-----ପାଗଳୀ----- ××××××××××××××
-----ପାଗଳୀ----- ××××××××××××××


ହେ ପାଗିଳୀ ଯା ସେୟାଡୁକୁ । କେହିଜଣେ ଧକ୍କାଟିଏ ପକେଇ ଦେଲେ ତାକୁ । ସେ କିନ୍ତୁ ତାର କର୍ମରେ ପୂର୍ବପରି ଲାଗି ରହିଥାଏ । ମୁଣ୍ଡରେ କେଶ ତାର ଉଲୁରି ଯାଇଛି । ପିନ୍ଧିଥିବା ପୋଷାକ ଟି ମଇଳା ପୁରୁଣା ନହେଲେବି ଯତ୍ନ ଅଭାବରୁ ତାର ମୂଳ ରଙ୍ଗକୁ ପ୍ରକାଶିତ କରି ପାରୁନଥିଲା ।
ପୁଣି ଆଉଜଣେ ପେଲିଦେଲେ ତାକୁ ପଡ଼ିଗଲା ମୁହଁମାଡ଼ି ତଳେ । ମୋ ଭିତରୁ କେହିଜଣେ ଦୌଡ଼ି ଯାଇ ତାକୁ ଉଠେଇଲା । ହେଲେ କେହି ଯାଇନଥିଲେ । ମୁଁ ପୂର୍ବବର୍ତ୍ତୀ ଜାଗାରେ ସ୍ଥିର ଥିଲି । ମୋ ଭିତରର ଦୟା ନାମକ ଏକ ପ୍ରକୃତି ସାମାନ୍ୟ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲା ଯାହା । ସେ କିନ୍ତୁ ନାଚି ଚାଲିଥାଏ ଗୀତର ତାଳେ ତାଳେ । ହୁଏତ ମଞ୍ଚର ନର୍ତ୍ତକୀ ଠାରୁ ସେ ଭଲ ନାଚୁଥିଲା । ଜଣେ ପ୍ରଶିକ୍ଷିତା ନର୍ତ୍ତକୀ ପରି । ପ୍ରତିଟି ବାଦ୍ୟ ଯନ୍ତ୍ରର ତାଳକୁ ତାର ଭାବ ଭଙ୍ଗୀମାରେ ପରିସ୍ଫୁଟନ କରୁଥିଲା । ପ୍ରତ୍ୟେକ ଗୀତର ଭାବକୁ ଦର୍ଶାଉଥିଲା ସେ ତାର ମୁଖମଣ୍ଡଳରେ ।
ଗାୟକ ଠାରୁ ଅଧିକ ବିଭୋର ଥିଲା ସେ । ବାୟକ ଠାରୁ ଅଧିକ ଉନ୍ମତ୍ତତା ଥିଲା ତା ନୃତ୍ୟରେ । ଉପସ୍ଥିତ ସବୁ ଭକ୍ତଙ୍କ ଠାରୁ ତାର ସମର୍ପଣ ସର୍ବାଗ୍ରେ ଥିଲା । ହେଲେ ସେହିଁ ଅତ୍ୟାଚାରିତ ହେଉଥିଲା ଅନ୍ୟମାନଙ୍କ ଦ୍ୱାରା । ସତରେ ଭଗବାନଙ୍କ ଲୀଳା ବଡ଼ ବିଚିତ୍ର । ସେ ସମସ୍ତଙ୍କ ଭିତରେ ,,
ହେଲେ ନା କୌଣସି କର୍ମ ତାଙ୍କର ନା ସେ କିଛି କରନ୍ତି । ବୁଦ୍ଧି ବିବେକ ବୋଲି ଦୁଇଟି ବନ୍ଧୁ ସହିତ ମଣିଷର ପରିଚୟ କରେଇ ବନ୍ଧୁତା କରେଇ ଦିଅନ୍ତି । ତାଙ୍କ କାମ ଏତିକି । ସେ କର୍ମର ଉର୍ଦ୍ଧ୍ୱ ରେ । କେବଳ ଲୀଳା ରଚିବେ । ତାଙ୍କର କାମ ସେଇଆ । କେବେ ଗୋପୀ ମାନଙ୍କୁ ଉଲଗ୍ନ କରି ନିନ୍ଦିତ ହୋଇଛନ୍ତି ତ କେବେ ନିଜ ପତ୍ନୀଙ୍କର ଅଗ୍ନିପରୀକ୍ଷା ନେଇକି ସମାଜ ବିଶେଷର କ୍ଷୋଭର ଶିକାର ହୋଇଛନ୍ତି ।
କେଇଜଣ ବୁଝୁଛନ୍ତି ସେସବୁ କାର୍ଯ୍ୟ ପଛର ମହାନ ଉଦ୍ଦେଶ୍ୟ ସବୁକୁ । ନବୁଝିଲା ଲୋକ ନିଜର ବିରୋଧର ସ୍ୱର ତୀବ୍ର କରି ନିଜପରି ଅନେକ ବିରୋଧୀ ତିଆରି କରିଛନ୍ତି ଓ କରୁଛନ୍ତି ମଧ୍ୟ ଆଉ ବୁଝିଲା ଲୋକ ନୀରବ । ଆଗୋ ସଖୀ ଆପଣା ମହତ ଆପେ ରଖି ଧାରାରେ ।
..କିଏ ବୁଝେଇବ ଏମାନଙ୍କୁ ଗୋପୀମାନଙ୍କ ଉଲଗ୍ନ ଅବସ୍ଥା ଦେଖିଥିବା କଳାମୋହନ ଗୋପ ଛାଡ଼ିଲା ସମୟରେ ତାର ବୟସ ମାତ୍ର ନଅ !!? ନଅ ବର୍ଷର ବାଳକ କଣ ଦେଖିବାପାଇଁ ଉଲଗ୍ନ କରିଥିଲା ସେମାନଙ୍କୁ !? ମୋ ମନରେ ଏମିତି ଅନେକ ପ୍ରଶ୍ନ । ଛାଡ଼ ଯିଏ ଯାହା ଜାଣିଛି ଜାଣିଥାଉ । ଅନାବଶ୍ୟକ ଭାବେ କାହାକୁ କିଛି କହିଲେ ନିଜେ ଲୋକହସା ହେବାହିଁ ସାର ହେବ । ଅବାନ୍ତର ଯୁକ୍ତି ସବୁକୁ କିଏ ସମ୍ମୁଖୀନ ହେବ !?
ଚାଲିଛି ଭଜନ ସମାରୋହ । ରଥଯାତ୍ରା ସମୟ । ମୁଁ ରହୁଥିବା ଛୋଟିଆ ସହରରେ ମଧ୍ୟ ପ୍ରତିବର୍ଷ ଅନୁଷ୍ଠିତ ହୁଏ ଲୀଳାମୟଙ୍କ ଲୀଳାର ବିଶିଷ୍ଟ ଓ ବୈଚିତ୍ରପୁର୍ଣ ଲୀଳା । ନଅ ଦିନ ଧରି ଆସନ୍ତି ମାଉସୀ ଘରକୁ ବ୍ରହ୍ମାଣ୍ଡ ଠାକୁର ସାଙ୍ଗରେ ଭାଇ ଭଉଣୀଙ୍କୁ ଧରି । ଯାହାକୁ କୁହନ୍ତି ପୁରା ଜମେଇକି ଆସନ୍ତି । ଲକ୍ଷଲକ୍ଷ ଜନସମାଗମ ରେ ଜଗତର ରାଜା ପୁରା ଥାଟବାଟରେ । ତାପରେ ନଅ ଦିନ କାଳ ମାଉସୀ ଘରେ ମାଉସୀ ମା ସ୍ନେହରେ ବାନ୍ଧି ହେଇଯାଆନ୍ତି ।
ଶୁଣାଣିର ଏକ ଖୋଲାମଞ୍ଚରେ ବିଜେ ହୁଅନ୍ତି ମହାପ୍ରଭୁ । ଆମ ସହରର ସେଇ ଖୋଲା ମଞ୍ଚରେ ନଅ ଦିନ କାଳ ଚାଲେ ସାନ୍ଧ୍ୟ ଭଜନ କୀର୍ତ୍ତନ । ଅଞ୍ଚଳର ତଥାକଥିତ ଭକ୍ତ , ମାନ୍ୟଗଣ୍ୟ ବ୍ୟକ୍ତିମାନେ ଆସନ୍ତି ସେ ଭକ୍ତିପୂର୍ଣ ଆସରକୁ ପତିତପାବନଙ୍କ ଦର୍ଶନ କରିବାପାଇଁ । ସେଦିନ ସେ ପାଗଳିଟି ମଧ୍ୟ ଆସିଥାଏ ।
ନାଚୁଥାଏ ଭଜନର ତାଳେତାଳେ ସମସ୍ତେ ନୀରବତା ରକ୍ଷା କରୁଥିବା ବେଳେ । ସମସ୍ତେ ଚକାନୟନଙ୍କୁ ଚାହିଁ ଭାବମୟ ହେଉଥିବା ବେଳେ ତାର କିନ୍ତୁ ନିଘା ନଥିଲା ତିନି ଠାକୁରଙ୍କ ଉପରେ । ସେ ନିଜ ଭିତରେ ମସଗୁଲ । ଗାୟକ ପରିବର୍ତ୍ତନ ସମୟେ ସାମାନ୍ୟ ନୀରବତା ବି ସହ୍ୟ କରିପାରୁନଥିଲା । ଅନ୍ୟମାନେ ଗାୟକଙ୍କ ଗାୟକୀର ପ୍ରଶଂସା କଲାବେଳେ ସେ ବିରକ୍ତି ହୋଇଯାଉଥିଲା ସେ ନୀରବତାରେ ।
ଆରେ ଗାଉନୁ ଗୀତ ? ରହିଗଲ କାହିଁକି ? ମୁଁ ନାଚିବି ରାତିସାରା । ମୋତେ ଗାଇ ଆସେନି ବା ।
ଏମିତି ଗାରୁଗାରୁ ହେଇ କେତେ କଣ କହିଯାଉଥିଲା ପୁଣି ଏକ ଭଜନ ଆରମ୍ଭ ହେଲା ପର୍ଯ୍ୟନ୍ତ । ଭଜନର ଆରମ୍ଭରୁ ଶେଷଯାଏ ଅବିଶ୍ରାନ୍ତ ଭାବେ ଭାବବିହ୍ଵଳ ହୋଇ ନାଚି ଉଠୁଥିଲା ସେ । ଏମିତି ଗୋଟେ ଭଜନ ମଝିରେ ନିଜର ଅସଜଡ଼ା ଉଲୁରା କେଶ ଝାଡ଼ି ନାଚୁଥିବା ବେଳେ ଜଣେ ଭଦ୍ର ବ୍ୟକ୍ତିଙ୍କୁ ତାର ବ୍ୟବହାରରେ ଅଭଦ୍ରତା ଦିଶିଗଲା । ଉଠିପଡ଼ିଲେ ଧକ୍କାଏ ମାଇଲେ ଜୋରରେ ।
ପୂର୍ବରୁ ପ୍ରତିବାଦ କରୁନଥିବା ପାଗିଳୀ ଟି କାହିଁକି କେଜାଣି ପ୍ରତିବାଦ କଲା ଏଥର । ନିଜର ବଢ଼ିଲା ନଖରେ ଆମ୍ପୁଡ଼ି ଦେଲା ସେ ବାବୁଜଣଙ୍କୁ । ସଭ୍ୟ ପରିଧାନ ରେ ସୁଶୋଭିତ ସେ ବାବୁ ଜଣକ ପୁରୁଷତ୍ଵକୁ ଯେମିତି ସେ ପାଗିଳିଟି ଆହ୍ୱାନ କରିଦେଇଥିଲା ।
ନିଜର ପୁରୁଷ ପୁଙ୍ଗବତାକୁ ଦର୍ଶେଇବାକୁ ଯାଇ ମାରିଚାଲିଲେ ଚାପୁଡ଼ା ପରେ ଚାପୁଡ଼ା । ଚିରା ଛାଡ଼ି କାନ୍ଦି ଉଠିଲା ଝିଅଟି । ବାବୁ କିନ୍ତୁ ଅଟକୁ ନଥାନ୍ତି ।
ଚକାନୟନ ସେମିତି ଆଖିଖୋଲି ଚାହିଁ ରହିଥାନ୍ତି । ମୁହଁରେ ତାଙ୍କର ହସଟା ମଳିନ ଲାଗୁଥିଲା । ରସିକିଆ ରଙ୍ଗାଧର ମୁହଁଟା କେମିତି ବିରସିଆ ଲାଗିଲା । କଉ ହାତ ଗୋଡ଼ ଅଛିଯେ ଦୌଡ଼ି ଆସି ସାହା ହୋଇଥାନ୍ତେ !?
ମାଡ଼ ର ଯନ୍ତ୍ରଣା ଅସହ୍ୟ ଲାଗିଲା ପାଗିଳୀ କୁ । ତଳେ ପଡ଼ିଗଲା । ବାବୁ ଜଣକ ନିଜ ପୂର୍ବ ସ୍ଥାନକୁ ଫେରି ଆସିଲେ ।
କିନ୍ତୁ ଭାବଗ୍ରାହୀ ତ ଭାବ ରଙ୍କୁଣା । ଅଦୃଶ୍ୟରେ ବୋଧେ କିଛି କରାମତି ଦେଖେଇଲେ । ଝିଅଟି ଉଠିଲା । ଉଠି ବସିଲା । ପୁଣି ଠିଆ ହେଲା । ଜଗତ ମୋହନଙ୍କ ଲାଗି ସଜ୍ଜିତ ଆଲୋକ ପଡ଼ୁଥିଲା ସେ ପାଗିଳୀ ମୁହଁରେ । ଏକ ବିଚିତ୍ର ଦୃଶ୍ୟ ଦେଖିଲା ମୋ ଆଖି । ହସଥିଲା ତା ମୁହଁରେ !! ଧାର ଧାର ହେଇ ଭାବଧାରା ବହି ଯାଉଥିଲା ଦୁଇ ଆଖିରୁ ତାର । ନାକରୁ ସିଙ୍ଘାଣି ବି । ସତେ ଯେମିତି ତ୍ରିବେଣୀ ଧାର ।
ଚାପୁଡ଼ାର ଆଘାତ ତା ମନରେ ଭୟ ସୃଷ୍ଟି କରିଦେଇଥିଲା । ଆଡ଼ ଆଡ଼ ହୋଇ ଚାହୁଁଥିଲା ସେ ନିର୍ଦୟୀ ମଣିଷକୁ ଭୟାତୁର ହୋଇ । ଆଉ ନାଚୁନଥିଲା ସେ । ଉପସ୍ଥିତ ସମସ୍ତେ ସାମାନ୍ୟ ଥିଲେ । ଯେମିତି କିଛି ହେଇନି ।
ମୋର ପେଟ ଭିତରେ ଯେମିତି କିଛି ଗୋଟେ ଚାଲିଥାଏ । ମନ ନଥାଏ ମୋର ସେ ନାଲି ଅଧରର ମୋହକ ହସ ପାଖରେ । ମନରେ କୁଢ଼ କୁଢ଼ ଅଭିମାନ ସାଙ୍ଗକୁ ମହଣମହଣ କ୍ରୋଧ । ସାଙ୍ଗରେ ଯାଇଥିବା ମୋ ସ୍ୱାମୀଙ୍କୁ ଚାହିଁଲି । ସେ ବି ମୋତେ । ମିଳିଗଲା ମୋତେ ଅନୁମତି । ବୁଲି ଚାହିଁଲି ପଛକୁ । ଶେଷ ଧାଡ଼ିଟି ଖାଲି ପଡ଼ିଛି । ଉଠିଗଲି ମୁଁ ।
ପାଗିଳୀ ସେମିତି ମୂର୍ତିବତ ଠିଆ ହୋଇଥାଏ । କେବେକେବେ ସଙ୍ଗୀତର ତାଳରେ ଟିକେ ଝୁଲି ପଡୁଥାଏ ହେଲେ ଆଉ ନାଚିବାର ସାହସ କରିପାରୁନଥାଏ ।
ବିନା ପଲକର ଚକାଆଖି ସେମିତି ଚାହିଁଥାଏ । ସେ ଆଖିରେ କ୍ରୋଧ ନଥିଲା କରୁଣାମୟ ଙ୍କ ଆଖିରେ କରୁଣା ବି ଦିଶୁନଥିଲା । ପୂର୍ବଭଳି ନିର୍ବିକାର ।
ଝିଅଟି ବାରମ୍ବାର ଚାହୁଁଥାଏ ସେ ଅମଣିଷ ମଣିଷକୁ । ଇଞ୍ଚେ ଆଗ ପଛ ହେଉନଥାଏ ।
ଗୋଟେ ମାନସିକ ବିକ୍ଷିପ୍ତ କଅଁଳ ଝିଅଟିକୁ ହାତ ଉଠାଇ ନିଜକୁ ବୀର ଭାବୁଥିବା ମଣିଷଟିକୁ ସେ ଝିଅଟିର ଉପସ୍ଥିତି ପସନ୍ଦ ଆସୁନଥାଏ । ଜଗତ ଠାକୁରଙ୍କୁ ସେ ତା ଘରର ବେଠିଆ ଭାବିଥିଲା । ପୁନଃ ଆକ୍ରମଣ କରିବାକୁ ଉଦ୍ୟତ ହେଲା ସେ ଝିଅକୁ । ଏଥର ତ ସେ ନାଚିନି ତଥାପି ୟାଙ୍କର ପୁରୁଷ ପଣିଆ ଦେଖେଇବା କଣ ଆବଶ୍ୟକ !? ଓହୋ ମାନ୍ୟଗଣ୍ୟ ପ୍ରତିପତି ପାଇଁ ବୋଧେ ।
ଝିଅଟି ଅସ୍ଥିର ହୋଇ ଉଠିଲା । ପାଦ ତାର ପଛକୁ ପଛକୁ ପଡ଼ିଲା ଅମଣିଷ ମଣିଷର ଆଗକୁ ଆଗକୁ । ଦୁହିଁଙ୍କ ଭିତରେ ଚକପଞ୍ଝା ।
ପଣତକୁ ମୋର ଖୋସିଦେଲି ଭିଡ଼ି ଆଣି । ଆଉ କେଶବ ଭରଷାରେ ରହିଲିନି । ଝିଅଟି ମୋ ପାଖାପାଖି । ସେ ଅମଣିଷ ବି ବାସ ପହଞ୍ଚିଲା ପରି ।
ଝିଅଟି ହାର ମାନିସାରିଥିଲା । ଟେକି ଦେଇଥିଲା ତାର ଅସହାୟର ହାତକୁ ଶୂନ୍ୟରେ ।
ତଥାପି ସେ ଦୁଃଶାସନ ମାଡ଼ି ମାଡ଼ି ଆସୁଥାଏ ।
କାକୁତି ରେ ହାତ ଯୋଡ଼ି ଦେଇଥାଏ ସେ ପାଗିଳୀ ।
ଆଉ ସେ ଅତ୍ୟାଚାରୀ ନିର୍ଲଜ ଭାବେ ବୀର ଦର୍ପରେ ମାଡ଼ି ଆସୁଥାଏ ।
ଉପସ୍ଥିତ ସମସ୍ତେ ଦେଖୁଥାନ୍ତି ଏ ଦୃଶ୍ୟ । ବାସ ଭକ୍ତିରେ ବୁଡ଼ି ରହିବାର ଅଭିନୟ । ଯେମିତି କୁରୁସଭା । ହେଲେ ମୁଁ ଜାଣିପାରୁ ନଥାଏ ଉପସ୍ଥିତ ମାନେ ପାଣ୍ଡଵ ଭୂମିକାରେ ଥିଲେ ଅଥବା କୌରବ । କାରଣ କିଛି ନୀରବ ଥିଲେ ତ ଆଉ କିଛିଙ୍କ ମୁହଁରେ ଅସହାୟତା ପରିସ୍ଫୁଟ ହେଉଥିଲା ।
ଝିଅଟି ମୋ ପାଖରେ ପହଞ୍ଚିବା ଭଳି ।
ଯୁଦ୍ଧ କୁ ଲମ୍ଫ ଦେବାକୁ ପୂର୍ଣ୍ଣ ପ୍ରସ୍ତୁତ ମୁଁ ।
ସେ ଦୁହେଁ ସେମାନଙ୍କ କାର୍ଯ୍ୟକୁ ବଳବତ୍ତର ରଖିଛନ୍ତି ।
ଶିକାର ରକ୍ଷା ପାଇବାକୁ ଚେଷ୍ଟିତ ଶିକାରି ଶିକାରକୁ ବ୍ୟଗ୍ର ।
ଧରି ପକେଇଲି ସେ ଝିଅର ହାତ ଠିଆ ହେଇପଡ଼ିଲି ବସିବା ସ୍ଥାନରୁ । ମିଶେଇ ଦେଲି ଆଖିରେ ଆଖି । ମୋ ନିଶ୍ୱାସରେ ଗର୍ଜୁଥିଲା ମୋ ଛାତି ତଳର ପରିଭାଷା ।
ସେ ତଥାପି ଅଟଳ । ଫେରିବାକୁ ତା ପୁରୁଷତ୍ୱ ତାକୁ ଅଟକାଉଥିଲା ।
ଏସମସ୍ତ ଘଟଣାକ୍ରମକୁ ଲକ୍ଷ୍ୟ କରୁଥିବା ଆଗରେ ବସିଥିବା ସ୍ୱାମୀ ମୋର ଠିଆ ହୋଇପଡ଼ିଲେ ତାଙ୍କ ବସିବା ଜାଗାରେ ।
ମୋ ଶିରା ପ୍ରଶିରାରେ ସିଂହୀର ଶକ୍ତି ସଂଚାରିତ ହୋଇଗଲା ତାଙ୍କ ଉପରେ ଦୃଷ୍ଟି ପଡ଼ିବା ମାତ୍ରେ । ସବୁପ୍ରକାରର ପରିସ୍ଥିତିକୁ ମୁକାବିଲା କରିବାକୁ ଅଙ୍ଗଦ ସମ ଗୋଡ଼ ଭିଡ଼ି ସାରିଥିଲି ମୁଁ ।
ଇଶାରାରେ ପଚାରିଲେ ସ୍ୱାମୀ ,, କଣ ହେଲା ?
.....ସେ ଅଧମ ମୋ ସ୍ୱାମୀଙ୍କୁ ଦେଖିବା ମାତ୍ରେ ଶଙ୍କି ପଡ଼ିଲା । ଏକଥା ନୁହେଁ ଯେ ସେ ମୋ ସ୍ୱାମୀଙ୍କୁ ଜାଣିଥିଲା । ଯଦି ଯୁଦ୍ଧ ଆରମ୍ଭ ହୁଏ କେବଳ ମୋ ପାଖରେ ତାର ବିଭୀଷିକା ଶେଷ ହବନି ବୋଲି ସେ ଜାଣି ପାରିଲା । ମୋ ଜ୍ବଳନ ଆଖିରେ ଆଖି ମିଶେଇବାର ସାହାସ ତାର ଧୂଳିସାତ୍ ହୋଇଯାଇଥିଲା । ବିନା ବାକ୍ୟବିନିମୟରେ ପଛଘୁଞ୍ଚା ଦେଲା ସେ ।
.....ଝିଅଟି କୁଣ୍ଢେଇ ପକେଇଲା । ମୁହଁ ଗୁଞ୍ଜି ଦେଲା ମୋ ପଣତରେ । ଭଜିଗଲା ପଣତ ମୋର । ଚାପୁଡ଼ାର ନିର୍ଦୟତା ଖିନଭିନ କରୁଥିଲା ମୋ ଛାତିକୁ । ଝିଅଟିର ମୁହଁରେ ସେ ଦାଗ ଦେଖି ବ୍ୟଥିତ ହୋଇ ପଡ଼ୁଥିଲି ମୁଁ । ଭଜନ ସମାରୋହ ଚାଲିଥିଲା ପୂର୍ବପରି । ଆଉ ସାଆନ୍ତେ ବି ସେମିତି ଆଖିଖୋଲି ଚାହିଁ ରହିଥାନ୍ତି ଯେମିତି ଆଗରୁ ଚାହିଁଥିଲେ ।
ମୋତେ ମାଇଲା ସେ ।
ଓଃ ଅସହ୍ୟ ସେ ପଦକ ତାର !! କି ନ୍ୟାୟ ତୁମର ଜଗତ ଠାକୁର !? ସେ ପୁଣି ଏଇ ନଅ ଭିତରେ । ତୁମେ ପରା କେବଳ ଦୁସ୍ଥ ଜଣଙ୍କ ଶୁଣାଣି ପାଇଁ ଆସ ଏ ନଅ ଦିନକୁ । କଣ ଶୁଣିଲ !!? ଟିକେ ପୂର୍ବରୁ ଯଦି ମୋ ଭିତରର ମୁଁ କୁ ଜାଗ୍ରତ କରେଇ ଦେଇଥାନ୍ତ !!?
କାନ୍ଦେନି । ବସ୍ ଏଇଠି ।
ମୁଁ ନାଚିବି ।
ତୋ ନାଁ କଣ ?
ମୋ ନାଁ ରାଧା ।
ହାତମୋର ଆପେଆପେ ପଣତ ଖୋଜିଲା ଆଖିର ଲୁହ ପୋଛିବାକୁ ।
ଖୋଜିଖୋଜି ଗଲାରୁ ଜଗମୋହନଙ୍କର ଏଇ ଘୋଷଯାତ୍ରା ତ ଗୋପୀମାନଙ୍କ ପାଇଁ ଏହା ଜାଣିବାକୁ ବାକି ରହିଲାନି । ହେଲେ ଜଗନ୍ନାଥେ ଏ କେଉଁ ରାଧା !? ତୁମରି ଆଖିଆଗରେ ଏମିତି ଅତ୍ୟାଚାରିତ ହେଉଛି !!
ନା ଲକ୍ଷ୍ମୀ ଠାକୁରାଣୀ ରାଧା ହେଇପାରିଲେ ନା ମାତା ଜାନକୀ ରାଧାରାଣୀ ହେଇପାରିଲେ ? ମନ ଖୋଜି ଚାଲିଲା ରାଧାଙ୍କ ପରିଚୟ । କେତେକେତେ ବର୍ଣ୍ଣ ଚିହ୍ନ ଆଖି ଆଗକୁ ଆସିଲା ମୋର ।
.....ସ୍ଥିର ହେଇଗଲା ମନମୋହନଙ୍କ ହୃଦୟର ବାହ୍ୟରେ । ସେ ଚିହ୍ନଟି ଦେଖି ସ୍ୱତଃ ମୁଖରୁ ବାଃ ଠାକୁରେ ବାଃ ବାହାରିଗଲା । ଧନ୍ୟତୁମ ବଡ଼ପଣ । ହୃଦୟ ଉପରେ ଶୋଭାପାଉଥିଲା ଏକ ପାଦଚିହ୍ନ ।
ଯିଏ ଯାହାଙ୍କୁ ରାଧା କହୁଛନ୍ତି କୁହନ୍ତୁ । କାହ୍ନୁ ହୃଦୟରେ ତ ଏଇ ପାଦ ଚିହ୍ନ ଅଛି ମାନେ ଏଇହିଁ ରାଧା ।
ବ୍ରାହ୍ମଣର ପାଦ ଚିହ୍ନକୁ ବ୍ରହ୍ମାଣ୍ଡ ଠାକୁର ସବୁଦିନ ପାଇଁ ନିଜ ହୃଦୟରେ ସ୍ଥାନ ଦେଇଦେଲେ । ବ୍ରାହ୍ମଣଙ୍କର ସେ ଭକ୍ତି ଆଉ ସମର୍ପଣ ନିକଟରେ ବନ୍ଧା ପଡ଼ିଗଲ ପ୍ରଭୁ । ସେଇ ପାଦ ଚିହ୍ନଟି ମୋତେ ରାଧାଙ୍କ ପରି ଦେଖାଯାଉଛି । ସେ କୌଣସି ବ୍ୟକ୍ତି ବିଶେଷ ନୁହଁନ୍ତି । ସେ ପାଦଚିହ୍ନ ଭକ୍ତି , ସମର୍ପଣ ଆଉ ବିରହକୁ ଦର୍ଶାଉଛି । ସେଇତ ରାଧା । ରାଧା ଆଉ କିଏକି ?
ସେ ପାଦଚିହ୍ନ ହିଁ ସବୁବେଳେ ସେ ଶ୍ରୀଅଙ୍ଗରେ ଲାଗିରହିବାର ସୌଭାଗ୍ୟ ପ୍ରାପ୍ତ । ଆଉ କାହାର ଅଛି କି ସେ ଭାଗ୍ୟ ? ନା ବଂଶୀର ନା ମଣିର ନା କୁଣ୍ଡଳର । କେବଳ ସେଇ ରାଧାରୁପୀ ପାଦଚିହ୍ନ ସର୍ବଦା ସେ ଶ୍ରୀଅଙ୍ଗରେ ।
ତୁ ମାରିବୁନି ତ ମୋତେ ? ମୁଁ ନାଚିଲେ ?
ହୃଦୟର କୋହଟା ମୋର ଢେଉ ପରି ହାବୁକା ମାରୁଥାଏ ଆଖିରେ ମୋର । କିଛି ଝରିପଡୁଥାଏ ତ କିଛି ଫେରିଯାଉଥାଏ ।
ନାଇଁ ନାଚ ତୁ ନାଚ ।
ପାଗିଳୀ ତା ଆଖିରୁ ଝରୁଥିବା ଲୁହ ପୋଛିଦେଲା ହାତପିଠିରେ ତାର । ଆରମ୍ଭ ହୋଇଗଲା ଲୀନ ହେଇଯିବାର ପ୍ରଚେଷ୍ଟା ତାର । ମାନସିକ ସ୍ତରରେ ଦୁର୍ବଳ ହେଲେ ମଧ୍ୟ ଗୀତର ପ୍ରତିଟି ଭାବରେ ମଜ୍ଜି ଯାଉଥାଏ । କେବେ ରାଧା ସାଜୁଥାଏ ତ କେବେ ମୀରା କେବେ ପୁଣି ଲକ୍ଷ୍ମୀ ସାଆନ୍ତାଣୀ । କେବେ ଲାଜେଇ ଯାଉଥାଏ ତ କେବେ ପୁଣି ମତୁଆଲା ହୋଇ ଯାଉଥାଏ ।
ରସିକ ନାଗର ସେଇମିତି ଆଖି ଖୋଲି ଚାହିଁଥାଏ । ମୁହଁରେ ଏଥର ସେ ମୋହକ ହସ ପୁଣି ଦିଶିଲାଣି । ଏ କଣ !? ବିନା ଭୃଲତାର ସେ ଆଖି ଯୋଡ଼ିକ ଏମିତି ବୁଲୁଛି ଯେ !!? ପାଗିଳୀ ର ନୃତ୍ୟକୁ ଅନୁସରଣ କରୁଛି ସେ ଆଖି । ଓଠରେ ହସ ମାଖିଛି ।
ମୋତେ ଆଉ ସେ ଆଖି ଦେଖୁନି । ତାକୁ ବୋଧ ତା ରାଧା ମିଲିଯାଇଥିଲା । ମୁଁ ବି ଆଉ ତାଙ୍କୁ ଦେଖିଲିନି । କାହିଁକି ଦେଖିବି ସେତ ମୋତେ ଦେଖୁନାହାଁନ୍ତି । ମୋର ବି ଆଖି ରହିଗଲା ପାଗିଳୀ ପାଖରେ । ସେ ନାଚୁଥିଲା , ନାଚୁଥିଲା ଖୁବ ସନ୍ତର୍ପଣରେ । ସେ ସେ ନଥିଲା । ଯଦିବି ଥିଲା ଏକା ନଥିଲା ଆଉ କିଏ ତା ହାତ ଧରିଥିଲା ବୋଧହୁଏ । ଆଖିରୁ ତାର ଲୁହଝରିବା ବନ୍ଦ ହେଉନଥିଲା କି ମୁହଁରୁ ତାର ହସ ଲିଭୁ ନଥିଲା ।
ବିରହରେ ଲୁହ ଝରେ । କରୁଣ ପରିସ୍ଥିତିରେ ଲୁହ ଝରେ ଆଉ ସମର୍ପିତ ଆଖିରୁ ବି ଲୁହ ଝରେ । ବୀରହୀ ସୁଖଦ ମୁହୂର୍ତକୁ ଆଖିରେ ବନ୍ଦୀ କରି ଆନନ୍ଦାଶ୍ରୁ ଝରାଏ । ଯେମିତି ରାଧା । ସମର୍ପିତ ଅଭିମାନର ଲୁହ ଝରାଏ ପ୍ରଶ୍ନଟିଏ କରି , ଏଇକଣ ତୁମ ଇଚ୍ଛା ପ୍ରଭୁ !? ଯେମିତି ମୀରା ହେଲେ ଦୁଃଖ ନଥାଏ । ଆଉ କରୁଣ ଲୁହ ଆମପରି ମାୟାଚ୍ଛନ୍ନ ମାନଙ୍କ ଆଖିରୁ ଝରେ । ନା ସୁଖଦ ଅନୁଭୂତି ନା ପ୍ରଶ୍ନ । ସେ ଲୁହ ଅକାରଣେ ଝରିଯାଏ ଭାବ ସେଠି ଲକ୍ଷ୍ୟହୀନ ।
ଏ ପାଗିଳୀ ତ ହସୁଛି !! ଏ ନିଶ୍ଚିତ ବିରହୀଟିଏ । ତାର ରାଧା ନାଁ କୁ ଚରିତାର୍ଥ କରୁଛି ସେ । କଣ ତାର ସେ ସୁଖଦ ଅନୁଭୂତି !! ଯାହା ତାକୁ ଏତେ ବିପରୀତ ପରିସ୍ଥିତିରେ ବି ଆନନ୍ଦିତ କରିପାରୁଛି !!? କଳାମୋହନଙ୍କୁ ଚାହିଁଲି । ଆଖିତାଙ୍କର ସତରେ ନାଚୁଥିଲା ସେ ପାଗଳୀ ନୃତ୍ୟର ତାଳେତାଳେ ।
ଲୋକାରଣ୍ୟ ଆଉ ନାହିଁ । ତଥାପି ପାଗଳୀ ଥକି ପଡ଼ୁନି କି ରସିକିଆ ବି ଥକି ଯାଉନି ।
ସ୍ୱାମୀ ପହଞ୍ଚିଲେ ପାଖରେ ମୋର । ଯିବା ଏଥର ?
ମୋ ଭାବପ୍ରବଣତାକୁ ବୁଝିସାରିଥିଲେ ବୋଧହୁଏ । ଭଜନ ସମାରୋହର ଇତିବୃତ୍ତି ହେଇସାରିଥିଲା । ନୀରବ ଏବେ ସମସ୍ତେ । କୃତଜ୍ଞତାର ପ୍ରଣିପାତଟିଏ କଳାମୋହନଙ୍କ ଉଦ୍ଦେଶ୍ୟରେ କଲି । ଫେରିବାକୁ ପ୍ରସ୍ତୁତ । ପାଗିଳୀ ପୁଣିଥରେ କୁଣ୍ଢେଇ ପକେଇଲା । ପୁଣିଥରେ ମୋ ପଣତରେ ଲୁଚି ଯାଉଥିଲା । ମଇଳା ଅପରିଷ୍କାର ତାର ସେ ମଥାରେ ଚୁମ୍ବନ ଟିଏ ଦେଇଦେଲି । ମୁଁ ନୁହେଁ ମୋ ଭିତରର ମାନବିକତା ଦେଇଥିଲା ସେ ଚୁମ୍ବନ ।
ଫେରିଆସିଲୁ କିଛି ଭିନ୍ନ ଅନୁଭୂତି ନେଇ । ହେଲେ ଶୋଇ ପାରିଲିନି ରାତିରେ । ସମାଜର କୁତ୍ସିତ ଚରିତ୍ର ସବୁ ଘୁରିବୁଲିଲେ ମୋ ଆଖିଆଗରେ । ବଢ଼ିଲା ଝିଅଟେ ଯାହା ବେଳକାଳ ହେଲାଣି ? ଭୟରେ ଥରି ଉଠିଲି ମୁଁ । ଝାଳରେ ଗାଧୋଇ ପଡ଼ିଥିଲି ଶିତତାପ ନିୟନ୍ତ୍ରିତ କୋଠରୀ ଭିତରେ ଥାଇ ମଧ୍ୟ । ନିଜକୁ ନାନା ଗାଳି କଲି । ରାତିକ ପାଇଁ ତାକୁ ସାଙ୍ଗରେ ନେଇ ଆସିଥିଲେ କଣ ଅସୁବିଧା ହେଇଥାନ୍ତା ମୋର !? କେମିତି ଏଡ଼େ ନିର୍ଦୟୀ ହେଲି ମୁଁ !!?
ହେ କଳାସାଆନ୍ତ ରକ୍ଷା କରିବ ତାକୁ ଏ କଳା ଅନ୍ଧାର ରାତିରେ । ସକାଳୁ ନେଇ ଆସିବି ତାକୁ । କ୍ଷମା କର ପ୍ରଭୁ । ରାତିଟା ବି ବହୁତ ଲମ୍ବା ଥିଲା । ଘଣ୍ଟାର ଟିକଟିକ ବି ବ୍ୟତିବ୍ୟସ୍ତ କରୁଥାଏ । ସକାଳ ପାହିବା ମାତ୍ରେ ଧାଇଁଲି ଏକାଏକା ନିତ୍ୟକର୍ମ ସାରି ।
ରାଧା କାହିଁ !? ଦିଶୁନି ତ କେଉଁଆଡ଼େ !! ଗୋସେଇଁ କାଳିରାତିରେ ଏଠି ସେ ପାଗିଳୀ ?
ନାଇଁରେ ଝିଅ ମୁଁ କହିପାରିବିନି ।
ଓଃ !! ହେ ପତିତ ପାବନ ଘଣ୍ଟ ଘୋଡେ଼ଇ ଥିବ ତୁମର ରାଧାକୁ । କାଳିଆ ଠାକୁରଙ୍କ ସେ ହସ ହସ ମୁହଁ ଦିଶୁନଥିଲା ମୋତେ । ଆଖିରେ ମୋର ଅନୁସୋଚନା ଲୁହର ପରଦା ପଡ଼ିଥିଲା ଯେହେତୁ ।
ପଛରେ କୋଳାହଳ ଶୁଣି ବୁଲି ଚାହିଁଲି ? ରାଧା ଏ ରାଧା ଶୁଣୁଲୋ ମା । ରହିଯା ମା ମୋ ସୁନା ଝିଅଟା ବା ।
ରାଧା ଡାକ ଶୁଣି ତରଙ୍ଗାୟିତ ହୋଇ ଉଠିଲା ଦେହମନ ମୋର । ବୁଲି ଚାହିଁଲି । ଝିଅଟି ଧାଇଁ ଆସୁଛି ମୋ ଆଡ଼କୁ । ପଛରେ ଚାରି ପାଞ୍ଚଜଣ ପୁରୁଷ ଲୋକ । କୁଣ୍ଢେଇ ପକେଇଲା ମୋତେ । ପୁଣି ମୁହଁ ଗୁଞ୍ଜିଦେଲା ମୋ ପଣତରେ । ପଛରେ ଆସୁଥିବା ଲୋକମାନେ ଆଶ୍ୱସ୍ତିରେ ଅଟକି ଗଲେ ମୋରି ପାଖରେ ବଳୟ ଟିଏ ତିଆରି କରି ।
ଏ ରାଧା କିଏ ଏମାନେ ? ଏମାନେ କଣ ମାରୁଛନ୍ତି ତୋତେ ?
ରାଧାକୁ ଏ ପ୍ରଶ୍ନ କଲାବେଳେ , ଅପେକ୍ଷାକୃତ ବୟସ୍କ ଜଣକ କହିଉଠିଲେ । ଏ ତ ମୋର ହୃଦୟର ଖଣ୍ଡ । ମୁଁ ଏ ଝିଅର ହତଭାଗା ବାପା । ଆଉଜଣେ ମୁଁ ତାର ଭାଇ । ଏମିତି ଜଣ ଜଣ କରି ବଖାଣି ଗଲେ ନିଜନିଜର ପରିଚୟ ।
ଏ ରାଧା ଏମାନେ ସତ କହୁଛନ୍ତି ତ ?
ସେଇ ପଣତ ତଳେ ଥାଇ ମୁଣ୍ଡ ହଲେଇ ସମ୍ମତି ଜଣେଇ ଦେଲା ରାଧା ।
ବର୍ଷିଗଲି ରାଧାର ସମ୍ପର୍କୀୟ ମାନଙ୍କ ଉପରେ । ଯାହା ଇଚ୍ଛା ତାହା କହିଗଲି । ପୂର୍ବ ରାତିର ଘଟଣା କହିଲା ବେଳେ ନିଜର କୋହ ସମ୍ଭାଳି ପାରୁନଥିଲି ମୁଁ ।
ରାଧାର ଭାଇ ପାଦତଳେ ପଡ଼ିଗଲା ମୋର । ରାଧାର ମାନସିକ ବିକୃତତା ବିଷୟରେ ଗୋଟିଗୋଟି କହିଗଲା । ସେମାନେ ରାଧାକୁ ଚିକିତ୍ସା ପାଇଁ ନେବାକୁ ଆସିଛନ୍ତି । ସେମାନେ ତାଙ୍କ ଠିକଣା ଦେଇ ରାଧାକୁ ନେଇ ଚାଲିଗଲେ । ସମ୍ପନ୍ନ ପରିବାରର ।
ଆଖିରୁ ଲୁହପୋଛି ମୋହନଙ୍କୁ ଚାହିଁଲି । ସେ ମୁହଁରେ ବି ଆଶ୍ୱସ୍ତିର ହସ । ମୋ ଆଖିରୁ ପୁଣି ଝରିଗଲା ଅଭିମାନର ଲୁହ । ସାଥିରେ ପ୍ରଶ୍ନଟିଏ ,, ଏ କି ପ୍ରକାରର ଲୀଳା ହେ ଲୀଳାମୟ !? ଆଖିରୁ ଲୁହର ଧାର ଯେତେ ପ୍ରଖର ହେଉଥାଏ ମୋହନର ହସ ସେତେ ମୋହକ ଦିଶୁଥାଏ ।
ଚାଲିଗଲା କିଛିଦିନ । ଗୋଟେ ସୁନ୍ଦରୀ ପରୀ ଭଳି ଝିଅଟି ଆସି ଆମ ଘରେ ପହଞ୍ଚିଲା । ତାର ପରିଚୟ ଜାଣିବା ପୂର୍ବରୁ ଧାଇଁ ଆସିଲା ମୋ ପାଖକୁ । ମୋ ପଣତରେ ମୁଣ୍ଡ ଗୁଞ୍ଜି ଦେଇ ଭିଜେଇବାକୁ ଲାଗିଲା ମୋର ହୃଦୟକୁ ।
ରାଧା !!?
ହଲିଗଲା ସେ ମୁଣ୍ଡ ସମ୍ମତିରେ ।
ଆତ୍ମତୃପ୍ତି ମୋ ମନରେ । ସାଙ୍ଗରେ ତାର ଭାଇ ଥିଲା । ଆଜି ରାଧା ମୋ ଘରର ଜଣେ ସଦସ୍ୟ । ଆଉ ଅଧାରୁ ଛାଡ଼ିଥିବା ନୃତ୍ୟଶିକ୍ଷାକୁ ପୁଣି ଜାରିରଖିଲା । ଏବେସେ ନିପୁଣା ନୃତ୍ୟରେ । ଯେବେବି କଳାକାହ୍ନୁଙ୍କର କୌଣସି ଭଜନ ରାଧା କାନରେ ପଡ଼େ ନିଜକୁ ଅଟକାଇ ପାରେନି ସେ । ମତୁଆଲା ହୋଇଯାଏ ।
ଏଠି ତାହେଲେ ପାଗଳ କିଏ ? ଯିଏ ସମାଜ ବିପରୀତ କାର୍ଯ୍ୟ ଓ ବ୍ୟବହାର କରେ ନିଜର ଯତ୍ନ ନନେଇ ସେଇ ନା ? ହଁ ହେଇପାରେ । କିନ୍ତୁ ଯାହାଙ୍କୁ ସମାଜ ପାଗଳ କହୁଛି ତାଙ୍କ ଦୃଷ୍ଟିରେ ଦେଖିଲେ ଏ ସମ୍ପୂର୍ଣ୍ଣ ସମାଜ ପାଗଳ ନୁହେଁକି ? ତା ମାନେ କଣ ଆମେ ସମସ୍ତେ ବି !!?