Sambit Srikumar

Classics Inspirational Children

4.0  

Sambit Srikumar

Classics Inspirational Children

ପ୍ରବଞ୍ଚନା

ପ୍ରବଞ୍ଚନା

3 mins
419



ଅଭିଜିତ୍ ସିଂହ! ସାରା ବିଶ୍ୱରେ ଏଇ ନାଁ ଟା ବେଶ୍ ପରିଚିତ। ଜଗତ ବିଖ୍ୟାତ ମାନବାଧିକାର କର୍ମୀ। ବିଶେଷ କରି ଶିଶୁ ଅଧିକାର ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଅନେକ ସ୍ବନାମଧନ୍ଯ ଆନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ ସମ୍ମାନିତ କରାଯାଇଛି। ରାଶି ରାଶି ଜାତୀୟ ଏବଂ ଆନ୍ତର୍ଜାତୀୟ ପୁରସ୍କାରରେ ମହିମା ମଣ୍ଡିତ ଅଭିଜିତ୍ ବାବୁ ନିଜର ଅମାୟିକ ବ୍ୟବହାର ଓ ଉତ୍ସର୍ଗୀକୃତ ସେବା ମନୋଭାବ ପାଇଁ ସବୁ ମହଲରେ ଆଦୃତ। ସଭିଏଁ ଅତ୍ୟନ୍ତ ଶ୍ରଦ୍ଧା ଓ ସମ୍ମାନର ସହ ଉଚ୍ଚାରଣ କରନ୍ତି ତାଙ୍କର ନାମ।

ଛାତ୍ରାବସ୍ଥାରୁ ଅଭିଜିତ୍ ବାବୁ ଶିଶୁମାନଙ୍କ ଅଧିକାର ପାଇଁ ସ୍ବର ଉତ୍ତୋଳନ କରିଆସୁଛନ୍ତି। ନିଜର ବାଲ୍ୟକାଳରୁ ଅସଂଖ୍ୟ ଅଗଣିତ ସମସ୍ଯା ଦେଇ ଗତି କରି ନିଜର ସ୍ବକୀୟ ପରିଚୟ ସୃଷ୍ଟି କରିପାରିଛନ୍ତି। ସମର୍ପିତ ସେବା ମନୋଭାବ ସହିତ ମାତ୍ର ଦୁଇ ଜଣ ସହଯୋଗୀଙ୍କୁ ନେଇ ନୂଆଦିଲ୍ଲୀର ଗୋଟିଏ ଛୋଟ ଆପାର୍ଟମେଣ୍ଟରୁ ଆରମ୍ଭ ହୋଇଥିଲା ତାଙ୍କର ଶିଶୁମାନଙ୍କ ଅଧିକାର ପାଇଁ ଲଢିବାକୁ ଏ ମହତ ଏବଂ ଯୁଗାନ୍ତକାରୀ ଅଭିଯାନ। ସେ ନିଜେ ଦେଖିଛନ୍ତି ଦୈନ୍ୟତାର ଦାରୁଣ ଯନ୍ତ୍ରଣା ବୋଧ, ଭୋଗିଛନ୍ତି ଭୋକର ଦୁର୍ବିସହ ଜ୍ୱାଳାକୁ। ସାମ୍ନା କରିଛନ୍ତି ଅନେକ ପ୍ରତିରୋଧ ଏବଂ ଷଡଯନ୍ତ୍ର। କିନ୍ତୁ ସେ ଥକିପଡ଼ି ନାହାନ୍ତି କି ହାର ମାନିନାହାନ୍ତି। ଅସଂଖ୍ଯ ଥର ତାଙ୍କୁ ଧମକ ମଧ୍ୟ ମିଳିଥାଏ ଚରମ ପରିଣତିର। ସେ ନିର୍ଭିକ ନିର୍ବିକାର ଭାବରେ ଭୃକ୍ଷେପ କରିନାହାନ୍ତି ତାଙ୍କ ଜୀବନ ପ୍ରତି ଥିବା ବିପଦକୁ। ନିରଳସ ନିରହଂକାରୀ କର୍ତ୍ତବ୍ୟନିଷ୍ଠ ଦୁଃସାହସିକ ସଂଗ୍ରାମୀ ସେ। ସେଇଥିପାଇଁ ତ ଆଜି ସେ ଦେଶବିଦେଶର କୋଣ ଅନୁକୋଣରେ ସୁପରିଚିତ।

କେହି ବି କେବେ ବେପାର ବଣିଜ କିମ୍ବା କଳ କାରଖାନା ସ୍ଥାପନା କରେ ନାହିଁ ବିନା ଲାଭରେ। ଲାଭ ହିଁ ବ୍ୟବସାୟର ଏକମାତ୍ର ଉଦ୍ଦେଶ୍ୟ। ମାତ୍ର ପୁଞ୍ଜିପତିମାନଙ୍କର ଅତ୍ୟଧିକ ଲାଭ କମାଇବାର ମହୁଆ ନିଶା ହିଁ ଜନ୍ମ ଦିଏ ଶିଶୁ ଶ୍ରମିକମାନଙ୍କୁ। ପ୍ରାପ୍ତ ବୟସ୍କ ଶ୍ରମଜୀବୀଙ୍କ ପାଇଁ ସର୍ବନିମ୍ନ ମଜୁରି ପ୍ରଦାନ କରିବା ବାଧ୍ୟତାମୂଳକ। ସେଥିପାଇଁ ଅନେକ ଆଇନକାନୁନ ସବୁ ରହିଛି। ସେସବୁକୁ ଏଡିଯିବା ଅନେକ କ୍ଷେତ୍ରରେ ସମ୍ଭବପର ନୁହେଁ। ଯେହେତୁ ଶିଶୁମାନଙ୍କୁ ଶ୍ରମିକ ଭାବେ ଖଟାଇବା ବେଆଇନ, ସେମାନଙ୍କ ମଜୁରୀକୁ ନେଇ କିଛି ଆଇନ ବି ନାହିଁ। ନାମମାତ୍ର ମଜୁରୀରେ ପୁରା କାମ କରାଇ ନିଅନ୍ତି ରକ୍ତଭକ୍ଷୀ ଦାନବମାନେ। ରାସ୍ତା କଡ଼ର ଢାବା ଠାରୁ ଆରମ୍ଭ କରି ବିପଦଜ୍ଜନକ କଳକାରଖାନା ସବୁଠାରେ ଶିଶୁ ଶ୍ରମିକମାନେ ନିୟୋଜିତ। କାଗଜପତ୍ରରେ ବୟସ୍କ ଶ୍ରମିକଙ୍କ ମଜୁରୀ ହିସାବ ହୁଏ, କିନ୍ତୁ ସେହି ମଜୁରୀର ଅର୍ଦ୍ଧେକରୁ ବି କମ୍ ଅର୍ଥ ହିଁ ଶିଶୁ ଶ୍ରମିକଙ୍କୁ ପ୍ରଦାନ କରାଯାଏ। ବକେୟା ହୋଇଯାଏ କଳା ଟଙ୍କା! ଏହି କାରବାର ସବୁ ସୀମା ସରହଦ ଡେଇଁ ସାରା ବିଶ୍ୱରେ ପ୍ରଚଳିତ।

ଏତଦବ୍ୟତୀତ ଅକଥନୀୟ ଅତ୍ୟାଚାର କରିଥାନ୍ତି ଶିଶୁ ଶ୍ରମିକମାନଙ୍କ ଉପରେ ମାଲିକମାନେ ଅଧିକ ସମୟ ଖଟାଇବା ପାଇଁ। ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଏ। ସରକାର, ସ୍ଥାନୀୟ ପ୍ରଶାସନ, ଆରକ୍ଷୀ ବଳ ସମସ୍ତଙ୍କ ଗୋଚରରେ ସବୁକିଛି ଘଟେ। କିନ୍ତୁ କାହାର ବି ପ୍ରତିବାଦ କରିବାକୁ ଶକ୍ତି ସାମର୍ଥ୍ୟ ନାହିଁ କି ଏ କ୍ରୁର ପ୍ରଥାକୁ ବନ୍ଦ କରିବା ପାଇଁ ଆବଶ୍ୟକତା ବି ନାହିଁ। କାରଣ କଳା ଟଙ୍କାର ପ୍ରମୁଖ ଉତ୍ସ ଶୁଷ୍କ ହୋଇଯିବ। ରାତାରାତି ଧନପତି ହେବାର ସୂତ୍ର ବିଫଳ ହୋଇଯିବ। ଯାହା କିଛି ବି ଧରପଗଡ଼ ଯେବେ ବି ହୁଏ ସେସବୁ ଆଇନକୁ ଆଖିଠାର! ଧରାପଡିଥିବା କାର୍ପଟଦାରମାନେ ଖସିଯିବାରେ ସଫଳ ହୁଅନ୍ତି ଆଇନର ଗଳାବାଟ ଦେଇ ଅନାୟସରେ। ପୁଣି ପୂର୍ବବତ ଜାରି ରହେ ଏହି ଅନ୍ଧାରୀ ସାମ୍ରାଜ୍ୟର କଳା କାରବାର।

ଦୀର୍ଘ ତିନି ଦଶନ୍ଧି ଧରି ସମଗ୍ର ପୃଥିବୀର କୋଣଅନୁକୋଣରେ ଲକ୍ଷ ଲକ୍ଷ ଶିଶୁ ଶ୍ରମିକଙ୍କୁ ବିପଦପୂର୍ଣ୍ଣ କାର୍ଯ୍ୟ କ୍ଷେତ୍ରରୁ ଉଦ୍ଧାର କରି ଥଇଥାନ କରିଛି ଅଭିଜିତ୍ ବାବୁ ପରିଚାଳିତ କରୁଥିବା ସ୍ଵେଚ୍ଛାସେବୀ ସଂଗଠନ। ଶତାଧିକ ଦେଶରେ କାର୍ଯ୍ୟରତ ଏହି ସଂଗଠନକୁ ଅନେକ ବିକଶିତ ଦେଶର ସରକାରୀ ଓ ବେସରକାରୀ ସଂସ୍ଥାରୁ ସହାୟତା ସ୍ବରୂପ ବିପୁଳ ପରିମାଣର ପାଣ୍ଠି ଯୋଗାଇ ଦିଆଯାଇଥାଏ। ଏହି ପାଣ୍ଠି ବଞ୍ଚିତ ଶୋଷିତ ନିଷ୍ପେଷିତ ପିଡିତ କୋମଳମତି ଶିଶୁ ମାନଙ୍କର କଲ୍ୟାଣ ଓ ବିକାଶ ନିମନ୍ତେ ବିନିଯୋଗ ହୋଇଥାଏ। ସେମାନଙ୍କର ସର୍ବାଙ୍ଗୀନ ବିକାଶରେ ସହାୟକ ହୋଇଥାଏ। ଶିଶୁମାନଙ୍କ ଶିକ୍ଷା ସ୍ବାସ୍ଥ୍ୟ ଓ ରୋଜଗାର ପରି ଜରୁରୀ ଆବଶ୍ୟକତା ପୂରଣ କରିବା ପାଇଁ ଶତତ ଚେଷ୍ଟିତ ଅଭିଜିତ୍ ବାବୁ ।

ସେଦିନର ସକାଳୁ ସକାଳୁ ସାରା ଦୁନିଆଁ ସ୍ତବ୍ଧ ହୋଇଯାଥିଲା। ଦେଶବିଦେଶର ଗଣମାଧ୍ୟମରେ ଗୋଟିଏ ତାଜା ଖବର, ବ୍ରେକିଂ ନ୍ଯୁଜ୍! ଟିଭି ଚ୍ୟାନେଲ ଖବରକାଗଜ ସୋସିଆଲ ମିଡିଆ ଅନଲାଇନ ନ୍ଯୁଜ୍ ପୋର୍ଟାଲ୍ ସବୁଠି କେବଳ ସେଇ ଖବରଟିର ପୁନଃ ପୁନଃ ପ୍ରସାରଣ। କେହି ବି ନିଜ ଆଖି ଓ କାନକୁ ବିଶ୍ବାସ କରି ପାରୁନଥିଲେ। ସଭିଏଁ କହୁଥିଲେ ଫେକ୍ ନ୍ଯୁଜ୍ ବୋଲି। ତାଙ୍କ ସମର୍ଥକମାନେ ଏହାକୁ ତାଙ୍କ ବିରୁଦ୍ଧରେ ଏକ ଆନ୍ତର୍ଜାତିକ ଷଡଯନ୍ତ୍ର ବିବେଚନା କରି ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ ପ୍ରସ୍ତୁତିର ବ୍ୟବସ୍ଥା କରୁଥିଲେ।

କିନ୍ତୁ ଘଟଣାଟି ପୁରା ସତ୍ଯ ଥିଲା। ଅବିଶ୍ୱସନୀୟ ସତ୍ଯ! ପରିବାର ବର୍ଗ, ଶୁଭେଚ୍ଛୁ ବୃନ୍ଦ, ଯେଉଁମାନେ ତାଙ୍କ ସହ ଓତଃପ୍ରୋତ ଭାବେ ଜଡିତ ଥିଲେ, ସମସ୍ତଙ୍କ ପାଇଁ ଏହି ପ୍ରକରଣଟି ଥିଲା ଏକବାର ଅପରିକଳ୍ପନୀୟ। ବେଳେ ବେଳେ ଏହିପରି ଅପ୍ରତ୍ୟାଶିତ ଭାବେ ସତ୍ୟର ଉଦଘାଟନ ହୋଇଥାଏ ଯାହାକି ଖୁବ୍ ଯନ୍ତ୍ରଣା ଦାୟକ!

"ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଶିଶୁ ଅଧିକାର କର୍ମୀ ଅଭିଜିତ୍ ସିଂହ ଜେନେଭାଠାରେ ଗିରଫ!"

ତାଙ୍କ ସଂଗଠନ ଦ୍ବାରା ଉଦ୍ଧାର କରାଯାଉଥିବା ତୃତୀୟ ବିଶ୍ବର ଶିଶୁ ଶ୍ରମିକ, ବିଶେଷ କରି କିଶୋରୀମାନଙ୍କୁ ଉଚ୍ଚ ଦରରେ ବିକଶିତ ଦେଶଗୁଡ଼ିକୁ ଚାଲାଣ କରୁଥିବାର ଅଭିଯୋଗ ଆସିଛି। ଠୋସ୍ ପ୍ରମାଣ ବି ମିଳିଛି। ଚାଲାଣ ହୋଇଥିବା କିଛି ନିର୍ଯାତିତା କୌଶଳରେ ଖସି ଆସି ଖୋଲି ଦେଇଛନ୍ତି ସମାଜସେବୀର ମୁଖା ଅଭିଜିତ୍ ବାବୁଙ୍କର। ଅତ୍ୟନ୍ତ ସନ୍ତର୍ପଣ ଏବଂ ଗୋପନୀୟ ଭାବେ ଚଳାଇ ଥିବା ଶିଶୁ ଶ୍ରମିକ ଚାଲାଣ କାରବାରର ପର୍ଦ୍ଦାଫାସ ହୋଇଛି। ଜେନେଭାଠାରେ ଶିଶୁ ଅଧିକାର ସମ୍ବନ୍ଧୀୟ ଆନ୍ତର୍ଜାତିକ ସମ୍ମିଳନୀରେ ଅଭିଭାଷଣ ପ୍ରଦାନ କରୁଥିବା ବେଳେ ଏହିସବୁ ତଥ୍ୟ ସାକ୍ଷ୍ୟ ପ୍ରମାଣର ଆଧାରରେ ଇଣ୍ଟରପୋଲ୍ ଗିରଫ କରିଛି ଅଭିଜିତ୍ ବାବୁଙ୍କୁ।

ଧର୍ମବକ ଅଭିଜିତ୍ ସିଂହଙ୍କ ପାପର ସାମ୍ରାଜ୍ୟ ଜଳି ପୋଡ଼ି ଧ୍ବଂସ ହୋଇଯାଇଛି ଅଗଣିତ ଶିଶୁଙ୍କ ଆଖି ତତଲା ଲୁହରେ...।



Rate this content
Log in

Similar oriya story from Classics