Bharatabandhu Biswal

Abstract Others

4  

Bharatabandhu Biswal

Abstract Others

ଭୋକ

ଭୋକ

3 mins
350



କେମିତି ଏବେ ଖାଁ ଖାଁ ଲାଗୁଛି ଆମ ମଫସଲ ଗାଁ । ନୂଆଣିଆ ଚାଳ ଛପର ଘର ଉପରେ ଲଦି ହୋଇ ଆଉ ଫଳୁନାହିଁ ବୋଇତାଳୁ ,କଖାରୁ କି ପେନ୍ଥା ପେନ୍ଥା ଶିମ୍ବ। ମଞ୍ଚାରେ ଓହଳି ଝୁଲିବା ଦିଶୁନି ଛଚିନ୍ଦ୍ରା ,କାକୁଡି,ଜହ୍ନି ଏପରିକି ସଜନା, ପିଜୁଳି ବା ଅମୃତଭଣ୍ଡା ଗଛରେ ଫଳ କଷି ଧରିବ କଣ,ପତ୍ରକୁ ଦୁହିଁ ଖାଇ ଯାଉଛନ୍ତି ସବାଖିଆ ମାଙ୍କଡଦଳ ।

ବାଇଗଣ କଷିଟିଏ ହେଲେ କେଉଁ ଛଟକରେ ତାକୁ ଛିଣ୍ଡାଇ ନେଇ ମଡମଡ କରି ଚୋବାଇ ପକାଉଛନ୍ତି । ଗାଁର ବାଡିଘର ସବୁ ଏବେ ଖିନଭିନ ନାରଖାର , ଅନାବନା ଘାସ ଓ ବିଛୁଆତି ଅରଣା ବଣ ।

ଗୋଟିଏ ଗୋଟିଏ ପଲରେ ପ୍ରାୟ କୋଡିଏରୁ ପଚିଶି ମାଙ୍କଡ । ଏବେ ମାତ୍ରାଧିକ ବଢିଯାଇଛି ସେମାନଙ୍କ ଦୌରାତ୍ମ୍ଯ । କେତେବେଳେ ଦୁଲଦାଲ ପିଢା ଉପରେ ଡେଇଁ ଚାଳକୁ କଣା କରି ଦେଉଛନ୍ତି ତ ପୁଣି ହୁଙ୍କାର ଛାଡି ନିଜ ନିଜ ଭିତରେ କାମୁଡା କାମୁଡି ହୋଇ ଏମିତି ଧଉଡା ଧାପଡା କରୁଛନ୍ତି ଯେ ମଣିଷ ବାଟଘାଟରେ ଚାଲିବାକୁ ଡରୁଛନ୍ତି । ସାଇକେଲ କି ବାଇକ ଆଦି ଚଳାଇ ଯାଉଥିବା ଲୋକେ ବି ସେମାନଙ୍କ ଆକ୍ରମଣରୁ ବର୍ତ୍ତି ପାରୁ ନାହାନ୍ତି । ଘର କବାଟ ଝରକା ଟିକିଏ ଖୋଲା ମେଲା ରହିଲେ ଘର ଭିତରକୁ ପଶି ଆଳୁ,ଫଳମୂଳ,ପନିପରିବା ରୁଟି ଆଦି ଖାଦ୍ଯ ପଦାର୍ଥ ନେଇ ପଳାଇ ଯାଉଛନ୍ତି ।ତାଙ୍କ ଡରେ ଆଉ ଗାଁର ସ୍ତ୍ରୀ ଲୋକମାନେ ଝାମ୍ପିରେ ବଢି ପକାଇ ଖରାରେ ଶୁଖାଉ ନାହାଁନ୍ତି ।

   ଏଇ କିଛିଦିନ ତଳେ ଆମ ପଡିଶା ଘର ରାମୁକକାଙ୍କ ପୁଅ ଧିରେନ୍ଦ୍ର ଗାଁ ବିଦ୍ୟାଳୟରୁ ପାଠପଢି ଘରକୁ ଫେରୁଥିବା ବେଳେ ମାଙ୍କଡ ପଲ ବିରିଛୁଇଁକୁ ଦୁହିଁ ଖାଉଥିଲେ । ଧିରେନ୍ଦ୍ର ତାଙ୍କୁ ଘଉଡାଇବା ପାଇଁ ଟେକାଟିଏ ପକାଇ ଦେଇ ଆଉ ଯାଏ  କୁଆଡେ ? ଗୋଟିଏ ଦଧିଆ ଦାନ୍ତ କଡମଡ କରି ତା ଆଡକୁ ଝପଟି ଆସିଲା । ଧିରେନ୍ଦ୍ରକୁ କଷିକରି ଏକ ଚାପଡ ମାରିଲା ,ଆମ୍ପୁଡା ଝାମ୍ପୁଡା କରି ପୁଳାଏ କାମୁଡି ଦେଲା ଓ ଜୋରରେ ଠେଲିଦେବାରୁ ସେ ମାଟି କାମୁଡି ପଡି ଚେତା ଶୂନ୍ଯ ହୋଇଗଲା । ଭାଗ୍ଯ ଭଲ କିଛି ଲୋକ ହାଁ ହାଁ ପାଟି ଚିଲାଇ ଧାଇଁ ଆସିଲାରୁ ମାଙ୍କଡପଲ ଛାଡି ପଳାଇ ଗଲେ ।ବିଚରା ଧିରେନ୍ଦ୍ର ଖଣ୍ଡିଆ ଖାବରା ହେଲା ସିନା,ତାର ପୈତୃକ ପ୍ରାଣଟା ବଞ୍ଚିଗଲା ।

   ଉଚ୍ଚ କୋଠା ଛାତ କିମ୍ବା ଗଛଡାଳ ଉପରେ ବସି ଚାରି ଆଡକୁ ନଜର ବୁଲାଏ ମାଙ୍କଡ ପଲର ଦଳପତି ଏକ ଭୁଷୁଣ୍ଡା ଦଧିଆ ମାଙ୍କଡ । ଝଡି ବର୍ଷା ପାଗ ହେଲେ ଠିକ ସଞ୍ଜ ଗୁଞ୍ଜୁ ଗୁଞ୍ଜୁ ହେବା ବେଳକୁ ଏମାନଙ୍କ ଗତିବିଧି ଭାରି ତୀବ୍ର ହୋଇ ଉଠେ । କମ ସମୟ ମଧ୍ଯରେ କେମିତି ହୁତୁ ହୁତୁ ହୋଇ ଜଳୁଥିବା ତାଙ୍କ ଭୋକର ନିଆଁକୁ ସେମାନେ ଲିଭାଇଦେବେ,ସେଥିପାଇଁ ଜୋରସୋରରେ ଲାଗିପଡନ୍ତି ।

   ଭୋକର ଏମିତି ମାଙ୍କଡିଆ ନିଶା ଏବେ ଗାଁଗଣ୍ଡାର ଲୋକ ବିଶେଷ କରି ଯୁବବର୍ଗଙ୍କୁ ସଂକ୍ରମିତ ହେବା ଦେଖାଦେଲାଣି । ଚାଷବାସ କାମଦାମ କରିବାକୁ ଆଉ କାହାରି ମନରେ ତିଳେମାତ୍ର ସ୍ପୃହା ନାହିଁ । କେଉଁଠୁ ମାଗଣା ପୁଳାପୁଳା ଟଙ୍କା ସହଜରେ ବିନା ପରିଶ୍ରମରେ ମିଳିପାରିବ ,ତା ପଛରେ ସଭିଏଁ ବାଉଳା ହୋଇ ଧାଇଁବାରେ ବ୍ଯସ୍ତ । କେବଳ ମଉକା ଦେଖି କିଛି କୁଜିନେତାଙ୍କ ବୋଲ ମାନି ବଡବଡିଆଙ୍କ ପଛରେ ରହି

ଟିକେ ଜୟ ଜୟକାର ପକାଇ ଦେଲେ କଚେ ପ' ବାର । ଦଳପତିଙ୍କ ଦୟାରୁ କ୍ରିକେଟ,ଫୁଟବଲ ,ଯାନିଯାତ୍ରା ନାମରେ ବେଶ ମୋଟା ଅଙ୍କ ମିଳିଯିବ ,ମଦମାଂସ ଭୋଜିଭାତ ମଉଜ ମଜଲିସ , ମନ ଫୁର୍ତ୍ତିରେ ବୁଲାବୁଲି ଆଦି କୌଣସି କଥାରେ ଅଭାବ ରହିବ ନାହିଁ ।

   ଅତ୍ଯାଧୁନିକ ଜୀବନଚର୍ଯ୍ୟା ,ପରିଶ୍ରମ କାତରତା ଯୋଗୁ ଆମ ସମାଜ ଦିନକୁ ଦିନ ପଙ୍ଗୁ ଅକର୍ମଣ ହୋଇ ଚାଲୁଛି । ସମାଜର ବୃହତ୍ତର ହିତ ,ଗୁଣାତ୍ମକ ବିକାଶ ତଥା ମୂଲ୍ୟବୋଧର କ୍ରମଶଃ ଅବକ୍ଷୟ ପ୍ରତି ଆଖି ବୁଜିଦେଇ ପ୍ରାୟତଃ ଲୋକେ ଚୁପଚାପ ବସି ତାମସା ଦେଖୁଛନ୍ତି । ବେକାର ଯୁବା କିଂକର୍ତ୍ତବ୍ଯବିମୁଢ ହୋଇ ଗାଁ ଛାଡି ପ୍ରବାସରେ ପ୍ରମାଦ ଗଣୁଛନ୍ତି । ଚାରିଆଡେ ସମସ୍ଯା ହିଁ ସମସ୍ଯା । ବାଡସବୁ ଫସଲ ଚରି ଯାଉଛି । କ୍ଷମତାର ଭୋଜବାଜି ଦେଖାଇ ମାଙ୍କଡଚିତ ମାରିବାରେ ଓସ୍ତାଦ ଯେତେକ ବଡପଣ୍ଡା ଯେନତେନ ଉପାୟରେ ପୁଞ୍ଜି ଠୁଳାଇ ଚାଲୁଛନ୍ତି ।ଉତ୍କଟ ସମସ୍ଯା ପ୍ରତି ଉଦାସୀନ ସମାଜ ଘଡିକୁ ଘଡି ରଙ୍ଗ ରୂପ ବଦଳାଉ ଥିବା ଏକ ବହୁରୂପୀ ଏଣ୍ଡୁଅ ପରି କେବଳ ତାର ମୁଣ୍ଡକୁ ଟୁଙ୍ଗାରି ଚାଲୁଛି । ଗରୀବର ଜୀବନ ଭୋକରେ ଆଉଟୁ 

ପାଉଟୁ ହୋଇ କୁଟା ଖିଅକରେ ଝୁଲୁଥିବା ବେଳେ ସର୍ବସ୍ବକୁ ଉଦରସ୍ଥ କରି ଅଜଗର ପରି କିଛି ଆପଣାର ପେଟକୁ ଫୁଲାଇ 

ଆଳସ୍ୟ ବିଳାସରେ କାଳ ବିତାଉଛନ୍ତି । ବଢି ବଢି ଚାଲୁଛି ଛଳ ପ୍ରବଞ୍ଚନାର ଅବଦମିତ ଭୋକ , ମାଙ୍କଡ ଦଳଙ୍କ ଜଙ୍ଗଲରାଜ ।

   ରହି ରହି ସ୍ତବ୍ଧ କରି ଦେଉଛି ସ୍ତୁପୀଭୂତ ଅଶାନ୍ତ ପରିବେଶ, ଘୋ ଘୋ ଗର୍ଜନ ତର୍ଜନ । ଜୀବନ୍ତ ହୋଇ ଉଠୁଛି ସୁପ୍ତ ଜ୍ଜ୍ବାଳାମୁଖୀର ଆଗ୍ନେୟ ଉଦ୍ଗୀରଣ, ଟକମକ ହୋଇ ଫୁଟୁଛି ତରଳ ଲାଭାର ଆସ୍ତରଣ । ଏହାର ଅବଶ୍ୟମ୍ଭାବୀ ପରିଣତି କଥା ଚିିନ୍ତାକଲେ ଭୟାନକ ଆତଙ୍କରେ ଦେହମୁଣ୍ଡ ଶିହରୀ ଉଠୁଛି । 

        


Rate this content
Log in

Similar oriya story from Abstract