Lipsa Panda

Abstract Classics Inspirational

4  

Lipsa Panda

Abstract Classics Inspirational

କ୍ଷୋଭ

କ୍ଷୋଭ

5 mins
270



ଅନିକେତ, ସୀମା କରୋନା ଲାଗି ବର୍ଷେ ହେଲା ଗାଁ ରେ ଅଛନ୍ତି। ୱାର୍କ୍ ଫ୍ରମ ହୋମ୍ ଚାଲିଚି ବୋଲି ଗାଁ କୁ କୁଣିଆ ଭଳି ଦୁଇ ଚାରିଦିନ ପାଇଁ ବୁଲି ଆସି ଚାଲି ଯାଉଥିବା ଦମ୍ପତି ଏଇଥର ଏତେ ଗୁଡ଼ାଏ ଦିନ ଧରି ଗାଁ ରେ ରହିବାକୁ ସୁଯୋଗ ପାଇଲେ। ଛୁଆର ବି ତ ଅନଲାଇନ୍ କ୍ଲାସ। ତେଣୁ କାହାର କିଛି ଅସୁବିଧା ହଉନି। ଯେତେଦିନ ପର୍ଯ୍ୟନ୍ତ ଏ ଅନଲାଇନ କ୍ଲାସ ଆଉ ଘରୁ ଅଫିସ୍ କାମ ଚାଲିବ, ସେମାନେ ଗାଁ ରେ ରହିବେ ବୋଲି ସ୍ଥିର କରିଛନ୍ତି।


ସୀମା ତ ବାହାଘର ସରିବା ପରେ ପରେ ଚାଲି ଯାଇଥିଲା ତା କର୍ମସ୍ଥଳକୁ। ଖୁବ୍ କମ୍ ଦିନ ଗାଁ ରେ ରହିବାକୁ ସୁଯୋଗ ମିଳିଥିଲା ତାକୁ। ତେଣୁ ଗାଁ ଲୋକେ ତାକୁ, କି ସେ ଗାଁ ର ଲୋକଙ୍କୁ ବିଶେଷ ଜାଣିବାର ସୁଯୋଗ ପାଇ ନଥିଲା। ତେବେ ଏଇଥର ଗାଁ ରେ ରହିବା ଭିତରେ ସାହି ପଡ଼ିଶା ଲୋକଙ୍କୁ ଅଳ୍ପେ ବହୁତେ ଜାଣି ଗଲାଣି ।


ତା ଛାତ ଉପରୁ ପଡ଼ୋଶୀ ଘରର ଅଗଣା ଦିଶେ। ସଞ୍ଜରେ ଯେବେ ଛାତ ଉପରକୁ ଚାଲିବାକୁ ଯାଏ, ସେଇ ଘରକୁ ନିରୀକ୍ଷଣ କରେ ସେ ଅନେକ ସମୟରେ। ସ୍ତ୍ରୀ ଲୋକଟିଏ ଶାଶୁ ଶ୍ୱଶୁର ଆଉ ତିନୋଟି ପିଲାଙ୍କୁ ନେଇ ରହେ ସେଠି। ଅନିକେତ ଙ୍କୁ ପଚାରି ବୁଝିଥିଲା ସେ, ସ୍ତ୍ରୀ ଲୋକଟିର ସ୍ଵାମୀ ଓଡ଼ିଶା ବାହାରେ ରହି କାମ କରେ। ଗତ ବର୍ଷ ସେମାନେ ଗାଁ କୁ ଆସିଲା ବେଳକୁ ସେଇ ଲୋକ କିଛିଦିନ ଯାଏଁ ଥିଲା ଘରେ। ଶୁଣିଥିଲା ସୀମା, ସେ ଲୋକଟି କାମ କରୁଥିବା ଫ୍ୟାକ୍ଟ୍ରି କରୋନା ଲକ୍ ଡାଉନ୍ ଲାଗି ବନ୍ଦ ହେଇ ଯିବାରୁ, ସେ ଲୋକ ପ୍ରବାସୀଙ୍କ ପାଇଁ ରେଲୱ ତରଫରୁ ଆରମ୍ଭ ହେଇଥିବା ସ୍ପେଶାଲ ଟ୍ରେନ୍ ରେ ଚାଲି ଆସିଥିଲା ଘରକୁ। ସୀମା ଆଉ ଅନିକେତ ବରଂ ବହୁତ୍ ଡେରିରେ, କରୋନା ପ୍ରକୋପ ଟିକେ କମି, ହୋଟେଲ, ରେଷ୍ଟୁରାଣ୍ଟ ସବୁ ଖୋଲିଲା ପରେ, ନିଜ ଗାଡ଼ିରେ ଆସିଥିଲେ। ତେବେ ସୀମା ଦେଖିବାରେ ଲୋକଟି ଅଳ୍ପ କିଛି ଦିନ ମାତ୍ର ଘରେ ରହି ପୁଣି ଫେରି ଯାଇଥିଲା ତା କାମ କରୁଥିବା ଜାଗାକୁ।


ସୀମା ଉପରୁ ଥାଇ ଲକ୍ଷ୍ୟ କରେ ସେମାନଙ୍କ ଚଳଣିକୁ। ଦାରିଦ୍ର୍ୟର ସ୍ପଷ୍ଟ ଚିତ୍ର ଦେଖିପାରେ ସେ ଘରେ। ନିଜକୁ ମିଶେଇ ଛଅ ପ୍ରାଣୀଙ୍କ ପେଟ ଭରିବାକୁ ସ୍ତ୍ରୀ ଲୋକଟି ବେଶ୍ ଖଟୁଥାଏ ଦିନ ତମାମ୍। ସ୍ଵାମୀର ପଠୋଉ ଥିବା ଟଙ୍କା ଯଥେଷ୍ଟ ନୁହେଁ କେବେ ବି। ସୀମାର ଝିଅ ଯେତେବେଳେ ଅନଲାଇନ୍ କ୍ଲାସ କରୁଥାଏ, ପଡ଼ିଶା ଘରର ତିନୋଟି ଛୁଆ ଅଗଣାରେ ପାଟି ତୁଣ୍ଡ କରି ଖେଳୁଥିବେ ନହେଲେ ଖାଇବାକୁ ନେଇ ଝଗଡ଼ା କରୁଥିବେ।

ପେଟ ଚାଖଣ୍ଡକ ପୁରୁ ନଥିବା ବେଳେ ପାଠ ପଢ଼ା କଥା କିଏ ପଚାରେ!

ତିନିଟା ଛୁଆ ପାଇଁ ତିନି ତିନିଟା ସ୍ମାର୍ଟ ଫୋନ୍ ଅବା ସେମାନେ ଆଣିବେ କୁଆଡ଼ୁ!

ଶାଶୁ ଶ୍ୱଶୁର ପଡ଼ି ରହିଥିବେ ସେମିତି ଅଗଣାରେ ଦୁଇଟା ଦଉଡ଼ିଆ ଖଟରେ। କତରାଲଗା ଅବସ୍ଥା। ସ୍ତ୍ରୀ ଲୋକଟି ତାଙ୍କୁ ଖୁଆଇ ପିଆଇ ଦବା ଠୁ ଆରମ୍ଭ କରି ଗୁହମୁତ ଯାଏଁ ସବୁ କରେ। ତା ଉପରେ ତିନି ତିନିଟା ଛୁଆଙ୍କ ରାବ! ଧନ୍ଦି ହଉଥାଏ ବିଚାରି। ଭାରି ଦୟା ଆସେ ସୀମାର ସେ ସ୍ତ୍ରୀ ଲୋକଟି ଉପରେ। 


ସେମାନେ ଗାଁ କୁ ଆସିବାର ଅଳ୍ପ ଦିନ ଭିତରେ ସେ ଘରର ପୁରୁଷ ଲୋକଟି ବାହାରିଗଲା ପୁଣି ତା କର୍ମକ୍ଷେତ୍ରକୁ। ହେଲେ ଲୋକଟି ଯିବାର ଅଳ୍ପ ଦିନ ଭିତରେ ସୀମା ଲକ୍ଷ୍ୟ କଲା ସ୍ତ୍ରୀ ଲୋକଟି ସକାଳୁ ସକାଳୁ ବାନ୍ତି କରିବା। ଘରକୁ ଆସୁଥିବା ନିଜ ସମ୍ପର୍କୀୟ ଖୁଡ଼ୀଙ୍କୁ ପଚାରି ବୁଝିଲା, ତା ସନ୍ଦେହ ସତ। ସ୍ତ୍ରୀ ଲୋକଟି ଗର୍ଭବତୀ। 

ଆଶ୍ଚର୍ଯ୍ୟ ହଉଥିଲା ସୀମା। ତିନି ତିନିଟା ଛୁଆ ଅଛନ୍ତି ଆଗରୁ। ତାଙ୍କରି ପେଟ ପୋଷିବାର କ୍ଷମତା ନାହିଁ ବୋଲି ଭିଟାମାଟି ଛାଡ଼ି ବାହାରେ ଦାଦନ ଖଟୁଚି ଲୋକଟି। ହେଲେ ଏମିତି ବିପର୍ଯ୍ୟୟ ସମୟରେ ବାଧ୍ୟ ବାଧକତାରେ ଗାଁ କୁ କିଛିଦିନ ପାଇଁ ଆସି ପୁଣି ଆହୁରି ଗୋଟେ ଛୁଆ କରିବାକୁ ମନ ହେଲା! ଭାବୁଥିଲା ସୀମା, ଏ ନିଷ୍ପତ୍ତି ସ୍ଵାମୀ ସ୍ତ୍ରୀ ଦୁହେଁ ମିଶିକି ନେଇଥିବେ? ଏତେ ଅବସ୍ଥା ପରେ ପୁଣି ଗୋଟେ ଛୁଆର ଦାୟିତ୍ଵ ନବାକୁ ସ୍ତ୍ରୀ ଲୋକଟି ପ୍ରସ୍ତୁତ ଅଛି ତ? 


ନିଜ କଥା ଚିନ୍ତା କରୁଥିଲା ସୀମା। ତାର ଗୋଟିଏ ବୋଲି ଝିଅ ବୋଲି ଗାଁ କୁ ଆସିଲା ଦିନୁ ଘରଲୋକ ତ ଘରଲୋକ, ଘରକୁ ଦଣ୍ଡେ ଘଡି଼ଏ ପାଇଁ ଚାଲି ଆସୁଥିବା ଲୋକ, କି ଦାଣ୍ଡରେ ଚାଲି ଯାଉ ଯାଉ ଘଡି଼ଏ ଠିଆ ହେଇପଡ଼ି ଗପି ଦଉଥିବା ଲୋକ ସୁଦ୍ଧା ତାକୁ କି ଅନିକେତଙ୍କୁ ଦେଖିଲେ ଦ୍ଵିତୀୟ ଛୁଆ କେବେ ହଉଚି ବୋଲି ପଚାରି ଦିଅନ୍ତି। ଖାଲି ପଚାରି ଦେଲେ ବି ଚଳନ୍ତା, କେମିତି ଗୋଟେ ଆଖି ଆଖି ନୁହେଁ, ଆଉ ଗୋଟେ ଛୁଆ ହେଲେ ଭଲ ମନ୍ଦ ଅବସ୍ଥା ପାଇଁ କେମିତି ଭଲ, ଏମିତି ଏମିତି ଗୁଡ଼ାଏ କଥା ପ୍ରବଚନ ଦବା ରକମ ଶୁଣାନ୍ତି। ଆଉ କିଛି ତ ତାଙ୍କ ଦେଖିଥିବା କୋଉ ଘଟଣା, ଦୁର୍ଘଟଣା କଥା କହି ଡରେଇ ଦିଅନ୍ତି ରୀତିମତ। କିଛି ଲୋକ ତ ଆଉ ଦୁଇପାଦ ଆଗକୁ ଯାଇ ଗୋଟିକ ଝିଅ ଲାଗି କେମିତି ତୁମ ବଂଶ ବୁଡ଼ିଯିବ, ତୁମ ମୃତ ପିଣ୍ଡ ପାଣି ପାଇବନି, ମଲା ପରେ କେମିତି ତୁମ ଆତ୍ମା ଅତୃପ୍ତ ରହିବ ନହେଲେ ତ ତୁମ ବଡ଼ବଡୁ଼ଆ କେମିତି ସ୍ଵର୍ଗରେ ଥାଇ ଅସନ୍ତୁଷ୍ଟ ହଉଥିବେ ଇତ୍ୟାଦି ଇତ୍ୟାଦି କହି ସୀମା ତଥା ଅନିକେତକୁ ଅପରାଧି ଅପରାଧି ବୋଧ କରେଇବାକୁ କିଛି ସୁଯୋଗ ହାତଛଡ଼ା କରନ୍ତିନି। 

ବାହାର ଲୋକେ ତ ଏମିତି ଉପର ଠାଉରିଆ ଭାବେ କହିଦେବେ। ତାଙ୍କର କଣ ଯାଏ! ସେମାନେ କିଛି ଦେବେ ନା ନେବେ!

ହେଲେ ଆଜିର ଏ ବ୍ୟୟ ବହୁଳ ଶିକ୍ଷା ପଦ୍ଧତିରେ ଗୋଟିଏ ଛୁଆକୁ ତା ଇଚ୍ଛା ମୁତାବକ ପାଠ ପଢେ଼ଇବାକୁ କେତେ ଯେ ଖର୍ଚ୍ଚ, ସେଇଟା ତ ବାପା ମା ମାନେ ବୁଝନ୍ତି। ଖାଲି ଜନ୍ମ କରି ଦେଲେ କଣ ହବ! ସେଇଟା ତ ଗୋଟିଏ ଥରର କଥା। ହେଲେ ଛୁଆକୁ ଠିକ୍ ଭାବେ ଲାଳନପାଳନ କରି ଯୋଗ୍ୟ କରିବା କେତେ କାଠିକର ପାଠ! ଆମେ ତ ଆଉ ପଶୁ ଜନ୍ତୁ ଭଳି ପିଲା ମେଞ୍ଚାଏ ଜନ୍ମ କରି ଦେଇ ତାଙ୍କୁ ନିଜ ରାସ୍ତାରେ ବଢ଼ିବାକୁ ଛାଡ଼ି ଦେଇ ପାରିବାନି! 

 ଆଗ କାଳରେ ଅଳ୍ପ ଖର୍ଚ୍ଚରେ, ସୁବିଧାରେ ପାଠପଢ଼ା ହେଇ ଯାଉଥିଲା। ତେଣୁ ସେ ସମୟର ପୁରୁଣାକାଳିଆ ଲୋକଙ୍କୁ ଆଜିର ଏ ଖର୍ଚ୍ଚ କଥା କହିଲେ ସେମାନେ ବୁଝି ସୁଦ୍ଧା ପାରିବେନି।

ତେଣୁ ଅଳ୍ପ କିଛି ନିହାତି ନିଜର ଲୋକଙ୍କୁ ଛାଡ଼ିଦେଲେ ଅନ୍ୟ କାହାକୁ ଉତ୍ତର ସୁଦ୍ଧା ରଖନ୍ତିନି ଅନିକେତ କି ସୀମା।


ଗୋଟିଏ ଛୁଆର ଭବିଷ୍ୟତ, ତା ପାଠପଢ଼ା, ତା ବାହାଘର ଇତ୍ୟାଦି ଇତ୍ୟାଦି କଥା ଭାବି ସେମାନେ ଗୋଟିଏ ରୁ ଦୁଇଟା ଛୁଆ କଥା ଭାବୁ ନାହାଁନ୍ତି ନିଜର ଆର୍ଥିକ ସ୍ଥିତି ଏତେ ବି ଖରାପ ନଥିଲେ ବି । ଅଥଚ ଏଠି ପଡ଼ିଶା ଘରେ ଚାରିଟା ପାଞ୍ଚଟା ଛୁଆ ଜନ୍ମ କରିବାକୁ ସାହସ କରି ପାରୁଛନ୍ତି ନିଜ ଏ ଦୟନୀୟ ସ୍ଥିତି ସତ୍ତ୍ୱେ! କେମିତି!!


ଏସବୁ ଭାବି ଭାବି ମୁଣ୍ଡ ଗୋଳମାଳ ହେଇ ଯାଉଥିଲା ତାର। ସେଥିରୁ ନିଜ ଧ୍ୟାନ ହଟେଇବାକୁ ଟିଭି ଟିକେ ଦେଖିବ ଭାବି ରିମୋଟ୍ ଟା ଅନ୍ କଲା ସୀମା। ଏବେ କାଳେ ପୁଣି କରୋନା କେସେସ୍ ବଢ଼ୁଛି। ଦ୍ଵିତୀୟ ଲହର ଆରମ୍ଭ ହେଇ ଯାଇଛି ୟା ଭିତରେ। ପୁଣିଥରେ ଲକ୍ ଡାଉନ୍ ଆରମ୍ଭ ହେଇ ଗଲାଣି କିଛି ଜାଗାରେ। କଣ ସବୁ ଘଟୁଛି ଦେଶରେ ଟିକେ ଦେଖେ ଯାଇ! 


ଟିଭି ଚାଲିଲା ତ ଗୋଟିଏ ଦୃଶ୍ୟ ଆଖିରେ ପଡ଼ିଲା ତାର। ଗୋଟିଏ ନ୍ୟୁଜ ଚ୍ୟାନେଲ୍ ବାଲା ଓଡ଼ିଶା ବାହାରେ ରହୁଥିବା କିଛି ଲୋକଙ୍କ ଠୁ ବାଇଟ୍ ନଉଥାନ୍ତି। ଟିଭି ସ୍କ୍ରିନ୍ ରେ ତା ପଡ଼ିଶା ଘରର ସେଇ ଲୋକଟିର କାନ୍ଦ କାନ୍ଦ ମୁହଁ ଦେଖୋଉଥିଲା। ତା ସାଙ୍ଗକୁ ସେ ଆଉ ତା ସାଥୀମାନେ ଲକ୍ ଡାଉନ୍ ରେ କେମିତି ସେଇଠି ଭୋକ ଉପାସରେ ଫଶି ରହିଛନ୍ତି କହିବା ସହ ଘରେ ତା'ର ଛଅ ପ୍ରାଣୀ କୁଟୁମ୍ବ କେମିତି ଅପେକ୍ଷା କରି ବସିଛନ୍ତି ବୋଲି କହି, ତାକୁ ତଥା ତା ସାଥୀ ଶ୍ରମିକ ମାନଙ୍କୁ ନିଜ ରାଜ୍ୟକୁ ଫେରେଇ ଆଣିବାକୁ ତା ରାଜ୍ଯ ସରକାରଙ୍କୁ ଆକୁଳ ନିବେଦନ କରୁଥିଲା ସେ। 


ଗତ ଥରର ଲକ୍ ଡାଉନ୍ ସମୟରେ ଏମିତି ଦୃଶ୍ୟମାନ ଦେଖି ସୀମା ଦୁଃଖିତ ହଉଥିଲା ଢେର୍। କିନ୍ତୁ ଆଜି ସେ ଲୋକର ସେ ବିକଳ କ୍ରନ୍ଦନ ଶୁଣି ତାକୁ ଆଉ ଦୟା ଲାଗୁ ନଥିଲା। ଓଲଟା ରାଗ ଲାଗୁଥିଲା। କିଏ ଜାଣେ ଏଥର ଗାଁ କୁ ଆସିଲେ କେତେଦିନ ରହିବ! 

ଆଉ ଯଦି କିଛି ଅଧିକ ଦିନ ରହିଲା ଏବଂ ତା ଭିତରେ ନିଜ ଗର୍ଭବତୀ ସ୍ତ୍ରୀ ଏଇ ଛୁଆ ଗୋଟିକ ଜନ୍ମ କରିଦେଲା, ହୁଏତ ନିଜ କର୍ମକ୍ଷେତ୍ରକୁ ଫେରିବା ଆଗରୁ ଆଉ ଗୋଟିଏ ଛୁଆ ବ୍ୟବସ୍ଥା କରିଦେଇ ଯିବ ସେ !


ଛୁଆ ଜନ୍ମ କରିବା ତ ୟାଙ୍କ ନିଜ ଅଧିକାର ବୋଲି ଭାବନ୍ତି ଏମାନେ, କିନ୍ତୁ ଛୁଆଙ୍କ ପେଟ ପୋଷିବା ଦାୟିତ୍ଵ ସରକାରଙ୍କର ବୋଲି ଧରି ନେଇଛନ୍ତି । ଆଉ ଏଇ ମାନଙ୍କୁ ମାଗଣା ରାସନ୍ ଯୋଗାଇବା ପାଇଁ ସରକାର ତା ଭଳି ଲୋକଙ୍କ ତଣ୍ଟି ଚିପି ବିଭିନ୍ନ ଉପାୟରେ ଟ୍ୟାକ୍ସ ଆଦାୟ କରୁଛନ୍ତି। ତଥାପି ଟିକେ ବୋଲି ଅପରାଧ ବୋଧ କେମିତି ନାହିଁ କେଜାଣି ଏମାନଙ୍କର ! 

ନିଜ ପିଲାଙ୍କ ଭବିଷ୍ୟତ କଥା ନ ଭାବିଲେ ନାଇଁ, କେବେ ଟିକେ ଦେଶ ଦୁନିଆଁ କଥା ଚିନ୍ତା କରି ଦୁନିଆଁ ଉପରେ ବୋଝ ଟିକେ କମ୍ କରିବାକୁ ଆଗ୍ରହୀ ହେବେ ଏମାନେ? 

ସୀମା ଜାଣି ପାରୁଥିଲା, ତା ଏ କ୍ଷୋଭ କେବଳ କ୍ଷୋଭ ହେଇ ରହିଯିବ। କଣ ବା ସେ କରି ପାରିବ! ସରକାର ତ ଭୋଟ୍ ବ୍ୟାଙ୍କ ହରେଇବା ଭୟରେ ଚୁପ୍। କିଏ ଯଦି ଏ ସଂକ୍ରାନ୍ତରେ ନିୟମ ଲାଗୁ କରିବାକୁ ଚିନ୍ତା କଲା ତ ବିରୋଧ ହବ ସେଇ ଭୋଟ୍ ବ୍ୟାଙ୍କ ଲୋଭରେ। ଆଉ ତ ଦଳେ ଅଛନ୍ତି ସବୁ କଥାକୁ ଟାଣିଟୁଣି ସେଥିରେ ସାମ୍ପ୍ରଦାୟିକ ରଙ୍ଗ ବୋଳିବାକୁ। 

ଏମିତି ଅବସ୍ଥାରେ କେବଳ ଅସହାୟ ହେଇ ନିଜ କ୍ଷୋଭ କୁ ନିଜ ଭିତରେ ମାରିବା ହିଁ ସାର ।


Rate this content
Log in

Similar oriya story from Abstract