STORYMIRROR

puspanjali das

Drama

3  

puspanjali das

Drama

ପଖାଳ ପାର୍ଟି

ପଖାଳ ପାର୍ଟି

4 mins
216


     ସକାଳର ନିତ୍ୟ କର୍ମ ଶେଷକରି,ଅମ୍ବା ହାତରେ ଦୁଇକପ ଚା'ଧରି ଡାଇନିଂ ଟେବୁଲ ଉପରେ ରଖିଦେଇ ଚେୟାର ଟିଏ ଟାଣି ଆଣି ଚା'କପ୍ ଟିରେ ଓଠ ଲଗାଇ ଝରକା ବାଟେ ଦଲକାଏ ପବନକୁ ଉପଭୋଗ କରିବାକୁ ବସିଥିଲା।ପାଖରୁମରେ ଶୋଇଥିବା ରଚନାର ଆସିବାଟାକୁ ଅପେକ୍ଷା କରି ଚା'ସାଙ୍ଗରେ ବିସ୍କୁଟ ପ୍ୟାକେଟଟି ଖୋଲି ପ୍ଲେଟରେ ରଖିବାକୁ ବସୁଥିଲା,ହଠାତ୍ ପାଖରୁମରୁ ରଚନାର ବିରକ୍ତି ଭରା କଣ୍ଠସ୍ୱରରେ ହାତ ତା'ର ଅଟକି ଯାଇଥିଲା।ଏତେ ସକାଳୁ କାହା ଉପରେ ବିରକ୍ତ ହେଉଛି ଭାବି ଚା'କପ୍ ଟିରଖିଦେଇ ଉଠିଯାଇ ଥିଲା।ରଚନାର ବ୍ୟସ୍ତ ବିବ୍ରତ ମୁହଁକୁ ଦେଖି କହିପକାଇଲା-ଆରେ କ'ଣ ହେଲା, ଆଜି ଚା'ପିଇବୁନି କି?ଡାଇନିଂ ଟେବୁଲ ଉପରେ ତୋ ଚା' ଥୁଆ ହୋଇଛି, ଥଣ୍ଡା ହୋଇଯିବ!

      ରଚନା,କେଇ ବର୍ଷ ହୋଇ ବାହା ହୋଇ ଆସିଥିବା ତା'ସାନ ଯା । ମୁହଁ ଟା ଶୁଖି ଏକଦମ କଳାକାଠ ପଡିଯାଇଥିଲା କାନ୍ଦ କାନ୍ଦ ହୋଇ କହିପକାଇଲା-ଅପା,ସେ ଓଡିଶା ହୋଟେଲ ମନା କରିଦେଲା,ଆଜି ପଖାଳ ସପ୍ଲାଇ କରିପାରିବନି!ମୋ ପଖାଳ ପାର୍ଟି କଣ ହେବ ଯେ?ବୋଉ ଙ୍କୁ ତ ଏତେ ଖୋସାମନ୍ତ କରି କରି ଆସିଲେନି।ଲଞ୍ଚ କେମିତି ଆରେଞ୍ଜ କରିବି ଦଶ ଜଣଙ୍କ ପାଇଁ?ମତେ ତ କିଛି ଆସେନି ତା'ଛଡା ସେ ପଖାଳର ବାସ୍ନା ବିଷୟରେ ମୁଁ ଦୁଇ ଦିନ ତଳେ ଏତେ ବଡ଼ ଲମ୍ବା ଭାଷଣଟା ଦେଇଛି ଆମ ଲେଡିଜ କ୍ଲବରେ ,ଆଉ ନିମନ୍ତ୍ରଣଟା ମଧ୍ୟ ନିଜ ତରଫରୁ ଆମ ଘରକୁ କରିଦେଇଛି।କେବଳ ଦଶ ଜଣରାଜି ହୋଇଛନ୍ତି ଆସିବାକୁ।ଆମ କ୍ଲବର ପ୍ରେସିଡେଣ୍ଟ ପାଇଁ ଇଲେକ୍ସନଟା ଖୁବ ନିକଟରେ ସେଥିପାଇଁ ମତେ ଏସବୁ କରିବାକୁ ପଡୁଛି।ଭାବିଥିଲି ,ବୋଉଙ୍କ ହାତରନ୍ଧା ବାସ୍ନା ପଖାଳ ଖାଇ ସମସ୍ତେ ପୁରା ଖୁସି ହୋଇଯିବେ ଆଉ ମୋ ପ୍ରେସିଡେଣ୍ଟ ହେବା ଟା ସୁନିଶ୍ଚିତ!ହେଲେ,ନାଁ ବୋଉ ଆସିଲେ,ନାଁ ଶେଷ ଭରଷା ଯୋଉ ହୋଟେଲ ଉପରେ ଥିଲା,ସିଏ ବି ମନା କରିଦେଲା!ତା'ରକୁଆଡେ ବହୁତ ପୂର୍ବରୁ ବୁକିଙ୍ଗ ହେଇଯାଇଛି!ଶେଷ ମୁହୂର୍ତ୍ତରେ କିଛି ହୋଇପାରିବ ନି !ମୁଁ ଏବେ କଣ କରିବି ଅପା?

              ଅମ୍ବା କିଛି କ୍ଷଣ ରହିଯାଇ ରଚନାକୁ ଡାକି ଆଣିଲା ଡାଇନିଂ ଟେବୁଲ ପାଖକୁ।ଚା'କପ୍ ଟି ତା'ହାତକୁ ବଢ଼ାଇ ଦେଇ କହିପକାଇଲା-ଆଗ ଏ ଚା'ଟିକକ ପିଇ ଦେ।ଥଣ୍ଡା ମନରେ ଚିନ୍ତା କରିବା ୟା'ର ବିକଳ୍ପ!ଜମା ବ୍ୟସ୍ତ ହ' ନି।ରଚନାର ବ୍ୟସ୍ତତା କିନ୍ତୁ ଅମ୍ବାର କଥାରେ ଟିକିଏ ବି କମି ନ ଥିଲା।ବାରମ୍ବାର କାନ୍ଥ ଘଣ୍ଟା ଟିକୁ ଅନାଉଥିଲା!ସତେ ଯେମିତି କାନ୍ଥ ଘଣ୍ଟା ଟିର କଣ୍ଟା ଗୁଡିକ ଖୁବ ଜୋରରେ ଚାଲୁଥିଲେ ଆଉ ବାହାରେ ପଡିଥିବା ଖରାର ତୀବ୍ରତା ଯେମିତି ହୁ ହୁ ହୋଇ ବଢି ଚାଲୁଥିଲା!

        ଚା'କପ୍ ଟି ଖାଲି କରିଦେଇ ଅମ୍ବା ଆରମ୍ଭ କରିଥିଲା-ଆଛା,ଆମ ଘରେ କାମ କରୁଥିବା ଠୁକୁରିକୁ କହିଲେ କେମିତି ହେବ?ଏତକ ଶୁଣୁ ଶୁଣୁରଚନାର ମୁହଁର ରଙ୍ଗ ବଦଳି ଯାଇଥିଲା ଓ ତା'ପାଟିରୁ ବାହାରି ଆସିଥିଲା-ଛି...ନାଇଁ...ନାଇଁ ଅପା...ସେ ଅସନି ଟା କଣ କରିବ?ତା'ହାତରେ କଣ ଯାଦୁ ଅଛି?ପଖାଳ ତ ଦିନକ ପୂର୍ବରୁ ହଵା କଥା!ସମାନ୍ୟ ରହିଯାଇ ପୁଣି କହିପକାଇଲା-ତାକୁ ବରଂ କିଛି ଟଙ୍କା ଦେଇଦେବା କିଛି ଦେଶୀ ଆଇଟମ ପଖାଳ ସାଙ୍ଗରେ କରାଇଦେବା! ହେଲେ,ସିଏ କେମିତି ରନ୍ଧାରନ୍ଧି କରେ ,ମୁଁ ତ ଜାଣିନି!ସିଏ ବି ଏତେ ଡେରିରେ ଆମ ଘରକୁ କାମ କରିବାକୁ ଆସେ ଆପଣ ତ କିଛି କୁହନ୍ତିନି ତାକୁ!ଆପଣଙ୍କ ଦେହ ବି ଭଲରହୁନି କେମିତି କଣ ହେବ ମୁଁ ଜାଣିପାରୁନି!ମୋ ମୁଣ୍ଡରେ କିଛି ପସୁନି!ଆପଣ ଟିକିଏ ଚିନ୍ତା କରି ଯାହା ଠିକ ଭାବିବେ କରନ୍ତୁ।

          ଅମ୍ବା କିଛି ସମୟ ଚୁପ ହୋଇ ବସିପଡିରଚନାକୁ ଡାକି ସାଂଗରେ ନେଇ ଠୁକୁରି ଘରକୁ ଚାଲିଲା।ଆଉଟ ହାଉସ,ସରଭ୍ୟାଣ୍ଟ କ୍ବାଟରରେ ରହୁଥିବା ଠୁକୁରି ଘର ଭିତରେ ତା'ପିଲାଙ୍କୁ ଖାଇବାକୁ ଦେଉଥିବା ଦେଖି ଅମ୍ବା ଆଶ୍ଚର୍ଯ୍ୟ ହୋଇ ପଚାରିଦେଲା-ଆଲୋ ତୋ ଝିଅକୁ ପା ଏବେ ଜର ଛାଡିଥିଲା ବାସି ପଖାଳ ଗୁଡା ସକାଳୁ ଦଉଛୁ?

        ରଚନା କିନ୍ତୁ ପଖାଳର ବାସ୍ନାରେ କ୍ଷଣେ ରହିଯାଇଥିଲା।ଅତି ସନ୍ତର୍ପଣରେ ଅମ୍ବାକୁ ଧୀରେ କରି ପଚାରିଦେଲା-ଅପା ଏ ଠୁକୁରି କଣ ଆମ ବୋଉଙ୍କ ଠାରୁ ପଖାଳ କରିବା ଶିଖିଦେଇଛି କି?ତା'ପଖାଳର ବାସ୍ନା ତ ଠିକ ଆମ ବୋଉଙ୍କ ପଖାଳ ଭଳି ମହକୁଛି!ଜାଣିଥିଲେ,କାଲି ଠୁ ତାକୁ କହିଦେଇଥାନ୍ତି ଆମ ଘରେ ରାନ୍ଧିକି ଟିକେ ପଖାଳି ଦେବାକୁ!ହେଲେ,ଏବେ.....ଆଉ କିଛି ନ କହିକି ଚୁପ ହୋଇଗଲା।ଅମ୍ବାର କଥାରେ ଠୁକୁରି ହସି ହସି କହି ପକାଇଲା-ନାଇଁ ମ ମା,ମୋ ଝୁଅର କିଛି ହବନି।ଆମର ପା ଅଭ୍ୟାସ ଅଛି!ପଖାଳ ନ ଖାଇଲେ କଣ ସିଏ ରହିପାରିବ?ଆମର ତ ସକାଳୁ ଫି ଦିନ ପଖାଳ କଂସିଏ ଦରକାର।ମୋ ଛୁଆ ବି ସେଇଥିରେ ବଢ଼ିଛନ୍ତି!ତାଙ୍କର କିଛି ହବନି ମ ,ତେମେ କୁହ ମା ମୁଁ ତ ଆଉ ଘଣ୍ଟେ ଗଲେ ତମ ଘରକୁ ଯାଇଥାନ୍ତି କାହିଁକି ପୁଣି ଦି'ମା ଯାକ ଆଇଲ?ମୋର କି ଭାଗ୍ୟ!!ଆଜି ମୋ ଘରେ ଦି'ଜଣଙ୍କର ପାଦ ପଡିଲା!!

        ଏଥର ଅମ୍ବାରଚନା ସାଙ୍ଗରେ ଚୁପଚୁପ କିଛି କଥା ହୋଇ ତାକୁ କହିଲା-ଯା ତୁ ଏବେ ଘରକୁ ଯା, ମୁଁ ଠୁକୁରି ସାଙ୍ଗରେ ଟିକେ କଥା ହୋଇକି ଯାଉଛି।ରଚନା ଘରକୁ ଯିବା ବେଳକୁ ମୁହଁରେ ତା'ର ଅସ୍ବସ୍ତିକର ରଙ୍ଗ ଟା ସଙ୍ଗରେ ଅସହାୟତା ମଧ୍ୟ ସ୍ପଷ୍ଟ ବାରି ହୋଇ ପଡୁଥିଲା!

       କିଛି ସମୟ ପରେ ଠୁକୁରି ସାଙ୍ଗରେ ଅମ୍ବା ଆସି ରୋଷେଇ ବାସରେ ଲାଗିପଡିଥିଲେ।ଆଉ ରଚନାର ସାଙ୍ଗସାଥୀ ମାନେ ଆସି ସେଦିନ ଖୁସି ଖୁସିରେ ପଖାଳ ଖାଇ ବିଦା ହେଲାବେଳେ ପଖାଳର ବାସ୍ନା ଉପରେ ବହୁରୁଚିକର ଟିପ୍ପଣୀ ମଧ୍ୟ ଦେଇଗଲେ।ରଚନାର କିନ୍ତୁ ପଖାଳ କଂସାରେ ହାତ ବାଜି ନ ଥିଲା ସମସ୍ତଙ୍କୁ କଥାରେ ମତାଇ କେବଳ ଭଜାଭଜି ଖାଇ ସମସ୍ତଙ୍କ ସାଙ୍ଗରେ ଉଠି ଯାଇଥିଲା।ଲଞ୍ଚ ଟି ଯଦିଓ ଭରପୁର ଲୋଭନୀୟ ହୋଇଥିଲା, ହେଲେ ଠୁକୁରି ଘରୁ ଆସିଥିବା ପଖାଳର ସିକ୍ରେସି ଯେମିତି ତା'ଭିତରେ ତାକୁ ଛଟପଟ କରୁଥିଲା!ଠୁକୁରି ଘରୁ ପଖାଳ ଆଣି ତାଙ୍କ ଘରରନ୍ଧା ଭାତରେ ମିଶାଇ ପରସିବାକୁ ଯଦିଓ ନିଜେ ବହୁ କଷ୍ଟରେ ରାଜି ହୋଇଥିଲା ହେଲେ ନିଜ ମନକୁ ବୁଝାଇ ପାରୁନଥିଲା!ହେଲେ,ପ୍ରକୃତ ସତ୍ୟ ଟା ଯେ ଅମ୍ବା ଓ ଠୁକୁରି ଭିତରେ ସବୁଦିନ ରହିଯାଇଥିଲା-ଅମ୍ବା ପୂର୍ବ ଦିନରାତିରେ ନିଜେ ଉଷୁନା ଭାତରାନ୍ଧି ପଖାଳି ଦେଇଥିଲା ଯୋଉଟା ତା'ଶାଶୁଙ୍କ ଠାରୁ ଶିଖିଥିଲା ସେଥିପାଇଁ ସେ ପଖାଳତକ ଠିକ ସେମିତି ବାସୁଥିଲା! ହେଲେ, ଅମ୍ବାର ସେକଥା ରଚନାକୁ ନ କହିବାଟା ଅବଶ୍ୟ ଠୁକୁରି ମୁଣ୍ଡରେ ପସୁନଥିଲା କେବଳ ଅମ୍ବା ଉପରେ ଥିବା ଅଗାଧ ବିଶ୍ୱାସ ତା'କଥାର ସତ୍ୟତା ଲୁଚାଇ ଦେଇ ଥିଲା!

            ଏପଟେ ଅମ୍ବାର ନିଜ ସାନ ଯା'ରଚନାର ଅତ୍ୟାଧୁନିକତାର ଖୋଳ ପିନ୍ଧା ଶରୀର ଭିତରୁ ନାରୀର ମନ ଟିକୁ ତରଳାଇବାର ଚେଷ୍ଟାରେ ଯେମିତି ସେଦିନ କିଛିଟା ସକ୍ଷମ ହୋଇ ଯାଇଥିଲା!ଠୁକୁରି ପ୍ରତି ଥିବା ଦୃଷ୍ଟି କୋଣ ଓ ଶାଶୁଙ୍କ ପ୍ରତି ଥିବା ଅସୁୟା ଭାବରରଙ୍ଗ ଟା ଯେମିତି ଟିକିଏ ଫିକା ପଡିଯାଇଥିଲା!ଶାଶୁ ତାଙ୍କର ପୁରୁଣାକାଳିଆ ଲୋକ ହେଲେ ବି ଘରର ମୁରବି ଓ ସେମାନଙ୍କ ଜୀବନ ସାଥୀଙ୍କର ଜନ୍ମଦାତ୍ରୀ,ଏକଥା ଯଦିଓ ରଚନାକୁ ବୁଝାଇବାକୁ ଅମ୍ବା ଅନେକଥର ଚେଷ୍ଟା କରିଥିଲା ଆଉ ଠୁକୁରି ଯେ ଗରିବ ହେଲେ ମଧ୍ୟ ଯାହାର ଆବଶ୍ୟକତା ପୁରା ପରିବାର ପାଇଁ ସବୁବେଳେ ଥିଲା ଏକଥା କିନ୍ତୁ ରଚନାର ହୃଦବୋଧ ହୋଇ ପାରୁନଥିଲା!କେବଳ ଯେ ପଇସା ଯୋଗୁଁ ଠୁକୁରି ଏତେ କାମ କରୁଥିଲା ସ୍ନେହ ମମତାରେ ବି ବାନ୍ଧି ହୋଇ ଯାଇଥିବା ସମ୍ବନ୍ଧ ଟି ଯେ ସମୟ ଅସମୟରେ ସାହାଯ୍ୟର ହାତ ବଢାଇଦେଉଥିଲା ଏକଥା ରଚନା ସ୍ଵୀକାର କରିପାରୁନଥିଲା!ହେଲେ,ସେଦିନ ରଚନାର ସବୁ ଭ୍ରମ ଯେମିତି ଦୂର ହୋଇ ଯାଇଥିଲା!ପରିବାରରେ ସମସ୍ତଙ୍କର ସ୍ନେହ ସୌହାର୍ଦ୍ଦ୍ୟ ଯେ ଜୀବନର ଚଲାପଥରେ ଏକାନ୍ତ ଆବଶ୍ୟକ, ଏକଥା ଅଳ୍ପେବହୁତେ ରଚନା ଅନୁଭବ କରିପାରିଥିଲା!ଆଉ ଅମ୍ବାର କହୁଥିବା ଅନେକ ନୀତିବାଣୀ ସେଦିନ ପ୍ରବଚନ ପରି ଲାଗିନଥିଲା,ହୁଏତ ନିଜ ଭିତରର ଶୋଇପଡିଥିବା ନାରୀ ଟି କଡ଼ଲେଉଟାଇ ଦେଇଥିଲା..ମୁହଁରେ ତାର ଥିଲା,ଆତ୍ମଗ୍ଲାନି ଓ ଆତ୍ମସନ୍ତୋଷର ଫେଣ୍ଟା ଫେଣ୍ଟିରଙ୍ଗ!

    

          


     


Rate this content
Log in

Similar oriya story from Drama