Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ପୁତ୍ରାସୁର

ପୁତ୍ରାସୁର

3 mins
296



ଆମ ପଡିଶା ଜେନା ସାହିରେ ରହୁଥିବା ଅଭିମନ୍ଯୁ ସାରଙ୍କ ବୟସ ଏ ବର୍ଷ ଅଗଷ୍ଟ କୋଡିଏରେ ପଞ୍ଚାନବେ ଡେଇଁଲା । ଠିକଠାକ ଖାଆ ପିଆ କରିବା ସହିତ ସେ ଉଠି ନିିଜେ ଚାଲବୁଲ ବି କରିପାରୁଛନ୍ତି । ସେ ତାଙ୍କ ସମୟରେ ମାତ୍ର ମାଇନର ପାସ କରିଥିଲେ । ତଥାପି ତାଙ୍କୁ ଘରୁ ଡାକି ନେଇ ପ୍ରାଇମେରୀ ସ୍କୁଲର ଶିକ୍ଷକ ଭାବେ ନିଯୁକ୍ତି ଦିଆ ଯାଇଥିଲା ବୋଲି ସେ ଲୋକଙ୍କ ଆଗରେ ହର୍ଷୋତ୍ଫୁଲ୍ଲ ହୋଇ ବଖାଣିଥାନ୍ତି । ଭୂତପ୍ରେତଙ୍କ ସମ୍ବନ୍ଧରେ ତାଙ୍କର ବିଶେଷ ଅନୁଭୂତି ରହିଥିବା ଜଣାପଡେ ।ତାଙ୍କ ଯୌବନ କାଳରେ ତାଙ୍କଠାରୁ ଅଙ୍ଗେ ନିଭାଇ ଥିବା ବହୁ ଦୁଃସାହସ କାହାଣୀ ଶୁଣିବାକୁ ଆମେ ପିଲାବେଳେ ଆଗ୍ରହାନ୍ବିତ ହୋଇ ପଡୁଥିଲୁ ।

  ଲୋକେ କହନ୍ତି ଅଭିସାର୍ ଭାରି କୃପଣ । ଦେହରୁ କାହାକୁ ମଳି ବି ଟିକିଏ ଦେବେ ନାହିଁ । ସେ ତାଙ୍କ ଅନ୍ଯ ଦୁଇଜଣ ଭାଇ ଙ୍କ ସହ ଏକତ୍ର ରହୁଥିଲେ ବି ଦରମା ଟଙ୍କାରୁ କାଣି କଉଡିଟିଏ ଦିଅନ୍ତି ନାହିଁ । ସାରଙ୍କ ବଡଭାଇ ବିଚରା ଚାଷ ଓ ମୂଲମଜୁରୀରୁ ଯେଉଁ ଉପାର୍ଜନ କରନ୍ତି, ସେଥିରେ କୁଟୁମ୍ବ ଚଳେ । ଅଭିସାର୍ ଙ୍କ ଚାରୋଟି ଝିଅ । ତାଙ୍କ ସ୍ତ୍ରୀଙ୍କର କାହିଁକି ପୁଅ ହେଉନି ବୋଲି ସେ ବହୁ ସମୟରେ ଖପ୍ପା ହୋଇଥାନ୍ତି । ଗାଁ ପଡିଆରେ ଗୋଟିଏ ବର ଓ ଅଶ୍ବସ୍ତ ଗଛ ଲଗାଇ ତାକୁ ବିଧିରେ ବାହା ଦେଇଥିଲେ । ବର୍ଷକୁ ବର୍ଷ ଗାଁ ମହାଦେବଙ୍କୁ ନିଶ୍ଚିତ ଗୋଟିଏ ଷଣ୍ଢ କି ଦେବୀ ମାଆଙ୍କୁ ବୋଦାଟିଏ ଉତ୍ସର୍ଗ କରି ସେ ପୁତ୍ର ମନାସି ଥାନ୍ତି । କିନ୍ତୁ ତାଙ୍କୁ ବୟସ ଚାଳିଶି ଅତିକ୍ରାନ୍ତ ହେବା ପରେ ଦୁର୍ଭାଗ୍ଯକୁ ତାଙ୍କ ସ୍ତ୍ରୀଙ୍କ ଦେହାନ୍ତ ହୋଇଗଲା । ତାଙ୍କ ସ୍ତ୍ରୀଙ୍କ ସାନ ଭଉଣୀକୁ ଅଭି ସାର୍ ପୁନଃବିବାହ କଲେ । ତାଙ୍କ ଔରସରୁ ନୂଆ ସ୍ତ୍ରୀଙ୍କ ଗର୍ଭରୁ ଚାରୋଟି ପୁତ୍ର ଓ ଗୋଟିଏ ଝିଅ ହେଲା । ଏ ମଧ୍ଯରେ ବେଶ କିଛି ବର୍ଷ ଅତିକ୍ରାନ୍ତ ହୋଇ ଗଲାଣି । ଅଭିସାର ଭାଇ ମାନଙ୍କ ଠାରୁ ଅଲଗା ହୋଇ ନିଜେ ପୈତୃକ ଜାଗାରୁ ଭାଗପାଇ ଥିବା ମାତ୍ର ଦୁଇ ଡିସିମିଲ ଜାଗା ଉପରେ ଚାରି ମହଲା ଘର ବନାଇଛନ୍ତି । ତାଙ୍କ ନାତି ନାତୁଣୀଙ୍କ ସଂଖ୍ଯା କେତେ ଓ ନାମ କଣ ସିଏ ନିଜେ ବି ଠିକ କହି ପାରନ୍ତି ନାହିଁ ।

   ଅଭିସାର୍ ଙ୍କ ଗାଲୁଆମୀ ,ଭୀଷଣ ବଳଦିଆ ବୁଦ୍ଧି ଯୋଗୁଁ ସାହି ପଡିଶା ଏପରିକି ଗ୍ରାମବାସୀ ମାନେ ବହୁତ ଅତିଷ୍ଠ ।  ତାଙ୍କ ବୁଲା ଷଣ୍ଡମାନେ ଜମିରୁ ଫସଲ ଖାଇ ସଫା କରିବାରେ ଓସ୍ତାଦ । ତାଙ୍କ ଘରର ଅଳିଆ, ଆବର୍ଜନା, ନାଳି ନର୍ଦ୍ଦମା ଚାରିପାଖର ସାହି ପଡିଶାଙ୍କୁ ଘରେ ରହିବାକୁ ଦିଏନି । ସେ ମଧ୍ଯ ନିଜ ବାଡକୁ ଅନ୍ଯ ଆଡକୁ ମଡାଇ ଓ କଳ ବଳ କୌଶଳ ଖଟାଇ ନିଜ ଜାଗାକୁ ଲାଗି ଥିବା ଦୁର୍ବଳ ପଡୋଶୀଙ୍କ ଜମିଜମାକୁ ହାତେଇବାର କୌଣସି ସୁଯୋଗକୁ ଜୀବନ କାଳରେ କେବେ ହାତଛଡା କରି ନାହାନ୍ତି ।

   ତାଙ୍କ ପୁଅନାତିମାନେ ଏବେ କାମକୁ ସବୁ ପାରିଗଲେଣି । ସାର୍ ଙ୍କ ଘରେ ଏବେ ଭୋଟରଙ୍କ ସଂଖ୍ଯାଟି ଅଧିକ । ଘର, ପାଇଖାନା , ମୋ ବଗିଚା,ରିଲିଫ,ରାସନ ସବୁ ପ୍ରକାର ସରକାରୀ ସାହାଯ୍ଯ ଆଗେ ତାଙ୍କ ଘରକୁ ମିଳୁଛି । ଗାଁପାଖ ନଈରୁ ବାଲି ବି ଟ୍ରାକ୍ଟର ଲଗାଇ ବୋହି ବିକ୍ରୟ କରି ବେଶ ଦୁଇ ପଇସା ପିଲାଏ କମାଇ ପାରୁଛନ୍ତି । ନିଜ ବାପାଙ୍କ ପଦାଙ୍କ ଅନୁସରଣ କରି ଚାରିପୁଅଙ୍କ ଭିତରୁ ଏବେ ମାତ୍ର ଦୁଇଟି ପୁଅ ବିବାହ କରି ଜଣକା ତିନି ତିନୋଟି କରି ପୁତ୍ର ଜନ୍ମ କରିଛନ୍ତି । ଆଉ ଦୁଇ ଜଣଙ୍କ ସଂସାର କରିବା ବାକି ରହିଛି ।

ପୁତ୍ରମୋହରେ ଅନ୍ଧ ଅଭିସାର ନିଜ ଜ୍ଞାତସାରରେ ଯେଉଁ ବିସ୍ଫୋରଣ କରି ପାରିପାର୍ଶ୍ବିକ ସନ୍ତୁଳନକୁ ବିପନ୍ନ କରି ଚାଲିଛନ୍ତି ଏବଂ ଅନ୍ଯ ନିରୀହ ପଡୋଶୀଙ୍କ ଜୀବନରେ ଅଯଥା ଦୁଃଖକଷ୍ଟ ଭରି ଦେଇ ଚାଲୁଛନ୍ତି ,ତାର କୁପରିଣାମ ପ୍ରତି ସେ ଏବେ ସିନା କୌଣସି ଭ୍ରୁକ୍ଷେପ କରୁ ନାହାନ୍ତି , କିନ୍ତୁ ସମୟ ପାଖରେ ଏହାର ଜବାବ ନିଶ୍ଚୟ ଦେବାକୁ ପଡିବ ।  ଏପରି ବିଭତ୍ସ ପୁତ୍ରାସୁର ମାନେ ହୁଏ ତ ଆଇନ ଆଖିରେ ଧୂଳି ଦେଇ ପାରନ୍ତି , କିଛି ଲୋକଙ୍କ ସୁଖ ଛଡାଇ ନେବାର ଅପଚେଷ୍ଟା କରି ପାରନ୍ତି ,କିନ୍ତୁ ନିଜ ମୁଣ୍ଡରେ ହାତ ବୁଲାଇ ନିଜକୁ ମଧ୍ଯ ଜାଳିପୋଡି ଛାରଖାର କରି ଥାଆନ୍ତି । ପୁରାଣ କଥାରେ ଭଗବାନ ବିଷ୍ଣୁ ଭସ୍ମାସୁର କବଳରୁ ଶିବ ଏବଂ ସୃଷ୍ଟିକୁ ବଞ୍ଚାଇ ଥିଲେ ,କେବଳ ସେ ହିଁ ଚାହିଁଲେ ଏପରି ଅସଂଖ୍ଯ ପୁତ୍ରାସୁରଙ୍କ ଦାଉରୁ ସୁନ୍ଦର ସୃଷ୍ଟିକୁ ରକ୍ଷା କରି ପାରିବେ ।



Rate this content
Log in

Similar oriya story from Inspirational