Lipsa Panda

Comedy Inspirational

4  

Lipsa Panda

Comedy Inspirational

ଫୁଲ୍ ସାଲାରି

ଫୁଲ୍ ସାଲାରି

4 mins
211



ମୁଁ ଇଞ୍ଜିନିୟରିଂ କରିବି ବୋଲି ଘରେ ସ୍ଥିର କଲା ଦିନଠୁ ମାଉସୀଙ୍କ ମୁହଁ ମୋଡ଼ା ଆରମ୍ଭ ହେଇ ଯାଇଥିଲା। ଯାଉଣୁ ଆସୁଣୁ ଆମକୁ ଶୁଣାନ୍ତି: ଇଞ୍ଜିନିୟରିଂ ଗୋଟେ କି ପାଠ! ଗଣ୍ଡା ଗଣ୍ଡା ପିଲା ଇଞ୍ଜିନିୟରିଂ ସାରି ଘରେ ବସିଛନ୍ତି। ଚାକିରି ବାକିରି ତ ନାଇଁ। ଡିଗ୍ରୀ ସାର୍ଟିଫିକେଟ୍ ସେମିତି ବାକ୍ସରେ ଥୁଆ ହେଇ ହେଇ ଖତ ଖାଉଚି ।


କଥାଟା ଖାଲି ଚାକିରିରେ ସୀମିତ ନଥିଲା। ଇଞ୍ଜିନିୟରିଂ କଲେଜ ମାନଙ୍କରେ ପାଦ ଦଉ ଦଉ ପିଲାଏ କେମିତି ବିଗିଡ଼ି ଯାଆନ୍ତି, ବୟ ଫ୍ରେଣ୍ଡ୍ ଧରି ବୁଲନ୍ତି ଆଉ ପାଠ ଛାଡ଼ି ଶାଠ ଆଡ଼େ ମନ ବଳେଇ କେମିତି ଗୋଟା ଗୋଟା ପେପର୍ ରେ ବ୍ୟାକ୍ ଲଗାନ୍ତି, ଏସବୁ ଆସନ୍ନ ବିପଦ କଥା କହି ମଝିରେ ମଝିରେ ବୋଉକୁ ଡରାନ୍ତି ଢେର୍। ପିଲା ଯେତେ ସୁନା ମୁଣ୍ଡା ହେଇ ଥାଉ ନା କାହିଁକି, ଇଞ୍ଜିନିୟରିଂ ପଢ଼ିଲା ମାନେ ଯେ ବରବାଦ୍ ହେବାଟା ଥୟ, ସେ ଧରଣର ଧାରଣା ଗୋଟିଏ ବୋଉ ମୁଣ୍ଡରେ ଭର୍ତ୍ତି କରିବାରେ ଲାଗି ପଡ଼ିଥାନ୍ତି ଯଥା ସମ୍ଭବ।


ବୋଉକୁ ଯେ ସେ କାନକୁହା ବିଚଳିତ କରୁ ନଥାଏ, ତା ନୁହେଁ। ସେ ଏସବୁ କେତେବେଳେ ନନାଙ୍କୁ ତ କେତେବେଳେ ମତେ କହି ତା ମନର ଆଶଙ୍କାକୁ ବ୍ୟକ୍ତ କରୁଥାଏ ବାରମ୍ଵାର। ହେଲେ ମୋ ଆଶ୍ୱାସନା ତାକୁ କିଛି ମାତ୍ରାରେ ଚିନ୍ତାମୁକ୍ତ କରୁଥାଏ ଯାହା।


ମୋ ପଢ଼ିବାକୁ ଯିବା ଦିନ ଯେତେ ପାଖେଇ ଆସୁଥାଏ, ମାଉସୀଙ୍କ ଚୁଗୁଲି ସେତେ ବଢ଼ି ବଢ଼ି ଚାଲିଥାଏ। ୟା ଭିତରେ ମୁଁ ପଢ଼ିବାକୁ ଚାଲିଗଲି କଲେଜ୍ କୁ। ତା ପରେ ବି ମାଉସୀଙ୍କ ଚୁଗୁଲି ବନ୍ଦ ହେଇ ନଥାଏ। ମୁଁ ଘରକୁ ଗଲାବେଳେ ମତେ ଦେଖେଇ ଦେଖେଇ ବୋଉକୁ କୁହନ୍ତି: ଜାଣିଲନା, ତମେ ଖରାପ ଭାବ ପଛେ, ଗୋଟେ କଥା କହିବି। ମୋ ପୁଅକୁ ଡାକ୍ତରୀ ପଢ଼େଇବି ମୁଁ। ସିଏ ତ କେତେ ଭଲ ପଢ଼ୁଚି ଜାଣିଥିବ। ପ୍ରଥମ ଚାନ୍ସରେ ନ ହେଲେ ବି ଦ୍ୱତୀୟ ଚାନ୍ସରେ ବଜେଇ ଦବ ନିଶ୍ଚୟ । ଯଦି ନ ବଜେଇ ପାରିଲା, ତାକୁ ଡାକ୍ତରଖାନାରେ ପିଅନଟେ କରିବି ପଛେ, ଇଞ୍ଜିନିୟରିଂ ପଢ଼େଇବିନି କେବେହେଲେ।

ମୁଁ ଶୁଣେ ସେସବୁ, ହେଲେ କେବେ କିଛି କହେନି ତାଙ୍କୁ।


ୟା ଭିତରେ ତାଙ୍କ ପୁଅ ପ୍ଲସ୍ ଟୁ ସାରି ଭୁବନେଶ୍ବରକୁ ମେଡିକାଲ୍ ପାଇଁ କୋଚିଂ ନବାକୁ ଗଲା। ଆଉ ମାଉସୀ ଅପେକ୍ଷା କରି ରହିଲେ କେବେ ତାଙ୍କ ପୁଅ ମେଡିକାଲ୍ ପାଇବ, ଆଉ କେବେ ମୋର ବ୍ୟାକ୍ ଲାଗିବ କୋଉ ପେପର୍ ରେ। ନହେଲେ ତ ସେ କୋଉଦିନ ଶୁଣିବେ ମୁଁ ମୋ ବୟ ଫ୍ରେଣ୍ଡ୍ କୁ ଧରି ବୁଲୁଚି କି ତା ସହ ଅନୈତିକ ସମ୍ପର୍କ ରଖି ଗର୍ଭବତୀ ହେଇଚି।


ହେଲେ ସବୁ ବାଟେ ନିରାଶ ହେଲେ ମାଉସୀ। ନା ତାଙ୍କ ପୁଅ ଦ୍ଵିତୀୟ ଛାଡ଼ି ତୃତୀୟ ଆଟେମ୍ପ୍ଟ ରେ ବି ମେଡିକାଲ ପାଇଲା, ନା ସେ ମୋ ଠାରୁ ଆଶା କରୁଥିବା କୋଉ ଗୋଟିକ ଘଟଣା ସତ ହେଲା।


ଓଲଟା ତାଙ୍କୁ ଖୁବ୍ କଷ୍ଟ ଦେଲା ଭଳି ଘଟଣାଟିଏ ଘଟିଲା ମୋ ସହ। ଥାର୍ଡ ଇଅର୍ ରେ ପଢ଼ିଲା ବେଳେ କଲେଜକୁ ଆସିଥିବା ପ୍ରଥମ ଆଉ ସବୁଠୁ ଭଲ କମ୍ପାନୀରେ କ୍ୟାମ୍ପସ୍ ସିଲେକ୍ସନ ହେଇଗଲା ମୋର। ତା ପରେ ପୁଣି ତାଙ୍କ କଟା ଘା ରେ ଲୁଣ, ଲଙ୍କା ସହ ଲେମ୍ବୁ ମିଶେଇ ଛିଟା ଦେଲା ରକମ ବିଭିନ୍ନ ଜାଗାରୁ ଖୁବ୍ ଭଲ ଭଲ ପ୍ରସ୍ତାବ ସବୁ ଆସିବାକୁ ଲାଗିଲା ମୋ ପାଇଁ। ଥରେ ଚାକିରିରେ ଜଏନ୍ କରିଗଲେ ଆଉ ଛୁଟି ମିଳିବାକୁ କଷ୍ଟ ହବ ବୋଲି ଘର ଲୋକ ପଢ଼ା ସରୁ ସରୁ ବାହାଘର କରିଦେଲେ ସାଙ୍ଗେ ସାଙ୍ଗେ, ସେ ପୁଣି ବିନା ଯୌତୁକରେ। ଏତେ ସାରା ସଦମା ମାଉସୀ କେମିତି ସହିଥିବେ ଭାବି ମତେ ଅବଶ୍ଯ ଦୟା ଲାଗିଥିଲା ଢେର୍। 


ତେବେ ସେ ସମୟରେ ତାଙ୍କ ପୁଅ ବିଷୟରେ ଶୁଣିଥିଲି, ସେ କାଳେ ଚତୁର୍ଥ ଥର ପାଇଁ ଆଟେମ୍ପ୍ଟ କରି ମେଡିକାଲ୍ ନ ପାଇବାରୁ ଏବେ ଇଞ୍ଜିନିୟରିଂ କରିବାକୁ ଜିଦି କରୁଚି। ଆଉ ଭଲ ରେଙ୍କ ନ ଥିବାରୁ ମ୍ୟାନେଜମେଣ୍ଟ କୋଟାରେ ପୁଳାଏ ଟଙ୍କା ଦେଇ କୋଉ ଗୋଟେ ଭଲ କଲେଜ୍ ରେ ଆଡମିସନ କରିବାକୁ ଘରେ ଲଗେଇଚି।


ତା ପରେ ନିଜ ପର୍ସନାଲ ତଥା ପ୍ରଫେସନାଲ ଜୀବନରେ ବ୍ୟସ୍ତ ରହି ମୁଁ ଆଉ ବିଶେଷ ଖବର ରଖି ନଥିଲି ତାର। ଖାଲି ଉପର ଠାଉରିଆ ଭାବେ ବୋଉ ଠୁ ଶୁଣିଥିଲି, ସେ ମୋଟା ଅଙ୍କର ଡୋନେଶନ୍ ଦେଇ କୋଉ ଗୋଟେ ଇଞ୍ଜିନିୟରିଂ କଲେଜ୍ ରେ ପଢୁଥିଲା। ଆଉ ସେଠି ମାଉସୀଙ୍କ ପୂର୍ବ କଥା ମୁତାବକ ପେପର ମାନଙ୍କରେ ବ୍ୟାକ୍ ଲଗେଇ, ଗାର୍ଲଫ୍ରେଣ୍ଡ୍ ଧରି ବୁଲୁଥିଲା। ଆଉ ପାଦେ ଆଗକୁ ଯାଇ ସିଗାରେଟ୍, ମଦ ନିଶା ଆରମ୍ଭ କରି ଦେଇଥିଲା। ଆଉ ପାଞ୍ଚ ଛଅ ବର୍ଷ ପରେ ବ୍ୟାକ୍ ପେପର ସବୁ କ୍ଲିୟର କରି ଡିଗ୍ରୀ ସାର୍ଟିଫିକେଟ୍ ଧରି ଘରେ ବସିଲା।


ତେବେ ଗୋଟେ ଫାଇଦା ହେଇଥିଲା ତା'ର, ଘରକୁ ଖାଲି ହାତରେ ଫେରି ନଥିଲା ସେ । ଆସିଥିଲା ପ୍ରେଗ୍ନାଣ୍ଟ ଗାର୍ଲଫ୍ରେଣ୍ଡ୍ କୁ ଧରି। ଗୁଡ଼ାଏ ଦିନ ପୁଅ, ବୋହୂ ଆଉ ନାତିକୁ ପୋଷିଲା ପରେ ମଉସାଙ୍କ ରିଟାୟାର୍ଡମେଣ୍ଟ ସମୟରେ ମିଳିଥିବା ଟଙ୍କାରୁ କିଛି ଲକ୍ଷ ଟଙ୍କା ବିଜନେସ୍ କରିବାକୁ ପୁଅ ହାତରେ ଧରେଇ ଦେଇଥିଲେ ଶେଷ ଥର ପାଇଁ।


ପୁଅ ଯୋଗ୍ୟମନ୍ତ ଦୋକାନ ଖୋଲି ବେପାର କଲା କମ୍ , ସାଙ୍ଗସାଥୀଙ୍କୁ ଧରି ଭୋଜି ଭାତ ଆଉ ମଉଜ ମଜଲିସ୍ କରି ଦୋକାନରୁ ଆସୁଥିବା ଲାଭକୁ ଉଡ଼େଇ ଚାଲିଲା ବେଶୀ। ଆଉ ଘର ଚଳିଲା ମଉସାଙ୍କ ପେନସନ୍ ଟଙ୍କାରେ।


ଏବେ କରୋନା ପାଇଁ ଆମର ୱାର୍କ୍ ଫ୍ରମ ହୋମ୍ ଚାଲି ଥିବାରୁ ଘରେ ରହି କାମ କରୁଚୁ ଆମେ । ମାଉସୀ ମଝିରେ ମଝିରେ ଆମ ଘର ଆଡ଼େ ଆସିଲେ ଗୁହାରି କରନ୍ତି, କରୋନା ପାଇଁ ତାଙ୍କ ପୁଅର ଦୋକାନ କେମିତି ବନ୍ଦ ହେଇ ପଡ଼ିଚି। କେତେ ହଇରାଣ ହରକତ ହଉଛନ୍ତି ତାଙ୍କ ପରିବାର। ଆଉ ମୁଁ କେମିତି ଘରେ ବସି ବସି କାମ କରି ଫୁଲ୍ ସାଲାରି ପାଉଚି ଵର୍ଷେ ହେଲା। ସରକାରଙ୍କ ଏ ପ୍ରକାର ଅନ୍ୟାୟ ନୀତି ବିରୁଦ୍ଧରେ ଗୁଡ଼ାଏ କଟା ସମ୍ପା ବି କରନ୍ତି। ଲକ୍ ଡାଉନ୍ ଲାଗି ବନ୍ଦ କରିବାର ଅଛି ତ ସବୁ ବନ୍ଦ କରିଥାନ୍ତେ। ମୋ କମ୍ପାନୀ କେମିତି ଖୋଲା ଅଛି କହି ସରକାରଙ୍କୁ ବହେ ବକି ଦିଅନ୍ତି ତାଙ୍କ ଏ ପକ୍ଷପାତ ଯୋଗୁଁ। ଏବେ ବି ମୁଁ ତାଙ୍କ ସେ ଅଭିଯୋଗ ଚୁପ୍ ଚାପ୍ ଶୁଣେ, କିଛି କହେନି। ମୁଁ କାହିଁକି କହିବି ଯେ! ସମୟ କହୁ! 


ଆଜି କାଲି ମାଉସୀ ଦେଖାହେଲେ ପ୍ରତିଥର ଧାଡ଼ିଏ କୁହନ୍ତି: ମୁଁ କାଳେ ବଡ଼ ଭାଗ୍ୟବତୀ। କେବଳ ମୋ ଭାଗ୍ୟ ବଳରୁ ଘରେ ବସି ବସି ଫୁଲ୍ ସାଲାରି ପାଉଚି ଆଜି ମୁଁ...।


Rate this content
Log in

Similar oriya story from Comedy