STORYMIRROR

Anil Kumar Sahoo

Abstract Drama Tragedy

4  

Anil Kumar Sahoo

Abstract Drama Tragedy

ସେ ଆଉ ଫେରିବନି

ସେ ଆଉ ଫେରିବନି

7 mins
348

ବାପା : ରଘୁ ରଘୁ ! ସେ ବଦମାସ ଉଠିଲାଣି କି ନାହିଁ ? ଦିନ ଆସି ଦସଟା ବାଜିଲାଣି ବାବୁଙ୍କର ନିଦ ଏଯାଏଁ ଭାଙ୍ଗିନି l

ମା : କାହିଁକି ସବୁଦିନ ପରି ସକାଳଟାରୁ ପାଟି କରୁଛ ? ପିଲାଟା ଟିକିଏ ଶୋଇପଡ଼ିଲା ଯଦି କଣ ଟା ଵା ଭାସିଗଲା ? ଆଜିପରା ରବିବାର , ପିଲାଟା ଟିକିଏ ଶୋଉ l 

ବାପା : ତା ପାଇଁ ତ ସଵୁଦିନ ରବିବାର , ଆଜି ଆଉ ନୂଆ କଣ ଟା ? ଦିନଯାକ ଶୋଇବ , ଉଠିକି କ୍ରିକେଟ ଖେଳିବ l ଠିକ ସମୟରେ ଗାଧୁଆ ହଉଚି ନl ଖିଆ l ସଂଧ୍ୟା ରେ ସାଙ୍ଗ ମାନଙ୍କ ସାଙ୍ଗରେ କ୍ୟାରେମ ଖେଳିବ, ରାତି ଅଧରେ ଚୋର ଙ୍କ ଭଳିଆ ଘରକୁ ଫେରିବ l ଏଇଟା କି ଅଭ୍ୟାସ, ମୁଁ ବିରକ୍ତ ହେଇସାରିଲିଣି l 

ମା : ଅନା ହେଇଟି , ମୋ ପୁଅ ନାଁ ରେ କଣ କହିବ ଯଦି ନା ମୋ ଅସଲ ରୂପ ଟା ଦେଖିବ l 

ବାପା : ତମେ ତ ତାକୁ ନିଜ ମୁଣ୍ଡରେ ବସାଇ ବିଗାଡି ଦେଇଛ l ତମ ମା-ପୁଅ ଦିଟା କୁ ଜମା ପାରି ହବନି l ଯାଉନ ଦେଖିବ ତାର କେତେ ସାଙ୍ଗମାନେ ଚାକିରୀ ବାକିରି କରିକି ରୋଜଗାର କଲେଣି , ହେଲେ ଆମ ବାବୁ ଯୋଉଠିକୁ ସେଇଠି l

ମା : ହେଲେ ତାର ଵା କଣ ଦୋଷ ? ସେ କଣ ଭଲ ପାଠ ସାଠ ପଢିନି ? ସବୁବେଳେ ତ ଇଣ୍ଟରଭିଉ ଦେବାପାଇଁ ଧାଉଁଛି l ଟଙ୍କା ପଇସା ତ ସାରୁଚି l ହେଲେ ତାକୁ ଚାକିରୀ ନ ମିଳିଲେ ସେ କଣ କରିବ ! 

ବାପା : ଆଉ କଣ ମୋ ପଇସା ରେ ବସି ଖାଉଥିବ ? ଯାଉନି କୋଉଠି ଗୋଟିଏ ପାନ ଦୋକାନ ଦବ , ହେଲେ ଦି ଚାରି ପଇସା ତ ରୋଜଗାର ହବ l 

ମା : ଛାଡ ଛାଡ ତମ ସାଙ୍ଗରେ ଯୁକ୍ତି କରି କିଛି ଲାଭନାହିଁ

ନିୟ ତମ ଖବର କାଗଜ ଆଉ ପିୟ ତମ ଚା l

   ରଘୁ ପୁଅ ରଘୁ ! ଉଠିଲୁ ଗାଧେଇକି କଣ ଦିଟା ଖାଇଦେବୁ l ସମୟ ବହୁତ ହେଇଗଲାଣି l 

"ରଘୁ" ପୁରା ନାଁ ରଘୁନାଥ ଦାସ l ପିଲାଟା ଦେଖିବାକୁ ଯେମିତି ସୁନ୍ଦର , ସେମିତି ବଳିଷ୍ଠ ଆଉ ହୃଷ୍ଟପୃଷ୍ଟ ମଧ୍ୟ l ବାପା ବିମଳ ଦାସ ଆଉ ମା ସୁଲୋଚନା ଦାସ ଙ୍କ ଏକମାତ୍ର ପୁଅ l ତେଣୁ ମା ଙ୍କ ଅତି ଗେଲ୍ହା l ପିଲାଟା ଉଚ୍ଚଶିକ୍ଷିତ ଏବଂ ଅନ୍ୟାନ ଯୋଗ୍ୟତାର ଅଧିକାରୀ ହେଲେ ମଧ୍ୟ ଚାକିରୀ ଖଣ୍ଡେ ମିଳୁନାହିଁ l ଆଜିକାଲି ସମୟରେ ଚାକିରୀ ପାଇଁ ଉଚ୍ଚ ଅଫିସର ମାନଙ୍କୁ ଦରକାର କିଛି ଲାଞ୍ଚ l ବିନା ଲାଞ୍ଚ ରେ ଚାକିରୀ ମିଳିବ ଅସମ୍ଭବ l କିନ୍ତୁ କଣ ହବ , ଘର ର ଆର୍ଥିକ ଅବସ୍ଥା ସେତିକି ଭଲରେ ନୁହେଁ l ବାପା ଜଣେ ହାଇସ୍କୁଲ ର ପ୍ରଧାନ ଶିକ୍ଷକ l ମାସକୁ ଯାହା ଦରମା ମିଳେ ପରିବାର ଟା ଦୁଖେ ସୁଖେ ଚଳିଯାଏ l ତେଣୁ ଚାକିରୀ କରିବା ପାଇଁ ଏତେ ଟଙ୍କା ଯୋଗାଡ କରିବା ଅସମ୍ଭବ l 

   ସବୁଦିନ ବାପା ଙ୍କ ତାଗିଦ ଆଉ ଗାଳି ଖାଇ ରଘୁ ନିଜର ମନୋବଳ ହରାଇ ସାରିଲାଣି l କଣ ଵା କରିବ ? କେତେଦିନ ଆଉ ବାପା ଙ୍କ ଉପରେ ବୋଝ ହେଇ ରହିବ ! ଦିନେ ନା ଦିନେ ତ ନିଜ ଗୋଡ ରେ ଠିଆ ହବାକୁ ପଡିବ l

ମା : ରଘୁ ପୁଅ ଉଠିଲୁ କି ନାହିଁ ? ଉଠ ବାପା , ଗାଧେଇକି କିଛି ଟିକେ ଖାଇଦେ l

ବାପା : ପୁଅ ଏତେ ଡାକରେ ବି ଉଠିନୀ ? ଧନ୍ୟ ତମ ପୁଅ ଆଉ ଧନ୍ୟ ତୁମେ ମା l

ମା : ତମେ ଚୁପ ରୁହ ମ l ମୋ ପୁଅ ର ବାହାଘର ବୟସ ଆସିଲାଣି , ସେ କଥା ତମେ କେବେ ଚିନ୍ତା କରିଛ ? ଖାଲି ଗାଳି କରୁଛ l

ବାପା : ବାହାଘର ...!! ଏ କୁଳାଙ୍ଗାର ତାକୁ କିଏ ଝିଅ ଦବ ମ ? କୋଉ ଝିଅ ର ବାପା ନିଜ ଝିଅ କୁ ଗୋଟାଏ ବେକାରିଆ ପୁଅ ହାତରେ ଦେବ ?

ମା : ବାହାଘର ପରେ କଣ ମୋ ପୁଅ କୁ ଚାକିରୀ ମିଳି ଯିବନି ! ଦେଖିଲ ତମ ଖବର କାଗଜରେ କାଳେ କିଛି ବାହାରିଥିବ l ଦେଖ ଟିକିଏ l 

    ରଘୁ ଦାନ୍ତ ଘଷି ଆସି ଡାଇନିଂ ଟେବୁଲ ରେ ବସିଲା l 

ବାପା : କଣ ବାବୁ ନିଦ ଭାଙ୍ଗିଲା ? ଆଜି କ୍ରିକେଟ ଖେଳି ଯିବନି କି ? 

ମା : ତୁମକୁ ପରା କହିଲି , ଖବର କାଗଜ ରେ ମୋ ପୁଅ ବାହାଘର ପାଇଁ ଝିଅ ଟେ ଦେଖିବାକୁ l ଟିକିଏ ଦେଖ କାଳେ କିଛି ବାହାରିଥିବ l 

ବାପା : ଦେଖୁଚି ବାବା ରୁହ l 

ଉପଯୁକ୍ତ ପାତ୍ର ଆବଶ୍ୟକ , ଯୋଗ୍ୟତା ଖଣ୍ଡାୟତ ପାତ୍ରୀ ଟିଏ ପାଇଁ

ହଁ ହଁ ମିଳିଲା ଗୋଟାଏ l

ମା : ଆଛା ଟିକିଏ ଜଲଦି ପଢ ମ !

ବାପା : ଉପଯୁକ୍ତ ପାତ୍ର ଟିଏ ଆବଶ୍ୟକ l ଏମ.ବି.ଏ /ଏମ.ସି.ଏ ।

ପାତ୍ର ଟିଏ ଆବଶ୍ୟକ , ବ୍ରାଂହ୍ମଣ ପାତ୍ରୀ ପାଇଁ , ଯୋଗ୍ୟତା କୋମ୍ପୁଟର ଇଂଜିନୀୟର ,5' 6", ମଧ୍ୟମ ପରିବାର ,ଯୋଗାଯୋଗ ପିନ ନମ୍ବର-753004 ,କଟକ 

ମା : ପୁଅ ଦେଖିଲୁ ଏଇ ବିଜ୍ଞାପନ ଟା l ଯଦି ପସନ୍ଦ ହୁଏ ତାଙ୍କୁ ଯୋଗାଯୋଗ କରିଵା l

ରଘୁ : ମୁଁ ଜମା ବାହା ହେବିନି କି ଖବର କାଗଜ ଟା ଦେଖିବିନି।

ବାପା : ଆରେ ଟିକିଏ ଦେଖିଲେ କ୍ଷତି କଣ ? 

    ଖବର କାଗଜ ଟିକୁ ପୁଅ ଆଡକୁ ବଢ଼ାଇ ଦେଲେ l

ରଘୁ ଖବର କାଗଜଟିକୁ ନେଇ ଦେଖିଲା l କିନ୍ତୁ ପ୍ରସ୍ତାବ ରେ ମନ ଲାଗିଲା ନାହିଁ l ଏଣୁ ତେଣୁ ଚିନ୍ତା କରି ଖବର କାଗଜର ପୃଷ୍ଠା ଓଲଟାଇବାକୁ ଲାଗିଲା l ପୃଷ୍ଠା ଓଲଟାଉ ଆଖି ଜାଇ ପଡିଲା ଏକ ବିଜ୍ଞାପନ ପୃଷ୍ଠା ରେ l "ଭାରତୀୟ ସୈନ୍ୟ ବିଭାଗ ରେ ପ୍ରାଥୀ ଆବଶ୍ୟକ , ପ୍ରାଥୀ ର ନିମ୍ନ ଲିଖିତ ଯୋଗ୍ୟତା l" ବିଜ୍ଞାପନ ଟିକୁ ରଘୁ ମନ ଦେଇ ପଢିଲା ଏବଂ ପଦବୀ ପାଇଁ ନିଜକୁ ମନେ ମନେ ଯୋଗ୍ୟ ମନେ କଲା l ତେଣୁ ବାହା ନ ହେବାପାଇଁ ବାପା ଙ୍କ ଆଗରେ କହି ଚାଲିଗଲା l

ରାତିରେ ଖିଆ ପିଆ ସାରି ଶୋଇବାକୁ ଗଲା ରଘୁ l କିନ୍ତୁ କଣ ହେବ , ନିଦ କି ହଉଚି ଭଲା l ମନ ତ ଜାଇ ସୈନ୍ୟ ବିଭାଗ ପଦବୀ ରେ l ଯେମିତି ହଉ ନିଜ ଗୋଡ଼ରେ ଛିଡା ହେବାକୁ ପଡିଵ l କେତେଦିନ ଏମିତି ବାପା ଙ୍କ ଉପରେ ବୋଝ ହେଇ ରହିଥିବ l ବସି ଖାଇଲେ ତ ହବନି , ଦିନେ ନା ଦିନେ ନଈ ବାଲି ସରିବ l ଏଣୁ ତେଣୁ ଅନାବନା ଚିନ୍ତା କରି ଯାହା ହଉ ରାତିଟା କଟିଗଲା l 

     ସକାଳୁ ଉଠି , ନିତ୍ୟକର୍ମ ସାରି ରଘୁ ଡାଇନିଂ ଟେବୁଲ ଉପରେ ବସି ପଡିଲା l ଜଳଖିଆ ସାରି ମା ଙ୍କ ଠାରୁ ଇଣ୍ଟରଭିଉ ଦେବl ପାଇଁ କଟକ ଯିବ ବାହାନା କରି ପାଞ୍ଚଶହ ଟଙ୍କା ଝଡାଇ ନେଲା l ତାପରେ ନିଜର ଆବଶ୍ୟକୀୟ ପ୍ରମାଣ ପତ୍ର ରେଡି କରି ସଜବାଜ ହେଇଗଲା l

     ତାପରେ ନିର୍ଧାରିତ ତାରିଖରେ ନିଜର ସମସ୍ତ ପ୍ରମାଣ ପାତ୍ର ଧରି ବିଜ୍ଞାପନରେ ବାହାରିଥିବା ସ୍ଥଳ ରେ ପହଂଚିଗଲା l ସେଠାରେ ପହଂଚି ଦେଖେ ତ ବିଭିନ୍ନ ଜିଲ୍ଲାର ବିଭିନ୍ନ ସହର ରୁ ହଜାର ହଜାର ପ୍ରାର୍ଥୀ ମାନେ ଆସି ଏକାଠି ହେଇଛନ୍ତି l ସେ ମନେ ମନେ ଭାବିଲl ଯେପରି ସେଠାରେ ଏକ ବେକାରୀ ମାନଙ୍କର ଏକ ସମାବେଶ ଚାଲିଛି l ନିଜ ଭଳି ଅନେକ ବେକାରୀ ମାନଙ୍କୁ ଦେଖି ରଘୁ ନିଜକୁ ଆଶ୍ୱସ୍ଥ ମନେ କଲା l ଯେ ସେ ଏକା ବେକାର ନୁହେଁ , ତା ଭଳି ଅନେକ ଯୁବକ ମଧ୍ୟ ବେକାର l ଏତେ ପ୍ରାର୍ଥୀଙ୍କ ମଧ୍ୟରେ ତାର ହୃଦବୋଧ ହେଲା ଯେ ସେ କଦାପି ଏ ଚାକିରୀ ପାଇଁ ମନୋନୀତ ହେଇପାରିବ ନାହିଁ , କିନ୍ତୁ ମନୋବଳ ଭାଙ୍ଗିଲା ନାହିଁ l ଏ ସବୁ କଥା ଭାବି ଭାବି ରଘୁ ଯାଇ ଅନ୍ୟମାନଙ୍କ ସହ ଧାଡିରେ ଯୋଗଦେଇ ଠିଆ ହେଲା l ତାପରେ ଆରମ୍ଭ ହେଲା ପ୍ରାର୍ଥୀ ମନୋନୟନ କାର୍ଯ୍ୟକ୍ରମ l 

      ପ୍ରାର୍ଥୀ ମନୋନୟନ କାର୍ଯ୍ୟକ୍ରମ ଖୁବ ସମୟ ଧରି ଚାଲୁଥିଲା l ଏପଟେ ଧାଡିରେ ଖୁବ ଭିଡ l ବହୁ ସମୟ ଧରି ଧାଡିରେ ଛିଡା ହେଇ ଯୁବକ ମାନେ ଅସମ୍ଭାଳ ହେଇଗଲେଣି l ଭୀଷଣ ପାଟିତୁଣ୍ଡ ମଧ୍ୟ କରିବାକୁ ଆରମ୍ଭ କଲେ l ଏପଟେ ରଘୁ ମଧ୍ୟ ଅତିଷ୍ଠ ହୋଇଗଲାଣି l ସମ୍ଭବତଃ ଭିଡ ସାଙ୍ଗକୁ ଭୀଷଣ ଗରମ ଓ ଅଣନିଶ୍ୱାସ l ବିରକ୍ତି ହବl ତ ସୁନିଶ୍ଚିତ l ଏହି ସମୟରେ କିଏ ଜଣେ ଫୁସଫୁସ କରି କହିଲା , ସେନା ବିଭାଗର କର୍ମଚାରୀମାନେ ବେଆଇନ କାର୍ଯ୍ୟ କରୁଛନ୍ତି l ଯେଉଁ ପ୍ରାର୍ଥୀ ମୋଟା ଅଙ୍କର ଲାଞ୍ଚ ଦେଉଛନ୍ତି ତାଙ୍କୁ ମନୋନୀତ କରି ଅନ୍ୟମାନଙ୍କୁ କାଟି ଦେଉଛନ୍ତି l ଜଙ୍ଗଲରେ ନିଆଁ ଲାଗିଲା ଭଳି କଥାଟା ପ୍ରାର୍ଥୀ ମାନଙ୍କ ମଧ୍ୟ୍ୟ ରେ ସଙ୍ଗେସଙ୍ଗେ ପ୍ରଚାରିତ ହେଇଗଲା l ତୁଣ୍ଡ ବାଇଦ ସହସ୍ର କୋଶ ଭଳି ଏ କଥା ମଧ୍ୟ ସେନା ବିଭାଗ କର୍ମଚାରୀ ମାନଙ୍କ କାନ କୁ ଗଲା l ଫଳରେ ଆରମ୍ଭ ହେଇଗଲା ଭୀଷଣ ଯୁକ୍ତି ତର୍କ ଓ ଝଗଡା l କର୍ମଚାରୀ ପ୍ରାର୍ଥୀ ମାନ ଙ୍କୁ ଯେତେ ବୁଝା ସୁଝା କଲେ ମଧ୍ୟ ସେମାନେ ନାରାଜ ଏବଂ ସଙ୍ଗେ ସଙ୍ଗେ ଆରମ୍ଭ ହେଇଗଲା ଧସ୍ତାଧସ୍ତି ଓ ମାରପିଟ l ସେ ସ୍ଥାନ ଟି ଏକ ଯୁଦ୍ଧକ୍ଷେତ୍ର ରେ ପରିଣତ ହେଇଗଲା l

ପୂର୍ବରୁ ସେଠାରେ ମୁତୟନ ଥିବା ପୋଲିସ ଗଣ୍ଡଗୋଳ କୁ ନିୟନ୍ତ୍ରଣ କରିବାକୁ ଯାଇ ଲାଠିଚାର୍ଜ କଲେ ଓ ପରେ ଲୁହ ବୁହା ଗ୍ୟାସ ମଧ୍ୟ ପ୍ରୟୋଗ କଲେ l କିନ୍ତୁ ପରିଣତ ଓଲଟା ହେଲା l ପରିସ୍ଥିତି ଅନିୟନ୍ତ୍ରଣ ହେଇଗଲା l ସମସ୍ତେ ଏପଟ ସେପଟ ଦୌଡିବାକୁ ଲାଗିଲେ l ଏପଟେ ବୋକା ଙ୍କ ପରି ଅନାଇ ରହିଥିବା ରଘୁ କିଛି କରିବl ପୂର୍ବରୁ ହଠାତ ଧକା ଖାଇ ତଳେ ପଡିଗଲା l ତାକୁ ମାଡି , ତା ଉପରେ ଚଢି କିଛି ଯୁବକ ପ୍ରାଣ ବିକଳରେ ଦୌଡ଼ି ପଳେଇଲେ l ବିଚରା କଷ୍ଟେ ମଷ୍ଟେ ଉଠି ଛିଡା ହବାକୁ ଚେଷ୍ଟା କଲl l କିନ୍ତୁ ଏତିକିବେଳେ ଘୋଷଣା କରାଗଲା "ଫାୟାର" !

     ଅତର୍କିତ ଭାବରେ ଗୁଳି ଚାଳନା ଆରମ୍ଭ ହେଲା l କେତେ ମୃତ ଓ କେତେ ଆହତ ହେଲେ l ଏହିସମୟରେ ହଠାତ ଏକ ଗୁଳି ଆସି ରଘୁର ଛାତିରେ ବାଜିଲା l ସେଠାରେ ହିଁ ସେ ଟଳି ପଡିଲା ଓ ସବୁଦିନ ପାଇଁ ଆଖି ବୁଜିଦେଲା l

     ମୁହୂର୍ତକ ମଧ୍ୟରେ ଘଟଣା ଟି ଗଣ ମାଧ୍ୟମ ରେ ପ୍ରଚାରିତ ହେଇଗଲା l ପରିସ୍ଥିତି ଆୟତାଧିନ ହେବାପରେ ଆହତ ମାନଙ୍କୁ ଡାକ୍ତରଖାନା ରେ ଭର୍ତି କରାଗଲା ଓ ମୃତ ଯୁବକ ମାନଙ୍କୁ ଚିହ୍ନଟ କରାଯାଇ ପୋଷ୍ଟ ମର୍ଟମ ପାଇଁ ପଠାଗଲା l ସରକାର ଏହି ଘଟଣାରେ ଦୁଃଖ ଓ ଶୋକ ପ୍ରକାଶ କଲେ ଏବଂ ଆହତ ମାନଙ୍କୁ ପଚାଶ ହଜାର ଟଙ୍କା ଓ ମୃତକ ଙ୍କ ପରିବାରକୁ ଏକ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ l ପୋଷ୍ଟ ମର୍ଟମ ପରେ ରଘୁର ଚିହ୍ନଟ ବେଳେ , ରଘୁ ପକେଟରେ ଥିବା ପର୍ସରୁ ତା ଘରର ଫୋନ ନମ୍ବର ଏବଂ ଠିକଣା ମିଳିଲା l ରଘୁର ଶବ କୁ ପୋଲିସ କର୍ମଚାରୀ ତା ଘରକୁ ପଠାଇବା ପାଇଁ ବ୍ୟବସ୍ଥା କରି ତା ଘରକୁ ଫୋନ କରି ଜଣାଇଦେଲେ l

     ସମୟ ରାତି ଆଠଟା ତିରିଶ ମିନିଟ l ବାପା ସକାଳୁ ମିଶାଇ ପାଞ୍ଚ ଥର ଖବର କାଗଜକୁ ପଢି ସାରି ପୁଣି ପୃଷ୍ଠା ଲେଉଟାଉ ଥାନ୍ତି l ହଠାତ ଫୋନ ଟି ବାଜି ଉଠିଲା l ବାପା ଫୋନ ଟି ରିସିଭ କଲେ l "ହାଲୋ" କିଛି ସମୟ ରେ ଫୋନ ର ରିସିଭର ତାଙ୍କ ହାତରୁ ଖସିପଡିଲା l ବାପା ନିର୍ବାକ ହେଇ କାଠ ଗଣ୍ଡି ପାଲଟି ଗଲେ l ମା ଦେଖି ଦୌଡ଼ି ଆସିଲେ ଏବଂ କଣ ହେଲା ବୋଲି ପଚାରିବାକୁ ଲାଗିଲେ l    

ମା : କଣ ହେଲା ? କାହାର ଫୋନ ଆସିଥିଲା ?? ତମେ କିଛି କହୁନ କାହିଁକି ?

ଏହି ସମୟରେ ବାପା ଙ୍କ ଆଖିରୁ ଦୁଇ ଧାର ଲୁହ ଗଡି ଆସିଲା

ମା କିଛି ବୁଝି ପାରୁନଥାନ୍ତି l

ମା : ତମେ କିଛି କହୁନ କାହିଁକି ? ତମେ କାନ୍ଦୁଛ କାହିଁକି ? କାହାର ଫୋନ ଆସିଥିଲା ? କଣ କହିଲା ?

ବାପା : ରଘୁ !

ମା : ରଘୁ କଣ ହେଲା ମୋ ପୁଅର ? ତମେ ଖୋଲିକି କହୁନ କାହିଁକି ? ମୋ ପୁଅର କଣ ହେଇଛି ?

ବାପା : "ସେ ଆଉ ଫେରିବନି !" 

ରଘୁ , ବାପା ଓ ମା ଙ୍କୁ ଛାଡି ଚାଲିଗଲା ସତ l କିନ୍ତୁ ସେ ଆଉ ବେକାର କି ଅଯୋଗ୍ୟ ନଥିଲା l ସେ ଯିବା ପରେ ତା ବାପା ଓ ମା ଙ୍କୁ ଏକ ଲକ୍ଷ ଟଙ୍କା ଦେଇଗଲା , ଯାହା ଥିଲା ତାର ଗୋଟିଏ ଦିନର ରୋଜଗାର l


Rate this content
Log in

Similar oriya story from Abstract