Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Rozalini Mishra

Thriller Drama

3  

Rozalini Mishra

Thriller Drama

ନର ପିଶାଚ - ୨

ନର ପିଶାଚ - ୨

3 mins
587



 ( ମୋର କିଛି ପ୍ରିୟ ପାଠକ ବନ୍ଧୁ ମାନଙ୍କର ଜିଜ୍ଞାସା, ଆଗ୍ରହ ଆଉ ଅନୁରୋଧକୁ ଏଡାଇ ନ ପାରି ପୋଷ୍ଟ କରୁଛି "ନର ପିଶାଚ" ଗଳ୍ପ ର ଦ୍ବିତୀୟ ଭାଗ)

  

       ଏହା ଭିତରେ ବିତିଗଲାଣି କୋଡିଏ ବର୍ଷ। ଧିରେ ଧିରେ ଲୋକଙ୍କ ମାନସପଟରୁ ଲିଭି ଗଲାଣି ହରିଆ , ରମା ଆଉ ଜଗୁବୁଢ଼ାର ସ୍ମୃତି।ଗାଁ ଲୋକଙ୍କ ମାନସିକତାରେ କିଛି କିଛି ପରିବର୍ତ୍ତନ ବି ଆସିଲାଣି।


        ଆର ସାହିର କଣ୍ଟ୍ରାକ୍ଟର ଏବେ ରୋଗ ଶଯ୍ୟାରେ। ତାର ଅସାଧ୍ୟ ରୋଗ ଚିହ୍ନିବାରେ ଡାକ୍ତରୀ ବିଜ୍ଞାନ ବିଫଳ ହେବା ପରେ ବିଚରା ମରି ମରି ବଞ୍ଚୁଛି ପ୍ରତି ମୁହୂର୍ତ୍ତରେ।କୋଉ ମୁହୂର୍ତ୍ତରେ ଯେ ପ୍ରାଣ ଚାଲିଯିବ କିଛି ଭରସା ନାହିଁ। 

        ଏମିତି ଦିନେ ସକାଳୁ ସକାଳୁ ଗାଁରେ ପ୍ରଚାର ହୋଇଗଲା ଯେ ଗାଁ ମୁଣ୍ଡ ବରଗଛ ମୂଳରେ ଥିବା ବୁଢୀ ଠାକୁରାଣୀଙ୍କ ଆସ୍ଥାନ ପାଖରେ ଜଣେ ତ୍ରିକାଳଦର୍ଶୀ ବାବା ଉଭା ହୋଇଛନ୍ତି ଗତକାଲି ରାତିରୁ। ତା ପରେ ଜନ୍ଦା ପିମ୍ପୁଡି ବେଢ଼ିଲା ପରି ଗାଁ ଲୋକେ ବେଢ଼ିଗଲେ ବାବାଙ୍କୁ ଦର୍ଶନ ନିମନ୍ତେ। ବାବାଙ୍କର ଶୀର୍ଣ୍ଣ ଶରୀର, ମୁଣ୍ଡରେ ଅଯତ୍ନ ବର୍ଦ୍ଧିତ କେଶରାଶି, ମୁଁହରେ ଲମ୍ବା ଦାଢି, କପାଳରେ ସିନ୍ଦୁର ଟୋପା, ବେକରେ ରୁଦ୍ରାକ୍ଷ ମାଳା, ଶରୀରରେ ଗେରୁଆ ବସ୍ତ୍ର, ହାତରେ କମଣ୍ଡଳୁ ଆଉ ତାଙ୍କର ଧ୍ୟାନସ୍ଥ ମୁଦ୍ରା ଗାଁ ଲୋକଙ୍କ ମନରେ ସ୍ଵତଃ ବିଶ୍ୱାସ ଭରିଦେଲା। ଲୋକଙ୍କ କୋଳାହଳରେ ଧ୍ୟାନ ଭଗ୍ନ ହେଲା ବାବାଙ୍କର। ବାବା ଚାହିଁଲେ ଜଣ ଜଣ କରି ସମସ୍ତଙ୍କୁ। କହିଗଲେ ସମସ୍ତଙ୍କ ଅତୀତ ଆମୂଳଚୂଳ। ଗାଁ ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ ବାବାଙ୍କ କଥା ଶୁଣି। ସିଦ୍ଧପୁରୁଷ ନ ହୋଇଥିଲେ ଜଣେ ବା କେମିତି ଜାଣିବ ଆଉ ଜଣେ ଅଜଣା ବ୍ୟକ୍ତିର ସମ୍ପୁର୍ଣ୍ଣ ଅତୀତ। ବାବାଙ୍କ ଉପରେ ଧୀରେ ଧୀରେ ବିଶ୍ୱାସ ବଢିଗଲା ଗାଁ ଲୋକଙ୍କର।


          ଏ ଖବର ପଡିଲା କଣ୍ଟ୍ରାକ୍ଟର କାନରେ ।ବୁଡିଯାଉଥିବା ଲୋକ କୁଟାଖିଅକୁ ଭରସା କଲା ପରି ସେ ଧାଇଁ ଆସିଲା ବାବାଙ୍କ ପାଖକୁ।ବାବାଙ୍କ ଆଶୀର୍ବାଦରୁ କାଳେ ସେ ଭଲ ହୋଇଯିବ! ବାବାଙ୍କ ପାଦ ତଳେ ପଡ଼ି ଶରଣ ଗଲା କଣ୍ଟ୍ରାକ୍ଟର। ବାବା ଧ୍ୟାନମଗ୍ନ ହେଲେ କିଛି ସମୟ। ତା ପରେ ଆଖି ଖୋଲି କହିଲେ ତୁମେ ଆଜିକୁ କୋଡିଏ ବର୍ଷ ତଳେ ଗୋଟେ ବଡ ଅପରାଧ ଘଟେଇଛ ଏହି ଗାଁ ରେ।ଗୋଟିଏ ସ୍ତ୍ରୀ ଲୋକର ପ୍ରାଣ ଯାଇଛି ପରୋକ୍ଷ ଭାବରେ କେବଳ ତୁମରି ପାଇଁ। ଯାହାର ପରିଣାମ ସ୍ୱରୂପ ତୁମର ଆଜି ଏ ଅବସ୍ଥା। ସର୍ବସମ୍ମୁଖରେ ଏ ପାପ ସ୍ୱୀକାର ନକଲେ ତୁମେ ଆରୋଗ୍ୟ ହେବା ଅସମ୍ଭବ।


        ଜୀବନ ପ୍ରତି କାହାର ବା ଲୋଭ ନାହିଁ। ବଞ୍ଚିବା ଆଶା ଛାଡି ଦେଇଥିବା କଣ୍ଟ୍ରାକ୍ଟର ମନରେ ପୁଣି ନୂଆ ଆଶା କଅଁଳି ଉଠିଲା। ଆମୂଳଚୂଳ ସ୍ୱୀକାର କରିଗଲା ସବୁ ଘଟଣା ଗାଁ ଲୋକଙ୍କ ସମ୍ମୁଖରେ। ରାତ୍ରୀରେ ପିଶାଚର ଭ୍ରମ ସୃଷ୍ଟି କରି ଗାଁ ଲୋକଙ୍କୁ ଧୋକା ଦେବା ଠାରୁ ଆରମ୍ଭ କରି , ରମା ସହ ପରକୀୟା ପ୍ରୀତି ଆଉ ତାର ପରିଣାମ ରମାର ମୃତ୍ୟୁ ଯାଏ ସବୁ କହିଗଲା କଣ୍ଟ୍ରାକ୍ଟର।


        ଗାଁ ଲୋକଙ୍କ ଆଖିରୁ ଯେମିତି ଅନ୍ଧବିଶ୍ୱାସର ପରଳ ହଟି ହଟି ଯାଉଥିଲା। ସତେ ଅବା ସେମାନେ କେଉଁ ରହସ୍ୟମୟ ନାଟକର କିଂୟଦଶ ଶୁଣୁଛନ୍ତି।କୋଡ଼ିଏ ବର୍ଷ ପୂର୍ବରୁ ଯାହା ସବୁ ଘଟି ଯାଇଛି ତାହା ଯେ ସେମାନଙ୍କ ବିଶ୍ୱାସର ବାହାରେ। ସେମାନଙ୍କ ହାତ ପାହାନ୍ତାରେ ଆଜି ଦୋଷୀ କଣ୍ଟ୍ରାକ୍ଟର ଠିଆ ହୋଇଛି।କିନ୍ତୁ ତାକୁ ବା ସେମାନେ କି ଦଣ୍ଡ ଆଉ ଦେଇ ପାରିବେ। ବିଚାର କରିବା ଲୋକ ସ୍ୱୟଂ ଭଗବାନଙ୍କ କାଠଗଡା ରେ ଠିଆ ହୋଇଛି ସିଏ ଏବେ। ଅସାଧ୍ୟ ରୋଗରେ ସଢ଼ି ସଢ଼ି ମରଣର ଦ୍ୱାରଦେଶରେ ପହଞ୍ଚିଲାଣି ବିଚରା। ଚିଲ ପଞ୍ଝାରେ ସାପ ଝୁଲିଲା ପରି ମୃତ୍ୟୁ ପଞ୍ଝାରେ ଝୁଲୁଛି କଣ୍ଟ୍ରାକ୍ଟର। 


       ବିକଳ ହୋଇ ବାବାଙ୍କ ପାଦ ତଳେ ପଡି କଣ୍ଟ୍ରାକ୍ଟର ପଚାରିଲା ବାବା, ମୁଁ ମୋର ସବୁ ଦୋଷ ସ୍ୱୀକାର କରି ସାରିଛି।ଏବେ ମୁଁ ଭଲ ହେଇଯିବି ତ? ମୁଁ ଆଉ ମରିବିନି ତ? 

        ବିନା ବାକ୍ୟବ୍ୟୟରେ ଉଠି ଠିଆ ହେଲେ ବାବା।ବିଦାୟ ନେବାକୁ ବସିଲେ ଗାଁ ଲୋକଙ୍କ ଠାରୁ। ଏତିକି ବେଳେ ବାବାଙ୍କୁ ଅଟକେଇ ଦେଲେ ଗାଁର ଜଣେ ବୟୋଜ୍ୟେଷ୍ଠ ବୃଦ୍ଧ ।ବାବାଙ୍କ ମୁଁହକୁ ବାରମ୍ବାର ନିରେଖି ନିରେଖି ଦେଖି ପଚାରିଲେ ତୁ ହରିଆ ନା ? ଆଖି ତଳକୁ କରି ଠିଆ ହୋଇଛନ୍ତି ବାବା। ବୃଦ୍ଧ ପୁଣି ପଚାରିଲେ , ସତ କହ ତୁ ହରିଆ ନା ? କୁଆଡେ ଯାଇଥିଲୁ ଏତେ ବର୍ଷ ଧରି?


         ମୁଁହ ତଳକୁ କରି ଧୀର ସ୍ୱରରେ ହରିଆ କହିଲା ସ୍ତ୍ରୀ କୁ ମାରିଦେଲା ପରେ ଗାଁ ଠାରୁ ଦୂରରେ ଏକ ଜଙ୍ଗଲରେ ରହୁଥିଲି ମୁଁ।କିନ୍ତୁ ଗାଁର ସବୁ ଖବର ରଖୁଥିଲି କେବଳ ସତକୁ ସାମ୍ନାକୁ ଆଣିବା ପାଇଁ। ସେତେବେଳେ ସତ କହିଥିଲେ ହୁଏତ କେହି ବୋଧେ ମୋତେ ବିଶ୍ୱାସ କରି ନ ଥାନ୍ତେ। ଗୋଟେ ନରହନ୍ତାର ପରିଚୟ ନେଇ କେମିତି ରହିଥାନ୍ତି ଗାଁ ରେ ମୁଁ।


        ସ୍ତବ୍ଧ ହୋଇ ଠିଆ ହୋଇଛନ୍ତି ଗାଁ ଲୋକେ। ସମସ୍ତଙ୍କ ଠାରୁ ବିଦାୟ ନେଇ ହରିଆ ବାହାରିଲା ତାର ଗନ୍ତବ୍ୟ ପଥରେ। କିନ୍ତୁ ଗାଁ ଲୋକ ଏଥର ଆଉ ଯିବାକୁ ଦେଲେନି ହରିଆକୁ ଗାଁ ରୁ। ଗୋଟେ ଏତେବଡ ଘଟଣାର ପର୍ଦ୍ଦାଫାସ କରିଥିବା ଆଉ ସେମାନଙ୍କୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ବଳୟ ଭିତରୁ ବାହାରକୁ ଆଣିଥିବା ହରିଆକୁ ଗାଁ ଲୋକେ କୋଳେଇନେଲେ ପୁଣି ଥରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାର ସୁଯୋଗ ଦେଇ।

                    



Rate this content
Log in

More oriya story from Rozalini Mishra

Similar oriya story from Thriller