Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Pritipriya Mohanty

Tragedy Drama

2.5  

Pritipriya Mohanty

Tragedy Drama

ପରିତ୍ୟକ୍ତା

ପରିତ୍ୟକ୍ତା

5 mins
562



       ମାଧବୀ ସେଦିନ ଗାଁ ମୁଣ୍ଡରେ ଥିବା କୂଅ ପାଖରେ ବିରସ ମୁହଁରେ ବସି କଣ ଭାବିଲା ପରି ମନେ ହେଉଥିଲା। ହେଲେ, ସେଇ କୂଅ ତ ଆଉ ବ୍ୟବହାର ଯୋଗ୍ୟ ହୋଇ ନାହିଁ; ସମସ୍ତଙ୍କ ପାଇଁ ସେ ଅଲୋଡ଼ା, ତେବେ ସେ ଏଠିକୁ ଆସିଛି କଣ ପାଇଁ ଯେତେବେଳେ ଗାଁର କୌଣସି ବି ଲୋକ ସେ କୂଅର ପାଖ ମାଡୁନାହାଁନ୍ତି। ଆଗଭଳି ହସ ହସ ମୁହଁ ଆଉ ମାଧବୀର ନଥିଲା। ସେ ସବୁବେଳେ ଉଦାସ ରହୁଥିଲା। ମାଧବୀ ଯେତେବେଳେ କାଇଁଚପୁର ଗାଁ କୁ ହାତେ ଲମ୍ବର ଓଢଣୀ ଟାଣି ପାଦରେ ନାଲି ଗୁରୁ ଗୁରୁ ଅଳତା ଲଗାଇ ନୂଆବୋହୁ ସାଜି ଆସିଲା, ସେତେବେଳେ ସେ ଶୁଣିଥିଲା ସେଇ କୂଅର ଅନେକ ପ୍ରଶଂସା। ସେଇ କୂଅର ପାଣି କାଳେ ଅମୃତ ସଦୃଶ । ତାର ପାଣି ପିଇ ଗ୍ରାମବାସୀ ତୃପ୍ତ ହେଉଥିଲେ। କୁହନ୍ତି, ଭୋକ ଥିଲେ ତାର ପାଣି ପିଇଲେ ଖାଦ୍ୟ ରୁଚେନି। ଅନେକ ଥର ସେ ମହେଶକୁ ଖାଇବାକୁ ଡାକିବା ସମୟରେ ପ୍ରତ୍ୟୁତ୍ତର ପାଇଛି- " ଆମ ଗାଁ ମୁଣ୍ଡ କୂଅର ପାଣି ମୁନ୍ଦେ ଦିଅ। ଆଗ ପାଣି ପିଇ ସାରେ, ଖାଇବା କଥା ପରେ "। ମାଧବୀ ନିଜେ ମଧ୍ୟ ପରେ ସେଇ କୂଅ ପାଣିର ମହନୀୟତାକୁ ଅନୁଭବ କରିଛି ଓ ନିଜ ବାପଘର ଗାଁ କୁ ଗଲାବେଳେ ନିଜ ସାଙ୍ଗସାଥୀ ଗହଣରେ ତାର ପ୍ରଶଂସା ବି କରିଛି।

  

    ମହେଶ ଓ ମାଧବୀ ଉଭୟଙ୍କର ପ୍ରେମ ଓ ପ୍ରସ୍ତାବିତ ବିବାହ ହୋଇଥିଲା। ମାଧବୀ ଥିଲା ମହେଶର ପାଖ ଗାଁ ର ଝିଅ। ଉଭୟଙ୍କର ସାକ୍ଷାତ ହୋଇଥିଲା ପାଖ ଗାଁ ଯାତ୍ରାରୁ। ପ୍ରଥମ ଦେଖାରୁ ମହେଶ ର ମନ ହଲଚଲ ହୋଇଥିଲା। ମାଧାବୀ ଦେଖିବାକୁ ଥିଲା ବହୁତ ସୁନ୍ଦରୀ। ପାଦଠାରୁ ମୁଣ୍ଡଯାଏଁ ଖୁଣିବାର ନ ଥିଲା। ସତେ ଯେମିତି ଗୋଟିଏ ଚାଉଳରେ ଗଢ଼ା। ଦେହର ରଙ୍ଗ ସମ୍ପୂର୍ଣ୍ଣ ଗୋରା ନ ଥିଲେ ବି ଦେଖିବାକୁ ଖରାପ ନୁହେଁ। ମୋଟରେ କହିଲେ ସେ ଥିଲା ଶ୍ୟାମଳୀ ସୁନ୍ଦରୀ। ମହେଶ ମାଧବୀକୁ ଦେଖିବା ଦିନରୁ ତାକୁ ପାଇବାକୁ ପାଗଳ ପ୍ରାୟ ହୋଇଯାଇଥିଲା। ଘରେ ନ ଖାଇ ନ ପିଇ ଜିଦି କରି ବାପା ମାଆଙ୍କୁ ରାଜି କରାଇଲା ମାଧବୀକୁ ନିଜ ଘରକୁ ବୋହୁ କରି ଆଣିବା ପାଇଁ। ମହେଶର ବାପା ମାଧବୀ ବାପାଙ୍କ ପାଖକୁ ପ୍ରସ୍ତାବ ପଠାଇଲେ। ମାଧବୀକୁ ଏତେ ଭଲ ଘର ଓ ଏତେ ଭଲ ପାଉଥିବା ବର ମିଳୁଛି ଜାଣି ତାର ବାପା ରାଜି ହୋଇଗଲେ ଝିଅ ଦେବାପାଇଁ। ଖୁବ୍ ଜାକଜମକରେ ଉଭୟଙ୍କର ବିବାହ ହେଲା। ମହେଶର ପାଦ ତଳେ ଲାଗୁ ନଥିଲା। ତାକୁ ତ ଆକାଶର ଚାନ୍ଦ ହାତକୁ ଆସିଗଲା ପରି ଲାଗୁଥିଲା। ମାଧବୀକୁ ପାଇ ସେ ଖୁବ୍ ଖୁସି ହେଲା। ମାଧବୀକୁ ନେଇ ତା ମନରେ ଥିବା ଆଶା ଅଭିଳାଷକୁ ବାସ୍ତବତାର ରୂପ ଦେବା ପାଇଁ ଦିନରାତି ଏକ ଯୋଉ କରି ଦେଇଥିଲା ସେ, ଶେଷରେ ତାର ଇଛା ପୂରଣ ହେଲା। ତା ମନର ମାନସୀକୁ ସେ ହାତ ପାପୁଲିରେ ପାଇଲା।


      ଭାଉଜ..... ଭାଉଜ..... ବୋଲି ହଠାତ୍ ଡାକ ଶୁଣି ମାଧବୀ ଭାବନରୁ ବାହାରି ନିଜର ଦେଖାଯାଉଥିବା ଅଧା ପୁଙ୍ଗୁଳା ଦେହକୁ ଲୁଗାରେ ଭଲ କରି ଢାଙ୍କିଦେଲା। ପଡ଼ିଶାଘର ଝିଅ ତାକୁ ଜଣାଇବାକୁ ଆସିଛି ଯେ, ମହେଶର ବାହାଘର ଶେଷରେ ଠିକ ହୋଇଯାଇଛି ଆର ସାହିର ଜଗମୋହନ ବାବୁଙ୍କ ଝିଅ ସହ ଯାହା ପ୍ରେମରେ ମହେଶ ଏବେ ଉବୁଟୁବୁ, ଯାହାକୁ ଘରଣୀ କରିବା ପାଇଁ ମହେଶ ଏବେ କିଛି ଦିନ ହେବ ବେଶ୍ ବ୍ୟାକୁଳ ହୋଇ ଉଠିଛି। ଏ କଥା ଶୁଣି ବି ମାଧବୀ ଆଗପରି ସେମିତି ଚୁପହୋଇ ବସିଥିଲା। ବିରୋଧ କରିବା ପାଇଁ ତା ପାଖରେ ସାହସ ହିଁ ନଥିଲା। ନିରୁତ୍ତର ହୋଇ ବସିଥାଏ ସେମିତି ସେଇ କୂଅ ପାଖରେ। ଉତ୍ତର ଦେବ ବା କେମିତି। କାରଣ ମହେଶ ପାଇଁ ସେ ଆଜି ଅଦରକାରୀ ଓ ଅଲୋଡ଼ା।


       ବାହାଘରର ପାଞ୍ଚ ମାସ ପରେ ସେ ନିଜ ଦେହରେ ଦେଖିଥିଲା ଅପୂର୍ବ ପରିବର୍ତ୍ତନ। ଦେହର କିଛି କିଛି ଜାଗାରେ ଥିଲା କିଛି ସମ୍ପୂର୍ଣ ଧଳା ଧଳା ଚକା ଚକା ଚିହ୍ନ, ଦେଖିବାକୁ ଛଉ ପରି। ପ୍ରଥମେ ପ୍ରଥମେ ସେ ଲୁଚାଇବାକୁ ଚେଷ୍ଟା କଲା, ହେଲେ ମହେଶର ଆଖି ତାକୁ ସହଜରେ ଧରିନେଲା। ଡାକ୍ତର ପରାମର୍ଶ କରିବାକୁ ଯାଇଥିଲେ ମଧ୍ୟ ତାହା କମିବାର ନାଁ ଧରୁ ନ ଥିଲା ବରଂ ଅଧିକରୁ ଅଧିକ ବଢିଚାଲିଥିଲା। ଡାକ୍ତର ମଧ୍ୟ ତାହା ଆରୋଗ୍ୟ ଯୋଗ୍ୟ ନୁହେଁ ବୋଲି ସିଧା ସିଧା ଜଣାଇଦେଲେ। ଯେତେବେଳେ ମାଧବୀର ଛଉ ଚିହ୍ନ ବଢ଼ିବାରେ ଲାଗିଲା ମହେଶ ଓ ମାଧବୀ ମଧ୍ୟରେ ଦୂରତା ମଧ୍ୟ ସେତିକି ସେତିକି ବଢିଚାଲିଲା। ପାଦ ଠାରୁ ମୁଣ୍ଡ ଯାଏଁ ଶ୍ୟାମଳ ରଙ୍ଗ ଉଭେଇ ଏକ କଦାକାର ପ୍ରାୟ ସେ ଦିଶିବାକୁ ଲାଗିଲା। ତାକୁ ଆଗରୁ ଜାଣିଥିବା ଲୋକ ମଧ୍ୟ ସହଜରେ ଦେଖି ଚିହ୍ନି ପାରୁ ନଥିଲେ। ଛଉ ଦେହର ସମ୍ପୂର୍ଣ୍ଣ ଅଂଶରେ ମାଡିଯିବା ପରେ ମହେଶ ଥରୁଟିଏ ପାଇଁ ବି ମୁହଁ ବୁଲାଇ ଦେଖିନି ତା ଆଡ଼କୁ। ମହେଶ ମନରେ ମାଧବୀ ପାଇଁ ସୃଷ୍ଟି ହୋଇ ସାରିଥିଲା ଘୃଣା। ଘରେ ବାହାରେ ସବୁଠି ମାଧବୀକୁ ଶୁଣିବାକୁ ପଡିଲା ନିନ୍ଦା ଅପବାଦ। ଦିନେ ତାକୁ ପାଇବାକୁ ପାଗଳ ପ୍ରାୟ ହେଇଥିବା ମହେଶ ପାଇଁ ଆଜି ସେ ହୋଇଯାଇଥିଲା ଅଦରକାରୀ। ସେଥିପାଇଁ ତ ଆଜି ମହେଶର ବାହାଘର ଠିକ୍ ହୋଇଥିବା କଥା ଜାଣି ବି ସେ ନିରବ ଆଉ ନିରୁପାୟ।

   

    ବସ୍ତବତାକୁ ଜାଣିସାରିଥିଲା ସେ। ଜାଣିସାରିଥିଲା ମହେଶର ମନ କଥାକୁ। ମହେଶ ଯେ ଦ୍ୱିତୀୟ ବିବାହ ପାଇଁ ଆଗଭର ଏ କଥା ସେ ଜାଣିଥିଲା ବହୁତ ଆଗରୁ ଯେବେ ପ୍ରଥମ କରି ମହେଶ ତା ଦେହରେ ଏ ଚିହ୍ନସବୁ ଦେଖିଥିଲା। ମାଧବୀ କୂଅକୁ ଦେଖି ଭାବୁଥାଏ, ସତରେ, ଏଇ କୂଅ ଆଉ ତା ମଧ୍ୟରେ କୌଣସି ତଫାତ୍ ନାହିଁ, ଉଭୟ ଥିଲେ ପରିତ୍ୟକ୍ତା। ଉଭୟ ସ୍ୱାର୍ଥ ପୂରଣ କରୁଥିବା ପର୍ଯ୍ୟନ୍ତ ଥିଲେ ପ୍ରଶଂସାର ପାତ୍ର। ଏହି କୂଅର ପାଣିରେ ସମସ୍ତେ ତୃପ୍ତ ହେଉଥିଲେ। ମେଣ୍ଟାଉଥିଲେ ନିଜର ଭୋକଶୋଷ। କେତେ ଯେ ଝିଅଙ୍କର ପାଲିଙ୍କି ଏ ଗାଁରୁ ଅନ୍ୟ ଗାଁକୁ ଉଠିଥିବାର ସେ କୂଅ ଦେଖିଛି। କେତେ ଯେ ଶବ ତା ପାଖଦେଇ ଗାଁ ଶ୍ମଶାନକୁ ଯିବାର ସେ ଦେଖିଛି, କେତେ ଯେ ଚିହ୍ନା ଅଚିହ୍ନା ମୁହଁକୁ ସେ ନିଜ ଭିତରେ ସାଇତି ରଖିଛି। କେତେ ଯେ ପଥିକଙ୍କର ସେ ଠିକଣା ସାଜିଛି। ମଣିଷ ପାଇଁ ଅନତି ଦୂରରେ ଥିବା ଜହ୍ନକୁ ସେ ତା କୋଳରେ ଧରିଛି। ହେଲେ, ଆଜି କେଉଁ ଏକ କାରଣରୁ ତା ଜଳ ହୋଇଛି ବ୍ୟବହାର ଅଯୋଗ୍ୟ, ଅଦରକାରୀ। ଗାଁ ଲୋକଙ୍କର କୌଣସି କାମରେ ସେ ଆସୁନାହିଁ ଆଉ ଆଗପରି। ସତରେ କେତେ ସ୍ୱାର୍ଥପର ଏଇ ମଣିଷ ସମାଜ। ସ୍ୱାର୍ଥପୂରଣ କରୁଥିବା ଯାଏ ସମସ୍ତେ ନିଜର, ଆଉ ସେମାନଙ୍କ ସ୍ୱାର୍ଥପୂରଣ ଟିକେ ବି ବାଧାପ୍ରାପ୍ତ ହେଲେ କରିଦିଅନ୍ତି ସାତପର, ଯେମିତି ଏକ ଅଜଣା ଅଶୁଣା ମଣିଷ ପରି।


       ଏହି ସମୟରେ କିଏ ଜଣେ ରହ ରହ ବୋଲି ଚିତ୍କାର କରୁ କରୁ ମାଧବୀ ଡେଇଁପଡିଲା ସେଇ ଅଦରକାରୀ କୂଅର କୋଳକୁ।ଗାଁ ର ଅନ୍ୟ କେତେ ଜଣ କୂଅ ପାଖକୁ ଦୌଡି ଆସିଲେ ମାଧବୀକୁ ରକ୍ଷା କରିବା ପାଇଁ।ହେଲେ କୁଅ ଭିତରକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ।ମାଧବୀ କୂଅ ଭିତରେ ଏକ ବାଲଟି ସାହାଯ୍ୟରେ କୂଅରୁ ମଇଳା,ପ୍ଲାଷ୍ଟିକ ଆବର୍ଜନା ପଙ୍କ ଆଦି ନିଜେ ନିଜେ ସଫା କରିବାକୁ ଚେଷ୍ଟା କରୁଛି । ଲୋକେ ତା'ର ଏ ପ୍ରଚେଷ୍ଟା ଦେଖି ଖୁସି ହେଲେ ଓ ସହଯୋଗର ହାତ ବଢାଇଲେ । କୂଅର ପାଣି ଏବେ ଧିରେ ଧିରେ ବ୍ୟବହାର ଯୋଗ୍ୟ ହେବାରେ ଲାଗିଥିଲା। କୂଅ ପାଖରେ ଗାଁ ଲୋକଙ୍କର ଏବେ ଭାରି ଗହଳ ଚହଳ ହୁଏ । ସମସ୍ତଙ୍କ ମୁହଁରେ ମାଧବୀର ପ୍ରଶଂସା । ପାଖରେ ଝାଟିମାଟିର କୁଡିଆଟେ କରି କୂଅ ଚାରିପାଖେ ଫସଲ କରି,ଫୁଲଗଛ ଲଗାଇ ମାଧବୀ ନୂଆ ଜୀବନ ଆରମ୍ଭ କରିବାକୁ ଲାଗିଲା । କୂଅ ଚତୁଃପାର୍ଶ୍ୱ ଏବେ ଅପରୂପ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ । ଚାରିଆଡେ ଶସ୍ୟଶ୍ୟାମଳା।କୂଅ ଚାରିପାଖରେ ଓ ଛୋଟ କୁଡିଆଟିରେ ମାଧବୀ ଓ ମହେଶର ପ୍ରେମର ସନ୍ତକ ତା' ସୁସ୍ଥସବଳ ଓ ନୀରୋଗ ଛୋଟ ପୁଅ ସମ୍ଭବର କୋଳାହଳ ମାଧବୀ ମନକୁ ଉତ୍ସବମୂଖର କରୁଥାଏ । କୂଅର ଚାନ୍ଦିନି ହିଁ ସମ୍ଭବର ଖେଳପଡିଆ,ବସାଉଠା ସ୍ଥାନ। ସତେ ଯେମିତି ମାଆ ପରେ ଏ କୂଅ ହିଁ ତା' ଜୀବନରେ ଦ୍ୱିତୀୟ ଜଣେ କେହି। ସମ୍ଭବ,ମାଧବୀର ଜୀବନ ସେ। ତା' ପାଇଁ ନୂଆ ସମ୍ଭାବନା। ତେଣୁ ବାଛି ବାଛି ନାଁ ରଖିଛି ମାଧବୀ।


ଏଣେ ମହେଶ ତା' ଦ୍ବିତୀୟ ସ୍ତ୍ରୀ ସରିତାକୁ କେତେ କେତେ ଡାକ୍ତର ଦେଖେଇ ଔଷଧ ପତ୍ର ଦେଇ ବି ଘରେ କୁଆଁ କୁଆଁ ଡାକ ସାତସପନ। ସରିତା ସନ୍ଧ୍ୟା ବେଳେ କୂଅକୁ ପାଣି ନେବା ପାଇଁ ଆସି ମାଧବୀ ପୁଅକୁ ସ୍ନେହ ଆଦର କରି ଯାଏ। ଦିନେ ସରିତା ଅନ୍ୟମନସ୍କ ଯୋଗୁଁ କୂଅରେ ଖସିପଡିଲା ଓ ପାଣି ଦି ଢୋକ ପିଇଦେଲା ମଧ୍ୟ। ଖବର ପାଇ ମହେଶ,ଗାଁ ଲୋକ ସମସ୍ତେ ଦୌଡି ଆସିଲେ। ଆସି ଦେଖିଲେ ମାଧବୀ ସରିତାକୁ କୂଅରୁ ବାହାର କରି ଆଣି ପେଟରୁ ପାଣି କାଢି ଦେହମୁଣ୍ଡ ପୋଛାପୋଛି କରି ଶୁଖିଲା ଲୁଗା ଦେହରେ ଗୁଡେଇ ଦେଇଛି। ମହେଶ ଅନୁଶୋଚନାରେ ପୋତି ହେଇ ପଡୁଥାଏ। ମହେଶ ଓ ସରିତା ଉଭୟ ମାଧବୀକୁ ଘରକୁ ଫେରିଆସିବା ପାଇଁ ଅନୁରୋଧ କରୁଥାଆନ୍ତି। ହେଲେ ମାଧବୀ ସିଧା ସିଧା ମନା କରିଦେଇ କହିଲା ମୁଁ ଗର୍ଭବତୀ ଥିବା କଥା ଲୋକଙ୍କ ଠାରୁ ଶୁଣି ମଧ୍ୟ କେବେ ଥରେ ଦେଖିବାକୁ ଆସିଲନି। ମୋ ପୁଅ ଆଜି ବି ବାପ ଛେଉଣ୍ଡ ପରି ଜୀବନ କାଟୁଛି। ଯଦିଓ ମୁଁ ତାକୁ ବାପା ଓ ମାଆ ଉଭୟଙ୍କ ସୁଖ ଦେବାକୁ ଚେଷ୍ଟା କରୁଛି।  ଆଜି ହଠାତ୍ ଘରକୁ ଡାକିବା କଥା ମନେ ପଡିଗଲା ଯେ? ଯେଉଁ ଦିନଠୁ ତୁମ ମନରେ ମୋ ପାଇଁ ସ୍ଥାନ ନାହିଁ ବୋଲି ଜାଣିଲି ସେବେଠୁ ସେ ଘରେ ବି ମୋର ସ୍ଥାନ ନାହିଁ ବୋଲି ଧରିନେଲି। ଯୋଉଠି ମନ ନାହିଁ ସେଠି ରହିବାର ଲାଭ ବା' କ'ଣ? ମୁଁ ମୋ ପୁଅ ଓ କୂଅ ସହ ଏଠି ବହୁତ ଖୁସିରେ ଅଛି। ଫେରିଗଲା ବେଳେ ଗାଁ ଲୋକେ କୁହାକୁହି ହେଉଥିଲେ ମାନିବାକୁ ହେବ ଏ ଝିଅକୁ ଯୋଉଥିରେ ହାତ ଦେଲା ସେ ନୂଆ ଜୀବନ ପାଇଲା। ପରିତ୍ୟକ୍ତା ମାନେ ମାନସିକ ଭାବେ ସତରେ ଭାରି ଶକ୍ତିଶାଳୀ,ଭାରି ଲକ୍ଷ୍ମୀବନ୍ତ। ମାଧବୀ କୂଅରୁ ପାଣି କାଢି ଢକ ଢକ କରି ମୁନ୍ଦେ ପିଇଗଲା। କୂଅର ଚହଲା ପାଣିରେ ନିଜ ମୁହଁକୁ ଦେଖୁଥାଏ ସେ। ଚହଲା ପାଣି ଯାକ ଖିଲିଖିଲି ହସି ଉଛୁଳିଥିଲେ ମାଧବୀ ନିଜ ଉପରୁ ଓ କୂଅ ଉପରୁ ପରିତ୍ୟକ୍ତାର ମୋହର ଉଠେଇ ଦେଇଥିବାରୁ।


Rate this content
Log in

More oriya story from Pritipriya Mohanty

Similar oriya story from Tragedy