ପ୍ରଭାତ ବର୍ଣ୍ଣନା
ପ୍ରଭାତ ବର୍ଣ୍ଣନା
ଶୀତଦିନ l ସକାଳୁ ସକାଳୁ ଘଣ୍ଟାର ଆଲାର୍ମ ଟି ବାଜି ଉଠିଲା । ସେତେବେଳକୁ ସକାଳର ଛ'ଟା ବାଜିଲାଣି l ବୋଉ ମତେ ଡାକ ପକାଇଲା "ମୁନୁ " ଶୀଘ୍ର ଉଠେ ନହେଲେ କଲେଜ ଯିବାକୁ ତୋର ଡେରି ହେଇଯିବ l ମୁଁ ଉଠି ଗାଧେଇ ପାଧେଇ ଜଳଖିଆ ଖାଇ, ବାପାଙ୍କ ଠାରୁ ହାତ ଖର୍ଚ୍ଚପାଇଁ କିଛି ଟଙ୍କା ନେଇ ସାଇକେଲଟି ଧରି କଲେଜ ବାହାରିଲି l ଘରଠାରୁ କଲେଜଟି ମାତ୍ର ଚାରି ପାଞ୍ଚ କିଲୋମିଟର l କଲୋନୀ ରାସ୍ତାରୁ ବାହାରି ମୁଖ୍ୟ ରାଜ ରାସ୍ତାକୁ ଉଠିଲି l ସବୁଦିନ ପରି ଆଜି ମଧ୍ୟ ଲିଙ୍କ ରୋଡ ରାସ୍ତାର ଦୁଇ ପାର୍ଶ୍ୱ ଶୂନଶାନ l କାଁ ଭାଁ କିଛି ଗାଡିର ଶବ୍ଦ ଶୁଭୁଛି l ଦିନ ଥିଲା ସକାଳ ନ ପାହୁଣୁ ରାସ୍ତାର ଦୁଇ ପାର୍ଶ୍ୱ ରେ ହୋ ହାଲ୍ଲା ଏବଂ ଜନ ଗହଳି ପୁରୀ ଯାଉଥିଲା l କିନ୍ତୁ ଆଜି ପୂର୍ବ ଭଳି ଆଉ ଜନ ଗହଳି ନାହିଁ l ମୋର ମନେ ଅଛି ସେଦିନ ଥିଲା ଡ଼ିସେମ୍ବର ଆଠ ତାରିଖ ଦୁଇ ହଜାର ଚାରି ମସିହା l ସେହିଦିନ ଠାରୁ ଏଠାରେ ଜନ ଗହଳିର ପୂର୍ଣ୍ଣଛେଦ ପଡିଛି l ଏବେ ଏହି ଜାଗାରେ ବଡ ବଡ ଦୋକାନ, ହୋଟେଲ ଆଉ ସୋରୁମ ଆଦି ନିର୍ମାଣ ହେଇଛି l
କେତେଦିନରୁ କେଜାଣି ଏହି ରାସ୍ତାର ଦୁଇ ପାର୍ଶ୍ୱରେ ଛୋଟ ଛୋଟ କ୍ୟାବିନ , ଝୁମ୍ପୁଡି, ଉଠା ଦୋକାନ ମାନ ଗଢି ଉଠିଥିଲା l ପାନ ଦୋକାନ ଠାରୁ ଆରମ୍ଭ କରି ଜଳଖିଆ ଢ଼ାବା , ଫଳ ଓ ପନିପରିବା ଦୋକାନ ପର୍ଯ୍ୟନ୍ତ ଥିଲା l ଲୁଗା ଦୋକାନ ଠାରୁ ଗାଡି ଗ୍ୟାରେଜ ମଧ୍ୟ୍ୟ ରହିଥିଲା l ସକାଳୁ ସକାଳୁ ଏହି ଦୋକାନ ସବୁ ଖୋଲିଯାଏ l କେଉଁଠାରେ ରେଡ଼ିଓରେ ଓଡ଼ିଆ ଫିଲ୍ମ ଗୀତ ତ ଆଉ କୋଉଠି ମେସିନ ଓ ହାତୁଡିର ଧଡ଼ଧାଡ଼ , ଠନଂ ଠାନଂ ଶବ୍ଦ ରାସ୍ତାର ଦୁଇ ପାର୍ଶ୍ୱକୁ କମ୍ପାଇ ଦିଏ l ସହରରେ ବଡ ବଡ ଗ୍ୟାରେଜ, ଫାଇଭ୍ଷ୍ଟାର ହୋଟେଲ, ଗାର୍ମେଣ୍ଟସ ଦୋକାନ ,ଗାଡି ସୋରୁମ ଥିଲେ ମଧ୍ୟ୍ୟ ଏ ଛୋଟ ଛୋଟ ଦୋକାନ ଗୁଡିକ ତାଙ୍କ ଆଗରେ ସଂଘର୍ଷ କରି ଚାଲିଥିଲେ l
ଏ ସବୁ ଦୋକାନ ମଧ୍ୟ୍ୟରେ ଥିଲା ରମେଶର ପାନ ଦୋକାନ l ସମସ୍ତଙ୍କର ଅତି ପରିଚିତ ଚେହେରା l ଅଫିସର ହଉ କି ପିଅନ ହଉ, ତl ଦୋକାନରୁ ଚାହା, ପାନ, ସିଗାରେଟ ନଖାଇ କେହି କାମକୁ ଯାନ୍ତି ନାହିଁ l ସମସ୍ତେ ରମେଶକୁ ଆଦର କରନ୍ତି l ମଣିଷପରି ମଣିଷଟିଏ ସିଏ l ଛୋଟ ଦୋକାନ ହେଲେ ମଧ୍ୟ୍ୟ ତା ଦୋକାନରେ ସବୁବେଳେ ଭିଡ ଜମିଥାଏ l କଲେଜ ପିଲାଙ୍କ ଖଟି ଜାଗା କହିଲେ ଚଳେ l ବାକିରେ ହଉକି ନଗଦରେ ହଉ ତା ଦୋକାନ ଚାଲି ଥାଏ l ସକାଳୁ ପାଞ୍ଚଟାରୁ ରାତି ନ'ଟା ପର୍ଯ୍ୟନ୍ତ ଭିଡ ଜମିଥାଏ l ଏହି ଭିଡରେ ଗୁପଚୁପ, ଚାଟ, ଆଇସ୍କ୍ରିମ ଆଦି କେତେକ ଉଠା ଦୋକାନୀ ନିଜର ପସରା ମେଲେଇ ଦେଇଥାନ୍ତି l ରମେଶର ଦୋକାନଟି ଛୋଟ ହେଲେ ମଧ୍ୟ୍ୟ ତା ହୃଦୟ ଟା କିନ୍ତୁ ବଡ l ନିଜ ସାଙ୍ଗ, ଦରିଦ୍ର, ଭିକ୍ଷୁକ ବ୍ୟକ୍ତି ଙ୍କୁ ନିଜ ସାମର୍ଥ୍ୟ ଅନୁସାରେ ସାହାଯ୍ୟ କରେ l ତାର ବ୍ୟବହାର ଚାଲି ଚଳନରେ ସମସ୍ତଙ୍କୁ ଙ୍କୁ ମୁଗ୍ଧ କରେ l
ମୁଁ ସୁଣିବାରେ ଯେତେବେଳେ ରମେଶକୁ ଦଶ ବର୍ଷ ବୟସ ହେଇଥିଲା ସେ ତା ବାପାଙ୍କ ସାଙ୍ଗରେ ଏ କଟକ ସହରକୁ ଆସିଥିଲା l ତା ବାପା କିଛି ଟଙ୍କା ସଂଚୟ କରି ଏହିଠାରେ ଏକ ପାନ ଦୋକାନ କରିଥିଲେ l ନିଜର ଗୁଜୁରାଣ ମେଣ୍ଟେଇଵା ପାଇଁ ଏହି ପାନ ଦୋକାନ ଥିଲା ତାଙ୍କର ଏକମାତ୍ର ପନ୍ଥା l ଯାହା ରୋଜଗାର ହୁଏ ବାପା ପୁଅ ଦୁଇଜଣ ଦୁଖେ କଷ୍ଟେ ଚଳି ଯାନ୍ତି l ଧୀରେ ଧୀରେ ସମୟ ଅତିବାହିତ ହଵା କ୍ରମେ ରମେଶ ର ବାପା ଙ୍କ ବାର୍ଦ୍ଧକ୍ୟରେ ରୋଗାକ୍ରାନ୍ତ ହୋଇ ଶଯ୍ୟାସାଇ ହେଲେ l ତେଣୁ ରମେଶ କୁ ଦୋକାନ ଦାୟିତ୍ୱ ତୁଲାଇବାକୁ ପଡିଲା l ସେହିଦିନ ଠାରୁ ରମେଶ ଦୋକାନ ଚଳାଇ ଆସୁଥିଲା
ମୋର ମନେ ଅଛି ଆଉ ଏକ ଦିନର ଘଟଣା l ମୁଁ କଲେଜ ଯିଵା ସମୟରେ ଦେଖିଲି ଚାରି ପାଞ୍ଚ ଜଣ ଲୋକ ହାତରେ ବନ୍ଧୁକ ଛୁରୀ ଧରି ସେହି ଦୋକାନ ଗୁଡିକର ଜିନିଷ ଭଙ୍ଗାରୁଜା ଫୋପଡ଼ା ଫୋପଡ଼ି କରୁଛନ୍ତି l ତାଙ୍କ ବେଶଭୂଷା ରୁ ତାଙ୍କ ପରିଚୟ ଟା ସ୍ପଷ୍ଟ ଜଣା ପଡୁଥିଲା l କିନ୍ତୁ ତାଙ୍କର ଏସବୁ କାର୍ଯ୍ୟ କରିବା ପଛରେ କଣ ଉଦେଶ୍ୟ ଥିଲା ମୁଁ ଜାଣି ପାରିଲିନାହିଁ l ତେଣୁ ମୁଁ ସେଠାରୁ ପଳାଇ ଯିବାଟା ଉଚିତ ମନେକଲି l ପୁନଶ୍ଚ ପରଦିନ ସେହି ଅନୁରୂପ ଘଟଣା ଦେଖିବାକୁ ପାଇଲି l କିଛି ଲୋକଙ୍କ ଠାରୁ ଜାଣିବାକୁ ପାଇଲି ଏମାନେ ଦାଦା ବଟି ଆଦାୟ କରିବାପାଇଁ ଆସିଛନ୍ତି l ରମେଶ ତାଙ୍କୁ ପ୍ରତିବାଦ କରିବାରୁ ସେହି ଦୁର୍ବୁତ୍ତ ମାନେ ରମେଶର ଦୋକାନରୁ ଜିନିଷ ଫୋପାଡ଼ି ଦେଇଥିଲେ ଓ ତାକୁ ନିସ୍ତୁକ ମାଡ ମାରିଥିଲେ l ଯାହାଫଳରେ ରମେଶ ଆହତ ହେଇ କିଛି ଦିନ ଡାକ୍ତରଖାନାରେ ଚିକିସ୍ତିତ ହେଲା l ଏ ଘଟଣା କଟକ ସହରରେ ଏକ ନିତିଦିନିଆ ଘଟଣା ପାଲଟିଗଲା l କ୍ରମଶଃ ସେହି ଦୁର୍ବୁତ୍ତମାନେ ପୋଲିସ କର୍ମଚାରୀଙ୍କ ଉପସ୍ଥିତରେ ମଧ୍ୟ୍ୟ ବଟି ଆଦାୟ କରିବାରେ ଲାଗିଲେ l ଫଳରେ ସେମାନଙ୍କ ପୋଲିସ ପ୍ରତି ଭୟ କମିଗଲା l ପୋଲିସ କର୍ମଚାରୀ ସେମାନଙ୍କୁ ଦେଖି, ନ ଦେଖିଲା ପରି ଅଭିନୟ କଲେ l କାରଣ ତାଙ୍କୁ ମଧ୍ୟ ସେମାନଙ୍କ ବଟିରୁ କିଛି ଉପୁରି ମିଳିଯାଉଥିଲା l
କିନ୍ତୁ ସେଦିନ ଥିଲା ଡିସେମ୍ବର ଆଠ ତାରିଖ l ସକାଳୁ ମୁଁ କଲେଜ ଯିଵା ସମୟରେ ଏକ ଘଟଣା ଦେଖି ଆଶ୍ଚର୍ଯ୍ୟ ହେଇଗଲି l ଚାରିଆଡେ ନିଆଁ ଧୂଆଁର କୁହୁଡି ସେ ଅଂଚଳ କୁ ମାଡି ବସିଛି l ଜାଣିବାକୁ ପାଇଲି ପୂର୍ବଦିନ ରାତିରେ କିଛି ଦୁର୍ବୁତ୍ତ ବୋମା ବିସ୍ଫୋରଣ କରି ପ୍ରାୟ ସବୁ ଦୋକାନ ଗୁଡିକୁ ନଷ୍ଟ କରି ଦେଇଥିଲେ l ପୂର୍ବରୁ ଯେଉଁଠାରେ ଦୋକାନ ଗୁଡିକ ଥିଲା ଏବେ ତାହା ଆଉ ନାହିଁ l ଜାଳି ପୋଡି ପାଉଁଶ ହେଇ ଯାଇଛି l ରମେଶର ଦୋକାନ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ l ତା ଦୋକାନ ଏବେ ଧରାଶାୟୀ l ଚାରିଆଡେ ଖାଲି ପାଉଁଶ ଆଉ ଧୂଆଁ l ଧୀରେ ଧୀରେ ଜନ ଗହଳି ବଢିବାକୁ ଲାଗିଲା l ଏହି ଗହଳି ମଧ୍ୟ ରେ ପୋଲିସ କର୍ମଚାରୀ ତନାଘନା ଚଳାଇଥାନ୍ତି l ପୋଲିସର ସନ୍ଧାନୀ କୁକୁର ମଧ୍ୟ ନିୟୋଜିତ ହେଇଥାନ୍ତି l ସେହିଦିନ ଠାରୁ ରମେଶର କୌଣସି ପତ୍ତାନାହିଁ l କୁଆଡେ ଗଲା ? କେମିତି ଅଛି ? କଣ କରୁଛି ? ବଂଚିଛି କି ନାହିଁ ତାର ଖବର କାହା ପାଖରେ ନାହିଁ l ଦୋକାନଟି ଭାଙ୍ଗିଯିବା ପରେ ବୋଧେ ସେ ଏ ସହର ଛାଡି ଚାଲିଯାଇଛି l କରିବ ବି ଆଉ କଣ l ଏ ସହରରେ ତାର କିଏ ଵା ଅଛି l
ପରଦିନ ଖବର କାଗଜରେ ପଢି ଜାଣିବାକୁ ପାଇଲି ଯେ ସେ ନାରକୀୟ କାଣ୍ଡ କେତେକ ଧନୀ ଶ୍ରେଣୀୟ କଂଟ୍ରାକଟର ମାନଙ୍କର l ସେମାନେ ସେ ସରକାରୀ ଜାଗା ଗୁଡାକୁ ଦଖଲ କରିବାକୁ ଚାହୁଁଥିଲେ l ଛୋଟ ଛୋଟ ଦୋକାନ ଗୁଡିକୁ ଉଠାଇ ନିଜର ବଡ ବଡ ହୋଟେଲ ଆଉ ଶୋରୁମ ନିର୍ମାଣ କରିବାକୁ ଚାହୁଁଥିଲେ l ତେଣୁ ସେମାନେ ଯୋଜନା ପ୍ରସ୍ତୁତକରି ନିଜ ଲୋକ ଙ୍କୁ ଲଗାଇଥିଲେ l ସେମାନେ ଜୋର ଜବରଦସ୍ତ ଡରାଇ ଧମକାଇ ଜାଗା ଗୁଡିକୁ ଦଖଲ କରିବାକୁ ଚାହୁଁଥିଲେ l କିନ୍ତୁ ଯେତେବେଳେ ଦଖଲ କରି ନପାରିଲେ ଶେଷରେ ଏ ନାରକୀୟ କାଣ୍ଡ କଲେ l ପରେ ପୋଲିସ ର ଉପରସ୍ଥ କର୍ମଚାରୀ ଓ ବିଭାଗୀୟ କର୍ମଚାରୀ ମାନଙ୍କୁ କିଛି ଲାଞ୍ଚ ଦେଇ ବିସ୍ଫୋରଣ କୁ ଅଗ୍ନିକାଣ୍ଡ ଦୁର୍ଘଟଣା ବନାଇ କେଶଟିକୁ ବନ୍ଦ କରିଦେଲେ l ସତରେ ଦୁନିଆରେ ଏପରି କେତେକ ଭିନ୍ନ ମଣିଷ ମଧ୍ୟ୍ୟ ଅଛନ୍ତି ଯିଏକି ନିଜର ସୁଖ ପାଇଂ ଅନ୍ୟର ସୁଖକୁ ଦରକାର ପଡିଲେ ଜାଳି ଦିଅନ୍ତି l
ଏହି ସମୟରେ କଲେଜର ଘଣ୍ଟା ଟା ବାଜି ଉଠିଲା l ଭାବନା ବାଳୟରୁ ବାହାରି ଦେଖେ ତ ମୁଁ କେତେବେଳୁ କଲେଜରେ ପହଂଚି ଯାଇଥାଏ l
