Lipsa Panda

Comedy

4  

Lipsa Panda

Comedy

ଡାଏଟିଂ

ଡାଏଟିଂ

4 mins
382



କାଠିବାବୁ ଭାରି ଖାଦ୍ୟପ୍ରେମୀ। ଖାଦ୍ୟପ୍ରେମୀ କହିଲେ ଟିକେ ହାଲୁକା ଲାଗିବ। 'ଖାଦ୍ୟଲୋଭୀ' ଟା ଠିକ୍ ଖାପ ଖାଇବ ବୋଧହୁଏ ତାଙ୍କ ଠେଇଁ।


ଅବଶ୍ୟ ପିଲାଦିନେ ସେ ସେମିତି ନଥିଲେ ବୋଲି ମାଆ କହୁଥିଲା। ପିଲାଦିନେ କାଳେ ଖାଇବା ମୁଠାକ ଶେଷ କରିବାକୁ ମାଆକୁ ନାକରେ ପାଣି ପିଆଉଥିଲେ। ଆଉ ଖୋରାକି ଅନୁସାରେ ଦେହ ଖଣ୍ଡକ ବି ଥିଲା ପିମ୍ପି କାଠି ପରି। ସେଇ ହେତୁରୁ ନାଆଁ ଗୋଟିକ ରହି ଯାଇଥିଲା କାଠି। ହେଲେ କାଠି ବୟସ ବଢ଼ିବା ସହ ବଢ଼ି ବଢ଼ି ମହାଦ୍ରୁମରେ ପରିଣତ ହେଲା। 


କାରଣ ସେଇ ମା! ଦେହରେ ଲାଗିବ ବୋଲି ଠେସି ଠେସି ଗିଳେଇଲା। ଖାଦ୍ୟ ପାଇଁ ଆଗ୍ରହ ଆସିବ ବୋଲି ଭଳି କି ଭଳି ସୁଆଦିଆ ଖାଇବା ଖୁଆଇଲା। ହେଲେ ସମୟ ସାଙ୍ଗରେ ସେ ଖାଇବା ଏମିତି ଦେହରେ ଲାଗିଲା ଯେ ଆଉ ଦେହରୁ ଛାଡ଼ିବାର ନାଁ ଗନ୍ଧ ନେଲାନି। 


କଥାରେ ଅଛି ଖାଇଲା ପୁଅ ରଙ୍କ। ଆଉ ଥରେ ଯା ପାଟିରେ ରସଗୋଲା ବାଜିଲା, ସେ କି ଆଉ ଗୁଲୁଗୁଲାକୁ ମନ କରେ!

ଗଣ୍ଡି ବଢ଼ିବା ଦେଖି ଆରମ୍ଭରୁ ଟିକେ ଜଗିଥିଲେ ହେଇ ଥାଆନ୍ତା କି କଣ! ହେଲେ ମାଆ ଆଖିକୁ ପୁଅର ସେ କ୍ରମ ବର୍ଦ୍ଧିଷ୍ଣୁ ଶରୀର ଦିଶିଲେ ତ! ଓଲଟା ପଡ଼ିଶା ଘର କିଏ ଗୋଟେ "କାଠି ଦେହରେ ଲାଗିଲାଣି ଏବେ" ବୋଲି ମାଆ ଆଗରେ ଥରେ କହିଦେଲା ଯେ, ସେ ତା ଚଉଦ ପୁରୁଷ ଉଝାଳି ପକେଇଲା।


ତା ପରଠୁ କାଠି ଗାଁ ଦାଣ୍ଡରେ ଯେବେ କୁନି ହାତୀଟିଏ ଭଳି ଢଳି ଢଳିକା ଚାଲେ, ଲୋକେ ସେଇଠୁ ଉଠି ଯାଇ ପଛରେ ହସିବେ ପଛେ, ତା ମାଆ ଆଗରେ କିନ୍ତୁ "ପୁଅ କଣ ଶୁଖି ଗଲାଣି?" ବୋଲି ପଦେ କହି ଚୁ ଚୁ କରନ୍ତି। ମାଆ ବି ତାଙ୍କ ସେ ଚିଗୁଲିକୁ ସତ ମଣି ପୁଅକୁ 'ଲୋକେ ନିଜ ମୋବାଇଲରେ ଅନେଶ୍ୱତ ପର୍ସେଣ୍ଟ ଚାର୍ଜ ଥିଲା ବେଳେ ବି ଲୋଭରେ ଆହୁରି ଚାର୍ଜରେ ବସେଇବା ଭଳି' ଠୁସାଏ ଆହୁରି ବେଶୀ। ତାର ପରିଣାମ: କାଠି ହାଇସ୍କୁଲ ପଢ଼ିଲା ବେଳକୁ ଓଜନ ଘର ସେଞ୍ଚୁରୀ ପାର୍।


ଭାଗ୍ୟ ଭଲ ସେଇ ସମୟରେ ଏବେ ଭଳି ଝିଅ ମଡ଼କ ନଥିଲା। ନହେଲେ କାଠି ଓଥରା ରହି ଯାଇଥାନ୍ତା ନିଶ୍ଚୟ। ମାଆ ଖୋଜି ଖୋଜି ନିହାତି ଗୋଟିଏ ଗରୀବ ଘରର ପଞ୍ଚମ କନ୍ୟାରତ୍ନ ପଞ୍ଚେଇ ଦେବୀଙ୍କୁ ଆଣିଲା ପୁଅ ପାଇଁ ବୋହୂ କରି। 


ସେ ଦେବୀ ଜୀବନ ଧାରଣ ପାଇଁ ଯେତିକି ନିହାତି ଆବଶ୍ୟକ, ସେତିକି ମାତ୍ର ଆହାର ସହ ନିଜ ଘରେ ଅଭ୍ୟସ୍ତ ଥିଲା ସ୍ଥଳେ, ଶାଶୁଘର ଥିଲା ଖାଇଲା ବାଲା ଘର। ତେଣୁ କେବେ ଜିଭରେ ବାଜି ନଥିବା ଖାଦ୍ୟ ମାନ ଦେଖି ସେ ସ୍ୱାମୀଙ୍କ ଖାଦ୍ୟକୁ ନିୟନ୍ତ୍ରଣ କରିବେ କଣ, ନିଜ ଜିହ୍ଵା ନିୟନ୍ତ୍ରଣ କରି ପାରିଲେନି। ଅତଏବ ମାଆ ଅନ୍ତେ ବି ସେଇ ଖିଆପିଆ ଧାରା ଲାଗି ରହିଲା। ଆଉ ତା ସହ ଲାଗି ରହିଲା ଦୁହିଁଙ୍କ ଶରୀରର ଉତ୍ତମ ମାନର ବିକାଶ। ଏବେ କାଠି ବାବୁଙ୍କ ସହ ପଞ୍ଚେଇ ଦେବୀ ମିଶି ଯେବେ ଏକାଠି ଠିଆ ହବାର କିଏ ଦେଖେ, ଭାବେ ଯେମିତି ବିଧାତା ବରାଦ ନେଇ ହିଁ ଗଢ଼ିଥିଲା ଜଣକୁ ଆର ଜଣକ ପାଇଁ! 


କାଠିବାବୁଙ୍କ ଶରୀର ସହ ପ୍ରତିଯୋଗିତା ଆରମ୍ଭ କରିବା ଆଗରୁ ପଞ୍ଚେଇ ଦେବୀ ପୁତ୍ର ସନ୍ତାନର ଜନନୀ ହେଇ ସାରିଥିଲେ ରକ୍ଷା! ନହେଲେ ଶାଶୁ ବୋଧହୁଏ ବଂଶଧରଟିଏ ନ ପାଇ ଅତୃପ୍ତ ଆତ୍ମା ହେଇ ଘୂରି ବୁଲିଥାନ୍ତେ ଏଇ ମର୍ତ୍ତ୍ୟ ମଣ୍ଡଳରେ ଚିରଦିନ ପାଇଁ।

ଗୋଟିକ ଛୁଆ ପରେ ପରେ ପଞ୍ଚେଇ ଦେବୀଙ୍କ ଶରୀର ଶ୍ରାବଣ ମାସର ନଦୀ ଭଳି ଫୁଲିବା ଦେଖି ଡକ୍ଟର ଆଉ ଦ୍ଵିତୀୟ ଛୁଆ କଥା ମନକୁ ନ ଆଣିବାକୁ ପରାମର୍ଶ ଦେଲେ।


ହେଉ, ବଂଶ ଆଗକୁ ବଢ଼ିବା ଲାଗି ବ୍ୟବସ୍ଥା ତ ସରିଛି। ତେଣୁ ଆଉ ସେଇ ଦିଗରେ ଧ୍ୟାନ ନ ଦେଇ ସମ୍ପୂର୍ଣ୍ଣ ଧ୍ୟାନ ନିଜ ନିଜର ଶରୀର ବଢେଇବା ଦିଗରେ ଲଗେଇଲେ ଦମ୍ପତ୍ତି। ଯେଉଁ ଯତ୍ କିଞ୍ଚିତ ଚର୍ବି ପୁଅ ପଛରେ ଲାଗି ଲାଗି ଖର୍ଚ୍ଚ ହଉଥିଲା, ମାଆର ପରଲୋକ ଗସ୍ତ ତଥା ପୁଅର କଲେଜ ପଢ଼ା ହେତୁକ ହଷ୍ଟେଲ ଗମନ ପରେ ସେଇତକ ବି ସଞ୍ଚିତ ହେଇ ରହିଲା ଏଥର ଦୁହିଁଙ୍କ ଶରୀରରେ।


ଏବେ ଦିନକୁ ଦିନ ପରିସ୍ଥିତି ଅସମ୍ଭାଳ ହେଇ ପଡ଼ୁଥିଲା। ଆଉ ବସିଲେ ଉଠିବା ଅସମ୍ଭବ ହେଇ ଯାଉଥିଲା ଉଭୟଙ୍କ ପାଇଁ। ଘରୁ ଇଣ୍ଡିଆନ ଲାଟ୍ରିନ୍ କେବେଠୁ ଉଠି କମୋଡ଼ ଲାଗି ସାରିଥିଲା। ତଳେ ଖାଇ ବସିଲେ ଉଠିବା ଅସମ୍ଭବ ହେଇଯିବ ବୋଲି ଅଲଗା ଦରକାରୀ ଆସବାବପତ୍ର ପଛରେ ଆସିଲା, ଆଗେ ଡାଇନିଂ ଟେବୁଲ୍ ଆସିଲା ଘରକୁ। ଧିରେ ଧିରେ ଦୁହିଁଙ୍କ ଭୂଇଁ ଠାରୁ ଦୂରତା ବଢ଼ି ବଢ଼ି ଚାଲିଲା ଯେ ଚାଲିଲା ...


ଯାହା ତାହା କରି ପରିସ୍ଥିତି ସହ ବୁଝାମଣା କରି ଚଳି ଯାଉଥିଲେ ଦୁହେଁ। ଦିନେ ତାଙ୍କ ଏ ଶରୀର-ସୁଖ ସହି ପାରିଲାନି ଦଇବ।

କାଠିବାବୁ ସାୱାର ସାରି (ନଇଁକି ବାଲଟିରୁ ମଗ୍ ରେ ପାଣି ଉଠେଇ ଗାଧୋଇବା କୋଉ ଯୁଗରୁ ବନ୍ଦ ହେଇ ସାରିଥିଲା) ବାଥ୍ ରୁମ୍ ରୁ ବାହାରୁ ଥିଲେ। ଘୁମ ସଦୃଶ ପେଟଟି ପାଦ-ପାଖସ୍ଥ ଭୂଇଁକୁ ଦୃଶ୍ୟମାନ କରେଇ ନ ଦେଲାରୁ ଦୁଆର ବନ୍ଧରେ ଛନ୍ଦି ହେଇ ଗଛ କାଟିଲା ଭଳି କଚାଡ଼ି ହେଇ ପଡ଼ିଗଲେ। ଘରେ ସେତେବେଳେ ଏକୁଟିଆ ପଞ୍ଚେଇ ଦେବୀ। ତାଙ୍କର ତ ନିଜ ଅବସ୍ଥା ଅସମ୍ଭାଳ। ସିଏ ୟାଙ୍କୁ ଆଉ ଟେକିବେ କଣ! ବିଚରା ବହେ ସମୟ ଯାଏଁ ଭୂମି-ଶ୍ଚୂମ୍ବୀ ଅବସ୍ଥାରେ ପଡ଼ି ରହିଲେ ସେମିତି। ଆମ୍ବୁଲାନ୍ସକୁ ଫୋନ୍ କରିଦେଇ ତାଙ୍କରି ପାଖରେ ଚେୟାର ଖଣ୍ଡେ ପକେଇ ଜଗି ରହିଲେ ପଞ୍ଚେଇ ଦେବୀ।


ଷ୍ଟ୍ରେଚରରେ ଚାରିଜଣ ଜାଗାରେ ଆଠଜଣଙ୍କ ଦ୍ଵାରା ବୁହା ହେଇ କାଠିବାବୁ ଗଲେ ହସ୍ପିଟାଲ୍। ସେଇଠି ଆଠଦିନ ପଡ଼ିବା ଭିତରେ ବାଥରୁମ୍ ଯିବାକୁ ଯେତିକି ହଇରାଣ ହରକତ ହେଲେ, ଆଉ ମେଡିକାଲ ଷ୍ଟାଫମାନଙ୍କୁ କଲେ, ଡକ୍ଟର ଶୁଣେଇ ଦେଲେ ସିଧା ସିଧା, ଏ ଭାର ଯେମିତି ହେଲେ ଉତାରିବାକୁ ପଡ଼ିବ ତାଙ୍କୁ ନିଜ ଅଙ୍ଗରୁ।


ଏବେ ସେଇ ଏକ ରକମ ଅସମ୍ଭବ ମନେ ହେଉଥିବା କାମଟି ସମ୍ଭବ ହେବ କିପରି ବୋଲି ଡାକ୍ତରଙ୍କୁ ପଚାରନ୍ତେ ସେ ପଠେଇ ଦେଲେ ତାଙ୍କୁ ନ୍ୟୁଟ୍ରିସନିଷ୍ଟ ପାଖକୁ।


ସେ ତ କାଠି ବାବୁଙ୍କ ବିଶାଳକାୟ ଶରୀରର ଆୟତନକୁ ଦେଖୁ ଦେଖୁ ପ୍ରଥମେ ଆଁ କରି ରହିଗଲେ କିଛି କ୍ଷଣ। ହେଲେ ପରବର୍ତ୍ତୀ ମୁହୂର୍ତ୍ତରେ ନିଜ ପେଶାକୁ ବିପଦ ଆସିପାରେ ଭାବି ଯଥା ସମ୍ଭବ ନିଜକୁ ସଜାଡ଼ି ନେଇ: "ହଁ, ଆପଣଙ୍କ ଭଳି ଏମିତି କେତେ ଲୋକଙ୍କୁ ମୁଁ ପତଳା କରି ସାରିଛି ଆଗରୁ" ବୋଲି କହି ତ ଦେଲେ, ହେଲେ କାଠି ବାବୁଙ୍କୁ ତାଙ୍କ କଥାରେ ସେତିକି ଆତ୍ମବିଶ୍ୱାସ ଥିଲା ଭଳି କାହିଁକି କେଜାଣି ମନେ ହେଲାନି। ତା ପରେ ବି ଚେଷ୍ଟା କରି ଦେଖାଯାଉ, ଗୋଟିଏ ପ୍ରେସକ୍ରିପସନରେ ଦୁଇଜଣ ଠିକ୍ ହେଇଯିବେ, ତେଣୁ ଡିଲଟି ନିଶ୍ଚିତ ଭାବେ ଲାଭଦାୟକ ହେବ ବୋଲି ଭାବି ନେଇ ଯେବେ ନିରାକରଣ ବତେଇବାକୁ କହିଲେ, ଡାକ୍ତର ବାବୁ ଲେଖି ବସିଲେ ଗୋଟେ ଚିଠା। ଔଷଧର ନୁହେଁ, ଓଜନ କମେଇବାକୁ କଣ କଣ ଡାଏଟ୍ ଖାଇବେ ତା'ର।


କାଠିବାବୁ ତ ଭାବିଥିଲେ ସେ ଚିଠାରେ କଣ କଣ ସବୁ ଖାଇବେନି, ତାର ଲମ୍ବା ଲିଷ୍ଟଟା ଥିବ। ହେଲେ ଦେଖିଲା ବେଳକୁ ଓଲଟା! କଣ କଣ ସବୁ ଖାଇବେ, ତାର ଲମ୍ବା ତାଲିକା ଥିଲା ସେଥିରେ। 

ସେଇ ଲମ୍ବା ଚିଠା ଦେଖି କାଠି ବାବୁ ଭାବୁଥିଲେ: ଜୀବନ ସାରା ଖାଇ ଖାଇ ତ ଏ ଗଣ୍ଡି ବଢେଇଲି। ଏବେ ଫେର୍ ଚିନ୍ତା କରିବି କଣ କଣ ସବୁ “ଖାଇକି" ୟାକୁ ଝଡ଼େଇବି!!!



Rate this content
Log in

Similar oriya story from Comedy