Lalitkumar Swain

Drama Classics Inspirational

4.5  

Lalitkumar Swain

Drama Classics Inspirational

ପର କଲା ମାଟି

ପର କଲା ମାଟି

4 mins
473



ସେଦିନ ଅନନ୍ତ ଆକାଶରେ ଭାସୁଥିବା ଖଣ୍ଡ ଖଣ୍ଡ ଧଳା ମେଘର ବୁକୁ ଫଟେଇ ଉଡି ଆସୁଥିଲା ଉଡାଜାହାଜଟିଏ। ଦୀର୍ଘ ଦଶ ବର୍ଷ ପାଶ୍ଚାତ ସଭ୍ୟତାର ସମ୍ପର୍କ ଛିନ୍ନ କରି ବିକାଶ ଫେରୁଛି ଓଡିଶା। ମନରେ ଅସୁମାରୀ ଆଶା। ଏଣିକି ସେ ଓଡିଶାରେ ରହି ଗାଁ ମାଟିର ବାସ୍ନାକୁ ଆଘ୍ରାଣ କରି ମନକୁ ପବିତ୍ର କରିବ। କଂକ୍ରିଟ ଜଙ୍ଗଲ ଓ ତାର ମଣିଷ ଗୁଡାକ ସତେ ଯେପରି ତାକୁ ଅଣନିଶ୍ୱାସୀ କରି ଦେଇଥିଲେ। ମାନବିକତା ର ସ୍ପର୍ଷ ସତେ ଯେମିତି ତା ଜୀବନରେ ଏକ ସ୍ବପ୍ନ ହୋଇ ରହିଯାଇଥିଲା। ସବୁବେଳେ ଖାଲି କାମ ଆଉ କାମ । ନିଶ୍ୱାସ ନେବାକୁ ଏ ମଣିଷ ଗୁଡାକ ପାଖରେ ଯେମିତି ସମୟ ହିଁ ନାହିଁ। ପ୍ରଚୁର ଅର୍ଥ ରୋଜଗାର ର ଆଶା ନେଇ ଆମେରିକା ଯାଇଥିବା ବିକାଶ ହଜି ଯାଇଥିଲା ସେଠି ପାଶ୍ଚାତ ସଭ୍ୟତା ଭିତରେ। ଆଜି ଫେରୁଛି ମନରେ ଅସୁମାରୀ ବିଶ୍ୱାସ ନେଇ ଆସିଛି। ଗାଁ ଲୋକ ମାନଙ୍କ ସହ ମିଶି ପୁଣି ଥରେ ହସିବ, ଖେଳିବ ସୁଖ ଦୁଃଖ ବାଣ୍ଟିବ ।

ଗାଡି ଆସି ଭୁବନେଶ୍ୱର ଠାରେ ଲାଗିଲା। ଦୀର୍ଘ ଦଶ ବର୍ଷର ଭୁବନେଶ୍ୱର ସତେ ଯେପରି ଆଜି ହସୁଥିଲା ବିକାଶ କୁ ଦେଖି। ଭୁବନେଶ୍ୱର ସମ୍ପୂର୍ଣ୍ଣ ନହେଲେ ବି ଆମେରିକା ଠାରୁ କିଛି କମ ନୁହେଁ। ଆଶ୍ଚର୍ଯ୍ୟ ହୋଇଗଲା ବିକାଶ। ଯେଉଁ କଂକ୍ରିଟ ଜଙ୍ଗଲରୁ ଅଣନିଶ୍ୱାସୀ ହୋଇ ଧାଇଁ ଆସିଥିଲା ଓଡିଶା, ଆଜି ସେଠି ବି ସବୁଆଡେ ଖାଲି କଂକ୍ରିଟ। ଅଖି ପାଉ ନଥିବା ଭଳି ଘର। କେବଳ ଗାଡି ଗାଡି ଆଉ ଗାଡି। ଏତେ ଧୂଆଁ ଯେ କିଛି ଦୂରକୁ ଚାହିଁଲେ ବି ରାସ୍ତା ଦେଖା ଯାଉନି।

"ହେ ଭଗବାନ, ମୁଁ ଏ କଣ କଲି। ପୁଣି ସେଠିକି ଆସିଗଲି।"

ଏମିତି କିଛି କହି ସେଦିନ ମନ ଦୁଃଖରେ ବସି ଯାଇଥିଲା ବିକାଶ, ରାସ୍ତାର ସେଇ କଡ଼ ରେ ଯେଉଁଠି ଦିନେ ଅନେକ ଗୁଡାକ ଗଛ ଥିଲା। ଭୁବନେଶ୍ୱର ସିନା ଏମିତି ମୋ ଗାଁ ନିଶ୍ଚିତ ଭାବରେ ଅଗଭଳି ଥିବ। ଏଇ ଭାବନାକୁ ପାଥେୟ କରି ଆଗେଇ ଚାଲିଲା ଗାଁକୁ। ବାଟରେ ଗଲା ବେଳେ ବାପା ମା ଭାଇ ଭଉଣୀ ଦାଦା ଖୁଡିଙ୍କ ପାଇଁ କିଛି ଲୁଗା, ପୋଷାକ ଓ ଖାଇବା ଜିନିଷ କିଣି ନେଇଛି।

ଆର.ଡି. ରୋଡ଼ ଠାରୁ ଗାଁ ର ଦୂରତା ଦୁଇ କିଲୋମିଟର। ଗଲାବେଳେ ସେ ସେଇ ରାସ୍ତାରେ ଯାଇଥିଲା। ବାପା ତାକୁ ସାଇକେଲର ଆଗରେ ବସାଇ ସେଇ ରାସ୍ତାରେ ନେଲା ବେଳେ ଅତ୍ୟଧିକ କାଦୁଅ ରେ ଚକା ଖସି ଯିବାରୁ ସେଠି ପଡି ଯାଇଥିଲେ। ସେ କାଦୁଅକୁ ରାସ୍ତା ପାଖ ପୋଖରୀରେ ଧୋଇ ଆମେରିକା ଯାଇଥିଲା। ବିକାଶ ପୁଣି ଥରେ ସେ କାଦୁଅ ରେ ଚାଲି ଚାଲି ଯିବାକୁ ଇଛା ପ୍ରକାଶ କରିଛି ।

ଗାଡି ଆସି ଗାଁ ମୁଣ୍ଡରେ ପଂହଁଚିଲା। ଅତି ଶ୍ରଦ୍ଧା ଓ ଆଗ୍ରହର ସହ ଗାଡିରୁ ଓଲ୍ହେଇ ମା ମାଟିକୁ ମୁଣ୍ଡ ଲଗେଇ ପ୍ରାଣମ କରିବାକୁ ଚାହିଁଲା। ହେଲେ ଏ କଣ? ମାଟି ତ ଦୂର କଥା ଟିକେ ଧୂଳି ବି କୋଉଠି ଦେଖା ଯାଉନି। ଗାଁ ର ସେଇ କାଦୁଅ ରାସ୍ତା କୁଆଡେ ଉଭେଇ ଯାଇଛି । ଅଛି ସେଇ କଂକ୍ରିଟ । ତତଲା ତାୱାରେ ଟୋପେ ପାଣି ପଡିଲେ ଯେଉଁ ଶବ୍ଦ ବାହାରେ, ସେଦିନ ବିକାଶର ଲୁହ ଗାଁ ର ସେଇ ତତିଲା କଂକ୍ରିଟ ରାସ୍ତା ଉପରେ ପଡି ଶବ୍ଦ ବାହାରି ଥିଲା। ବାପାଙ୍କ ସାଇକେଲକୁ ବହୁତ ମନେ ପକାଉ ଥିଲା। ବାପା ସ୍କୁଟିରେ ତାକୁ ନେବାପାଇଁ ଆସିଥିଲେ। ସବୁକିଛି ଯେମିତି ଓଲଟ ପାଲଟ ହୋଇ ଯାଇଥିଲା। ଗାଁ ର ରୂପ ପୁରା ବଦଳି ଯାଇଥିଲା। ଖାଲି କୋଠା ଉପରେ କୋଠା ଘର। ଗାଁ ଦାଣ୍ଡର ଧୂଳି ଟିକେ ମୁଣ୍ଡରେ ମାରିବା ଯେମିତି ତା ପାଇଁ ସାତ ସ୍ବପ୍ନ ହୋଇ ଯାଇଥିଲା। ମନ ଦୁଃଖରେ ଘରକୁ ଯାଇ ବସିଗଲା । ମା ଖାଇବାକୁ ବାଢି ଦେଲେ। ଚିକେନ୍ ବିରିୟାନି ଓ କଚୁମ୍ବର। ସେଦିନ ବିକାଶ ଖାଇଲା ବେଳେ ଆଖିରୁ ଲୁହ ଆଉ ଲୁହ। ମା ହାତର ଶାଗ, ପଖାଳ, ମାଛ ବେସର, ଶୁଖୁଆ ଭଜା, ବଡ଼ିଚୁରା, କଖାରୁ ଫୁଲ ପିଠା, ବାଇଗଣ ଚଟଣି, କାଞ୍ଜି , ଖୁଦ, ସନ୍ତୁଳା ସହ ଆମ୍ବୁଲ କୁ ଲଙ୍କା ଆଉ ଲୁଣ ଦେଇ ଦଳିଦେବର ସ୍ଵାଦକୁ ଦୀର୍ଘ ଦଶ ବର୍ଷ , ପ୍ରତି ଦିନ ପ୍ରତି କ୍ଷଣରେ ମନେ ପଖାଉଥିବା ବିକାଶ ଆଜି ବିରିୟାନି ଖାଉଛି। ପାଶ୍ଚାତ ଖାଦ୍ୟରେ ପେଟ ସିନା ପୁରିଯାଏ ମନ ପୁରେନି। ଏତେ ଦିନ ଧରି ଅପେକ୍ଷା କରିଥିଲା କଣ ଏ ବିରିୟାନି ଖାଇବା ପାଇଁ। ଖାଇବା ସରିବା ପରେ ଆଣିଥିବା ଲୁଗା ପଟାକୁ ବାହାର କରି ସମସ୍ତଙ୍କୁ ଦେବାକୁ ଲାଗିଲା। ସମସ୍ତଙ୍କ ମନ ନିରାଶ। ସମସ୍ତଙ୍କ ଆଶା ପୁଅ ଆମର ଆମେରିକାରୁ କିଛି ଆଧୁନିକ ପୋଷାକ କି ଲୁଗା ଆଣିଥିବ।

ବିକାଶ ଏସବୁ ଭାବି ଦୁଃଖ ପରେ ଦୁଃଖ ଅନୁଭବ କରି ଚାଲିଥାଏ। ଗାଁ ଦାଣ୍ଡରେ ଯାଇ ପିଣ୍ଡା ବସି ପଡ଼ିଲା। ମନେ ପଡିଗଲା ଏଇଠି କୁଲୁ, ମିଟୁ , ଗୌରୀ ମିଶି ତାସ ଖେଳୁଥିଲୁ। ମହାନ୍ତି ଘର ବାରଣ୍ଡାରେ ବୁଢା ଲୋକ ଗୁଡାକ ବସି ପୁରାଣ ଚର୍ଚା କରୁଥିଲେ। ଗାଁ ମନ୍ଦିର ବେଢାରେ ଖରାବେଳେ ଲୋକ ମାନେ ଗଡି ପଡୁଥିଲେ। ଏଇ ଦାଣ୍ଡରେ ପିଲା ମନେ ନାନା ପ୍ରକାରର ଖେଳ ଖେଳୁଥିଲେ। ହେଲେ ଏ କଣ। ଗାଁ ଦାଣ୍ଡ ଆଜି ସୁନ ସାନ। ଗାଁ ସେ ରାଧାର ମା ପାକୁଆ ପାଟିରେ ଏକୁଟିଆ ବସିଛି ତାଙ୍କ ପିଣ୍ଡାରେ। କାଁ ଭାଁ କେଉଠି କଲେଜ ପଢୁଆ ପିଲା ଗୋଟେ ଦୁଇଟା ବସିଛନ୍ତି ,ସେ ପୁଣି ହାତରେ ଗୋଟେ ଗୋଟେ ମୋବାଇଲ ଧରି। ଧଇଁ ଯାଇ ଗାଁ ମନ୍ଦିରରେ ମୁଣ୍ଡିଆ ମାରିଲା। ସେଠି କେବଳ ପୂଜାରି ବୁଢ଼ାକୁ ଛାଡିଦେଲେ ଆଉ କେହି ଜଣେ ବି ନାହାନ୍ତି।

ଗାଁ ରେ ତାର ପିଲା ବେଳକୁ ସେ ବହୁତ ମନେ ପକେଇଲା। ଡାଳି ମାଙ୍କଡ଼ ଖେଳୁଥିବା ଗାଁ ର ବାଲି ଧକା ଆଉ ନାହିଁ । ଗାଁ ପୋଖରୀ , ଯେଉଁଠି ଦିନେ ଗାଧେଇ କଇଁ ଫୁଲ ତୋଳୁଥିଲା ସେଠି ଘର ହୋଇ ସାରିଛି। ଗାଁ ର ଗାଈ ଗୋଠ ବନ୍ଧା ହେଉଥିବା ଜାଗାରେ କ୍ଲବର ନୂଆ ଘର ତିଆରି ହୋଇ ସାରିଛି। କୁଦାମାଳ , ଯେଉଁଠି ବଇଞ୍ଚକୋଳି, କଣ୍ଟେଇ କୋଳି ଖାଉଥିଲା ତାହା ସଫା ହୋଇ ସେଠି ମାଛ ଚାଷ ହେଉଛି। ଗାଁ ମୁଣ୍ଡ ଝଙ୍କାଳିଆ ବରଗଛକୁ କାଟି ଦିଅ ଯାଇଛି । କୃଷ୍ଣଚୁଡା ଗଛର ଲୋହିତ ରଙ୍ଗ ଆଉ ଦେଖା ଯାଉ ନାହିଁ। ଗାଁ ଝିଅ ମାନେ ଆଉ ଖୁଦୁରୁକୁଣୀ ଓ ଜହ୍ନି ଓଷା କରୁନାହାନ୍ତି । ଶଗଡ଼ ପୂଜା ବେଳେ ପେଡିକୁ ଶଗଡ଼ ରେ ନେଇ ଗାଁ ବୁଲିବା କଥା ଦୁରେ ଥାଉ ଗୋଟେ ଶଗଡ଼ ବି ଗାଁ ରେ ନାହିଁ। ବଳଦ , ହଳ ଲଙ୍ଗଳ କଥା ତ ସ୍ବପ୍ନ। ପାଇକ ଖେକ ସତେ ଯେମିତି କୁଆଡେ ହଜି ଗଲାଣି ଗାଁ ରୁ ।ଗାଁ ଜନ୍ତାଳରେ ଲୋକ ଦଶ କି ପନ୍ଦର ଜଣ ଯାଉଛନ୍ତି । ସତେ ଯେମିତି ଗାଁ ଆଉ ଗାଁ ହୋଇ ନାହିଁ ସହର ହୋଇ ସାରିଛି ।

ଗାଁ ସେଇ ପୁରୁଣା ଦିନ ଗୁଡିକୁ ଫେରି ପାଇବାର ଆଶା ତାର ମଉଳି ଯାଇଥିଲା। ଘରକୁ ଯାଉ ଯାଉ ବାପା ତାକୁ ବାହାଘର କଥା କହି ଦେଲେ। ଝିଅଟିର ଜିନ୍ସ ପିନ୍ଧା ଫୋଟ ଦେଖେଇଲେ। ବାହାଘର ଫଗୁଣ ମାସରେ ହେବ। ଗାଁ ଭୋଜି ହେବ ନାହିଁ । ମହୁର, ବେସର, ଘାଣ୍ଟ ତରକାରୀ ହେବନାହିଁ, ମୁଗ ଡାଲି ର ବାସ୍ନା ସାତ ସପନ। ସହରର ମଣ୍ଡପରେ ହେବ। ବଫେ ପ୍ଲେଟରେ ସମସ୍ତେ ଖାଇବେ । ଚିଲି ଚିକେନ୍ ଆଉ ବିରିୟାନି ହେବ ଭୋଜିରେ। ଗାଁ ଲୋକ ମିଶି ଆଉ ରୋଷେଇ ନକରି କ୍ୟାଟରିଂ ଵାଲା ରୋଷେଇ କରିବେ। ଝିଅ ବି ଆମେରିକାରେ ଚାକିରୀ କରେ। ଗାଁ ର ଗୋଟେ ସରଳ ଝିଅକୁ ବିବାହ କରିବାକୁ ଚାହୁଁଥିବା ବିକାଶ ଆବକ୍ ହୋଇ ରହିଗଲା। ସତେ ଯେମିତି ତା ଜନ୍ମ ମାଟି ତାକୁ ପର କରି ଦେଇଛି।

ସବୁଦିନ ଗାଁରେ ରହି , ଚାଷ କରି, ଗାଁ ଲୋକଙ୍କ ସହ ମେଳା, ଯାତରା ରେ ଭାଗ ନେଇ ଖାଣ୍ଟି ଗାଉଁଲୀ ଲୋକ ଟିଏ ଭଳି ବଞ୍ଚିବାକୁ, କଂକ୍ରିଟ ଜଙ୍ଗଲରୁ ଆସିଥିବା ବିକାଶର ମନ ଖଟା ହୋଇଗଲା। ମନଟା ରାତିରେ ଶୋଇଲା ବେଳେ ଆଉଟୁ ପାଉଟୁ ହେଲା। ଖଣ୍ଡେ ଚିଠି ଲେଖି ରାତିର ନିର୍ଜନ ଅନ୍ଧାରେ ପୁଣି ଚାଲିଗଲା ସେ କଂକ୍ରିଟ ଜଙ୍ଗଲକୁ। ସବୁଦିନ ପାଇଁ। ଆଉ ଫେରିଲା ନାହିଁ।

ସତରେ ଗାଁ ବହୁତ ବଦଳି ଯାଇଛି... ।


#ସିଧାକଥା


Rate this content
Log in

Similar oriya story from Drama