Bharatabandhu Biswal

Tragedy Inspirational Others

4  

Bharatabandhu Biswal

Tragedy Inspirational Others

ମହାମାରୀ ଯୌତୁକ

ମହାମାରୀ ଯୌତୁକ

3 mins
335



ଏଇ ଗଲା ମାଘ ଫଗୁଣ ମାସର କଥା, ସବୁ ସୁନ୍ଦର ମଧୁର ସ୍ବପ୍ନ ମୋ ଆଖି ଆଗରେ ଝଲସି ଉଠୁଛି । ହଠାତ ଜଣେ ନିକଟ ସମ୍ପର୍କୀୟ ବନ୍ଧୁଙ୍କ ଠାରୁ ଖବର ପାଇ ଯାଇ ରାମ ମନ୍ଦିରରେ ପହଞ୍ଚିଥିଲି ତାଙ୍କ ଏକମାତ୍ର ପୁତ୍ରଙ୍କର ନିର୍ବନ୍ଧ ଉପଲକ୍ଷେ । ତାଙ୍କ ନିଜ ଗ୍ରାମର କିଛି ସାହି ଭାଇ ,ଭଦ୍ରଲୋକ ଏବଂ କନ୍ଯାଘରର ଲୋକଙ୍କ ସହମତିରେ ବିଧି ବିଧାନ ପୂର୍ବକ ନିର୍ବନ୍ଧ ସମାହିତ ହୋଇ ବିବାହର ଦିନ ଧାର୍ଯ୍ଯ ହୋଇଥିଲା । ଉଭୟ ଝିଅ ଓ ପୁଅ ପରସ୍ପର ହାତରେ ମୁଦି ପିନ୍ଧାଇ ବେଶ ହସଖୁସିରେ ଫଟୋ ମଧ୍ଯ ଉଠାଇବା ନଜରକୁ ଆସିଥିଲା । ଯଦିଓ ମୁଁ ବିଶେଷ କାର୍ଯ୍ଯ ଯୋଗୁ ଉପସ୍ଥିତ ନଥିଲି ,ମାତ୍ର ପନ୍ଦର ଦିନ ଅନ୍ତରାଳରେ ଖୁବ୍ ଯାକଜମକ ସହିତ ବିବାହ ସମ୍ପନ୍ନ ହୋଇଥିବା ଖବର ପାଇ ମୁଁ ଆନନ୍ଦ ଲାଭ କରିଥିଲି ।

  ଦିନ କେତେଟା ନ ବିତୁଣୁ ଭାର ବେଭାରକୁ ନେଇ ଉଭୟ ପରିବାର ମଧ୍ଯରେ ମତାନ୍ତର ଓ ମନୋମାଳିନ୍ୟ କ୍ରମଶଃ ବୃଦ୍ଧି ପାଇଲା । ପୁଅଟି ଘରେ ଅହରହ ଅଶାନ୍ତି ଯୋଗୁ କାହାକୁ କିଛି କହି ନପାରି ଶିଘ୍ର ତାର ଚାକିରୀ କରୁଥିବା ସ୍ଥାନ ହାଇଦ୍ରାବାଦକୁ ପଳାଇ ଗଲା ।ଏକାକୀ ନବବଧୂ ଝରଣାକୁ ଚତୁର୍ଦ୍ଦିଗ ଅନ୍ଧକାର ଲାଗିଲା । ଘରର ଚାରିକାନ୍ଥ ଭିତରେ ସେ ଖୁଣ୍ଟଟା ପରି ବସି ନିଜ ଦେହକୁ ପଥର ପାଲଟି ଯାଉଥିବା ଅନୁଭବ କରୁଥିଲା । ତା କାନରେ ଶାଶୁ ଶଶୁର ଓ ଲୋକଙ୍କ ଟୁପୁରୁ ଟାପୁର କଥା କଣ୍ଟା ପରି ଫୋଡି ହୋଇ ଯାଉଥିଲା ।  

   ବିଚାରି ଝରଣା ଅନ୍ଯନୋପାୟ ହୋଇ ହାତ ଧରି ବେଦୀ ଉପରେ ବାହା ହୋଇଥିବା ନିଜ ସ୍ବାମୀ ପାଖକୁ ଦୁଃଖ କଥା ଫୋନ କରି ଜଣାଇଲା । ସ୍ବାମୀ ତାକୁ ଘରେ ଯେମିତି ହେଉ ସବୁଶୁଣି ରହିବାକୁ ହେବ ବୋଲି ରୋକଠୋକ ଜଣାଇ ଫୋନ କାଟିଦେଲେ । ଆଉ ଯେତେ ଥର ଫୋନ କଲେ ବି ଉଠାଇ ଆଦୌ ପଦିଏ ହେଲେ କଥା ହେଲେ ନାହିଁ ।

   ସେ ତ ନିଜ ବାପା ଓ ବଡ ଭାଇଟିର କଥା ବେଶ ଭଲ ଭାବେ ଜାଣିଛି । ବାପା ଜଣେ କ୍ଷୁଦ୍ର ଚାଷୀ । ନଈକୂଳରେ ଥିବା ତାଙ୍କ ଅଳ୍ପ କିଛି ଜମିରେ ପନିପରିବା ଚାଷ କରି ସେ ପରିବାର ପ୍ରତିପୋଷଣ କରିଥାନ୍ତି । ବଡ ଭାଇ ବିବାହିତ ,ଗୋଟିଏ ସନ୍ତାନର ବାପା । ଏଇ ବର୍ଷେ ହେବ ସେ ସୁରାଟ ଯାଇ କାମଦାମ କରୁଛି । ତାର ସ୍ବଳ୍ପ ରୋଜଗାରରେ ସେ ତା ପାଇଁ ଏତେ ଯୌତୁକ ଫରମାସ ଆଦୌ ପୂରଣ କରି ପାରିବ ନାହିଁ ।

ଏମିତି ଦୁଶ୍ଚିନ୍ତାରେ ହତାଶ ହୋଇ ତା ମୁଣ୍ଡକୁ ଆଉ କିଛି ବୁଦ୍ଧିବାଟ ଦିଶିଲା ନାହିଁ । ସେ କାହାକୁ କିଛି ନକହି ଦିନେ ବଡି ଅନ୍ଧାରୁ ଘର ଛାଡି ବସରେ ବସି ଭୂବନେଶ୍ବର ସହରକୁ ଚାଲି ଆସିଲା । ସେଠାରେ ତାଙ୍କ ପାଖ ଗାଁର କିଛି ଚିହ୍ନାଜଣା ପିଲା ରହୁଥିବା ସେ ଜାଣିଥିଲା ।ତାଙ୍କ ଫୋନ ନମ୍ବର ବି ତା ପାଖରେ ରହିଥିଲା । ସେଠାରେ ପହଞ୍ଚି କାମଦାମ କରି ବରଂ ନିଜ ଇଚ୍ଛାରେ ଚଳି ପାରିବ ବୋଲି ଭାବିଥିଲା । କିନ୍ତୁ ସମାଜ ଯେ କେତେ ତଳକୁ ଖସି ଗଲାଣି , ସେ ଧାରଣା ତାର ଆଦୌ ନଥିଲା । ଭଲକାମ ଦେବାକୁ କହି ତାକୁ କାର ଭିତରେ କିଛି ସ୍ତ୍ରୀଲୋକ ନେଇ ସହରର ଏକ ହୋଟେଲ ଆଗରେ ଅଟକିଗଲେ । ତାକୁ ରୁମ ନମ୍ବର 213 ଭିତରେ କାମ ବାବଦରେ ବୁଝାବୁଝି କରି ଆସିଲେ ତାକୁ ସେଠାରୁ ପୁଣି ଘଣ୍ଟାଏ ପରେ ନେଇ ବସାରେ ଛାଡିଦେବେ ବୋଲି କହିଲେ । ଝରଣା ତ୍ରସ୍ତା ହରିଣୀଟି ପରି ପଛକୁ ଚାହିଁ ଚାହିଁ ହୋଟେଲ ଭିତରକୁ ଗଲା । ତାପରେ....

  ସବୁକିଛି ଖବର ପାଲଟି ଗଲା । ରାଜ୍ଯର ସବୁ ସମ୍ବାଦପତ୍ରରେ ବଡ ବଡ ଅକ୍ଷରେ ଚାଞ୍ଚଲ୍ଯକର ଶିରୋନାମା ପ୍ରକାଶ ପାଇଲା-

ରାଜଧାନୀର ସମ୍ଭ୍ରାନ୍ତ ନନ୍ଦିନୀ ହୋଟେଲ 213 ନମ୍ବର କୋଠରୀରୁ ଝରଣା ନାମ୍ନୀ ଏକୋଇଶ ବର୍ଷ ଝିଅର ମୃତ ଦେହ ଉଦ୍ଧାର । ପାରିପାର୍ଶ୍ବିକ ଅବସ୍ଥାରୁ ଧର୍ଷଣ ପରେ ହତ୍ଯା କରା ଯାଇଥିବା ଅନୁମାନ ।ପୋଷ୍ଟମର୍ଟମ ହେବା ପରେ ଅଧିକ ତଥ୍ଯ ମିଳିପାରିବ ।

 କୁଳୁକୁଳୁ ହୋଇ ଆଗକୁ ବହି ଯିବାକୁ ଚାହୁଁଥିବା ଝରଣାଟିର ଏମିତି ଦୟନୀୟ ଅନ୍ତ ମୋତେ ଯେତିକି ଦୁଃଖ ଦେଲା,ମୋ ମନକୁ ସେତେ ଅଧିକ ବ୍ଯସ୍ତ ବିବ୍ରତ କରିପକାଇଲା । ଖିନଭିନ ଆଜି ଆମର ସୁସଂସ୍କାର, ସାମାଜିକ ବିଧି ବ୍ଯବସ୍ଥା । ନା ଅଛି ପରିବାର ମଧ୍ଯରେ ଅତୁଟ ସମ୍ବନ୍ଧ ସମ୍ପର୍କ, ନା ଅଛି ସହିଷ୍ଣୁତା ଏବଂ ସୁବିଶ୍ବାସ । ଅତ୍ଯାଧୁନିକ ଚାଲିଚଳଣୀକୁ ଦେଖି ଆମ ସଂସ୍କାର ସମ୍ପନ୍ନ ସମାଜ ବି କ୍ରମଶଃ କଳୁଷିତ ହୋଇ ଗଲାଣି । ଭୋଗବାଦର ଲୋଲୁପତା ,ବାହ୍ଯ ଚାକଚକ୍ଯ ,ନୈତିିକତାବିହୀନ କିଛି ଜାତିଧର୍ମାବଲମ୍ବୀଙ୍କ ଷଡଯନ୍ତ୍ର ଏବଂ ଉନ୍ମାଦତା ମଧ୍ଯରେ ଆମେ ନିଜକୁ ନିଜେ ପ୍ରଲୁବ୍ଧ ହୋଇ ଭସ୍ମାସୁର ପରି ଜାଳିପୋଡି ଛାରଖାର କରି ଚାଲୁଛନ୍ତି ।

ଆମ ସମାଜର ଆଦର୍ଶ ଏବଂ ଶ୍ରେଷ୍ଠ ଗୃହସ୍ଥି ଆଶ୍ରମ ଅବସ୍ଥା ସମାଜର ବୃହତ୍ତର ହିତ ଓ କଲ୍ଯାଣ ସାଧନ କରିବା ଲକ୍ଷ୍ଯ ପଥରୁ କ୍ରମଶଃ ବିଚ୍ଯୁତ ହୋଇ ଯାଉଛି ।

ମନୁଷ୍ଯ ମାନଙ୍କ ମଧ୍ଯରେ ବିବାହର ନୀତି ଶୃଙ୍ଖଳା ନ ରହିଲେ ଗୃହସ୍ଥଙ୍କ ସମସ୍ତ ଉତ୍ତମ ଗୁଣ ନଷ୍ଟ ହୋଇଯିବ । କେହି କାହାର ସେବା ଶୁଶ୍ରୁଶା କରିବେ ନାହିଁ । ନାନା ପ୍ରକାର ଶାରିରୀକ ଓ ମାନସିକ ବ୍ଯାଧି ବୃଦ୍ଧି ପାଇବ । ଲୋକମାନେ ଦୁର୍ବଳ ଓ ଅଳ୍ପାୟୁ ହେବେ ।କେହି କାହାକୁ ଭୟ ଓ ଲଜ୍ଜା କରିବେ ନାହିଁ ।ଶିଶୁ ଓ ବୃଦ୍ଧ ମାନେ ଅବହେଳିତ ଓ ଅସହାୟ ହୋଇଯିବେ ।ବ୍ଯଭୀଚାର ମହାମାରୀ ବଢି ଚାଲିବ । ଏପରିକି ସମାଜ ଧ୍ବସ୍ତ ବିଧ୍ବସ୍ତ ହୋଇଯିବ ।

 ଏହି କଥା କେବଳ ଝରଣାର ନୁହେଁ,ଆମ ସମାଜର ସମସ୍ତଙ୍କ ଆଖି ଖୋଲିଦେଉ । ଯୌତୁକ ନିର୍ଯାତନାର କରାଳ ଗ୍ରାସରେ ଅସହାୟ ଝରଣା ବା ଅନ୍ଯ କେହି ନିିଜକୁ ଅବଳା ଦୁର୍ବଳା ମନେକରି ଜୀବନ ଦୀପକୁ ଅକାରଣେ ନିର୍ବାପିତ ନକରୁ । ବିବାହ ଆଦୌ ପିଲାଖେଳ ନୁହେଁ। ସମସ୍ତ ଦୁର୍ଘଟଣା ,ସଙ୍କଟକୁ ଏଡାଇ ଏକ ସୁସ୍ଥ ସୁନ୍ଦର ସମାଜ ଗଠନ କରିବାକୁ ବିବାହ ମାଧ୍ଯମରେ ପ୍ରତ୍ଯେକଟି ଗୃହ ପରିବାରରେ ନୀତି ଶୃଙ୍ଖଳା ରହିବା ଏକାନ୍ତ ଆବଶ୍ଯକ, ପ୍ରତ୍ୟେକ ଯୁବପ୍ରାଣ ବିବାହକୁ ପବିତ୍ର ବନ୍ଧନ ଭାବରେ ଗ୍ରହଣ କରି ବୃହତ୍ତର ସମାଜ ହିତ ପାଇଁ ସଙ୍କଳ୍ପବଦ୍ଧ ହେବା ବାଞ୍ଛନୀୟ।


     -----



Rate this content
Log in

Similar oriya story from Tragedy