puspanjali das

Classics

3  

puspanjali das

Classics

ପିତାଶାଗ

ପିତାଶାଗ

4 mins
157



   ଅଦିନିଆ ବର୍ଷା ଟା ଦି'ଅସରା କାଚି ଦେଇ ଛାଡ଼ିଗଲା ପରେ ପଦ୍ମା ବାଡ଼ି ଟିକୁ ତା'ର ତରତର ହୋଇ ଚାଲିଯାଇଥିଲା।ଅନେକ ଦିନ ପରେ ବଡ଼ ବଡ଼ ବେଡ଼ସିଟ କେତୋଟି କୁ ବାଡି ରେ ଲୁଗାଶୁଖା ହେବା ପାଇଁ ଟଙ୍ଗା ହୋଇଥିବା ତାରଟିରେ ଶୁଖାଇ ଦେଇଥିଲା।ଦେହ ଟା ତା'ର ଟିକିଏ ଖରାପ ହେବା ଦିନଠାରୁ,ସେ ତାର ଟିରେ ଲୁଗାପଟା ଖରାରେ ଶୁଖାଇବାଟା ଯେମିତି ଭୁଲି ଯାଇଥିଲା!ହେଲେ,ଏତେଦିନ ପରେ ଯେମିତି ତା'ସାଙ୍ଗରେ ଏ ଅଦିନିଆ ବର୍ଷା ଟା ମଧ୍ୟ ଦାଉ ସାଧିଲା!ଦି'ଅସରା କାଚି ଦେଇ ସବୁ ପରିଶ୍ରମ ତା'ର ପାଣି ରେ ପକାଇଦେଲା!ଆଉ କେବେ ଶୁଖାଇବନି ବୋଲି ମନସ୍ଥ କରି,ସବୁ ବେଡ଼ସିଟ ଗୁଡିକୁ ଉଠାଇ ଆଣୁ ଆଣୁ ,ହଠାତ୍ ଆଖି ତା'ର ଗୋଟିଏ ଜାଗାରେ ଯେମିତି ଲାଖି ଯାଇଥିଲା!ବେଡ଼ସିଟ ଗୁଡିକ ହାତରେ ଜାକିଜୁକି କି ଧରି,ପାଦ ତା'ର ଆଗେଇ ଯାଇଥିଲା,ସେଇ ଚାରିପାଞ୍ଚ ହାତ ପର୍ଯ୍ୟନ୍ତ ଲମ୍ବି ଯାଇଥିବା ସବୁଜ ବୁଦୁବୁଦିକିଆ ଗଛ ଗୁଡିକ ଆଡକୁ।ନଇଁ ପଡି ହାତରେ ଆଉଁଷି ଆଣିଥିଲା ସେଇ ମନ୍ଦା ମନ୍ଦା ଗଛଗୁଡିକୁ,ସତେ ଯେମିତି କିଛି ସ୍ମୃତି କୁ ସାଉଁଟି ଆଣୁଥିଲା!

     ହଠାତ୍ ତା'ପାଟି ରୁ ବାହାରି ଆସିଥିଲା,ଆରେ,ଏଗୁଡା କେବେ ଏତେ ସୁନ୍ଦର ହୋଇ ବଢି ଯାଇଛି?ଯେତିକି ଆଶ୍ଚର୍ଯ୍ୟ ହୋଇଥିଲା,ତା ଠାରୁ ବେଶୀ ଖୁସି ହୋଇଥିଲା!ଅନେକ ବର୍ଷ ପରେ ଯେମିତି ସେ ମନ୍ଦା ମନ୍ଦା ଗଛ ଗୁଡିକ ଭାରି ଆପଣାର ହୋଇ ଡାକ ପକାଉଥିଲେ!ସତେ ତ!ଦେହ ଖରାପ ହେବା ଦିନ ଠାରୁ ବାଡ଼ି କୁ ଆସିବା ଯେମିତି ଭୁଲି ଯାଇଥିଲା,ସେମିତି ସେ ଶାଗ କୁ ମଧ୍ୟ ଭୁଲି ଯାଇ ଥିଲା-ପିତାଶାଗ!!

    ସେ ଶାଗ ଗଛ ଗୁଡିକ ଏତେ ଘଞ୍ଚ ହୋଇଯାଇଥିଲା ଯେ ଛୋଟିଆ ସବୁଜ ଗାଲିଚାଟିଏ ର ଭ୍ରମ ସୃଷ୍ଟି କରି ଖଣ୍ଡେ ବାଟ ପର୍ଯ୍ୟନ୍ତ ମାଡି ଯାଇଥିଲା, ଆଉ ଶାଗ ତୋଳିବ କି ନାହିଁ ଭାବୁ ଭାବୁ ,ଭାବନା ଟା ତା'ର ଲମ୍ବି ଯାଇଥିଲା ଅନେକ ବର୍ଷ ତଳକୁ--ସେଦିନ ବି ଠିକ ଏଇ ସମୟ ରେ ଶାଶୁ ପୋଖରୀ ହୁଡା ରୁ ଦୁଇବୁଦା ପିତାଶାଗ ଓପାଡି ଆଣି ତାକୁ ଦେଇଥିଲେ,ଆଉ କହିଥିଲେ-ମା'ରେ ୟାକୁ ଟିକିଏ ପତୁଆ କରିଦେବୁ,ପାଗୁଲୁ ଟା ଭାରି ଭଲପାଏ।ରାତିରେ ସଜ ପଖାଳ ସାଙ୍ଗରେ ଖୁସିରେ ଖାଇଦେଵ।ସ୍ନେହ ରେ ସେ ତାଙ୍କ ପୁଅ କୁ ପାଗୁଲୁ ଡାକନ୍ତି,ଯୋଉ ନାଁ ଟା କେବଳ ତାଙ୍କରି ମୁହଁ ରୁ ସେ ଶୁଣୁଥିଲା!ଏଥର ପଦ୍ମା କୁ ଆଉ ଗୋଟିଏ ପରୀକ୍ଷା ଦେଲା ଭଳି ଲାଗୁଥିଲା,କାରଣ ସେକଥା ତା'ଶାଶୁ ଙ୍କୁ ଘର ର ଅନ୍ୟମାନେ ରାଣ ପକାଇ କହିବାକୁ କହିବାର ସିଏ ଶୁଣିଦେଇଥିଲା।ଅନିଛା ସତ୍ତ୍ୱେ ଶାଶୁ ତା'ର ପତୁଆ କରିବାକୁ କହିଥିଲେ!'ପତୁଆ' ନାଁ ଟି ସିଏ କେବେ ଆଗରୁ ଶୁଣି ନ ଥିଲା।କେମିତି କଣ କରିବ,ଜମା ଜାଣି ପାରୁନଥିଲା!ବାହାଘର ର କେଇଟା ଦିନ ହୋଇଥିଲା,ଘରେ ସେ ପର୍ଯ୍ୟନ୍ତ ନଣନ୍ଦ,ନଣନ୍ଦେଇ,ବନ୍ଧୁ ବାନ୍ଧବ ସମସ୍ତେ ଭର୍ତ୍ତି ହୋଇଥିଲେ।

       ପ୍ରଥମ ପରୀକ୍ଷା ଟି ତ କଷ୍ଟେ ମଷ୍ଟେ ମା'କଟକ ଚଣ୍ଡୀ ଙ୍କୁ ଡାକି ଡାକି ପାସ କରିଦେଇଥିଲା!ସାଙ୍ଗରେ ଯାଇଥିବା ବଡ଼ ଭାଇ ଟି ମଧ୍ୟ ସାହାଯ୍ୟ କରିପାରିନଥିଲେ!ବ୍ରାହ୍ମଣ ଚତୁର୍ଥୀ ପୂଜା କରୁ କରୁ ବିଭିନ୍ନ ପ୍ରକାର ର ଜିନିଷ ଗୋଟିଏ ବଡ଼ କଂସା ଥାଳି ଟିରେ ରଖିକି - ମାଟି ଟିକିଏ,କନା ଖଣ୍ଡେ,ସୁନା ଟିକିଏ,ଧାନ ମୁଠିଏ,କିଛି ଟଙ୍କା,କିଛି ଗୋବର,କିଛି ଖାଦ୍ୟ ସାମଗ୍ରୀ,ସେଥିରୁ ଯେକୌଣସି ଗୋଟିଏ କୁ ଛୁଇଁ ବାକୁ କହିଥିଲେ।ଧାନ ମୁଠିକ କୁ ଛୁଇଁ ଦେଇ ସେଦିନ ତା'ଶାଶୁ ଓ ବଡ଼ ଭାଇ ଙ୍କ ସମ୍ମାନ ଯେମିତି ରଖିଦେଇଥିଲା,ସମସ୍ତଙ୍କ ର ପ୍ରିୟପାତ୍ରୀ ହୋଇ ଯାଇଥିଲା!ଆଉ ସେଦିନ ର ପ୍ରଥା ଅନୁସାରେ ଚତୁର୍ଥୀ ନାଁ ତା'ର' ଲଷ୍ମୀ' ଦିଆହୋଇଯାଇଥିଲା!ପରେ ଶୁଣିବାକୁ ପାଇଥିଲା ଯେ,ସେସବୁ ଜିନିଷ ଥୋଇବା ର ଉଦ୍ଦେଶ ଥିଲା ଖୁବ ନିଆରା-ମାଟି ଛୁଇଁ ଲେ ଜମିବାଡ଼ି ରଙ୍କୁଣୀ,କନା ରେ ଲୁଗାପଟା ରଙ୍କୁଣୀ,ସୁନା ରେ ଗହଣା ରଙ୍କୁଣୀ,ଟଙ୍କା ରେ ଟଙ୍କା ପଇସା ରଙ୍କୁଣୀ,ଗୋବର ରେ ଗାଈ ରଙ୍କୁଣୀ,ଖାଦ୍ୟ ରେ ଖାଇବା ଲୋଭୀ,କିନ୍ତୁ ଧାନ ହେଉଛି ମା'ଲକ୍ଷ୍ମୀ ଙ୍କ ପ୍ରିୟ ଓ ସୁଗୃହିଣୀ ର ପ୍ରତୀକ!ଏସବୁ ଯଦିଓ ପଦ୍ମା ,କଟକ ଝିଅ ହୋଇଥିବାରୁ ଜାଣିନଥିଲା କି ବୁଝିନଥିଲା,ଶାଶୁ ତା'ର ଚୁପକରି କହିଦେବାକୁ ବହୁତ ଚେଷ୍ଟା କରିଥିଲେ,ହେଲେ ନଣନ୍ଦ ଓ ନଣନ୍ଦେଇ ଓ ଅନ୍ୟ ଥଟ୍ଟା ସମ୍ପର୍କୀୟ ମାନେ ତାଙ୍କୁ ଜମା କହିବାକୁ ଦେଇ ନ ଥିଲେ।କିନ୍ତୁ ତା'ର ନିର୍ଣ୍ଣୟ ଟି ସେଦିନ ହସଖୁସି ର ପରିବେଶ ଟି କୁ ବେଶ ଉପଭୋଗ୍ୟ କରିଦେଇଥିଲା!

          ସେଦିନ ର କିନ୍ତୁ ପିତାଶାଗ ର ପତୁଆ ଟି ତାକୁ ବହୁତ ଅଡ଼ୁଆ ଲାଗିଥିଲା।କେବଳ ଶାଗ ଗୁଡିକ ଝିଅ ବେଳେ ବୋଉ ତା'ର ବଛା ବଛି କରୁଥିବାର ଯାହା ଦେଖିଥିଲା!ଥରେ ହେଲେ ନିଜେ ବାଛି ନ ଥିଲା କି ରାନ୍ଧି ନ ଥିଲା!ଅନ୍ୟ ରନ୍ଧା ରନ୍ଧି ଯାହା ଥରେ ଅଧେ କରିଥିଲା, ହେଲେ ନିୟମିତ କେବେହେଲେ ରୋଷାଇବାସ ର ଦାଇତ୍ୱ ଦିନଟିଏ ବି ନେଇ ନ ଥିଲା!ସାନ ଝିଅବୋଲି, ବୋଉ ଓ ଖୁଡି ,ଉଭୟଙ୍କ ପାଖରେ ଅତି ଗେହ୍ଲା ରେ ବଢିଥିଲା,ଯୋଉଟା ତା'ପାଇଁ ବାହାଘର ପରେ ବହୁ ଅସୁବିଧା ର ସମ୍ମୁଖୀନ କରାଇଥିଲା!ସେଦିନ କିନ୍ତୁ ଶାଗ ଗୁଡିକୁ ବଛାବଛି କରିଦେଇ ରଖିଦେଇଥିଲା!!ତା'ପରେ କଣ କରିବ ଭାବୁ ଭାବୁ ଝାଳନାଳ ହୋଇ ଯାଇଥିଲା!ଦୀର୍ଘ ୩୫ ବର୍ଷ ତଳର କଥା ଭାବିଲେ ଆଜି କେମିତି ଲାଗେ,ନାଁ ସେତେବେଳେ ନେଟ ଥିଲା ,ନାଁ ମୋବାଇଲ,ଯେ ଗୁଗୁଲ ରୁ ଆଜିକାଲି ପିଲାଙ୍କ ପରି ସବୁ ବାହାର କରିଦେବ!!କଟକ ଝିଅ ବୋଲି ପ୍ରଥମରୁ ଘରେ ଗୋଡ଼ ଦେଉ ଦେଉ,କିଛି ନୀତି ନିୟମ ଜାଣି ନ ଥିବାର ଷ୍ଟାମ୍ପ ଟା ବାଜି ଯାଇଥିଲା, ଯେତେବେଳେ ଗାଡି ରୁ ଓହ୍ଲାଉ ଓହ୍ଲାଉ ଚାଉଳ ଆଣ ପସିଥିବା ପିତ୍ତଳ ଗିନା ଟିକୁ ଧରିଥିବା ର ଦେଖି ଶାଶୁଘର ଲୋକ ବହେ ହସି ଥିଲେ, କାରଣ ବାଲେଶ୍ଵର ପଟେ ଗୃହ ପ୍ରବେଶ ର ଶିଉଳି ଲେଖା ରପ୍ରଚଳନ ନ ଥିଲା!ଆଉ ଗୃହ ପ୍ରବେଶ ର ଯୋଉ ନିୟମ ଟି ଥିଲା, ସେଥିରେ ତ ପଦ୍ମା ଫେଲ ହୋଇଯାଇଥିଲା!ଘର ବାରଣ୍ଡାରେ କଂସା କେତୋଟି ଉଗୁଡା ହୋଇ ଥୁଆ ହୋଇଥିଲା, ଯାହା ଉପରେ ଗୁଆଟିଏମାନ ଥୁଆ ହୋଇଥିଲା, ଆଉ ସେ କଂସା ଗୁଡିକୁ ଧୀରେ ଘୁଞ୍ଚାଇ ଯେମିତି ଉପରେ ଥୁଆହୋଇଥିବା ଗୁଆ ଗୁଡ଼ିକ ପଡି ନ ଯାଏ-ଆଉ ଗୃହ ପ୍ରବେଶ ସୁରୁଖୁରୁରେ ହୋଇଯାଏ।ହେଲେ,ପଦ୍ମା କୁ ସେସବୁ ଅଜଣା ଥିବାରୁ ଘୁଞ୍ଚାଇଲା ବେଳେ ସବୁ ଗୁଆତକ ଗଡି ଯାଇ,ତାକୁ ଓ ତା' ଭାଇ ଦୁହିଁଙ୍କୁ ଥଟ୍ଟା ମଜ୍ଜା ର ଶିକାର ହେବାକୁ ପଡିଥିଲା!

            ଏମିତି ଭାବୁ ଭାବୁ ପଦ୍ମା ର ମନେ ପଡିଯାଇଥିଲା,କେମିତି ସେଦିନ ଶାଶୁ ତା'ର ସମସ୍ତ ଙ୍କ ଅଲକ୍ଷ ରେ ଶିଳ ରେ ,ପିତାଶାଗ,ରସୁଣ,କଞ୍ଚାଲଙ୍କା,ଶୋରିଷ ମିଶାଇ ବାଟି ଆଣିଥିଲେ, ଆଉ ତାକୁ ଆଳୁ ସରୁ ସରୁ କରି କାଟିବାକୁ କହିଦେଇ ,ନିଜେ ତର ତର ହୋଇ,କଡ଼ାଇ ବସାଇ,ସେ ଶାଗ ବଟାକୁ ଆଳୁ କଟା ସାଙ୍ଗରେ ମିଶାଇ 'ପତୁଆ' ବସାଇ ଦେଇଥିଲେ।ପଦ୍ମା କୁ ଚୁଲି ପାଖରେ ବସାଇଦେଇ,ଲୁହା ଖଡିକା ଟିକୁ ,ଯାହାକୁ ସେଠି ଖୁଶୁଣି କୁହନ୍ତି,ଧରାଇ ଦେଇଥିଲେ,ଆଉ ଚୁପକରି ତାକୁ କହିଦେଇ ଥିଲେ-କାହାକୁ କିଛି କହିବୁନି,ମୁଁ ବସେଇ ଦେଇଛି,ତୁ ଖାଲି ଟିକେ ଟିକେ ମଝିରେ ମଝିରେ ଖୁଶୁଣି ରେ ଗୋଳେଇକି,ଖେଳେଇ ଦେଉଥିବୁ।ଅଳ୍ପ ଜାଳ ରେ ରାନ୍ଧିବୁ,ଆଳୁ ଶିଝିଗଲେ ଜାଳ କାଢି ଦେଇ ଘୋଡାଇକି ରଖିଦେବୁ।

          ସତରେ,ସେଦିନର ପରୀକ୍ଷା ରେ ଫୁଲ ମାର୍କ ରେ ପାସ କରିଯାଇଥିଲା,ହେଲେ ,ସେ ଭିତିରି କଥା ଟି କେବଳ ତା' ଶାଶୁ ଓ ତା'ଭିତରେ ସବୁଦିନ ପାଇଁ ଲୁଚିକି ରହିଯାଇଥିଲା!ଗୃହପ୍ରବେଶ ର ଅକୃତକାର୍ଯ୍ୟ ଟି ଟିକିଏ ଯାହା ଫିକା ପଡି ଯାଇଥିଲା!ସବୁଦିନପାଇଁ କିନ୍ତୁ ତା'ମନ ଭିତରେ ଯେମିତି ଲେଖି ହୋଇଯାଇଥିଲା 'ପିତା ଶାଗ ପତୁଆ'!!ଶାଶୁ ଏ ଦୁନିଆରୁ ଯିବାର ଅନେକ ବର୍ଷ ହୋଇଯାଇଥିଲେ ବି ନାଁ ସେ 'ପିତାଶାଗ' କୁ ଭୁଲିପାରୁଥିଲା ନା ସେ 'ପିତାଶାଗପତୁଆ ପତୁଆ'କୁ...


       


Rate this content
Log in

Similar oriya story from Classics