STORYMIRROR

Jayashree Maharana

Action Inspirational Others

4  

Jayashree Maharana

Action Inspirational Others

ପନ୍ଦର ଡେସିମିଲି ଜାଗା

ପନ୍ଦର ଡେସିମିଲି ଜାଗା

4 mins
160

   କିଏ କହିଲା ସ୍ୱର୍ଗ ଦେଖି ହୁଏନା ।ସୁରମା ଦେବୀଙ୍କ ମତରେ ରାସ୍ତା କଡରେ ଥିବା ଏଇ ପନ୍ଦର ଡେସିମିଲି ଜାଗା ହିଁ ତାଙ୍କର ସ୍ୱର୍ଗ ଆଉ ତା ଉପରେ ଠିଆ ହୋଇଥିବା ଛୋଟିଆ ଘରଟା ତାଙ୍କ ପାଇଁ ପାରିଜାତ ବନ ।ଯେଉଁଠାରେ ଅସରନ୍ତି ଦୁଃଖ ଭିତରେ ବି ସେ ଲଭନ୍ତି ପରମ ଶାନ୍ତି ଓ ସନ୍ତୋଷ ।ଯେଉଁଠାରେ ଶାନ୍ତି ଓ ସନ୍ତୋଷ ଅଛି ସେ ସ୍ଥାନ ସ୍ୱର୍ଗପୁରୀ ନୁହେଁ ତ କଣ ?


   ସବୁ ଝିଅଙ୍କ ପରି ସେ ବି ସ୍ୱପ୍ନ ଦେଖିଥିଲେ ନିଜର ସୁନେଲି ଭବିଷ୍ୟତର ।ସୁନ୍ଦର ଘର ,ବର ଏବଂ ଗାଡି ଘୋଡା ।ସମସ୍ତଙ୍କ ସ୍ୱପ୍ନ ପୁରଣ ହୁଏ ନା ।ସେ ମାନିନେଲେ ଭାଗ୍ୟକୁ ।ମାଆ ତାଙ୍କର ବିବାହ କରାଇଲେ ଜଣେ ସାଧାରଣ କାଠ କାରୀଗରଙ୍କୁ ।ଖୁସି ଥିଲେ ସେ ।

ମାତ୍ର ବିବାହର କିଛି ଦିନ ଭିତରେ ଆରମ୍ଭ ହୋଇଗଲା ଶାଶୁ ଏବଂ ସ୍ୱାମୀ ପରିତ୍ୟକ୍ତା ନଣନ୍ଦଙ୍କର ଅତ୍ୟାଚାର ।ପୁରୁଣା କାଳର ଗପ ପରି ଭାତ ରେ ସୂଚକ କାଠି ତରକାରୀ ପରିମାଣ ମାପି ରଖନ୍ତି ସେମାନେ ।ହେଣ୍ଡି ମାରି ସାହି ପଡିଶା ବୁଲି ବୁଲି ଆସି ଆଗ ତୀକ୍ଷ୍ଣ ନଜର ପକାଯିବ ରନ୍ଧା ଖାଦ୍ୟ ଉପରେ ।କାଳେ ଦୁଇ ବୋହୁ ଖାଇନେଇଥିବେ ଅନୁପସ୍ଥିତିରେ ।ଛୋଟିଆ ଛୋଟିଆ କଥାରେ ପ୍ରତିବାଦ ।ଏସବୁ ସହ୍ୟ କରିପାରନ୍ତି ନାହିଁ ସୁରମା ଦେବୀ ।ବିନା ଦୋଷରେ ଦଣ୍ଡ ସ୍ଵୀକାର କରିବାକୁ ଭଲ ଲାଗେନା ତଥାପି ନିରବ ରୁହନ୍ତି ।ସ୍ୱାମୀ କିନ୍ତୁ ଭାରି ଭଲ ।କଠିନ ପରିଶ୍ରମ କରି ପରିବାର ଦାୟିତ୍ୱ ବୁଝନ୍ତି ।ତେଣୁ ସ୍ୱାମୀଙ୍କୁ ଏ ବିଷୟରେ ଜଣାନ୍ତି ନାହିଁ ।କିନ୍ତୁ ସ୍ୱାମୀଙ୍କୁ ଏ ସବୁ ଅଛପା ରହିଲା ନାହିଁ ।ଯେଉଁଦିନ ସ୍ୱାମୀ ଏ ସବୁର ପ୍ରତିବାଦ କଲେ ସେଦିନ ମାଆ ହାତରେ ଟେକା ମାଡ଼ ସହି ମୁଣ୍ଡ ଫାଟିଗଲା ତାଙ୍କର ।ଆଶ୍ଚର୍ଯ୍ୟ ହେଇଥିଲେ ସୁରମା ଦେବୀ ।ମାଆ ତ ସ୍ନେହମୟୀ ।ମାଆ ହୃଦୟରେ ନିଜର ସନ୍ତାନ ପାଇଁ ଥାଏ ଅସରନ୍ତି ମମତା ।ନିଜ ମାଆ କଣ ପୁଅକୁ ଏପରି ମାରିପାରେ ।ଯୋଉ ପୁଅ ପିଲାଟି ଦିନରୁ ରୋଜଗାର କରି ପରିବାର ପ୍ରତିପୋଷଣ କରୁଛି ତାହାର ଅମଙ୍ଗଳ ଚିନ୍ତା କରି ଗାଳି କରାଯାଇପାରେ ।ସେଦିନଠୁ ସେ ଘର ଛାଡ଼ି ଚାଲିଆସିଥିଲେ ସ୍ୱାମୀଙ୍କ ସାଙ୍ଗରେ ।ଅବଶ୍ୟ ସେ ଏଥିପାଇଁ ରାଜି ନଥିଲେ କିନ୍ତୁ ସ୍ୱାମୀଙ୍କ କଥାରେ ସେ ବାଧ୍ୟ ହୋଇଥିଲେ ।


  ଏଣେତେଣେ ଭଡା ନେଇ ରହିବା ପରେ ନିଜର ସମସ୍ତ ସୁନା ଅଳଙ୍କାର ବିକ୍ରି କରି ପଇଁତିରିଶି ବର୍ଷ ତଳେ ଏଇ ପନ୍ଦର ଡେସିମିଲ ଜାଗା କିଣିଥିଲେ ମାତ୍ର ଚାରିହଜାର ପାଞ୍ଚ ଶହ ଟଙ୍କାରେ ।ସେତେବେଳେ ସେତିକି ଟଙ୍କା ତାଙ୍କପାଇଁ ଥିଲା ବହୁତ ।।ରାସ୍ତା କଡରେ ଜାଗାଟି ।ଅବଶ୍ୟ ଲମ୍ବା ଖୁବ କମ।ଚାଳ ଛପର ଘରଟିଏ କରି ସେଠାରେ ରହିଲେ ।ନୂଆ ଜାଗା ନୂଆ ଲୋକଙ୍କୁ ଖୁବ ଆପଣାର କରିପାରିଥିଲେ ସେ ।ସେଥିପାଇଁ ତ ଆଜିମଧ୍ୟ ସମସ୍ତଙ୍କ ତୁଣ୍ଡରେ ତାଙ୍କ ପାଇଁ ମଧୁର କଥା ଦୁଇ ପଦ ଥାଏ ।ଖଟିଖିଆ ଜୀବନରେ ଅଧିକ ଆଶା କରିହୁଏନା ।ଚାରି ଚାରିଟା ସନ୍ତାନଙ୍କର ଲାଳନ ପାଳନ ,ଶିକ୍ଷାଦୀକ୍ଷା,ଦେହପାଆ ବୁଝୁ ବୁଝୁ ଏଇ ପନ୍ଦର ଡେସିମିଲି ଜାଗାର ଆୟତନ ବଢ଼ାଇବା ପାଇଁ ଟଙ୍କାଟିଏ ସଞ୍ଚିପାରିନଥିଲେ ସେ ।


ଜୀବନରେ ସେ ଦେଖିଛନ୍ତି ଅନେକ ଅଭାବ ଅନେକ ବିପତ୍ତି ।ତଥାପି ଏଇ ପନ୍ଦର ଡେସି ମିଲି ଜାଗା ହିଁ ତାଙ୍କର ସାଜିଛି ଆଶ୍ରା ।ଉଣେଇଶ ଶହ ମହାବାତ୍ୟା ରେ ଚାଳଛପର ଯେତେବେଳେ ଉଡ଼ିଗଲା ସ୍ୱାମୀ ସ୍ତ୍ରୀ ଦୁହେଁ ନିଜ ହାତରେ ପୁଣି ବାକି ଶାକି କରି ଟିଣ ଛପରକରି ଆଶ୍ରା ନେଇଛନ୍ତି ସେଠାରେ ।ମଣିଷ ଜୀବନରେ ଅନେକ ଦୁଃଖ ଆସେ ।ସ୍ୱାର୍ଥପର ଦୁନିଆରେ ଆପଣାର ମଣୁଥିବା ଅହଙ୍କାରୀ ଆତ୍ମୀୟ ମାନଙ୍କ ପାଇଁ ସେ ଥିଲେ ଗରିବ ,ମଳିମୁଣ୍ଡିଆ ।କେବେ କାହାରି ଦୁଆରେ ଠିଆ ହୋଇନାହାନ୍ତି ସେ ।ଏଇ ପନ୍ଦର ଡେସିମିଲି ଜାଗା ହିଁ ତାଙ୍କର ଅତି ଆପଣାର ।ପେଟ ରେ ଦାନା ନ ପାଇଲେ ବି ଦିନେ ଦିନେ ପାଣି ଗ୍ଲାସ ଟିଏ ରେ ଏଇ ଭୂଇଁ ଉପରେ ସେ ବିତାଇଛନ୍ତି ରାତି ।କେତେ ଖରା,ବରଷା,ଶୀତ ରୁ ନିଜକୁ ରକ୍ଷା କରିଛନ୍ତି ଏଇ ଘରେ ।



 ଅବସ୍ଥା ଏବେ ବଦଳିଛି ।ଟିଣ ଛପର ଘରଟି ତାର କଳେବର ପରିବର୍ତ୍ତନ କରି କଂକ୍ରିଟ ଛାତର ଛୋଟିଆ ଘରଟିଏ ଛିଡା ହୋଇଛି ଏଇ ମାଟିରେ ।ଆଖି ପୁରେଇ ଦେଖିନେଲେ ଜୀବନର ଯେତେ ସବୁ ଦୁଃଖ ଭୂଲିଯାନ୍ତି ସୁରମା ଦେବୀ ।ଲୋକଙ୍କ ନଜରରେ ଏହା ମାତ୍ର ପନ୍ଦର ଡେସିମିଲି ଜାଗା ।ବହୁଜଣ କୁହନ୍ତି କିଣିବା ସମୟରେ ଆଉ କିଛି ଜାଗା କିଣିଦେଲନି ।କିଏ କିଏ କୁହନ୍ତି ଏତିକି ଅଳ୍ପ ଜାଗାରେ କେମିତି ରହୁଛ ?କିଏ କିଏ ନିଜର ଧନ ସମ୍ପଦର ପ୍ରାଚୁର୍ଯ୍ୟତାର ପ୍ରମାଣ ଦେଇ ଅନେକ ଉପହାସ କରନ୍ତି ।କିନ୍ତୁ କାହା କଥାକୁ ଧ୍ୟାନ ଦିଅନ୍ତି ନାହିଁ ସେ ।କାହିଁକି ବା ଦେବେ ।ଆଜିକାଲି ଲୋକ କହିବାରେ ଧୁରନ୍ଦର ।ପାଖରେ ଠିଆ ହେବା ବେଳକୁ ଦେଖା ନ ଥାଏ ।ସେ ବି ମୁଣ୍ଡ ତଳକୁ ନ କରି ଖୁବ ସ୍ପଷ୍ଟ ଭାବରେ ଜବାବ ରଖନ୍ତି ।ମୋ ସ୍ୱାମୀଙ୍କ ସାମର୍ଥ୍ୟ ଅନୁସାରେ ଏହା ମୋ ପାଇଁ ଅମୂଲ୍ୟ ।ଯଦି ମୋ ପାଖରେ ଅଧିକ ଧନ ଟଙ୍କା ପଇସା ଥାଆନ୍ତା ମୁଁ କଣ ଆଉ କିଛି ଜାଗା କିଣି ପାରିନଥାନ୍ତି ।ଧନ ସମ୍ପଦ କାହାକୁ ବା ଭଲ ଲାଗେନା ।କିନ୍ତୁ ନିଜର ସାମର୍ଥ୍ୟ ଠାରୁ ଅଧିକ ଆଶା କରି ଦୁଃଖ ପାଇବା ଠାରୁ ଅଳ୍ପରେ ସନ୍ତୁଷ୍ଟ ହେବା ଉଚିତ ବୋଲି କୁହନ୍ତି ସେ ।ସେଇ ପନ୍ଦର ଡେସିମିଲି ଜାଗାର ମୂଲ୍ୟ ବର୍ତ୍ତମାନ ପ୍ରାୟ ସାତଲକ୍ଷ ।ବର୍ତ୍ତମାନ ସେତିକି ଜାଗା କିଣିବା ତାଙ୍କପାଇଁ ସମ୍ଭବ ନୁହେଁ ।ଭଗବାନଙ୍କ କୃପାରୁ ସେଇ ପନ୍ଦର ଡେସିମିଲି ଜାଗା ତାଙ୍କର ଶାନ୍ତି ଆଉ ସନ୍ତୋଷର କାରଣ ସାଜିଛି।


 ବେଳେବେଳେ ପୁଅ ଝିଅ ମାନେ ଖୁବ ମନଦୁଃଖ କରନ୍ତି ନିଜର ସାଙ୍ଗମାନଙ୍କ ସହ ତୁଳନା କରି କୁହନ୍ତି ଆମର ଅଳ୍ପ ଜାଗା ଆଉ ଛୋଟ ଘର ।ଆମ ସାଙ୍ଗମାନଙ୍କ ବଡ଼ ବଡ଼ ଘର ।ପିଲାମାନଙ୍କ ମାନସିକତା କୁ ବୁଝିଛନ୍ତି ସେ ।ସେମାନେ ପିଲାଲୋକ ।ଅର୍ଥ ରୋଜଗାର କେତେ କଷ୍ଟ ସେ ବା କାହୁଁ ବୁଝିବେ ।ଖୁବ ଶାନ୍ତ ଭାବରେ ସେ ବୁଝାଇଦିଅନ୍ତି ।ତୁମେ ମାନେ ଦେଖୁଛ ତ ଟିଭିରେ ଅନେକ ଲୋକଙ୍କ ଘର ନାହିଁ,ଖାଇବାକୁ ନାହିଁ ,ପୋଷାକ ହଳେ ନାହିଁ ।ସେମାନେ କେମିତି ବଞ୍ଚୁଥିବେ ଟିକିଏ ଚିନ୍ତାକର ।ସେମାନେ କଷ୍ଟରେ ଅଛନ୍ତି ନା ନାହିଁ ।ତୁମର ଖାଇବା,ପିନ୍ଧିବା ରେ ତ ଅଭାବ ନାହିଁ ।ମୁଣ୍ଡ ଗୁଞ୍ଜିବାକୁ ଅଳ୍ପ ହେଉ ପଛେ ନିବୁଜ ଘରଟିଏ ଅଛି ।ଭାବିଲା ଯେଉଁମାନଙ୍କ ଘର ନାହିଁ ସେମାନେ ଖରା,ବର୍ଷା,ଶୀତ କାକରରେ କେମିତି ଖୋଲା ଆକାଶ ତଳେ ଭୂଇଁ ଉପରେ ରହୁଛନ୍ତି ।



ପିଲାମାନେ ତାଙ୍କର ଭାରି ବୁଝିବାର ।କୁହନ୍ତି ହଁ ବୋଉ ଠିକ କହିଚୁ ।ଆମର ବେଶି ନ ଥାଉ ଏତିକି ଜାଗା ତ ଅଛି ।ଯିଏ ଯାହା କୁହନ୍ତୁ ,ଯାହାର ଅଧିକ ଯାଗା ଥାଉ ଏତିକି ଜାଗା ଆମ ପାଇଁ ଅମୂଲ୍ୟ ।ଖୁବ ଖୁସି ହୁଅନ୍ତି ସୁରମା ଦେବୀ ।ମନେ ମନେ ଏମିତି ଯୋଗ୍ୟ ପିଲାମାନଙ୍କୁ ଜନ୍ମ ଦେଇଛନ୍ତି ବୋଲି ଗର୍ବ କରନ୍ତି ।ଏଇମାନେ ହିଁ ତାଙ୍କର ଧନ ସମ୍ପଦ ।


ଆଜି ବୟସର ଅପରାହ୍ଣରେ ସେ ।ସ୍ୱାମୀ ହାତ ଛାଡି ଚାଲିଗଲେଣି ଆର ପାରିକୁ ।ପୁଅ ଝିଅ ମାନେ ନିଜ ଗୋଡ଼ରେ ଠିଆ ହେଲେଣି ।ବଡ଼ ମଣିଷ ବଦଳରେ ଭଲ ମଣିଷ ଭାବରେ ନିଜ ଅଞ୍ଚଳରେ ପାଞ୍ଚ ତୁଣ୍ଡରେ ଯେତେବେଳେ ପିଲାଙ୍କ ପ୍ରଂଶସା ଶୁଣନ୍ତି ସେତେବେଳେ ସେ ଖୁବ ଖୁସି ହେଉଛନ୍ତି ।ମନେ ମନେ ସବୁ ଶ୍ରେୟ ଏଇ ପନ୍ଦର ଡେସିମିଲି ଜାଗା କୁ ଦିଅନ୍ତି ।ଯେଉଁଠାରେ ସେ ବିତାଇଛନ୍ତି ଜୀବନର ପଇଁତିରିଶ ବର୍ଷ ।ଅନେକ ଝଡଝଞ୍ଜା ସହିଛନ୍ତି ।ଲୁହ ଢାଳିବା ପରେ କୋଳେଇ ନେଇଛି ଏଇ ମାଟି ।ଭରିଛି ମନରେ ପ୍ରେରଣା ।ଏହି ମାଟି ଉପରେ ଠିଆ ହୋଇ ଯେତେବେଳେ ଶୂନ୍ୟ ଆକାଶକୁ ଚାହିଁ ଦିଅନ୍ତି କେମିତି ଏକ ଅଦୃଶ୍ୟ ସନ୍ତୋଷରେ ତାଙ୍କରି ପ୍ରାଣ ପୁରିଉଠେ ।ମର୍ତ୍ତ୍ୟରେ ଏଇ ପନ୍ଦର ଡେସିମିଲି ଜାଗା ହିଁ ତାଙ୍କୁ ସ୍ୱର୍ଗର ସୁଖ ଦେଇଅଛି ବୋଲି ସେ କୁହନ୍ତି ।ତାଙ୍କ ପାଇଁ ଏ ହେଉଛି ଅମୃତ ମାଟି ।ଅମୂଲ୍ୟ ସମ୍ପତ୍ତି ।



Rate this content
Log in

Similar oriya story from Action