Sanjeeb Kumar Nag

Drama

4.7  

Sanjeeb Kumar Nag

Drama

ପାଇଖାନା

ପାଇଖାନା

2 mins
24.5K



***** ୧ମ ଦୃଶ୍ୟ *****


(ବିରଞ୍ଚି ଓ ଅରବିନ୍ଦ କଥା ହେଇହେଇ ରାସ୍ତାରେ ଚାଲି ଚାଲି ଯାଉଥାନ୍ତି)

ଅରବିନ୍ଦ: ହଁ, ଏଇଟା ଠିକ ଜାଗା; ଏଠି ସାରି ଦେଇକି ପାଖ ପୋଖରୀକୁ ଯିବା ଆଉ ସେଠି ଗାଧୁଆ ଫାଧୁଆ ସାରିକି ଘରକୁ ଫେରିବା।

ବିରଞ୍ଚି: ଏଇଠି ସାରି ମାନେ, କଣ ସାରି?

ଅରବିନ୍ଦ: ବୁଝି ପାରୁନ କଣ ମ! ଝାଡା ଫାଡା ସାରି ପାଖ ପୋଖରୀକୁ ଯିବା ପାଣି ଛୁଇଁବା ପାଇଁ।

ବିରଞ୍ଚି: ତାମାନେ କଣ, ଆମେ ଝାଡା ଫେରିବା ପାଇଁ ଆସିଲୁ ଏତେଦୂର?

ଅରବିନ୍ଦ: ଆଉ କଣ! ତମ ଗାଁ ସିନା ଛୋଟ ଗାଁ, ଲୋକ କମ ବୋଲି ଫାଙ୍କା ଜାଗା ମିଳିଯାଏ। ଆମ ଗାଁ ତ ବଡ ଗାଁ, ଲୋକ ବେଶୀ, ଏସବୁ ଭୋର୍ ରୁ ନ ସାରିଲେ ଭାରି ମୁସ୍କିଲ।

ବିରଞ୍ଚି: ମୁଁ ତ ଭାବିଥିଲି ମତେ ପ୍ରାତଃ ଭ୍ରମଣରେ ଆଣିଛ ବୋଲି। ତମର କଣ ପାଇଖାନା ନାଇଁ କି?

ଅରବିନ୍ଦ: କଣ ମ, ସେଇ ଛୋଟ ନିବୁଜ କୋଠରୀ ଭିତରେ ଭଲ ଲାଗେ କି? ମତେ ଜମାରୁ ଭଲ ଲାଗେନି। ଖୋଲା ପଡ଼ିଆରେ, ଖୋଲା ପବନରେ ବସିବାର ମଜା ଅଲଗା ନା ଆଉ।

ବିରଞ୍ଚି: ମତେ କିନ୍ତୁ ଭଲ ଲାଗେନି ଖୋଲା ଜାଗାରେ

ଅରବିନ୍ଦ: ହଁ ଯେ ସମୁଦି, ଆଜି ଦିନକ ପାଇଁ ଚଳେଇଦିଅ, କାଲି ଏତେବେଳେ ତ ତମ ଗାଁରେ ଥିବ। (ରାସ୍ତା କଡରେ ଥିବା ବୁଦା ମୂଳେ ବସି ପଡିଲେ)

ବିରଞ୍ଚି: ହଉ, ଚେଷ୍ଟା କରୁଛି; ଯଦି ଜରୁରୀକାଳୀନ ପରିସ୍ଥିତିରେ ନଥାନ୍ତି, ତେବେ ଜମାରୁ ଏମିତି ଭୁଲ କରନ୍ତିନି। (ଅରବିନ୍ଦଙ୍କ ବସିବା ଦେଖି ବିରଞ୍ଚି ବି ରାସ୍ତା କଡରେ ଥିବା ଚାଷ ଜମିର ହିଡ ତଳେ ବସି ପଡିଲେ)

ଅରବିନ୍ଦ: ହଉ ହଉ ଶୀଘ୍ର ସାର ଆଲୁଅ ହେଲାଣି

ବିରଞ୍ଚି: କାଇଁ କଣ ହେଲା କି, ଫଟକିନା ଉଠିପଡିଲ ଯେ? (ଅରବିନ୍ଦଙ୍କ ଉଠିବା ଦେଖି)

ଅରବିନ୍ଦ: କେହିଜଣେ ଆସୁଛି ବୋଧେ

ବିରଞ୍ଚି: ଏମିତି ଉଠବସ ହେଇ ଝାଡା ଫେରିବା ତମର ଅଭ୍ୟାସ ହେଇ ଯାଇଛି ବୋଧେ (ଉଠିପଡ଼ି)

ଅରବିନ୍ଦ: ଏଇଟା କି ନୂଆ କଥା, ମୁଁ ଜାଣିଲା ଦିନଠୁ ଏଇ ରାସ୍ତାରେ ହିଁ ଆମ ଗାଁ ଲୋକ ଶୌଚ କରନ୍ତି। ଛୋଟବେଳେ ଘର ସାମନାରେ, ଟିକେ ବଡ଼ ହେଲାପରେ ଗାଁ ଶେଷ ମୁଣ୍ଡରେ, ଆଉ ଟିକେ ବଡ଼ ହେଲା ପରେ ଆଉଟିକେ ଦୂରରେ। ଆଉ ଏଇ ବୟସରେ ଏଠି।

(ଦୁହେଁ ବସି ପଡିବେ)

ବିରଞ୍ଚି: ହେଇ, ହେଇ ଆଉ ଜଣେ କେହି ଆସିଲାଣି (ଫଟକିନା ଉଠିପଡ଼ି)

ଅରବିନ୍ଦ: କାଇଁ, କୋଉଠି? କେହି ତ ନାହାନ୍ତି! କଣ, ସମୁଦି ତୁଚ୍ଛା ଟାରେ ଅଟକେଇ ଦେଲ ମୋର। ନା ତମେ ବସୁଛ, ନା ମତେ ବସେଇ ଦଉଛ! (ଫଟକିନା ଉଠିପଡ଼ି)

ବିରଞ୍ଚି: ତମ ଗାଁ ରେ ଝିଅ ବୋହୂ ମାନେ ବି କଣ ଏମିତି?

ଅରବିନ୍ଦ: ହଁ, ସେମାନେ ସାରିକି ଗଲେଣି, କାହିଁ କେତେବେଳୁ। ଅନ୍ଧାର ଥାଉଣୁ ଆସନ୍ତି ସେମାନେ।

(ପୁଣି ଦୁହେଁ ବସି ପଡିବେ)


***** ୨ୟ ଦୃଶ୍ୟ *****


ଅରବିନ୍ଦ: ହଉ, ସମୁଦି ନମସ୍କାର! ଏମିତି ମଝିରେ ମଝିରେ ଆସୁଥିବେ।

ବିରଞ୍ଚି: ନମସ୍କାର ନମସ୍କାର! ବହୁତ ସୁନ୍ଦର ଆତିଥ୍ୟ କଲେ, ସେଥିପାଇଁ ଧନ୍ୟବାଦ। ଆମକୁ ବି କେବେ କେବେ ଆପଣଙ୍କ ସେବା କରିବାର ସୁଯୋଗ ଦିଅନ୍ତୁ। ଆସନ୍ତୁ ଦଶହରାରେ ସମୁଦୁଣୀଙ୍କ ସହ ଆମ ଘରକୁ।

ଅରବିନ୍ଦ: ଏଇ ଦଶହରାରେ ତ ଆସି ହେବନି ସମୁଦି, କିନ୍ତୁ ଆସନ୍ତା ମାସରେ ନିଶ୍ଚୟ ଚେଷ୍ଟା କରିବୁ ଆସିବା ପାଇଁ।

ବିରଞ୍ଚି: କାଇଁ, ଝିଅ ଜୋଇଁଙ୍କୁ ଦେଖିବାର ଇଛା ହେଉନି କି?

ଅରବିନ୍ଦ: ସେମିତି ନାଇଁ ସମୁଦି। ଟିକେ କାର୍ଯ୍ୟଭାର ବଢି ଯାଇଛି ତ...

ବିରଞ୍ଚି: ହଉ, ନିଶ୍ଚୟ ଆସିବେ

ଅରବିନ୍ଦ: ହଁ, ହଁ ସମୁଦି, ମୁଖ୍ୟ ବିଷୟ ତ ଭୁଲିଯାଇଥିଲି; କାଲି ଯୋଉ କଥା କହିଥିଲି ସେଇ କଥା ଟିକେ ବିଚାର କରିବେ।

ବିରଞ୍ଚି: କ୍ଷମା କରିବ ସମୁଦି; ମୁଁ ବହୁତ ଖୁସି ଯେ ତମ ଝିଅକୁ ମୋ ଘରର ବୋହୂ ରୂପେ ପାଇଛି। ବୋହୂ ତ ନୁହଁ ଗୃହଲକ୍ଷ୍ମୀ ଟିଏ ପାଇଛି। କିନ୍ତୁ ମୋ ଝିଅକୁ ତମ ପୁଅପାଇଁ ଦେଇପାରିବିନି। ମୋ ଝିଅ ରାସ୍ତା କଡରେ ଶୌଚକଲେ ତାର ଆତ୍ମସମ୍ମାନ ହାନୀ ହେବ। ଆଉ ମୁଁ ମୋ ଝିଅର ଆତ୍ମସମ୍ମାନ ସହ କୌଣସି ପ୍ରକାର ସାଲିସ କରି ପାରିବିନି। ପ୍ରଥମେ ଗୋଟେ ଶୌଚାଳୟ ତିଆରି କର, ତାପରେ ଏ ବିଷୟରେ ଆଲୋଚନା କରିବା।

ଅରବିନ୍ଦ: ......( ହାତଯୋଡି ନିରୁତ୍ତର) 

ବିରଞ୍ଚି: ହଉ ତାହେଲେ, ଆସୁଛି ନମସ୍କାର 

ଅରବିନ୍ଦ: ନମସ୍କାର (ଲଜ୍ଜିତ ହୋଇ ହାତଯୋଡି ନିମ୍ନ କଣ୍ଠରେ)


Rate this content
Log in

Similar oriya story from Drama