Pritipriya Mohanty

Fantasy Thriller

2.0  

Pritipriya Mohanty

Fantasy Thriller

ନୀଳ ଅମ୍ବରରୁ ନୀଡ଼ର ଦୂରତା

ନୀଳ ଅମ୍ବରରୁ ନୀଡ଼ର ଦୂରତା

8 mins
506


ସାରିଆ ସେଦିନ ବିଦ୍ୟାଳୟରୁ ଫେରି କ୍ଷୀର ନେଇ ସହରୀ ବାବୁ ରହୁଥିବା ଡାକବଙ୍ଗଳାକୁ ଯାଇଥିଲା । ଗଲା ଯେ ଗଲା ଆଉ ଫେରିଲାନି । ବାବୁ ରହୁଥିବା ଡାକବଙ୍ଗଳାକୁ ଯାଇ ଦେଖିଲୁ ସେଠି କେହି ନାହାଁନ୍ତି ।

ଦୁଇଦିନ ହେଲାଣି ଝିଅଟିକୁ ଖୋଜି ଖୋଜି ଆମେ ସ୍ୱାମୀ ସ୍ତ୍ରୀ ଦୁଇଟା ନୟାନ୍ତ ହେଇଗଲୁଣି । ବିଦ୍ୟାଳୟଠାରୁ ଆରମ୍ଭ କରି ରେଲୱେ ଷ୍ଟେସନ ଯାଏ ଏପରିକି ଗାଁ କୂଅ ମୂଳ ପୋଖରୀ ତୁଠକୁ ବି ବାଦ୍ ଦେଇନୁ, କିନ୍ତୁ ବାବୁ ଝିଅର କିଛି ଖବର ମିଳୁନି । ସାଙ୍ଗସାଥି କେହି ବି କିଛି କହିପାରୁ ନାହାଁନ୍ତି । ଆମକୁ ଦୟା କରନ୍ତୁ ସାହେବ । "


କାନ୍ଦି କାନ୍ଦି ଧନୁ ମୁଣ୍ଡା ପୁଲିସବାବୁଙ୍କୁ ଗୁହାରି କରୁଥିଲା । ପୁଲିସବାବୁ ସବୁ ଶୁଣି ନ ଶୁଣିଲା ପରି ଦାନ୍ତ ନିକୁଟୁ ଥାଆନ୍ତି । କ'ଣ ସବୁ କାଗଜପତ୍ର ଦେଖାଦେଖି କରି ଚା' କପେ କପେ ପିଉଥାନ୍ତି । ପୁଣି ପଚାରୁଥାଆନ୍ତି କ'ଣ ହୋଇଛି ତମର ଆଉ ଥରେ କୁହ । ସେଇ କଥା ଧନୁ ମୁଣ୍ଡା ପାଞ୍ଚ ଥର ଦୋହରେଇଲାଣି ପୁଲିସବାବୁ କହୁଛି ଆଉ ଥରେ କହ ପୁଣି କେତେବେଳେ କହୁଛି ଜଙ୍ଗଲୀ ବାଘ ବୋଧେ ଖାଇଯାଇଥିବ । ଖୋଜିଲେ ଆଉ କ'ଣ ସେ ମିଳିବ?ମନ ବିରକ୍ତି ହୋଇ ସ୍ୱାମୀ ସ୍ତ୍ରୀ ଦୁହେଁ ଫେରିଗଲେ । ଦୁହେଁ ମୁହଁ ଚାହାଁ ଚାହିଁ ହୋଇ କାନ୍ଦିଲେ । ଅଖିଆ ଅପିଆ ପଡିରହିଲେ । ଭାଗ୍ୟକୁ ନିନ୍ଦିଲେ । ଝିଅକୁ କେତେ ସରାଗ କରି ରଖିଥିଲେ ଦୁହେଁ । ସ୍କୁଲ ସାର କହୁଥିଲେ ଆମ ଆଦିବାସୀ ମୂଲକରୁ ସେ ପ୍ରଥମ ଝିଅ ଭାବେ ନିଶ୍ଚୟ ମାଟ୍ରିକ ପାସ କରିବ । ପାଠ ପଢାରେ ତା'ର ଭାରି ମନ ବୋଲି ପାଠ ବି ପଢାଉଥିଲେ । ହେଲେ ଏବେ ସେମାନେ ତାକୁ କୋଉଠି ଖୋଜିବେ । ରତନୀ ଝିଅକୁ ବାହୁନି ବାହୁନି କଣ୍ଟା ହେଲାଣି ।


ଚାରିପଟେ ଗଦା ଗଦା ଦାମୀ ଖେଳନା । ସହରର ଭଲ ସପିଂ ମଲରୁ ଦାମୀ ଡ୍ରେଶ୍,ସୁସ୍ୱାଦୁ ଖାଇବା ଜିନିଷ,ନୂଆ ବ୍ୟାଗ୍,ନୂଆ ବହିପତ୍ର । ହେଲେ କିଛି ବି ସାରା ମନକୁ କିଣିପାରୁନି । ଅନେକ ଚେଷ୍ଟା କରି ବି ସାରାକୁ ମନେଇବାରେ ଅସଫଳ । ସାରାର ଗୋଟିଏ ଯିଦି ସେ ଖୋଲା ଆକାଶରେ ଉଡିବ । ପାହାଡ଼ ଚଢିବ । ତା' ବା' ଆଉ ମା' ସହ ସାରା ଜଙ୍ଗଲ ଖେଦିଯିବ । ଏ ସହରର ପାଣି,ପବନ ଚାଲିଚଳନ ତାକୁ ଭଲ ଲାଗୁନି । ଏ ଗନ୍ଧିଆ ସାରା ନାଁ ଟା ବି ତା'ର ନୁହେଁ ସେ ସାରିଆ । ଥରେ ସେ ଏ ଘରୁ ମୁକୁଳିଲେ ତା ବା' କୁ ଯାଇ ସବୁ କହିବ । ତା ବା' ଧନୁ ତୀରରେ ସହରୀବାବୁକୁ ଠିକ୍ ଜବାବ ଦେବ ।

ହସି ହସି କୁହନ୍ତି ସିଦ୍ଧାର୍ଥ ବାବୁ ହଁ ସେ ରାଜି ଅଛନ୍ତି ତା ବା' ର ତୀରରେ ମରିବାକୁ । ହେଲେ ତୁ ଖାଇ ପିଇ ବଞ୍ଚିଲେ ତ' ବା' ପାଖକୁ ଯିବୁ । ନିଜେ ପ୍ରଥମେ ଖାଇ ପିଇ ସୁସ୍ଥ ରହ ପରେ ବା' ପାଖକୁ ଯାଇ ସବୁ କହିବୁ ।

ମମତା ଦେବୀ ଏ ସବୁ ଦେଖି ରାଗିକି ନିଆଁ ବାଣ । କିଛି ନ କହି ମନ ଇଛା ଏମିତି ୟା କୁ କୋଉଠୁ ନେଇଆସିଛ?ବୟସ ଥିବାବେଳେ ଏ ଝିଅକୁ ,ସେ ଝିଅକୁ ଚାହିଁ ମନ ବୁଝିଲାନି ଯେ ବୁଢା କାଳେ ପୁଣି ନିଜ ଝିଅ ବୟସର ଛୁଆକୁ ଧରିଆଣିଛ । ଘରେ ତମର ଦୁଇ ଦୁଇଟା ପୁଅ ଅଛନ୍ତି ବି ଭୁଲିଗଲ । ସେମାନେ ଏବେ ବଡ଼ ହେଲେଣି । ବାପାର ମନ୍ଦ ଉଦ୍ଦେଶ୍ୟ ବୁଝିବାକୁ ତାଙ୍କୁ ବେଶୀ ସମୟ ଲାଗିବନି । ଭଲରେ ୟା କୁ ନ ଛାଡିଲେ ମୁଁ ତୁମ ନାଁରେ ଥାନାରେ କେସ୍ ଦେବି ବୋଲି ଧମକ ଦେଉଥାଆନ୍ତି ମମତା ଦେବୀ । ମୁଣ୍ଡ ପୋତି ସବୁ ସହି ଯାଉଥାଆନ୍ତି । ଥାନାକୁ ନ ଯିବା ପାଇଁ ଗୋଡ଼ ହାତ ଧରି ନେହୁରା ହେଉଥାଆନ୍ତି । ଧିରେ ଧିରେ ସେ ସବୁ ବୁଝିଯିବେ ବୋଲି କହୁଥାଆନ୍ତି ।


ମମତା ଦେବୀ ଅବଶ୍ୟ ପରେ ବୁଝିପାରିଥିଲେ ସିଦ୍ଧାର୍ଥ କୌଣସି ମନ୍ଦ ଉଦ୍ଦେଶ୍ୟ ନେଇ ଝିଅଟିକୁ ଆଣି ନାହାଁନ୍ତି । ଝିଅଟିର ବାପା ମାଆ କେହି ନାହାନ୍ତି । ସେ ଅନାଥ । ତେଣୁ ସେ ତାକୁ ସାଙ୍ଗରେ ନେଇଆସିଛନ୍ତି । ଏବେ ସାରାକୁ ଦୁଇ ପୁଅଙ୍କ ସହ ସମାନ ଭାବେ ଆଦର କରୁଛନ୍ତି ମମତା ଦେବୀ ।


ମାଆର ସ୍ନେହ ଅଜାଡି ଦେଉଛନ୍ତି ତା' ଉପରେ । ଆଶ୍ଚର୍ଯ୍ୟ ହେଉଛନ୍ତି ଯେ ନିଜ କୋଳରେ ସବୁବେଳେ ଝିଅଟିଏ ପାଇଁ ଅନିଚ୍ଛା ପ୍ରକାଶ କରୁଥିବା ପୁରୁଷଟି ଆଜି ଏମିତି ଅଜଣା ଜଣେ ଝିଅ ପାଇଁ ନିଜ ପିତୃ ପ୍ରେମ ଢାଳିଦେଉଛନ୍ତି କିପରି?ବୋଧ ହୁଏ ଝିଅ ଟିଏ ନାହିଁ ବୋଲି ଝିଅର ଆବଶ୍ୟକତା ଏବେ ସେ ଅନୁଭବ କରିପାରୁଛନ୍ତି । ମମତାଙ୍କର ବି ତ' ଇଛା ଥିଲା ଝିଅଟିଏ ପାଇଁ । ସିଦ୍ଧାର୍ଥ ଭଲ କରିଛନ୍ତି ସାରାକୁ ସାଙ୍ଗରେ ଆଣିଛନ୍ତି । ଏବେ ସବୁଠୁ ଅଧିକ ସମୟ,ଅଧିକ ଭାଗ ଦେଉଛନ୍ତି ତାଙ୍କ ଆଦରର ସାରାକୁ । ମନେ ହେଉଛି ସତେ ଯେମିତି ସେ ତାଙ୍କର ନିଜ ଝିଅ । ସାରା କୁ ଖୁସି କରିବା ପାଇଁ ମମତା ଓ ସିଦ୍ଧାର୍ଥ ତାକୁ ଅନେକ ଜାଗା ବୁଲେଇବାକୁ ନେଉଛନ୍ତି ।


ୟା ଭିତରେ ତିନି ବର୍ଷ ବିତିଗଲାଣି । ସାରିଆ ଏଠୁ ମୁକୁଳିବାର କିଛି ଉପାୟ ନ ପାଇ ବାଧ୍ୟ ହୋଇ ରହୁଥାଏ । ତା'ର ମନ କିନ୍ତୁ ବହୁତ ଦୁଃଖ ଏଠିକୁ ଆସିବା ଦିନରୁ ତା'ସହ ସାଙ୍ଗ ହେଉଥିବା ପ୍ରିୟ ଶୁଆ ଏବେ ପଞ୍ଜୁରୀରୁ କୁଆଡେ ଫେରାର୍ ହେଇଯାଇଛି । ହେଲେ ସେ କାହିଁକି ମନ ଦୁଃଖ କରିବ ଯେ?ଇଏ ତ ଖୁସିର କଥା ସେ ତା'ବାପା ମାଆ ପାଖକୁ ଉଡିଯାଇଥିବ । ନୀଳ ଆକାଶରେ ଏବେ ଉଡିବୁଲୁଥିବ । ସାରା ଆକାଶଟାକୁ ନିଜର କରିପକଉଥିବ । ସେ ଏ ପଞ୍ଜୁରୀରେ କେତେ ଛଟପଟ୍ ହେଉ ନ ଥିଲା ସତେ । ସେ ଖୁସି ହେବା ଉଚିତ୍ । ସାରା ଅପେକ୍ଷା ମମତା ଦେବୀ କିନ୍ତୁ ବେଶୀ ଦୁଃଖୀ । ବସାରେ ତା' ମାଆ ନ ଥିବାବେଳେ ତଳକୁ କେମିତି ଖସିପଡିଥିଲା ସେ । ସିଦ୍ଧାର୍ଥ ତାକୁ ଛୋଟ ଟିଏ ବେଳୁ ଘରକୁ ଆଣିଥିଲେ । ନିଜ ହାତରେ ସେ ତାକୁ ଖୁଆଇପିଆଇ ବଡ଼ କରି ଥିଲେ । ସମସ୍ତଙ୍କର ନାଁ ଧରି ଡାକି ଡାକି ଘରଟା ଯାକ ସେ କମ୍ପଉଥିଲା । ହେଲେ ଆଜି ତାଙ୍କୁ ଧୋକା ଦେଇ କେଉଁଆଡେ ଚାଲିଯାଇଛି । ମନ ଭାରି ହେଇଯାଉଛି ତାଙ୍କର । ସାରାକୁ ପାଇ ସେ ଶୁଆ ଭୁଲିବାକୁ ଚେଷ୍ଟା କରୁଛନ୍ତି ।


ରତନୀ ଏଣେ ସାରିଆକୁ ଭୁଲିବାକୁ ଚେଷ୍ଟା କରି ବି ପାରୁନି । ଧନୁ ଯେତେ ଯୁଆଡେ ଖୋଜିବା କଥା ଖୋଜିଲାଣି । କ'ଣ ବା ଆଉ କରିବ ଯେ ସିଏ?ରତନୀର ମନ ଖୁସି କରିବା ପାଇଁ ତାକୁ ବୁଲେଇବାକୁ ସହରକୁ ନେଇ ଆସିଲା । ଯେତେ ସହର ବୁଲିଲେ ଯାତ ଦେଖିଲେ ବି ସ୍ୱାମୀ ସ୍ତ୍ରୀ ଦୁହିଁଙ୍କ ମନ ବୁଝୁନି । ଉଭୟ ଉଭୟଙ୍କୁ ଖାଲି ଯାହା ମିଛି ମିଛିକା ଖୁସି ଦେବାକୁ ଚେଷ୍ଟା କରୁଛନ୍ତି । ସାରିଆର ସାନ ଦୁଇ ଭଉଣୀ ବି ଦିନ ରାତି ଖୋଜି ହେଉଛନ୍ତି । ଗହଳିର ଛାତି ଚିରି ଦଉଡି ଆସି କେହି ଜଣେ ରତନୀକୁ ଜୋର କରି ଜାବୁଡି ଧରିଛି । ରତନୀ ଖୁସିରେ ଗଦ୍ ଗଦ୍ । ଇଏ ତ' ସାରିଆ । ତା' ସୁନାଧନ,ତା' ଗଣ୍ଠିଧନ । ରତନୀର ଖୁସି କହିଲେ ନ ସରେ । କେତେ କୁଆଡେ ଆମେ ତତେ ନ ଖୋଜିଛୁ ହେଲେ ତୁ ଇଆଡେ ଆସିଲୁ କେମିତି । ଏତିକି ବେଳେ ମମତା ଦେବୀ ରତନୀ ହାତ ଧରି ଛାଟିଦେଲେ । କିଏ ତୁ?ଛାଡ଼ ମୋ ଝିଅର ହାତ । ରତନୀ ଖୁସିରେ କହିଲା ଇଏ ମୋ ଝିଅ ମାଆ । ମମତା ଦେବୀ ରାଗିଯାଇ କହିଲେ,ଗୋଟେ ଆଦିବାସୀ, ଅପରିଷ୍କାର ,ମୂର୍ଖ ସ୍ତ୍ରୀ ଲୋକଟାଏ ତୁ । ତୁ ପୁଣି ମୋ ଝିଅକୁ ତୋ ଝିଅ ବୋଲି କହୁଛୁ । ସାରିଆ ର ଗୋଟେ ହାତ ମମତା ଦେବୀଙ୍କ ହାତରେ ଆଉ ଗୋଟେ ହାତ ରତନୀ ହାତରେ । ଉଭୟ ତାକୁ ଜୋର କରି ଟାଣିବାରେ ବ୍ୟସ୍ତ । ସାରା ମଝିରେ ଲହୁଲୁହାଣ । ଦେଖିବା ଲୋକ ଆଁ କରି ଚାହିଁଛନ୍ତି ଘଟଣା କ'ଣ?


ଏତିକି ବେଳେ ସିଦ୍ଧାର୍ଥ ବାବୁ ଆସି ପହଁଞ୍ଚିଲେ । ରତନୀ ସିଦ୍ଧାର୍ଥ ବାବୁଙ୍କୁ ଦେଖି ଗୋଡ଼ ତଳେ ପଡି କାନ୍ଦିବାକୁ ଲାଗିଲା । କ୍ଷମା କରିଦିଅ ବାବୁ ତମ ଅମାନତ୍ ମୁଁ ସାଇତିପାରିଲିନି । ଏଇ ସ୍ତ୍ରୀ ଲୋକ ମୋ ଠୁ ଝିଅକୁ ତିନି ବର୍ଷ ହବ ଚୋରେଇ ନେଇ ରଖିଛି । ମତେ ଭୁଲ ବୁଝନି । କ'ଣ କେମିତି ହେଇଗଲା ମୁଁ କାଛି ଜାଣିପାରିଲିନି । ହେଲେ ମୁଁ ସାରିଆ କୁ ମୋ ଭଲପାଇବା ଦେବାରେ ଏତେ ଟିକେ ହେଲେ ଊଣା କରିନି । ମମତା ଦେବୀ କହିଲେ କି ଅମାନତ୍ କାହା ଅମାନତ୍ କଥା କହୁଛୁ । ଇଏ ଗୋଟେ ଅନାଥ ଝିଅ ମୋ ସ୍ୱାମୀ ତାକୁ ସାହାର ହେବା ପାଇଁ ଆମ ଘରକୁ ନେଇଆସିଛନ୍ତି । ରତନୀ ଏ ସବୁ କଥାର ମାନେ କିଛି ବୁଝିପାରୁ ନ ଥାଏ । ସେ ସିଦ୍ଧାର୍ଥଙ୍କୁ ପଚାରୁଥାଏ ଇଏ କି କଥା ବାବୁ ନିଜ ଝିଅକୁ ନିଜ ଘରେ ଅନାଥର ପରିଚୟ ଦେଇ ରଖିଛ କ'ଣ ପାଇଁ?ତବେ ସେଦିନ ତାକୁ କିଏ ମୋ ଠାରୁ ଛଡେଇ ନେଇ ଆସିଲା?ଆଣିବାର ଥିଲା ଯଦି ପନ୍ଦର ବର୍ଷ ତଳେ ତାକୁ ମୋ ହାତରେ ଟେକି ଦେଇଥିଲ କ'ଣ ପାଇଁ?ସିଦ୍ଧାର୍ଥ କହିଲେ'ପନ୍ଦର ବର୍ଷ ତଳେ ତୁମ ଅଞ୍ଚଳରେ ମୋ ଚାକିରି ଥିବାବେଳେ ମୋର ଏଇ ଝିଅଟିଏ ଜନ୍ମ ହେଇଥିଲା । ଝିଅ ପ୍ରତି ମୋ ଧାରଣା ଭଲ ନ ଥିବାରୁ,ଝିଅ ମତେ ବୋଝ ପରି ଲାଗୁଥିବାରୁ ସେ ଜନ୍ମ ହେବା ପରେ ମୁଁ ତୋ ହାତରେ ତାକୁ ଟେକିଦେଇ ତା' ମାଆକୁ ମୃତ ବୋଲି ଜଣେଇ ଦେଇଥିଲି ସତ ହେଲେ ପ୍ରତି ମୂହୁର୍ତ୍ତରେ ମୋ ବାପପଣିଆ ମତେ ଧିକ୍କାରୁ ଥିଲା । ତାକୁ ଖୋଜି ପାଇବା ଆଶାରେ ମୁଁ ପୁଣି ସେହି ଯାଗାକୁ ଯାଇଥିଲି । ମୋ ପାଇଁ କ୍ଷୀର ଆଣି ଆସିବାବେଳେ ମୁଁ ଜାଣିପାରିଥିଲି ସେ ମୋ ଝିଅ ବୋଲି । କାରଣ ତୁମ ସମ୍ପ୍ରଦାୟର ମଣିଷମାନଙ୍କ ଠାରୁ ସେ ଅଲଗା ଦିଶୁଥିଲା । ତା' ବା' ଓ ମା' ନାଁ ସେ ଧନୁ ମୁଣ୍ଡା ଓ ରତନୀ ମୁଣ୍ଡା ବୋଲି କହିଥିଲା । ତୁ ମତେ ଦେଖିବା ପୂର୍ବରୁ ମୁଁ ତାକୁ ନେଇ ପଳେଇଆସିଥିଲି । ମମତା ଦେବୀ ସ୍ୱାମୀଙ୍କର ଏ କଥା ଶୁଣି ଆଶ୍ଚର୍ଯ୍ୟ ହେଉଥାନ୍ତି । ଏତେ ଦିନ ଧରି ନିଜ ଝିଅକୁ ଚିହ୍ନିପାରି ନ ଥିବାରୁ ନିଜ ମାତୃତ୍ତ୍ୱ କୁ ଧିକାରୁ ଥାନ୍ତି । ରତନୀ କହିଲା ବାବୁ ଇଏ ତମ ଝିଅ ମତେ ଥରେ କହିକି ତ' ତମେ ସାରିଆକୁ ଆଣିପାରିଥାଆନ୍ତ । ସିଦ୍ଧାର୍ଥ କହିଲେ କ୍ଷୀର ଦେବାକୁ ଆସିଥିବା ସମୟରେ ଝିଅ ମୁହଁରୁ ଅନେକ ଶୁଣିଲି ତା ବା' ଆଉ ମା'ର ତା ପ୍ରତି ଭଲପାଇବା । କହିଥିଲେ ଯେ ସେ ଭଲରେ ଆସିଥାଆନ୍ତା ସେ ବିଶ୍ୱାସ ମୋର ହେଲାନି । ମୁଁ ତୁମମାନଙ୍କ ପ୍ରତି  ତା' ଭଲପାଇବା ଓ ତା' ପ୍ରତି ତୁମମାନଙ୍କର ଭଲପାଇବା ଦେଖିବା ପରେ ଜାଣିପାରିଲି ସେ ମୋ ସହ ଆସିବାକୁ ରାଜି ହେବନି ।


ସବୁଠୁ ଭାଙ୍ଗିପଡୁଥାଏ ସାରିଆ । କ'ଣ ଏ ସବୁ ତା' ଆଖି ଆଗରେ ଘଟିଯାଉଛି ସେ ଜାଣିପାରୁ ନଥାଏ । ରତନୀକୁ କହୁଥାଏ ଚାଲ ମା' ଚାଲ୍ ଏଠୁ ପଳେଇବା ଆମେ । ମମତା ଦେବୀ ସାରିଆର ହାତ ଧରି ନିଜ ପାଖକୁ ଟାଣୁଥାଆନ୍ତି । ଲୁହ ସର ସର ଆଖିରେ ଝିଅକୁ ନିବେଦନ କରୁଥାଆନ୍ତି ନିଜ ସହ ଘରକୁ ଯିବାକୁ । ରତନୀ ବି ଅନେକ ବୁଝାଉଥାଏ ତୋ ନିଜ ବାପା ମାଆଙ୍କ ସହ ତୁ ଚାଲି ଯାଆ । ତୁ ବଡ଼ ଘର ଝିଅ । ମୁଁ ତୋର କି ଅଭାବ ପୂରଣ କରିପାରିବି?ଧନୁ ମୁଣ୍ଡା ରତନୀକୁ ନେଇ ଫେରିଯିବାକୁ ବାହାରିଥିବା ବେଳେ ସାରିଆ ମମତା ଦେବୀଙ୍କ ହାତ ଛାଟି ବା' ବା'କହି ଦଉଡି ଯାଇ ଧନୁ ମୁଣ୍ଡାକୁ ଜାବୁଡି ଧରିଲା । ସେ ଦିନ ସିନା ତୁ ନିଃସନ୍ତାନ ଥିଲୁ ବୋଲି ମୋ ଝିଅକୁ ଖୁସିରେ ଗ୍ରହଣ କଲୁ ଏବେ ତୋର ଦୁଇଟି ଝିଅ ହେଲେଣି । ଆଜି ଯାଏଁ ମୋ ଝିଅ ପାଇଁ ଯେତେ ଖର୍ଚ୍ଚ କରିଛୁ କହ ସବୁ ଦେଇ ମୁଁ ମୋ ଝିଅକୁ ନେଇଯିବି । ତୋ ଅନ୍ୟ ଦୁଇ ଝିଅଙ୍କ ପାଠ ପଢା ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ବି ମୁଁ ସବୁ ଦେବାକୁ ରାଜି । ହେଲେ ତା ବଦଳରେ ମୋ ଝିଅକୁ ମତେ ଫେରାଇ ଦେ ବୋଲି ସିଦ୍ଧାର୍ଥ ବାବୁ କହିଲେ । ଧନୁ ମୁଣ୍ଡା ଭିଜା ଭିଜା ସ୍ୱରରେ କହିଲା ତୁମ ସହରୀ ମାନଙ୍କ ପରି ଆମେ ସାତ ପୁରୁଷ ପାଇଁ ସଞ୍ଚୟ କରୁନା । ଟଙ୍କା,ବ୍ୟାଙ୍କ ବାଲାନ୍ସ,ଗାଡି ଘୋଡାରେ ଅଟକିଯାଉନା । ଆଦିବାସୀ ନିଜ କର୍ମ ଉପରେ ବିଶ୍ୱାସ ରଖେ । ଖୁବ୍ ମେହେନତି ସେ । ନିଜ ପରିବାର ପାଇଁ ତିନି ଓଳି ଖାଇବା ଯୋଗାଡ଼ କରିପାରେ । ଜଙ୍ଗଲ ଏ ଆଦିବାସୀ କୁ କ'ଣ ନ ଦେଇଛି ଯେ ମୁଁ ତୁମ ଠାରୁ ନେଇକି ଯିବି । ଆଦିବାସୀ ତା ଜଙ୍ଗଲକୁ ଭଲପାଏ । ମଣିଷକୁ ଭଲପାଏ । ତୁମର ଗୋଟିଏ ଝିଅ ତୁମକୁ ଦିନେ ବୋଝ ହେଇଥିଲା ବାବୁ । ହେଲେ ମୁଁ ଆଜି ଗର୍ବରେ କହୁଛି ମୋର ତିନିଟା ଝିଅ । ତମେ ଆଜି ଖାଇ କାଲି କ'ଣ ଖାଇବ ଚିନ୍ତା କର । ଆଦିବାସୀ ଆଜି ଯାହା ଖାଏ ସେତିକିରେ ଖୁସିରେ ରହେ । ପଇସା କୁ ସେ ପ୍ରେମ ସହ ତୁଳନା କରେନି । ରତନୀ ଲୁଗା କାନିରେ ସାରିଆ ମୁହଁ ପୋଛିଦେଉଥାଏ । ମମତା ଦେବୀ ରାଗ ଓ ଦୁଃଖରେ ରେ ଗର୍ଜନ କରି କହୁଥାଆନ୍ତି । ଏତେ ସାହସ୍ ତୋ ଆଦିବାସୀ ସ୍ତ୍ରୀ ଲୋକର ମୋ ଝିଅକୁ ସାଙ୍ଗରେ ନେଇଯିବୁ ତୋ ମଇଳା ଲୁଗା କାନିରେ ମୋ ଝିଅର ମୁହଁ ପୋଛିବୁ । ସବୁ ଶୁଣି ବି ରତନୀକୁ ଜଡେଇ ଧରିଥିବା ସାରିଆ କିନ୍ତୁ ନିଶ୍ଚଳ । ସାରିଆର ଅପତ୍ୟ ସ୍ନେହ,ମାତୃପିତୃ ପ୍ରେମ ଜଣେଇ ଦେଉଥାଏ ମଣିଷ ଛୁଆର ମନ କେବଳ ଛଳନାବିହୀନ ପ୍ରେମ ଖୋଜେ । ଭଲଖାଦ୍ୟ ର ଲାଳସା ତ' ପଶୁ କୁ ବି ମୋହରେ ପକେଇଦିଏ । ନିର୍ଭେଜାଲ ପ୍ରେମ ମିଳିଲେ ମଣିଷ ଯାହା ପାଖରେ ବି ବନ୍ଧା ପଡିଯାଇପାରେ । ଆଦିବାସୀ ଅପରିଷ୍କାର,ମୂର୍ଖ,ଅଶିକ୍ଷିତ ହେଲେ ବି ସେମାନଙ୍କ ପ୍ରେମରେ ସେ ବନ୍ଧା । ସହରର ଚାକଚକ୍ୟ,ବଡ଼ଲୋକିଆ ବାପା ମାଆ ଦେଖି ସେ ଭାଳି ଯିବନି । ମଣିଷ ସ୍ନେହ ପ୍ରେମର ଦାସ ହୋଇଥିବାବେଳେ ଆମେ ସହରୀ, ଆଦିବାସୀ ନାଁରେ ସମ୍ପର୍କକୁ କଳୁଷିତ କରୁନାହେଁ କି?ସାରିଆ ଠିକ ବୁଝିଛି ସହରୀଆଙ୍କ ରକ୍ତ ଆଦିବାସୀଙ୍କ ରକ୍ତ ଅଲଗା ନୁହେଁ । ସେ ଚାଲିଯାଇଛି ସେଇ ପାହାଡ଼,ନଈ,ଜଙ୍ଗଲ ଘେରା ଆଦିବାସୀ ଅଧ୍ୟୁଷିତ ଗାଁକୁ ।


ମମତା ଦେବୀ ବାଲକୋନିରେ ଉଦାସ ହୋଇ ବସିଥିବା ବେଳେ ଭାବୁଥାଆନ୍ତି ସ୍ୱାମୀ ଙ୍କୁ ଝିଅ ପସନ୍ଦ ନୁହେଁ ବୋଲି ସେ ମୋ ଅଜାଣତାରେ ଝିଅକୁ ଅନ୍ୟ ହାତରେ ଟେକିଦେଲେ ହେଲେ ମୁଁ ଏବେ କୋଉ ଅପରାଧର ଦଣ୍ଡ ଭୋଗୁଛି । ମମତାଙ୍କ ଅନ୍ୟମନସ୍କକୁ ଭାଙ୍ଗି ଫର୍ ଫର୍ ହୋଇ ଉଡିଆସିଲା ଶୁଆ । ବସିଲା ମମତାଙ୍କ କୋଳରେ । ମମତା ଦେବୀ ତାକୁ ଆଉଁଶିଦେଇ ଉଡେଇଦେଲେ । କହିଲେ ଯା ତୋ ନୀଳ ଆକାଶକୁ । ତୁ ଏବେ ମୂକ୍ତ । ହେଲେ ଶୁଆ ଉଡି ଆସି ପୁଣି ବସିଲା ମମତାଙ୍କ କୋଳରେ । ଯିବାର ନାଁ ଆଉ ଧରିଲାନି । ମମତାଙ୍କୁ ଲାଗିଲା ସତେ ଯେମିତି ସେ କହୁଛି ମତେ ଉଡେଇ ଦେ ନା । ତୋ ହାତରୁ ଖାଇ ବଡ଼ ହେଇଛି ପରା ତୋତେ ଛାଡି କ'ଣ ମୁଁ ରହିପାରିବି?ଆକାଶଟା ମୋର ହେଇପାରେ ହେଲେ ଏଇ କୋଳ,ଏଇ ଘରକୁ ମୁଁ କ'ଣ ଭୁଲିପାରିବି? ସତରେ ପକ୍ଷୀଟିଏ ହୋଇ ବି ସେ ଏତେ କୃତଜ୍ଞ,ସ୍ନେହ ପ୍ରେମର ରଜ୍ଜୁରେ ବନ୍ଧା । ମଣିଷ ବା ଏଥିରୁ ବାଦ ପଡ଼ନ୍ତା କିପରି?

...


Rate this content
Log in

Similar oriya story from Fantasy