Upendra Mahala

Classics Inspirational Others

4.5  

Upendra Mahala

Classics Inspirational Others

ନିତିଦିନିଆ ପରୀକ୍ଷା

ନିତିଦିନିଆ ପରୀକ୍ଷା

5 mins
282



ଶବ୍ଦ ସହ ଖେଳିବା କିମ୍ବା ମନ ଯୋଡିବା ଏତେ ସହଜ ନୁହେ !! କବି, ଲେଖକଙ୍କ ଭଳି ସୃଜନଶୀଳ ସ୍ରଷ୍ଟା ଓ ସାମ୍ବାଦିକମାନେ ଶବ୍ଦର ଯାଦୁଗର। ସେମାନେ ଶବ୍ଦ ଓ ଭାବ ସହ ନିୟତ ଖେଳିବାକୁ ଭଲ ପାଆନ୍ତି। ସାମ୍ବାଦିକମାନଙ୍କ ଲାଗି ଏହି ଖେଳ ଏକ ଭିନ୍ନ ପରୀକ୍ଷା। ଫିଲଡ ରିପୋର୍ଟିଂ ହେଉ କି ଡେକ୍ସ ଖବର ଲେଖିବା ବେଳେ ନିତିଦିନ ସେମାନଙ୍କୁ " ଅଗ୍ନି ପରୀକ୍ଷା " ଦେବାକୁ ପଡିଥାଏ। ସେମାନେ ଲେଖୁଥିବା ଖବରର ସଫଳତା ଓ ବିଫଳତା ଲେଖାର ଶୈଳୀ, ଶବ୍ଦ ସଂଯୋଜନା, ପ୍ରସଂଗ ଅବତାରଣା, ଔଚିତ୍ୟବୋଧ ଓ ଉପସ୍ଥାପନା ଅ।ଦି ଦିଗ ଉପରେ ନିର୍ଭର କରେ।

ଶବ୍ଦରେ ଫୁଲ ଫୁଟିପାରେ ଆଉ ବୋମା ବି। ସାମ୍ବାଦିକଙ୍କୁ ଏହାର କଳା ହାସଲ କରିବାକୁ ପଡେ।

ସାମ୍ବାଦିକତାର ନିଜସ୍ବ ଭାଷା ରହିଛି। ଖବର ଲେଖାର ଏହା ଏକ ବିଶେଷ ଉପାଦାନ। କଥିତ, ସାବଲୀଳ, ସର୍ବବୋଧ ଭାଷା ଏହାର ବୈଶିଷ୍ଟ୍ୟ। ଲେଖାରେ ମାପଚୁପ ଶବ୍ଦ ବ୍ୟବହାର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କରିବାକୁ ପଡେ। ଏଣୁ ସାହିତ୍ୟିକଙ୍କ ଭଳି ଲେଖାରେ 'ମୁକ୍ତ ସ୍ବାଧୀନତା' ମିଳି ନ ଥାଏ। ସାମ୍ବାଦିକମାନେ କଥିତ ଭାଷା (କଲୋକ୍ବିଲ ) ସାଂଗକୁ ଆଞ୍ଚଳିକ ଭାଷା ବ୍ୟବହାର କରିଥାନ୍ତି। ମାତୃଭାଷାର ବିକାଶ ଓ ସୁରକ୍ଷାରେ ସେମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଆଜିକାଲି ଇଂଲିଶ ଓ ହିନ୍ଦୀ ଶବ୍ଦକୁ ଓଡ଼ିଆ ଖବରରେ ଯୋଡି ଦିଆଯାଉଛି, ଯାହାକୁ ଅନେକେ ସମାଲୋଚନା କରି ଆସୁଛନ୍ତି।

ଖବରର ଗୁଣାତ୍ମକ ମାନ "ପ୍ରସଙ୍ଗ" ଅବତାରଣା, ଯୁକ୍ତି ସଂଗତ ଶବ୍ଦର ବ୍ୟବହାର, ଔଚିତ୍ୟବୋଧ ଓ ଯଥାର୍ଥତା ଉପରେ ନିର୍ଭର କରେ। ଗଭୀର ଅନ୍ତର୍ଦୃଷ୍ଟି ଓ ଦୂରଦୃଷ୍ଟି ସମ୍ପନ୍ନ ପରିବେଷିତ ସତ୍ୟ, ନିର୍ଭୀକ ଓ ନିରପେକ୍ଷ ଖବରର ପ୍ରଭାବ ଓ ଚାପ ଅଧିକ। "ସୃଜନଶୀଳ ସାମ୍ବାଦିକତା" ଆଧୁନିକ ସାମ୍ବାଦିକତାର ଅ।ଉ ଏକ ଦିଗ। ଏବେ ଫିଚରଧର୍ମୀ ଖବର ଲେଖାଯାଉଛି। ଏହାର ଲେଖା ଶୈଳୀ ଘଟଣା ପ୍ରବାହର ଗତାନୁଗତିକ ଧାରାଠାରୁ ଭିନ୍ନ। ସଭା ସମିତି ରିପୋଟିଂର ମାନ ଦୃଷ୍ଟିଭଙ୍ଗୀର ଗଭୀରତା ଓ ଭିନ୍ନତା ଉପରେ ନିର୍ଭର କରେ। ଠିକ୍ ସମୟରେ ନିର୍ଭୁଲ ଖବର ପରିବେଷଣ ଖବରଦାତାଙ୍କ ଲାଗି ଚ୍ୟାଲେଞ୍ଜ ହୋଇଥାଏ। ଏଥିଲାଗି କଠିନ ପରିଶ୍ରମ କରିବାକୁ ପଡେ। ସାମଗ୍ରୀକ ସଫଳତା ବା ବିଫଳତା ପାଠକୀୟ ଅ।ଦୃତି ଉପରେ ନିର୍ଭର କରିଥାଏ।

ସାମ୍ବାଦିକତା ଜଗତରେ ପାଦ ରଖିବା ପରେ ପ୍ରଥମେ ପ୍ରଥମେ ଅନେକ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡିଥିଲା। ବାଲିଅ।ପାଳରେ ଜନଆନ୍ଦୋଳନ ବେଳେ ଏକ ଗୁରୁତ୍ବପୂର୍ଣ୍ଣ ସଭାର ରିପୋର୍ଟିଂ ଦାୟିତ୍ବ ମୋତେ ଦିଅ।ଯାଇଥିଲା, ଯାହା ମୋର ଅନୁଭବକୁ ପରେ ଶାଣିତ କରିଥିଲା।

ଓଡ଼ିଶାରେ ବାଲେଶ୍ବର ଜିଲାର ଉପକୂଳବର୍ତ୍ତୀ ବାଲିଅ।ପାଳ ପାନ, ମୀନ, ଧାନର ଇଲାକା ଭାବେ ପରିଚିତ। ପ୍ରଚୁର ପାନ ଉତ୍ପାଦନ ଯୋଗୁ ସେଠାରେ ଗଢି ଉଠିଛି ଅନ୍ତର୍ଜାତୀୟ ସ୍ତରର ପାନବଜାର। ଏହା ନିକଟରେ ରହଛି ବଙ୍ଗୋପସାଗରର ବିସ୍ତୀର୍ଣ୍ଣ ବେଳାଭୂମି। ସୁନା ରଂଗର ବାଲୁକା ଶଯ୍ୟାରେ ଦେଖିବାକୁ ମିଳନ୍ତି ବିରଳ ନାଲି କଙ୍କଡା। ଉର୍ବର କ୍ଷେତବାଡିରେ ବିଭିନ୍ନ ତୈଳବୀଜ, ଧାନ ଓ ଅନ୍ୟ ଫସଲ ଚାଷ ହୋଇଥାଏ। ସମୁଦ୍ର ଓ ସୁବର୍ଣ୍ଣରେଖା ମୁହାଣରୁ ଦୈନନ୍ଦିନ ପ୍ରଚୁର ମାଛ ଧରା ଯାଇଥାଏ। ପ୍ରକୃତିର ବରଦାନ ଲାଗି ଏ ମାଟି ଯେତିକି ପ୍ରସିଦ୍ଧ, ଐତିହାସିକ ଜନଅ।ନ୍ଦୋଳନ ଲାଗି ସେତିକି ଗୌରବାନ୍ବିତ।

ଏ ସୁନା ମାଟିର ଅ।ଖିରେ ସେଦିନ ଥିଲା ଲୁହ ଓ ନିଆଁ। ଚାରିଅ।ଡେ ଘେରାବନ୍ଦୀ। ରାସ୍ତା ସାରା ବ୍ୟାରିକେଟ, ମାଳମାଳ ପୋଲିସ।

ପ୍ରାୟ ଅଶୀ ଦଶକ ମଧ୍ୟଭାଗର କଥା। ବାଲିଅ।ପାଳ ଉପକୂଳରେ କ୍ଷେପଣାସ୍ତ୍ର ଘାଟି ସ୍ଥାପନ ଲାଗି ତତକାଳୀନ କେନ୍ଦ୍ର ସରକାର ଘୋଷଣା କରିବା ପରେ ଅଞ୍ଚଳବାସୀଙ୍କୁ ବିସ୍ଥାପିତ କରିବା ସକାଶେ ନିଷ୍ପତ୍ତି ନିଆଯାଇଥିଲା। ପ୍ରସ୍ତାବିତ ଘାଟି ଅଞ୍ଚଳରେ ଥିଲା ବହୁ ଚାଷଜମି, ଶତାଧିକ ଗାଁଗଣ୍ଡା। ଲୋକେ ଭିଟାମାଟି ନ ଛାଡିବାକୁ ସଂକଳ୍ପ ନେଇ ସରକାରୀ ନିଷ୍ପତ୍ତିକୁ ବିରୋଧ କଲେ। ଏଥିଲାଗି ତତ୍କାଳୀନ କଂଗ୍ରେସ ସରକାର ଓ ଜନତା ଦୀର୍ଘ ତିନି ବର୍ଷରୁ ଅଧିକ ଦିନ ମୁହାଁମୁହିଁ ହୋଇଥିଲେ। ଆନ୍ଦୋଳନ ତେଜିବାରୁ ସମ୍ପୃକ୍ତ ଅଞ୍ଚଳକୁ ଅର୍ଥନୈତିକ ଅବରୋଧ କରି ରଖାଯାଇଥିଲା। ପ୍ରଶାସନର ନାଲି ଆଖି ଓ ପୋଲିସ ବଳକୁ ନ ଡରି ଲଢିବା ପାଇଁ ଲୋକେ ଗଢିଥିଲେ "ମରଣ ସେନା"। "ଜନତା କର୍ଫୁ" ଘୋଷଣା କରି ସେମାନେ ସରକାରଙ୍କୁ ଟକ୍କର ଦେଇଥିଲେ। ବିସ୍ଥାପନ ବିରୋଧରେ ଗଢି ଉଠିଥିବା ଆନ୍ଦୋଳନ ସାରା ଦେଶରେ ମୁ୍‌ଖ୍ୟ ଚର୍ଚ୍ଚିତ ପ୍ରସଂଗ ପାଲଟିଥିଲା।

ବାଲିଅ।ପାଳରେ ଅଶାନ୍ତିର ନିଆଁ ଜଳୁଥିବା ବେଳେ ସେ ମାଟିରେ ଗୋଟିଏ ଦିନର ସ୍ମୃତି ମୋ ମନରେ ଛାପ ଅ।ଙ୍କି ରଖିଛି। ସମ୍ଭବତଃ ୧୯୮୮ ମସିହା। ଜାତୀୟ ସ୍ତରର ନେତା ଭିପି ସିଂ, ମାନେକା ଗାନ୍ଧୀ, ଓଡ଼ିଶାରେ ବିରୋଧୀ ଦଳର ନେତୃତ୍ବ ନେଉଥିବା ଜନନେତା ବିଜୁ ପଟ୍ଟନାୟକଙ୍କ ସମେତ ବହୁ ନେତୃମଣ୍ଡଳୀଙ୍କୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବାଲିଅ।ପାଳରେ ବିରାଟ ଜନସଭାର ଆୟୋଜନ କରାଯାଇଥିଲା। ଘଟଣାର ଗୁରୁତ୍ବ ଦୃଷ୍ଟିରୁ ସେହି ସଭାକୁ ଯାଇ ରିପୋର୍ଟିଂ କରିବା ସକାଶେ ଯୁବସୁଲଭ ସାହସ ନେଇ ଭୁବନେଶ୍ବରରୁ ବାହାରି ପଡିଲି। କେମିତି ଯିବି, କେଉଁଠି ରହଣି କରିବାକୁ ପଡିବ ଜାଣି ନ ଥିଲି। ସେତେବେଳେ ଯୋଗାଯୋଗ ବ୍ୟବସ୍ଥାର ବିଶେଷ ଉନ୍ନତି ହେଇ ନ ଥିଲା। ପ୍ରଥମେ ଭଦ୍ରକ ଯାଏ ବସରେ ଯାଇ ବୁଝାବୁଝି କରିବାରୁ ଜଣେ ସ୍ଥାନୀୟ ପରିଚିତ ଲୋକ ବାଲିଆପାଳ ନିକଟ ଏକ ଗାଁରେ ଝିଅ ବାହା ଦେଇଥିବା ଜଣାପଡିଲା। ତାଙ୍କଠାରୁ ଝିଅଙ୍କ ଶାଶୁଘର ଠିକଣା ଆଣି ଭଦ୍ରକରୁ ଯାଇ ବାଲେଶ୍ବରରେ ପହଁଞ୍ଚିଲି। ବାଲିଅ।ପାଳ ଯାଉଥିବା ବସରେ ଥାଏ ବହୁତ ଭିଡ଼। ପହଞ୍ଚିବା ଡେରି ହେଲେ କାଳେ ସନ୍ଧ୍ୟା ହୋଇଯିବ, ଭୟ ଥିଲା। ତେଣୁ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟ୍ରେକରରେ ବସି ବାଲିଆପାଳ ବାହାରିଲି। ଯିବା ବେଳେ ବାଟରେ ବ୍ୟାରିକେଟ ସବୁ ଦେଖିବାକୁ ମିଳିଲା। ଟ୍ରେକର ହେଲପରଙ୍କୁ ପଚାରି ଠିକଣା ନେଇଥିବା ବ୍ୟକ୍ତିଙ୍କ ଗାଁ ନିକଟ ବାଲିଆପାଳର ପ୍ରାୟ ତିନି କି.ମି. ଆଗ ଏକ ଛକରେ ଓହ୍ଲାଇଗଲି। ସେଠାରୁ ପଚାରି ପଚାରି ପ୍ରାୟ ଦୁଇ କି.ମି. ବାଟ ଚାଲି ସେହି ବ୍ୟକ୍ତିଙ୍କ ଘରେ ପହଞ୍ଚିଲି। ସନ୍ଧ୍ୟା ବେଳେ ଘର ଆଗରେ ଜଣେ ଅପରିଚିତଙ୍କୁ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। ମୁଁ ପରିଚୟ ଦେଇ ରାତିଟି ତାଙ୍କ ଘରେ କଟାଇ ସକାଳେ ବାଲିଆପାଳକୁ ରିପୋଟିଂ କରିବାକୁ ଯିବି ବୋଲି କହିଲି। ଆନ୍ଦୋଳନ ସହ ଜଡିତ ଏହି ପରିବାର ସବୁକଥା ଜାଣି ମୋତେ ପରିଚିତ ଲୋକ ଭଳି ଆଦର କରିଥିଲେ।

ଭଦ୍ରକରୁ ଯେଉଁ ଝିଅଟି ତାଙ୍କ ଘରେ ବୋହୂ ହୋଇଥିଲେ, ସେ ମୋର ବିଶେଷ ଯତ୍ନ ନେଇଥିଲେ। ସେମାନଙ୍କ ଉଦାରତା ଓ ଅ।ତ୍ମିୟତା ମୋତା ମୁଗ୍ଧ କରିଥିଲା। ପରିବାରର ଜଣେ ବୟସ୍କ ବ୍ୟକ୍ତି ଆନ୍ଦୋଳନ ଚାଲିଥିବାରୁ ଲୋକେ କିଭଳି ସରକାରୀ ଜୁଲମର ଶିକାର ହେଉଛନ୍ତି କହିଥିଲେ।

ନୂଆ ଜାଗା। ରାତିରେ ଭଲ ନିଦ ହେଲାନି। ସକାଳେ ଜଣେ ଯୁବକ ସାଇକେଲରେ ବସାଇ ମୋତେ ବାଲିଆପାଳରେ ଛାଡି ଅ।ସିଲେ। ସଭାସ୍ଥଳରେ ମଞ୍ଚ ପ୍ରସ୍ତୁତି ସରିଥିଲା। ମାଇକ ଖଞ୍ଜା ଯାଇଥିଲା। ଅପରାହ୍ନରେ ସଭା।

ସେତେବେଳକୁ ଭିପି ସିଂଙ୍କ ଗସ୍ତ ହଠାତ୍ ବାତିଲ ହେବା ଜଣା ପଡିଯାଇଥିଲା। ତେବେ ଅନ୍ୟ ଜନନେତାଙ୍କ ଉପସ୍ଥିତି ଓ ବିରାଟ ଜନସଭାକୁ ଦୃଷ୍ଟିରେ ରଖି ସାରା ଅଞ୍ଚଳ ପୋଲିସ ଛାଉଣି ପାଲଟିଥିଲା। ସ୍ଥାନୀୟ ନେତାମାନେ ନିକଟସ୍ଥ ସ୍କୁଲରେ ଜମା ହୋଇଥିବା ଶୁଣି ସେଠାକୁ ଗଲି। ସେମାନଙ୍କୁ ଭେଟି ମତାମତ   ।ଅ।ଣିଲି। ରାଜ୍ୟ ଓ ଜାତୀୟସ୍ତରର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଆସି ପହଞ୍ଚିବାରୁ ସେମାନଙ୍କ ସହ ଅ।ଳାପ ଆଲୋଚନାର ସୁଯୋଗ ମିଳିଲା। ପରେ ଏକ ବିସ୍ଥାପନ ତାଲିକାଭୁକ୍ତ ଗାଁକୁ ଯାଇ ସାଧାରଣ ଚାଷୀମୂଲିଅ।ଙ୍କ ମତାମତ ପଚାରି ବୁଝିଥିଲି। ଏହି ଅବସରରେ ଆମେ କେତେକ ସାମ୍ବାଦିକ ମିଶି ପ୍ରସ୍ତାବିତ ଘାଟି ଅଞ୍ଚଳ ବୁଲି ଯାଇଥିଲୁ। ସମୁଦ୍ର ଉପକୂଳର ଶୋଭା ବଢାଉଥିବା ବିରଳ ନାଲି କଙ୍କଡା, ବାଲୁକା ଶଯ୍ୟା, ମାଛଧରା ଡଙ୍ଗା ଆଦି ଦେଖିବାର ଇଛା ଥିଲା।

ବାଲିଅ।ପାଳ ଉପକୂଳ ଅଞ୍ଚଳର ପ୍ରାକୃତିକ ଶୋଭା ଅବର୍ଣ୍ଣନୀୟ !! ଆମେ ପ୍ରସ୍ତାବିତ ଘାଟି ଅଞ୍ଚଳ ବୁଲି ସ୍ଥିତି ଦେଖିବା ପରେ ଫେରି ଆସିଲୁ। ସେତେବେଳକୁ ସଭା ପଡିଅ। ଲୋକାରଣ୍ୟ ହୋଇ ସାରିଥିଲା। କିଛି ସମୟ ପରେ ଭାଜପା ନେତ୍ରୀ ମାନେକା ଗାନ୍ଧୀ, ବିଜୁବାବୁ ଓ ଅନ୍ୟ ଟାଣୁଆ ନେତା ପହଞ୍ଚି ସ୍ଥାନୀୟ ନେତୃତ୍ବଙ୍କ ଗହଣରେ ମଞ୍ଚାସୀନ ହେଲେ। ଗଣମାଧ୍ୟମ ପ୍ରତିନିଧିଙ୍କ ଲାଗି ଉଦ୍ଦିଷ୍ଟ ସ୍ଥାନରେ ଆମେ ବସିଲୁ। ବକ୍ତୃତାର ଝଡ ସଭାକୁ ସରଗରମ କରିଥିଲା। ଲୋକଙ୍କ ସ୍ଲୋଗାନରେ କମ୍ପିଥିଲା ସଭାସ୍ଥଳ।

ସଭା ସରିବା ବେଳକୁ ସନ୍ଧ୍ୟା ଆସନ୍ନ ପ୍ରାୟ। ପଞ୍ଚାବନ କି.ମି. ଦୂର ବାଲେଶ୍ବରକୁ ଫେରି ଖବର ଲେଖି ଠିକ୍ ସମୟରେ ଅଫିସକୁ ପଠାଇବାକୁ ପଡିବ। ଫେରନ୍ତା ଯାତ୍ରୀଙ୍କ ଭିଡରେ ରାସ୍ତାରେ କଡ଼ ଲେଉଟାଇବା ସମ୍ଭବ ହେଉ ନ ଥିଲା। କୌଣସି ପ୍ରକାରେ ବସ୍ ଧରି ଆସି ବାଲେଶ୍ବର ବସଷ୍ଟାଣ୍ଡରେ ପହଞ୍ଚିଲି। ନିକଟସ୍ଥ ଏକ ଟେଲିଫୋନ ବୁଥକୁ ଯାଇ ଫୋନରେ ଅଫିସକୁ ନ୍ୟୁଜ ଡାକିଲି। ପରେ ଜଳଖିଅ। ଖାଇ ସାରିବା ବେଳକୁ ରାତି ପ୍ରାୟ ନଅଟା। ଭୁବନେଶ୍ବରକୁ ବସ୍ ନ ମିଳିବାରୁ ଭଦ୍ରକ ଯାଏ ଅ।ସି ସହର ଉପକଣ୍ଠବର୍ତ୍ତୀ ଜଣେ ସମ୍ପର୍କୀୟଙ୍କ ଘରେ ରହିଲି।

ପରଦିନ ସକାଳେ ଉଠି ସ୍ଥାନୀୟ ବସଷ୍ଟାଣ୍ଡକୁ ଯାଇ ଧରିତ୍ରୀ ସମେତ କେତେକ ଓଡିଆ, ଇଂଲିଶ ପେପର କିଣି ବାଲିଆପାଳ ନ୍ୟୁଜ ଉପରେ ଆଖି ପକାଇଲି। ସବୁ ଓଡିଅ। କାଗଜ ଭିନ୍ନ ଭିନ୍ନ ହେଡିଂରେ ନ୍ୟୁଜ ଛାପିଥାନ୍ତି। ଜାତୀୟ ସ୍ତରର କେତେକ ନାମୀ ଇଂଲିଶ କାଗଜ ସହ ଆମ ହେଡିଂର ମେଳକ ଦେଖି ମୁଁ ଖୁସି ହୋଇଗଲି। ପରେ ପାଠକୀୟ ଆଦୃତି ମୋତେ ପରୀକ୍ଷାରେ ଉତ୍ତୀର୍ଣ୍ଣ କରାଇଥିଲା। ଦୁର୍ବାର ଜନ ଆନ୍ଦୋଳନ ଅ।ଗରେ ହାର ମାନିଥିଲା ସରକାରୀ କଳବଳ। ବାଲିଆପାଳ ପରିବର୍ତ୍ତେ ଚାନ୍ଦିପୁରରେ ଘାଟୀ ସ୍ଥାପନ ହେଲା। ବାଲିଆପାଳବାସୀ ଅ।ଜି ବି ନିଜ ଭିଟାମାଟିର ଏହି ଗୌରବଗାଥାକୁ ମନେ ପକାଇ ଗର୍ବ ଅନୁଭବ କରୁଛନ୍ତି।

*******




Rate this content
Log in

Similar oriya story from Classics