Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଆମ ଭିତରେ କିଛି ଅଛି

ଆମ ଭିତରେ କିଛି ଅଛି

3 mins
12



  ଆମ ଗାଁର ଏକ ସତ କାହାଣୀ । ଗାଁ ମଝିରେ ଥିବା ମଙ୍ଗଳା ମନ୍ଦିର ପାଖ ଓଝାସାହିର ଝରଣା ଭାଉଜ ଖୁବ ସ୍ନେହୀ ମଣିଷଟିଏ । ସେ ଗାଁକୁ ବୋହୁଟିଏ ହୋଇ ଲାଜ ଓଢଣା ଟାଣି ଆସିବା ଦିନରୁ ମୁଁ ତାଙ୍କୁ ଦେଖି ଆସିଛି । ସବୁଦିନ ସକାଳୁ ସ୍ନାହାନ ସାରି ସେ ମନ୍ଦିର ଆସି ଘଡିଏ ଲେଖା ନିରବରେ ବସି ଗୁଣୁଗୁଣୁ ହୋଇ ମାଆଙ୍କ ନିକଟରେ ନିଜ ମନକଥା ଜଣାନ୍ତି । ପ୍ରତିିଦିିନ ସନ୍ଧ୍ୟାବେଳେ ମାଆଙ୍କ ମନ୍ଦିରରେ ଘଣ୍ଟଘଣ୍ଟା ବଜାଇ ଧୂପଦୀପ ଜଳାଇ ଝିଅ ଓ ବୋହୁମାନେ ପ୍ରାର୍ଥନା କରିବା ସମୟରେ ବି ସେ ନିଶ୍ଚିତ ଉପସ୍ଥିତ ରହନ୍ତି । ଯେତେ ଯାହା ହେଉ ଦେଖା ହୋଇ ଗଲେ ହସହସ ମୁହଁରେ ସେ ଦୁଇ ପଦ କଥାହେଲେ ମନ ଖୁସି ହୋଇଯାଏ ।

   ଏ ମଧ୍ଯରେ ଦୀର୍ଘ ଚାଳିଶ ବର୍ଷ ଅତିକ୍ରାନ୍ତ ହୋଇ ଗଲାଣି ।ଚାକିରୀ ପାଇଁ ଦୂରରେ ରହିବା ଯୋଗୁ ମୁଁ ଛଅମାସ ବା ବର୍ଷକେ ଥରେ ଗାଁକୁ ଆସୁଥିଲି । ଏଣୁ ଝରଣା ଭାଉଜ ତଥା ଗାଁର ଅନ୍ଯ କାହାର ସବୁ ଟିକିନିଖି ଖବର ବିଷୟରେ ମୁଁ ଜାଣିବା ସମ୍ଭବ ନଥିଲା । ମାତ୍ର ଚାକିରୀରୁ ଅବସର ନେବାପରେ ତିନିବର୍ଷ ହେଲା ଗାଁକୁ ଆସି ରହିବାରୁ ହଜିଲା ଦିନର ସ୍ମୃତିସବୁକୁ ନିରେଖି ଦେଖିବାର ଅବକାଶ ମିଳିଲା ।

   ଝରଣା ଭାଉଜଙ୍କ ଦୁଇ ପୁଅ ଓ ଝିଅଙ୍କ ବିବାହ ସରି ନାତିନାତୁଣୀ ବି 

ଏବେ ବଡ ହୋଇ ଗଲେଣି । ଝରଣା ଭାଉଜ ସକାଳୁ ଫୁଲତୋଳି ନିଜ ହାତରେ ସକାଳୁ ଗଜରା ହାର ଗୁନ୍ଥି ଗାଁର ସବୁ ଦେବାଦେବୀ ମନ୍ଦିରରେ ଗୋଟିଏ ଗୋଟିଏ ମାଳା ଦେଇ ଆସନ୍ତି । ପ୍ରାୟତଃ ଦେଖା ହୋଇଗଲେ ପୂର୍ବପରି ହସହସ ମୁଖରେ ଦୁଃଖସୁଖ ପଚାରି ବୁଝନ୍ତି ।

   ଲୋକମାନେ ଟୁପୁରୁ ଟାପୁର ହୁଅନ୍ତି ଦୁଇ ବୋହୂଙ୍କ ମଧ୍ଯରେ ମନମାଳିନ୍ଯ ହେବାରୁ ତାଙ୍କର ଦୁଇ ପୁଅ ଢେର ଦିନ ହେଲା ଅଲଗା ହୋଇ ଗଲେଣି । ବଡପୁଅ ପାଖରେ ବାପ ଓ ସାନପୁଅ ପାଖରେ ମାଆ ରହନ୍ତି । ଜୀବନରେ ବଡ ଦୁଃଖକଷ୍ଟ ସହି ଝରଣା ଭାଉଜ ତାଙ୍କ ଛୁଆ ମାନଙ୍କୁ ଛୋଟରୁ ବଡ କଲେ । ଝାଟିମାଟି ଚାଳଘରଟି ଭାଙ୍ଗିଯିବା ପରେ ସରକାରଙ୍କ ଅନୁଦାନ ଓ ନିଜ ଝାଳବୁହା ମଜୁରୀ ଟଙ୍କା ବିିନିିଯୋଗ କରି ଘରଟିଏ ବି ତୋଳାଇଲେ । କିନ୍ତୁ ଏତେ ସବୁ ପରିଶ୍ରମର ଓଲଟା ପରିଣାମ ତାଙ୍କୁ କାହିଁକି ମିଳିଲା, ସେ ଆଦୌ ବୁଝି ପାରନ୍ତି ନାହିଁ । ଘର କରିଥିଲେ ପଥର ପଡିଲେ ସହି । କି ଧନୀ କି ଗରିବ । ଆଜିକାର ଘୋର କଳିକାଳରେ ଘର ପରିବାର ଓ ସମାଜ କେଉଁଠି ହେଲେ ସୁଖଶାନ୍ତି ନାହିଁ । ବାରବର୍ଷର ତପସ୍ଯା ଶୁଖୁଆ ପୋଡାରେ ଯିବା ସାର ହେଉଛି ।ସବୁଠି ସମସ୍ତେ ଆଖି ମଳି ମଳି କାନ୍ଦୁଛନ୍ତି । କିନ୍ତୁ ଉପାୟଶୂନ୍ୟ ।

ଜୀବନର ଏତେସବୁ ଝଡଝଞ୍ଜା ଭିତରେ ବି ସହଜରେ ହାର ମାନି ଯାଏନି ଜୀବନ । ଭାଇ ଦୟାନିଧି ଜଣେ ଭଲ ହାରମୋନିଅମ ଏବଂ ମୃଦଙ୍ଗ ବାଦକ । ଆଖପାଖ ଅଞ୍ଚଳରେ ଜଣେ ସଙ୍କୀର୍ତ୍ତନ ଗୁରୁ ଭାବରେ ଖୁୁବ ଜଣାଶୁଣା ।ସେ ଝରଣା ଭାଉଜଙ୍କୁ ହାରମୋନିୟମ ବଜାଇ ସୁଲଳିତ କଣ୍ଠରେ ଭଲ ଭଜନ କୀର୍ତ୍ତନ ଗାନ କରିବା ଶିଖାଇ ଦେଇଛନ୍ତି । ଦୁଇ ଜଣ ଏବେ ତାଙ୍କ ଅସାଧାରଣ କଳାକାରିତା ପାଇଁ ସରକାରଙ୍କ ଠାରୁ କଳାକାର ଭତ୍ତା ମଧ୍ଯ ପାଉଛନ୍ତି ।

  ପ୍ରାୟତଃ ପ୍ରତିଦିନ ସନ୍ଧ୍ୟା ସମୟରେ ଆମ ଗାଁ ଛକକୁ ଯାଇ ପହଲି ଚାହା ଦୋକାନରେ ଘଡିଏ ବସି ଚାହା କପେ ନପିଇଲେ ଦୟାଭାଇ ରହି ପାରେନା । ମୁଁ ଲକ୍ଷ୍ଯ କରେ ସେ ପ୍ରତିଦିନ ଚାହା ପିଇ ସାରିବା ପରେ ଝରଣା ଭାଉଜ ପାଇଁ ନିଶ୍ଚିତ ପାନ ଦଶଟଙ୍କାର ଯତ୍ନରେ ଜରିରେ ଧରି ଆସେ । ମୁଁ ଦିନେ ସେ ଅଣ୍ଟାରେ ପାନ ଜରିଟା ଖୋସି ସାରିବା ପରେ ଜାଣି ଜାଣି କହିଲି,ଭାଇ ପାନ ରଖିଛୁ କି ଖଣ୍ଡେ ଦେଲୁ ।

  ସେ ମୋତେ ପାନ ନାହିଁ ବୋଲି ମିଛ କହିଲା । ମତେ ଖୁସି ଲାଗିଲା ଯେ ଝରଣା ଭାଉଜ ପାଇଁ ଅତି ଶରଧାରେ ନେଉଥିବା ପାଖକୁ ଊଣା ହେବାକୁ ଚାହେଁ ନାହିଁ । ଜୀବନର ସାୟାହ୍ନରେ ବୟସ ସତୁରୀରୁ ଉର୍ଦ୍ଧ୍ବ ଅତିକ୍ରାନ୍ତ ହେବାପରେ ଭାଇ ଦୟାନିଧି ଓ ଝରଣା ଭାଉଜଙ୍କୁ ଦେଖିଲେ ବୁଝିହୁଏ ଆମ ମଣିଷ ମାନଙ୍କ ଭିତରେ ଏମିତି କିଛି ଅଛି , ଯାର ସଦୁପଯୋଗ କରି ସେ କେବଳ ସାଧାରଣ ଜୀବନର ଯେତେ ଦୁଃଖକଷ୍ଟ, ଝଡଝଞ୍ଜା କାହିଁକି ମରଣ ଉପରେ ବି ବିଜୟ ଲାଭ କରି ପାରିବ । ମଣିଷ ଭିତରେ ଲୁକ୍କାୟିତ ରହିଥିବା ସଦିଚ୍ଛା ,ସୁଗୁଣ ଏବଂ ପ୍ରତିଭାକୁ ଉନ୍ମେଷ କରିପାରିଲେ ଜୀବନ ସାର୍ଥକ ହୁଏ । ଏଣୁ ତ ମଣିଷକୁ ଶ୍ରେଷ୍ଠ ଜୀବ ଓ ଅମୃତର ସନ୍ତାନ ବୋଲି କୁହାଯାଏ ।

    


Rate this content
Log in

Similar oriya story from Inspirational