Kulamani Sarangi

Classics

4  

Kulamani Sarangi

Classics

ପାଣ୍ଡବଙ୍କ ସେନାପତି (କଥା କାଦମ୍ବରୀ ଭାଗ ୮୧)

ପାଣ୍ଡବଙ୍କ ସେନାପତି (କଥା କାଦମ୍ବରୀ ଭାଗ ୮୧)

4 mins
193



ସାତ ଅକ୍ଷୌହିଣୀ ସୈନ୍ୟ ସହିତ କୁରୁକ୍ଷେତ୍ର ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ ପାଣ୍ଡବ। ଏକ ଅକ୍ଷୌହିଣୀରେ ରହିଥିଲେ ୨୧୮୭୦ ରଥ,ସମ ସଂଖ୍ୟକ ହସ୍ତି,ରଥର ତିନିଗୁଣ ଅଶ୍ଵ ଏବଂ ପାଞ୍ଚ ଗୁଣ ପଦାତିକ। ପ୍ରତ୍ୟେକ ଅକ୍ଷୌହିଣୀର ଅଧିନାୟକତ୍ବ କରୁଥିଲେ ଦ୍ରୁପଦ, ବିରାଟ, ଧୃଷ୍ଟଦ୍ୟୁମ୍ନ, ଶିଖଣ୍ଡି,ସାତ୍ୟକି, ଚେକିତାନ (କୃଷ୍ଣଙ୍କ ସମର୍ଥକ ଯାଦବ ବୀର) ଓ ଭୀମସେନ। ଏହି ବିଶାଳ ପାଣ୍ଡବ ବାହିନୀର ସେନାପତି କିଏ ହେବ ସେ ସମ୍ବନ୍ଧରେ ଆଲୋଚନା ଆରମ୍ଭ ହେଲା।


ସହଦେବଙ୍କୁ ଚାହିଁ ଯୁଧିଷ୍ଠିର ପ୍ରଶ୍ନକଲେ....କୁହ ବତ୍ସ! କିଏ ପାଣ୍ଡବ ପକ୍ଷର ସେନାପତି ହେବ; କିଏ କୌରବ-ସେନାଧ୍ୟକ୍ଷ ପର୍ଶୁରାମ ଶିଷ୍ୟ, ବୀରପୁଙ୍ଗବ ପିତାମହ ଭୀଷ୍ମଙ୍କ ସମର କୌଶଳର ସମକକ୍ଷ ହୋଇ ପାରିବ?"


ଏଠାରେ ପ୍ରଶ୍ନ ଉଠିପାରେ ସଭାରେ ଏତେ ବରିଷ୍ଠ ବ୍ୟକ୍ତି ଥାଉଁ ଥାଉଁ ଯୁଧିଷ୍ଠିର, ସର୍ବକନିଷ୍ଠ-ପାଣ୍ଡବ ସହଦେବଙ୍କୁ ପ୍ରଥମେ କାହିଁକି ଏ ପ୍ରଶ୍ନ କଲେ। ବାସ୍ତବରେ ସେ ସମୟରେ କୌଣସି ନିର୍ଣ୍ଣୟ ନେବା ବେଳେ ପରିବାରର ସର୍ବକନିଷ୍ଠ ସଦସ୍ୟଙ୍କର ମତାମତ ପ୍ରଥମେ ନିଆଯାଉଥିଲା। ଏହାଦ୍ବାରା ନୂତନ ଉଦ୍ଦିପନା ସହିତ ଆଗେଇ ଯିବାପାଇଁ ସର୍ବକନିଷ୍ଠ ସଦସ୍ୟଙ୍କୁ ପ୍ରେରଣା ମିଳୁଥିଲା।ପ୍ରଥମେ ବରିଷ୍ଠ ସଦସ୍ୟଙ୍କ ମତାମତ ନେଲେ କନିଷ୍ଠ ସଦସ୍ୟ ପାରିବାରିକ ନିଷ୍ପତ୍ତିରେ ଭାଗ ନେବାର ସୁଯୋଗ କୁଆଡୁ ପାଇବେ ?


ସହଦେବ କହିଲେ ..ପୂଜ୍ୟ ଭ୍ରାତା ! ମୋ ମତରେ ମହାରାଜ ବିରାଟ ଆମର ସେନାପତି ହେବା ଉଚିତ। ଆମ୍ଭମାନଙ୍କର ସଫଳ ଅଜ୍ଞାତବାସ ତାଙ୍କ ସହାୟତା ଯୋଗୁଁ ସମ୍ଭବ ହୋଇ ପାରିଥିଲା; ତାଙ୍କ ସହଯୋଗ ଯୋଗୁଁ ଆମକୁ ବର୍ତ୍ତମାନ ଯୁଦ୍ଧରେ ଆଗେଇ ଯିବାପାଇଁ ସାହସ ଏବଂ ସାମରିକ ସାହାଯ୍ୟ ପ୍ରାପ୍ତି ହୋଇଛି;ସେ ମଧ୍ୟ ପାଣ୍ଡବମାନଙ୍କର ଜଣେ ଆନ୍ତରିକ ସମର୍ଥକ ଓ ହିତୈଷୀ।ତତ୍ ବ୍ୟତୀତ ତାଙ୍କର ଦୀର୍ଘ ସାମରିକ ଅଭିଜ୍ଞତା ମଧ୍ୟ ରହିଛି।"


ତା'ପରେ ଯୁଧିଷ୍ଠିର ନକୁଳଙ୍କୁ ସେହି ପ୍ରଶ୍ନ କଲେ।ନକୁଳ, ପାଞ୍ଚାଳ ସମ୍ରାଟ ଦ୍ରୁପଦଙ୍କ ନାମ ପ୍ରସ୍ତାବିତ କଲେ।ତାଙ୍କ କହିବା ଅନୁଯାୟୀ.. ଭରଦ୍ୱାଜଙ୍କ ଶିଷ୍ୟ ମହାରାଜା ଦ୍ରୁପଦଙ୍କ ଉପରେ ପାଣ୍ଡବ ପକ୍ଷର ସମସ୍ତଙ୍କର ସମ୍ମାନ ରହିଛି।ସେ ମଧ୍ୟ ପଣ ନେଇଛନ୍ତି ଦ୍ରୋଣ ଦେଇଥିବା ଅପମାନର ପ୍ରତିଶୋଧ ନେବାପାଇଁ। ଜାମାତା ଭାବରେ ପାଣ୍ଡବମାନେ ତାଙ୍କ ନିଜ ପୁତ୍ର ସଦୃଶ।ତେଣୁ ସଂଗ୍ରାମରେ ବିଜୟ ଲାଭ କରିବାର ପ୍ରତିବଦ୍ଧତା ସହିତ ସେ ସେନାପତିତ୍ବ କରିବେ।" 


ଅର୍ଜୁନ ଧୃଷ୍ଟଦ୍ୟୁମ୍ନଙ୍କୁ ସେନାପତିତ୍ବ ଦେବା ସପକ୍ଷରେ ଥିଲେ କାରଣ ଜଣେ ପ୍ରଥିତଯଶା ଯୋଦ୍ଧା ହେବା ସଙ୍ଗେ ସଙ୍ଗେ, ଭଗ୍ନୀ ଯାଜ୍ଞସେନୀଙ୍କ ସହିତ ସେ ଯଜ୍ଞକୁଣ୍ଡରୁ ଜନ୍ମ ହୋଇଥିଲେ କୌରବ ବାହିନୀର ଦୃଢତମ ସ୍ତମ୍ଭ ଦ୍ରୋଣଙ୍କୁ ନିହତ କରିବା ପାଇଁ।ଭଗ୍ନୀ ଦ୍ରୌପଦୀଙ୍କ ଦୁଃଖରେ ସେ ସତତ ବ୍ୟଥିତ ଥିଲେ ଏବଂ ତାଙ୍କ ମନରେ ପ୍ରତିଶୋଧ ଅଗ୍ନି ସର୍ବଦା ପ୍ରଜ୍ବଳିତ ହେଉଥିଲା।ମନରେ ତାଙ୍କର ଭରିରହିଥିଲା ଶତ୍ରୁକୁ ପରାହତ କରିବାର ଯୁବକ ସୁଲଭ ଉଦ୍ଦିପନା ଓ ରଣ ଜୟ କରିବାର ପ୍ରତିବଦ୍ଧତା।


ଭୀମସେନ କହିଲେ..ମୋ ମତରେ ଶିଖଣ୍ଡୀ ଆମର ସେନାଧ୍ୟକ୍ଷ ହେବା ଉଚିତ।" 


ଭୀମସେନଙ୍କର ଏହି ପ୍ରସ୍ତାବକୁ ନେଇ ଅନେକ ପାଠକ ଭୃକୁଞ୍ଚନ କରି ମତ ଦିଅନ୍ତି.. ଗୋଟାଏ ନପୁଂସକକୁ ଭୀମସେନ କାହିଁକି ସେନାପତି ପଦ ଦେବାପାଇଁ ପ୍ରସ୍ତାବ ଦେଉଥିଲେ ।

ବାସ୍ତବରେ ଶିଖଣ୍ଡୀ କୌଣସି ସାଧାରଣ ବୀର ନଥିଲେ।ପୂର୍ବରୁ କୁହାଯାଇଛି କିପରି କଠୋର କଷ୍ଟ ସାଧନା କରି ସେ ଶ୍ରେଷ୍ଠ ଶସ୍ତ୍ରଗୁରୁ ଦ୍ରୋଣାଚାର୍ଯ୍ୟଙ୍କଠାରୁ ପ୍ରଶିକ୍ଷଣ ପାଇଥିଲେ।ଯକ୍ଷ ସ୍ଥୂଣକର୍ଣ୍ଣଙ୍କ ସହାୟତାରେ ତାଙ୍କର ଲିଙ୍ଗ ପରିବର୍ତ୍ତନ ହୋଇଥିଲା ଏବଂ ସେ କନ୍ୟାରୁ ପୁତ୍ରରେ ପରିବର୍ତ୍ତିତ ହୋଇଥିଲେ। ପୂର୍ବ ଜନ୍ମର କାଶୀରାଜନନ୍ଦିନୀ ଅମ୍ବା ,ପିତାମହ ଭୀଷ୍ମ ଦେଇଥିବା ଅପମାନର ପ୍ରତିଶୋଧ ନେବାପାଇଁ ଶିଖଣ୍ଡୀ ନାମକ କନ୍ୟା ଭାବରେ ଦ୍ରୁପଦଙ୍କ ପରିବାରରେ ଜନ୍ମ ହୋଇଥିଲେ।


ଆଧୁନିକ ସମାଜର ମାନସିକତା ଏପରି ଯେ ତୃତୀୟଲିଙ୍ଗୀ ମାନଙ୍କୁ କୌଣସି କାର୍ଯ୍ୟ ପାଇଁ ଗୁରୁତ୍ଵ ଦିଆ ଯାଏ ନାହିଁ। କିନ୍ତୁ ସେ ସମୟରେ ସେମାନଙ୍କ ଶକ୍ତି ଓ ସାମର୍ଥ୍ୟକୁ ଗୁରୁତ୍ଵ ଦିଆଯାଉଥିଲା। ମହାଭାରତ ଯୁଦ୍ଧରେ ଶିଖଣ୍ଡୀଙ୍କୁ କେବଳ ଭୀଷ୍ମଙ୍କ ମୃତ୍ୟୁ ପାଇଁ ଥୋପ ଭାବରେ ଅର୍ଜୁନଙ୍କ ରଥରେ ରଖିବାପାଇଁ ଅଣାଯାଇନଥିଲା।ସେ ଯୁଦ୍ଧରେ ସକ୍ରିୟ ଭାବେ ଯୋଗ ଦେଇ ଭୀଷଣ ରଣରେ ଲିପ୍ତରହି ଶତ୍ରୁ ସୈନ୍ୟ ମାନଙ୍କୁ ବିନାଶ କରିଥିଲେ।

 

ସମସ୍ତଙ୍କ ମତାମତ ନେବାପରେ ଯୁଧିଷ୍ଠିର, ପାଣ୍ଡବ ବାହିନୀର ସେନାପତିତ୍ବ ବିଷୟରେ ଶ୍ରୀକୃଷ୍ଣଙ୍କ ପରାମର୍ଶ ଲୋଡିଲେ। ଶ୍ରୀକୃଷ୍ଣ କହିଲେ.. ଯେଉଁ ମାନଙ୍କର ନାମ ପ୍ରସ୍ତାବିତ ହେଲା ସେମାନେ ସମସ୍ତେ ଜଣେ ଜଣେ ମହାନ ରଥି। କୌଣସି ଦିନରେ କୌଣସିଯୁଦ୍ଧ ଜିତାଇବାର ଶକ୍ତି ସେମାନଙ୍କ ପାଖରେ ରହିଛି। କିନ୍ତୁ ସବୁ ଦୃଷ୍ଟିରୁ ଦେଖିବାକୁ ଗଲେ ଧୃଷ୍ଟଦ୍ୟୂମ୍ନ ହିଁ ପାଣ୍ଡବଙ୍କ ସେନାପତି ହେବା ଉଚିତ।"


ଶ୍ରୀକୃଷ୍ଣଙ୍କ ପରାମର୍ଶ ଅନୁଯାୟୀ ଧୃଷ୍ଟଦ୍ୟୁମ୍ନଙ୍କୁ ପାଣ୍ଡବ ପକ୍ଷର ସେନାପତି ଭାବରେ ନିଯୁକ୍ତ କରାଗଲା। ଶ୍ରୀକୃଷ୍ଣଙ୍କ ପରାମର୍ଶରେ ପାଣ୍ଡବମାନେ ନେଇଥିବା ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଠିକ୍ ଥିଲା ;ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଶଲ୍ୟଙ୍କ ଭଳି ମହାରଥି ମାନେ ଜଣକ ପରେ ଜଣେ, କୌରବପକ୍ଷର ସେନାପତି ହୋଇ ବୀରଗତି ପ୍ରାପ୍ତ ହୋଇଥିଲେ ମଧ୍ୟ ଧୃଷ୍ଟଦ୍ୟୁମ୍ନ ଯୁଦ୍ଧ ଶେଷ ପର୍ଯ୍ୟନ୍ତ ଜୀବିତ ରହି ପାଣ୍ଡବଙ୍କୁ ବିଜୟଶ୍ରୀ ମଣ୍ଡିତ କରିଥିଲେ।


ବେଳେ ବେଳେ ପ୍ରଶ୍ନ ଉଠେ ଭୀମ ଅର୍ଜୁନଙ୍କ ଭଳି ମହାବୀର ଥାଉଁ ଥାଉଁ ଶ୍ରୀକୃଷ୍ଣ , ସେନାପତି ପଦ ପାଇଁ ଧୃଷ୍ଟଦ୍ୟୁମ୍ନଙ୍କ ନାମ କାହିଁକି ପ୍ରସ୍ତାବିତ କଲେ ! ବାସ୍ତବରେ ଏହା ପଛରେ ଶ୍ରୀକୃଷ୍ଣଙ୍କ ଗଭୀର ଦୂରଦୃଷ୍ଟି ଥିଲା।ଭୀମ ଏବଂ ଅର୍ଜୁନ ପାଣ୍ଡବ ପକ୍ଷର ମୂଳଦୁଆ ଥିଲେ।ବ୍ୟୂହ ରଚନା ଠାରୁ ଆରମ୍ଭକରି ସୈନ୍ୟ ପରିଚାଳନା ଦାୟିତ୍ଵ ସେମାନଙ୍କୁ ଦେଇଥିଲେ, ଯୁଦ୍ଧପାଇଁ ଯେଉଁ ଏକାଗ୍ରତା ଆବଶ୍ୟକ ତା'ର ବିଚ୍ୟୁତି ଘଟିଥାନ୍ତା ଏବଂ ସେମାନଙ୍କ ସଫଳତା ପ୍ରଭାବିତ ହୋଇଥାନ୍ତା।


ଜଣେ ଭଲ ଯୋଦ୍ଧା ଯେ ଜଣେ ଭଲ ସେନାପତି ହୋଇ ପାରିବ ତା'ର କିଛି ମାନେ ନାହିଁ।ଜଣେ ମହାନ କ୍ରିକେଟ ଖେଳାଳୀ ଭଲ ଅଧିନାୟକ ନହୋଇ ପାରେ।ଅଧିନାୟକର ଦାୟିତ୍ଵ ତାର ପ୍ରତିଭାକୁ ପ୍ରଭାବିତ କରିପାରେ। ମହାନ୍ ଖେଳାଳୀ ସଚିନ୍ ତେନ୍ଦୁଲ୍'କର ଏବଂ ରାହୁଲ ଡ୍ରାଭିଡ୍ ଏହାର ଜ୍ୱଳନ୍ତ ଉଦାହରଣ। ବିଶ୍ବ କ୍ରିକେଟରେ ଦେଖାଯାଇଛି ଯେ ଅଧିନାୟକତ୍ବ ଗ୍ରହଣ କଲାପରେ କିଛି ମହାନ ଖେଳାଳିଙ୍କର ଖେଳରେ ସଫଳତା ପ୍ରଭାବିତ ହୋଇଛି। 


କୁରୁକ୍ଷେତ୍ରରେ ଦୁଇ ବିଶାଳ ସେନା ସଜ୍ଜିତ, ଭୀଷ୍ମଙ୍କ ଅଧିନାୟକତ୍ବରେ କୌରବ ଏବଂ ଧୃଷ୍ଟଦ୍ୟୁମ୍ନଙ୍କ ସେନାପତିତ୍ବରେ ପାଣ୍ଡବ ବାହିନୀ। କୁରୁକ୍ଷେତ୍ରରେ ଯୁଦ୍ଧ ଆରମ୍ଭ ପୂର୍ବରୁ ଘଟିଲା ଏକ ଅଦ୍ଭୁତ ଘଟଣା। ଯୁଧିଷ୍ଠିର ରଥରୁ ଅବତରଣ କରି, ବିନା ଅସ୍ତ୍ରରେ କୌରବ ବାହିନୀ ନିକଟକୁ ପାଦରେ ଚାଲି ଚାଲି ଯିବା ଆରମ୍ଭ କଲେ।ପାଣ୍ଡବଙ୍କ ପକ୍ଷରେ ସମସ୍ତେ ଆଶ୍ଚର୍ଯ୍ୟ, କଣ କରିବାକୁ ଯାଉଛନ୍ତି ଯୁଧିଷ୍ଠିର ! ଦୁର୍ଯ୍ୟୋଧନଙ୍କ ମନ ପ୍ରଫୁଲ୍ଲିତ; ଭୀଷ୍ମଙ୍କୁ କହିଲେ.. ଦେଖନ୍ତୁ ପିତାମହ ! ଆମର ସୈନ୍ୟ ଶକ୍ତି ଦେଖି କିପରି ଭୀରୁ ଯୁଧିଷ୍ଠିର ଶରଣ ପଶିବା ପାଇଁ ଆମ ପାଖକୁ ଆସୁଛନ୍ତି। ମୋର ମନେ‌ହୁଏ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଶେଷ ହୋଇଯିବ।ରାଜ୍ୟ ଆଶା ତ୍ୟାଗକରି ପାଣ୍ଡବମାନେ ପୁଣି ଥରେ ବନବାସ ପାଇଁ ଚାଲିଯିବେ।"


ଭୀଷ୍ମ କହିଲେ ...ଏହା ତୁମର ଦିବାସ୍ବପ୍ନ ,ମୁଁ ତୁମ ସହିତ ଏକମତ ନୁହେଁ ପୁତ୍ର!, ଯୁଧିଷ୍ଠିର ଭୀରୁ ନୁହଁନ୍ତି,ସେ ଧର୍ମଭୀରୁ।ଯୁଦ୍ଧ ପାଇଁ ନିଷ୍ପତ୍ତି ନେବାପରେ ସେ କଦାପି ଆତ୍ମ ସମର୍ପଣ କରିବେ ନାହିଁ।"

ଏହିପରି କଥୋପକଥନ ସମୟରେ ଯୁଧିଷ୍ଠିର ଭୀଷ୍ମଙ୍କ ପାଖରେ ପହଞ୍ଚି ସାଷ୍ଟାଂଗ ପ୍ରଣିପାତ ହୋଇ କହିଲେ..ପିତାମହ ! ଏହି ଧର୍ମକ୍ଷେତ୍ରରେ ମୁଁ ,କୌରବ ବାହିନୀ ବିରୁଦ୍ଧରେ, ମୋ ନ୍ୟାୟସଙ୍ଗତ ଅଧିକାର ଦାବି କରି ଯୁଦ୍ଧ କରିବାପାଇଁ ଯାଉଛି। ମୋତେ ଆଶୀର୍ବାଦ କରନ୍ତୁ, ମୁଁ ଜୟଯୁକ୍ତ ହୁଏ।"


ଯୁଧିଷ୍ଠିରଙ୍କୁ କୋଳାଗ୍ରତ କରି କପାଳ ଚୁମ୍ବନ କରି ଭୀଷ୍ମ କହିଲେ.. ରାଜସିଂହାସନ ସହିତ ବନ୍ଧା ଏହି ବିବଶ ପିତାମହର ଆଶୀର୍ବାଦ ଗ୍ରହଣକର ପୁତ୍ର, ତୁମେ ଯୁଦ୍ଧରେ ବିଜୟୀ ହୁଅ।"

ତା'ପରେ ଯୁଧିଷ୍ଠିର ଗୁରୁ ଦ୍ରୋଣାଚାର୍ଯ୍ୟ ଏବଂ କୁଳଗୁରୁ ତଥା ବାଲ୍ୟଗୁରୁ କୃପାଚାର୍ଯ୍ୟଙ୍କ ପଦସ୍ପର୍ଶ କରି ଆଶୀର୍ବାଦ ଭିକ୍ଷା କଲେ। ଉଭୟେ ଆଶୀର୍ବାଦ ଦେଇ କହିଲେ..କୁରୁ ଅନ୍ନରେ ପ୍ରତି ପାଳିତ ଏହି ବିବଶ କୌରବ ସମର୍ଥକଙ୍କ ଆଶୀର୍ବାଦ ଗ୍ରହଣ କର ପୁତ୍ର ଯୁଧିଷ୍ଠିର!,ଯୁଦ୍ଧରେ ତୁମେ ଜୟଯୁକ୍ତ ହୁଅ।




Rate this content
Log in

Similar oriya story from Classics