Lipsa Panda

Inspirational

3  

Lipsa Panda

Inspirational

ହସ୍ତାକ୍ଷର

ହସ୍ତାକ୍ଷର

4 mins
241


"ମା" କୁ ପ୍ରଥମ ଗୁରୁ କୁହଯାଏ। କାରଣ ମା' ହିଁ ପିଲାର ହାତ ଧରି ପ୍ରଥମ ଅକ୍ଷର ଶିଖେଇ ଥାଏ। କିନ୍ତୁ ମୋ କ୍ଷେତ୍ରରେ ଥିଲା ଏହା ବ୍ୟତିକ୍ରମ। ମୁଁ ବଢ଼ିଥିଲି ଅଜା, ଆଈଙ୍କ ପାଖରେ। ଆଈ ଠାରୁ ଜୀବନ ଜିଇଁବାର ଅନେକ ଶିକ୍ଷା ପାଇଚି, କିନ୍ତୁ ସେ ମୋ ହାତ ଧରି ଅକ୍ଷର ଶିଖେଇ ପାରି ନ ଥିଲା। କାରଣ ସେ ନିଜେ ଥିଲା ନିରକ୍ଷର। ତା ସମୟରେ ଝିଅ ମାନଙ୍କୁ ପାଠ ପଢ଼ିବାକୁ ସୁଯୋଗ ମିଳୁଥିଲା ଖୁବ୍ କମ୍। ତେବେ ସେ, ତା ଭାଇ ଚାଟଶାଳୀରେ ଯାହା ପଢ଼ି ଆସୁଥିଲା, ତାଙ୍କଠୁ ବୁଝି ଅକ୍ଷର ସବୁ ପଢ଼ିବା ଶିଖି ପାରିଥିଲା ନିଜ ଆଗ୍ରହ ହେତୁ। ଆଉ ପଢ଼ି ପାରୁଥିଲା ସବୁ ଓଷା ଗୀତ, ରାମାୟଣ, ମହାଭାରତ ଇତ୍ୟାଦି । କିନ୍ତୁ ଲେଖିବାକୁ ଦରକାର ପଡ଼ୁ ନ ଥିଲା ତାର କୋଉ ଅକାଳେ ସକାଳେ ନିଜ ନାଁ ଟା କୋଉଠି କେମିତି ଦସ୍ତଖତ କରିବାକୁ ଛାଡ଼ିଦେଲେ। ଆଉ ମତେ କେମିତି ଶିଖାନ୍ତା ସେ ଲେଖିବା! 


ତେଣୁ ମୁଁ ପିଲାଟି ଦିନରୁ ହିଁ ଟ୍ୟୁସନ ସାର୍ ଙ୍କ ଉପରେ ନିର୍ଭରଶୀଳ ଥିଲି ମୋ ପାଠପଢ଼ା ଲାଗି। ମୋ ପ୍ରଥମ ଟ୍ୟୁସନ ସାର୍ ପକେଇ ଥିଲେ ମୋର ମୂଳଦୁଆ ଶିକ୍ଷା କ୍ଷେତ୍ରରେ। ମୁଁ ଆଜିବି ଯେବେ ମୋ ସାର୍, ବଲରାମ ସାର୍ ଙ୍କ କଥା ମନେ ପକାଏ, ମୋ ଆଖିକୁ ଦିଶିଯାଏ ତାଙ୍କ ଗୋଲ୍ ଗୋଲ୍ ମାଛ ମଞ୍ଜି ଭଳି ଅକ୍ଷର। ସେ ହାତ ବୁଲେଇ ଦେଲେ ମନଲୋଭା ଚିତ୍ରଟିଏ ଆଙ୍କି ହେଇଯାଏ। ଆଉ ଆଜି ବି ଆମ ଗାଁ ଘର କବାଟରେ ତାଙ୍କ ହାତ ଅଙ୍କା ପଦ୍ମ ଫୁଲ ଦୁଇଟି ଶୋଭା ପାଉଛି, ଯାହା ସେ ମାତ୍ର ଗୋଟାଏ ମିନିଟ୍ ରେ ଆଙ୍କି ଦେଇଥିଲେ ମୋ ଆଈର ଅନୁରୋଧରେ, ମାଣବସା ପାଇଁ। 


ତାଙ୍କରି ତତ୍ତ୍ଵାବଧାନରେ ଅକ୍ଷର ଶିଖିଥିଲି ମୁଁ। ତେଣୁ ମୋ ହସ୍ତାକ୍ଷର ଖୁବ୍ ସୁନ୍ଦର ଥିଲା ପ୍ରଥମେ ପ୍ରଥମେ। କିନ୍ତୁ ମୁଁ ମୋ ଅନ୍ୟ ସମସ୍ତ କାମ ଭଳି, ଲେଖାରେ ବି ଥିଲି ସ୍ଲୋ। ଯାହା ଫଳରେ ଅନ୍ୟ ସବୁ ବିଷୟରେ ତ ପରୀକ୍ଷାରେ ଉତ୍ତର ଦେଇ ପାରୁଥିଲି, କିନ୍ତୁ ସାହିତ୍ୟରେ ସବୁ ପ୍ରଶ୍ନର ଉତ୍ତର ସାରିବା ସମ୍ଭବ ହଉ ନଥିଲା କେବେ ବି। ପ୍ରଥମେ ଅନ୍ୟ ସବୁ ପ୍ରଶ୍ନର ଉତ୍ତର ଦେଇ ସାରି ଚାରି ଧାଡ଼ି ରଚନା ଲେଖୁ ଲେଖୁ ପରୀକ୍ଷା ସମୟ ସରି ଯାଉଥିଲା। ଅତଏବ୍ ଆଗକୁ ଏ ଧିର ଲେଖା ଯେ ମତେ ଅସୁବିଧାରେ ପକେଇବ, ସେ ବିଷୟରେ ସମସ୍ତେ ଚେତେଇ ଚାଲିଲେ ବାରମ୍ବାର। ସେ ଡର ମତେ ଶୀଘ୍ର ଶୀଘ୍ର ଲେଖିବାକୁ ଏକ ରକମ ବାଧ୍ୟ କଲା। ଆଉ ତାର ଫଳ ହେଲା ମୋ ଅକ୍ଷର ପାଲଟି ଗଲା କଦର୍ଯ୍ୟ। ମୋ ଲେଖାରେ ଅକ୍ଷର ସବୁ ପରସ୍ପରଠୁ ଛଡ଼ା ଛଡ଼ା ହେତୁ ସମସ୍ତେ ସହଜରେ ପଢ଼ି ତ ପାରନ୍ତି, ହେଲେ ଆଜି ବି ଯଦି ମୋ ଅକ୍ଷର କିଏ ଦେଖେ, ତାକୁ ଲାଗେ ନୂଆ ନୂଆ ଅକ୍ଷର ଶିଖୁଥିବା ଛୁଆଟିଏ ଲେଖିଚି ତାକୁ।


କୁହଯାଏ ଜଣଙ୍କ ଅକ୍ଷର ତା ବ୍ୟକ୍ତିତ୍ଵର ଗୋଟେ ଛାପ ଛାଡ଼େ ଦେଖିବା ଲୋକର ମନରେ । ଆଉ ସେମିତି ହେଲେ ବୋର୍ଡ଼ ପରୀକ୍ଷାରେ, ଯୋଉଠି ବାହାର ସ୍କୁଲକୁ ଖାତା ଯାଏ ମାର୍କିଂ ପାଇଁ, ସେଇଠି ମୋ ଅକ୍ଷର ଦେଖୁ ଦେଖୁ ଏଇଟା ଗୋଟେ ଗଧ ପିଲାର ଖାତା ବୋଲି ଜଣେ ଭାବିବା ସ୍ଵାଭାବିକ ଥିଲା। ତେଣୁ ସମୟ କ୍ରମେ ମୋ ଅନ୍ୟ ଶିକ୍ଷକ ମାନେ ମତେ ପରାମର୍ଶ ଦେଇଥିଲେ, ପ୍ରଥମେ short questions attempt କରିବାକୁ । ଯାହା ଫଳରେ ଖାତା ଦେଖୁଥିବା ଶିକ୍ଷକ ବୁଝି ପାରିବେ ଏ ପିଲାର ଅକ୍ଷର ଖରାପ ସିନା, ଗଧ ନୁହେଁ। ଯାହା ଫଳରେ ଆଗକୁ ଲେଖିଥିବା long questions ରେ ଭଲ ମାର୍କ ମିଳିବ।

ଆଉ ସତରେ ଏଇ ଫର୍ମୁଲା କାମ ଦେଇଥିଲା ମଧ୍ଯ!

ତଥାପି ଆଜି ବି ମତେ ଲାଗେ, ମୋ ଅକ୍ଷର ଆଉ ଟିକେ ଭଲ ଥିଲେ ଆଉ କିଛି ଅଧିକା ମାର୍କ ଆସିଥାନ୍ତା ମୋର ସବୁ ପରୀକ୍ଷା ମାନଙ୍କରେ। 


ତେବେ ଏମିତି ଅକ୍ଷରକୁ ନେଇ ବଞ୍ଚିବାର ଅଛି ବୋଲି ଏକ ରକମ ବୁଝେଇ ଦେଇଥିଲି ମୁଁ ନିଜକୁ। କିନ୍ତୁ କଲେଜ୍ ରେ ପଢ଼ିବା ସମୟରେ ମୋ ଜୁଲୋଜି ମାଡାମ୍ ୟାକୁ ସହଜରେ ଗ୍ରହଣ କରି ନଥିଲେ। ମୋ ଅକ୍ଷର ସୁଧାରିବାର ପ୍ରୟାସ କରିଥିଲେ ସେ ସେଇ ସମୟରେ। 

କୁହନ୍ତି ଛତୁ ଫୁଟା କାଠ ଆଉ ନିଶ ଉଠା ପାଠ କୋଉ କାମକୁ ନୁହେଁ। ମାଡାମ୍ କିନ୍ତୁ ମୋ ନିଶ ଉଠା ବୟସରେ(ପୁଅ ପିଲା ହେଇଥିଲେ, ମୋର ନିଶ ଉଠୁଥାନ୍ତା ନିଶ୍ଚୟ ସେତେ ବେଳକୁ ମୋ ହାତ ଧରି ମତେ cursive hand writing ରେ ଲେଖିବା ଶିଖେଇ ଥିଲେ, ଯାହା ଆମ ମାନଙ୍କୁ ଏବେ ଭଳି ଶିଖା ଯାଉ ନଥିଲା ଆମ ସ୍କୁଲ ମାନଙ୍କରେ।

ମୋ ଅନ୍ୟ ସାଙ୍ଗ ମାନେ ଯେତେବେଳେ ଖାଲି ସିଲାବସ୍ ସାରୁଥିଲେ, ମାଡାମ୍ ଙ୍କ ନିର୍ଦ୍ଦେଶରେ ମୁଁ ପ୍ରତିଦିନ ଦୁଇ ପୃଷ୍ଠା hand writing ଲେଖି ଆଣି ଦେଖୋଉଥିଲି ତାଙ୍କୁ(ତା ପାଇଁ ମୁଁ ଦୁଇଟା hand writing ଖାତା ବି କିଣିଥିଲି କଲେଜ୍ ରେ ପଢ଼ିବା ବେଳେ ) ଅନ୍ୟମାନେ ମୋ hand writing ଲେଖିବା ଦେଖି ହସୁଥିବା ବେଳେ ମତେ ଲାଜ ତ ମାଡ଼ୁଥିଲା ଢେର୍, କିନ୍ତୁ ମୁଁ ବୁଝି ପାରୁଥିଲି ମୋର ଭଲ ପାଇଁ ମାଡାମ୍ କେତେ ଚିନ୍ତା କରୁଛନ୍ତି! ନହେଲେ ନିଜ କାମ ବାଦ୍ ଜଣେ ଏ extra ପରିଶ୍ରମ କରିବାକୁ ଯିବ ବା କାହିଁକି!

ନିଜ ଛାତ୍ର ମାନଙ୍କ ସାମଗ୍ରିକ ବିକାଶ ଦିଗରେ ଗୁରୁ ଯେ କେତେ ପ୍ରକାରେ ଚେଷ୍ଟା କରନ୍ତି, ଇଏ ତ ତାହାର ଏକ ଉଦାହରଣ ମାତ୍ର! 

ଆଉ ମୋ ମାଡାମ୍ ଙ୍କ ସେ ଚେଷ୍ଟା କାମ ଦେଲା ମଧ୍ଯ। ମୋ ଅକ୍ଷର କିଛି ମାତ୍ରାରେ ସୁଧୁରି ଯାଇଥିଲା ତା ପରଠୁ। 


କିଛି ଲୋକଙ୍କୁ କହିବା ଶୁଣିଚି, ଶିକ୍ଷକ ମାନେ କେବଳ ଦରମା ନେଇ, କୋର୍ସ ସାରି ଦେଇ ନିଜ ଦାୟିତ୍ଵ ତୁଲେଇ ଦଉଛନ୍ତି। ମୁଁ କିନ୍ତୁ ଏ କଥାଟି ମାନି ପାରେନି। କାରଣ ମୁଁ ତ ନିଜେ ଅନୁଭବ କରିଛି, ମୋ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମୋ ଲାଜକୁଳା ସ୍ଵଭାବ ପାଇଁ ନିଜ doubt clear କରି ପାରେନି ବୋଲି, ମତେ ନିଜ ଆଡ଼ୁ ଡାକି ବାରମ୍ବାର ବୁଝିଲୁ କି ନାହିଁ, ଆଉ କିଛି doubt ଥିଲେ ପଚାର ବୋଲି କହି କହି ମୋ ପାଟି ଖୋଲାନ୍ତି ଅନେକ ସମୟରେ! ମୋ ପାଠପଢ଼ା ପାଇଁ ମୋ ନିଜ ଘର ଲୋକଙ୍କ ଅପେକ୍ଷା ମୋ ଶିକ୍ଷକମାନେ ବେଶୀ ଚିନ୍ତିତ ଥିଲେ ବୋଲି ବିନା ଦ୍ୱିଧାରେ ସ୍ୱୀକାର କରେ ମୁଁ । 


ଆଜି ଗୁରୁ ଦିବସରେ ମୋ ଜୀବନରେ ମୋ ଗୁରୁ (ପିତା, ମାତା ତଥା ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ) ମାନଙ୍କ ଅବଦାନକୁ ସ୍ମରଣ କରି ଆଜି କୃତଜ୍ଞତା ଜ୍ଞାପନ କରୁଛି ଆଉ ଶତ ଶତ ପ୍ରଣାମ ଜଣାଉଛି ମତେ ସମ୍ବେଦନଶୀଳ ମଣିଷଟିଏ କରି ଗଢ଼ି ତୋଳିଥିବା ପାଇଁ ।



Rate this content
Log in

Similar oriya story from Inspirational