ପଖାଳ
ପଖାଳ
କିଛି ବର୍ଷ ତଳର କଥା, ବିଜୟୱାଡା ଅଫିସରେ .....
ବ୍ୟସ୍ତବହୁଳ କର୍ମମୟ ଜୀବନ l କେତେବେଳେ ଯେ ଘଣ୍ଟା ରେ ଦି'ଟା ବାଜିଲାଣି ଜଣାପଡିଲାନି l ନିୟମିତ ଅଫିସର ଲଞ୍ଚ ସମୟଟା ବାରଟାରୁ ଗୋଟେ l କିନ୍ତୁ ଆଜି ଟିକେ ବେଶୀ କାମ ଥିବାରୁ ଲଞ୍ଚ କରିବାଟା ବିଳମ୍ବ ହେଇଗଲା l ସେତେବେଳକୁ ପ୍ରାୟତଃ ସମସ୍ତେ ଅଫିସରେ ଲଞ୍ଚ କରିସାରିଥିଲେ l ମତେ ଓ ମୋର ଜଣେ ସାଙ୍ଗକୁ ମିଶାଇ ଆଉ ଚାରି ପାଞ୍ଚ ଜଣ ଅଫିସ ଷ୍ଟାଫ ସହିତ ଆମର ଜଣେ ସିନିଅର ମ୍ୟାନେଜେର ଲଞ୍ଚ କରିବାକୁ ଆସିଥିଲେ କ୍ୟାଣ୍ଟିନକୁ l ବାକି କ୍ୟାଣ୍ଟିନ ଷ୍ଟାଫ ଆମକୁ ଅପେକ୍ଷା କରିଥିଲେ କ୍ୟାଣ୍ଟିନ ସଫା କରିବା ପାଇଁ ଆମ ଖାଇବା ସରିଲେ l
ହାତ ଧୋଇ ଡାଇନିଂ ଟେବୁଲରେ ବସିପଡିଲି l ନିତିଦିନିଆ ଅଭ୍ୟାସ ଭଳିଆ ଦେଶ ବିଦେଶ, ବନ୍ଧୁ ବାନ୍ଧବ, ସାଇ ପଡିସାଙ୍କ ଖବର ଜାଣିବା ପାଇଁ ମୋବାଇଲରେ ଫେସବୁକ ଟାକୁ ଖୋଲିଦେଇ ସ୍କ୍ରିନକୁ ତଳ ଉପର ସ୍କ୍ରଲ କରି ଚାଲିଲି l ସ୍କ୍ରଲ କରୁ କରୁ ପଖାଳ କଂସା ଫୋଟୋ ଗୁଡାକ ଆଖିରେ ପଡିଗଲା l ଆଉ ସାଙ୍ଗ ମାନଙ୍କ ଭଳିକି ଭଳି ପୋଷ୍ଟ ଓ ଫୋଟୋ ସବୁ ଦେଖି ଜାଣିବାକୁ ପାଇଲି ଯେ ଆଜି "ପଖାଳ ଦିବସ" ବୋଲି l ପଖାଳ କଂସାର ଫୋଟୋ ଦେଖି ମନ ବ୍ୟାକୁଳ ହେଇଗଲା ପଖାଳ ଖାଇବାକୁ ଆଉ ତାହାପୁଣି ସୁଦୁର ଓଡିଶା ବାହାରେ ଦକ୍ଷିଣ ଭାରତରେ l ଓଡ଼ିଆ ଲୋକ ଦେଶ ବିଦେଶ ରେ ଯୋଉ କୋଣରେ ରହିଲେ ମଧ୍ୟ ତାଙ୍କ ହୃଦୟ ମଧ୍ୟ୍ୟରେ କୋଉଠି ନା କୋଉଠି ପଖାଳ ପ୍ରତି ଦୁର୍ବଳତା ରହିଥିବା ସୁନିଶ୍ଚିତ l
ପଖାଳ କଥା ଭାବୁ ଭାବୁ ମନେ ପଡିଗଲା ପିଲାଦିନ କଥା ଆଈ ର ସେଇ ଵାସି ପଖାଳରେ l ତାର ବି ପଖାଳ ପ୍ରତି ଅହେତୁକ ଭଲପାଇବା l ନାଲିଆ ରଙ୍ଗର ଅକାଣ୍ଡିଆ ଉଷୁନା ଚାଉଳର ଦହି ପଖାଳ ସାଙ୍ଗକୁ ଚୁଲ୍ଲୀ ପୋଡା ଆଳୁ, ଭେଣ୍ଡି, ଟମାଟର, ବାଇଗଣ ଚକଟା ସହ ବଡି ଚୁରା ଟା ସାଧାରଣତଃ କଥା l ଆମିଷ ବାର ଥିଲେ ଗରମ ଗରମ ରୋହି ମାଛ ଭଜା ନହଲେ ଚୁନା ମାଛ ଭଜା l ଆଉ ଯୋଉ ଦିନ ମାଛ ନଥାଏ ଚିଙ୍ଗୁଡ଼ି ଶୁଖୁଆ ନହଲେ ପାଣି ଆଖିଆ ଶୁଖୁଆ ପୋଡା ରସୁଣ ଛେଚା l ନିରାମିଷ ଦିନ ଶାଗ କି ଛୁଇଁ ଭଜା, କଲରା ଭଜା, କାଖରୁ ଫୁଲ ଭଜା, ନହଲେ କଖାରୁ ଡଙ୍କ ରାଇ l ଆଉ ତା ସହିତ ବାଡ଼ି କାକୁଡି, ପିଆଜ, ଲେମ୍ବୁ, ଲଙ୍କା କୁ ଚକଟି ପାଗଟେ କରିଦେଲେ ଏକାବେଳକେ ଦି କଂସା ପଖାଳ ଭାତ ସରିଯାଏ l ଦହି ପଖାଳ ସାଙ୍ଗକୁ ଆହୁରି କେତେ କଣ ଖାଇବା ପରସି ଦିଏ ଆଈ ତାର ହିସାବ ନଥାଏ l ତା ପଖାଳ ର ସ୍ୱାଦ ମୁଁ ଏବେ ଯାଏଁ କୋଉଠି ପାଇନି l ଆଉ ତା ସ୍ୱାଦ ଆଗରେ ଆଜି କାଲି ର ଚିକେନ ବିରୟାନି, ମଟନ ବିରୟାନି, ଫ୍ରୀଏଡ଼ ରାଇସ କି ପୁଲଓ ର ସ୍ୱାଦ ସମାନ ହବନି l ଆଈ କୁ ଏବେ ପାଖାପାଖି ଅଶି ପରେ ଛୁଇଁଲାଣି ସତ କିନ୍ତୁ ପଖାଳ ସହ ତାର ସମ୍ପର୍କ ଏବେବି ନିବିଡ l
ଆନ୍ନା : Sir..... Sir.....bhojanam tisukondi.. !!
ନିଜ ଭାବନା ବାଳୟରୁ ବାହାରି ଦେଖେ ତ କ୍ୟାଣ୍ଟିନ ଆନ୍ନା ଖାଇବା ଥାଳିଟା ଥୋଇଦେଇ ଚାଲିଗଲା l ଆଉ ଥାଳିରେ ସେଇ ନିତି ଦିନିଆ ଚିରା ଚରିତ ଦକ୍ଷିଣ ଭାରତୀୟ ଖାଇବା ଗିନେ ଅରୁଆ ଭାତ, ଦିପଟ ରୁଟି, ଖଟା ଡାଲି, ଭେଣ୍ଡି ଭଜା, ଜନହି ଆଉ କୁନ୍ଦୁରିର ରାଗ ତରକାରୀ, ନଡ଼ିଆ ଚଟଣି ସହ ବସା ଦହି ସାଙ୍ଗକୁ ହଜମ ପାଣି ମାନେ' ରସମ l ଖାଇବା ଦେଖି କାହିଁକି କେଜାଣି ଦେହ ଭିତରେ ଗୋଟେ ଶିହିରଣ ଖେଳିଗଲା l ସବୁଦିନେ ଖାଉଥିବା ଖାଇବାକୁ ଆଜି କାହିଁକି ନିଜ ମନ କୁଣ୍ଠାବୋଧ କଲା l ଇଚ୍ଛା ନ ହଉଥିଲେ ମଧ୍ୟ୍ୟ ହାତ ଦିଟା ଆପେ ଆପେ ଖାଇବା ଥାଳିକୁ ନିଜ ଠାରୁ ଦୁରକୁ ଠେଲିଦେଲା l ମୋର ଏ ଆଚରଣ ଦେଖି ପାଖରେ ବସିଥିବା ସାଙ୍ଗ ଆଉ ଷ୍ଟାଫମାନେ ଚମକି ପଡିଲେ ଆଉ ଅନୁମାନ କରିପାରିଲେ କି ମୋର ଖାଇବାକୁ ଇଚ୍ଛାନାହିଁ ବୋଲି l ସେମାନେ କେମିତି ଜାଣିବେ ଯେ ପଖାଳ ଦିବସରେ ପଖାଳ ବଦଳେ ଏ ସବୁ ଖାଇବା ଦେଖିଲେ ଯେ କୌଣସି ଓଡ଼ିଆ ବି କୁଣ୍ଠାବୋଧ କରିବ l ହଁ ଜଣା ନଥାନ୍ତା କି, ଅଜାଣତରେ ଖାଇ ଦେଇଥିଲେ ଚଳିଥାନ୍ତି କିନ୍ତୁ ଆଜି ପଖାଳ ଦିବସ ଜାଣି ପଖାଳ ନ ଖାଇଲେ ନିଜକୁ ଧିକ ଆଉ ନିଜ ଓଡ଼ିଆ ପଣିଆକୁ ଧିକ l
ଏପଟେ ପଖାଳ ଖାଇବାର ଉତ୍କଣ୍ଠା ବଢ଼ି ଚାଲିଥିଲା ଆଉ ସେପଟେ ମନରେ ସଂକୋଚ ଭାବ ଥାଏ କାଳେ ଦେଖିଲେ କିଏ କଣ ଭାବିବ କି? ଏଣୁ ତେଣୁ ଭାବି ଭାବି ଶେଷରେ ଖାଇବା ଥାଳି ରୁ ଭାତ ଆଉ ଦହି ଟିକୁ ଅଲଗା ରଖି ବାକି ଥାଳିକୁ ଫେରେଇ ଦେଲି l
ମୁଁ : Anna.... edi food tisukondi...!!
ଆନ୍ନା : Enduku Sir.... bhojanam bagaledu ??
ମୁଁ : Ala kadu, eroju nenu vere bhojanam chestanu.
ଆନ୍ନା : Sir, miru em kabala chapandi, nenu vere bhojanam tiskostanu.
ମୁଁ : Meku abhyantaram lagepote me canteenlo emi ahara unayo nennu chodacha...??
ଆନ୍ନା : Alage Sir. Oksari chudandi.
ଆନ୍ନାଠୁ ସହମତି ନେଇ ତା କ୍ୟାଣ୍ଟିନ ରୋଷେଇ ଘର ଭିତରେ ପଶିଲି ଆଉ ଚାରି ଆଡ଼େ ଆଖି ପକେଇଲି l ଦିଟା ଆଳୁ, ଗୋଟେ ବାଇଗଣ ଆଉ ଟମାଟର ଟେ ନେଇ ଗ୍ୟାସ ରେ ପୋଡ଼ିଦେଲି l ବଡି କିଛି ଆଣି ତେଲରେ ଭାଜି ଗୁଣ୍ଡ କରିଦେଲି l ଆଉ କିଛି କାକୁଡି, ଲଙ୍କା, ଲେମ୍ବୁ ନେଇ ଆଣି ପୁଣି ଆସି ବସିପଡିଲି ଡାଇନିଂ ଟେବୁଲରେ l ଏସବୁ କରିବା ଭିତରେ ମୋ ଅଫିସ ଆଉ କ୍ୟାଣ୍ଟିନ ଷ୍ଟାଫ ମତେ ଚାତକ ପରି ଅନେଇ ରହିଥାନ୍ତି ମାତ୍ର ମୁଁ କାହାକୁ ଖାତିର ନକରି ମୋ କାର୍ଯ୍ୟ କୁ ଏକ ଲୟରେ କରୁଥାଏ l ସତେ ଯେପରି ମୁଁ ମୋ ନିଜ ଘରେ ଗୋଟେ ସିକ୍ରେଟ ମିଶନ ରେ ଅଛି l
ବାସ, ପୂର୍ବରୁ ରଖିଥିବା ଭାତରେ ଦହି ଆଉ ଲୁଣ ପକେଇ କିଛି ପାଣି ମିଶେଇ ଗୋଳେଇଦେଲି ଆଉ ତା ଭିତରେ ଲଙ୍କା ଟେ ଚକଟି ଲେମ୍ବୁ ଚିପୁଡ଼ିଦେଲି l ଏବେ ମୋ ପଖାଳ ପ୍ରସ୍ତୁତ l ତାପରେ ଆଳୁ, ବାଇଗଣ, ଆଉ ଟମାଟର କୁ ରସୁଣ ସହ ଭଲସେ ଚକଟି ବାଇଗଣ ଭରତା ଆଉ ଟମଟର ପାଗଟେ କରିଦେଲି l ଆଉ ବଡି ଗୁଣ୍ଡ ରେ କିଛି ରସୁଣ ଦଳି ବଡି ଚୁରା ରେଡି କରିଦେଲି l ଏବେ ପ୍ରାୟତଃ ଏକ ପ୍ରକାରେ ମୋ ଖାଇବା ସବୁ ପ୍ରସ୍ତୁତ ହୋଇଗଲା l ବାକି ରହିଲା ଖାଇବାଟା l
ଆଉ କାଳ ବିଳମ୍ବ ନକରି ଖାଇବା ପୂର୍ବରୁ ସବୁ ପ୍ରସ୍ତୁତ ଖାଦ୍ୟକୁ ଭଲସେ ସଜେଇଦେଲି ଆଉ ମୋବାଇଲ ରେ ଗୋଟେ ସୁନ୍ଦର ଫୋଟୋ ଟେ ନେଇ ଫେସବୂକ ରେ ପୋଷ୍ଟ କରିଦେଲି କ୍ୟାପ୍ସନ ଦେଇ "Mission Successful. Happy Pakhal Divas." ଫୋଟୋ ଟା ସେତେ ଜରୁରୀ ନଥିଲେ ମଧ୍ୟ କିନ୍ତୁ କାହିଁକି କେଜାଣି ପୋଷ୍ଟ କରିବାଟା ଉଚିତ ମନେକଲି ଫେସବୂକରେ ପୋଷ୍ଟ କରିଥିବା ବାକି ଲୋକଙ୍କ ପରି l ଏସବୁ ତାମ ଝାମ କଲା ଭିତରେ ମୁଁ ପ୍ରାୟତଃ ଭୁଲି ଯାଇଥିଲି ଯେ ଏବେ ବି ମୋ ପାଖରେ ବସିଥିବା ସାଙ୍ଗ ଆଉ ବାକି ଷ୍ଟାଫ ମତେ କୌତୁହଳ ବଶତଃ ଚାହିଁ ରହିଛନ୍ତି ଆଉ ମୋ କୃତ କର୍ମକୁ ଦେଖୁଛନ୍ତି ବୋଲି l ସେମାନଙ୍କୁ ଗୋଟେ ସ୍ମିତ ହାସ୍ୟ ଦେଇ ମୁଁ ମୋ ପଖାଳ ଖିଆ ଆରମ୍ଭ କଲି ଆଉ ସେମାନଙ୍କୁ ସେମାନଙ୍କ ଖାଇବା ଆରମ୍ଭ କରିବାକୁ ଇଂଗିତ କଲି l
ମୋ ଖାଇବା ଦେଖି ପାଖରେ ବସିଥିବା ଆମ ସିନିଅର ମ୍ୟାନେଜେର ଜଣଙ୍କ ଉତ୍କଣ୍ଠା ସହ ମତେ ପଚାରିଲେ " hey...ade water rice ippudu miru tintunnaru ? ". ମୁଁ ପ୍ରତିତ୍ତୋର ଦେଲି Kadu Sir...memu danini "Pakhala" ani pilisamu. ଆଉ କହିଵା ସମୟରେ ମୋ ଛାତିଟା ଆଉଟିକେ ଚଉଡା ହେଇଯାଇଥିଲା l ଖାଇବା ସରିଲା ପରେ ସତେ ଯେପରି ନିଜ ଆତ୍ମ ସନ୍ତୁଷ୍ଟି ହେଲା ପରି ଲାଗିଲା ଆଉ ନିଜ ଓଡ଼ିଆପଣ ଓ ମର୍ଯ୍ୟାଦା କୁ ବଜାୟ ରଖିଲା ଭଳି ଲାଗିଲା ।
