ଦୀପାବଳି
ଦୀପାବଳି
ସକାଳୁ ସକାଳୁ ଶାନ୍ତି ଘର ଝାଡୁ ପୋଛା କରି ଗାଧୁଆ ପାଧୁଆ ସାରି ବାହାରେ ଅଗଣାରେ ଚଉରା ମୂଳେ ଝୋଟି ପକେଇବାରେ ବ୍ୟସ୍ତ l ବହୁତ ଦିନ ପରେ ପଞ୍ଚୁ ସୁରଟରୁ ଫେରିଛି ବୋଲି ସେ ବହୁତ ଖୁସି l ଆଜି ରାତିରେ ଦୀପାବଳିଟା ସପରିବାରେ ଖୁବ ହସ ଖୁସିରେ ମନେଇବ l
ଏମିତି ସବୁ ମନେ ମନେ ଭାବୁ ଭାବୁ ପଞ୍ଚୁର ଡାକ ଦୁଆର ମୁହଁରୁ ଶୁଭିଲା l
"ହେଇଟି ଶାନ୍ତି ଶୁଣୁଛ.... ମୁଁ ଆସୁଛି l"
ଏତେ ସକାଳୁ କୁଆଡେ ବାହାରିଲ ଯେ ?
"ଆରେ ସୁରଟରୁ ଫେରିବା ପରେ ଠିକାଦାର ବକେୟା ଟଙ୍କା ଗୁଡାକ ଦେବେ ବୋଲି କଥା ଦେଇଥିଲେ l ସେଇତକ ହିସାବ କରି ସନ୍ଧ୍ୟା ସୁଦ୍ଧା ଟଙ୍କା ଆଣି ଫେରି ଆସିବି l"
ହଉ ଯେ.... ଟିକେ ଜଲଦି ଫେରିଆସିବ l
"ଓହୋ... ବ୍ୟସ୍ତ ହୁଅନା ମୁଁ ଜଲଦି ଫେରିଆସିବି l"
ପଞ୍ଚୁ ଗଲାପରେ ଶାନ୍ତି ଘର କାମ, ରୋଷେଇବାସ ସାରି ଝିଅ ଲିପିକୁ ଜଳଖିଆ ଦେଇ ବାହାରିଗଲା ତା କୋଟିପତି ବାବୁଆଣୀଙ୍କ ଘରକୁ କାମ କରିବାକୁ l
ପହଂଚିଲା ବେଳକୁ ବାବୁଆଣୀ ବିଛଣା ଛାଡ଼ିନଥିଲେ l ସେମିତି ଶୋଇ ରହିଥିଲେ l ବାବୁଆଣୀଙ୍କୁ ଦେଖି ଶାନ୍ତି ଡାକ ପକାଇଲା.... ମା..ମା....କଣ ଆଜି ଏତେ ସମୟ ହେଲାଣି ଶୋଇଛନ୍ତି ଉଠିବେନି ନା କଣ l ଆଜିପା ଦୀପାବଳି l ଜଲଦି ଉଠି ନିତ୍ୟକର୍ମ ସାରି ମନ୍ଦିର ଆଡ଼େ ଟିକେ ବୁଲି ଆସନ୍ତୁ l
ହଁ ଶାନ୍ତି... ତୁ ଅସିଗଲୁ l
ଆରେ କାଲି ରାତିରେ ଟିକେ ନେଟଫ୍ଲିକ୍ସରେ ଗୋଟେ ନୂଆ ୱେବସିରିଜଟେ ଦେଖୁ ଦେଖୁ ଶୋଇବାରେ ଡେରି ହେଇଗଲା l ଆଜି ସକାଳୁ ଉଠି ମର୍ଣ୍ଣିଙ୍ଗ ୱାକରେ ଯିବାକୁ ବି ମନ ହେଲାନି l ଭାବିଲି ଆଉ ଟିକେ ଶୋଇପଡ଼ିବି l ତୁ ଆସିକି ଉଠେଇଦେଲୁ l
ମା.... କ୍ଷମା କରିବେ, ଏତେ କଥା ମୁଁ କଣ ଜାଣିଥିଲି l
ହେଲେ ମା ସେ ନେଟଫ୍ଲିକ୍ସ....ୱେବ ସିରିଜ... ସେଇଟା କଣ ??
ହା' ହା' ହା'.... ଆରେ ଶାନ୍ତି ତୁ ସେଇଟା ଜାଣିବୁନି l ମୁଁ ରାତିରେ ଟିଭିରେ ଗୋଟେ ଫିଲ୍ମ ଦେଖୁଥିଲି l ହଉ... ସେସବୁ କଥା ଛାଡେ, ଆଗ ମତେ ଗୋଟେ କପ କଫି କରିଦେଲୁ l ମୁଣ୍ଡଟା ଭାରି ବିନ୍ଧୁଚି l କଫିଟା ପିଇ ଦେଲେ ଟିକେ ରିଲାକ୍ସ ଲାଗିବ l
ହେଲେ ମା... ଆଗ ଗାଧୁଆ ପାଧୁଆ ସାରି ମନ୍ଦିର ଆଡ଼େ ବୁଲି ଆସିକି କଫିଟା ପିଲେ ହୁଅନ୍ତାନି l ଆଜି ଭଳି ପୂଜା ଦିନରେ ମନ୍ଦିରରେ ପାଦୁକା ଟିକେ ପାଇଦେଇ ପରେ କଫି ଟିକେ ପିଇଲେ କେମିତି ହୁଅନ୍ତା l
ଆରେ ଶାନ୍ତି... କେମିତି ତତେ ବୁଝେଇବି l ତୁ ସତରେ ଗୋଟେ ପାଗେଳୀଟା l ଗୋଟେ କପ କଫି ପିଇ ଦେଲେ କଣ ବେଦ ଅଶୁଦ୍ଧ ହେଇଯିବ ନା ଭଗବାନ ରାଗିଯିବେ l ସେ ସବୁ ବାଜେ କଥା ଛାଡେ l ତୁ କଫି ଆଣେ l
ହଉ ମା.... ଆଣୁଚି l
କିଛି ସମୟପରେ.....
ହେଇ ନିଅ ମା ତମ କଫି l ଆଉ ମୁଁ ଗିଜର ଅନ କରିଦେଇ ଆସିଛି l ପାଣି ହାଲକା ଗରମ ହେଲେ ଝଅଟ ଯାଇ ଗାଧେଇ ଆସିବ l
ଡାଇନିଂ ଟେବୁଲ ଉପରେ କଫିଟା ଥୋଇଦେଇ ଶାନ୍ତି ଲାଗିପଡ଼ିଲା ନିଜ କାମରେ l ବାସନ ମାଜି, ଘର ଝାଡୁ କରି ପୋଛା ପୋଛି କରିସରିଲା ବେଳକୁ ଦେଖିଲା ମା ଗାଧେଇ ପାଧେଇ ନୂଆ ଶାଢ଼ୀଟେ ପିନ୍ଧି ମନ୍ଦିର ବାହାରିଲେଣି l ଶାଢ଼ୀଟା ଖୁବ ମାନୁଥିଲା ମାଙ୍କୁ l ଦେଖୁ ଦେଖୁ ଶାନ୍ତି କହିଦେଲା ମା...ଆପଣ ଆଜି ଖୁବ ସୁନ୍ଦର ଦେଖା ଯାଉଛନ୍ତି l
ଥାଙ୍କ ୟୁ ...ଶାନ୍ତି l ଏଇ ଶାଢ଼ୀଟା ତୋ ବାବୁ ମତେ ଦୀପାବଳିରେ ଗିଫ୍ଟ ଦେଇଛନ୍ତି l 5000/- ଟଙ୍କା ନେଇଛି l ତା ସାଙ୍ଗକୁ ମ୍ୟାଚିଙ୍ଗ ଚୁଡ଼ି ଆଉ ସ୍ୟାଣ୍ଡଲ l ଆଉ ଜାଣିଛୁ, ଆଗ କାରଟା ପୁରୁଣା ହେଇଯାଇଥିଲା ବୋଲି ତାକୁ ବିକି ବାବୁ ଗୋଟେ ନୂଆ କାରଟେ କିଣିଛନ୍ତି l ସେଇଟାକୁ ଫୁଲରେ ସଜେଇବା ପାଇଁ ବାବୁ ସକାଳୁ ସକାଳୁ ଉଠି ଡ୍ରାଇଭର ସହ ବଜାର ଯାଇଛନ୍ତି l ଆସିଲେ ନୂଆ କାରରେ ମିଶିକି ମନ୍ଦିର ଯିବୁ ଆଉ ପୂଜା କରିବୁ l ତୋ ବାବୁ କଣ କରିବା ଲୋକ l ହଜାରେ ଥର ନକହିଲା ଯାଏଁ କୋଉ ଗୋଟେ ବି କାମ ଠିକସେ କରିବେନି l ଦେଖୁନୁ ଦି ଦିନ ଆଗରୁ କହି କହି ଘର ଚାରିପଟେ ଲିଚୁ ଲାଇଟ ଲଗେଇଲି ନା l ଆଉ କହି କହି 20000/- ଟଙ୍କାର ବାଣ ମଗେଇଲି ଫୁଟେଇବା ପାଇଁ l ତାଙ୍କ ଦ୍ୱାରା ଖଡା ଶାଗ ବି ସିଝିବନି l
ଆରେ ଶାନ୍ତି.... ତୁବି ଆଜି ନୂଆ ଶାଢ଼ୀଟେ ପିନ୍ଧିଛୁ l ଭଲ ଲାଗୁଛି l ମନ୍ଦିର ଆଡ଼େ ଯାଇନୁ କି ଭୋଗ କରିବାକୁ ?
ନାଇଁ ମ ମା....
ଏଇଟା ମୋର ବାହାଘର ବେଳର ଶାଢ଼ୀ l ବହୁତ ଦିନ ହେଲା ବାକ୍ସ ଭିତରେ ପଡିଥିଲା l ସେଇଟାକୁ କାଢି ପିନ୍ଧି ଦେଇଛି l ମୋର ସିଏ କହୁଥିଲେ ଯେ ନୂଆ ଶାଢ଼ୀଟେ କିଣି ଦେବାକୁ l ମୁଁ କହିଲି ସୁନୁଟାରେ କିଆଁ ଟଙ୍କା ଖର୍ଚ କରିବି ଗୋଟେ ଦିନ ପାଇଁ l ସେମିତିରେ ବସ୍ତି ଘରକୁ କୋଉ ବନ୍ଧୁ ବାନ୍ଧବ କୁଣିଆ ମୈତ୍ର ଆସୁଛନ୍ତି ଯେ ମୁଁ ଏତେ ସଜେଇହେବି l ଏ ଉଧାରିଆ ଚାକଚକ୍ୟରୁ ମତେ କଣ ବା ମିଳିବଯେ l ଆଉ ମନ୍ଦିର ଯିବାକୁ ବେଳ କାଇଁ l ସକାଳୁ ଉଠି ତ ଘର କାମ ସାରିଲି l
ମା ଜାଣିଛ....ଫଳ ଦାମ ଏବେ ଆକାଶ ଛୁଆଁ l ସେଓ 200/- ଟଙ୍କା କିଲୋ, ଅଙ୍ଗୁର 180/- ଟଙ୍କା, କଦଳୀ ଡଜନ 60/- ଟଙ୍କାରେ ଆଉ ନଡ଼ିଆ ଗୋଟା 30/- ଟଙ୍କା l ହାତ ଜମା ମାରି ହବନି l ସେଇ ଟଙ୍କା ରହିଲେ ମୋ ଘରେ ଦୁଇ ଚାରିଦିନ ଚୁଲି ଜଳିଯିବ l ଆଉ ମନ୍ଦିରରେ ଯୋଉ ଭିଡ ନା, ଭୋଗ କରିବାପାଇଁ ପଶିଥିଲେ ବାହାରିବାକୁ ଡେରି ହେଇଥାନ୍ତା ଆଉ ଏପଟେ ତମ କାମ ବଳି ପଡିଥାନ୍ତା l ସେଇଥିପାଇଁ ବାଟରେ ଆସିଲାବେଳେ ମନ୍ଦିର ବାହାରେ ମାଆଙ୍କୁ ମୁଣ୍ଡିଆଟେ ମାରି ଆସିଲି l
ହଠାତ.....ମାଆଙ୍କ ଆଇଫୋନଟା ବାଜି ଉଠିଲା l
ହେଇ ଶାନ୍ତି..... ତୋ ବାବୁ ବୋଧେ କଲ କଲେଣି l ମୁଁ ଯାଏ ତାଙ୍କ ସହ ମନ୍ଦିର ହେଇ ଆସେ l ଆଉ ଶୁଣେ, ଆମେ ଆସିଲା ବେଳେ ଟିକେ ଲେଟ ହେଇଯିବ l ମନ୍ଦିରରୁ ଫେରିଲା ପରେ ବନ୍ଧୁ ବାନ୍ଧବ ଘର ଆଡ଼େ ବି ଯିବାର ଅଛି l ଆମେ ବାହାରେ ଖାଇଦେବୁ l ରାତିରେ ଆସିଲେ ବାଣ ଫୁଟେଇକି ଘରେ ଖାଇବୁ l
ଆଛା ମା.... ଘର ଦୁଆର ବନ୍ଧରେ ଝୋଟିଟେ କରିଦେବି କି ?
ଆରେ ନା...ନା l ଚାଉଳ ବାଟିକି ଚୁନା କର, ପାଣି ମିଶେଇ ଘୋଳ କର l ଏତେ ତାମସା କିଏ କରିବ l ତୁ ଶୁଣେ..... କାଲି ଡ୍ରାଇଭର ରଙ୍ଗୋଲି କିଛି ଆଣି ଦେଇଥିଲା l ସମୟ ନଷ୍ଟ କରିବୁନି, ସେଇ ଷ୍ଟୋର ରୁମରେ ଛାଞ୍ଚ ଅଛି ରଙ୍ଗୋଲି ବାଡେଇ ଦବୁ l ମୁଁ ଆସିଲେ ରଙ୍ଗୋଲି ପାଖରେ ବସି ଦୀପ ଲଗେଇ ଫୋଟୋ ଉଠେଇଲେ ହ୍ୱାଟ୍ସଅପରେ ଷ୍ଟାଟସ ରଖିବି l ଆମ ସୋସାଇଟି ଗ୍ରୁପରେ ବି ଛାଡ଼ିବି l ଆଉ ହଁ ରଙ୍ଗୋଲି ଚାରିପଟେ ଫୁଲ ଆଉ ଦୀପ ଲଗେଇ ସଜେଇବାକୁ ଭୁଲିବୁନି l
ଏତିକି କହି ବାବୁଆଣୀ ବାହାରିପଡିଲେ ବାବୁଙ୍କ ସହ ମନ୍ଦିର l ଆଉ ଏପଟେ ଶାନ୍ତି ଚାଲିଲା ଘରର ବାସୀ ଲୁଗାପଟା ସଫା କରବାକୁ l ବାକି ଘର କାମଦାମ ଆଉ ରୋଷେଇ ବାସ ସାରି ରଙ୍ଗୋଲି ପକେଇ ପୁରା ଘରକୁ ସଜବାଜ କରିଦେଲା l
ସନ୍ଧ୍ୟା ପାଖା ପାଖି ହବ ବାବୁ ବାବୁଆଣୀ ବନ୍ଧୁ ବାନ୍ଧବଙ୍କ ଘରୁ ଫେରିଲେ l
ଶାନ୍ତି.... ଶାନ୍ତି....
ହଁ ମା.......
ଆରେ କୁଆଡେ ଗଲୁ..... ରଙ୍ଗୋଲିଟା ଭଲ ହେଇଛି ତ l ନିଜେ ନିଜେ ଆଗ କିଛିଟା ସେଲ୍ଫି ନେଇଗଲେ l
ଶାନ୍ତି... ନେଲୁ ମୋ ମୋବାଇଲଟା, ମୋର ଆଉ ବାବୁଙ୍କ ସହ ରଙ୍ଗୋଲି ପାଖରେ ଫୋଟୋ ଦି ଚାରିଟା ଉଠେଇଦେଲୁ l ମୁଁ ଆଗ ଫେସବୁକରେ ଅପଲୋଡ଼ କରେ ତାପରେ ଯୋଉ କଥା l
ଶାନ୍ତି ମାଆଙ୍କଠୁ ମୋବାଇଲଟା ନେଇ ବାବୁ ଆଉ ବାବୁଆଣିଙ୍କ ଫୋଟୋ କିଛିଟା ଉଠେଇଦେଲା l ତାପରେ ବାବୁଆଣୀ ମୋବାଇଲଟା ଧରି ବସିପଡିଲେ ସୋଫାରେ ଫୋଟୋଗୁଡାକ ଫେସବୁକରେ ଅପଲୋଡ କରିବାପାଇଁ l
ଶାନ୍ତି ତାର କାମ ସାରି ଘରକୁ ଯିବାକୁ ବାହାରିଲା l ଗଲାବେଳେ ମାଆଙ୍କୁ ଡାକି କହିଲା....
ମା....ମୁଁ ଘରକୁ ବାହାରିଲି l କାଲି ସୂର୍ଯ୍ୟ ପରାଗ l ମୁଁ ରାତିପାଇଁ ଆଉ କାଲି ପାଇଁ ସବୁ ପିଠା ପଣା କରିକି ରଖିଦେଇଛି l ମନେକରି ଖାଇବା ପୂର୍ବରୁ ଖାଲି ଗରମ କରି ଖାଇନେବେ l ଆଉ କିଛି ରୋଷେଇ କରିବେନି l ମୁଁ ପରଦିନ ଆସିଲେ ଯାଇ ବାସନ ଫାସନ ମାଜି ରୋଷେଇ କରିଦେବି l
ହଉ ଏବେ ଆସୁଛି ମା.... l
ଆରେ ଶାନ୍ତି... ରହ l ମା ଡ଼ାକ ପକେଇଲେ l
ଘରକୁ ଯାଉଛୁ ତ କିଛିଟା ଭୋଗ ସାଙ୍ଗରେ ନେଇଜା ତୋ ଝିଅ ଆଉ ମରଦ ଖାଇବେ l ଆଉ କିଛି ପିଠା ପଣା ବି ସାଙ୍ଗରେ ନେଇଜା ତମେ ରାତିରେ ଖାଇଦେବ l
ନାଇଁ ମା ଥାଉ l ମୁଁ ଘରେ ଅରୁଆ ଚାଉଳର ଖିରି କରିଆସିଛି l ସେଇୟା ରାତିରେ ଖାଇଦେବୁ l ଏସବୁ ଦରକାର ନାହିଁ l ଆପଣ ଆଉ ବାବୁଙ୍କ ପାଇଁ ରାନ୍ଧିଥିଲି ଆପଣଙ୍କ ଖାଇନେବେ l
ଆରେ... ଆମେ ତ ଦିଟା ଲୋକ କେତେ ଖାଇବୁ l ନେଇଯାଆ କିଛିଟା l ଏତିକି କହି ବାବୁଆଣୀ କିଛି ଭୋଗ ଆଉ ପିଠାପଣା ଶାନ୍ତି ଆଡକୁ ବଢ଼ାଇଦେଲେ l
ହଉ ମା.... l ଶାନ୍ତି ମୁଣ୍ଡ ଟୁଙ୍ଗାରି ସେ ସବୁ ଧରି ଘରକୁ ବାହାରିଲା l ଘରେ ପହଞ୍ଚି ନିଜ କାମରେ ବ୍ୟସ୍ତ ହେଇଗଲା l
କିଛି ସମୟପରେ ପଞ୍ଚୁ ଆସି ଡାକ ପକେଇଲା....
"ଶାନ୍ତି..... ଘରକୁ ଆସିଲଣି l କୁଆଡେ ଗଲ l"
ହଁ.... ହଁ.... ଆସୁଛି l
"ହେଇ ନେ.... କିଛି ମିଠା l ଠିକାଦାର ଆସିଲାବେଳେ ଦୀପାବଳି ଭେଟି ଦେଲେ l ଆଉ ବଜାରରୁ ଆସିଲାବେଳେ କାଉଁରିଆ କାଠି ଆଉ ଦୀପ ନେଇ ଆସିଛି l ଅଗଣାରେ ବଡ଼ବଡ଼ୁଆ ଙ୍କୁ ପାଛୋଟି ଦେଇ ଝୋଟି ପାଖରେ ଦୀପ ଲଗେଇଦିଅ l ଆଉ ଲିପି କୁଆଡେ ଗଲା l ତାକୁ କୁହ ତା ପାଇଁ କିଛି ଝରି ବାଣ ଆଣିଛି l"
ସେ ଏଇଠି ପଢୁଥିଲା.. ଡାକୁଛି ରୁହ l ଲିପି.. ମା ଆସିଲୁ ଦେଖ ବାପା ତୋ ପାଇଁ କଣ ଆଣିଛନ୍ତି l ବାଣ ଦେଖିକି ଲିପି ଖୁସି ହେଇଗଲା l
"ଭାବୁଥିଲି ଆସିଲାବେଳେ ଘର ପାଇଁ ଆଉ କିଛି ଜିନିଷ ନେଇଆସିଥାନ୍ତି ସଜେଇବା ପାଇଁ କିନ୍ତୁ ବେଶୀ ଖର୍ଚ ହେଇଯିବ ଡରରେ ଆଣିଲିନି l ଆଜି କାଲି ଯୋଉ ଦରଦାମ ନା l ତାପରେ ମୁଁ ଯାହା ବି ରୋଜଗାର କରୁଛି ସେଇ ଝିଅ ଲିପିର ଭବିଷ୍ୟତ ପାଇଁ l ଅଯଥା ଖର୍ଚ୍ଚ କରି କି ଲାଭ l ସେଇଆ ଭାବି ଭାବି ପଳେଇଆସିଲି l ଯାହା ଅଛି ସେଇଥିରେ ଆଜି ପୂଜାଟା ଚଳେଇଦେବା l ମନ ଦୁଃଖ କରିବନି l ଆମ ଗରିବ ଲୋକଙ୍କ ପାଇଁ ଦୀପାବଳି ଯାହା ସାଧାରଣ ଦିନ ବି ସେଇଆ l"
ଏଇ ଗରିବିଟା କଣ ଦୁଃଖର ପରିଚୟ l ଖୁସି ତ ମଣିଷ ମନ ଭିତରେ ଥାଏ l ଏ ଦେଖାଣିଆ ଚାକଚକ୍ୟରେ କଣ ଅଛି ଯେ l ଆଉ ମନ ଦୁଃଖ କାଇଁ କରିବି l କଣ ଧନ ଥିଲେ ପୂଜା ପର୍ବାଣି ହବ ନହଲେ ହବନି l ସେସବୁ ବେକାର କଥା ଛାଡ଼ l ଆଉ ହଁ... ଆଜି ଆସିଲା ବେଳେ ବାବୁଆଣୀ ବି ପିଠା ପଣା ଦେଇଛନ୍ତି l ଜଲଦି କାମ ସାରି ଖାଇଦେବା l
"ହଉ ଚାଲ l"
ସମସ୍ତେ ମିଶିକି ବଡ଼ବଡ଼ୁଆଙ୍କୁ ପାଛୋଟି, ଦୀପ ଲଗେଇ ବାଣ ଫୁଟେଇଲେ l ଆଉ ରାତିରେ ମା ଦେଇଥିବା ଭୋଗ ଆଉ ପିଠା ପଣା ଆଉ ମିଠା ଖାଇ ଦୀପାବଳିଟା ସପରିବାରେ ମନେଇଲେ l
ସେଦିନ ବୋଧହୁଏ ଶାନ୍ତିର ସବୁଠୁ ଖୁସି ଦିନ ଥିଲା l
