ପିଙ୍କ ଛତାର ତାତି
ପିଙ୍କ ଛତାର ତାତି
ଆଜିକାଲି ଏ ମୁଖ ପୁସ୍ତିକାର ଅବସ୍ଥା ଯାହା , ନୂଆ ବନ୍ଧୁଟିଏ ସହିତ ସମ୍ପର୍କ ଯୋଡ଼ିବା ପାଇଁ ଅନେକ ଭାବିଚିନ୍ତି ନିଷ୍ପତି ନେବାକୁ ପଡ଼ୁଛି । ପୁରା ପ୍ରୋଫାଇଲ ତନାଘନା କରି ଚେକ କଲାପରେ ଯାଇ ଯାହା ସିଦ୍ଧାନ୍ତ ନେବାକୁ ପଡ଼ୁଛି । ପୁରୁଣା ବନ୍ଧୁମାନଙ୍କ ସହିତ କିଛି ସମ୍ପର୍କ ଅଛିକି ନାହିଁ ସେଇଟା ମୁଖ୍ୟ କଥା । ପୁରୁଣା ବନ୍ଧୁମାନଙ୍କର ସେମାନଙ୍କ ପ୍ରତି ଦୃଷ୍ଟିକୋଣ ବି ପଚାରି ବୁଝିବାକୁ ପଡ଼ୁଛି । ସେଥିରେ ବେଶି ଭୟ ଫଟ ନଥିବା ଝିଅ ମାନଙ୍କର ବନ୍ଧୁତ୍ୱ ।
କାରଣ କେତେ ବସନ୍ତ ବାସନ୍ତୀ ସାଜି ଆଉ କେତେ ମଳୟ ମାଳତୀ ସାଜି ଝିଅମାନଙ୍କ ନାଁ ରେ ଆକାଉଣ୍ଟ ଖୋଲି ଏ ମୁଖ ପୁସ୍ତିକାକୁ କଳୁଷିତ କରୁଛନ୍ତି ସେ ବିଷୟରେ କହିବା ବାହୁଲ୍ୟ । ଖାଲି ପୁଅମାନେ ଏମିତି ନକଲି ଆକାଉଣ୍ଟ ଖୋଲୁଛନ୍ତି ଏକଥା କହିଲେ ଅନ୍ୟାୟ ହେବ , ଝିଅମାନେ ବି ଏ କାମରେ କାନ୍ଧକୁ କାନ୍ଧ ମିଶେଇ ସାରିଲେଣି , ମାଳତୀ ମାନେ ବି ମଳୟ ସାଜି ଅନ୍ୟମାନଙ୍କୁ ହଇରାଣ କରିବାର ଅନେକ ନଜିର ସାମ୍ନାକୁ ଆସିଲାଣି ।
ଏମିତି ଏକ ବନ୍ଧୁତ୍ୱ ଅନୁରୋଧ ଦେଖି ତାଙ୍କର ପ୍ରୋଫାଇଲ ଚେକ କରି ମନରେ ଅନେକ ପ୍ରଶ୍ନ ଆଉ ସନ୍ଦେହ ରଖି ତାଙ୍କ ବନ୍ଧୁତ୍ୱକୁ ସ୍ୱୀକାର କଲି । ସନ୍ଦେହ ଏଥିପାଇଁ ଯେ ସେ ବନ୍ଧୁଙ୍କର ନାଁ ବି ଅଜବ ଥିଲା । ପିଙ୍କ ଛତା ଥିଲା ତାଙ୍କ ନାଁ,, ଆଉ ପ୍ରୋଫାଇଲ ଫଟରେ ବି ଗୋଟିଏ ପିଙ୍କ ଛତାର ଫଟ ରଖାଯାଇଥିଲା । ସେ ଅନ୍ୟଗ୍ରହର ବନ୍ଧୁଙ୍କ ବନ୍ଧୁତା ଗ୍ରହଣ କରିବାର ମୁଖ୍ୟ କାରଣ ଥିଲା ତାଙ୍କ ପ୍ରୋଫାଇଲରେ ସେ ଦେଇଥିବା ସହରର ନାମ । ସେ ସହର ପ୍ରତି ମୋ ମନରେ ଅହେତୁକ ଦୁର୍ବଳତା । କେବଳ ସେ ସହରର ନାମ ଦେଖି ତାଙ୍କ ବନ୍ଧୁତ୍ୱ ଗ୍ରହଣ କରିଥିଲି । ସେ ସହର ନିଜଭିତରେ ପୁରା ଭାରତକୁ ସମାହିତ କରି ରଖିଛି , । ଏକଥା ନୁହେଁଯେ ଅନ୍ୟପ୍ରାନ୍ତ କିମ୍ବା ଅନ୍ୟସହର କୌଣସି ଗୁଣରେ କମ । ହେଲେ ସେ ସହରର ବୈଶିଷ୍ଟ ସମ୍ପୂର୍ଣ୍ଣ ଭାବେ ନିଆରା । ସହରର ବାସିନ୍ଦା ଗୋଟିଏ ପରିବାର ପରି । ଆଉ ସେ ପରିବାରର କେନ୍ଦ୍ରରେ "ଟାଟା" । ସମସ୍ତେ ସେହି ପରିବାରର ସଦସ୍ୟ ଜାତି , ଧର୍ମ ଆଉ ପ୍ରାନ୍ତକୁ ଭୁଲି । ଆପଣାପଣ ଫୁଟିଉଠେ ସମସ୍ତଙ୍କ ଭାବନାରେ । ସେ ସହରରେ ରହି କିଛିଦିନ ସେ ସହରର ଆପଣାପଣଙ୍କୁ ଅତି ନିକଟରୁ ଦେଖିବାକୁ ମିଳିଥିଲା ।
ଛାଡ଼ ସେ ସହର ବିଷୟରେ ଆଉକେବେ ଚର୍ଚ୍ଚା କରିବା । ବନ୍ଧୁତ୍ୱ ପ୍ରସ୍ତାବ ଗ୍ରହଣ କରିବାର କେଇଘଣ୍ଟା ପରେ ଅର୍ଥାତ ସନ୍ଧ୍ୟାରେ ସେ ଅଦ୍ଭୁତ ନାମଧାରୀ ଜୀବଙ୍କର ମେସେଜ ଆସିଲା ।
ଆପଣ ବିନୋଦ ?
ହଁ ।
ତୁମେ ଦୁଇହଜାରଚାରି ମସିହାରେ ଜାମଶେଦ ପୁରରେ ରହୁଥିଲ ?
ହଁ ।
ମୋତେ ଜାଣିପାରୁଛ ?
ନା ।
ତୁମ ଫଟ ଦେଖି ମୁଁ ବି ଅଚିହ୍ନା ଅଚିହ୍ନା ହେଉଛି , ସନ୍ଦେହ ରହୁଛି ତମେ ମୁଁ ଜାଣିଥିବା ବିନୋଦ କି ନାହିଁ ?
ଆପଣ କିଏ ? ମୁଁ ପଚାରିଦେଲି ।
ମୁଁ ପ୍ରୀତି ?
ମୁଁ କିଛି ସମୟ ନୀରବ ରହିଗଲି , । ଅତୀତଟା ଦୁରେଇ ଥାଇ ମୋତେ ଉପହାସ କଲାପରି ଲାଗୁଥିଲା । ନୂଆ ବନ୍ଧୁ ଜଣକ ପୁଣି ମେସେଜ କଲେ ,
କଣ ହେଲା ? ଜାଣି ପାରିଲ ନା ନାଇଁ ?
ହଁ ଜାଣିପାରିଲି ? ତୁ ସେଇ ପ୍ରୀତିଟି ଯିଏ ମୁହଁରେ ବାହାରିଥିବା ଗୋଟେ ବ୍ରଣ ପାଇଁ ଖାଇବା ବନ୍ଦ କରିଦେଇଥିଲା ?
ସେପଟୁ ମୁଥ ର ଇମୋଜି ଆସିଲା ମୋର ସ୍ୱାଗତରେ ।
ମୁଁ ବି ହସିଦେଲି । ମନ ଖୁସିରେ ଏମିତି ନାଚୁଥିଲା ଯେମିତି ପୂର୍ଣ୍ଣ କଳସ । ମନର ଖୁସି ଉଛୁଳିକି ପାଣି ପରି ବୁନ୍ଦା ବୁନ୍ଦା ହେଇ ତଳେ ପଡ଼ିଯିବ ।
ଆରେ କେମିତି ଅଛୁ ? ଏ କି ନାଁ ରଖିଛୁ ? ଆଉ ଏ ଛତାର ଫଟ କଣ ରଖିଛୁ ?
ଆପଣରୁ ଆରମ୍ଭ ହେଇ ତୁମେରେ ଅଟକିଥିବା କଥାବାର୍ତା ଅତି ନିଜର ହେଇ ତୁ ରେ ପହଞ୍ଚି ଗଲା ।
ତୁ ଜାଣିପାରୁନୁ କି ଏ ଛତାକୁ ? ଏ ଛତାର ରଙ୍ଗଦେଖି ତୋର କଣ କିଛି ମନେ ପଡ଼ୁନି ? ନା ତୁ ଯାହା ଥିଲୁ ସେଇଆ ଅଛୁ ?
ପ୍ରିତୀର ଏ ପ୍ରଶ୍ନ ମୋତେ ଆଶ୍ଚର୍ଯ୍ୟ କରିଥିଲା । ସତରେ କଣ ଏ ସେଇ ଛତା ? ଏ କଣ ସେଇ ଛତା ଯେଉଁ ଛତା ତଳେ ଆମ ବନ୍ଧୁତାର ମୂଳଦୁଆ ପଡ଼ିଥିଲା ?
ଆରେ କିଛି କହୁନୁଯେ ଏମିତି ନୀରବ !!? ତୋର ସେ ପୁରୁଣା ପ୍ରକୃତି ଛାଡ଼ ଯାଇନି ବୋଧେ ,, ଚୁପଚାପ ରହିବାର ପ୍ରକୃତି ।
ଆରେ ନାଇଁରେ ତୋ ସାଙ୍ଗରେ ପୁଣିଥରେ କଥା ହେବିବୋଲି ମୋର ଭରଷା ନଥିଲା । ତୁ ତ ମନାକଲୁ ମୋ ସାଙ୍ଗରେ ଆଉ କଥା ହବୁନି ବୋଲି । ଆଉ ମୋର କିଛି ଦୋଷ ବି ନଥିଲା ।
ହାଏ ହାଏ ରେ ମୋର ମନର ରାଜା ,, କଥା ମାନିଛୁ ତାହେଲେ ?
କଣ କହିଲୁ ତୁ ମୁଁ ତୋ ମନର ରାଜା ?ଛାଡ଼ ଛାଡ଼ ତୁ ଆଜିବି ସେଇଆ !!!
କଣ ସେଇଆ ?
ତୁ କହିଲୁ ତୁ ବାହା ହେଇଛୁ ?
ହଁ ।
ପିଲାପିଲି କେତେଟା ତୋର ?
ପୁଅଟିଏ ଝିଅଟିଏ ?
ମୁଁ ତ ଭାବିଥିଲି ?
କଣ ଭାବିଥିଲୁ ?
ନା କିଛି ନାଇଁ ?
ମନରେ ମୋର ଅନେକ ପ୍ରଶ୍ନ ଛାଡ଼ିଦେଲା ପ୍ରିତୀର ସେଇ ପ୍ରଶ୍ନବାଚୀ । ମନେପଡ଼ିଗଲା ସେଦିନର ସେ ଅସମୟ ବର୍ଷା କଥା । କୌଣସି କାମରେ ମୁଁ ମୋର ଅଫିସରୁ କିଛି ଜରୁରୀ କାଗଜପତ୍ର ଧରି ଏକ ବିଳମ୍ବିତ ଅପରାହ୍ଣରେ ବାହାରି ଆସିଲି ଘର ଅଭିମୁଖେ । ଅଦିନିଆ ବର୍ଷାଟା ସେଦିନ ଶତୃ ସାଜି ବର୍ଷି ଚାଲିଥିଲା ,, ଅଫିସରୁ ଘର ମାତ୍ର ଗୋଟିଏ କିଲୋମିଟରର ରାସ୍ତା । ପ୍ରାୟ ଦେଢ଼ଘଣ୍ଟା ଅପେକ୍ଷା କଲାପରେ ମଧ୍ୟ କୌଣସି ଅଟୋ ପାଇଲି ନାହିଁ । ଅନ୍ଧାର ବଢ଼ିବଢ଼ି ଚାଲିଥାଏ । ବର୍ଷା ସାଙ୍ଗକୁ ପବନରେ ମୁଁ ସମ୍ପୂର୍ଣ୍ଣ ଭିଜି ସାରିଥିଲି ,, ବ୍ୟାଗରେ ରଖିଥିବା ଜରୁରୀ କାଗଜପତ୍ର ପାଇଁ , ଖାଲି ବ୍ୟାଗକୁ ବଞ୍ଚେଇ ବାକୁ ଚେଷ୍ଟା କରୁଥିଲି ସେ ବର୍ଷାରୁ ।
ଏଇ ସମୟରେ ଜଣେ ସୁନ୍ଦରୀ ଲଳନା ସେଇ ବର୍ଷାରେ ଅଧା ଭିଜି ଭଜି ଆସୁଥାଏ ,, ହୁଏତ ସେ ବି ନିଜ ଘରକୁ ଯାଉଥିଲା । ମୁଁ ଆଗପଛ କିଛି ନଭାବି ସେଇ ଅପରିଚିତ ଝିଅର ଛତାରେ ତାର ବିନା ଅନୁମତିରେ ପ୍ରବେଶ କରିଗଲି । ଝିଅଟି ଟିକେ ଶଙ୍କି ପଡ଼ିଲା , ରାଗରେ ମୋତେ କିଛି କହିବାପୁର୍ବରୁ ମୁଁ କହି ପକେଇଲି ,, ଆଜ୍ଞା ମୁଁ ଭିଜିଭିଜି ଆପଣଙ୍କ ଛତା ବାହାରେ ଯିବି ,, ହେଲେ ମୋର ଏ ବ୍ୟାଗଟିକୁ ଆପଣ ଆପଣଙ୍କ ଛତାତଳେ ଯାଗା ଦିଅନ୍ତୁ । କିଛି କହିବାକୁ ଭାବିଥିବା ସେଇ ଅପରିଚ ଝିଅଟି ମନକଥା ମନରେ ରଖି ଛତା ଟିକୁ ସାମାନ୍ୟ ମୋ ଆଡ଼କୁ କରିଦେଲେ । ଆମେ ଉଭୟେ ଭିଜୁଥିଲୁ ସେ ଛତା ତଳେ । ତାଙ୍କର ବି ଗୋଟେ ବ୍ୟାଗ ଥିଲା ଆଉ ମୋ ବ୍ୟାଗ ଛତା ତଳେ ଥିଲେ ଯାହା । ମଝିରେ ମଝିରେ ପବନ ଛତାଟିକୁ ଦୋହଲେଇ ଦେଉଥିଲା । ତେଣୁ ମୁଁ ବି ମୋର ଗୋଟେ ହାତରେ ଛତାଟିକୁ ଧରିଥାଏ ।
କୁଆଡ଼େ ଯିବେ ଆପଣ ?
ଝିଅଟିର ପ୍ରଶ୍ନରେ ଉତ୍ତର ଦେବାକୁ ଯାଇ ମୁଁ ମୋ ଘରର ଠିକଣା ଦେଲି । ତାଙ୍କ ଘର ବି ସେଇପାଖରେ ମୋର ଘରର ଶହେ ମିଟର ଦୁରତାରେ । ମନ ଟିକେ ଆଶ୍ୱସ୍ତ ହେଲା । ବିନା ଭାଷା ବିନିମୟରେ ଆମେ ଦୁହେଁ ଆମ ଗନ୍ତବ୍ୟରେ ଆଗେଇ ଚାଲିଥାଉ । ଏ ଭିତରେ ସେ ଝିଅଟିର ହାତ ଉପରେ ମୋ ହାତ ରହିଯାଇଥିଲା ମୋ ଅଜଣାତରେ । ପୁଣି ସରକାଏ ପବନରେ ଛତା ଦୋହଲିବାରୁ ଝିଅଟି ମୋ ହାତ କବଳରୁ ନିଜ ହାତ ଛଡ଼େଇ ନେଲାରୁ ମୁଁ ଜାଣିଲି ।
ନିଜେ ଲଜ୍ଜିତ ହେଇ ସାମାନ୍ୟ ଇତସ୍ତତଃ ହେଇଗଲି । ଛତାଟି ଉଡ଼ିଗଲା । ଝିଅଟିକୁ ଦୁଇଟି ବ୍ୟାଗ ଧରେଇ ମୁଁ ଛତା ପଛରେ । ବେଶି ବାଟ ନଯାଇ ଛତାଟି ଗୋଟେ ଗଛ ପାଖରେ ଅଟକିଗଲା ,, ଛତାଟି ଆଣି ମୁଁ ସେ ଅଚିହ୍ନା ଝିଅ ଆଡ଼କୁ ବଢ଼େଇ ଦେଇ ପୁଣି ଆଗକୁ ବଢ଼ିଗଲୁ ସେଇ ଛତାତଳେ । ଉଭୟେ ବର୍ଷାରେ ସମ୍ପୂର୍ଣ୍ଣ ଭିଜି ସାରିଥିଲୁ ।
ଯେଉଁ କାଗଜପତ୍ର ଲାଗି ଏତେ ଚିନ୍ତାରେ ଥିଲି ମୁଁ ତାର ବ୍ୟାଗ ଭିତରର ପରିସ୍ଥିତି ବିଷୟରେ ବି ମୁଁ ଅଜ୍ଞ ଥିଲି । ଦେହଟା ଥରି ଯାଉଥାଏ । ମୁଁ ଲାଜରେ ସେ ଝିଅକୁ ଚାହିଁବାର ସାହସ କରିପାରୁନଥାଏ । ଆପଣଙ୍କ ଘର ବୋଧହୁଏ ଆସିଗଲା । ଝିଅଟିର କଥାରେ ମୁଁ ମୁଣ୍ଡ ହଲେଇ , ଇଙ୍ଗିତରେ ମୋ ଘର ଦେଖେଇଦେଲି । ମୋତେ ମୋ ଘର ଦୁଆର ମୁହଁରେ ଛାଡ଼ି ଝିଅଟି ମୋ ଧନ୍ୟବାଦ ଜଣାଇବା ପୂର୍ବରୁ ସେ ଯାଗା ଛାଡ଼ିଦେଇଥିଲେ ।
ମୁଁ ବି ବେଶି କିଛି ନଭାବି , ଘରକୁ ଯାଇ ମୋ ଜରୁରୀ କାଗଜପତ୍ରର ସୁରକ୍ଷିତ ଅବସ୍ଥାକୁ ଦେଖିବାରେ ଲାଗିଲି । କାଗଜପତ୍ର ସୁରକ୍ଷିତ ଦେଖି ସେ ଝିଅ ଆଉ ଭଗବାନଙ୍କୁ ମନେମନେ ଧନ୍ୟବାଦ ଜଣାଇଲି । ପ୍ରାୟ ଦୁଇ/ଚାରିଦିନ ପରେ ଏମିତି ସକାଳୁ ସକାଳୁ ଅଫିସ ଯାଉଥିବା ସମୟରେ କେହିଜଣେ ପଛରୁ ଡାକିବାରୁ ମୁଁ ଅଟକି ଗଲି । ଜଣେ ସୁନ୍ଦରୀ ତନୁପାତଳି ମୋତେ ହାତଠାରି ଅଟକିବାକୁ କହୁଛି । ପାଖକୁ ଆସି ଝିଅଟି ସକାଳର ଅଭିବାଦନ ଜଣାଇ କୁଆଡ଼େ ଯାଉଛ ବୋଲି ପଚାରିଲା ?
ମୁଁ ଅଫିସ ଯାଉଛି ,,
ହେଲେ ଆପଣ ?
ଆଜିକାଲି ଦୁନିଆ ଟା ଏଇଆ । କାମ ସରିଗଲେ ଲୋକ ପାଞ୍ଚ ମିନିଟ ବି ମନେ ରଖିବେନି !!!?
ସେଦିନ ବର୍ଷାରେ ଆପଣ ? ଛତା ଉଡ଼ିଯିବା ?
ତାଙ୍କ ମୁହଁ ଆଉ ଆଖି ଦେଖି ପରିସ୍ଥିତିକୁ ଆକଳନ କରି ,, ଆଜ୍ଞା ସରି ,, ସରି ,, । ମୁଁ ଆପଣଙ୍କୁ ଜାଣିପାରିଲିନି ,, ସେଦିନ ବର୍ଷା ଅନ୍ଧାର ରାତି ଆଉ ଅଜଣାତରେ ଆପଣଙ୍କ ହାତକୁ ଧରି ମୁଁ ଯେଉଁ ଲଜ୍ଜିତ ହେଇଛି ,, ତାପରେ ପୁଣି ଆପଣ ମୋ ଲାଗି ବର୍ଷାରେ ପୁରାପୁରି ଭିଜିଯାଇଥିଲେ । ସେ ଝିଅଟି ମୋ କଥାର ଉତ୍ତର ନଦେଇ ମନ୍ଦମନ୍ଦ ହସୁଥିଲେ । ତାପରେ ଏମିତି କଥା ହେଉହେଉ ଆମେ ଆଗକୁ ବଢ଼ି ଚାଲିଲୁ ନିଜନିଜର ଗନ୍ତବ୍ୟରେ । ଆମର ଦେଖା ହେବାଟା ନୀତିଦିନିଆ ହେଇଗଲା । ଉଭୟେ ଉଭୟଙ୍କ ବିଷୟରେ ସାମାନ୍ୟ ଜାଣିପାରିଲୁ । ଝିଅଟିର ନାଁ ଥିଲା ପ୍ରୀତି । ସେ ଉଚ୍ଚଶିକ୍ଷା ଲାଭକରିବା ସଙ୍ଗେସଙ୍ଗେ ଗୋଟେ ବେସରକାରୀ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିଲା । ସବୁଦିନର ଭେଟ ଆଉ ଗୋଟେ କିଲୋମିଟର ସାଙ୍ଗ ହେଇ ଯିବାର ସେ ନୀତିଦିନିଆ ବ୍ୟବହାରରେ ଆମ ଭିତରର ଆପଣ ଆଉ ତୁମେକୁ ପାର କରି ତୁ ରେ ପହଞ୍ଚି ସାରିଥିଲା ।
ସୁସ୍ଥ ବନ୍ଧୁତା ଟିଏ ଗଢ଼ିଉଠିଥିଲା ଆମ ଦୁହିଁଙ୍କ ଭିତରେ । ଯଦି ଜଣଙ୍କର ବିଳମ୍ବ ହେଉଥିଲା ଅନ୍ୟଜଣକ ଆଶ୍ୱସ୍ତ ରହୁଥିଲା କି ସେ ମୋତେ ଅପେକ୍ଷା କରିଥିବ । ପ୍ରୀତିତ କେବେକେବେ ମୋ ଘର ପର୍ଯ୍ୟନ୍ତ ଚାଲିଆସେ ମୋତେ ଡାକିବାକୁ । ଅନେକ ସମୟରେ ଆଶ୍ଚର୍ଯ୍ୟ ଲାଗେ ତା ବ୍ୟବହାର ଦେଖି । ହେଲେ ଖାଲି ରୂପରେ ନୁହେଁ ଝିଅଟିର ଗୁଣ ବି ବହୁତ ମାର୍ଜିତ ଥିଲା । ଛୁଟି ଦିନମାନଙ୍କରେ ବି ଆମେ ଉଭୟ ଉଭୟଙ୍କୁ ସମୟ ଦେଲୁ । ଘଣ୍ଟା ଘଣ୍ଟା ଏମିତି ଗପୁଗପୁ ବିତିଯାଏ । କେବେ ପାର୍କରେ ତ କେବେ ମନ୍ଦିରରେ କେବେପୁଣି ସିନେମା ଦେଖାରେ ।
ଏ ଭିତରେ ମୁଁ ପ୍ରିତୀର ପରିବାରରେ ଜଣେ ସଦସ୍ୟ ହେଇସାରିଥିଲି । ଓଡ଼ିଆ ପରିବାର , ସହରର ମୋହରେ ସେଇଠି ସବୁଦିନ ରହିଯିବାର ନିଷ୍ପତି ନେଇ ସାରିଥିଲେ । ପ୍ରିତୀର ଜନ୍ମ ଆଉ ଲାଳନପାଳନ ସେଇଠି ହେଇଛି , କେବଳ ପ୍ରିତୀର ଖୁସି ପାଇଁ ତାର ବାପା ମା ସେ ନିଷ୍ପତ୍ତି ନେଇଥିଲେ । ପ୍ରିତୀ ତାଙ୍କର ଏକମାତ୍ର ସନ୍ତାନ ଯେତେବେଳେ । ପ୍ରିତୀର ମା ଭାରି ସ୍ନେହୀ କେଇ ମୁହୂର୍ତ୍ତରେ ପରକୁ ଆପଣାର କରିନେବାର ସାମର୍ଥ୍ୟ ତାଙ୍କ ଭିତରେ । ପ୍ରିତୀର ବାପା ଭାରି ମେଳାପି ପ୍ରକୃତିର ହେଲେବି ସଂସ୍କା
ରୀ ମଣିଷଟିଏ । ପ୍ରୀତି ଉପରେ ସେମାନଙ୍କର ଅତୁଟ ବିଶ୍ୱାସ , ପ୍ରୀତି ମଧ୍ୟ ତାଙ୍କ ବିଶ୍ୱାସକୁ ବଜାୟ ରଖିବା ଜୀବନର ବ୍ରତ କରିନେଇଥିଲା । ପ୍ରିତୀର ଘରକୁ ମୋର ଅବାଧରେ ପ୍ରବେଶ ଥିଲା ବିନା ରୋକଟକରେ ,, ଯଦି କୌଣସି କାରଣରୁ ମୁଁ ଛୁଟିରେ ନ ଆସିପାରେ ତାହେଲେ ପ୍ରିତୀର ମା ଅଭିମାନ କରନ୍ତି ମୋ ଉପରେ ଆଉ ପ୍ରିତୀର ବାପା ଅଭିଭାବକ ଭଳି କେତେକଣ ଉପଦେଶାତ୍ମକ ଗାଳି କରନ୍ତି ।
ଘର ବାହାରେ ଅଚିହ୍ନା ଲୋକମାନଙ୍କର ଏପରି ଆତ୍ମୀୟତା ମୋତେ ଅଭିଭୂତ କରିଥିଲା । ପ୍ରୀତି କିନ୍ତୁ କଥାବାର୍ତ୍ତା ବେଳେ ଟିକେ ଦୁଷ୍ଟାମୀ କରେ । ବିଭିନ୍ନ ବିଷୟରେ କଥାବାର୍ତ୍ତା ଚାଲେ । ପ୍ରେମ , ପ୍ରେମିକ ପ୍ରେମିକା ବିଷୟ ବି ବାଦ ପଡ଼େନି । କେତେଥର କଥା ଛଳରେ ପ୍ରୀତି କହିଦିଏ ତୁ ମୋର ପ୍ରେମିକ ଆଉ ତୋତେହିଁ ବାହାହେବି ,, ପର ମୁହୂର୍ତ୍ତରେ ହସିଦିଏ ଆଉ ମୋତେ ଉପହାସ କରେ ,, ଅନେକ ଥର ମୁଁ କେମିତିକା ପ୍ରେମିକା ଚାହୁଁଛି ବୋଲି ପଚାରେ । କେମିତିକା ଝିଅକୁ ମୁଁ ବାହାହେବି ବୋଲି ପଚାରେ ? ମୋର ଉତ୍ତର ମୁଁ ଜାଣିନି ବୋଲି କହି ସାରିଦିଏ । ମୁଁ ଜାଣିସାରିଥିଲି ମୋ ମନରେ ପ୍ରୀତି ପ୍ରତି ଅସୀମ ପ୍ରେମ ଜାଗ୍ରତ ହେଇସାରିଥିଲା । ମୋ ହୃଦୟ ରାଜ୍ୟକୁ ପ୍ରୀତି ବିଜୟ କରି ସାରିଥିଲା ,, ମୁଁ ତାର ଗୋଲାମ ହେଇସାରିଥିଲି , ।
ହେଲେ କେବେ ପ୍ରକାଶ କରିବାର ସାହସ କରିନି ମନରେ । ତାର କାରଣ ବି ଥିଲା । ପ୍ରୀତିର ମୋ ଉପରେ ଥିବା ବିଶ୍ୱାସ , ତା ବାପା ମା ଙ୍କର ମୋ ଉପରେ ଥିବା ଭରଷା ମୋତେ ପ୍ରୀତି ପ୍ରତି ମୋର ଅଭିବ୍ୟକ୍ତିରେ ବାଧକ ସାଜୁଥିଲା । ପ୍ରୀତିଭଳି ବାନ୍ଧବୀକୁ ମୁଁ ହରେଇବାକୁ ଚାହୁଁନଥିଲି । ବଡ଼ ବାଧକଥିଲା ପ୍ରିତୀର ବାପା ମା ଙ୍କର ପ୍ରୀତି ପ୍ରତି ଥିବା ଭରଷା ଆଉ ଭଲପାଇବା , । ମୁଁ ଚାହୁଁନଥିଲି ମୋ ପାଇଁ ପ୍ରୀତି ତା ବାପା ମା ଙ୍କ ନିକଟରେ କୌଣସି ଅପ୍ରୀତିକର ପରିସ୍ଥିତିର ସାମ୍ନା କରୁ । ତେଣୁ ଚୁପ ରହିବା ଶ୍ରେୟସ୍କର ମଣି , ନିଚ୍ଛକ ବନ୍ଧୁତାରେ ବୁଡ଼ି ରହିବାର ପ୍ରୟାସରେ ଲାଗି ପଡ଼ିଥିଲି । ପ୍ରୀତିକୁ ଅନେକଥର ମୁଁ ଗୋଟେ ପ୍ରଶ୍ନ ପଚାରୁଥିଲି , ହୁଏତ ମୁଁ ମୋର ପ୍ରେମର ସାଙ୍କେତିକ ସବୁଜ ସଙ୍କେତ ପାଇବା ପାଇଁ । ପ୍ରଶ୍ନଟି ଥିଲା ,,
ପ୍ରୀତି କହତ , ଯେତେବେଳେ ଆମେ ଦୁହେଁ ସେଦିନର ସେ ବର୍ଷା ସନ୍ଧ୍ୟାରେ ସେ ଛତାତଳେ ଥିଲେ ତୁ ତୋ ମନରେ କଣ ସବୁ ଭାବୁଥିଲୁ ? କିଛି ଦୁଷ୍ଟାମୀ ତୋ ମନକୁ ଆସୁଥିଲା ନା ନାଇଁ ? ତୋ ଭିତରେ ଅନ୍ୟ ଝିଅଙ୍କ ପରି କିଛି ସମ୍ବେଦନା ଅଛିନା ନାହିଁ ? ପ୍ରୀତି ମୋର ପ୍ରଶ୍ନରେ ଲାଜ ଜୁଡୁବୁଡ଼ୁ ହେଇ ମୋତେ ଖୁବ ଗାଳିକରେ , କେତେଥର ମାରିଛି ମଧ୍ୟ ,
ଆଉ କୁହେ ତୋ ଶରୀରରେ କିଛି ସମ୍ବେଦନା ନାହିଁ ହେଲା ,, ମୁଁ ଅନ୍ୟମାନଙ୍କ ପରି ଏକଦମ ସାଧାରଣ ଝିଅଟେ । ସମସ୍ତଙ୍କ ପରି ମୋ ଦେହରେ ମଧ୍ୟ ସମାନ ଶାରୀରିକ କ୍ରିୟା ହୁଏ ଯାହା ଅନ୍ୟମାନଙ୍କର ହୁଏ ।
ଆରେ ଏତେ ରାଗୁଛୁ କାହିଁକି ? ତେବେ ମୋତେ କହତ କଣ ସବୁ ଭାବୁଥିଲୁ ସେଦିନ ମୋ ଭଳି ହ୍ୟାଣ୍ଡସମ ପୁଅ ସହିତ ବର୍ଷାରେ ଭିଜିବାବେଳେ ?
ପ୍ରିତୀର ରାଗ ପଞ୍ଚମକୁ ଉଠିଯାଏ ଏତିକିରେ । କେତେ କାକୁତି ମିନତୀ ପରେ ଶାନ୍ତ କରାଏ , ସିନେମା ଯିବାର ଲାଞ୍ଚରେ ଶେଷରେ ପ୍ରୀତି ପ୍ରୀତ ହୁଏ । ମୋତେ ସିନେମା ଦେଖିବାଟା ଏତେ ପସନ୍ଦ ନୁହେଁ । ହେଲେ ପ୍ରିତୀର ସିନେମା ଦେଖିବା ଭାରି ପସନ୍ଦ ।
ଆରେ ପୁଣି କୁଆଡ଼େ ହଜିଗଲୁ ? ପଦଟିଏ ଶୁଣି ଘଣ୍ଟାଏ ଚୁପ ରହିବାର ପ୍ରକୃତି ତୁ ଏଯାଏ ଛାଡ଼ିନୁ ନା ?
ମୁଁ ତତେ ବହୁତ ମିସ କରିଛିରେ ? ତୁ ବଡ଼ ନିଷ୍ଠୁର ହୃଦୟର ଝିଅ । ହଉ ଛାଡ଼ ତୋର ପିଲାପିଲି କଣ ? ତୋ ହିରୋ କେମିତିକା ?
ହଁ ହଁ ବାହା ହେଇ ସାରିଲିଣି ଆଉ ମୋର ବି ଦୁଇଟି ପିଲା ପୁଅଟିଏ ଝିଅଟିଏ । ମୋ ହିରୋତ କୋଟିଏରେ ଗୋଟିଏ ।
ପ୍ରୀତି ମୁଁ ତତେ ଭଲ ପାଉଥିଲି ।
ପ୍ରୀତି ଶୁଣି ପ୍ରୀତ ହେଲା ର ଉତ୍ତର ସହିତ ହସର ଇମୋଜି ।
ନାଇଁ ସତ କହୁଛି ।
ଆଜି ବି ତୁ call କରିବାକୁ କହିବୁନି , ହଉ ମୁଁ call କରୁଛି । ଏତିକିରେ ପ୍ରିତୀର ଫୋନ ଆସିଗଲା ।
ଫୋନ ରିସିଭ କରିବା ମାତ୍ରେ ଶଳା ଚୋର , ଏବେ କହୁଛୁ ତୁ ମୋତେ ଭଲ ପାଉଛୁ ବୋଲି । କଣ ମୋ ହସିଲା ସଂସାରରେ ନିଆଁ ଲଗେଇ ଡେଇଁ ଯିବି ତୋ ପାଖକୁ । ପ୍ରୀତି କାନ୍ଦୁଥିଲା । ଆରେ ମୁଁ ତ ଆଜି ପର୍ଯ୍ୟନ୍ତ ତତେ ମୋ ହୃଦୟରୁ ବାହାର କରିପାରିନି । ତୁତ ମୋର ପ୍ରଥମ ପ୍ରେମ । ଯେଉଁଦିନ ତୋ ସହିତ ପ୍ରଥମେ ଭିଜିଥିଲି ସେହିଦିନଠାରୁ ମୁଁ ତୋ ପ୍ରେମରେ ପଡ଼ିଯାଇଥିଲି । ଆଉ ଚୁପ ରହି ଏକ ଧ୍ୟାନରେ ମୋ କଥାଶୁଣିବା ଗୁଣରେ ତ ମୁଁ ଫିଦା ହେଇଯାଇଥିଲି ତୋ ଉପରେ । ଯେଉଁଦିନ ତୁ ପ୍ରଥମକରି ଆମ ଘରକୁ ଆସି ମୋ ବାପା ମା ଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଥିଲୁ , ମୋ ହୃଦୟର ସିଂହାସନରେ ମୁଁ ତତେ ଅଭିଷିକ୍ତ କରିଥିଲି । ଖାଲି ସେହି ଗୋଟିଏ ଦିନ ନୁହେଁତ ପ୍ରତିଥର । ମୋ ମା ର ପଣତରେ ଯେବେ ତୁ ତୋର ହାତ ପୋଛୁ ସେଇ ସମୟରେ ମୁଁ ତତେ ମୋର ବାହୁ ବନ୍ଧନରେ ଆବଦ୍ଧ କରିନିଏ ମୋର କଳ୍ପନା ମାଧ୍ୟମରେ । ଯେତେବେଳେ ମୋ ବାପାଙ୍କ ସହିତ ଘଣ୍ଟାଘଣ୍ଟା ସମାଚାର ଦେଖୁ ସେତେବେଳେ ମୁଁ ତୋ ହାତଧରି ଚନ୍ଦ୍ରମାର ଆର ପାଖର ପରୀ ରାଇଜକୁ ଉଡ଼ିଯାଏ । ଯେତେବେଳେ ତୋର ଇଚ୍ଛା ନଥାଇବି ମୋ ଅଭିମାନ ଭାଙ୍ଗିବାକୁ ମୋତେ ସିନେମା ଦେଖିବାକୁ ନେଇଯାଉ ସେତେବେଳେ ମୋ ଆତ୍ମାରେ ଶିହରଣ ସୃଷ୍ଟି ହୁଏ । ସିନେମା ଦେଖିଲାବେଳେ ମୁଁ ଜାଣିଶୁଣି ତୋ କାନ୍ଧରେ ମୁଣ୍ଡରଖି ଢୋଳାଇ ପଡ଼େ ଆଉ ତୁ ପ୍ରତିବାଦ ନକରି ସେମିତି ମୁର୍ତିବତ ବସିରହୁ , ସେତେବେଳେ ମୋ ଆତ୍ମା ତୃପ୍ତ ହେଇଯାଏ ।
ତୋରତ ମନେଅଛି ନା ମୋ ମୁହଁର ସେ ବ୍ରଣ କଥା । ତୁ କହିଥିଲୁ ନା ପ୍ରୀତି ତୋ ଗୋରା ଗାଲରେ ସେ ନାଲି ପଡ଼ିଥିବା ବ୍ରଣ ଟା ଭାରି ଆକର୍ଷଣୀୟ ଲାଗୁଛି । ବାସ ଏତିକି କଥାରେ ମୁଁ ଖାଇବା ବନ୍ଦ କରିଦେଇଥିଲି ,, କାରଣ ଶୁଣିଥିଲି , ପେଟ ଗରମ ହେଲେ ମୁହଁରେ ବ୍ରଣ ବାହାରେ , ମୁଁ ମୋ ମୁହଁରେ ବେଶି ବେଶି ବ୍ରଣ ଚାହୁଁଥିଲି କେବଳ ଆଉ କେବଳ ତତେ ଆକର୍ଷିତ କରିବା ପାଇଁ ।
ବେଳେବେଳେ ତ ଭାବେ ତୋ ପାଖରେ ପୁରୁଷତ୍ୱ ନାହିଁ । ହେଲେ ପ୍ରଥମ ଦେଖାରେ ସେ ବର୍ଷା ସନ୍ଧ୍ୟାରେ ଛତା ତଳେ ତୋ ହାତର ତାତି ମୋ ହାତରେ ଅନୁଭବ କରିଥିଲି । ସିନେମାରେ କୌଣସି ଅନ୍ତରଙ୍ଗ ଦୃଶ୍ୟ ଦେଖିଲେ ତତେ ଅନେକ ଥର ଅସହଜ ହେବାର ବି ଦେଖିଛି । ହେଲେ ତୁ ଏ ପ୍ରୀତିର ପ୍ରୀତିକୁ ଏମିତି ଆଖି ବନ୍ଦ କରିଥିଲୁଯେ ଛାଡ଼ ।
ତାମାନେ ତୁ ବି ମତେ !!!?
ପାଟି ଚୁପ କର ,, ଆଜି ଯଦି ମୋ ପାଖରେ ଥାନ୍ତୁ ତତେ ଗୋଡେ଼ଇ ଗୋଡେ଼ଇ ବାଡ଼େଇ ଥାନ୍ତି । ଜାଣିଛୁ ମୋ ମା ଯେତେବେଳେ କୁହନ୍ତି , ବିନୋଦ ପରି ପିଲାଟିଏ ମିଳନ୍ତାକି ଆମ ପ୍ରୀତି ପାଇଁ ମୁଁ ଆଇନା ଆଗରେ ଠିଆ ହେଇ ନିଜ ଭିତରେ ତତେ ଦେଖେ । ହଁ ବାପା ଟିକେ ଅରାଜି ହେଇଥାନ୍ତେ , ଆମେ ସମସ୍ତେ ମିଶି ବାପାଙ୍କୁ ବୁଝେଇ ପାରିଥାନ୍ତେ । ସବୁଠାରୁ ବେଶି ମନେପଡ଼େ ତୋ ପାଖରେ ସୁଯୋଗ ଥିଲେବି ତୁ କେବେବି ମତେ ଜାଣିଶୁଣି ଛୁଇଁବାକୁ ଚେଷ୍ଟା କରିନୁ ,,, ଯାହା ଏ କୁଆଁରୀ ମନରେ ବେଳେବେଳେ ଦୁଃଖ ବି ଭରିଦିଏ । କେତେପୁଅ ମୋ ପଛରେ ପଡ଼ିଥିଲେ ମୋ ରୂପ ଦେଖି ,, ତୁ କଣ ଜାଣିନୁ ,,!!? ହେଲେ ତୁ ପୋଡାମୁହାଁ !!? ପ୍ରୀତି ଖାଲି କହୁନଥିଲା , କଇଁକଇଁ କାନ୍ଦୁଥିଲା ବି ।
ଆରେ ତୋ ସ୍ୱାମୀ କଣ ,????।
ବେଶି ଗପେନି ହେଲା । ବହୁତ ସୁନ୍ଦର ମଣିଷଟିଏ । ସେ ବି ଓଡ଼ିଆ ପିଲା ,, ବାପା ମା ତ ମୋତେ ଭୁଲିଗଲେଣି ଜ୍ବାଇଁକୁ ପାଇ । କୌଣସି ଖୁଣ ନାହିଁ । ଗୋଟିଏ କଲେଜରେ ଦୁଇଜଣ ଯାକ ଅଧ୍ୟାପନା କରୁଛୁ । ନମ୍ର ଶାନ୍ତ ସରଳ ଅନ୍ୟକୁ ବୁଝିଲା ପରି ମଣିଷଟିଏ ।
ଆଉ ତୋ ଅର୍ଦ୍ଧାଙ୍ଗିନୀ କଥା କହ ? ପୁଣି ମନାକଲା ,, ଥାଉଥାଉ ତୋ ଘରଣୀ କଥା ଶୁଣାନି ମତେ ।
ନାରୀର ଜନ୍ମଜାତ ଈର୍ଷ୍ୟା ପ୍ରୀତିକୁ ବି କବଳିତ କରିସାରିଥିଲା । ପ୍ରୀତି ତୋ ମନରେ ଯଦି ଏତେକଥା ଥିଲା ତାହେଲେ ତୁ ମତେ ତୋ ରାଣ ପକେଇ ତୋ ସହିତ କଥା ହେବାକୁ ମନା କରିଥିଲୁ କଣ ପାଇଁ ?
ସେଦିନ ସେ ପିଙ୍କ ଛତା ତଳେ ତୋ ସହିତ ଭିଜିଲାବେଳେ ମୋ ମନୋଦଶା ବିଷୟରେ ତୋ ଜିଜ୍ଞାସାର ଉତ୍ତରରେ ମୋ ମନ କଥା ତତେ କହି ସାରିଲା ପରେ , ନିଜର ଲଜ୍ଜାକୁ କୋଷେ ଦୂରକୁ ଫିଙ୍ଗି ଦେଲାପରେ , ଆଉ କଥାବାର୍ତ୍ତା ର କଣ ଆବଶ୍ୟକ ଥିଲା ,? ମୁଁ ଭାବିଥିଲି ମୁଁ କହିଥିବା କଥାକୁ ସାକାର କରିବା ପାଇଁ ତୁ ମୋ ପାଖକୁ ଧାଇଁ ଆସିବୁ ବୋଲି ।
ହେଲେ ଦୁଇଦିନ ପରେ ତୁ ସହର ଛାଡ଼ି ଚାଲିଗଲୁ । ଆମଘରେ ସମସ୍ତେ ଦୁଃଖିଥିଲେ ତୋ ଯିବାରେ । ତୋ ଯିବାଟା ବି ବାଧ୍ୟ ଥିଲା । ପ୍ରମୋସନ ସାଙ୍ଗକୁ ବଦଳି ହେଇଥିଲା ତୋର । ମୋର ତ ଇଚ୍ଛା ହେଉଥିଲା ଦୌଡ଼ି ଯାଇ ତତେ କୁଣ୍ଢେଇ ପକେଇବି ବୋଲି । ଚିତ୍କାର କରି ସାରାଦୁନିଆ ଆଗରେ ମୁଁ କେବଳ ତୋର ବୋଲି କହିଦେବି । ସାଇତି ଥିବା ଅମୂଲ୍ୟ ସମ୍ପଦ ମୋ କୁମାରୀତ୍ବକୁ ତୋତେ ସମର୍ପି ଦେବି । ହେଲେ ହୃଦୟର କେଉଁ ଏକ କୋଣରେ ସ୍ୱଚ୍ଛ ବନ୍ଧୁତା ଏବେବି ସବୁଜିମାରେ ପୂର୍ଣ୍ଣ ଥିଲା ? ସେଇ ବନ୍ଧୁତାର ବେଢ଼ିକୁ ମୁଁ ପାର କରିପାରିଲିନି ।
ହେ ଭଗବାନ !!! ସ୍ୱତଃ ମୋ ପାଟିରୁ ବାହାରିଗଲା
ହଁ ସେଇ ଭଗବାନଙ୍କ ଦୋଷସବୁ । ଦେଖୁନୁ ସବୁ ଜାଣିଶୁଣି କୃଷ୍ଣା ଙ୍କ ସହିତ କେମିତି ଛଳ କଲେ । ବନ୍ଧୁତାର ଟେକ ରଖିଦେଇଗଲେ କାଳକାଳକୁ । ତୁ ସବୁଦିନ ମୋ ହୃଦୟରେ ରହିବୁ ବିନୋଦ ।
ମତେ କ୍ଷମାକର ପ୍ରୀତି ।
ହେସ , ମୁଁ ଯୁଗଯୁଗରେ ତୋତେହିଁ ବନ୍ଧୁରୁପରେ ପାଇବାକୁ ଈଶ୍ୱରଙ୍କୁ ପ୍ରାର୍ଥନା କରୁଛି ।
ହେଲେ ପ୍ରୀତି ମୋ ଘରଣୀ ତୋପରି ନୁହେଁ , ।
ଜାଣିଛି ଜାଣିଛି ପ୍ରିତୀର ବିକଳ୍ପ ନାହିଁ ।
ଆରେ ମୋ କହିବା କଥାହେଲା ସେ ପ୍ରୀତିଠାରୁ ଢେରଗୁଣରେ ଭଲ ।
ପ୍ରୀତି ଯେଉଁକଥା ସବୁ ମନରେ ଲୁଚେଇ ରଖିଲା ମୋ ଘରଣୀ ସେ କଥାସବୁକୁ ମୋ ଭାବିବା ଆଗରୁ କାମରେ ଲଗେଇଦିଏ ।
ହଁ ହଁ ଜାଣିପାରୁଛି ସେଇଥିପାଇଁ ଦିଟା ପିଲାର ବାପା ହେଇଛୁ ନହେଲେ ???
ହେଲେ ସତ କହୁଛି ପ୍ରୀତି ସେ ତୋର କୌଣସି କଥାକୁ ସମକକ୍ଷ ନୁହେଁ । ତୁ ସତରେ ନିଆରା ଝିଅଟିଏ । ମୁଁ କିନ୍ତୁ ତତେ ନବୁଝି ପାରି ଭୁଲ କରିଛି ।
ଶଳା ଆହୁରି କନ୍ଦେଇବୁ ନା କଣ ? ଖାଲି ତୁ ନୁହେଁ ମୁଁ ବି ଭୁଲ କରିଛି । ତତେ ବୁଝିବା ପରେବି ତୋ ସହିତ ସିଧାସଳଖ କଥା ନହେଇ ମୁଁ ବି ଭୁଲ କରିଛି । ହଉ ଛାଡ଼ ଚାଲିଗଲା ସମୟ ଫେରିବନି ଆଉ ,, ତୁ ରଖ ଫୋନ , ପରେ କଥା ହବା ,, bye ,,
bye ।
ପ୍ରୀତି ଫୋନ କାଟିଦେଲା । ମୁଁ ବୁଡ଼ିଗଲି ପ୍ରୀତି ସହିତ ବିତିଥିବା ସେ ପ୍ରୀତିମୟ ଅତୀତ ଭିତରେ । କାନରେ ପ୍ରତିଧ୍ୱନିତ୍ୱ ହେଉଥିଲା ଆଜି ପ୍ରିତୀର ପ୍ରୀତିମୟ ଶବ୍ଦଗୁଡ଼ିକ । ପିଙ୍କ ଛତା ତଳେ ମୋ ହାତର ତାତି କଥାଟା ମତେ ବାରମ୍ବାର ଶୁଭୁଥିଲା ପ୍ରୀତି କଣ୍ଠରୁ । ଯେଉଁ ଛତାକୁ ସୁନ୍ଦରୀ ପ୍ରୀତି ନିଜର ମୁଖପୁସ୍ତିକାର ମୁଖ୍ୟ ସ୍ଥାନରେ ସ୍ଥାନିତ କରିଛି । ଧରି ହେଉନଥିବା ସମୟକୁ ହାତଛଡ଼ା କରି ମନରେ ପୁଳାଏ କୋହ , ଢେର କ୍ଷୋଭ ଓ ପ୍ରିତୀର ସମ୍ମିଶ୍ରଣ ର କେନ୍ଦ୍ରରେ ମୁଁ ନିଜକୁ ଖୋଜିବାକୁ ଚେଷ୍ଟା କରୁଥିଲି ।
।।ଶରଣ ମାତେ।।