଁ। ପଛରେ ଜଣା ପଡ଼ିଲା ମୁଁ ଆଉ କେବେ ମା ହୋଇ ପାରିବି ନାହିଁ। ଧୀରେ ଧୀରେ ମୋର ମାନସିକ ଚାପ ବଢିଲା ଏବଂ ସବୁବେଳେ କିଛି ରୋଗରେ ପଡିଲି। ହେଲେ ତାଙ୍କ ଏଇ ପ୍ରକୃତି ବଦଳିଲା ନାହିଁ। ତାଙ୍କ ଯୋଗୁଁ ବନ୍ଧୁ ବାନ୍ଧବ ସବୁ ଦୂରେଇ ଗଲେ।

ମୋ ବାପ ଘରଲୋକଙ୍କ ଆଗରେ ମୋତେ ଯାହା ତାହା କହିଲେ ଫଳରେ ସେମାନେ ଏହାର ବିରୋଧ କରି ଅପ୍ରିତୀ ହେଲେ।

ସାମାଜିକ ପ୍ରତିଷ୍ଠାରେ ଆଞ୍ଚ ଆସିବ ବୋଲି ଅନ୍ୟ ଜାଗାରେ ବିବାହ କରି ପାରିଲେ ନାହିଁ।

ଏପରି ଭାବରେ ତାଙ୍କ ମନ ପୁର୍ବାପେକ୍ଷା ଅଧିକ ପ୍ରତିକ୍ରିୟା ଶୀଳ ହେଉଛି। ସେଇ ପ୍ରଚଣ୍ଡ ରାଗ ସେ ମୋ ଉପରେ ଜାହିର କରି ଚାଲିଛନ୍ତି।

   ଅର୍ପିତା ବୋଉ ଠାରୁ ଏଇ କଥା ଗୁଡ଼ିକ ଶୁଣି ସ୍ତବ୍ଧ ହୋଇ ଯାଇଥିଲା। କୌଣସି ଦିନ ତ ସିଏ ଅନୁଭବ କରିନି ବାପାଙ୍କ ମନରେ ଥିବା ଝିଅ ମାନଙ୍କ ପ୍ରତି ଅସୁୟା ଭାଵକୁ। କିଛି ତ ଅଭାବ ରଖିନାହାନ୍ତି ସେମାନଙ୍କର।

   ଦୁଇ ଝିଅଙ୍କୁ ପାଠ ପଢାଇ ଯୋଗ୍ୟ କରିଛନ୍ତି ,ବଡ଼ ଝିଅକୁ ଭଲ ଜାଗାରେ ବାହା କରିବା ପାଇଁ ଚେଷ୍ଟା କରୁଛନ୍ତି। ହେଲେ ବୋଉ ପ୍ରତି ଏ ପରି ବ୍ୟବହାର କଣ ପାଇଁ।

 ପୁରୁଷର ଅହଙ୍କାର ନା ପୁଅର ବାପ ନ ହୋଇ ପାରିବାର ହତାଶ ପଣ। ଏଇ ପ୍ରଶ୍ନର ଉତ୍ତର ଖୋଜୁ ଖୋଜୁ ଅର୍ପିତାର ବଡ଼ ଭଉଣୀର ବିବାହ ଠିକ୍ ହୋଇଗଲା। ଏଇ ସୁଯୋଗରେ ଅର୍ପିତା ଆସି ବାପାଙ୍କୁ କହିଲା ଅପା ବିବାହ କରିବାକୁ ଚାହୁଁ ନାହିଁ କାରଣ ସେ ପୁଅ ବିଷୟରେ କିଛି ଶୁଣିଛି।

ବାପା ପଚାରିଲେ କଣ ଶୁଣିଛି, କହ ?

ଅର୍ପିତା କହିଲା ସେ ପୁଅ ଭଲ ଚାକିରି କରନ୍ତି, ଦେଖିବାକୁ ସୁନ୍ଦର କିନ୍ତୁ ଅତ୍ୟନ୍ତ କ୍ରୋଧି ତେଣୁ ଅପା କେବେ ବି ସେଠାରେ ଶାନ୍ତିରେ ରହି ପାରିବ ନାହିଁ। ଯଦି ଜଣେ ବ୍ୟକ୍ତି ନିଜ ଚାରିପଟେ ରହୁଥିବା ପ୍ରିୟ ଜନଙ୍କ ଉପରେ ନିଜର ଅହଂକୁ ଜାହିର କରିବାପାଇଁ ଲାଗି ପଡେ ତା ପାଖରେ କେହି ସୁଖି ହୋଇ ପାରିବେ ନାହିଁ।

  କଣ ପାଇବ ସେ ସୁଖ ଭୋଗରୁ ଯେଉଁଠି ପୁରୁଷଟିଏ ନାରୀ ଉପରେ ନିଜର ବୃଥା ପୁରୁଷତ୍ୱର ବୋଝ ଲଦିଦିଏ। ନିଜକୁ ପରିବାରର ସର୍ବେ ସର୍ବାମାନି ନାରୀକୁ ଗୌଣ ଭାବେ। ଗୋଟିଏ ପରିବାର ଗଢିବା ପାଇଁ ପୁରୁଷ ଓ ନାରୀ ଦୁଇ ଜଣଙ୍କର ସମାନ ଆବଶ୍ୟକତା ରହିଛି। ସେଠାରେ ଯଦି ପୁରୁଷ କିମ୍ବା ନାରୀ ଜଣେ ନିଜକୁ ମୁଖ୍ୟ ଭାବରେ ସାବ୍ୟସ୍ତ କରି ଅନ୍ୟ ଜଣଙ୍କ ଅସ୍ତିତ୍ବକୁ ସ୍ୱୀକାର ନ କରେ ସେ ପରିବାରରେ କେବେବି ଶାନ୍ତିର ବାତାବରଣ ସୃଷ୍ଟି ହୋଇ ପାରିବ ନାହିଁ।

 ଅର୍ପିତାର କଥା ଶୁଣି ତା ବାପା ନିଜର ଏଇ କ୍ରୋଧୀ ସ୍ଵଭାଵକୁ ହୃଦୟଙ୍ଗମ କଲେ ଏବଂ ନିଜକୁ ନିଜେ ଚେଷ୍ଟିତ ହେଲେ ଏଇ ପ୍ରଚଣ୍ଡ ରାଗ ସ୍ଵଭାଵକୁ ଦୂରେଇ ଏକ ସ୍ନେହ ଶ୍ରଦ୍ଧା ପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ପାଇଁ।

    ଅର୍ପିତା ସେ ଦିନ ମନେ ମନେ ପ୍ରତିଜ୍ଞା କଲା ଦିନେ ନା ଦିନେ ବାପାଙ୍କ ମନରେ ଥିବା ପୁଅର ଅଭାବକୁ ଦୂର କରି ଦେବ । ସେତେ ବେଳେ ବାପା ବୁଝିବେ ଆଜିକାଲିର ସମୟରେ ପୁଅ ଆଉ ଝିଅ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ।

  


Rate this content
Log in

Similar oriya story from Action