STORYMIRROR

Pritipriya Mohanty

Classics

2.6  

Pritipriya Mohanty

Classics

ଅମୂଲ୍ୟ ଦାନ

ଅମୂଲ୍ୟ ଦାନ

7 mins
201


ଝିଅର ବାରଣ ସତ୍ତ୍ବେ ରାମ ଲୁଚି ଲୁଚି କେବେ କେମିତି ଗୋଟେ ଯୋଡେ କଲ ଆଟେଣ୍ଡ୍ କରେ। ଯେତେ ମନା କଲେ କ'ଣ ହବ ମନ ବୁଝୁନି। ପରିଶ୍ରମୀ ଲୋକ କେବେ କ'ଣ ହାତ ଗୋଡ଼ ବାନ୍ଧି ବସିପାରେ। ହେଲେ ସେଦିନ ଭଡା ପାଇଁ ଅପେକ୍ଷା କରିଥିବାବେଳେ ଯାହା ଦେଖିଲା ସେ ନିଜକୁ ବିଶ୍ୱାସ କରିପାରିଲାନି। କାହାକୁ ପଚାରିବ? କ'ଣ ପଚାରିବ। ଡ଼ରି ଡ଼ରି ପଚାରିଲା ମାଆ ,ଅନେକ ଥର ଭଡା ନେଇ ଆସିଛି କାଇଁ କେବେ ତ' ଆପଣଙ୍କ ଘର ପାଖରେ ଏ ଝିଅକୁ ଦେଖିନି। ସେ କିଏ?


ତୋର କ'ଣ ଏତେ ଜାଣିବା ଦରକାର। ଏଠି ଯିଏ ଯାହା କାମରେ ବ୍ୟସ୍ତ। କେହି କାହାକୁ ଚିହ୍ନନ୍ତିନି । ମୁଁ ଯେତିକି ଜାଣିଛି ସେ ଝିଅ ଏବେ ନୂଆ ନୂଆ କାମରେ ଅଛି। ଏତିକି କହି ସେ ଚାଲିଗଲେ। ରାମ ଆଉ କିଛି ସମୟ ଅପେକ୍ଷା କରି ପାଖ ଘରର ଉପର ମହଲାକୁ ଚାହିଁଲା ସେତେବେଳକୁ ସେଠି ଆଉ କେହି ନ ଥିଲେ। ମନ ବୁଝୁ ନ ଥାଏ ରାମର। ଆଖି କୁ ଆଗ ଅପେକ୍ଷା କମ ଦିଶୁଥିବାରୁ ଉପର ମହଲାର ଝିଅକୁ ସେ ଭଲରେ ଜାଣିପାରିଲାନି।ଘରକୁ ଆସି ସେଇକଥା ଭାଳି ହେଉଥାଏ।ସନ୍ଧ୍ୟାରେ ଝିଅ ଆସି ପହଁଞ୍ଚିଲା।ଝିଅକୁ ରାମ ତାର ଭଲ,ମନ୍ଦ ଆଜି ଅଫିସରେ କେମିତି କଟିଲା ବୋଲି ପ୍ରଶ୍ନ କଲା।ଝିଅ ସବୁଦିନ ପରି ହଁ ଭଲ ବୋଲି ଉତ୍ତର ଦେଇ ଖାଇ ପିଇ ଶୋଇଗଲା।ପରଦିନ ଝିଅ ପଛେ ପଛେ ରାମ ଅଟୋ ଧରି ଅନୁସରଣ କରି ପହଁଞ୍ଚିଲା ପୂର୍ବରୁ ଯାଇଥିବା ସେଇ ଫ୍ଲାଟ ପାଖକୁ।ଝିଅକୁ ନ ଦିଶିବା ପରି ଦୂରରେ ରହିଲା ରାମ।ତାକୁ ଦେଖି ପାଖାପାଖି ସତେଇଶି ଅଠେଇଶି ବର୍ଷର ଯୁବକ ଜଣେ ଧାଇଁ ଆସି କୁଣ୍ଢେଇ ପକାଇଲା।ରାମ ଲାଜ ଓ କ୍ରୋଧରେ ମୁହଁ ତଳକୁ ପୋତିଦେଲା।ଛି.....ଝିଅ ଶେଷରେ ତା'ର ଏଇଆ କରୁଛି ଏଠି।ହେଲେ ସେ ତ କହିଥିଲା ତାକୁ ବହୁତ ଭଲ କାମ ମିଳିଯାଇଛି ବୋଲି।ରାମ ମନେ ପକାଏ ପଛ କଥା।


ବାପା, ତୁମେ ଅଟୋକୁ ଏହି ଯାଗାରେ ରଖ। ଗାଡିରୁ ବାହାରକୁ ବାହାରିବନି, ଯଦି କିଏ କିଛି ପଚାରେ କୌଣସି ଉତ୍ତର ଦେବନି। ଆଜି ଅଫିସ୍ ରେ ମୋର ପ୍ରଥମଦିନ। ମୋ ସହ ବହୁତ ବଡବଡିଆ ଲୋକଙ୍କ ପିଲା ଏ ଯାଗାରେ ନିଯୁକ୍ତି ପାଇଛନ୍ତି। ସେ ପିଲାମାନେ ଦାମୀକାରରେ ନିଜ ବାପାମାଆଙ୍କ ସହ ଆସିଥିବେ ନିହାତି । ପରିଚୟ ସମାରୋହ ଧୂମଧାମରେ ହେବ ବୋଲି ଚିଠିରେ ଲେଖାଥିଲା। ସବୁ ସରିଲେ ମୁଁ ଫୋନ୍ କରିଦେବି। ଭୋକ ଲାଗିଲେ କଣ ଟିକେ ଖାଇଦେଇ ଅଟୋରେ ବସିଥିବ। ପକେଟରୁ ମଳିଛିଆ ରୁମାଲ କାଢି ମୁହଁ ପୋଛି ଝିଅ ଆଡକୁ ଚାହିଁଲେ ବୃଦ୍ଧ ରାମ। 


- ତୁ ଜମା ବ୍ଯସ୍ତ ହେବୁନି ରେ ମାଆ, ତୋ ବୁଢାବାପା ଏଇ ଯାଗାରେ ଅପେକ୍ଷା କରିଥିବ। ମୋର ଏତେ ବର୍ଷର ତପସ୍ଯା ଆଜି ସଫଳ ହୋଇଛି, ତୋ ମାଆ ବଞ୍ଚିଥିଲେ ଆଜି କେତେ ଖୁସି ହୋଇଥାଆନ୍ତା ନା ! 


ସେତିକି ବେଳକୁ ନିତା ରାମଙ୍କ ଆଖି ସାମ୍ନାରୁ ଅଦୃଶ୍ଯ ହୋଇସାରିଥିଲା।


ବୁଢା ବାପା ଅପେକ୍ଷା କରି କରି ତେଣେ ବ୍ୟସ୍ତ ହେଲେଣି।ଅପେକ୍ଷାର ଅନ୍ତ ଘଟାଇ ଦୀର୍ଘ ଚାରି ଘଣ୍ଟା ପରେ ପହଁଞ୍ଚିଲା ନିତା।ବୁଢା ବାପାର ଝିଅକୁ ଦେଖି ଖୁସି କହିଲେ ନ ସରେ।ଅଟୋ ଷ୍ଟାର୍ଟ କରି ବାପ ଝିଅ ଦୁହେଁ ଘର ଅଭିମୂଖେ ବାହାରିଲେ।ବାଟସାରା ରାମ ଝିଅକୁ ଅନେକ ପ୍ରଶ୍ନ ପଚାରୁଥାଏ।ଆଜି ପ୍ରଥମ ଦିନ କେମିତି କଟିଲାରେ ମାଆ?ନିଯୁକ୍ତି ପାଇଥିବା ସବୁ ପିଲା ତୋ ସହ ଭଲରେ ମିଶିଲେ ତ?ବସ୍ ତୋର ତୋ ଉପରେ ଖୁସି ତ?


ହଁ ବାପା ଆଜି ବହୁତ ଭଲରେ କଟିଲା ମୋ ଦିନ।ଏତେ ପ୍ରଶ୍ନ ତମେ ଆଉ ପଚାରନି।ମତେ ବହୁତ ଟାୟାର୍ଡ଼ ଲାଗୁଛି।


ହଁ ହଁ ଲାଗୁଥିବ।ହଉ ହଉ ଘରକୁ ଚାଲ୍।କ'ଣ ଟିକେ ଖାଇଦେଇ ବିଶ୍ରାମ ନେବୁ।କାଲି ଆଣି ତତେ ଛାଡିଦେଇ ମୁଁ ମୋ କାମରେ ବାହାରିଯିବି।


ମୁଁ ତ ସବୁଦିନ ଏମିତି ଯିବା ଆସିବା କରିବି।ତମେ କ'ଣ ସବୁଦିନ ମତେ ଛାଡିବାକୁ ଆସିବ କି?ତା ଛଡା ସମସ୍ତେ ଦାମୀକାରରେ ଆସୁଛନ୍ତି।ମତେ ଏ ଅଟୋରେ ଯିବାକୁ ଆଦୌ ଭଲ ଲାଗୁନି।ମୁଁ ମୋ ସୁବିଧାରେ ଯିବି।ତୁମେ ବି ଆଉ ଅଟୋ ଚଲାଇବାକୁ ଯାଅନି ବାପା।ଏବେ ତମକୁ ବୟସ ହେଲାଣି ଆଉ ଏତେ କାମ କରନି।ମୁଁ ତ ରୋଜଗାର କଲିଣି ଆଉ ଆମର କିଛି ଅସୁବିଧା ହେବନି।କଥାବାର୍ତ୍ତା ଭିତରେ ଦୁହେଁ ଘରେ ପହଁଞ୍ଚିଗଲେ।ରାମର ଆଖିରୁ ଲୁହ ଦୁଇ ଟୋପା ଖୁସିରେ ଗଡିଗଲା।ତା' ଦୁର୍ଦ୍ଦିନ ଚାଲିଗଲା।ଝିଅକୁ ତା'ର ଦିନକୁ ଦାନା ଦି ମୁଠା ଦେବା ପାଇଁ ସେ କେତେ କଷ୍ଟ କରି ନ ଥିଲା ସତେ।ହେଲେ ଆଜି ଦୁଃଖର କାଳିମା ଉଠିଗଲା ତା ଜୀବନରୁ।ଝିଅ ଆଜି ତାର ନାମୀ କମ୍ପାନୀରେ ଚାକିରି ପାଇଛି।ରାତିରେ ନିତା ତାର ବାପାଙ୍କୁ ପାଞ୍ଚ ହଜାର ଟଙ୍କା ବଢାଇଦେଲା।ରାମ ଆଶ୍ଚର୍ଯ୍ୟ ହେଲା ଇଏ କି ଚାକିରି ରେ ମାଆ ପ୍ରଥମ ଦିନରୁ କ'ଣ ଦରମା ମିଳିଲାଣି।


ବାପା ଟଙ୍କା ରଖ ଏତେ ସବୁ ପ୍ରଶ୍ନ କରନି ବୋଲି ନିତା ଉତ୍ତର ରଖିଥିଲା।


ଓଃ...ଏବେ ମୁଁ ସବୁ ବୁଝିପାରୁଛି।ତେବେ ନିତା କ'ଣ ଏଇ କାମ କରୁଛି।ଦେଖୁ ଦେଖୁ ତାକୁ ପୁଅଟି ଦୌଡି ଆସି ଏମିତି କୁଣ୍ଢେଇ ଧରିଲା ଯେ।ଛି...ଝିଅ ବୋଲି କହିବାକୁ ଲାଜ ଲାଗୁଛି ତାକୁ।


ନିତା ସେଦିନ ଫେରିବା ପରେ ରାମ ସବୁଦିନ ପରି କୌଣସି ପ୍ରଶ୍ନ କରି ନ ଥିଲେ ଝିଅକୁ।ବାପା ଆଜି ଏମିତି ଚୁପ୍ ରହିବାରୁ ଝିଅକୁ ଭଲ ଲାଗୁ ନ ଥିଲା।ବାପାଙ୍କୁ ଖାଇବାକୁ ଦେଇ ନିଜେ ଖାଇଲା ନିତା।ବାପାଙ୍କୁ ସବୁଦିନ ପରି ଗୋଡ଼ ହାତ ମୋଡି ଶୋଇବାକୁ ଭୁଲି ନ ଥିଲା ସେ।ବାପା ଖଟରେ ପଡି ଗୁମୁରି ଗୁମୁରି କାନ୍ଦୁଥିଲେ ବି ଝିଅକୁ କିଛି କହି ନ ଥିଲେ।ମାସ ଶେଷରେ ନିତା ବାପାଙ୍କ ହାତରେ ଆଣି ଦରମା ବଢାଇ ଦେଲା।ରାମ ନିତା ହାତରେ ଟଙ୍କା ଦେଖି ଗର୍ଜନ କରି କହିଲେ ଅସତ୍ ଉପାୟରେ ଅର୍ଜନ କରୁଥିବା ଟଙ୍କା ସେ ଭୋଗ କରିବା ତ ଦୂରର କଥା ଛୁଇଁଲେ ବି ତାଙ୍କର ପାପ ହବ।ନିତା ଜାଣିପାରିଲା ବାପା ନିଶ୍ଚୟ କିଛି ନା କିଛି ଜାଣିଛନ୍ତି ନଚେତ ଏମିତି କାଇଁ କୁହନ୍ତେ।ବାପାଙ୍କୁ ସେ ଅଟୋ ଷ୍ଟାର୍ଟ କରିବାକୁ କୁହେ।ନିତା ନିର୍ଦ୍ଦେଶରେ ଅଟୋ ଯାଇ ଅଟକେ ନିର୍ଦ୍ଧାରିତ ଫ୍ଲାଟ ପାଖରେ।ସକଳ ସମ୍ପଦରେ ଭରପୁର ସେଠି।ନିତାର ପାଟି ଶୁଣି ଘର ଭିତରୁ ଧାଇଁ ଆସିଲା ଯୁବକ ଜଣକ।ନିତାକୁ କୁଣ୍ଢେଇ ଧରିଲା।ସତେ ଯେମିତି ଯୁଗ ଯୁଗରୁ ନିତା ସହ ତାର ସମ୍ପର୍କ।ଯୁବକ ପଛେ ପଛେ ଚାଲିଆସିଲେ ଜଣେ ବୟସ୍କ ବ୍ୟକ୍ତି। ଦାସ ବାବୁଙ୍କ ସହ ବାପାଙ୍କୁ ପରିଚୟ କରାଇ ନିତା ଚାଲିଗଲା ରୋଷେଇ ଘରକୁ।ଦାସ ବାବୁ ବାରମ୍ବାର  ମୁଁ ଏ ଜନ୍ମରେ ଆପଣ ଓ ଆପଣଙ୍କ ଝିଅ ଋଣ କେବେ ସୁଝିପାରିବିନି କହି ରାମଙ୍କ ଗୋଡ଼ ତଳେ ପଡି କାନ୍ଦୁଥାଆନ୍ତି।ଆପଣଙ୍କ ଝିଅ ଯୋଗୁ ଆମ ବାପ ପୁଅ ଦୁଇଜଣଙ୍କୁ ନୂଆ ଜୀବନ ମିଳିଛି।ରାମ ନିଜ ହାତରେ ଉଠେଇ ଆଣି ଲୁହ ପୋଛି ଘଟଣା କ'ଣ ପଚାରନ୍ତି?ମାତ୍ର ଦାସ ବାବୁ ନିଜ ବ୍ୟସ୍ତତା ଦର୍

ଶାଇ କାମରେ ବାହାରିଯାଆନ୍ତି ଓ କୁହନ୍ତି ଫେରିବା ପର୍ଯ୍ୟନ୍ତ ଆପଣ ନିଶ୍ଚୟ ଅପେକ୍ଷା କରିବେ। ମତେ ଆପଣଙ୍କୁ କିଛି ଦାନସୂତ୍ରରେ ମାଗିବାର ଅଛି ଯାହା କି ଭାରି ମୂଲ୍ୟବାନ ଉଭୟ ଆପଣ ଓ ମୋ ପାଇଁ ।


ନିତା ୟା ଭିତରେ ଚା କରି ଆଣି ସାରିଥାଏ।ଯୁବକ ଜଣଙ୍କ କିନ୍ତୁ ନିତା ପଛେ ପଛେ ଲାଗି ରହୁଥାଏ।ତା' ଠୁ ଟିକିଏ ମାତ୍ର ଦୂର ହେଉ ନ ଥାଏ।ନିତା କୋଳରେ ମୁଣ୍ଡ ଦେଇ ଶୋଉଥାଏ।ନିତାକୁ ଗେଲ କରି ପକାଉଥାଏ।ସାଧାରଣ ଜଣାପଡୁ ନ ଥାଏ ସେ।ନିତା ଚୁପ୍ ବସ କହୁ କହୁ ସେ ଚୁପ୍ ହୋଇ ବସୁଥାଏ।ନିତାର ସବୁ କଥା ମାନୁଥାଏ।ରାମ ପୁଣି ଥରେ ପ୍ରଶ୍ନ ଭରା ଆଖିରେ ଚାହୁଁଥାନ୍ତି ନିତାକୁ।ନିତା ବାପାଙ୍କ ସନ୍ଦେହ ଦୂର ପାଇଁ କହିବାକୁ ଆରମ୍ଭ କଲା-ସେ ଦିନ ଇଣ୍ଟର୍ଭ୍ୟୁ ରେ ମୁଁ ପାସ କରିଥିଲି।ସବୁଠୁ ପ୍ରଥମ ରେ ମୋ ନାଁ ଥିଲା।କମ୍ପାନୀ ମାଲିକ ପାସ୍ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ଦେଖା କରିବାକୁ ଆସିଥିଲେ।ଉପରେ ଉପରେ ସେ ଯେତେ ଖୁସି ଜଣାପଡୁଥିଲେ ବି ଭିତରେ କିନ୍ତୁ ଅସହାୟ ବୋଲି ଜଣାପଡୁଥାନ୍ତି।କୋଉଠି ନା କୋଉଠି ତାଙ୍କର ଦୁଃଖ ଥିଲା ପରି ବାରି ହୋଇ ଯାଉଥିଲା।ଆମ ସମସ୍ତଙ୍କ ସହ ସେ ଥର ଥର କରି ମିଶିଲା ପରେ ସମସ୍ତଙ୍କୁ ଜଏନିଙ୍ଗ ଲେଟର ମିଳିଲା।ମୁଁ ଖୁସିରେ ଆତ୍ମହରା ହୋଇଗଲି।ତମ ଇଛା ମୁଁ ପୂରଣ କରିପାରିଛି ବୋଲି ନିଜକୁ ନିଜେ ଗର୍ବ କରୁଥାଏ।କମ୍ପାନୀରୁ ଫେରିବା ସମୟରେ ପୁଣି କମ୍ପାନୀ ମାଲିକଙ୍କ ଆଡେ ନଜର ଗଲା।ବହୁତ ଦୁଃଖୀ ଜଣାପଡୁଥାଆନ୍ତି ସେ।ଫେରିବା ଆଗରୁ ଥରେ ଦେଖା କରି ଆସିବା ଠିକ ହବ ମନେକରି ତାଙ୍କ ଚ୍ୟାମ୍ବରକୁ ଗଲି।ଚ୍ୟାମ୍ବରକୁ ପସିବା ପରେ ଭାବିଲି ଯଦିଓ ତାଙ୍କ ବ୍ୟକ୍ତିଗତ କଥା ପଚାରିବା ମୋର ଉଚିତ ନୁହେଁ ତଥାପି ତାଙ୍କ ଆଖି ଦୁଇଟା ଦେଖି ମନେ ହେଉଥିଲା ସତେ ଯେମିତି ସେ ଚାହୁଁଛନ୍ତି ମୁଁ ପଚାରେ କାହିଁକି ତାଙ୍କର ଏ ଦୁଃଖ।ଐଶ୍ୱର୍ଯ ଭରା ତାଙ୍କ ଜୀବନରେ କ'ଣ ବା ଅଭାବ ରହିଯାଇଛି।ମୋ ପାଟିରୁ କଥା ନ ସରୁଣୁ ସେ ଲାପଟପ୍ ଖୋଲି ଦେଖେଇଦେଲେ ଅନେକ ଫଟୋ ଓ ଭଡିଓ।ସେଥିରେ ଥିବା ବ୍ୟକ୍ତି ଜଣଙ୍କ ଯଦିଓ ବୟସରେ ଅଠେଇଶି ବର୍ଷର ଯୁବକ କିନ୍ତୁ ମାନସିକ ଭାବେ ସେ ପଛୁଆ ।ସାତ,ଆଠ ବର୍ଷର ଛୁଆ ପରି ତାର ବ୍ୟବହାର।ସେହି ପୁଅ ଜଣଙ୍କ କମ୍ପାନୀ ମାଲିକଙ୍କର ପୁଅ।

ପିଲାବେଳୁ ମାଆ ମରିଯିବାରୁ ନିଜ କମ୍ପାନୀକୁ ଠିଆ କରିବା ପାଇଁ ସମୟ ଦେଉ ଦେଉ ପୁଅ ଅବହେଳାର ଶିକାର ହେଲା।ମାଆର ସ୍ନେହ ମମତାରୁ ବଞ୍ଚିତ ଥିବାରୁ ସେ ମାନସିକ ଭାବେ ଅନ୍ନଗ୍ରସର।ଅନେକଙ୍କୁ ତା' ପାଇଁ ନିଯୁକ୍ତି ଦେଇଥିଲେ ମଧ୍ୟ ତା ଦୌରାତ୍ମରେ କେହି ଏଠି କାମ କରିବାକୁ ଇଛା କରନ୍ତିନି।ବେଶୀ ହେଲେ ଦୁଇ ତିନି ଦିନ ପରେ କାମ ଛାଡିଦିଅନ୍ତି।ମାଆର ଭଲ ପାଇବା ସେ ପାଇନି କେବେ।ବାପା ସବୁବେଳେ ନିଜ କାମରେ ବ୍ୟସ୍ତ।ଯଦିଓ ସମୟ କେବେ ଦିଅନ୍ତି ପୁଅକୁ ସେ ବିରକ୍ତ ହୋଇଯାଆନ୍ତି।ଆୟତ୍ତକୁ ଆଣିପାରନ୍ତିନି ପୁଅକୁ।

ତାଙ୍କ ଦୁଃଖ ମୁଁ ସହିପାରିଲିନି ବାପା।ଚାକିରି ଛାଡି ତାଙ୍କ ଘରେ ପୁଅ ପାଇଁ ନିଯୁକ୍ତି ଦେବାକୁ ଅନୁରୋଧ କଲି।ସେ କିନ୍ତୁ ମନା କରୁଥିଲେ।ବୟସ୍କ ସ୍ତ୍ରୀ ଲୋକଟିଏ ମିଳିଲେ ଭଲ ହୁଅନ୍ତା ବୋଲି କହୁଥିଲେ।ଏମିତିରେ ବି କୌଣସି ସ୍ତ୍ରୀ ଲୋକ ବେଶୀ ଦିନ କାମରେ ରହିପାରେନି।ତମେ ଝିଅ ପିଲାଟାଏ ଏ କାମ ପାରିବନି।


ନିଜେ ଏ କାମ ପାରିବି କି ନାହିଁ ଜାଣି ନ ଥିଲି ବାପା ।ହେଲେ କମ୍ପାନୀ ମାଲିକ ଦାସ ବାବୁଙ୍କ ଚରିତ୍ରରେ ମୁଁ ତମକୁ ଦେଖୁଥିଲି।ବୋଉ ଚାଲିଯିବା ପରେ ତମେ କେତେ କଷ୍ଟରେ ମତେ ମଣିଷ କରିଛ ଏ କଥା କ'ଣ ମୁଁ ଭୁଲିଯିବି।ସାବତ ମାଆ ମତେ କାଳେ କଷ୍ଟ ଦେବ ସେଇ ଭୟରେ ତମେ ଦ୍ୱିତୀୟ ବିବାହ କଲନି।ହେଲେ କେତେ କଷ୍ଟ ତମେ ମୋ ପାଇଁ ନ ସହିଛ।ତମେ ଆଉ ଦାସ ବାବୁଙ୍କ ଜୀବନରେ କିଛି ବି ତଫାତ ନାହିଁ।ଦୁହେଁ ନିଜ ନିଜ ସ୍ଥାନରେ ଅସହାୟ।ସେ ସକଳ ସମ୍ପଦର ଅଧିକାରୀ।ଧନ,ସମ୍ପତ୍ତିରେ ତାଙ୍କର ଅଭାବ ନାହିଁ ତମେ କିନ୍ତୁ ଗରିବ।ତମେ ଝିଅକୁ ବିନା ମାଆରେ ବି ମଣିଷ କରି ଗଢିପାରିଲ କିନ୍ତୁ ଦାସ ବାବୁଙ୍କ ପାଖରେ ଏତିକି ଅଭାବ ରହିଗଲା ସେ ପୁଅକୁ ସ୍ନେହ ମମତା ଦେଇ ଗଢିପାରିଲେନି।ଅଭାବ ସମସ୍ତଙ୍କର କିଛି ନା କିଛି ଥାଏ ବାପା।ରାତି ରାତି ତମ ଆଖିରୁ ଝରୁଥିବା ଲୁହକୁ ମୁଁ ଦେଖିଛି ବାପା।ଆଉ ଗୋଟେ ବାପାକୁ ଏମିତି ଅସହାୟ ଅବସ୍ଥାରେ ଛାଡିଦେଇ ତା'ଆଖିର ଲୁହ କେମିତି ଦେଖିଥାଆନ୍ତି କୁହ।ସବୁଠୁ ବଡ଼ କଥା ମୋ ପାଇଁ ଦାସ ବାବୁଙ୍କ ପୁଅ ଅନିକେତ୍ ଭଲ ହେବାରେ ଲାଗିଛି।ଧିରେ ଧିରେ ପରିବର୍ତ୍ତନ ହେଉଛି।ଆଗ ପରି ମାଡ଼ ପିଟ୍ କରୁନି।ମୋ ଯୋଗୁ ଯଦି କେହି ଜଣେ ଉପକୃତ ହେଇପାରୁଛି ସେଥିରେ କ'ଣ ତୁମେ ଖୁସି ନାହଁ ବାପା?ଦାସ ବାବୁ ଚାକିରି ଅପେକ୍ଷା ଏଥିରେ ମତେ ଅଧିକ ଦରମା ଦେବାକୁ ରାଜି। ହେଲେ,ମୁଁ ପୂର୍ବ ଦରମାରେ ତାଙ୍କ ପୁଅକୁ ଭଲ କରିବା ପାଇଁ ଦୃଢ଼ସଙ୍କଳ୍ପ।ତମେ ତ କହୁଥଗଲ ବାପା ଟଙ୍କା, ପଇସା,ପ୍ରତିପତ୍ତି ଠାରୁ ମଣିଷପଣିଆ ଜୀବନରେ ଶ୍ରେଷ୍ଠ ବୋଲି।


ରାମ ମୁଣ୍ଡ ଉଠେଇ ଝିଅକୁ ଚାହିଁଲେ।ମୁହଁ ଲୁହରେ ସରସର।ଝିଅ ଯେ ତାଙ୍କର ଏତେ ବୁଦ୍ଧୀମତି ଏକଥା ସେ ଜାଣି ନ ଥିଲେ।ସେ ତ ଝିଅକୁ ଭୁଲ ବୁଝି ବସିଥିଲେ।ହେଲେ ମାଆ ଏସବୁ କେତେଦିନ?ସେ ଯଦି ଅନେକ ବର୍ଷ ଧରି ଭଲ ନ ହୁଏ ତୁ ତ ପୁଣି ତୋ ସଂସାର କରିବୁ ନା ଜୀବନଯାକ ଏଇ ପାଗଳ ପଛରେ ଲାଗିଥିବୁ।ଏମିତି ଗୋଟେ କାମ କରୁଛୁ ଜାଣି ତୋତେ ବାହା ହେବା ପାଇଁ କେହି ଆଗେଇ ଆସିବ ତ?ତୋତେ ମୁଁ ଭଲ ଘର ଭଲ ବର ଦେଖି ବାହା ଦେବି ବୋଲି କେତେ ସ୍ୱପ୍ନ ଦେଖିଥିଲି।ଇଏ ଯଦି ଭଲ ନ ହୁଏ ମୋ ଇଛା ତ ଇଛାରେ ରହିଯିବ।ତୁ ଯୋଉ ସଙ୍କଳ୍ପ ନେଇଛୁ ୟା କୁ ଭଲ ନ କଲା ଯାଏଁ ତ ତୁ ତୋ ସଙ୍କଳ୍ପ ରୁ ଓହରିବୁନି।ହେଲେ ମୋ ଆଶା?କେତେ ଦିନ କେତେ ବର୍ଷ ଅପେକ୍ଷା କରିବି ତତେ ବୋହୂ ବେଶରେ ଦେଖିବା ପାଇଁ?ବୟସ ବୋଲି ଗୋଟେ କିଛି ଅଛି କି ନାହିଁ?ତୋର ବୟସ ଯଦି ଏମିତି ଏମିତିରେ ଗଡିଯାଏ?


--ମୋ ସାରାଜୀବନ ଏଠି କଟିଗଲେ ବି ମୋର ଦୁଃଖ ନାହିଁ।


--କୋଉ ବାପା କଣ ଚାହିଁବ ତା ଝିଅର ଜୀବନ ଏମିତି କଟୁ ବୋଲି।


--ବାପା ମୁଁ ....


ବାପ-ଝିଅ କଥାରେ ମସଗୁଲ ଥିବାବେଳେ ଅନିକେତ୍ ନିଜ ହାତ ଛୁରୀରେ କାଟିପକାଇ ଗର୍ଜନ କରିବାରେ ଲାଗିଲା।ନିତା ଏ ଅବସ୍ଥା ଦେଖି ପାଖକୁ ଦୌଡି ଆସିଲା।ଏତେ ରକ୍ତ ଦେଖି ଭୟ ପାଇ ଅନିକେତ ନିତାକୁ ଜାବୁଡି ଧରୁ ଧରୁ ତା' ହାତରୁ ଛୁଟୁଥିବା ରକ୍ତର ସୁଅ ନିତାର ସିନ୍ଥିଦେଇ ବୋହୁଥାଏ।


ରାମ ଫେରିଯିବାକୁ ବାହାରିଲା ବେଳେ ନିତା କହିଲା ବାପା ମୁଁ .....


ଆଉ କିଛି କହନି ତୁ।ଦାସ ବାବୁ ଆସିଲେ କହିବୁ ମୁଁ ଦେବା ପୂର୍ବରୁ ଭଗବାନ ତାଙ୍କୁ ମୋର ସବୁଠାରୁ ଅମୂଲ୍ୟ ଜିନିଷ ଦାନ ଦେଇସାରିଲେଣି।


Rate this content
Log in

Similar oriya story from Classics