The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Pritipriya Mohanty

Inspirational

2.2  

Pritipriya Mohanty

Inspirational

ଅସରନ୍ତି ତରକାରୀ

ଅସରନ୍ତି ତରକାରୀ

6 mins
519



ରାଜମହଲ ପରି ଦିଶୁଥିବା ଘରଟିକୁ ଦେଖି କିଛି ମିଳିଯିବା ଆଶାରେ ସେ ଧାଇଁଆସିଲା।ଦାଢିଆ ଲୋକଟିକୁ ଦେଖି ରଘୁଆ ଅପଲକେ ଚାହିଁରହିଲା।ଦେହ କଙ୍କାଳସାର।ଦେହରେ ଚିରା ଗଞ୍ଜି କୁ ଚିରା ହାପ ପ୍ୟାଣ୍ଟ ଟାଏ।ଶିରା ପ୍ରଶିରା ଦୁଇଁ ହେଇ ଯାଉଛି।ଅଜାଣତରେ ରଘୁଆ ଆଖିରୁ ଲୁହ ଦୁଇ ଧାର ବୋହିଗଲା।କିଛି ଖାଇଵାକୁ ମିଳିବ କି ବାବୁ ମତେ?ପ୍ରବଳ ଭୋକ।ସମ୍ଭାଳିପାରୁନି। ରଘୁଆ ବୋହୂକୁ ବରାଦ କଲା ଲୋକ ଜଣଙ୍କୁ କିଛି ଖାଇବାକୁ ଦେବାକୁ।ସଙ୍ଗେ ସଙ୍ଗେ ଛଅ,ତିଅଣ ନ ଭଜା ବାଢି ଆଣି ଦେଲା ବୋହୂ।ଏତେ ପ୍ରକାର ତରକାରୀ ,ଭଜା,ଖିରି ଦେଖି ଛାନିଆ ହେଇଗଲା ସେ।କହିଲା ଥାଉ ଏ ସବୁ ରଖିଦିଅ।ଗୋଟେ ଦିନରେ ଏତେ ଖାଇବା ଦିଅନି।ମୋର ଏ ସବୁ ଲୋଡା ନାହିଁ।ଏତେ ସବୁ ଦାମୀକା,ବଡ଼ ଲୋକିଆ ଖାନା ରଖିଦେଇ ଆଉ କିଛି ଦିଅ।ଏକା ଆଖିକେ ଖାଦ୍ୟକୁ ଅନେଇଥିବା ମୁହଁରୁ ଜଣାପଡିଯାଉଥାଏ ତା'ର ଖାଇବାର ପ୍ରବଳ ଇଛା କିନ୍ତୁ ଉପରେ ନାହିଁ ନାହିଁ କରୁଛି।ରଘୁଆ କହିଲା ଭାବୁଛ କି ଆଜି ଏତେ ସବୁ ଖାଇବାକୁ ଦେଲେ କାଲିକୁ ଆସିଲେ ତୁମକୁ ମନା କରି ଫେରେଇଦେବୁ। ଦାଢିଆଟି ଥରି ଥରି କହିଲା ହଁ..ହଁ...ସେଇଆ ଭାବୁଛି।ରଘୁଆ କହିଲା ଗରିବ,ଦୁଃଖି ,ରଙ୍କି ପାଇଁ ମୋ ଘର ସବୁବେଳେ ଖୋଲା।କେହି କେବେ ମୋ ଦୂଆରୁ ଖାଲି ହାତରେ ଫେରି ଯାଇନି।ଥିଲାବେଳେ ହେଉ କି ନ ଥିଲାବେଳେ ଘରେ ମୋର ଆଜି ଯାଏଁ କେବେ ତରକାରୀର ଅଭାବ ପଡିନି।କେହି ଜଣେ ମତେ ଅସରନ୍ତି ତରକାରୀ ମିଳିବାର ବାଟ ବତେଇ ଦେଇଥିଲା।ସେ ଦିନ ଠୁ ମୁଁ କି ମୋ ପରିବାର କେବେ ଉପାସ ରହିନୁ।ଆଶ୍ଚର୍ଯ୍ୟ ହୋଇଗଲା ଦାଢିଆ।ଖାଦ୍ୟ ଓ ଯତ୍ନ ଅଭାବରୁ ତାକୁ ଭଲରେ ଦିଶୁ ନ ଥାଏ।ସେ ପଚାରିଲା ରଘୁଆ କି?ରଘୁଆ ଉତ୍ତର ଦେଲା ଅନେକ ବର୍ଷ ପରେ ତେବେ ଚିହ୍ନିପାରିଛ।


-ଗାଁ ରେ ଆଉ ରହୁନ କି ?


-ଗାଁ ମୋର ସର୍ବସ୍ୱ।ଗାଁ କୁ ଛାଡି କୁଆଡେ ଯିବି।ମଝିରେ ମଝିରେ ଆମେ ଦିହେଁ ପୁଅ,ବୋହୂ ପାଖକୁ ବୁଲିବାକୁ ଚାଲିଆସୁଛୁ।ସେମାନେ କିନ୍ତୁ ତାଙ୍କ ପାଖରେ ରଖିବାକୁ ଜିଦ୍ ଧରୁଛନ୍ତି।ଗାଁ କୁ ଛାଡି ମୋ ମନ ବୁଝୁନି କୋଉଠି।


- ସତରେ ମୁଁ ଅନ୍ୟାୟ କରିଛି ରେ।


-ନେଡିଗୁଡ଼ କହୁଣୀକୁ ବୋହିଗଲାଣି ଆଉ ଭାବିଲେ କ'ଣ ହବ?ମୋର କିନ୍ତୁ ମୋ ବାହୁବଳ ମୋ ଭଗବାନଙ୍କ ଉପରେ ଭରସା ଥିଲା।


********


 ରଘୁଆ ଘର ଛପର , ଇଟା ପକେଇବା, ଧାନ ଗଦା କରିବା, ହେଁସ ମସିଣା ବୁଣିବା, ଗାଈ ଦୁହିଁବା ଆଦି କାମରେ ଧୁରନ୍ଧର । ଯେତେ କାମ କଲେ ବି ଚାରିପ୍ରାଣୀ କୁଟୁମ୍ବ ପୋଷିବାକୁ ତା ପାଇଁ କାଠିକର ପାଠ । ତା'ର ଦେହ ମୁଣ୍ଡ ଖରାପ ହୋଇଗଲେ ଦିନେ ଦିନେ ଚୁଲି ଅଜଳା ରହିଯାଏ । ଦୁଇ ବଖରା ବାଡତାଟି ଦିଆ ଚାଳ ଛପର ଘର । ସେଥିରେ ଚାରି ପ୍ରାଣୀ ରହନ୍ତି । ନିର୍ବାଚନ ପରେ ରଘୁଆ ଅନ୍ୟମାନଙ୍କ ମୁହଁରୁ ଶୁଣି ମନେ ମନେ ଖୁସି ହେଉଥାଏ ଯେ ତା'ର ଏ ଅବସ୍ଥା ସୁଧୁରି ଯିବ । ସେ ଆଉ ଗରିବ ହୋଇ ରହିବ ନାହିଁ ।ନିର୍ବାଚନ ଫଳାଫଳକୁ ଚାହିଁ ସେ ଦିନ କାଟୁଥାଏ।ଗାଁ ଲୋକେ ସବୁ ଯୋଉ ଚିହ୍ନରେ କହିଲେ ସେ ସେଇଠି ଭୋଟ ଦେଇଛି।ମହାଜନ ଘର ପୁଅ କୂଳମଣି ସରପଞ୍ଚ ପାର୍ଥୀ।ଦିନେ ସନ୍ଧ୍ୟାରେ ତା' ଘରକୁ ଆସିଥିଲେ।ପୁଅ ଝିଅ ଦି'ଟା କୁ ତା'ର ଭାରି ଆଦର କଲେ।ପକେଟରୁ ଚକୋଲେଟ କାଢି ଦେଲେ।ମାଣିକ କୁ ଚା' କରିବା ପାଇଁ କହିଲେ।ମାଣିକ ରଘୁଆକୁ ଡାକି ଧିରେ କହିଲା-ହେଇଟି ଶୁଣୁଛ ଅମୂଲ ନାହିଁ।ଅମୂଲ ଟିକେ ଆଣି ଦିଅନ୍ତନି।ଆମେ ସିନା ନାଲି ଚା' ପିଉଛେ ସେ ବଡ଼ଘରିଆ ପୁଅ ।ସେ କ'ଣ ଏ ଚା' ଢୋକି ପାରିବେ?କୁଳମଣି କାନରେ ଏ କଥା ପଡୁ ପଡୁ ସେ କହିଲେ ଭାଉଜ ନାଲି ଚା' ଟୋପେ ଦିଅ ମ।ନିର୍ବାଚନ ପ୍ରଚାରରେ ବୁଲି ବୁଲି ମୁଣ୍ଡଟା କାଇଁ ଭାରି ବଥଉଚି। ରଘୁଆ ଠୁ ରାଣ ପକେଇ ନୀୟମ କରେଇ ନେଇଛନ୍ତି।ଯେମିତି ହେଲେ ସେ ଶଗଡ଼ ଚିହ୍ନରେ ଭୋଟ ଦେବ।ରାଣ ନୀୟମ ପକେଇଛି ଯେତେବେଳେ ତାଙ୍କୁ ହିଁ ସେ ନିଶ୍ଚୟ ଭୋଟ ଦେବ।ସେ ବି ତ କଥା ଦେଇଛନ୍ତି ତା ପାଇଁ ନିଶ୍ଚୟ କିଛି କରିବେ।

ତା' ଦୁଃଖ ବୁଝିବେ।ମାଣିକ ଚା' ନେଇ ଦଉ ଦଉ ମହାଜନ ପୁଅ ଫେରାର୍।ଚା' କୁ ସ୍ୱାମୀ ସ୍ତ୍ରୀ ଦୁହେଁ ପିଇଲେ।ରଘୁଆ କହୁଥାଏ ଶୁଣିଲୁ ମାଣିକ ଗାଁ ଲୋକେ ବି କୁହାକୁହି ହେଉଛନ୍ତି ଗରିବ କୁ ଜିତେଇଲେ ସବୁ ନେଇ ଘରେ ପୁରେଇବ।ଦୁଃଖିର ଦୁଃଖ ବୁଝିବନି।ମହାଜନ ପୁଅ ଥିଲା ଘର ଲୋକ।ନିଶ୍ଚୟ ସେ ଅସହାୟ କୁ ସହାୟ ହେବେ।ଦୁଃଖି ରଙ୍କିର ଦୁଃଖ ଦୂର କରିବେ।ତେଣୁ ଆମେ ସମସ୍ତେ କୁଳମଣି ବାବୁଙ୍କୁ ଭୋଟ ଦେଲେ ହିଁ ଆମ ଅବସ୍ଥାରେ ସୁଧାର ଆସିବ।ତତେ ଯେମିତି ବତେଇବି ତୁ ସେମିତି ଟିପିବୁ।ଶଗଡ଼ ଚିହ୍ନ ଛାଡି ଅନ୍ୟ କୋଉଠି ହାତ ଏପଟ ସେପଟ କରିବୁନି।


ବର୍ତ୍ତମାନ ନିର୍ବାଚନ ସମୟ ଉପସ୍ଥିତ।

ସ୍ତ୍ରୀ କୁ ଭଲକି ବତେଇ ଶିଖେଇ ରଘୁଆ ମତଦାନ କେନ୍ଦ୍ର କୁ ନେଲା।ବାରମ୍ବାର କହୁଥାଏ ଦେଖ୍ ମାଣିକ ଦେଖି ଚାହିଁ ଶଗଡ଼ ଚିହ୍ନରେ ଭୋଟ ଦବୁ।ଡେରି ହଉ ପଛେ ଚଳିବ।ହଡ଼ବଡେଇ ଅନ୍ୟ କୋଉଠି ସୁଇଜି ଟିପି ଦବୁନି।ଆମ ଜୀବନ ମରଣର କଥା।ମତଦାନ କେନ୍ଦ୍ର ରେ କୂଳମଣି ଵାବୁ ରଘୁଆକୁ ଦେଖୁ ଦେଖୁ ଆସି ଜୁହାର ହେଲେ।ରଘୁଆ ବୋଧ ଦେଉଥାଏ ବ୍ୟସ୍ତ ହୁଅନି ବାବୁ ତମେ ନିଶ୍ଚୟ ଜିତିବ।ଆମ ଗରିବ ଗୁରୁବାଙ୍କ ଆଶୀର୍ବାଦ ତମ ଉପରେ ଅଛି।


ନିର୍ବାଚ୍ଚନ ସରିଯାଇଛି।ଏବେ ନିର୍ବାଚ୍ଚନ ଫଳାଫଳ ଜାଣିବାର ସମୟ।କୁଳମଣି ବାବୁଙ୍କୁ ନିଦ ହେଉଛି ସିନା ହେଲେ ରଘୁଆକୁ ତିନି ଦିନ ହବ ନିଦ ନାହିଁ ଫଳ ଶୁଣିବ ବୋଲି।ଗାଁ ଦାଣ୍ଡ ବାଜା ବାଣରେ ଫାଟି ପଡୁଛି।ଶେଷରେ କୁଳମଣି ବାବୁ ହେଲେ ସରପଞ୍ଚ।ଗାଁ ସାରା ତାଙ୍କୁ ଆଜି ରୋସଣି କରି ବୁଲଉଛନ୍ତି। ବେକରେ ବେକେ ଫୁଲମାଳ। ଲୋକଙ୍କୁ ମଦ,ମାଉଂସରେ ଭସେଇଦେଇଛନ୍ତି ଆଜି।ରଘୁଆ ରୋସଣୀ ଆଗରେ ଆଗରେ ବାଜା ତାଳେ ତାଳେ ନାଚିଯାଉଛି।ଆଃ....କି ଆନନ୍ଦ ଆଜି ତା'ର ।।ସତେ ଯେମିତି ସରପଞ୍ଚ କୁଳମଣି ନୁହଁ ସେ ନିଜେ ହେଇଛି।ରଘୁଆ ମାତାଲ୍ ହଇ ଘରକୁ ଫେରି ସାଙ୍ଗରେ ଆଣିଥିବା ଗୋଲାପ ଫୁଲ ଗୋଟାଏ ମାଣିକ ଖୋସାରେ ଖୋସିଦେଇ ତାକୁ ଧରି ବହେ ନାଚିଗଲା। କହିଲା ଜାଣିଲୁ ମାଣିକ ଆଜିଠୁ ଆମର ଦୁଃଖର ଦିନ ଗଲା।ଏବେ ଆମେ ବହୁତ ଖୁସିରେ ରହିବା।କୁନି ଆଉ ରିଙ୍କୁ ବହୁତ ପାଠ ପଢିବେ ହାକିବ ହେବେ।ତୁ ଦେଖିବୁ ମୁଁ ନିଶ୍ଚୟ ସେମାନଙ୍କୁ ମଣିଷ ପରି ମଣିଷଟିଏ କରି ଗଢିବି।


ରଘୁଆର ଦେହ ଭୀଷଣ ଖରାପ।ଦୁଇ ତିନି ଦିନ ହବ କାମକୁ ଯାଇନି।ପିଲାମାନେ ଉପାସରେ ପଡିଛନ୍ତି।ଭାବିଲା ସରପଞ୍ଚଙ୍କୁ ଦେଖା କରି ନିଜ ଭଲ,ମନ୍ଦ,ସୁବିଧା,ଅସୁବିଧା ଜଣେଇବ।

ଯାଇ ହାଜର ହେଲା ସରପଞ୍ଚ ଦୁଆରେ।ସାଥିରେ ନେଇଥିଲା ପୁଅ ରିଙ୍କୁକୁ।ସରପଞ୍ଚକୁ ବେଢି ଥିଲେ କେତେ ବଡ଼ ବଡ଼ ଲୋକ।ରଘୁଆ ଆଉ ତା' ପୁଅ ସରପଞ୍ଚକୁ ଜୁହାର ହେଲେ।ହେଲେ ସରପଞ୍ଚ ଉଁ କି ଚୁଁ ପଦେ କହିଲେନି।ବୋଧେ ଏତେ ଲୋକଙ୍କ କଥା ବୁଝୁ ବୁଝୁ ଆମକୁ ଦେଖିପାରି ନାହାନ୍ତି ଭାବି ରଘୁଆ ନିଜ ମନକୁ ବୋଧ ଦେଲା।ଧିରେ ଧିରେ ଯିଏ ଯାହା କାମ ସାରି ଫେରିଗଲେ।ହେଲେ ସରପଞ୍ଚ କୁଳମଣି ବାବୁଙ୍କ ବାପ,ପିଲା ଦି'ଟା ଙ୍କ ଉପରେ ନିଘା ପଡିଲାନି।ମଣିଷ ପତଳା ହେଇ ଆସିଲାରୁ ରଘୁଆ ବସିବା ଥାନରୁ ଉଠି ବାବୁଙ୍କ ପାଖକୁ ଗଲା।ବାବୁଙ୍କୁ ନିଜ ଅବସ୍ଥା ବିଷୟରେ ଜଣେଇଲା।ଦିହ ତା'ର ଭଲ ନାହିଁ ।ଓଷଦ ଟୋପାଏ ବି ମିଳୁନି ତାକୁ।ଦୁଇ ବଖରା ଚାଳ ଛପର ଘର ଯେ ବହୁତ ବର୍ଷ ହବ ଛପର ହେଇନି।ଇନ୍ଦିରା ଆବାସ ଯଦି ଖଣ୍ଡେ କରେଇ ଦିଅନ୍ତେ ତେବେ ସେ ଛାତ ଘର ବଖରାଏ କରନ୍ତା।ଏ ଘରେ କ'ଣ ଆଉ ଚଳି ହଉଛି।ବର୍ଷା ହେଲେ ଚାରିଆଡୁ ପାଣି ଗଳୁଛି।ଛଣ ପାଇଁ ପଇସା ଯୋଗାଡ଼ କରିପାରୁନି।ବାବୁ କହିଲେ.....ଆରେ ଘର ଘର କ'ଣ ହଉଛୁ।ଏ ଚାଳ ଘରେ ଯୋଉ ଥଣ୍ଡା ଯୋଉ ଆରାମ ଛାତ ଘରେ କ'ଣ ସେ ସୁଖ ଅଛି।ହଉ ଦେଖିବା ଛଣ ବ୍ୟବସ୍ଥା ମୁଁ କରିଦେବି।ତୁ ଘର ଛପର କରିବୁ।ସତରେ ତମେ ଗୁଡା ସବୁ କୋଢିଆ ହେଇଗଲଣି ରେ।କାମ ଧନ୍ଦାର ନାଁ ଗନ୍ଧ ନାହିଁ।ଖାଲି ଅନେଇଛ ସରକାର ଠୁ କଣ ମିଳିଲେ ଗ୍ରାସ କରିଦବୁ।ଆରେ ପରିଶ୍ରମ କରୁନ।କ'ଣ ସବୁବେଳେ ସବୁ ଜିନିଷ ଖାଲି ସରକାର ଯୋଗୋଉଥିବେ।ଭଗବାନ ତମକୁ ଏ ହାତ ଗୋଡ଼ ଦି' ଟା ତା ହେଲେ କଣ ପାଇଁ ଦେଇଛନ୍ତି।ରଘୁଆ କହିଲା ନାଇଁ ବାବୁ ତମେ କ'ଣ ଜାଣିନ ଏ ରଘୁଆ କାମକୁ କେବେ ପଛାଏନି।ଦିହ ପା' ଭଲ ନ ରହିଲେ ଆଉ କ'ଣ କରିବି କହୁନ।ଓଷଦ ବି ଖାଇନି।ଘରେ ଚୁଲି ଅଜଳା।ପିଲା ଦି' ଟା ମୋର କିଛି ଖାଇ ନାହାନ୍ତି।ଚାଉଳ ସିନା ଘରେ ଅଛି ତରକାରୀ କୋଉଠୁ ପାଇବି।ଏତିକି ବେଳେ ବାବୁଙ୍କ ପୁଅ ଦି' ଟା ଆଇସକ୍ରିମ ବିକ୍ରିର ପାଟି ଶୁଣି ଦୌଡି ଗଲେ ଆଇସକ୍ରିମ ପାଇଁ।ରିଙ୍କୁ ସେମାନଙ୍କୁ ଏକା ଆଖିରେ ଅନେଇଥାଏ।ବାବୁ କହିଲେ  ଆମ ବାଡି ବଗିଚାରେ କ'ଣ ଚେରମୂଳିର ଅଭାବ ଅଛି ଯେ ତତେ ଔଷଧ ମିଳୁନି।ବଜାରରେ ମିଳୁଥିବା ସେ ବଟିକା,ଔଷଧ ଗୁଡା କିଛି ଭଲ ନୁହେଁ। ତରକାରୀ କ'ଣ ଅଭାବ କିରେ?ଆରେ ସେତେବଳେ ପରା ଲୋକେ ଗୋଟେ ବାଇଗଣ,ଗୋଟେ ଆଳୁ ପୋଡିଲେ ଚାରିଜଣ ଲୋକ ଭାତ ଖାଉଥିଲେ।ଆମ ଗାଁ ଗହଳିରେ ଲୁଣ,ଲଙ୍କା,ପିଆଜ,ତେନ୍ତୁଳିଖଟା,ଆଚାର,କଞ୍ଚା କମଳା ତତେ ମିଳୁନି କି? ସେ ଖାଦ୍ୟ ଠୁ ଖାଦ୍ୟ ଆଉ ଅଛି।ଆରେ ବୁଝିଲୁ ଇଏ ଅସରନ୍ତି ତରକାରୀ।ଲୁଣ,ରାଗ ପକେଇ ତେନ୍ତୁଳି,ଆମ୍ବୁଲ,କଞ୍ଚା କମଳାରେ ଚକଟିକି ଖାଇବୁ।ତା ପରେ ମତେ କହିବୁ।ଏ ତରକାରୀ ଅସରନ୍ତି।ଯେତେ ପାଣି,ଲୁଣ ପକେଇବୁ ସେତେ ତରାକାରୀ ପାଇବୁ।ରଘୁଆ କୁ ଲାଗୁଥିଲା ବାବୁ ଯେମିତି ତା ଗରିବୀ ଉପରେ ହସୁଛନ୍ତି।ତାକୁ ତାତ୍ସଲ୍ୟ କରୁଛନ୍ତି ଆରେ ତୁ ତ ଗରିବ ଛାତ ଘରେ କଣ ରହିବୁ?ତରକାରୀ କଣ ଖାଇବୁ?ଗରିବ କ'ଣ କେବେ ତରକାରୀ ଖାଏ,ସୁଖରେ ରହେ ଯେ ତୁ ଭଲରେ ରହିବାର ସ୍ୱପ୍ନ ଦେଖୁଛୁ?କାନ୍ଦ କାନ୍ଦ ହେଇ ଫେରିଗଲାବେଳେ ଶୁଣୁଥିଲା ବାବୁ ଫୋନରେ କାହାକୁ କହୁଥିଲେ ତାଙ୍କ ପାଇଁ ଜିରା ରାଇସ୍,ମଟର୍ନ,ମାଗୁର ମାଛ ଝୋଳ,ବାଗଦା ଚୁଙ୍ଗୁଡି ହୋଟେଲରୁ ନେଇଆସିବାକୁ।ଗରମ ଏ ବର୍ଷ ପ୍ରବଳ ଏ ପୁରୁଣା ଏସି କାଢି ଗୋଟେ ନୂଆ ଏସି ଲଗେଇବାକୁ।ରଘୁଆ ଫେରିଲାବେଳେ ପୁଅକୁ ଆଇସକ୍ରିମଟିଏ ଖାଇବାକୁ ଦେଲା।ରଘୁଆ ପୁଅ ତାକୁ ଫିଙ୍ଗି ଦେଇ କହିଲା ବାପା ତଳେ ପଡିଥିବା ଜିନିଷ ଉଠେଇ ଖାଇଲେ ରୋଗ ହୁଏ।ସେଥିରେ ଅନେକ ଜୀବାଣୁ ଲାଗିଥାଏ-ଏ କଥା ସାର କହୁଥିଲେ।ରଘୁଆ ବୁଝିପାରୁଥିଲା ଛୁଆ ବାବୁ ଅଳ୍ପ ଖାଇ ଫିଙ୍ଗିଦେଇଥିବା ଆଇସକ୍ରିମ ଉଠେଇବା ବେଳେ ରିଙ୍କୁ ବୋଧେ ଦେଖିଦେଇଛି।ରିଙ୍କୁ କୁ କୁଣ୍ଢେଇ ଭୋ ଭୋ ହେଇ କାନ୍ଦିଲା ରଘୁଆ।ସେଇଦିନ ଠୁ ଶପଥ କଲା ସେ ନିଶ୍ଚୟ ତା' ପିଲାମାନଙ୍କୁ ମଣିଷ କରିବ।ବାବୁ ବତେଇଥିବା ଅସରନ୍ତି ତରକାରୀକୁ ଅସ୍ତ୍ର କରି ସେ ଦିନେ ତା' ପିଲାମାନଙ୍କୁ ଅସଲ ତରକାରୀର ମଜା ନିଶ୍ଚୟ ଦେବ।


ତା' ଜୀବନରେ ସେ ଅନେକ କଷ୍ଟ କରିଛି।ପୋକା ବାଇଗଣଟିଏ ବି ତା ଭାଗ୍ୟକୁ ଜୁଟିନି।ମୂଲ ଲାଗି ଚାରି ପ୍ରାଣୀ ପୋଷି ହବା କ'ଣ ସହଜ କଥା କି?ଏବେ କିନ୍ତୁ ତା' ପିଲାମାନେ ଖୁବ୍ ପାରିବାର।ଝିଅ ପୁଅ ସବୁ ବିଵାହିତ।ପୁଅ ହାକିମ।ଝିଅ ଡାକ୍ତର।ରଘୁଆର ଖୁସି କହିଲେ ନ ସରେ।ପିଲାମାନଙ୍କୁ ଦିନେ ନିଶ୍ଚୟ ସେ ସୁନ୍ଦର ଭବିଷ୍ୟତ ଦେବ ଏଇ ପଣରେ ସେ ନିଜକୁ ତିଳ ତିଳ କରି ଜାଳିଛି। ଏବେ ତା' ଘରେ ଛ' ତିଅଣ ନ' ଭଜା।ଅନେକ ବର୍ଷ ପରେ ତା ପାଟିରେ ତରକାରୀ ଟିକେ ବାଜିଲା।ଶିକ୍ଷା ଠାରୁ ବଳି ସଂସ୍କାର ସେ ତା' ପିଲାମାନଙ୍କୁ ଦେଇଛି।ପୁଅ,ବୋହୂ ସେମାନଙ୍କ ହେପାଜତରେ କେବେ ଅବହେଳା କରିନାହାଁନ୍ତି।ହେଲେ କୁଳମଣି ଏବେ ନିଃସ୍ୱ।ବାପା,ମାଆ ଚାଲିଗଲେଣି।ସ୍ତ୍ରୀର ଖୋଜ୍ ଖବର ନାହିଁ।ପୁଅ ଦି' ଟା କୁଆଡେ ଗଲେ ଖୋଦ୍ କୁଳମଣିକୁ ଜଣା ନାହିଁ।ମୁଣ୍ଡକୁ ହାତ ପାଇବା ଦିନରୁ ବାପା ମୁହଁ ଆଉ ସେମାନେ ଦେଖି ନାହାଁନ୍ତି।ଅସତ୍ ଉପାୟରେ ଅର୍ଜିତ ସବୁ ସମ୍ପତ୍ତି କୁଆଡେ ଉଭେଇଗଲା ପରେ କୁଳମଣି ଅର୍ଦ୍ଧପାଗଳ ହେଇଗଲା।କେବେ ମୁଣ୍ଡ କାମ ଦେଉଛି ତ କେବେ ଦେଉନି।ଏବେ ଖାଦ୍ୟ ମୁଠେ ପାଇଁ କୁଳମଣି ବାର ଦୁଆର।ନିଜ କର୍ମ ପାଇଁ ଅନୁତପ୍ତ ସେ।ଜନ ପ୍ରତିନିଧି ହୋଇ ବି ସେ ଜନତାଙ୍କ ପ୍ରତି ଅବିଚାର କରିଛି।ରଘୁଆ ତାକୁ ଗାଁ କୁ ନେଇ ନିଜ ପାଖରେ ରଖିବ ବୋଲି ଯେତେ କହିଲେ ବି ସେ ଆଉ ଗାଁକୁ ଫେରିବନି ବୋଲି ମନା କରିଦେଲା।ଯୋଉ ଗାଁ ର ସେ ଦିନେ ରାଜା ଥିଲା ସେଇ ଗାଁ କୁ ସେ ଏବେ କି ପରିଚୟ ନେଇ ଯିବ?ଏମିତି ଯାଯାବର ହେଇ ଜୀବନ କାଟିଦେବା ବରଂ ଭଲ।ରଘୁଆ ଘରେ ଖାଇ ସାରି ବଳକା ଖାଦ୍ୟକୁ ଜାକିଜୁକି ମୁଣିରେ ଧରିଲା କୁଳମଣି ଭୋକ ଲାଗିଲେ ପରେ ଖାଇବ ବୋଲି କହିଲା।ହେଲେ କିଛିବାଟ ଚାଲିଯାଇ ପୁଣି ପଛକୁ ଫେରିଲା ତାକୁ ଅନେଇ ଜିଭ କାଢି ହାଁ ହାଁ ହଉଥବା କୁକୁର ମୁହଁରେ ସବୁତକ ବଳକା ଖାଦ୍ୟ ଦେଇଦେଲା।କୁକୁରକୁ ଚାକୁ ଚାକୁ କରି ଖାଉଥିବାର ଦେଖି ତା ମୁହଁରେ ପରମ ତୃପ୍ତିର ଝଲକ ଟିଏ ଖେଳିଗଲା।ଭୋକକୁ ଅନୁଭବ ନ କରିଥିଲେ ଭୋକିଲାର ଦୁଃଖ ବୋଧେ ଜାଣିହୁଏନି ବୋଲି ଭାବୁଥିଲା ରଘୁଆ ଓ ଧନ୍ୟବାଦ ଦେଉଥିଲା କୁଳମଣିକୁ ଯିଏ ତାକୁ ପ୍ରକୃତ ତରକାରୀର ସ୍ୱାଦ ପାଇବା ପାଇଁ ତାତ୍ସଲ୍ୟ ଭରା ସ୍ୱରରେ ଅସରନ୍ତି ତରକାରୀର ବାଟ ବତେଇ ଦେଇଥିଲା, ପରୋକ୍ଷରେ ନିଜ ଭାଗ୍ୟ ନିଜ କର୍ମ ଦ୍ୱାରା ନିୟନ୍ତ୍ରିତ ବୋଲି ଜଣେଇ ଦେଇଥିଲା।


Rate this content
Log in

Similar oriya story from Inspirational