ଶେଷ ବିଦାୟ
ଶେଷ ବିଦାୟ
ସମୟ ଭୋର ଚାରିଟା l ଅଧା ଆଉଜା ହୋଇଛି ବେଡ଼ରୁମ କବାଟ ଟା ବେଡ଼ରୁମ ଭିତରେ ଠିଆ ହୋଇଛନ୍ତି ସୁଶୀଲ ବାବୁ ଆଖିରୁ ତାଙ୍କର ଦୁଇ ଧାର ଲୁହ ବୋହି ଯାଉଛି ଲୁହ ନୁହେଁ ସତେ ଯେପରି ରକତ ଧାର l ଆଖି ଦୁଇଟି ଫୁଲି ଆଂଶିକ ଲାଲ ପଡ଼ିଗଲାଣି l ଏକ ଦୃଷ୍ଟିରେ ଚାହିଁ ରହିଥାନ୍ତି ସାମ୍ନା କାନ୍ଥରେ ଲାଗିଥିବା ସ୍ତ୍ରୀ ସଂଗୀତାଙ୍କ କାଚ ବନ୍ଧେଇ ଫଟୋକୁ l ସତେ ଯେପରି ପୂର୍ବ ସାଇତା ସ୍ମୃତି ପେଡ଼ିକୁ ଖୋଲିବାରେ ବ୍ୟସ୍ତ କାଲି ଥିଲା ଝିଅ ବର୍ଷାର ବାହାଘର l ଘରେ ବନ୍ଧୁ ବାନ୍ଧବ ଜ୍ଞାତି କୁଟୁମ୍ବଙ୍କ ଭିଡ ଲାଗିଛି l ବାହାରେ ଏବେବି ହାଲକା ମାଇକ ବାଜୁଛି ,ରୋଷଣୀ , ବାଣରେ ଚାରିଦିଗ କମ୍ପୁଛି l କିନ୍ତୁ ଯେପରି ସୁଶୀଲ ବାବୁଙ୍କ ସେଥିପ୍ରତି ଆଉ ଧ୍ୟାନ ନାହିଁ l ସେ ପୂର୍ବ ପରି ଭାବନା ବଳୟରେ ହଜିଯାଇଛନ୍ତି l
ସେଦିନ ଥିଲା ନଭେମ୍ବର ପାଞ୍ଚ ତାରିଖ , ଉଣେଇଶହ ବୟାଅଶି ମସିହା l ସୁଶୀଲ ବାବୁ ବାହାହେଇ ସ୍ତ୍ରୀ ସଂଗୀତାଙ୍କ ସହ ପ୍ରଥମ କରି ଭୁବନେଶ୍ୱର ଆସିଥିଲେ ସହିଦ ନଗରର ଏଇ ଭଡା ଘରକୁ l ବିଭାଘର ପରେ ସୁଶୀଲ ବାବୁ ନିଜ ଅଧ୍ୟାପନାରେ ବ୍ୟସ୍ତ ହେଇଗଲେ l ସେ ବାଣୀବିହାର ଉତ୍କଳ ୟୁନିଭର୍ସିଟିରେ ସାହିତ୍ୟ ଅଧ୍ୟାପକ ରୂପେ କାର୍ଯ୍ୟରତ ଥାନ୍ତି l ସ୍ତ୍ରୀ ସଂଗୀତା ମଧ୍ୟ ଘର କାମରେ ବ୍ୟସ୍ତ ହେଇଗଲେ l ଧୀରେ ଧୀରେ ସ୍ୱାମୀ ସ୍ତ୍ରୀ ଙ୍କର ହସଖୁସିର ଜୀବନ ଅତି ସୁରୁଖୁରୁରେ ଗଡି ଚାଲିଲା l
କିନ୍ତୁ ବିଧିର ବିଧାନ ଥିଲା ସମ୍ପୂର୍ଣ ଅଲଗା l ସ୍ୱାମୀ ସ୍ତ୍ରୀଙ୍କ ଏ ସୁଖମୟ ସଂସାର ଆଉ ବେଶିଦିନ ତିଷ୍ଟିଲାନି l ଦି ବର୍ଷ ପରେ ସଂଗୀତା , ସୁଶୀଲ ବାବୁ ଙ୍କ କୋଳକୁ ଝିଅ ଟିଏ ଟେକିଦେଇ କ୍ୟାନ୍ସର ରୋଗରେ ସବୁଦିନ ପାଇଁ ଆଖି ବୁଜିଦେଲେ l ସତେ ଯେପରି ସୁଶୀଲ ବାବୁଙ୍କ ମୁଣ୍ଡରେ ଆକାଶ ଛିଡି ପଡିଲା l ଛୋଟ ଝିଅକୁ ନେଇ କୁଆଡେ ଯିବେ , କଣ କରିବେ କିଛି ବୁଝି ପାରିଲେନି l ଶେଷରେ ନାତୁଣୀକୁ ଲାଳନ ପାଳନ କରିବା ପାଇଁ ତାର ଅଜା ଆଇ ତାକୁ ସାଙ୍ଗରେ ନେଇଗଲେ l କିଛିଦିନ ପାଇଁ ସୁଶୀଲ ବାବୁ ଆସ୍ୱସ୍ଥିରେ ନିଶ୍ୱାସ ମାରିଲେ l
ପାଞ୍ଚ ବର୍ଷ ବିତିବାକୁ ହେବ l ଏପଟେ ସୁଶୀଲ ବାବୁ ସ୍ତ୍ରୀ ସଂଗୀତାଙ୍କ ଅକାଳ ଵିୟୋଗ ଭୁଲି ପାରୁନଥିଲେ କି , ଝିଅ ବର୍ଷାର ବିଚ୍ଛେଦ ସହି ପାରୁନଥିଲେ l ଝିଅକୁ ପାଞ୍ଚ ବର୍ଷ ପୁରିବା ପରେ ସେ ତାକୁ ତା ଅଜା ଆଇଙ୍କ ପାଖରୁ ନେଇ ଆସିଲେ l ଝିଅଟିର ଯତ୍ନ ନେବାପାଇଁ ମମତାକୁ ରଖିଲେ l ମମତା ,ବର୍ଷାର ଧାଇ ମା l ବୁଢୀକୁ ପଚାଶ ପାଖା ପାଖି କିନ୍ତୁ ଏବେବି ସବୁ କାମରେ ଧୂରନ୍ଦର l
ଏମିତି ସମୟ ଗଡି ଚାଲିଲା l ମମତାର ଦେଖାଶୁଣା , ଯତ୍ନରେ ବର୍ଷା ବଡ ହେବାକୁ ଲାଗିଲା l ବର୍ଷାକୁ ଏବେ ଦଶ ବର୍ଷ l ତାର ରୂପ ବି ଯେମିତି ଗୁଣ ବି ସେମିତି l ଭଲରେ ପଢେ କ୍ଲାସ ରେ ପ୍ରଥମ ହୁଏ l ତେଣୁ ସ୍କୁଲରେ ସମସ୍ତଙ୍କୁ ଶିକ୍ଷକ ଆଉ ଦିଦି ମାନେ ତାକୁ ଭାରି ଭଲପାନ୍ତି l ସାଙ୍ଗ ମାନେ ବି ବହୁତ ଆଦର କରନ୍ତି l କିନ୍ତୁ ସବୁ ଗୁଣ ଥାଇ ମଧ୍ୟ ସେ ଆଜି ଦୁଃଖୀ l ମା ନାହିଁ l ମନ କଥା କାହା ଆଗରେ କହିବ ? କିଏ ତା ପାଇଁ ତା ମା କୁ ଫେରେଇ ଆଣିବ ? ସବୁଦିନ ଲୁହ ଗଡ଼ାଇ ଭଗବାନ ଙ୍କୁ ଡାକେ l ହେଲେ ତାର କରୁଣ ପ୍ରାର୍ଥନା ଭଗବାନ ଙ୍କ ନିକଟକୁ ପହଞ୍ଚେ କି ନାହିଁ ତାକୁ ଅଜଣା l ବର୍ଷା ପାଇଁ ତା ବାପା ହିଁ ସବୁ କିଛି l କିନ୍ତୁ ଯେତେ ଚେଷ୍ଟା କଲେ ବି ସୁଶୀଲ ବାବୁ ବର୍ଷା ପାଇଁ ଭଲ ମା ର ଭୂମିକା କରି ପାରିଲେ ନାହିଁ l ତାର ସବୁ ଅଳିକୁ ପୂରଣ କରି ନପାରି ଶେଷରେ ହାର ମାନିଯାନ୍ତି l ଶେଷରେ ପରିସ୍ଥିତିକୁ ମମତା ସମ୍ଭାଳି ନିଏ l ତା ମା ଆକାଶ ରେ ତାରା ହେଇଯାଇଛି , ଏ କଥା ଧାଇ ମାଠୁ ବର୍ଷା ସବୁବେଳେ ଶୁଣେ ହେଲେ ବିଚାରି ମା କୁ ନ ଦେଖି ନିରାଶ୍ରି ହେଇଯାଇଛି l ଏଣେ ବାପା ଙ୍କର ମଧ୍ୟ ଆଉ କଲେଜ କାମରୁ ଫୁରୁସତ ନାହିଁ l କଲେଜ ଭଲ ତ ତା ବାପା ଭଲ l ବେଳେବେଳେ କାମ ସାରି ଡେରି ରାତିରେ ଘରକୁ ଫେରନ୍ତି l
ମମତା ସଦାବେଳେ ଡେରିରେ ଆସିବାରୁ ବାବୁଙ୍କୁ ତାଗିତ କରେ l ବାବୁଙ୍କୁ ଆଉ ଥରେ ବାହା ହବାକୁ ମଧ୍ୟ ପ୍ରବର୍ତାଏ l କହେ "ବାବୁ ବର୍ଷା ମା ପାଇଁ ନୂଆ ମା ଟିଏ ଆଣିଲେ କେମିତି ହୁଅନ୍ତା ? ଝିଅଟିର ମା ସ୍ନେହ ପାଆନ୍ତା l ଆଉ ଆପଣଙ୍କର ପରିବାର ମଧ୍ୟ ପୁଣି ହସିଲା ପୁରିଲା ହୋଇଯାନ୍ତା l ଦେଖିବ ବାବୁ ବର୍ଷା ମା ବଡ ହୋଇଗଲେ ଗୋଟେ ସୁନ୍ଦର ରାଜକୁମାର ଧଳା ଘୋଡାରେ ବସି ପରି ରାଇଜରୁ ଆସିବ ଏବଂ ଆମ ବର୍ଷା ମା କୁ ବାହା ହେଇ ନେଇଯିବ l ସେତେବେଳେ ଆପଣ ମୋ କଥାକୁ ମନେ ପକାଇବେ l" କିନ୍ତୁ କଣ ହବ ସୁଶୀଲ ବାବୁ କିଛି ବୁଝିବାକୁ ନାରାଜ l ଘରେ ମଧ୍ୟ ବାପା ବୋଉ ପୁଅ ର ଆଉ ଗୋଟିଏ ବାହାଘର ପାଇଁ ପ୍ରସ୍ତାବ ପକାଉଥାନ୍ତି l ବିଭିନ୍ନ ଜାଗାରୁ ପ୍ରସ୍ତାବ ଆସୁଥାଏ l କିନ୍ତୁ କଥା ଯୋଉଠି ଆରମ୍ଭ ହୁଏ , ସେଇଠି ଆସି ସରେ l ସୁଶୀଲ ବାବୁ ଯେପରି ନିଜ ଜିଦ ରେ ଅଟଳ ବାହା ହେବେନି l
ସୁଶୀଲ ବାବୁ ପ୍ରତିଦିନ ଶୋଇଲାବେଳେ ଘର ଲୋକ ଙ୍କ କଥା ଆଉ ମମତା ର କଥା ଭାବନ୍ତି l ତାଙ୍କ କାନରେ ବାରମ୍ବାର ପ୍ରତିଧ୍ଵନି ହେଉଥାଏ ସେଇ ଗୋଟିଏ କଥା "ବର୍ଷା ପାଇଁ ନୂଆ ମା " l କିନ୍ତୁ କଣ କରିବେ , ଯେ ପର୍ଯ୍ୟନ୍ତ ସଂଗୀତା କୁ ଭୁଲାଇ ପାରି ନାହାନ୍ତି ଆଗକୁ ଆଉ କିଛି ଭାବିବା ବ୍ୟର୍ଥ l
କଥାରେ ଅଛି ସମୟ କାହାକୁ ଅପେକ୍ଷା କରେନା l ପୁଣି ନିରନ୍ତର ଭାବେ ସମୟ ଗଡିଚାଲିଛି l ଏଥିମଧ୍ୟରେ ବହୁ ବର୍ଷ ବିତି ଯାଇଛି l ବର୍ଷା ଏବେ ବାଣୀବିହାର ଉତ୍କଳ ୟୁନିଭର୍ସିଟି ରେ ପିଜି ଶେଷ କଲା l ସୁଶୀଲ ବାବୁ ଭାବିଲେ ଝିଅର ବାହାଘର ବୟସ ମଧ୍ୟ ହେଇଗଲାଣି l ଘର ଲୋକଙ୍କ ପରାମର୍ଶ କ୍ରମେ ଝିଅପାଇଁ ଉପଯୁକ୍ତ ପ୍ରସ୍ତାବଟିଏ ଖୋଜିଲେ l ଧୀରେ ଧୀରେ ବର୍ଷା ପାଇଁ ପ୍ରସ୍ତାବ ମଧ୍ୟ ଆସିଵା ଆରମ୍ଭ ହେଇଗଲା l ଶେଷରେ ସୁଶୀଲ ବାବୁ ବର୍ଷାର ମନଲାଖି ପ୍ରସ୍ତାବ ଟିଏ ଦେଖି ବାହାଘର ଠିକ କରିଦେଲେ l ବାହାଘର ଧୁମ ଧାମରେ ପାଳନ ହେଲା l "
ସୁଶୀଲ ବାବୁ ସଂଗୀତା ର ଫୋଟୋ କୁ ଦେଖି କହୁଥାନ୍ତି "ସଂଗୀତା ତୁମେ ଆଜି ଥିଲେ, ବର୍ଷା ର ବାହାଘର ରେ ତୁମେ ମଧ୍ୟ ସାମିଲ ହେଇଥାନ୍ତ l ବାହାଘରରେ ନିଜକୁ ହଜାଇ ଦେଇଥାନ୍ତ l କେତେ ଖୁସି ହେଇଥାନ୍ତ ଝିଅ ଜ୍ୱାଇଁକୁ ଆଶୀର୍ବାଦ ଦେଇ ବିଦାୟ କରିଥାନ୍ତ l"
"ବାପା ବାପା ।"
ହଠାତ କାହାର କୋମଳ ସ୍ୱର ଶୁଣି ଚମକି ପଡି ଭାବନା ବଳୟରୁ ବାହାରି ଆସିଲେ ସୁଶୀଲ ବାବୁ l ପ୍ରକୃତିସ୍ଥ ହୋଇ ନିଜ ଲୁହକୁ ପୋଛି ପକାଇଲେ ଏବଂ ସଙ୍ଗୀତା ର ଫୋଟୋ ର କାଚ ଫ୍ରେମ କୁ ଚାହିଁଲେ l କାଚ ଫ୍ରେମ ରେ କାହାର ଛବି ପ୍ରତିଫଳିତ ହେଉଥାଏ ଏବଂ ପଛରେ କିଏ ଛିଡା ହେଇଥିବାର ଅନୁମାନ କଲେ l ହଠାତ ବୁଲି ପଡି ଦେଖନ୍ତି ତ ଝିଅ ବର୍ଷା ଓ ଜ୍ୱାଇଁ ଅଂଶୁମାନ ଠିଆ ହେଇଛନ୍ତି l
କେତେବେଳୁ ବାହାଘର ସରିଯାଇଛି ସୁଶୀଲ ବାବୁ ଙ୍କ ନିଘା ନାହିଁ l ଝିଅ ଜ୍ୱାଇଁ ବିଦାୟ ହେବା ପୂର୍ବରୁ ଶେଷଥର ପାଇଁ ବାପା ଙ୍କ ଆଶୀର୍ବାଦ ନେବାପାଇଁ ଆସିଥାନ୍ତି l ସୁଶୀଲ ବାବୁ ଝିଅକୁ କୁଣ୍ଢାଇ ପକାଇଲେ l ଛାତି ତଳେ ଥିବା ସବୁ ଦୁଃଖ , ଯନ୍ତ୍ରଣାକୁ ଲୁହ ଆକାରରେରେ ଗଡାଇଦେଲେ l ଝିଅ ଆଗରେ ହାତ ଯୋଡି କହିଲେ "ବର୍ଷା ମୋତେ କ୍ଷମା କରିବୁ l ଛୋଟ ବେଳୁ ତତେ ମା ର ସ୍ନେହରୁ ବଞ୍ଚିତ କରିଛି l ଏ ଅଧମ ବାପାକୁ ଭୁଲ ବୁଝିବୁନି l ଶେଷ ଥର ପାଇଁ ତୋ ମା ର ଫୋଟୋ କୁ ମୁଣ୍ଡିଆ ମାରି ତୋର ନୂଆ ସଂସାର ଆରମ୍ଭ କର ଏହାହିଁ ପ୍ରଭୁଙ୍କ ନିକଟରେ ମୋର ପ୍ରାର୍ଥନା l ଭଗବାନ ତୁମ ଦୁହିଁଙ୍କୁ ମଙ୍ଗଳ କରନ୍ତୁ l
ସୁଶୀଲ ବାବୁ ଝିଅ ଜ୍ୱାଇଁ ଙ୍କୁ ଆଶୀର୍ବାଦ ଦେଇ ବାହୁଡ଼ି ଆଣିଲେ ଏବଂ "ଶେଷ ବିଦାୟ " ଜଣାଇ କାର ରେ ବସାଇ ଦେଲେ l କାର ଟି ଗଡି ଚାଲିଲା ତା ଗନ୍ତବ୍ୟସ୍ଥଳକୁ l
