Pritipriya Mohanty

Inspirational Others

2.8  

Pritipriya Mohanty

Inspirational Others

ନୂଆ ମାଆ

ନୂଆ ମାଆ

5 mins
2.2K


ମାଳତୀ ଦେବି ଓ ମିହିର୍ ବାବୁଙ୍କ ଏକମାତ୍ର ଝିଅ ମାନି । ପିଲାବେଳେ ମାନିର ଗୋଟେ ମସ୍ତ ବଡ଼ ଖରାପଅଭ୍ୟାସ ଥିଲା ସେଇଟା ହେଲା ଖାଇବା ବେଳେ ନଖରାମି । ଭାରି ହଇରାଣ କରେ ସେ ମା'ଙ୍କୁ  । ମା' ବହୁତ ପ୍ରକାର ବୁଝାସୁଝା କରି ବହୁତ କଷ୍ଟରେ ଖୁଆନ୍ତି । ଝିଅକୁ ଖୁଆଇବା ପାଇଁ ସେ ଅନେକ ଯୋଜନା କରନ୍ତି । କେବେ ଆକାଶର ଜହ୍ନକୁ ଡାକନ୍ତି ତ କେବେ ଜଙ୍ଗଲର ବାଘକୁ କେବେ ବିଲେଇ କୁକୁର ଦେଖାନ୍ତି ତ କେବେ ଟୁଆଁ ଟୁଇଁ ଆଉ ଚତୁର କୂଆ ଗପ କୁହନ୍ତି । କେବେ ଘୋଡା ତ କେବେ ଗଧ ହୁଅନ୍ତି । ସବୁଦିନ ଝିଅ ପାଇଁ ତାଙ୍କୁ ନୂଆ ନୂଆ ପଶୁ ପକ୍ଷୀ ହେବାକୁ ପଡେ । ଦିନେ ଏ ସବୁ ରକମ ଯୋଜନା ବିଫଳ ହେଲା । କିଛି କାମ ଦେଲାନି ମାନି ପାଇଁ । ମା' କହିଲେ ତୁ ଯଦି ଏମିତି ନ ଖାଇବୁ ତେବେ ସେ ନିଶ୍ଚୟ ମରିଯିବେ ଆଉ ବାପା ବାହା ହୋଇ ତୋ ପାଇଁ ଗୋଟେ ସାବତ ମା' ଆଣିବେ । ମାନି ପଚାରିଲା ମା' ତ ମା' ପୁଣି ସାବତ ମା' କ'ଣ? ମା' କହିଲେ ସାବତ ମା' ମାନେ ହେଲା ନୂଆ ମା'ଯିଏ ତାଙ୍କ ମରିଗଲା ପରେ ତାଙ୍କ ବଦଳରେ ଏ ଘରକୁ ଆସିବ ତା' ବାପାଙ୍କର ସ୍ତ୍ରୀ ହୋଇ । ସେ ନୂଆ ମା' ମାନିକୁ ବହୁତ ହଇରାଣ କରିବ ତା' ନିଜ ଛୁଆକୁ ଅଧିକ ଭଲ ପାଇବ । ବାପା ବି ନୂଆ ମା' କଥାରେ ପଡି ମାନିକୁ କଷ୍ଟ ଦେବେ ଆଉ ଜମା ଭଲ ପାଇବେନି । ଏବେ ସେ ଖାଇବାରେ କେତେ ନଖରା କରୁଛି ହେଲେ ସେବେ ତାକୁ ମୁଠେ ଖାଇବାକୁ ମିଳିବନି । ଏତିକି ଶୁଣୁ ଶୁଣୁ ମାନି କଣ ବୁଝିଲା କେଜାଣି ଭେଁ କରି ଗୋଟାଏ ରଡିଟାଏ ଛାଡିଲା । ମା' ତମେ ମତେ ଛାଡି କୁଆଡେ ବି ଯିବନି କହି ବହୁତ କାନ୍ଦିଲା । ବାପା ନୂଆ ମା' ଆଣିଲେ ସେ ସେଇ ନୂଆ ମା'କୁ ବହୁତ ମାରିବ ।  ସେ ଅନ୍ୟ କାହାକୁ ମା' ବୋଲି ଡାକିବନି ବୋଲି ସିଧା ସିଧା ଜଣେଇଦେଲା  । ହେଲେ,ମାନି ସେଇ ଦିନ ଠାରୁ ଆଉ ଖାଇବା ପାଇଁ ନଖରାମି କରିନି । ସୁନା ପିଲା ଭଳି ଭଲରେ ଭଲରେ ଖାଇଦିଏ ସବୁ । ତାକୁ ଡର ଥିଲା କି ସେ ନ ଖାଇଲେ ମା'ଯଦି ମରିଯିବେ । ସେ ଚାହୁଁ ନ ଥିଲା ମା' ମରିଯାଉ ତେଣୁ ଆଗ ପରି ନଖରା ନ କରି ଚୁପଚାପ ଖାଇଦିଏ ।

ହେଲେ ମା'ତାକୁ ଏମିତି ଛାଡି ସତରେ ଚାଲିଗଲେ କଣ ପାଇଁ? ସେ ତ ଖାଇବା ପାଇଁ କେବେ ହେଲେ ଆଉ ହଇରାଣ କରିନି ।

ଅନ୍ଧାର ଘନେଇଲାଣି,ତଥାପି ତା'ର ନିଘା ନାହିଁ । ସେମିତି ହିଁ ଛାତ ଉପରେ ବସି ଗୋଟିଏ ଦୃଷ୍ଟିରେ ଚାହିଁ ରହିଥିଲା ଆକାଶକୁ । ମିଞ୍ଜି ମିଞ୍ଜି ନକ୍ଷତ୍ର ଗୁଡିକ ଭିତରେ ସେ ତା' ମାଆକୁ ଖୋଜୁଥିଲା । ତାକୁ ଯେତେବେଳେ ସାତ ବର୍ଷ,ତା' ମାଆ ତାକୁ ଛାଡି ଚାଲିଗଲା । ମାଆର ମୁହଁଟିକୁ ବି ସେ ଏବେ ମନେ ପକାଇବାକୁ ସମର୍ଥ ହୁଏନି । ବାପା ନୂଆ ମାଆଟିଏ ଆଣି ଦେବାପରେ ସେ ତା'ମାଆକୁ ଭୁଲିଯାଇଛି । ବା,ଏମିତି ବି ହୋଇପାରେ ଜାଣି ଜାଣି ଭୁଲିବାକୁ ପ୍ରୟାସ କରୁଛି ।

ମାନି....ମାନି.......!

ବାପାଙ୍କ ଡାକରେ ପ୍ରକୃତିସ୍ଥ ହେଲା ସେ । "ଏତେ ରାତି ଯାଏଁ ଏଇଠି ଏକା କ'ଣ କରୁଛୁ?"ବାପାଙ୍କ ଉତ୍ତର ଦେବା ଆଗରୁ ସେ ତାର ଗଡି ଯାଉଥିବା ଲୁହ ଧାରକୁ ପୋଛି ପକାଇଲା । ବାପାଙ୍କ ଦୁଇ

ଆଖିକୁ ଦେଖି ସେ ଏ ସମୟରେ କୌଣସି ଉତ୍ତର ଦେବା ଠିକ ହେବନି ବୋଲି ଭାବି ଚୁପ ରହିଲା । ଏଇ ଆଖି ସେ ଦୀର୍ଘବର୍ଷ ହେବ ଦେଖିଆସୁଛି । ଢ଼ଳି ଢ଼ଳି ଏପଟ ସେପଟ ପାଦ ପଡୁଥିବା ଚାଲି ଆଉ ନାଲି ଆଖିକୁ ନିଃଶ୍ୱାସରେ ଭାସିଆସୁଥିବା ସେ କଦର୍ଯ୍ୟ ଗନ୍ଧ ଆଉ ଜାଣିବାକୁ ବାକି ନ ଥିଲା ମାନିକୁ ଯେ ବାପା ଏବେ ନିଶାଶକ୍ତ ।  ଏଇଟା ତ ତାଙ୍କର ନିତିଦିନିଆ ଅଭ୍ୟାସ । ଏବେ ବି ତା'ର ମନେ ଅଛି ବାପାଙ୍କ ସହ ଅନେକ ସମୟରେ ଏଇ କଥାକୁ ନେଇ ମାଆର ବହୁତ ଝଗଡା ହୁଏ । କାରଣ ମାଆର ବାପାଙ୍କ ଏ ଅଭ୍ୟାସ ଆଦୌ ବି ପସନ୍ଦ ନ ଥିଲା ।  ଏଇ ମଦ ହିଁ ତାଙ୍କ ଆଚାର ବିଚାର କୁ ସମ୍ପୂର୍ଣ୍ଣ ନଷ୍ଟ କରିଚାଲିଥିଲା । ନୂଆ ମା' କଥା ତ ନ କହିଲେ ଭଲ । ତା' ଯୋଗୁ ସେ ସ୍କୁଲ ଦୁଆର ଦେଖି ପାରିଲାନି । ପଢିବାରେ ତାର ଭାରି ଆଗ୍ରହ ଥିଲା ମାତ୍ର ଭାଗ୍ୟ ବାମ ଧରିବାରୁ ଦିନ ସାରା ଘର କାମ କରି କରି ହିଁ ତା ଦିନ ସରେ । ଅପରିପକ୍ୱ ବୟସରୁ ହାଣ୍ଡି ଚୁଲି ଘର କାମ ହିଁ ଥିଲା ତାର ସର୍ବସ୍ୱ । ମା ' ସତ କହୁଥିଲା ସତରେ ନୂଆ ମା' ତାକୁ ବହୁତ ହଇରାଣ କରିବ । ଆଉ ବାପା ବି ବହୁତ ପରିବର୍ତ୍ତନ ହୋଇଗଲେ ନୂଆ ମା'କୁ ଡ଼ରି ତା'କଥାରେ ହୁଅନ୍ତୁ କି ନିଜ ଇଛାରେ ।

ନିଜର ପୁଅ ପାଇଁ ବାପା ଆଉ ନୂଆ ମା'ଙ୍କ ଯେତିକି ଆଦର ଭଲ ପାଇବା ତା'ଭାଗରେ ସେତିକି ଭଲ ପାଇବା ନାହିଁ ବୋଲି ସେ ଜାଣୁଥିଲା ହେଲେ ବି ସବୁ ସହିଯାଏ ।  ନୂଆ ମାଆ ଭିତରେ ସେ ନିଜ ମା'କୁ ପାଇବାକୁ ଅହରହ ଚେଷ୍ଟା କରୁଥାଏ । ହେଲେ ତାର ଅତ୍ୟାଚାର ତ ମାନିର ବୟସ ବଢିବା ସଙ୍ଗେ ସଙ୍ଗେ ବଢିଚାଲିଥିଲା । କେବେ ନିଆଁ ଚେଙ୍ଗ ତ କେବେ ମୁଣ୍ଡ ସହ ପାଣିରେ ବୁଡାଇ ରଖେ । କେବେ ଜାଣିଶୁଣି ଲୁଚେଇ ତରକାରି ରେ ଅଧିକ ଲୁଣ ପକାଏ ତ କେବେ ନିଜ ଲୁଗା ନିଜେ ଚିରି ମାନି ନାଁ ଦିଏ । କହିବାକୁ ଗଲେ ନୂଆ ମାଆ ମାନିକୁ ଦଣ୍ଡ ଦେବା ପାଇଁ କାରଣ ନ ଥିଲେ ବି କାରଣ ବାହାର କରିଦିଏ । ବାପାଙ୍କୁ ବି ମିଛ ସତ କରି କହି ପୁଣି ମାଡ଼ ଦିଏ । ଖାଇବା ଶୋଇବା ଓ ମାନିକୁ ଅକଥନୀୟ ଅତ୍ୟାଚାର ଦେବା ନୂଆ ମାଆର ଘରକୁ ପ୍ରବେଶ ଦିନରୁ ମୂଖ୍ୟ କାର୍ଯ୍ଯ ।

ସବୁଦିନେ ରାତିରେ ଛାତ ଉପରକୁ ଯାଇ ମିଞ୍ଜି ମିଞ୍ଜି ନକ୍ଷତ୍ର ଭିତରେ ମାଆକୁ ଖୋଜି ମନକୁ ମନ ଏଣୁ ତେଣୁ ନ ଗପିଲେ ମାନିକୁ ନିଦ ହୁଏନି । ସବୁଦିନ ପରି ସେ ଦିନ ବି ଯାଇଥିଲା ସେ ଛାତ ଉପରକୁ ବିଳମ୍ବିତ ରାତ୍ରରେ । ନୂଆ ମାଆ ସାନ ଭାଇ କୁ ନିଦ । ବାପାଙ୍କର ତ'ଘରକୁ ଫେରିବାର ନିର୍ଦ୍ଧିଷ୍ଟ ସମୟ ହିଁ ନାହିଁ ।

ହଠାତ ତା' ମୁଣ୍ଡରେ କାହାର ହାତ ସ୍ପର୍ଶ ଅନୁଭବ କଲା ସେ । କିଛି ବୁଝିବା ଆଗରୁ ଧିରେ ଧିରେ ସେ ହାତ ମୁଣ୍ଡ,ମୁଣ୍ଡରୁ କାନ୍ଧ,କାନ୍ଧରୁ ପିଠି ଆଡକୁ ଯିବା ଅନୁଭବ ହେଲା । ହେଲେ ଏ ସ୍ପର୍ଶ କେତେ କଦର୍ଯ୍ୟ ଓ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା ସେ ଠିକ ଜାଣି ସାରିଥିଲା । ମୁହଁ ବୁଲେଇ ଦେଖେ ତ ଚମକି ଉଠିଲା ସେ । ବାପା ନିଶାଶକ୍ତ ଅବସ୍ଥାରେ ହିତାହିତ ଜ୍ଞାନ ହରାଇ ନିଜ ଅବାଞ୍ଝିତ କାମନା ଚରିତାର୍ଥ ପାଇଁ ଶେଷରେ ଝିଅ କୁ ହିଁ ବାଛିଲେ । କେମିତି ନିଜକୁ ମୁକୁଳେଇବ ଏ କାମାନ୍ଧ ମଣିଷଠୁ । ସତରେ କଣ ଆଜି ବଳି ଚଢିଯିବ ସେ ଭାବି ଭାବି ରିତିମତ ସଙ୍ଘର୍ଷ ଜାରି ରଖିଥାଏ ନିଜକୁ ବଞ୍ଚେଇବା ପାଇଁ । ବହୁତ କାକୁତି ମିନତି ହୋଇ ନେହୁରା ହେଲା ମାନି ବାପାଙ୍କ ପାଦ ତଳେ ନିଜ ଇଜ୍ଜତ ବଞ୍ଚେଇବା ପାଇଁ । ହେଲେ ବାପା ଯାହା କହିଲେ ସେଥିରୁ ତ' ତା'ପାଦ ତଳୁ ମାଟି ଖସି ଗଲା । ବଖାଣି ବସିଲେ ସେ ନିଜ ଅତୀତର କୁକର୍ମ ।

ଘରକୁ ଆସିଥିବା ତୋର ଜଣେ ସମ୍ପର୍କୀୟ ମାଉସୀ ସହ ଜୋର ଜବରଦସ୍ତ ସମ୍ପର୍କ ପାଇଁ ଚେଷ୍ଟା କରୁଥିବା ସମୟରେ ଦେଖି ନେଇଥିଲା ତୋ ମାଆ । ମୋ ନାଁରେ ଥାନାରେ ଏତଲା ଦେଇ ତା' ଭଉଣୀକୁ ନ୍ୟାୟ ଦେବ ବୋଲି ମତେ ଧମକ ଦେଇଥିଲା । ଯାହାର ପ୍ରତିଦାନରେ ଦେବାକୁ ପଡିଥିଲା ତା'ଜୀବନ । ଏଇ ଛାତ ଉପରେ ଆଜିକୁ ଠିକ ବାର ବର୍ଷ ତଳେ ତୋ ମାଆର ହତ୍ୟା ମୁଁ ନିଜ ହାତରେ କରିଥିଲି ବୋଲି କହି ବିକଟ୍ଟାଳ ଭାବେ ହସିଉଠିଲା । ବାପା ନାଁ ତଳେ ଛପିରହିଥିବା ଗୋଟେ ଅମଣିଷ ଠୁ ଏସବୁ ଶୁଣି ମାନି ଭାଙ୍ଗିପଡିଥିଲା । ନିଜ ମାଆର ହତ୍ୟାକାରୀ ଯେ, ତା' ନିଜ ବାପା ବୋଲି ଜାଣିବା ପରେ ଘୃଣା,ଭୟ ଓ ରାଗରେ ସେ ଅସମ୍ଭବ ଭାବେ ଅଣନିଃଶ୍ୱାସୀ ହୋଇ ଉଠୁଥିଲା । ଜଣେ କାମାନ୍ଧ ବଳିଷ୍ଠ ନିଶାଶକ୍ତ ପୁରୁଷ ଠାରୁ ରକ୍ଷା ପାଇବା ପାଇଁ ନିଜର ସମସ୍ତ ବଳ ଓ ପ୍ରଚେଷ୍ଟା ଲଗେଇ ବି କ୍ଷୀଣ ହୋଇ ଆସୁଥାଏ ମାନିର ସମସ୍ତ ପ୍ରଚେଷ୍ଟା ।  ହାରିବା ସୁନିଶ୍ଚିତ ବୋଲି ଧରିନେଲା ସେ । କିଏ ବା' ତାକୁ ଏଥିରୁ ବଞ୍ଚେଇବ । ଏତିକି ବେଳେ ତା'ଦେହ ମୁହଁରେ ପଡିଲା ପିଚ୍ କରି ଦଲକାଏ ରକ୍ତ ଛିଟା । ସେଇଠି ହିଁ ଟଳିପଡିଲା ବାପା ନୁହେଁ ତ ରାକ୍ଷାସ । ଧାରୁଆ ପନିକି ଧରି ରକ୍ତମୂଖା ହୋଇ ଠିଆ ହୋଇଥିଲା ନୂଆ ମାଆ ।

ନୂଆ ମାଆ ତମେ ଏ କ'ଣ କଲ?ବାପାଙ୍କୁ ମାରିଦେଲ? ......!

ମାରିନି ରେ ମାଆ....ମୁଁ ମାରିନି...

ଏ ଦୁନିଆରୁ ପାପୀ ଅତ୍ୟାଚାରିଙ୍କ ସଂଖ୍ୟା କମାଇବାର ସାମାନ୍ୟ ପ୍ରଚେଷ୍ଟା ମାତ୍ର କରିଛି ।

ଇଏ ଗୋଟେ ମଣିଷ ନୁହେଁ ମାରାତ୍ମକ ମଣିଷ ଥିଲା । ବାପା ନାଁରେ କଳଙ୍କ ଥିଲା । ସ୍ୱାମି ନାଁରେ ସଇତାନ ଥିଲା । ୟା ପାଇଁ ଏଇ ଦଣ୍ଡ ହିଁ ଉପଯୁକ୍ତ । ହେଇପାରେ ମୁଁ ତୋ ପ୍ରତି ବହୁତ ଅନ୍ୟାୟ କରିଛି ମାତ୍ର ଗୋଟେ ମାଆ କେବେ ତା' ଝିଅକୁ ଏମିତି ମରିବା ପାଇଁ ଛାଡିଦେଇ ପାରେନା । ନାରୀ ଟିଏ ହୋଇ ଆଉ ଗୋଟେ ନାରୀ ପ୍ରତି ହୋଇଥିବା ଅନ୍ୟାୟ ଅତ୍ୟାଚାରର କଥା ଶୁଣି ମୁଁ ସହିଥାଆନ୍ତି କେମିତି?

ଉଭୟଙ୍କ ଆଖିରେ ଥିଲା ଲୁହ ଧାର । ମାନି ଆଜି ନୂଆ ମାଆ ମୁହଁରେ ତା ନିଜ ମାଆର ମୁହଁ ଦେଖୁଥିଲା । ଉଭୟ ଉଭୟଙ୍କୁ ଜଡେଇ ଧରିଥିଲେ । ନୂଆ ମାଆ ମାତୃତ୍ୱ ସୁଖକୁ ମନ ଭରି ଉପଭୋଗ କରୁଥିଲା । ମାନି ଭାବୁଥିଲା ମାଆଟିଏ ସତରେ ମାଆ ସେ କେବେ ସାବତ ମାଆ ହୋଇପାରେନା । ନୂଆ ମାଆ ବି ଆଜି ବଦଳେଇ ଦେଇଥିଲା ସାବତ ମାଆର ସଂଜ୍ଞା ଆଉ ବଦଳେଇ ଦେଇଥିଲା ସମ୍ପର୍କର ସଂଜ୍ଞା ।

ପ୍ରୀତିପ୍ରିୟା ମହାନ୍ତି

ଶିକ୍ଷୟିତ୍ରୀ ମୟୂରଝାଲିଆ,ରଣପୁର

ନୟାଗଡ଼


Rate this content
Log in

Similar oriya story from Inspirational