Bharatabandhu Biswal

Action Inspirational Others

4  

Bharatabandhu Biswal

Action Inspirational Others

ପାର୍କିଂ

ପାର୍କିଂ

3 mins
9



 ବୟସ ଅଧିକ ହେବା କାରଣରୁ ଏବେ ଗାଡି ମଟରରେ ଦୂର ଯାଗାକୁ ଯିବା ଆସିବା କରିବାରେ ଟିକେ ଅଶ୍ବସ୍ତ ବୋଧ ହେଉଛି । ଅତି ଆତ୍ମୀୟ ମାନଙ୍କ ନିହାତି ଜରୁରୀ କାର୍ଯ୍ଯ ରହିଥିଲେ ତ ନିହାତି ଯିବାକୁ ଏଡାଇ ହେଉ ନାହିଁ । ଏଥର କିନ୍ତୁ ରେଳଗାଡି ଷ୍ଟେସନ ପହଞ୍ଚିବା ଆଗରୁ ହିଁ ମୋ ଝିଅଟି ଆସି ପ୍ଲାଟଫର୍ମ ନିର୍ଦ୍ଦିଷ୍ଟ ଜାଗାରେ ଉପସ୍ଥିତ ରହିଥିଲା । ତାର ସହଯୋଗ ଯୋଗୁ ଅସୁବିଧା କିଛି ହେଲାନି । ଜିନିଷପତ୍ର ଓଲା ଗାଡିରେ ରଖି ଆମେ ସେ ରହୁଥିବା ଆପାର୍ଟମେଣ୍ଟ ଅଭିମୁଖେ ଯାତ୍ରା କଲୁ ।

   ମୁଖ୍ଯ ପ୍ରବେଶ ପଥ ଦେଇ ଗାଡି ଆପାର୍ଟମେଣ୍ଟ ଭିତରକୁ ପଶିବା ବେଳେ ଏଥର କିଛି ନୂଆ ପରିବର୍ତ୍ତନ ହୋଇଥିବା ଦୃଷ୍ଟି ଗୋଚର ହେଲା । ଛୋଟ ଛୋଟ ପିଲାମାନଙ୍କ ଖେଳିବା ପାଇଁ ଉଦ୍ଦିଷ୍ଟ ଥିବା ସ୍ଥାନରେ ନୂଆ ଦୋଳି , ଚକ୍ରି , ଉଠାପକା ଦଣ୍ଡ , ଅନ୍ଯାନ୍ଯ ଖେଳ ସାମଗ୍ରୀ ଓ ସୁନ୍ଦର ଘାସ ଗାଲିଚା ଦେଖି ମନ ଖୁସି ଲାଗିଲା ।

   ଝିଅ ରହୁଥିବା ଦକ୍ଷିଣ ବାଙ୍ଗାଲୋର ସ୍ଥିତ ଏହି ଆପାର୍ଟମେଣ୍ଟରେ ପ୍ରାୟ ପାଞ୍ଚ ଶହରୁ ଉର୍ଦ୍ଧ୍ବ ପରିବାର ରହିଥାନ୍ତି । ସବୁଦିନ ସକାଳ ସନ୍ଧ୍ୟାରେ ବୁଲାଚଲା ସମୟରେ କିଛି କିଛି ବୟସ୍କ ଲୋକମାନଙ୍କ ସହିତ ଭେଟଘାଟ ଓ କଥୋପକଥନ ହେବାର ସୁଯୋଗ ମିଳେ । ସେମାନଙ୍କଠାରୁ ବହୁ ନୂଆ ନୂଆ କଥା ଶୁଣି ଖୁବ ଆନନ୍ଦ ଲାଗେ , ହସଖୁସିରେ ସମୟ କେମିତି ବିତିଯାଏ ଜାଣି ହୁଏନି । ଏଣୁ ରହଣୀ ସମୟରେ ନିତି ପ୍ରାତଃ ସାୟଂ ବୁଲାଚଲା ଓ ପରସ୍ପର କଥୋପକଥନ କୌଣସି ଦିନ ହୋଇ ନ ପାରିଲେ ମନ ଆଦୌ ଭଲ ଲାଗେ ନାହିଁ ।

  ଏଠି ଷଷ୍ଠ ମହଲାର ଏକ ଆପାର୍ଟମେଣ୍ଟରେ ରହୁଥିବା ନିଜ ପୁତ୍ରଙ୍କ ପାଖକୁ ଆସିଥିବା ଲକ୍ଷ୍ନୋର ମୂଳ ନିବାସୀ ଅଗସ୍ତିବାବୁ ମୋର ଖୁବ ଅନ୍ତରଙ୍ଗ । ସେ ମୁଁ ଆସିବା ଦୁଇ ମାସ ଆଗରୁ ଆସିଥିଲେ । ଆଉ ଚାରିଦିନ ପରେ ସେ ଲକ୍ଷ୍ନୋ ଫେରିଯିବେ । ସେ କହୁଥିଲେ, ଆପାର୍ଟମେଣ୍ଟକୁ ଏବେ କିଛି କିଛି ନୂଆ ଲୋକ ଆସି ରହୁଛନ୍ତି । ନୂଆ ଆସିଥିବା ଜଣେ ବିହାରୀ ବାବୁଙ୍କର ଗୋଟିଏ ପାର୍କିଂ ଥିବା ବେଳେ ତାଙ୍କର ଦୁଇ ଗୋଟି ଗାଡି ରହିଛି । ସେ ଅନ୍ଯ ଜଣଙ୍କୁ କହି ଆପୋଷ ଭାବରେ ତାଙ୍କ ଜାଗାଟିରେ ନିଜର ଗାଡିଟି ରଖୁଥିଲେ । ମାତ୍ର ଜାଗାଟିର ପ୍ରକୃତ ମାଲିକ ଏକ ଗାଡି କିଣିବାରୁ ପାର୍କିଂ ପାଇଁ କିଛିଦିନ ହେଲା ସେମାନଙ୍କ ମଧ୍ଯରେ ଭୀଷଣ ପାଟିତୁଣ୍ଡ ହୋଇଥିଲା । ଏହି ସମସ୍ଯାକୁ ଏଡାଇବା ପାଇଁ ସୋସାଇଟିର ପରିଚାଳନା କମିଟି ଏବେ ପ୍ରତ୍ଯେକ ଗାଡିରେ ଏକ ଏକ ଷ୍ଟିକର ଲଗାଇବା ବାଧ୍ୟତାମୂଳକ କରିଦେଇଛନ୍ତି । ସତକୁ ସତ ସେ ମୋତେ ଗାଡି ଗୁଡିକର ସମ୍ମୁଖ ଭାଗରେ ଲାଗିଥିବା ଏହି ଷ୍ଟିକର ସବୁକୁ ପାଖରୁ ଦେଖାଇଥିଲେ । ଯେଉଁ ଗାଡିରେ ପାର୍କିଂ-ଆପାର୍ଟମେଣ୍ଟ ଜାହ୍ନବୀ -ଷ୍ଟିକର ଲାଗି ନଥିବ ,ସେହି ଗାଡିକୁ ଭିତରକୁ ପ୍ରବେଶ କଡାକଡି ଭାବେ ନିଷେଧ କରାଯାଇଛି ।

   ସେ ଆହୁରି ବୁଝାଇ କହିଲେ, ଏହି ସୋସାଇଟିର ଏଭଳି ପଦକ୍ଷେପ ଅତ୍ଯନ୍ତ ଜରୁରୀ ଥିବା ମନେକରି ବାଙ୍ଗାଲୋର ସହରର ପ୍ରାୟ ପ୍ରତ୍ଯେକ ଆପାର୍ଟମେଣ୍ଟରେ ଏହି ନିୟମକୁ କାର୍ଯ୍ଯକାରୀ କରା ଯାଉଛି । ରାଜ୍ଯର ସଡକ ପରିବହନ ବିଭାଗ ମଧ୍ଯ ନୂଆ ଗାଡି କ୍ରୟ କରିବାକୁ ଚାହୁଁଥିବା ଲୋକମାନଙ୍କ ଠାରୁ ପାର୍କିଂ ସୁବିଧା ଉପଲବ୍ଧ ଅଛି କି ନାହିଁ ସେ ସମ୍ପର୍କରେ ସନ୍ତୋଷଜନକ ତଥ୍ଯ ପାଇବାପରେ ହିଁ ଗାଡି ବିକ୍ରି କରିବାକୁ ବିକ୍ରେତା ମାନଙ୍କୁ ଉପଦେଶ ଦେଇଛନ୍ତି ।

    କଥାଟି ସତ ଏବଂ ଖୁବ ଉପାଦେୟ ବୋଲି ହୃଦୟଙ୍ଗମ ହେଲା । ସାଧାରଣତଃ ଦେଖାଯାଉଛି,ରାସ୍ତା ଉପରେ ଏଠି ସେଠି ମନ ଇଚ୍ଛା ଯେଉଁଠି ପାରେ ସେଇଠି ଗୋଟିଏ ଲେଖା ନୁହେଁ ଜଣେ ଜଣେ ଚାରି ପାଞ୍ଚଟି ଲେଖା ନୂଆ ପୁରୁଣା ଗାଡି ଲମ୍ବା ସମୟ ପାଇଁ ରଖି ସର୍ବସାଧାରଣଙ୍କ ଅନାୟାସ ଯାତାୟତରେ ବାଧା ସୃଷ୍ଟି କରିବାରେ ଟିକିଏ ହେଲେ ସଙ୍କୋଚ଼ବୋଧ କରୁ ନାହାନ୍ତି । ପ୍ରତ୍ଯେକ ଗାଡି ପାଇଁ ଏକ ପାର୍କିଂ ସୁବ୍ୟବସ୍ଥିତ ହେବା ଅତ୍ଯନ୍ତ ବାଞ୍ଛନୀୟ ହେବା ଆବଶ୍ୟକ ନୁହେଁ କି ?

    ପ୍ରିୟ ଅଗସ୍ତିବାବୁଙ୍କ ଠାରୁ ଏହି ପ୍ରଶ୍ନର ଉତ୍ତର ମୁଁ ଦେବି କଣ ,ମୁଁ ବରଂ ଭାବୁଥିଲି ଆମ ଗାଁଗଣ୍ଡାର କଥା । ନିଜର ମୁଣ୍ଡ ଗୁଞ୍ଜିବାକୁ ଜାଗା ନ ଥାଉ ପଛେ କିଛି ଲୋକ ଅଛନ୍ତି , ଗଣ୍ଡା ଗଣ୍ଡା ଅଟୋ ,କାର,ଟ୍ରାକ୍ଟରକୁ ରାସ୍ତା ଉପରେ,ମନ୍ଦିର ଆଗରେ ରଖି ଭଲ ଦୁଇ ପଇସା ଭଡାରୁ ଆୟ କରୁଛନ୍ତି, ଅନ୍ଯ କାହାର କିଛି ଅସୁବିଧା ହେଉ କି କ୍ଷୟ କ୍ଷତି ହେଉ, ସେମାନଙ୍କର କିଛି ଯାଏ ଆସେ ନାହିଁ ।କିନ୍ତୁ ବିଲେଇ ମାନଙ୍କ ବେକରେ ଘଣ୍ଟି ବାନ୍ଧିବ ବା କିଏ ? ବେଳ ଥାଉଁ ଅବ୍ୟବସ୍ଥିତ ପାର୍କିଂକୁ ନିୟନ୍ତ୍ରଣ କରା ନଗଲେ ଆଗକୁ ଏହି ସମସ୍ଯା ଅଧିକ ଉତ୍କଟ ଆକାର ଧାରଣ କରିବ ନାହିଁ କି ??

     


Rate this content
Log in

Similar oriya story from Action